Unknown

 

 

 

 

 

 

 

 

 

ଅସନ୍ତୁଷ୍ଟ ହେବାର
ଅନୁରାଗ ଓ ଅନ୍ୟାନ୍ୟ ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ

 

ସୂଚୀପତ୍ର

 

୧.

ଅସନ୍ତୁଷ୍ଟ ହେବାର ଅନୁରାଗ

୨.

ନିର୍ବାଣ ନିଜ ଭିତରେ ଅଛି

୩.

ସୀମିତ ସମୟ : ଅସୁମାରି ସ୍ଵପ୍ନ

୪.

ଉପକ୍ରମ ନୁହେଁ, ସମ୍ପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ

୫.

ଆପଣା ପ୍ରୟୋଗଶାଳାର ସୃଷ୍ଟି, ଗାନ୍ଧୀ

୬.

ପାରିବା ଲୋକର ପୃଥିବୀ

୭.

ସିଡିର ସବା ଉପର ପାହାଚରେ ଠିଆ ହୋଇଥିବା ଲୋକ

୮.

ଅସହାୟ ହୋଇ ଚାହିଁ ରହିବାର ବାସ୍ତବିକତା

୯.

ସୈନିକମାନଙ୍କ ପାଇଁ ସଂରକ୍ଷିତ

୧୦.

ଫାଶୀ ବରଗଛ

୧୧.

ପୁନଶ୍ଚ ଅଥେଲୋ

୧୨.

ଆମ ଅମଲାତନ୍ତ୍ର

୧୩.

ଓଡ଼ିଆ ସ୍ଵାଭିମାନ

୧୪.

ଉଲଗ୍ନ ହେବାର ଅଧିକାର

୧୫.

ଓଡ଼ିଆ ସାହିତ୍ୟରେ ଦେହର ପ୍ରବେଶ

୧୬.

ସ୍ଵତନ୍ତ୍ର ପ୍ରତିନିଧିଙ୍କ ଠାରୁ

୧୭.

ଐଶ୍ଵର୍ଯ୍ୟାଙ୍କୁ ତେତିଶ ବର୍ଷ

୧୮.

ଦ୍ରୋଣାଚାର୍ଯ୍ୟଙ୍କ ହୁଣ୍ଡି

୧୯.

ଆସନ୍ତୁ, ଖରାପ ଲୋକ ହେବା

୨୦.

ଅଜ୍ଞାତର ଆକର୍ଷଣ

୨୧.

ଶଙ୍କରାଚାର୍ଯ୍ୟଙ୍କ ସମୟ ଏବଂ ଅଦ୍ୱୈତ ଦର୍ଶନ

୨୨.

ଈଶ୍ଵରଙ୍କ ପାଇଁ ଏକ ପି.ଆର୍‌.ଓ. ଆବଶ୍ୟକ

୨୩.

ମାୟାର ଭୂମି

୨୪.

ବଳି ପଡ଼ିବ

୨୫.

ବିପ୍ଳବ ତଥାପି ବଂଚିଛି

Image

 

ଅସନ୍ତୁଷ୍ଟ ହେବାର ଅନୁରାଗ

 

‘‘ଜୀବନରେ ଦର୍ଶନଟି ସ୍ଵୟଂ ଜୀବନଠାରୁ ମଧ୍ୟ ମହନୀୟ’’ ଏକଥା ତାଙ୍କ ମୃତ୍ୟୁରେ ପ୍ରମାଣ କରି ଦେଇଥିଲେ ସକ୍ରେଟିସ୍‌ । ହୁଏତ ବହୁତ କମ୍‌ ଲୋକଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଥାଏ ଯେତେବେଳେ ଜୀବନ ଓ ଦର୍ଶନ ମଧ୍ୟରୁ ଗୋଟିଏକୁ ଆପଣେଇ ନେବାକୁ ପଡ଼ିଥାଏ । ତେବେ ଅନେକ ଲୋକ ଜୀବନରେ ଏମିତି ଏକ ସମୟରେ ଓ ପରିସ୍ଥିତିରେ ସତ୍ୟକୁ ପଛରେ ପକାଇ ସୁଖ-ସୁବିଧା ଆଡକୁ ହାତ ବଢ଼େଇଥା’ନ୍ତି । ସତ୍ୟ ଭାରି ଏକାଏକା ଏବଂ ପରିତ୍ୟକ୍ତ ହୋଇ ରହିଯାଏ । ତାଙ୍କ ଜୀବନରେ ସକ୍ରେଟିସ୍‌ ଆଦୌ ସେମିତି କରି ନଥିଲେ । ସାରା ଜୀବନ ସିଏ ସତ୍ୟର ମିତ ହୋଇ ରହିଥିଲେ । ଅପରୀକ୍ଷିତ ଜୀବନ ଜୀବନ ନୁହେଁ, ସକ୍ରେଟିସ୍‌ ଏକଥା ବରାବର କହୁଥିଲେ ।

 

ଖ୍ରୀଷ୍ଟପୂର୍ବ ପଂଚମ ଶତାବ୍ଦୀରେ ଏଥେନ୍ସ ଏକ ସମୃଦ୍ଧ ଗଣତନ୍ତ୍ର ଥିଲା ଓ ତତ୍‌କାଳୀନ ପୃଥିବୀରେ ଭାରି ଗୁରୁତ୍ୱ ପୂର୍ଣ୍ଣ ହୋଇ ରହିଥିଲ। । ସେ ସମୟରେ ସୋଫିଷ୍ଟ୍‌ମାନେ ମଧ୍ୟ ଥିଲେ । ସୋଫିଷ୍ଟ୍‌ ମାନେ ଜୀବନର କେତେକ ମୌଳିକ ପ୍ରଶ୍ନ ଉପରେ ଆପଣାର ବିଚାର ଉପସ୍ଥାପନ କରିଛନ୍ତି । କିନ୍ତୁ ସକ୍ରେଟିସ୍‌ ଅନେକାଂଶରେ ସୋଫିଷ୍ଟ୍‌ମାନଙ୍କଠାରୁ ଭିନ୍ନ ଥିଲେ । ସେ ଅନୁଭବ କରିଥିଲେ ଯେ ତଥା କଥିତ ସମୃଦ୍ଧିର ଉହାଡ଼ରେ ଅନେକ ଲୋକ ଅଜ୍ଞାନ ଭିତରେ ରହିଛନ୍ତି । କେତେ ଜଣ ନିଜକୁ ପରମଜ୍ଞାନୀ ବୋଲି ମନେ କରୁଛନ୍ତି ଯଦିଓ ଅସଲ ଜ୍ଞାନର ଉପଲବ୍‌ଧି ସେମାନଙ୍କ ପାଇଁ ଦୂରନ୍ତ ହୋଇ ରହିଛି । ଅଜ୍ଞାନରୁ ଅନୈତିକତା ଆସୁଛି । ନୈତିକତାର ଅଭାବରୁ ଚାରିତ୍ରିକ ବିକାଶ ବାଧାପ୍ରାପ୍ତ ହେଉଛି । ଅତଏବ ଏକ ସୁସ୍ଥ ସାମାଜିକ ଜୀବନ ପରାହତ ହୋଇ ରହୁଛି । ଏଥିନିମନ୍ତେ ଅସଲ ଜୀବନର ଅନୁସଂଧାନ କରିବା ପାଇଁ ହେବ । ସେଇ ଜ୍ଞାନର ପ୍ରସାର କରିବାପାଇଁ ପଡ଼ିବ । ଏକ ଶିକ୍ଷକ ଭାବରେ ନୁହେଁ, ବରଂ ଏକ ସାଧାରଣ ଲୋକ ଭାବରେ । ହୁଏତ ଏକ ବଂଧୁ ଭାବରେ, ଅନ୍ତରଂଗ ଭାବରେ ସେଇ ଜ୍ଞାନର ବାତାୟନଟିକୁ ଖୋଲି ଦେବାପାଇଁ ହେବ । ସକ୍ରେଟିସ୍‌ଙ୍କର ଏଇ ବିଶ୍ଵାସ, ଏଇ ଚିନ୍ତାଧାରା ହିଁ ତାଙ୍କର ସାମଗ୍ରିକ ଦର୍ଶନର ଆଧାର ।

 

ରାଷ୍ଟ୍ରପ୍ରଦତ୍ତ ମୃତ୍ୟୁଦଣ୍ଡ ପାଇଁ ସକ୍ରେଟିସ୍‌ କ୍ଷମା ଯାଚନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ, କାରଣ ସେ କିଛି ଭୁଲ୍‌ କରିନାହାନ୍ତି । ଅନ୍ୟପକ୍ଷରେ ସାରାଜୀବନ ଏଥେନ୍ସର ଉନ୍ନତି ପାଇଁ ସେ କାମ କରି ଆସିଛନ୍ତି । ଏଥେନ୍ସବାସୀଙ୍କୁ ଯଥାର୍ଥରେ ମୁକ୍ତ ଓ ବିଚାରବନ୍ତ କରାଇବାପାଇଁ ଚେଷ୍ଟା କରି ଆସିଛନ୍ତି । ଏହାହିଁ ମଧ୍ୟ ବିଧିନିର୍ଦ୍ଦିଷ୍ଟ ବୋଲି ସେ ମନେକରୁଥିଲେ । ତେଣୁ ତାଙ୍କର ମୃତ୍ୟୁରେ ଏଥେନ୍ସର କ୍ଷତିହିଁ ଘଟିବ ।

 

ନିଜ ଜୀବନରେ ତ୍ୟାଗର ଅନ୍ୟନାମ ଥିଲେ ସକ୍ରେଟିସ୍‌ । ସେ ସବୁଠୁଁ ଦରିଦ୍ରର ଜୀବନ ବିତାଉ ଥିଲେ । ତାଙ୍କ ଦେହରେ ନା ଥିଲା କୁର୍ତ୍ତା, ନା ପାଦରେ ଜୋତା । ସମସାମୟିକ ଜଣେ ସୋଫିଷ୍ଟ କୁଆଡ଼େ କହିଥିଲେ, ସକ୍ରେଟିସ୍‌ ଏମିତି ଜୀବନଯାପନ କରନ୍ତି ଯେ ଜଣେ କ୍ରୀତଦାସ ମଧ୍ୟ ସେଇ ପରିସ୍ଥିତିରେ ତା’ର ପ୍ରଭୁ ପାଖରୁ ଖସି ଆସିବା ପାଇଁ ଚେଷ୍ଟା କରିବ । ମାତ୍ର ସକ୍ରେଟିସ୍‌ ଜୀବନର ସର୍ବନିମ୍ନ ବିଳାସ ତ୍ୟାଗ କରି ବଂଚିଥିଲେ ଏକ ମୁକ୍ତ ତଥା ତୃପ୍ତ ଜୀବନ । ସେ କହିଥିଲେ, ଆଦୌ କିଛି କାମନା ନ କରିବା ଦିବ୍ୟ ଜୀବନ ଏବଂ ଅତ୍ୟନ୍ତ ଅଳ୍ପ କାମନା କରିବା ସେଇ ଦିବ୍ୟ ଜୀବନର ପାଖାପାଖି ହେବା । ଗାନ୍ଧୀଙ୍କ ଆଶ୍ରମ ଜୀବନ ଥିଲା ଏକ ଦରିଦ୍ର କୃଷକର ଜୀବନ । ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧୀ ଯେଉଁ ସାର୍ବଜନୀନ ଆନ୍ଦୋଳନର କଥା ଚିନ୍ତା କରିଥିଲେ ସେଇଥିପାଇଁ ସିଏ ଆଗ ନିଜକୁ ପ୍ରସ୍ତୁତ କରିଥିଲେ । ଭାରତ ପରି ଏକ ଗରିବ, କୃଷିପ୍ରଧାନ ଦେଶର ଆତ୍ମାକୁ ଚିହ୍ନିବାପାଇଁ ଏବଂ ଏକ ସାଧାରଣ ମଣିଷର ସାଥୀ ହୋଇ ରହିବାପାଇଁ ଗାନ୍ଧୀ ଜାଣିଜାଣି ଏକ ସରଳ, ନିରାଡ଼ମ୍ବର ଜୀବନକୁ ଆଦରି ନେଇଥିଲେ । ଜୀବନକୁ ନିବିଡ଼ ଭାବେ ଉପଲବ୍‌ଧି କରିବାପାଇଁ ଗାନ୍ଧୀଙ୍କର ଏଇ ତ୍ୟାଗ ମୂଳରେ ଗୂଢ଼ ଦର୍ଶନଟିଏ ବରାବର ସଂଲଗ୍ନ ହୋଇ ରହିଥିଲା । ନିଜ ଜୀବନରେ ଗାନ୍ଧୀ ସତ୍ୟକୁ ନେଇ କିଛି କମ୍‌ ପରୀକ୍ଷା-ନିରୀକ୍ଷା କରିନାହାନ୍ତି-। ଗାନ୍ଧୀଙ୍କ ସତ୍ୟାଗ୍ରହ ଏବେବି ଭାରି ଜୀବନ୍ତ ହୋଇ ରହିଛି ।

 

ଅତ୍ୟନ୍ତ ନିଷ୍କପଟ ଓ ସରଳ ସକ୍ରେଟିସ୍‌ ତାଙ୍କର ଚାରିପାଖର ମଣିଷମାନଙ୍କୁ ଯଦିଓ ଖୁବ୍‌ ଭଲ ପାଉଥିଲେ; ଅନେକାଂଶରେ ଭାରି ସହିଷ୍ଣୁ ଥିଲେ ତଥାପି ଅନ୍ୟାୟ ଦେଖିଲେ, ଭୁଲ ଦେଖିଲେ, ସେ ଭୟଙ୍କର ଭାବେ ରାଗି ଯାଉଥିଲେ ଓ ଗାଳିଦେବା ଆରମ୍ଭ କରି ଦେଉଥିଲେ । ଗାନ୍ଧୀ ମଧ୍ୟ ଅନ୍ୟାୟକୁ ବିରୋଧ କରୁଥିଲେ ଯଦିଓ ତାଙ୍କର ବିରୋଧର ଢଂଗ ଥିଲା ଭିନ୍ନ ।

 

ସକ୍ରେଟିସ୍‌ଙ୍କ ଉପରେ ଆରୋପ ଥିଲା ଯେ ରାଷ୍ଟ୍ରର ଧର୍ମ ଓ ରାଷ୍ଟ୍ର ଦ୍ଵାରା ପୃଷ୍ଠପୋଷକତା ପାଇଥିବା ଦେବତାମାନଙ୍କୁ ସେ ବିରୋଧ କରୁଥିଲେ । ଏକ ନୂଆ ବିଶ୍ଵାସ ଓ ନୂଆ ଦେବତାର କଥା କହୁଥିଲେ । ପୁଣି ସେ ଏଥେନ୍ସର ଯୁବପୀଢ଼ିକୁ କୁଆଡ଼େ ଏକଦମ୍‌ ଦୁର୍ନୀତିଗ୍ରସ୍ତ ଓ ପଥଭ୍ରଷ୍ଟ କରି ଦେଇଥିଲେ । ଅର୍ଥାତ୍‌, ରାଷ୍ଟ୍ରର ପ୍ରଚଳିତ ବିଧିବ୍ୟବସ୍ଥା ବିରୁଦ୍ଧରେ ସେମାନଙ୍କୁ ଶତ୍ରୁ କରି ତିଆରି କରୁଥିଲେ । ଅଭିଯୋଗ ଆଣିଥିଲେ ମେଲିଟସ୍‌ ଓ ଲାଇକନ୍‌ । ମେଲିଟସ୍‌ ଥିଲେ ଜଣେ କବି, ଆନିଟସ୍‌ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓ ଲାଇକନ୍‌ ଜଣେ ବକ୍ତା । ଏମାନେ ସମସ୍ତେ ବ୍ୟକ୍ତିଗତ ଭାବେ ସକ୍ରେଟିସ୍‌ଙ୍କ ଦର୍ଶନ ଓ ପ୍ରଭାବକୁ ବିରୋଧ (ବ୍ୟକ୍ତିଗତ ବିରୋଧ) କରୁଥିଲେ ଓ ବୃହତ୍ତର ଭାବେ ଏଥେନ୍ସକୁ ଅପମାନିତ ତଥା ଅପବିତ୍ର କରିଥିବାର ଏକ ସ୍ପର୍ଶକାତର ତଥା ସାର୍ବଜନୀନ ଅଭିଯୋଗ ସକ୍ରେଟିସ୍‌ଙ୍କ ବିରୁଦ୍ଧରେ ଆଣିଥିଲେ । ବିଚାର ଶେଷରେ ଆରୋପୀମାନେ, ବିଶେଷ କରି ମେଲିଟସ୍‌ ସକ୍ରେଟିସ୍‌ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବୀ କରିଥିଲେ । ଆଶା କରାଯାଉଥିଲା ପ୍ରତ୍ୟୁତ୍ତରରେ, ନିଜର ଆତ୍ମରକ୍ଷାରେ ସକ୍ରେଟିସ ହୁଏତ ଏକ ଲଘୁଦଣ୍ଡ ମାଗିବେ ଏବଂ କ୍ଷମାପ୍ରାର୍ଥନା କରିବେ । ଅଥଚ ସେମିତି ହୋଇନଥିଲା । ବରଂ ସକ୍ରେଟିସ୍‌ କହିଥିଲେ, ତାଙ୍କର ସାରା ଜୀବନର ଅବଦାନ ନିମନ୍ତେ ରାଷ୍ଟ୍ରତ ତାଙ୍କୁ ସମ୍ମାନିତ କରିବା କଥା ! ରାଷ୍ଟ୍ର ଖର୍ଚ୍ଚରେ ତାଙ୍କର ଭରଣପୋଷଣ କରାଯିବା କଥା ! ବଂଧୁମାନଙ୍କ ଅନୁରୋଧ କ୍ରମେ ଶେଷରେ ସେ ତିରିଶ ମାଇନା ର ଅର୍ଥଦଣ୍ତ ଦେବାପାଇଁ ରାଜି ଅଛନ୍ତି ବୋଲି କହିଥିଲେ । ଏଥେନ୍ସର ନ୍ୟାୟପାଳିକା ଏଥିରେ ପ୍ରଚଣ୍ଡ ଅପମାନିତ ହୋଇଥିଲେ ଏବଂ ଶେଷରେ ସକ୍ରେଟିସ୍‌ଙ୍କୁ ମୃତ୍ୟୁଦଣ୍ତ ଆଦେଶ ହେଲା । ନିଜ ସପକ୍ଷରେ ସକ୍ରେଟିସ୍‌ ଦର୍ଶାଇଥିବା ଯୁକ୍ତି ପ୍ଲାଟୋଙ୍କ ‘‘ଦି ଅପୋଲୋଜିରେ’’ ଚମତ୍କାର ଭାବେ ବର୍ଣ୍ଣିତ ।

 

ଆରମ୍ଭରେ ସକ୍ରେଟିସ୍‌ କହିଥିଲେ : ‘‘ମୁଁ ଅଶା କରୁଛି ମୋର ପ୍ରିୟ ଏଥେନ୍ସବାସୀ ଧୈର୍ଯ୍ୟର ସହିତ ମୋତେ ଶୁଣିବେ କାରଣ ମୁଁ ଯାହା କରିବାପାଇଁ ଯାଉଛି ସେସବୁ କେବଳ ସତ୍ୟ, ଅକ୍ଷରେ ଅକ୍ଷରେ ସତ୍ୟ । ମୁଁ ଜଣେ ସାଧାରଣ ଏଥେନ୍ସବାସୀର ଶୈଳୀରେ ମୋର ବକ୍ତବ୍ୟ ରଖିବି, କାରଣ ସତୁରୀ ବର୍ଷ ବୟସରେ ମୁଁ ପ୍ରଥମଥର ପାଇଁ ରାଷ୍ଟ୍ରର ନ୍ୟାୟପାଳିକା ଆଗରେ ଉପସ୍ଥିତ । ଆଇନର ଭାଷା ମୋତେ ଜଣାନାହିଁ ।’’

 

ନିଜ ଆରୋପୀମାନଙ୍କୁ ସକ୍ରେଟିସ୍‌ ପୁରୁଣା ଅଭିଯୋଗକାରୀ ବୋଲି କହିଥିଲେ ଏବଂ ସବା ଆଗ ତାଙ୍କ ବିରୁଦ୍ଧରେ ଆସିଥିବା ପୁରୁଣା ଅଭିଯୋଗଗୁଡ଼ିକର ଉତ୍ତର ଦେବାପାଇଁ ସ୍ଥିର କରିଥିଲେ । ସେ କହିଲେ, ‘‘ମୁଁ ଜାଣିଛି, ମୁଁ ଥରେ କହିବା ଆରମ୍ଭ କଲେ ମୋର ଅରୋପୀମାନେ ନୀରବ ରହିବେ ଏବଂ ମୋତେ ସେମାନଙ୍କର ଛାଇଗୁଡ଼ାକ ବିରୁଦ୍ଧରେ ଆପାତତଃ ଲଢ଼ିବାପାଇଁ ହେବ । ମୁଁ ଜାଣିନି ମୋ ଚେଷ୍ଟାରେ ମୁଁ ସଫଳହେବି ନା ନାହିଁ, ମାତ୍ର ପରିଣାମକୁ ଈଶ୍ଵରଙ୍କ ଉପରେ ଛାଡ଼ିଦେଇ ରାଷ୍ଟ୍ରର ଆଇନ ଅନୁଯାୟୀ ମୋ ସପକ୍ଷରେ ମୁଁ ଅବଶ୍ୟ ଯୁକ୍ତି କରିବି ।’’

 

ସକ୍ରେଟିସ୍‌ କହିଲେ, ତାଙ୍କ ବିରୁଦ୍ଧରେ ପୁରୁଣା ଅଭିଯୋଗ ହେଉଛି ଯେ ସେ ରାଷ୍ଟ୍ରର ହିତ ଚାହାନ୍ତି ନାହିଁ । ସେ ଜଣେ ବିଚିତ୍ର ଲୋକ ଯିଏ ଆକାଶ ଓ ପୃଥିବୀରେ କ’ଣ ନା କ’ଣ ସବୁବେଳେ ଖୋଜୁଥା’ନ୍ତି । ସକ୍ରେଟିସ୍‌ଙ୍କ ବିଚାର ଓ ମୃତ୍ୟୁର ବେଶ୍‌ କିଛି ବର୍ଷ ଆଗରୁ ଆରିଷ୍ଟୋଫେନ୍‌ଙ୍କ ନାଟକରେ ତାଙ୍କୁ ଏମିତି ବ୍ୟଂଗ / ବିଦ୍ରୁପ କରାଯାଇଥିଲା । ] ଉପରକୁ ଅସଂଗତ ମନେ ହେଉଥିବା ଜିନିଷଟି ଭିତରେ ସେ ଭଲର ସଂଧାନ କରନ୍ତି ଓ ଭଲକୁ ଆପଣେଇ ନିଅନ୍ତି । ଭଲର ପ୍ରସାର କରନ୍ତି ।

 

ସକ୍ରେଟିସ୍‌ଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅନ୍ୟତମ ଅଭିଯୋଗ ଥିଲା ସେ ପ୍ରକୃତିର ବିରୁଦ୍ଧାଚରଣ କରୁଛନ୍ତି । ସେ ଜଣେ ଶିକ୍ଷକ ଓ ଶିକ୍ଷାଦାନ ପାଇଁ ସେ ଶିଷ୍ୟମାନଙ୍କଠାରୁ ଅର୍ଥ ନେଉଛନ୍ତି । (ଯାହା ସେ ସମୟରେ ସୋଫିଷ୍ଟମାନେ କରୁଥିଲେ) ବିନମ୍ର ଅଥଚ ଦୃଢ଼ଭାବରେ ସକ୍ରେଟିସ୍‌ କହିଥିଲେ, ସେ ପ୍ରକୃତି ବା ପ୍ରକୃତିପ୍ରେମୀଙ୍କ ବିରୁଦ୍ଧରେ ନୁହନ୍ତି । ସେ ନିଜେ କୌଣସି ଶିକ୍ଷକ ମଧ୍ୟ ନୁହେଁ ଯଦିଓ ଶିକ୍ଷକମାନଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନବୋଧ ରହିଛି । [ଦୈବବାଣୀ / Oracle of Delphi ମାଧ୍ୟମରେ ଈଶ୍ୱର ସକ୍ରେଟିସ୍‌ଙ୍କୁ ଏଥେନ୍ସର ସବୁଠୁଁ ଜ୍ଞାନୀ ଲୋକ ବୋଲି କହିଥିଲେ । ଜୀବନସାରା ସକ୍ରେଟିସ୍‌ ଅନେକ ଥର ସଙ୍କେତ ମାଧ୍ୟମରେ ଦୈବବାଣୀ ଗ୍ରହଣ କରୁଥିଲେ] ସକ୍ରେଟିସ କହିଥିଲେ, ଅନ୍ୟମାନଙ୍କଠାରୁ ସେ ଏଇଥିପାଇଁ ଜ୍ଞାନୀ ଯେ ଅନ୍ୟମାନେ ସେମାନଙ୍କ ଅଜ୍ଞତା ଉପରେ ସଚେତନ ନଥିବାବେଳେ ସେ ଆପଣାର ଅଜ୍ଞତା ତଥା ସୀମାବଦ୍ଧତା ଉପରେ ବେଶ୍‌ ସଚେତନ । ସେ ପୁଣି କହିଥିଲେ ତାଙ୍କର କୌଣସି ଜ୍ଞାନ ନ ଥିବାବେଳେ ଈଶ୍ଵର ତାଙ୍କୁହିଁ ସବୁଠୁଁ ଅଧିକ ଜ୍ଞାନୀ କହିବାର ନିଶ୍ଚୟ କିଛି ବିଶେଷତ୍ୱ ଥିଲା କାରଣ ଈଶ୍ୱର ଭୁଲ୍‌ ହୋଇ ନପାରନ୍ତି । ସେଇ ଦିନଠାରୁ ସେ ପ୍ରଶ୍ନ ପଚାରି ଚାଲିଥିଲେ ଏବଂ ସ୍ଥିର କରିଥିଲେ ଯେଉଁ ଦିନ ସେ ଏମିତି ଜଣେ ମଣିଷର ସଂଧାନ ପାଇବେ ଯିଏ ତାଙ୍କଠାରୁ ଜ୍ଞାନୀ, ସେଇ ଦିନ ସେ ଈଶ୍ୱରଙ୍କୁ ଜଣାଇ ଦେବେ ଯେ ସେ ସବୁଠୁ ଅଧିକ ଜ୍ଞାନୀ ନୁହନ୍ତି । ‘‘ସେଇ ଦିନଠାରୁ ଆଜିଯାଏ ମୁଁ ପ୍ରଶ୍ନ ପଚାରି ଆସୁଛି ଏବଂ ଜ୍ଞାନୀ ଲୋକଟିକୁ ମନେମନେ ଖୋଜୁଛି ।’’ ପୁନର୍ବାର ସେ କହିଲେ ଜ୍ଞାନୀର ସଂଧାନରେ ସେ ଆପଣାକୁ ମହାନ୍‌ ମନେ କରୁଥିବା ରାଜନୀତିଜ୍ଞମାନଙ୍କ ପାଖକୁ ଯାଇଛନ୍ତି, ନିଜ ରଚନାରେ ଦିବ୍ୟଜ୍ଞାନ ପରଷୁଥିବା କବିମାନଙ୍କ ପାଖକୁ ଯାଇଛନ୍ତି, ନିଜ ଶିଳ୍ପ ମାଧ୍ୟମରେ, ନିହାଣ ମୁନରେ ପଥରରେ ପ୍ରାଣ ଭରି ଦେଉଥିବା ଶିଳ୍ପୀମାନଙ୍କ ପାଖକୁ ଯାଇଛନ୍ତି । ଯୁବକ ଓ ସାଧାରଣ ଲୋକଟିର ପାଖକୁ ମଧ୍ୟ ଯାଇଛନ୍ତି । ସେମାନଙ୍କୁ ତୁହାକୁ ତୁହା ପ୍ରଶ୍ନ ପଚାରିଛନ୍ତି, ମାତ୍ର ସବୁଠି ସେ ଅନୁଭବ କରିଛନ୍ତି ଯେ ସମସ୍ତେ ଆପଣାର ପରିଧି ଭିତରେ ନିବୁଜ ରହି ନିଜକୁ ପରମଜ୍ଞାନୀ ମନେ କରୁଛନ୍ତି । ଅସଲରେ ସେମାନେ ଜ୍ଞାନୀ ନୁହନ୍ତି । ନିଜକୁ ଏକ ଉପଲକ୍ଷ୍ୟ ଭାବରେ ଗ୍ରହଣ କରି ସକ୍ରେଟିସ୍‌ ଯୁକ୍ତି କରିଥିଲେ ଯେ ଈଶ୍ୱର ବୋଧହୁଏ ସେଇ ଲୋକକୁ ଜ୍ଞାନୀ ମନେକରନ୍ତି ଯିଏ ନିଜେ ଉପଲବ୍‌ଧି କରିଥାଏ ଯେ ତା’ର ଜ୍ଞାନଟି ଭାରି ତୁଛ । ‘‘ମୋ ଜୀବନସାରା ମୁଁ ବରାବର ଏଇଆ ହିଁ କରିଆସିଛି; ତଥାକଥିତ ଜ୍ଞାନୀମାନଙ୍କର ମୁଖାଗୁଡ଼ାକୁ ମୁଁ ଭାରି ନିର୍ମମ ଭାବରେ ଖୋଲି ଦେଇଛି, ସେମାନଙ୍କର ଛଳନା ଗୁଡ଼ାକୁ ମୁଁ ପଦାରେ ପକେଇ ଦେଇଛି... ଏଇଥିପାଇଁ ମୋର ଏତେ ଶତ୍ରୁ ଅଛନ୍ତି–ଅନେକ ପ୍ରଭାବଶାଳୀ ଶତ୍ରୁମାନେ ମଧ୍ୟ ଅଛନ୍ତି ଯେଉଁମାନେ କେଵେ ମଧ୍ୟ ଚାହୁଁ ନଥିଲେ ଯେ ସେମାନଙ୍କର ମୁଖାଗୁଡ଼ାକୁ ଉତାରି ଦିଆଯାଉ । ସେଇ ଶତ୍ରୁମାନଙ୍କ ଭିତରେ ଅଛନ୍ତି ମେଲିଟସ୍‌, ଅନିଟସ୍‌ ଓ ଲାଇକନ୍‌ । ମୁଁ ଜାଣିଛି ଏମାନେ ସମସ୍ତେ ମୋତେ ଘୃଣା କରନ୍ତି, ମୋର ସରଳତାକୁ ଘୃଣା କରନ୍ତି । ଅନ୍ୟ ଅର୍ଥରେ, ସେଇମାନଙ୍କ ଘୃଣା ହିଁ ପ୍ରମାଣିତ କରୁଛି ଯେ ମୁଁ ଯାହା କହୁଛି ତାହାହିଁ ସତ୍ୟ”।

 

ମେଲିଟସ୍‌ଙ୍କ ଅଭିଯୋଗ ଥିଲା ସକ୍ରେଟିସ୍‌ ଏଥେନ୍ସର ଯୁବପୀଢ଼ିକୁ ଦୁର୍ନିତୀଗ୍ରସ୍ତ କରି ପକାଇଛନ୍ତି । ଯୁବକମାନଙ୍କୁ ପଥଭ୍ରଷ୍ଟ କରୁଛନ୍ତି । ରାଷ୍ଟ୍ର-ପ୍ରାୟୋଜିତ ଈଶ୍ୱରମାନଙ୍କ ବିରୁଦ୍ଧରେ ସକ୍ରେଟିସ୍‌ ସ୍ଵର ଉତ୍ତୋଳନ କରିଛନ୍ତି ଏବଂ ନୂଆ ଈଶ୍ୱର, ନୂଆ ବିଶ୍ଵାସର କଥା କହୁଛନ୍ତି । ସକ୍ରେଟିସ୍‌ ପୁଣି ପରମ ନାସ୍ତିକ । ବିଚାର ସମୟରେ ମେଲିଟସ୍‌ଙ୍କୁ ସକ୍ରେଟିସ୍‌ ପଚାରିଥିବା କିଛି ପ୍ରଶ୍ନ “ଦି ଆପୋଲୋଜି”ରେ ପ୍ରାଣବନ୍ତ ହୋଇ ରହିଛି । ସକ୍ରେଟିସ୍‌ କହିଥିଲେ ନିଶ୍ଚିତ ଭାବରେ ସେ ଏଥେନ୍ସର ଯୁବପୀଢ଼ିକୁ ପଥଭ୍ରଷ୍ଟ କରୁନାହାନ୍ତି, କାରଣ ସେମିତି କରିବା ଅର୍ଥ ହିଁ ନିଜର କ୍ଷତି ଘଟାଇବା ଯାହା ଜଣେ ଜ୍ଞାତସାରରେ କେବେ ମଧ୍ୟ ଚାହିଁବ ନାହିଁ । ଆଉ ଯଦି ଅଜ୍ଞାତରେ, ଅନିଚ୍ଛା ସତ୍ତ୍ୱେ ସେ ଯୁବପୀଢ଼ିକୁ ପଥଭ୍ରଷ୍ଟ କରିଛନ୍ତି, ତେବେ ବ୍ୟକ୍ତିଗତ ଭାବରେ ମେଲିଟସ୍‌ ତାଙ୍କୁ ସେଇକଥା କହିପାରିଥାନ୍ତେ କାରଣ ଜଣେ ଅଜ୍ଞାତ ସାରରେ କରିଥିବା ଅପରାଧ ପାଇଁ ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ ହୋଇପାରିବ ନାହିଁ । ସେ ପୁଣି କହିଥିଲେ, ଯୋଉ ଯୁବପୀଢ଼ିପାଇଁ ମେଲିଟସ୍‌ ଏତେ ଉଦ୍‌ବିଗ୍ନ, ସେଇ ପୀଢ଼ିପାଇଁ ତାଙ୍କର ସାମାନ୍ୟତମ ଚିନ୍ତାହିଁ ନାହିଁ । ସେଇ ଯୁବ ପୀଢ଼ି ମଧ୍ୟ ଆପଣାକୁ ଧନ୍ୟମନେ କରିବା ଉଚିତ ଯାହାକୁ ଏଥେନ୍ସରେ ଜଣେ ମାତ୍ର ଦୁର୍ନୀତିଗ୍ରସ୍ତ କରୁଛି ଅଥଚ ଅବଶିଷ୍ଟ ସଂସାର ଯାହାର ଉନ୍ନତି କାମନା କରୁଛି ! ସକ୍ରେଟିସ୍‌ଙ୍କୁ ନାସ୍ତିକ ବୋଲି ଅଭିଯୋଗ ଆଣିଥିବା ମେଲିଟସ୍‌ ତାଙ୍କର ତୀକ୍ଷ୍‌ଣ ପ୍ରଶ୍ନରେ ଅସ୍ଥିର ହୋଇ ଯାଇଥିଲେ ଓ ନିଜକୁ ନିଜେ ବିରୋଧ ମଧ୍ୟ କରି ପକାଇଥିଲେ । ସକ୍ରେଟିସ୍‌ଙ୍କ ଯୁକ୍ତିଥିଲା, ଯଦି ସେ ନାସ୍ତିକ ତେବେ ରାଷ୍ଟ୍ରଦ୍ୱାରା ପୃଷ୍ଠପୋଷକତା ଲାଭ କରିଥିବା ଦେବତାମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ସ୍ଵାଭାବିକ ହୋଇପାରେ, ମାତ୍ର ଗୋଟିଏ ଦେବତା ପରିବର୍ତ୍ତେ ଆଉ ଗୋଟିଏ ଦେବତା, ଗୋଟିଏ ବିଶ୍ଵାସ ପରିବର୍ତ୍ତେ ଆଉ ଗୋଟିଏ ବିଶ୍ୱାସକୁ ଗ୍ରହଣ କରିବା ପାଇଁ କେମିତି ସେ କହି ପାରିଥା’ନ୍ତେ ? ଅତଏବ ସେ ନାସ୍ତିକ ନୁହନ୍ତି । ମେଲିଟସ୍‌ଙ୍କ ଆରୋପରେ ଅସଂଗତି ଥିଲେ ହେଁ ସକ୍ରେଟିସ୍‌ କହିଥିଲେ ନିର୍ଦ୍ଦିଷ୍ଟ ଭାବେ ସେ ତାଙ୍କର ଆରୋପୀମାନଙ୍କୁ ଦୋଷ ଦେଉ ନାହାନ୍ତି କାରଣ ସାରାଜୀବନ ସେ ଅନେକ ଶତ୍ରୁ ସୃଷ୍ଟି କରିଛନ୍ତି । ସବୁବେଳେ ଭଲ ମଣିଷମାନଙ୍କ ଅବସ୍ଥା ଏମିତି ହୋଇଛି ଯେଉଁମାନେ ସ୍ରୋତର ବିପରୀତକୁ ସ୍ଵୀକାର କରନ୍ତି । ବୋଧହୁଏ ଏହାହିଁ ବଳବତ୍ତର ରହିବ । ‘‘ଭବିଷ୍ୟତରେ ଏହି ପ୍ରକ୍ରିୟାଟି ଅବଶ୍ୟ ଚାଲୁରହିବ ଏବଂ ସେଇ ଶୃଙ୍ଖଳାରେ ମୁଁ ନିଶ୍ଚିତଭାବରେ ସର୍ବଶେଷ ମଣିଷ ନୁହେଁ” ।

 

ସକ୍ରେଟିସ୍‌ ପୁଣି କହିଥିଲେ, ‘‘ଯଦି କେହି ମତେ ପଚାରେ, ସକ୍ରେଟିସ ! ତୁମ ଜୀବନର ଏଇ ଆକସ୍ମିକ ଅନ୍ତନେଇ ତୁମେ କ’ଣ ଆହତ ନୁହଁ, ଲଜ୍ଜିତ ନୁହଁ–ତେବେ ମୁଁ କହିବି ଏଥିରେ ଲଜ୍ଜିତ ହେବାର କିଛି ନାହିଁ । ଯଦି ଜଣକ କାର୍ଯ୍ୟଟି ଠିକ୍‌ ତେବେ ସେ ପରିଣାମ କଥା ଭାବି ଆଦୌ ବିବ୍ରତ ହେବନାହିଁ । ବଂଚିବା ବା ମରିବା କଥା ଭାବିବ ନାହିଁ । ମୃତ୍ୟୁ ଅପେକ୍ଷା ମର୍ଯ୍ୟାଦା (dignity) ତା’ପାଇଁ ଅଧିକ ଗ୍ରହଣୀୟ ହେବ । ଜୀବନସାରା ମୁଁ ଯାହା ଠିକ୍‌ ବିଚାରିଛି ତାହାହିଁ କରିଛି । ଏଥିପାଇଁ ମୋର ଗ୍ଲାନି ନାହିଁ, ଅନୁଶୋଚନା ନାହିଁ, ମୃତ୍ୟୁକୁ ଭୟ ମଧ୍ୟ ନାହିଁ । ଏହାହିଁ ମୋର ଦର୍ଶନ । ନିଜ ଭିତରେ ଓ ଅନ୍ୟମାନଙ୍କ ଭିତରେ ନିରନ୍ତର ଅନ୍ଵେଷଣ । ଭଲ ହେବାଟା ସବୁଠୁଁ ଉପରେ ବୋଲି ମୁଁ ମନେ କରିଆସିଛି । ଅତଏବ ଧନ ସଂପତ୍ତିକୁ ନୁହେଁ, ଆପଣାର ଆତ୍ମାକୁ ଗୁରୁତ୍ଵ ଦେବାପାଇଁ ପଡ଼ିବ, ଆତ୍ମାକୁ ଶୁଦ୍ଧ କରିବାପାଇଁ ହେବ, ନିର୍ମଳ କରିବାପାଇଁ ହେବ, ଆତ୍ମାର ଯତ୍ନ ବି ନେବାକୁ ହେବ–ଏଇ କଥାଟି ମୁଁ ଏଥେନ୍ସର ସବୁ ତରୁଣ, ଯୁବକ ଓ ବୃଦ୍ଧମାନଙ୍କୁ କହି ଆସିଛି । ଆତ୍ମାର ଉନ୍ନତି କଥା କହିବା ଯଦି ଅପରାଧ ହୁଏ ଏବଂ ଏଇ କଥାଟି ଯୁବପୀଢ଼ିକୁ ପଥଭ୍ରଷ୍ଟ କରିପାରେ ତେବେ ମୁଁ ସ୍ଵୀକାର କରୁଛି ଯେ ମୁଁ ଅପରାଧୀ । ଏଇ ଅପରାଧ ପାଇଁ ମୁଁ ଥରେ ନୁହେଁ ଅନେକ ଥର ମରିବା ପାଇଁ ପ୍ରସ୍ତୁତ ଅଛି ।’’

 

ସକ୍ରେଟିସ୍‌ ପୁଣି କହିଲେ, ସେ ଏକଥା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ଯାହା ମଧ୍ୟ କରିଛନ୍ତି ସେସବୁ ବିଧି-ନିର୍ଦ୍ଦିଷ୍ଚ । ଈଶ୍ୱରଙ୍କ ଦ୍ଵାରା ପ୍ରେରିତ ହୋଇ ସେ ଏସବୁ କରିଛନ୍ତି । ହୁଏତ ଆଉ କେହି ଜଣେ ଏଥେନ୍ସବାସୀଙ୍କୁ ମିଳି ନପାରନ୍ତି ଯିଏ ପରମ ଆଗ୍ରହରେ ସେମାନଙ୍କୁ ପ୍ରଶ୍ନ କରିବ, ସେମାନଙ୍କ ସହିତ ଆଳାପ କରିବ, ସେମାନଙ୍କୁ ଭର୍ତ୍ସନା ମଧ୍ୟ କରିବ । ସେଇ ଦୃଷ୍ଟିରୁ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ଉଚିତ୍‌ ହେବନାହିଁ । ଯଦି ସେ ଅନ୍ୟମାନଙ୍କ ପରି ହେବାପାଇଁ ଚାହିଁଥା’ନ୍ତେ ତେବେ ସେ ନିଜକୁ, ନିଜ ପରିବାରକୁ ଏମିତି ଅବହେଳା କରିନଥାନ୍ତେ, ଏତେ ଦରିଦ୍ର ରହିନ’ଥାନ୍ତେ-। ‘‘ପ୍ରତ୍ୟକ୍ଷ ରାଜନୀତି, ପଦବୀଠାରୁ ମୁଁ ଦୂରରେ ରହିଛି । ଯାହା ମୁଁ କହିଆସିଛି ମୋ ଜୀବନରେ ମୁଁ ତାହାହିଁ କରିଛି । କାହାକୁ ଶିକ୍ଷକପରି ମୁଁ ଶିକ୍ଷା ଦେବାପାଇଁ ପ୍ରୟାସ କରିନାହିଁ କିମ୍ବା ମୋ ଜୀବନରେ କିଛି ମଧ୍ୟ ଗୋପନୀୟ ହୋଇ ରହିନାହିଁ । ଏକାନ୍ତ ବ୍ୟକ୍ତିଗତ ବୋଲି ମୋର କିଛି ମଧ୍ୟ ନାହିଁ । ଯାହା ମୁଁ ଜଣକୁ କହିଛି ସେକଥାଟି ଆଉ ଜଣକୁ ବି କହିଛି, ସାରା ପୃଥିବୀକୁ କହିଛି’’, ସକ୍ରେଟିସ୍‌ କହିଥିଲେ ।

 

ଚାହିଁଥିଲେ ସକ୍ରେଟିସ କ୍ଷମା ମାଗି ପାରିଥା’ନ୍ତେ, ନ୍ୟାୟାଳୟକୁ ଆର୍ତ୍ତ ଅନୁରୋଧଟିଏ କରିବାପାଇଁ, ଅନୁକଂପା ଭିକ୍ଷା କରିବାପାଇଁ, ତାଙ୍କର ପରିବାରକୁ ଏବଂ ଆତ୍ମୀୟମାନଙ୍କୁ ଆଣି ପାରିଥା’ନ୍ତେ । ମାତ୍ର ସେମିତି ସେ କରିନଥିଲେ । ସେପରି କରିଥିଲେ ତାଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥା’ନ୍ତା ବୋଲି ସେ ମନେ କରୁଥିଲେ ।

 

ନ୍ୟାୟାଳୟକୁ ଚକିତ କରିଦେଇ ସେ ପୁଣି କହିଥିଲେ ଯେ ବିଚାରରେ ତାଙ୍କ ବିପକ୍ଷରେ ଅଧିକ ଭୋଟ ମିଳିବ ବୋଲି ସେ ବିଶ୍ୱାସ କରୁଥିଲେ । [ମୋଟ ୫୦୦ ଖଣ୍ଡ ଭୋଟରୁ ୨୮୦ଟି ଭୋଟ ସକ୍ରେଟିସ୍‌ଙ୍କ ବିପକ୍ଷରେ ମିଳିଥିବାବେଳେ ୨୨୦ଟି ଭୋଟ ତାଙ୍କ ସପକ୍ଷରେ ମିଳିଥିଲା । ଅର୍ଥାତ୍‌ ଆଉ ୩୦ ଖଣ୍ଡ ଭୋଟ ତାଙ୍କ ସପକ୍ଷରେ ମିଳିଥିଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇ ପାରିନଥା’ନ୍ତା] ସାରାଜୀବନ ସେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥକୁ ବଳିଦେଇ ରାଷ୍ଟ୍ରର ସ୍ଵାର୍ଥପାଇଁ, ମଂଗଳପାଇଁ କାମ କରିଛନ୍ତି । ଆତ୍ମାକୁ ମୁକ୍ତ କରିବା ପାଇଁ, ଆପଣାକୁ ଅଧିକ ଅନ୍ତରଂଗ ଭାବରେ ଜାଣିବାପାଇଁ ସେ ନିରନ୍ତର ପ୍ରୟାସ କରିଛନ୍ତି । ଏଥିପାଇଁ ତାଙ୍କୁ ଦଣ୍ଡ ନୁହେଁ ବରଂ ପୁରସ୍କାର ଦିଆଯିବା କଥା । ରାଷ୍ଟ୍ର ନିଜ ଖର୍ଚ୍ଚରେ ତାଙ୍କର ଭରଣପୋଷଣର ଦାୟିତ୍ୱ ନେବାକଥା । ଏଥେନ୍ସର ଅନ୍ୟ ଯେ କୌଣସି ନାଗରିକ ଅପେକ୍ଷା ତାଙ୍କର ଜୀବନାଦର୍ଶ ନିଶ୍ଚିତ ଭାବରେ ଅଧିକ ମର୍ଯ୍ୟାଦାବନ୍ତ, କାରଣ ଜଣେ ଖେଳାଳିର ସଫଳତା ସାମୟିକ ଆନନ୍ଦର କାରଣ ହୁଏତ ହୋଇପାରେ ଯାହା କଦାପି ଚିରନ୍ତନ ନୁହେଁ । ବୃହତ୍ତର ଭାବରେ ତାଙ୍କର ସାଧନା ଏକ ବାସ୍ତବତା-। ଆହୁରି ମଧ୍ୟ ଯେହେତୁ ଜ୍ଞାତସାରରେ ସେ କାହାର ଖରାପ ଚିନ୍ତା କରିନାହାନ୍ତି ବା ଅମଂଗଳ କରିନାହାନ୍ତି କୌଣସି ଦଣ୍ଡ ସେ ଆଶା କରନ୍ତି ନାହିଁ । ତେବେ ଆଶ୍ଚର୍ଯ୍ୟର କଥା, ସକ୍ରେଟିସ ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିପକ୍ଷରେ ସିଧାସଳଖ କିଛି କହିନଥିଲେ । ବରଂ ସେ କହିଥିଲେ ଯେହେତୁ ମୃତ୍ୟୁକୁ ଆଗରୁ ସେ କେବେ ସାମ୍ନା କରିନାହାନ୍ତି ତେଣୁ ମୃତ୍ୟୁ ବିପକ୍ଷରେ ସେ କ’ଣ ବା କହିପାରିବେ ? [ମୃତ୍ୟୁ ଅଭିଜ୍ଞତା ତାଙ୍କର ନଥିବାରୁ ମୃତ୍ୟୁ ସପକ୍ଷରେ ବା ବିପକ୍ଷରେ କିଛି କହିବା ଉଚିତ ହେବନାହିଁ ବୋଲି ସକ୍ରେଟିସ୍‌ ମନେ କରୁଥିଲେ] । ଏପରିକି ତାଙ୍କ ମୃତ୍ୟୁଦଣ୍ଡାଦେଶ ପରିବର୍ତ୍ତନ କରାଯାଇ ତାଙ୍କୁ ନିର୍ବାସନ ନଚେତ୍‌ ଅର୍ଥଦଣ୍ଡ (ଜୋରିମାନା) ଦିଆଯାଉ, ଏକଥା ମଧ୍ୟ ସେ ଦାବୀ କରିବା ଉଚିତ ମନେ କରି ନଥିଲେ ।

 

ମୋତେ ନିର୍ବାସନ ମିଳିଲେ ହୁଏତ ମୁଁ ଆଉ କେଉଁଠି ରହିବି ଯେଉଁଠି ଯୁବକମାନେ ମୋତେ ଘେରିଯିବେ । ମୁଁ ସେମାନଙ୍କ ସହିତ ଆଳାପ କରିବି, ଅପରୀକ୍ଷିତ ଜୀବନ ଜୀବନ ନୁହେଁ ବୋଲି କହିବି । ସେମାନଙ୍କୁ ପଥଭ୍ରଷ୍ଟ କରିବା ଅଭିଯୋଗରେ ସେମାନଙ୍କ ଅଭିଭାବକମାନେ, ବୟସ୍କମାନେ ପୁଣି ମୋତେ ଦୋଷ ଦେବେ; ହୁଏତ ପୁଣି ମୋତେ ନିର୍ବାସିତ କରାଯିବ.... ! ମୁଁ ଆଦୌ ଭାବି ପାରୁନି ଯେ, ମୋତେ କ’ଣ ପାଇଁ ଦଣ୍ଡ ଦିଆଯିବ... !’’ ତାଙ୍କର ସାଧ୍ୟମତେ ସେ ଗୋଟିଏ ମାଇନା ଅର୍ଥଦଣ୍ଡ ଦେବାପଇଁ ସକ୍ଷମ ବୋଲି କହିଥିଲେ । ପରେ ପ୍ଲାଟୋ, କ୍ରିଟୋ ଓ ଅନ୍ୟମାନଙ୍କ ଅନୁରୋଧ କ୍ରମେ ସକ୍ରେଟିସ ତିରିଶ ମାଇନା ଅର୍ଥଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ବୋଲି ଜଣାଇଥିଲେ । [ସକ୍ରେଟିସ କହିଥିଲେ ତାଙ୍କୁ ଦଣ୍ତ ଦେବାପାଇଁ ଆଦୌ କୌଣସି କାରଣ ନଥାଇ ଯଦି ରାଷ୍ଟ୍ର ତା’କୁ ଦଣ୍ଡଦେବା ଉଚିତ ବୋଲି ବିଚାରୁଛି ତେବେ ତାଙ୍କୁ ଅର୍ଥଦଣ୍ଡ ଦିଆଯାଇପାରେ] ।

 

ତାଙ୍କ ବିପକ୍ଷରେ ମତ ଦେଇଥିବା ଜୁରୀମାନଙ୍କ ଉଦ୍ଦେଶ୍ୟରେ ସକ୍ରେଟିସ୍‌ କହିଥିଲେ ଏଥେନ୍ସର ଜନସାଧାରଣ ସେମାନଙ୍କୁ ହୁଏତ କ୍ଷମା ଦେବେ ନାହିଁ, କାରଣ ଯଦିଓ ସେ ନଜକୁ କେବେହେଲେ ଜ୍ଞାନୀ ମନେ କରୁନଥିଲେ ସେମାନେ (ଜନସାଧାରଣ) ତାଙ୍କୁ ଜ୍ଞାନୀ ବୋଲି ଗ୍ରହଣ କରିନେଇଥିଲେ । ପୁଣି ସେଇ ପରିଣତ ବୟସରେ ସେ ମୃତ୍ୟୁଠାରୁ ଖୁବ୍‌ ଦୂରରେ ମଧ୍ୟ ନଥିଲେ । ଏସବୁ ଦୃଷ୍ଟିରୁ ମଧ୍ୟ ତାଙ୍କୁ ମୃତ୍ୟୁଦଣ୍ଡ ନମିଳିବା କଥା । ସେ ପୁଣି କହିଲେ, ମୃତ୍ୟୁ ତାଙ୍କ ପାଇଁ ଯଦି ସ୍ଥିର ହୋଇସାରିଛି ସେ ମୃତ୍ୟୁକୁ ଅବଶ୍ୟ ସାମ୍‌ନା କରିବେ ମାତ୍ର ତାଙ୍କର ଆରୋପୀମାନେ ସେମାନଙ୍କର ଅବଶିଷ୍ଟ ଜୀବନରେ ଭୁଲ୍‌ ବୋଲି ପ୍ରମାଣିତ ହେବେ । ସେମାନେ ବରାବର ଖଳନାୟକ ହୋଇ ରହିବେ । ଆପଣାର ଛଳନାଗୁଡ଼ାକ ଉପରେ ପର୍ଦ୍ଦା ଢାଂକିବା ପାଇଁ ଏବଂ ନ୍ୟାୟର ମିଥ୍ୟା ପ୍ରତିଷ୍ଠାପାଇଁ ଯଦି ମୃତ୍ୟୁଦଣ୍ଡ ଦିଆଯାଉଥାଏ ତେବେ ତାହା ଏକ ମସ୍ତବଡ଼ ଭୁଲହେବ, କାରଣ କାହାକୁ ଆହତ କରି ଜୀବନକୁ ସାବ୍ୟସ୍ତ କରାଯାଇପାରିବ ନାହିଁ । ନ୍ୟାୟର ପ୍ରତିଷ୍ଠା ପାଇଁ ନିଜକୁ ସଜାଡିବା ପାଇଁ ହେବ, ସଂଶୋଧନ କରିବାପାଇଁ ପଡ଼ିବ ଯାହା ଭାରି ଗୁରୁତ୍ଵପୂର୍ଣ୍ଣ । ଯେଉଁମାନେ ସକ୍ରେଟିସ୍‌ଙ୍କ ସପକ୍ଷରେ ମତ ଦେଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, “ମୃତ୍ୟୁକୁ ଗୋଟାଏ ଖରାପ ଜିନିଷ ବୋଲି ଆଦୌ କହିହେବ ନାହିଁ । ମୃତ୍ୟୁର ଅସଲ ସ୍ଵରୂପ କ’ଣ ସେକଥା ସେ ଚିନ୍ତା କରିପାରୁନାହାନ୍ତି । ହୋଇପାରେ ମୃତ୍ୟୁ ସେଇ ମହାନ୍‌ ନିଦ୍ରା, ଯାହା ଭାରି ଶାନ୍ତ ଓ ସୁଖପ୍ରଦ । ହୋଇପାରେ ମୃତ୍ୟୁ ଭାରି ଚେତନାହୀନ ! ମୃତ୍ୟୁ ଏକ ଘଟ ପରିବର୍ତ୍ତନବି ହୋଇ ଥାଇପାରେ ! ଆତ୍ମା ଏଇ ସଂସାରରୁ ଆଉ ଗୋଟାଏ ସଂସାରକୁ ହୁଏତ ଯାଉଛି ! ଯଦି ମୃତ୍ୟୁ ଏକ ଶାନ୍ତ ନିଦ୍ରା ତେବେ ମୃତ୍ୟୁର ସେଇ ଗୋଟିଏ ରାତ୍ରି ହିଁ ଶାଶ୍ଵତର ରାତ୍ରି ହେବ ଯାହା ସମସ୍ତଙ୍କର କାମ୍ୟ । ଏବଂ ଯଦି ମୃତ୍ୟୁ ପରେ ପୁଣି ଜୀବନ ସମ୍ଭବ ହେଉଥିବ ତେବେ ତା’ଠାରୁ ବଳି ସନ୍ତୋଷର କଥା ଆଉ କ’ଣ ଥାଇପାରେ ! କାରଣ, ଆରପାରିରେ ତ ସମସ୍ତେ ଥିବେ ଯୋଉମାନେ ଆଗରୁ ଚାଲି ଯାଇଛନ୍ତି ! ସେଇଠି ସେମାନଙ୍କ ସହିତ ମୋର ଜ୍ଞାନର ଅନ୍ଵେଷଣ ଜାରି ରହିବ । ସେଠିତ ହୋମର୍‌ ଥିବେ, ସିସିଫସ୍‌ ଥିବେ, ଟ୍ରୟର ଯୋଦ୍ଧାମାନେ ବି ଥିବେ ! ମୃତ୍ୟୁଲୋକ ତ ଏକ ପବିତ୍ର ତୀର୍ଥକ୍ଷେତ୍ର ପରି ମନେହେବ ! ସେମାନଙ୍କୁ ମୁଁ ଏମିତି ପ୍ରଶ୍ନ ପଚାରିବି । ତୁହାକୁ ତୁହା ପ୍ରଶ୍ନ ପଚାରିବି । ହୁଏତ ସେମାନଙ୍କୁ ବିରକ୍ତ ଲାଗିବ, ମାତ୍ର ମୁଁ ନିଃସନ୍ଦେହ ଯେ ସେଇ ଦୂରନ୍ତ ଇଲାକାରେ ପ୍ରଶ୍ନ ପଚାରିବା ପାଇଁ କାହାକୁ ମୃତ୍ୟୁଦଣ୍ଡ ଦିଆଯାଉନଥିବ ! ମୋର ମୃତ୍ୟୁପାଇଁ ମୁଁ କାହାକୁ ଦୋଷ ଦେଉନାହିଁ କାରଣ ମୁଁ ସ୍ପଷ୍ଟ ଦେଖିପାରୁଛି ଯେ ମୋର ଶେଷ ପାଖେଇ ଆସୁଛି । ସେମାନଙ୍କ ଅଜ୍ଞାତସାରରେ ମୋର ଆରୋପୀମାନେ ବରଂ ମୋର ମଂଗଳହିଁ ମନାସିଛନ୍ତି । ବିଦାୟବେଳା ପାଖେଇ ଆସୁଛି । ମୋତେ ମରିବା ପାଇଁ ପଡ଼ିବ ଏବଂ ଆପଣମାନଙ୍କୁ ବଂଚିବା ପାଇଁ ପଡ଼ିବ । କେଉଁଟି ଠିକ୍‌ ସେକଥା ଈଶ୍ୱର ଜାଣନ୍ତି ।’’

 

‘‘ଅପରୀକ୍ଷିତ ଜୀବନ ଜୀବନ ପଦବାଚ୍ୟ ନୁହେ ।’’

 

ସାରା ଜୀବନ ସତ୍ୟର ଅନ୍ୱେଷଣରେ ବିତାଇଥିବା ଏବଂ ଶେଷରେ ସତ୍ୟପାଇଁ ଶହୀଦ ହୋଇଥିବା ସକ୍ରେଟିସ୍‌ଙ୍କର ଏହାହିଁ ଥିଲା ଦର୍ଶନ । ଏକାନ୍ତ ଅନୁଗତ ପରି ଈଶ୍ୱରଙ୍କୁ ବିଶ୍ଵାସ କରୁଥିବା ସକ୍ରେଟିସ୍‌ ସତ୍ୟର ସଂଧାନରେ ସ୍ଵୟଂ ଈଶ୍ୱରଙ୍କୁ ମଧ୍ୟ ସନ୍ଦେହ କରୁଥିଲେ, ଅର୍ଥାତ୍‌ ଜୀବନସାରା ଜ୍ଞାନର ଅନ୍ଵେଷଣ ଜାରି ରଖିଥିଲେ । ଦୈବବାଣୀକୁ ଆପଣା ଜୀବନରେ ବରାବର ଗୁରୁତ୍ୱ ଦେଇ ଆସିଥିଲେ ହେଁ ସକ୍ରେଟିସ୍‌ ସାରା ଜୀବନ ପ୍ରକାରାନ୍ତରେ ଯେମିତି ଖୋଦ୍‌ ଈଶ୍ୱରଙ୍କୁ ସନ୍ଦେହ କରି ଏଥେନ୍ସର ହାଟ-ବଜାରରେ, ଗଳି-କନ୍ଦିରେ ଜ୍ଞାନକୁ ଖୋଜୁଥିଲେ, ସତ୍ୟକୁ ଖୋଜୁଥିଲେ । ସେଇ ଦୃଷ୍ଟିରୁ ଈଶ୍ଵର ମଧ୍ୟ ତାଙ୍କ ପରୀକ୍ଷାର ବୃତ୍ତ ଭିତରକୁ ଚାଲି ଆସିଥିଲେ । ନିଜକୁ ଚିହ୍ନ, ଅନ୍ତରଂଗ ଭାବରେ ଚିହ୍ନ–ଏହାହିଁ ଥିଲା ସକ୍ରଟିସ୍‌ଙ୍କ ମାନବୀୟ ଆହ୍ୱାନ । କାହାର ସରଳ ଯୁକ୍ତିରେ, ମତାମତରେ ସେ ଏତେ ଶୀଘ୍ର ପ୍ରଭାବିତ ହେଉ ନଥିଲେ । ଗୁଡେଇ ତୁଡେଇ ସେ ତୁହାକୁ ତୁହା ପ୍ରଶ୍ନ ପଚାରୁଥିଲେ । ଗଭୀରକୁ ଯିବାପାଇଁ ଚେଷ୍ଟା କରୁଥିଲେ । ସକ୍ରେଟିସ ସହଜରେ ସନ୍ତୁଷ୍ଟ ହେଉ ନଥିଲେ । ଉତ୍ତର ନପାଇବା ଯାଏଁ ସେ ପ୍ରଶ୍ନ ପଚାରି ଚାଲୁଥିଲେ । ସତ୍ୟର ସଂଧାନରେ ତାଙ୍କ ହୃଦୟର ନିରନ୍ତର ଅସନ୍ତୋଷ ଅସଲରେ ଜୀବନ ପ୍ରତି ତାଙ୍କର ଗଭୀର ଅନୁରାଗ ହିଁ ଥିଲା ।

 

(ପ୍ଲାଟୋଙ୍କ “ଦି ଆପୋଲୋଜି’’ ଉପରେ ଆଧାରିତ)

Image

 

ନିର୍ବାଣ ନିଜ ଭିତରେ ଅଛି

 

ଶୀତ ଦିନ । ପ୍ରାତଃଭ୍ରମଣ ସମୟରେ ଥରେ ଜଣେ ରାଜପୁତ୍ର ଅଚାନକ ଆବିଷ୍କାର କଲେ ଗୌତମ ବୁଦ୍ଧଙ୍କୁ । ଆକାଶରେ ସେତେବେଳକୁ ସିନ୍ଦୁରା ଫାଟି ଆସୁଥାଏ । ବେଶ୍‌ ଥଣ୍ଡା ପବନ ବୋହୁଥାଏ । ବୁଦ୍ଧ ଶୋଇଥିଲେ ରାସ୍ତାକଡ଼ର ଗୋଟାଏ ଗଛ ତଳେ, ଶିଶିରଭିଜା ପତଳା ପତରର ବିଛଣାରେ । ରାଜପୁତ୍ର ପାଖରୁ ଦେଖିଲେ, ଗୌତମଙ୍କ ଦେହରେ ଶୀତବସ୍ତ୍ର ନାହିଁ । ନାମକୁ ମାତ୍ର ଏକ ପରିଧାନରେ ଅର୍ଦ୍ଧାବୃତ୍ତ ତାଙ୍କର ଶରୀର, ଅଥଚ ତାଙ୍କର ମୁଖମଣ୍ଡଳରେ ଝଲସୁଛି ଅପୂର୍ବ କାନ୍ତି । ରାଜପୁତ୍ରଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ । ସେ ସେଇଠି ଠିଆହୋଇ ରହିଲେ । କେତେ ସମୟ ପରେ ଗୌତମଙ୍କ ନିଦ୍ରା ଭଙ୍ଗହେଲା । ପାର୍ଶ୍ୱରେ ଦଣ୍ଡାୟମାନ ରାଜପୁତ୍ରଙ୍କୁ ଦେଖି ଗୌତମଙ୍କ ମୁହଁରେ ଫୁଟିଉଠିଲା ସ୍ମିତହାସ୍ୟର ରେଖା । କେତେ କ୍ଷଣ ପରେ ଜିଜ୍ଞାସୁ ରାଜପୁତ୍ର ପଚାରିଲେ, ‘‘ମହାଭାଗ ! ଏଇ ଥଣ୍ଡାରେ ଆପଣ କେମିତି ଏତେ ନିଶ୍ଚିନ୍ତରେ ଗଛତଳେ ଶୋଇ ପଡ଼ିଥିଲେ ? ମୁଁ ତ ଦେଖୁଛି ଆପଣ ଆଶ୍ରୟ ନେଇଥିବା ଭୂମି ବେଶ୍‌ ବନ୍ଧୁର... ପୁଣି ତା’ଉପରେ ଶୁଖିଲା ପତ୍ରର ଆସ୍ତରଣ ଏତେ ବହଳ ନୁହେଁଯେ ଆପଣଙ୍କୁ କଷ୍ଟ ନ ହୋଇଥିବ ! ଦେଖନ୍ତୁ, କେମିତି ଥଣ୍ଡା ପବନ ହେଉଛି... !’’ ଅବିଚଳିତ ବୁଦ୍ଧ ଉତ୍ତର ଦେଲେ, “କାଲି ରାତିରେ ମୁଁ ପରମ ଶାନ୍ତିରେ ହିଁ ନିଦ୍ରା ଯାଇଥିଲି ।” ସେ ପୁଣି କହିଲେ, “ଯାହାର ସମ୍ବଳ ଓ ସାଧନ ଅଛି ଏବଂ ଯିଏ ତୂଳୀତଳ୍ପ ଶଯ୍ୟାରେ ଶୋଇଛି ସେ କ’ଣ ସତରେ ସୁଖନିଦ୍ରା ଯାଇଛି ? ତା’ଭିତରେ କାମନାର ନିଆଁ ତ ଜଳୁଛି–ସେ ହୁଏତ ଅଧିକ ଧନ ସମ୍ପତ୍ତିର ଲାଳସା ରଖିଛି, ଅଧିକ ଉନ୍ନତ ଶଯ୍ୟାର ପ୍ରତୀକ୍ଷା କରୁଛି ! ମୋର ତ କୌଣସି କାମନା ନାହିଁ । କାଟି ଦିଆଯାଇଥିବା ଏକ ତାଳ ଗଛର ଗଣ୍ଡିରୁ ଯେମିତି ନୂଆ ପତ୍ର କଅଁଳିବାର କୌଣସି ସମ୍ଭାବନା ନଥାଏ ସେମିତି ମୋ ଭିତରେ କାମନାର ଅଙ୍କୁରୋଦଗମ ସମ୍ଭବ ନୁହେ । ମୁଁ କାମନାରହିତ । ସେଥିପାଇଁ ମୁଁ ଶାନ୍ତିରେ ଶୋଇପାରୁଛି ।’’ ରାଜପୁତ୍ର ଆଉ କୌଣସି ପ୍ରଶ୍ନ ପଚାରି ନଥିଲେ ।

 

ସମସ୍ତ ତର୍କ-ବିତର୍କ, ଜଟିଳ କର୍ମକାଣ୍ଡ ତଥା ଈଶ୍ୱରଙ୍କ ଠାରୁ ଦୂରରେ ରହି ଆଜିକୁ ପ୍ରାୟ ଦୁଇ ହଜାର ପାଞ୍ଚଶହ ବର୍ଷ ତଳେ ଗୌତମ ବୁଦ୍ଧ ଯେଉଁ ସୁଖନିଦ୍ରାର କଥା ସେଦିନ କହିଥିଲେ ତାହାହିଁ ଅନ୍ୟଅର୍ଥରେ ଥିଲା ନିର୍ବାଣ । ନିର୍ବାଣ କେବଳ ମୁକ୍ତି ନୁହେଁ, ନିର୍ବାଣ ସମସ୍ତ ମାନବୀୟ କାମନାର ମୃତ୍ୟୁ । ନିର୍ବାଣ ଏକ ଶୀତଳ, ସ୍ଵିଗ୍ଧ ସ୍ପର୍ଶ । କାମନାମାନେ ଆମ ସହିତ ଆରମ୍ଭରୁ ନଥା’ନ୍ତି, ଯଦିଓ ଆମ ଦେହ ଓ ମନ କାମନା ପାଇଁ ଭୂମି ହୋଇ ବରାବର ରହିଥା’ନ୍ତି । କାମନାମାନେ ଚିରହରିତ୍‌ ହୋଇ ଆମର ବିକାଶ ସହିତ ତାଳ ଦେଇ ବଢ଼ନ୍ତି, ବେଶ୍‌ ଆକ୍ରମଣାତ୍ମକ ହୋଇ ବଢ଼ନ୍ତି, ଆପଣାକୁ ଅନ୍ୟ ସହିତ ତୁଳନା କରି ବଢ଼ନ୍ତି ଏବଂ ଆମକୁ ସଂପୂର୍ଣ୍ଣ ଆୟତ୍ତ କରି ରଖିଥା’ନ୍ତି । କାମନାମାନେହିଁ ଦୁଃଖ ଆଣିଥା’ନ୍ତି ଏବଂ ଏସବୁ ଆମକୁ ଜ୍ଞାତସାରରେ ହିଁ ଘଟିଥାଏ । ଏଣେ ଜୀବନ କାହାକୁ ଅପେକ୍ଷା ନକରି କାମନାମାନଙ୍କୁ କାନ୍ଧରେ ବୋହି ବୋହି ଆଗକୁ ଚାଲିଥାଏ-। ନିର୍ବାଣ ଅଣଦେଖା ହୋଇ ରହିଯାଏ ।

 

ବୁଦ୍ଧ କହିଥିଲେ ଆମ ସମସ୍ତଙ୍କ ଜୀବନ ଦୁଃଖମୟ, ଯନ୍ତ୍ରଣାସିକ୍ତ କେବଳ ଏଇଥିପାଇଁ ହୋଇନଥାଏ ଯେ ଦୁଃଖର ପୃଷ୍ଠଭୂମିରେ ଜନ୍ମ, ମୃତ୍ୟୁ, ରୋଗ ଓ ବାର୍ଦ୍ଧକ୍ୟ ରହିଥାଏ ବରଂ ଏହି ସବୁ କାରଣ ସହିତ (ଦୁଃଖସତ୍ୟ) ଆମର ଅଜ୍ଞତା (ଅବିଦ୍ୟା) ଛନ୍ଦି ହୋଇରହିଥାଏ । ଦୁଃଖର ଅସଲ କାରଣ କେବଳ ଆମର ଶରୀର ନୁହେଁ ବରଂ ଦୁଃଖ ଉତ୍ପନ୍ନ କରୁଥିବା ଆମର କାମନା । କାମନାର ବିନାଶରେ ଏବଂ ଜ୍ଞାନର ଉନ୍ମେଷରେ ଦୁଃଖର ଅନ୍ତ ସମ୍ଭବ, ନିର୍ବାଣ ସମ୍ଭବ । ନିର୍ବାଣ ପାଇଁ ବୁଦ୍ଧ ସବାଆଗ ଭାରି ସରାଗରେ ଆପଣା ଭିତରକୁ ଚାହିଁବା ପାଇଁ କହିଥିଲେ । ସବାଆଗ ନିଜକୁ ଭଲ ପାଇବା ପାଇଁ କହିଥିଲେ । ଆତ୍ମା ବା ଈଶ୍ୱରଙ୍କ ନାଁ ନଧରି ସେ ନିଜ ସହିତ ନିଜେ ମିତ ବସିବା ପାଇଁ କହିଥିଲେ । ନିର୍ବାଣ କୌଣସି କର୍ମକାଣ୍ଡରେ ନାହିଁ, ତପସ୍ୟାରେ ନାହିଁ, ଦାନ-ଦକ୍ଷିଣାରେ ନାହିଁ, କେବଳ ଆପଣାକୁ ଆଗ୍ରହର ସହିତ ଚିହ୍ନିବାରେ ରହିଛି । ଅସଲ ସୁଖଟି ଆମରି ଭିତରେ ରହିଛି । କୁହାଯାଇଛି, ରାଜପ୍ରସାଦ ତ୍ୟାଗ କଲାପରେ ଗୌତମ ସତ୍ୟର ଅନ୍ୱେଷଣରେ ଅନେକ ବୁଲିଥିଲେ, ଅନେକ ଆଚାର୍ଯ୍ୟଙ୍କୁ ସୁଖ ଓ ଶାନ୍ତିର ମାର୍ଗ ପଚାରିଥିଲେ, ଅଳ୍ପାହାର ଏବଂ ଅନାହାରରେ କଠିନ ସାଧନା କରିଥିଲେ, ଧ୍ୟାନରେ ବସିଥିଲେ ମାତ୍ର ସେସବୁ ତାଙ୍କୁ ଇପ୍‌ସିତ ଠାରୁ ଯଥେଷ୍ଟ ଦୂରରେ ରଖିଥିଲା । ସେ ଚିନ୍ତାକଲେ ଯେ ରାଜପ୍ରସାଦର ଐଶ୍ଵର୍ଯ୍ୟରେ ଯଦି ସୁଖ ନାହିଁ, ଯୋଗୀର କଠିନ ସାଧନାରେ ଯଦି ସୁଖ ନାହିଁ ତେବେ ଶରୀରକୁ କଷ୍ଟ ଦେଇ ଲାଭ କ’ଣ ! ହୁଏତ ସତ୍ୟ ଠିକ୍‌ ମଝିରେ ହିଁ ଅଛି–ଭୋଗ ଓ ବିରାଗର ମଧ୍ୟବର୍ତ୍ତୀ ହୋଇ ରହିଛି ।

 

କୌଣସି ବିଷୟରେ ସଂଶୟଥିବା ଯାଏ ତାଙ୍କୁ ବିଶ୍ଵାସ ନକରିବା ପାଇଁ ବୁଦ୍ଧ ସମସ୍ତଙ୍କୁ କହୁଥିଲେ । ସେ କହୁଥିଲେ ଯେ ମୁଁ ଦିଗ୍‌ଦର୍ଶକ ହୋଇପାରେ, କିନ୍ତୁ କର୍ମତ ତୁମେ ହିଁ କରିବ–ତେଣୁ ତୁମେ ନିଜେହିଁ ଚିନ୍ତା କରିବ କ’ଣ କରିବା ଉଚିତ୍‌, କ’ଣ କରିବା ଅନୁଚିତ୍‌ । ବୁଦ୍ଧ କୁଆଡ଼େ ଏତେ ସରଳ ଏବଂ ନିଷ୍କପଟ ଭାବେ କହୁଥିଲେ ଯେ ତାଙ୍କୁ ଶୁଣୁଥିବା ପ୍ରତ୍ୟେକ ଲୋକ ଭାବୁଥିଲା ଯେମିତି ବୁଦ୍ଧ ଖାସ୍‌ ତା’କୁହିଁ କିଛି ଗୂଢ଼ କଥା କହୁଛନ୍ତି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥାଟି ହେଲା ଯେ ବୁଦ୍ଧ ସାଧାରଣ ଲୋକକୁ ତା’ରି ଭାଷାରେ ହିଁ କହୁଥିଲେ । ସେ ଏକଥା ମଧ୍ୟ କହୁଥିଲେ ଯେ ସେ ଏକମାତ୍ର ବୁଦ୍ଧ ନୁହନ୍ତି । ତାଙ୍କ ପୂର୍ବରୁ ବୁଦ୍ଧଥିଲେ ଏବଂ ତାଙ୍କ ପରେ ଅନେକ ବୁଦ୍ଧ ଆସିବେ । ସବୁ ମଣିଷଙ୍କ ଦେହରେ ବୁଦ୍ଧଙ୍କ ସତ୍ତା ସଦା ବିଦ୍ୟମାନ । କେବଳ ସେହି ସତ୍ତାକୁହିଁ ଯାହା ଚିହ୍ନିବା ପାଇଁ ପଡ଼ିବ । ଆପଣାକୁ ଚିହ୍ନିବାରେ ହିଁ ବୁଦ୍ଧତ୍ଵର ସନ୍ଧାନ, ନିର୍ବାଣର ସନ୍ଧାନ । ଆମ ଭିତରେ ଉଭୟ ଅଛି–ଗୋଟିଏ ଭାଗରେ ଭୟ, କ୍ରୋଧ ଏବଂ ଈର୍ଷା ଅଛି–ଆର ପାଖରେ ଆମର ଦିବ୍ୟ ସ୍ଵରୂପଟି ଅଛି–ସ୍ଵଚ୍ଛ, ଅନାବିଳ, ଉଦାର ହୃଦୟ । ଏହାହିଁ ସବୁ ମଣିଷର ଦ୍ଵିତୀୟ ପ୍ରକୃତି ଯାହାକୁ ବୌଦ୍ଧଧର୍ମରେ ‘ବୁଦ୍ଧ ପ୍ରକୃତି’ କୁହାଯାଇଛି ।

 

ଆଉ ଦିନକର କଥା । ବୁଦ୍ଧ ଗୋଟିଏ ଗଛ ଛାଇରେ ବସିଥା’ନ୍ତି । ପ୍ରକୃତି ଥାଏ ବେଶ୍‌ ଶାନ୍ତ । ଗଛରେ ନୂଆ ପତ୍ର କଅଁଳିଥାଏ । ଫୁଲ ଫୁଟିଥାଏ । ବସନ୍ତ ଆସିଥାଏ । ସେ ମୁଗ୍ଧ ହୋଇ ପ୍ରକୃତିର ଶୋଭାକୁ ଦେଖୁଥା’ନ୍ତି । କ୍ରମଶଃ ବୁଦ୍ଧ ବିମର୍ଷ ମନେହେଲେ । ତାଙ୍କଠୁଁ ଅଳ୍ପ ଦୂରରେ ହଳ କରୁଥିବା କୃଷକଟି ବଳଦକୁ ମଝିରେ ମଝିରେ ନିସ୍ତୁକ ପିଟୁଥାଏ । ଚଢ଼େଇଟିଏ ବିଲରୁ କ’ଣ ସବୁ ପୋକଜୋକ ଖୁଣ୍ଟି ଖାଉଥାଏ । କେତେ ସମୟ ପରେ ଛଞ୍ଚାଣଟିଏ ଝାମ୍ପମାରି ଚଢ଼େଇଟିକୁ ନେଇଗଲା । ଗୌତମ ଗଭୀର ଭାବରେ ଚିନ୍ତା କରିବା ପାଇଁ ଲାଗିଲେ, କ’ଣ ପାଇଁ କୃଷକ ତା’ର ବଳଦଟିକୁ ମାରିଲା ? କ’ଣ ପାଇଁ ଗୋଟିଏ ଜୀବ ଆଉ ଗୋଟିଏ ଜୀବର ମୃତ୍ୟୁର କାରଣ ? ବୁଦ୍ଧତ୍ୱ ପ୍ରାପ୍ତ ହେବା ସମୟରେ ଗୌତମ କୁଆଡ଼େ ଏଇସବୁ ପ୍ରଶ୍ନର ଉତ୍ତର ପାଇଥିଲେ । ସେହି ଗୁଢ଼ ସତ୍ୟକୁ ସେ ଅତ୍ୟନ୍ତ ସରଳଭାବେ ଉପସ୍ଥାପନ କରିଥିଲେ । ପ୍ରଥମ ସତ୍ୟଟି ହେଉଛି, ସଂସାରରେ କିଛି ମଧ୍ୟ ନିଶ୍ଚିହ୍ନ ହୁଏ ନାହିଁ । ପଦାର୍ଥ ଶକ୍ତିରେ ପରିଣତ ହୁଏ ଏବଂ ଶକ୍ତି ପୁଣି ପଦାର୍ଥରେ ରୂପାନ୍ତରିତ ହୁଏ । ମଲା ପତ୍ରଟିଏ ମାଟି ହୋଇଯାଏ । ମଞ୍ଜିରୁ ଗଛଟିଏ ହୁଏ । ପ୍ରାଚୀନ ସୌରମଣ୍ଡଳମାନଙ୍କର ବିଲୟ ଘଟି ସେସବୁ ଜାଗତିକ ରଶ୍ମିରେ ପରିବର୍ତ୍ତିତ ହୁଅନ୍ତି । ଅତଏବ ଆମେ ସମସ୍ତେ ଅନ୍ୟ ସମସ୍ତଙ୍କ ପରି, ଉଭିଦମାନଙ୍କ ପରି, ଟୋପା ଟୋପା ବର୍ଷା ପରି–ଅନ୍ୟ ମଣିଷମାନଙ୍କ ପରି । ଯାହା ଆମ ଚାରିପାଖରେ ଅଛି ସେସବୁ ଆମ ଭିତରେ ଅଛି । ଆମେ ଅନ୍ୟ କାହାଠାରୁ ପୃଥକ୍‌ ନୁହେଁ । ଯଦି ଆଉ କାହାର କ୍ଷତି ଆମେ ଘଟାଉଛୁ ତେବେ ପରୋକ୍ଷରେ ଆମେ ଆମରି କ୍ଷତି କରୁଛୁ । ଏହି ମହାନ୍‌ ସତ୍ୟର ଉପଲବ୍ଧରେ ବୁଦ୍ଧ ଯେଉଁ ‘ଜୀବେ ଦୟା’ ର ଉଦାର ଉଚ୍ଚାରଣ କରିଥିଲେ ତାହାହିଁ ଅନ୍ୟ ଅର୍ଥରେ ଥିଲା ଅହିଂସା । ପରବର୍ତ୍ତୀ ସମୟରେ ଗାନ୍ଧୀ ଦୃଢ଼ତାର ସହିତ ଅହିଂସା ଏବଂ ସତ୍ୟାଗ୍ରହର କଥା କହିଥିଲେ । ଆପଣା ଜୀବନରେ ସେ ତାହାହିଁ ପ୍ରୟୋଗ କରି ଦେଖାଇ ଥିଲେ । ବୁଦ୍ଧ ଉପଲବ୍ଧି କରିଥିବା ଦ୍ୱିତୀୟ ସତ୍ୟଟି ହେଉଛି ସବୁ କିଛି ପରିବର୍ତ୍ତନଶୀଳ । ପ୍ରତି ମୁହୂର୍ତ୍ତରେ ସବୁକିଛି ବଦଳୁଛି । ପରିବର୍ତ୍ତନ ନିତ୍ୟ, ନିରନ୍ତର । ଜୀବନ ଏକ ନଈ ପରି, ଯିଏ ବେଳେବେଳେ ଖୁବ୍‌ ସ୍ରୋତସ୍ଵିନୀ, ପୁଣି ଖୁବ୍‌ ମନ୍ଥର । ଯେଉଁ ମୁହୂର୍ତ୍ତରେ ଆମେ ଭାବିନେଉ ଯେ ଆମେ ସଂପୂର୍ଣ୍ଣ ନିରାପଦ ସେହି ମୁହୂର୍ତ୍ତରେ ହିଁ କିଛି ଅପ୍ରତ୍ୟାଶିତ ଘଟିଯାଏ । ପରିବର୍ତ୍ତନ କିନ୍ତୁ ଅବିରାମ ଘଟିଚାଲିଥାଏ । ବୁଦ୍ଧ ଆବିଷ୍କାର କରିଥିବା ତୃତୀୟ ସତ୍ୟଟି ହେଉଛି କାର୍ଯ୍ୟକାରଣ ଓ ଫଳାଫଳର ନିୟମ । ନିରନ୍ତର ପରିବର୍ତ୍ତନ ଏହି ନିୟମ ଯୋଗୁହିଁ ସମ୍ଭବ ହୋଇଥାଏ । ବିନା କାରଣରେ କିଛି ମଧ୍ୟ ଘଟେ ନାହିଁ । ଫଳାଫଳ କାର୍ଯ୍ୟର ଅନୁଗମନ କରିଥାଏ-। ଏହି ନିୟମକୁ ବୁଦ୍ଧ ‘କର୍ମ’ ବୋଲି କହିଥିଲେ । ଆମର କାର୍ଯ୍ୟ ମୁତାବକ ଫଳାଫଳ ଆମେ ଲାଭ କରିଥାଉ, ଯାହା ଭଲ ନଚେତ ଖରାପ ହୋଇଥାଏ । ଅତୀତର କର୍ମାନୁସାରେ ବର୍ତ୍ତମାନର ଜୀବନ ଉପଲବ୍ଧ ଏବଂ ବର୍ତ୍ତମାନର କର୍ମ ହିଁ ସ୍ଥିର କରିବ ଆମର ଭବିଷ୍ୟତ । ସବୁ ମୁହୂର୍ତ୍ତରେ ଆମେ କର୍ମ ହିଁ କରି ଚାଲିଥାଉ–ବାକ୍ୟଦ୍ଵାରା, ବାସ୍ତବ କର୍ମ ଦ୍ଵାରା ଏବଂ ଭାବନା ଦ୍ଵାରା । ଯଦି ଏତିକି ଉପଲବ୍ଧି ଆମର ଆସିବ ଯେ କର୍ମ ହିଁ ଆପଣା ଭାଗ୍ୟର ମାର୍ଗଦର୍ଶକ ତେବେ କର୍ମ ଆମର ମିତ ହୋଇ ରହିବ, କର୍ମ-କର୍ମଫଳର ବୃତ୍ତ ଆମକୁ ଆଉ ଭୟଭୀତ କରିପାରିବ ନାହିଁ ।

 

ଈଶ୍ଵରଙ୍କ ସ୍ଥିତି ବା ଅସ୍ଥିତି ସଂପର୍କରେ ବୁଦ୍ଧ ନୀରବ ରହିଥିଲେ । ସେହି ଦୃଷ୍ଟିରୁ ବୁଦ୍ଧଙ୍କୁ ନାସ୍ତିକ ନକହି ଆଗ୍ନୋଷ୍ଟିକ୍‌ କହିବା ଉଚିତ୍‌ ହେବ । ‘ତୁମେ ତୁମର ଜୀବନ ପାଇଁ, ସୁଖ ଦୁଃଖ ପାଇଁ ଉତ୍ତରଦାୟୀ । ବିଧାତା ତୁମକୁ କର୍ମଫଳ ଦେଉନାହାନ୍ତି, ପୁରସ୍କାର ବା ଦଣ୍ଡ ଦେଉନାହାନ୍ତି–ତୁମର କର୍ମ ହିଁ ପରିଣତି ହୋଇ ତୁମ ଆଗେ ଆଗେ ଅଛି ।’ ତେବେ ସବୁ କ’ଣ କର୍ମର ଅଧୀନ ? ଯଥା, ଦୁର୍ଘଟଣା । ଏହାର ଉତ୍ତରରେ ବୁଦ୍ଧ କହିଥିଲେ ଯେଉଁ କାର୍ଯ୍ୟ ପାଇଁ ମାନସିକ ପ୍ରସ୍ତୁତିର ଆବଶ୍ୟକ ନଥାଏ, ଅର୍ଥାତ୍‌ ଯାହା ପ୍ରାୟତଃ ସ୍ଵାଭାବିକ ନଚେତ୍‌ ଅନିଚ୍ଛାକୃତ ଭାବେ ଘଟିଥାଏ ସେ ସବୁ ନିରପେକ୍ଷ କର୍ମ । ଏହି ବ୍ୟତିକ୍ରମ ଭିନ୍ନ ଯଦି ଆମର କର୍ମମତେ ଆମେ ଫଳ ପାଇବାପାଇଁ ହକ୍‌ଦାର ତେବେ ସଂସାରରେ ଏତେ ଅସଂଗତି କେମିତି ତିଷ୍ଠି ରହିଛି ? ଅସାଧୁ / ଦୁର୍ନୀତିଗ୍ରସ୍ତ ଲୋକମାନେ ବିପୁଳ ସମ୍ପତ୍ତିର ମାଲିକ କେମିତି ହୋଇ ରହିଛନ୍ତି / ନିଷ୍ଠୁର ଲୋକେ ଏତେ କ୍ଷମତାଶାଳୀ କିପରି ହୋଇପାରନ୍ତି / ଦୟାଶୀଳମାନେଅକାଳରେ କେମିତି ଝଡ଼ି ପଡ଼ନ୍ତି ! କର୍ମ–କର୍ମଫଳର ନିୟମରେ ଏଇ ଆପାତଃ ବିରୋଧାଭାଷର ଉତ୍ତର ଦେବା ପାଇଁ ଯାଇ ବୁଦ୍ଧ ପୁନଃର୍ଜନ୍ମର ଅବତାରଣା କରିଥିଲେ । ସେ କହିଥିଲେ ଏହି ଜନ୍ମରେ ଭୋଗ କରୁଥିବା ଫଳାଫଳ ପ୍ରାୟତଃ ଗତ ଜନ୍ମର କର୍ମରୁ ହିଁ ଉତ୍ପନ୍ନ । ଏହି ଜନ୍ମର ପୁଣ୍ୟ ଆମର ଭବିଷ୍ୟତକୁ କିନ୍ତୁ ଅବଶ୍ୟ ସମୃଦ୍ଧ କରିବ । ସେ ପୁଣି କହିଥିଲେ କେହି କାହା ସହିତ ସଂପର୍କରେ ସ୍ଵତନ୍ତ୍ର ଭାବେ ବନ୍ଧା ନୁହନ୍ତି, କାରଣ ଆମେ ସମସ୍ତେ ଅନେକ ଜୀବନ ବଞ୍ଚିଆସିଛେ ଓ କେଉଁଠି ନା କେଉଁଠି ସମସ୍ତେ ସମସ୍ତଙ୍କୁ ଭେଟିଛେ । ଯଦିଓ ଏହି ଜନ୍ମରେ ଆମର ସଂପର୍କ ସବୁ ମୌଳିକ ଭାବେ ପୂର୍ବ ନିର୍ଦ୍ଧାରିତ ନୁହେଁ, ତଥାପି ପୂର୍ବଜନ୍ମର ସଂପର୍କର ଡୋରି ଥରେ ଥରେ ଏହି ଜନ୍ମକୁ ବି ଲମ୍ବି ଆସିଥାଏ । କିନ୍ତୁ ଆମ ଭିତରେ ଏମିତି ସମ୍ଭାବନା ରହିଛି ଯାହା ଆମକୁ ସାଂପ୍ରତିକତାର ହତାଶା ଭିତରୁ ଅନେକାଂଶରେ ମୁକ୍ତି ଦେଇପାରିବ । ଆପଣାକୁ ପରିମାର୍ଜିତ କରି ଏକ ଦିବ୍ୟ ଆନନ୍ଦର ସ୍ପର୍ଶ ଏହି ଜୀବନରେ ହିଁ ସମ୍ଭବ । ସେହି ମର୍ମରେ ଆମେ ଆମର ବିଧାତା ହୋଇ ରହିବା । ଆପଣା ଭାଗ୍ୟକୁ ଆପେ ଲେଖିବାର ଅନ୍ତଃଦୃଷ୍ଟିକୁ ଯାହା ତଲାସ କରିବାର ଆଗ୍ରହ ଲୋଡ଼ା । ସଦା କାମନାର ଜାଲ ବୁଣୁଥିବା ତଥା ସେହି ଦୃଷ୍ଟିରୁ ଏକ ନିର୍ଭରଶୀଳ ସତ୍ତା ହୋଇ ରହିଥିବା ଆମର ମନପାଇଁ ‘ନିବୃତ୍ତି’ ଲୋଡ଼ା । ଏହି ନିବୃତ୍ତି ପାଇଁ ଶାସ୍ତ୍ର ଜ୍ଞାନର ଆବଶ୍ୟକତା ନାହିଁ, ତତ୍ତ୍ଵର ଆବଶ୍ୟକତା ନାହିଁ–କେବଳ ନିଜ ଭିତରର ନିର୍ଭରଶୀଳ ସତ୍ତାକୁ ନିଷ୍କପଟଭାବେ ଠାବ କରିବା ଆବଶ୍ୟକ । ଯିଏ ଏହି ସତ୍ତାକୁ ଆବିଷ୍କାର କରିପାରିଛି ସେ ପ୍ରତ୍ୟକ୍ଷ ଭାବରେ ଧର୍ମକୁ ହିଁ ଆବିଷ୍କାର କରିଛି । ନିର୍ବାଣର ସ୍ଵାଦ ସେଇ ହିଁ ପାଇଛି । ଆପଣା ଅଭ୍ୟନ୍ତରର ଅନାବିଷ୍କୃତ ଅନ୍ଧକାର ହିଁ ଆମକୁ ନିର୍ବାଣଠାରୁ ଦୂରେଇ ରଖିଥାଏ-

 

ବୁଦ୍ଧ ଜୀବନରେ ଯନ୍ତ୍ରଣାକୁ ଅସ୍ୱୀକାର କରି ନଥିଲେ । କେହି ରୋଗ, ଶୋକ, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁକୁ ଏଡ଼ାଇ ଦେଇ ପାରିବେ ନାହିଁ । ପ୍ରାକୃତିକତା ଉପରେ କେହି ହସ୍ତକ୍ଷେପ କରିବା ସମ୍ଭବ ନୁହେଁ, କିନ୍ତୁ ଆପଣାର ଲୋଭ ଉପରେ ଲଗାମ ଅବଶ୍ୟ ଦେଇ ହେବ । ଅବିଦ୍ୟାକୁ ଜୟ କରାଯାଇପାରିବ । ଜୀବନରେ ଏମିତି ଏକ ଅବସ୍ଥା ସମ୍ଭବ ଯେଉଁଠି ଆମେ ପ୍ରକୃତି ବିରୁଦ୍ଧରେ ଅଭିଯୋଗ କରିବା ନାହିଁ, ମାତ୍ର ଆପଣାର ଉଲ୍ଲଂଗ କାମନାଗୁଡ଼ିକୁ ନିୟନ୍ତ୍ରଣରେ ରଖିପାରିବା । ଏହି ନିୟନ୍ତ୍ରିତ ବୃତ୍ତଟି ନିତ୍ୟ ଆନନ୍ଦର ବୃତ୍ତ ହୋଇ ରହିବ, ନିର୍ବାଣର ନିକଟବର୍ତ୍ତୀ ହୋଇ ରହିବ । ଧର୍ମଚକ୍ର ପ୍ରବର୍ତ୍ତନ ସମୟରେ ବୁଦ୍ଧ ଯେଉଁ ଚକ୍ରର ସଂକେତକୁ ଗ୍ରହଣ କରିଥିଲେ ସେହି ଚକ୍ରର କେନ୍ଦ୍ରରେ ନିର୍ବାଣ ସ୍ଥିର ହୋଇ ରହିଥିଲା; ଚକ୍ରର ଆଠଟି ଅଖ ବୌଦ୍ଧ ଧର୍ମର ଅଷ୍ଟାଙ୍ଗ ମାର୍ଗକୁ ସୂଚାଇ ଦେଉଥିଲେ । ଚକ୍ର ଅନବରତ ଘୁରୁଥିଲା । ନିର୍ବାଣ ସ୍ଥିର ହୋଇ ରହିଥିଲା ।

 

ନିର୍ବାଣ ସଂସାରର ଅବିକଳ ବିପରୀତକୁ ବୁଝାଉନଥିଲା । ନିର୍ବାଣର ଅବିକଳ ସଂଜ୍ଞା ନିରୂପଣ କରିବା ସମ୍ଭବ ନୁହେଁ, ମାତ୍ର ସଂଜ୍ଞାହୀନ ହୋଇ ନିର୍ବାଣ ବୌଦ୍ଧ ଧର୍ମରେ ଆପଣାର ସ୍ଥିତିକୁ ବୋଧହୁଏ ଅଧିକ ସୁଦୃଢ଼ କରିଛି । ନିର୍ବାଣ ଆପଣାକୁ ଜାହିର ନକରିବାର ଅନ୍ୟନାମ ହୋଇ ରହିଛି-। ଆସକ୍ତିଠାରୁ ମୁକ୍ତ ହୋଇ ରହିଛି । ନିର୍ବାଣର ଆରମ୍ଭ ଏବଂ ଅନ୍ତ ନାହିଁ । ବୌଦ୍ଧଧର୍ମର ନିର୍ବାଣକୁ କେତେକାଂଶରେ ଶୈବଦର୍ଶନର ‘ଜୀବନମୁକ୍ତାବସ୍ଥା’ ସହିତ ତୁଳନା କରିହେବ, ମାତ୍ର ବୁଦ୍ଧ ବ୍ୟକ୍ତିର ଜୀବନକାଳରେ ନିର୍ବାଣର ପ୍ରାପ୍ତି ବା ଅପ୍ରାପ୍ତି ସଂପର୍କରେ କିଛି ସ୍ପଷ୍ଟ କରି ନଥିଲେ । ନିର୍ବାଣକୁ ବ୍ୟକ୍ତିର ସବୁଠୁ ଅନ୍ତରଂଗ, ପବିତ୍ର ଆତ୍ମଉପଲବ୍ଧି ଆଖ୍ୟା ଦେଇ ସେ ଅନେକ କିଛିକୁ ଉହ୍ୟ ରଖିଦେଇଥିଲେ । ବୁଦ୍ଧ ମନାକରିଥିଲେ ଆମର ସ୍ଥିତି ଅଛି, ମନା କରିଥିଲେ ଆମର ସ୍ଥିତି ନାହିଁ, ମନା କରିଥିଲେ ଆମର ଉଭୟ ସ୍ଥିତି ଅଛି ଏବଂ ନାହିଁ । ନିର୍ବାଣକୁ ସୂଚାଇବା ନିମନ୍ତେ ଏହାକୁ ବୌଦ୍ଧଧର୍ମର ମୌଳିକ ଦାର୍ଶନିକ ଆଧାରଭାବେ ସ୍ଵୀକାର କରାଯାଇଛି । ବୁଦ୍ଧ ସର୍ତ୍ତସାପେକ୍ଷ ବାସ୍ତବତାଠାରୁ ନିଃସର୍ତ୍ତ ବାସ୍ତବତାକୁ ଅଲଗା ରଖୁଥିଲେ ଯେଉଁ ପ୍ରଭେଦ ପରବର୍ତ୍ତୀ ସମୟରେ ଜର୍ମାନ୍‌ ଦାର୍ଶନିକ ଇମାନୁଏଲ୍‌ କାଣ୍ଟ୍‌ ବାହ୍ୟ ଦୃଶ୍ୟକ୍ଷେତ୍ର ଏବଂ ମୂଳବସ୍ତୁମାନଙ୍କ ମଧ୍ୟରେ ଆବିଷ୍କାର କରିଥିଲେ । ପୁନର୍ଜନ୍ମର କଥା କହିଥିବା ବୁଦ୍ଧ କିନ୍ତୁ ଆତ୍ମାରେ ବିଶ୍ଵାସ କରୁ ନଥିଲେ । ତାଙ୍କ ମତରେ ଆତ୍ମାର ସ୍ଵତନ୍ତ୍ର ସ୍ଥିତି ନାହିଁ । ଯାହାକୁ ଆମେ ‘ମୁଁ’ ବା ‘ସ୍ଵୟଂ’ କହୁଛେ ସେଇଟି ଦେହ / ରୂପ, ଅନୁଭବ, ଅବଧାରଣା, ଅନୁଭୂତି ଏବଂ କ୍ଷଣିକ ଚେତନାର ସମାହାର । ଏହି ସମାହାରରେ ଚିରନ୍ତନର ସାମାନ୍ୟତମ ଆଭାସ ମଧ୍ୟ ନାହିଁ ବୋଲି ବୌଦ୍ଧଧର୍ମରେ କୁହାଯାଇଛି ।

 

ନିରୋଳା ସ୍ଵପ୍ନଦର୍ଶୀ ପରି ବୁଦ୍ଧ ଦୁଃଖର ଅସ୍ତିତ୍ଵକୁ କେବେ ମଧ୍ୟ ଅସ୍ଵୀକାର କରିନଥିଲେ-। ଦୈହିକ ଯନ୍ତ୍ରଣା, ଜରା–ମରଣ ଜୀବନର ପ୍ରମୁଖ ସତ୍ୟ ହୋଇ ବୌଦ୍ଧଧର୍ମରେ ରହିଥିଲା । କୁହାଯାଇଛି ନିଜ ମୃତ୍ୟୁ ସମୟ ପାଖେଇ ଆସିବାବେଳେ ବୁଦ୍ଧ ନିଜର ଅନୁଗାମୀମାନଙ୍କୁ ଦୁଃଖ ନକରି ସଂସାରର ଅସଲ ସ୍ୱରୂପକୁ ଚିହ୍ନିବା ପାଇଁ ପରାମର୍ଶ ଦେଇଥିଲେ । ମୃତ୍ୟୁ ପୂର୍ବରୁ ବୁଦ୍ଧ ଅନେକବାର ସମାଧିସ୍ଥ ହୋଇଥିଲେ । ତାଙ୍କ ମୃତ୍ୟୁରେ ପୃଥିବୀ ଅସମ୍ଭବ ଭାବେ ଥରି ଉଠିଥିଲା । ଆକାଶ ଯଦିଓ ମେଘମୁକ୍ତ ଥିଲା, ଚନ୍ଦ୍ରର କିରଣ ମଳିନ ପଡ଼ିଯାଇଥିଲା । ପବନର ଗତି ଯଥେଷ୍ଟ କମି ଯାଇଥିଲା । ପ୍ରକୃତି ବିମର୍ଷ ମନେ ହେଉଥିଲା । ସେତେବେଳେ ଫୁଲ ଫୁଟିବାର ଋତୁ ନଥିଲା କିନ୍ତୁ ଗୌତମ ଶେଷ ନିଶ୍ଵାସ ତ୍ୟାଗ କରିଥିବା ବଗିଚାରେ ହଠାତ୍‌ ଯେମିତି ବସନ୍ତର ରାସ ଲାଗିଗଲା । ଗଛସବୁ ବୁଦ୍ଧଙ୍କ ଉପରକୁ ନଇଁ ପଡ଼ିଲେ ଏବଂ ପୁଷ୍ପ ବୃଷ୍ଟି କଲେ । ବୁଦ୍ଧ ନିର୍ବାଣକୁ ଜନ୍ମ-ମୃତ୍ୟୁର ଚକ୍ରଠାରୁ ଦୂରରେ ରଖିଥିଲେ । ମୃତ୍ୟୁପରେ କ’ଣ ହୁଏ ସେସବୁ ଚିନ୍ତା କରିବା ତାଙ୍କ ମତରେ ଅନାବଶ୍ୟକ ଥିଲା । ସେ ନିର୍ବାଣକୁ ଏକ ତତ୍ତ୍ଵ ଭାବରେ ନୁହେଁ ବରଂ ଏକ ଅନନ୍ୟ ଉପଲବ୍ଧିର ଉପକ୍ରମ ଭାବରେ ଗ୍ରହଣ କରିଥିଲେ ।

Image

 

ସୀମିତ ସମୟ, ଅସୁମାରି ସ୍ଵପ୍ନ

 

‘‘ବିତିଯାଉଥିବା ପ୍ରତ୍ୟେକଟି ଦିନ ପ୍ରକୃତରେ ଏକ ପୃଥକ୍‌ ଜୀବନ”–ସେନେକା ଜୀବନ ସାରା ଆମେ ପ୍ରକୃତି ବିରୁଦ୍ଧରେ ଅଭିଯୋଗ କରିଥାଉଁ । ପ୍ରକୃତି କୁଆଡ଼େ ପ୍ରକୃତରେ ହୃଦୟହୀନ । କାରଣ ଏଇ ସୁନ୍ଦର ସଂସାରରେ ବଂଚି ରହିବା ପାଇଁ ସେମିତି ଅଧିକ ସମୟ ଆମକୁ ମିଳେନାହିଁ । ଯାହାକିଛି ମିଳେ ସେତକ ଚାହୁଁ ଚାହୁଁ ହାତ ପାପୁଲିରୁ ଉଡ଼ିଯାଏ । ଅବଶିଷ୍ଟ ସମୟକୁ ସାଉଁଟିନେବା ଆଗରୁ ହିଁ ଆମେ ପହଂଚି ଯାଇଥାଉ ଏମିତି ଏକ ସ୍ଥିତିରେ ଯେଉଁଠି ସମୟ ମନେହୁଏ ଭାରି ଅନ୍ତରଂଗ, କିନ୍ତୁ ଏହାର ଆଶ୍ଲେଷକୁ ନିବିଡ଼ଭାବେ ଅନୁଭବ କରିବାର ଶୁଭ ମୁହୂର୍ତ୍ତରେ ହିଁ ଏହା ଶେଷ ହୋଇଯାଏ । ଅନିଛାକୃତ ଭାବେ ଆମେ ମୃତ୍ୟୁର ଶୀତଳ ଉପତ୍ୟକାରେ ପାଦ ଦେଉ । ସେତେବେଳକୁ ସବୁ ଶେଷ ହୋଇଯାଇଥାଏ । ଜୀବନ କିନ୍ତୁ ସତରେ ଏତେ ଛୋଟ ନୁହେଁ; ପ୍ରକୃତି ହୃଦୟହୀନ ବି ନୁହେଁ । ଜୀବନ ଭିତରେ ସବୁଥାଏ–ଅତୀତ, ବର୍ତ୍ତମାନ, ଭବିଷ୍ୟତ । ଜୀବନ ଭିତରେ ଉଭୟ ଜୀବନ ଏବଂ ମୃତ୍ୟୁ ଥାଏ । ଯେଉଁ କେତେ ଜଣ ଜୀବନର ସାୟାହ୍ନରେ କୌଣସି ଏକ ରମ୍ୟ ଉପତ୍ୟକାରେ ଠିଆହୋଇ ଅଚାନକ ଅତୀତର ସାରାଂଶକୁ ଆବିଷ୍କାର କରିଥା’ନ୍ତି ଓ ସେଇ ମୁହୂର୍ତ୍ତରେ ଅବଶିଷ୍ଟ ଜୀବନକୁ ଆଗ୍ରହରେ ଆପଣେଇ ନେବେ ବୋଲି ସ୍ଥିର କରନ୍ତି, ଅସଲରେ ସେମାନଙ୍କ ପାଇଁ ଢେର ବିଳମ୍ବ ହୋଇଯାଇଥାଏ । ସେତେବେଳେ ଦେହ ମନର ମିତ ହୋଇ ରହିପାରେ ନାହିଁ । ହାତ ଥରେ, ପାଦ ଟଳମଳ ହୁଏ । ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟାକରି ଆମେ ଝୁଣ୍ଟିପଡ଼ୁ ଓ କଷ୍ଟପାଉ । ଜୀବନଟା ଅକାରଣ ବିତିଗଲା ବୋଲି ମନେହୁଏ । କିନ୍ତୁ ନିଜକୁ ନୂଆକରି ଚିହ୍ନିବାକୁ ଆଉ ସୁଯୋଗ ମିଳେନାହିଁ । ଯାହା ସେଇ ମୁହୂର୍ତ୍ତରେ ମଣିଷକୁ ଆବୋରି ବସେ ସେଇଟି ହେଉଛି ପ୍ରଚଣ୍ଡ ଅବଶୋଷ ।

 

ଜୀବନର ଦୀର୍ଘ ଦୂରୂପଯୋଗ-ଜନିତ ଅବଶୋଷ ଯେଉଁଠାରୁ ଆଉ ମୁକ୍ତି ମିଳେନାହିଁ । ଅନ୍ୟ ଅର୍ଥରେ, ଆମେ ଯେଉଁ ଜୀବନଟି ଯଥାର୍ଥରେ ବଂଚିଥାଉ ସେଇ ଜୀବନଟି ହିଁ ପ୍ରକୃତରେ ଖୁବ୍‌ ଛୋଟ । ଅଳ୍ପଦିନର ସେଇ ଅର୍ଥପୂର୍ଣ୍ଣ ସମୟକୁ ବାଦନେଲେ ସତରେ ଆମର ଜୀବନ ଜୀବନ ପଦବାଚ୍ୟ ହୋଇନଥାଏ । ଏଇ ବିଚିତ୍ର ଚକାଭଉଁରୀ ଖେଳ, ମନୁଷ୍ୟ ଜୀବନର ସ୍ଵଚ୍ଛତା, ସମୟର ସୀମିତ ଆବର୍ତ୍ତରେ ଅସୁମାରୀ ସ୍ୱପ୍ନର ଚିରହରିତ୍‌ ଫସଲ, ଅକସ୍ମାତ୍‌ ଅଂଧକାରର ପ୍ରବେଶ, ମୃତ୍ୟୁର ଶୀତଳ ଅନୁଭୁତି–ଏସବୁର ଏକ ଚମତ୍କାର ଚର୍ଚ୍ଚା କରିଥିଲେ ସେନେକା (ଖ୍ରୀ:ପୃ:୦୩-ଖ୍ରୀଷ୍ଟାବ୍ଦ ୬୫)।

 

ସେନେକା କହିଥିଲେ ଯାହା ଆମକୁ ଆକର୍ଷିତ କରି ରଖିଲେ ଜୀବନ ସାର୍ଥକ ହୋଇପାରନ୍ତା, ଅଧିକାଂଶଙ୍କ କ୍ଷେତ୍ରରେ ସେମିତି ଘଟି ନଥାଏ । ଏହା ଦୁର୍ଭାଗ୍ୟଜନକ ହେଲେ ମଧ୍ୟ ନିଛକ ସତ୍ୟ । ସାରାଜୀବନ ଅର୍ଥ, ପ୍ରତିଷ୍ଠା ଓ ସକଳ ଉପଭୋଗ ନିମନ୍ତେ ଆମେ ଏତେ ବ୍ୟସ୍ତ ରହିଥାଉଁ ଯେ ଆମ ଅଜ୍ଞାତସାରରେ ଜୀବନର ସେହି ଦୀର୍ଘ, ସବୁଜ ଋତୁର ଅନ୍ତଘଟେ ଏବଂ ହଠାତ୍‌ ମୃତ୍ୟୁର ଋତୁ ଆବିର୍ଭୂତ ହୁଏ । ଏତେ ସମୟ ଆମେ ଅପଚୟ କରିଥାଉଁ ଯେ, ସେଭିତରେ କେବେ ବି ଆମେ ନିଜକୁ ସାମାନ୍ୟ ଚିହ୍ନିବା ପାଇଁ ଉଦ୍ୟମ କରି ନଥାଉ । ନିଜ ମୁକ୍ତିର ଚାବିକାଠି ଆମେ ଆଉ କାହାକୁ ସମର୍ପି ଦେଉ ଏବଂ ନିଜ ଭିତରେ ନିଜେ ବନ୍ଦୀ ହୋଇ ରହିଥାଉଁ ।

 

ଅନ୍ତରଙ୍ଗ ଭାବେ ଆପଣାର ଜୀବନକୁ ଚିହ୍ନିବା ପାଇଁ, ଜୀଇଁବା ପାଇଁ ଆଭିମୁଖ୍ୟଟି ଅଧିକାଂଶଙ୍କ ଭିତରେ ଅନୁପସ୍ଥିତ ଥାଏ । କେତେ ଲୋକ ସଚେତନ ହୋଇ ଶେଷ ପର୍ଯ୍ୟନ୍ତ ଜୀବନର ଅର୍ଥକୁ ଅନ୍ଵେଷଣ କରୁଥାନ୍ତି, ମୃତ୍ୟୁକୁ ମଧ୍ୟ ଖୋଜୁଥାନ୍ତି, ଅଥଚ ଅନ୍ତିମ ସମୟ ଯାଏ ସେମାନେ ଜୀବନର ମହାର୍ଘତାକୁ ଉପଲବ୍‌ଧି କରିପାରନ୍ତି ନାହିଁ । ସାରାଜୀବନର ସତ୍ୟନିଷ୍ଠ ନିରବଛିନ୍ନ ଅନ୍ୱେଷଣ କେତେକଙ୍କ ପାଇଁ ହୁଏତ ସେମିତି ଏକ ଶାଶ୍ୱତ ଅନୁସନ୍ଧିତ୍ସା ହୋଇ ରହିଯାଏ । ଏଇ ଦୀର୍ଘ ଅନୁସଂଧାନରେ କିଛି ମିଳୁ ବା ନମିଳୁ ଅନ୍ତତଃ ଜୀବନର ଦୁରୁପୋଯୋଗରୁ ସେମାନେ ନିବୃତ୍ତ ରହିଥା’ନ୍ତି । ସେମାନେ ଆପାତତଃ ସମୟର ମୂଲ୍ୟ ବୁଝିଥା’ନ୍ତି । କିନ୍ତୁ ଏଭଳି ଅନେକ ଅଛନ୍ତି ଯେଉଁମାନେ ଜୀବନରେ ସମୟକୁ ଭାରି ଖାମ୍‌ଖିଆଲ ଭାବେ ଗ୍ରହଣ କରିଥା’ନ୍ତି । ସମୟର ଗତିକୁ ଏମାନେ ଗୁରୁତ୍ୱ ଦିଅନ୍ତି ନାହିଁ । ନିଜର ଯୋଜନା ଓ ପରିଯୋଜନାକୁ ନେଇ ଏମିତି ବ୍ୟସ୍ତ ରହିଥାନ୍ତି ଯେ ସେମାନେ ବର୍ତ୍ତମାନକୁ ସର୍ବଦା ମୁଲତବୀ ରଖନ୍ତି, ନୂଆ ତାରିଖ ଧାର୍ଯ୍ୟ କରନ୍ତି । ଏକ ଅନିର୍ଦ୍ଧିଷ୍ଟ ଭବିଷ୍ୟତ ନିମନ୍ତେ ଏମାନେ ବର୍ତ୍ତମାନକୁ ଅଣଦେଖା କରିଥା’ନ୍ତି । ସମୟ ଏମାନଙ୍କ ଦରବାରରେ ବରାବର ପଛ ବେଂଚ୍‌ରେ ବସିଥାଏ । ଆଗ ବେଂଚ୍‌ର ଅତିଥିମାନଙ୍କୁ ସଂଖୋଳିବାରେ ହିଁ ଜୀବନ ବିତିଯାଏ । ଆଗ ବେଂଚ୍‌ରେ ଉପଭୋଗ ଥାଏ । ସେ ବର୍ଷକୁ ବର୍ଷ ଆମ ଘରର ଡିଷ୍ଟେମ୍ପର୍‌ ବଦଳାଏ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ / କ୍ରେଡିଟ୍‌ କାର୍ଡ଼ର ହିସାବ ରଖେ, ନୂଆ କାର୍‌ କିଣାଏ, ପ୍ରମୋଶନ୍‌ ପାଇଁ ଉପରିସ୍ଥଙ୍କୁ ସନ୍ତୁଷ୍ଟ କରିବାକୁ ପରାମର୍ଶ ଦିଏ ଏବଂ ସ୍ଥଳ ବିଶେଷରେ ଆଧ୍ୟାତ୍ମିକତା ପାଇଁ ଅମୁକ ଜଗଦ୍‌ଗୁରୁଙ୍କ ଦୀକ୍ଷା ନେବାପାଇଁ ପ୍ରବର୍ତ୍ତାଏ । ଆଗ ଧାଡ଼ିର ଅତିଥି ଜୀବନସାରା ଆମକୁ ସମ୍ମୋହିତ କରି ରଖିଥାଏ; ବସ୍ତୁତଃ ଆମେ ତା’ର କ୍ରୀତଦାସ ପାଲଟି ଯାଉ । ସମ୍ମୋହିତ ହୋଇ ଆମେ ଜୀବନସାରା ଭୁଲ୍‌ କରି ମଧ୍ୟ କଦାପି ସ୍ଵୀକାର କରି ନଥାଉ । ବରଂ ସେସବୁ ସଫଳତାର ଆଖ୍ୟା ନିଅନ୍ତି । ସେନେକାଙ୍କ ମତରେ ଆମର ତଥାକଥିତ ଆକ୍ରମଣ ଓ ବିଜୟରେ ଆମେ ନିଜେ ମଧ୍ୟ କ୍ଷତାକ୍ତ ହେଉ, ପୀଡ଼ିତ ହେଉ; ଥରେ ଥରେ ନିଜକୁ କଷ୍ଟ ଦେବାପାଇଁ ବାଧ୍ୟ ହୋଇଥାଉ, ଅଥଚ ଆମ ଅନ୍ତଃକରଣରେ ସେମିତି ଖାସ୍‌ ପରିବର୍ତ୍ତନ ଘଟେ ନାହିଁ-। ଏହି ସବୁ ଏକ ସ୍ଵାଭାବିକ କାର୍ଯ୍ୟବ୍ୟସ୍ତ ଜୀବନର ମାମୁଲି ଘଟଣା ହୋଇ ତିଷ୍ଠି ରହନ୍ତି । ସେତିକି ନୁହେଁ, ଆମ ପାପମାନଙ୍କୁ ପବିତ୍ର ଜାହିର କରିବାପାଇଁ ଆବଶ୍ୟକ ପଡ଼ିଲେ ଆମେ ଈଶ୍ୱରଙ୍କୁ ମଧ୍ୟ ଆମ ସହିତ ଛନ୍ଦି ଦେଇଥାଉ । ଈଶ୍ୱରଙ୍କ ନାମରେ ଅନେକ ଜଘନ୍ୟ ଅପରାଧ ଆମରି ପ୍ରାୟୋଜିତ ପାପ ହୋଇ ସେହି ଏକା ପରିଧିରେ ବିରାଜୁଥା’ନ୍ତି ।

 

ସେନେକା ଏକଥା ମଧ୍ୟ କହିଛନ୍ତି ଯେ ଏକ ଧରାବନ୍ଧା କାର୍ଯ୍ୟସୂଚୀ ଆମକୁ ଅବଶ୍ୟ ଭାରି ପାଣିଚିଆ ଲାଗେ, କିନ୍ତୁ ସଂସାରର କାର୍ଯ୍ୟବ୍ୟସ୍ତତାରୁ ମୁକୁଳିଯିବା ପାଇଁ ଆମେ ଇଛା କରି ନଥାଉ । କେବଳ ଅଭିନେତାର ଯାହା ସାମାନ୍ୟ ଚରିତ୍ର ପରିବର୍ତ୍ତନ ଘଟିଥାଏ । ଆମେ ନିଜ ସମ୍ପତ୍ତିର ରକ୍ଷଣାବେକ୍ଷଣ ବଦଳରେ ଶିଳ୍ପପତି ପୁଅର ବ୍ୟବସାୟରେ ମନଦେଉ, ନିଜ ଘରର ଆୟବ୍ୟୟର ହିସାବ ରଖିରଖି ବିରକ୍ତ ଲାଗିଲେ ଟ୍ରଷ୍ଟି ହିସାବରେ ଆମ ସାହି ମନ୍ଦିରର ହିସାବ ସମୀକ୍ଷା କରୁ, ନିଜର ପାଞ୍ଚଟି କୋଠା କରି ସାରିବାପରେ କୌଣସି ଆତ୍ମୀୟ ପାଇଁ ତା’ର ଅନୁରୋଧ କ୍ରମେ ଦୁଇଟି କୋଠା ତିଆରି କରିଦେବାର ଦାୟିତ୍ୱ ନେଉ, ଓକିଲାତି ଭଲ ନ ଲାଗିଲେ କୌଣସି ମତେ ନ୍ୟାୟାଧୀଶ ହୋଇ ଅନ୍ୟମାନଙ୍କର ବିଚାର କରିପକାଉ ଇତ୍ୟାଦି.... । ଅସଲରେ ଆମେ ଆପଣାକୁ ଆବିଷ୍କାର କରିନଥାଉ, କେବଳ ଏକ ପାରମ୍ପରିକ ଖସଡ଼ାର ସାମାନ୍ୟ ପରିବର୍ତ୍ତନ କରିଥାଉଁ । ବ୍ୟସ୍ତତାର ସ୍ଵରୂପ ଯାହା ବଦଳିଯାଏ; ଏଣେ ଅସଲ ସମୟଟି ଆମ ଅପେକ୍ଷାରେ ପଛ ବେଂଚଲେ ସେମିତି ବସି ରହିଥାଏ । ତଥାକଥିତ ବ୍ୟସ୍ତତାରୁ ସାମୟିକ ବିରତି ନେଇ ଆମେ କ’ଣ କେବେ ଭାବିଥାଉ ପ୍ରକୃତି ଆମକୁ କଣ ଦେଇଛି ? ଜୀବନର ଲଷ୍ୟ କ’ଣ, ଈଶ୍ୱରଙ୍କର ସ୍ଵରୂପ କ’ଣ ? ମୃତ୍ୟୁପରେ ଆତ୍ମା କେଉଁଠିକି ଯିବ ? ସେହି ନିୟମଟି କ’ଣ ଯାହା ସବୁଠୁ ଭାରି ପଦାର୍ଥଗୁଡ଼ିକୁ ପୃଥିବୀର କେନ୍ଦ୍ରରେ ରଖିଛି, ଯାହା ଆଲୋକକୁ ଆକାଶରେ ଝୁଲାଇ ରଖିଛି ! ଯାହା ନିଆଁ, ପାଣି ଓ ପବନକୁ ସମ୍ଭବ କରାଇଛି, ଯାହା ଅନ୍ତରୀକ୍ଷରେ ଅଗଣିତ ନକ୍ଷତ୍ରମାନଙ୍କୁ ନିୟନ୍ତ୍ରଣ କରୁଛି ଏବଂ ନିମିଷକେ ସବୁ ପଦାର୍ଥକୁ ବାଷ୍ପକରି ମହାକାଶରେ ବିଲୀନ କରିଦେବାର ସାମର୍ଥ୍ୟ ରଖିଛି ! ଆମରି ଜୀବନରେ ଏମିତି ଚିନ୍ତା କରିବା କିନ୍ତୁ ବେଶ୍‌ ସମ୍ଭବ । ନିଜ ଅଭ୍ୟନ୍ତରକୁ ନିରିଖେଇ ଚାହିଁବା ସମ୍ଭବ । ଭଲପାଇବା, ଭଲ ଗୁଣର ଅଧିକାରୀ ହେବା ସମ୍ଭବ । ଏହି ଜୀବନରେ ପ୍ରବୃତ୍ତି ମାନଙ୍କଠାରୁ ଯତ୍‌ କିଂଚିତ୍‌ ନିଜକୁ ମୁକ୍ତ ରଖିବା ମଧ୍ୟ ସମ୍ଭବ । ଉଭୟ ଜୀବନ ଓ ମୃତ୍ୟୁକୁ ନିକଟରୁ ଚିହ୍ନିବା ସମ୍ଭବ । କିନ୍ତୁ ଅଧିକାଂଶ ଏମିତି କରନ୍ତି ନାହିଁ । ଏମିତି ହେବା ପାଇଁ ଇଛା କରନ୍ତି ନାହିଁ । ସବୁଠୁ ବଡ଼ ବିଡ଼ମ୍ବନା ଏହି ଯେ, ଏ ସଂସାରରେ ଅନେକ ଲୋକଙ୍କ କ୍ଷେତ୍ରରେ ଭଲପାଇବା ବା ଘୃଣା କରିବାପରି ମୌଳିକ ପ୍ରବୃତ୍ତି ମଧ୍ୟ ସେମାନଙ୍କ ନିଜ ଅକ୍ତିଆରରେ ନଥାଏ । ଅର୍ଥାତ୍‌ ଆଉ କେହି ଚାହିଁଲେ ସେମାନେ ଭଲ ପାଆନ୍ତି, ହସନ୍ତି ଓ ଘୃଣା କରନ୍ତି । ନିଜ ପରିବାର ପାଇଁ, ନିଜ କ୍ଲବ୍‌ ପାଇଁ ଓ ନିଜ ରାଷ୍ଟ୍ର ପାଇଁ ଅଧିକାଂଶ ମଣିଷ ନିଜର ମୌଳିକତାକୁ ବଳିଦେଇ ଗୋଟାଏ ମିଛ ଜୀବନ ବଞ୍ଚୁଥା’ନ୍ତି । ଅବଶ୍ୟ ସେମାନେ ଏହି ଆଶାରେ ନିଜ ଜୀବନକୁ ବାଜି ଲଗେଇ ଦେଇଥାନ୍ତି ଯେ ଅନେକ ବର୍ଷ ନଷ୍ଟ ହୋଇଗଲେ ବି ଅନ୍ତତଃ ବର୍ଷଟିଏ ତ ମିଳିବ ଯେଉଁ ବର୍ଷଟି ସେମାନଙ୍କର ଏକାନ୍ତ ନିଜସ୍ଵ ହୋଇ ରହିବ ! ମାତ୍ର ଏମିତି ସମୟଟି ଆସେ ନାହିଁ । ଏହାର କାରଣ ହେଉଛି, ଆମ ଜୀବନଟି ବି କିଛି କମ୍‌ ଖେଳୁଆଡ଼୍‌ ନୁହେଁ ! କେତେକଙ୍କୁ ଜୀବନ ଆଦ୍ୟ ଆଷାଢ଼ରେ ଏକା ଛାଡ଼ି ଚାଲିଯାଏ ।

 

ସେତେବେଳକୁ ସେମାନଙ୍କର ଆରୋହଣ ଆରମ୍ଭ ମାତ୍ର ହୋଇଥାଏ, ସ୍ଵପ୍ନ ସବୁ ଅପୂର୍ଣ୍ଣ ରହିଥାନ୍ତି । ଆଉ କେତେକଙ୍କ ସହିତ ଜୀବନ ସିଡିର ଉପର ପାହାଚ ପର୍ଯ୍ୟନ୍ତ ଆସେ, ଯେଉଁଠି ପହଞ୍ଚିଯିବା ପରେ ମଣିଷ ଭାବେ ଯ଼େ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଇଛି, ତାର ସ୍ଵପ୍ନ ସାକାର ହୋଇଛି, କିନ୍ତୁ ତା’ର ଏହି ଅନୁଭବଟି ମଧ୍ୟ ଆସିଥାଏ ଯେ ଏତେ ପରିଶ୍ରମ କରି, ଏତେ ଲୋକଙ୍କୁ କ୍ଷତାକ୍ତ କରି ସିଡ଼ିର ଉପରକୁ ଆସିବାରେ ବିଶେଷ ମଜାନାହିଁ । କାରଣ, ଉପରକୁ ଆଉ ପାହାଚ ଅବଶିଷ୍ଟ ନାହିଁ; ଉପରେ ଏକାନ୍ତ ନିର୍ଜନତା, ମୃତ୍ୟୁର ଶୀତଳ ଉପତ୍ୟକା ଏବଂ ଏହି ଉପଲବ୍ଧି ଆସିବାକ୍ଷଣି ଚତୁର ଜୀବନ ଅଚାନକ ହାତ ଛାଡ଼ିଦିଏ । ଆଉ କେତେଙ୍କ ସହିତ ଜୀବନ ଆସେ ସେହି ପର୍ଯ୍ୟନ୍ତ-ଯେତେବେଳେ ବାର୍ଦ୍ଧକ୍ୟରେ ହିଁ ସେମାନେ ଅନୁଭବ କରିଥା’ନ୍ତି ଯେ ଅର୍ଥପୂର୍ଣ୍ଣ ଜୀବନର ରାସ୍ତାଟି ଯାହା ସେମାନଙ୍କ ଜୀବନରେ ଅବ୍ୟବହୃତ ରହିଥିଲା, ସେହି ରାସ୍ତାଟି ଖୁବ୍‌ ପାଖରେ ହିଁ ଲମ୍ବିଯାଇଛି-ଏଣିକି ସେମାନେ ସେହି ରାସ୍ତାରେ ଯିବେ । କିନ୍ତୁ ସେହି ରାସ୍ତାରେ ପାଦ ଥାପିବା କ୍ଷଣି ଜୀବନ ବାଟ ଭାଙ୍ଗି ଚାଲିଯାଏ । ତେବେ ସେନେକାଙ୍କ ମତରେ ସେ ଲୋକଟି ସବୁଠୁ ମୂଢ଼ ଯିଏ ବାର୍ଦ୍ଧକ୍ୟରେ ବି ଅସଲ ଫର୍ଚ୍ଚା ରାସ୍ତାଟି ଦେଖି ପାରେନାହିଁ ବରଂ ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ଭୁଲ୍‌ ସୁଧ ହିସାବକୁ ନେଇ ତତ୍‌କ୍ଷଣାତ଼୍‌ ବିବ୍ରତ ହୋଇପଡ଼େ, ଯିଏ ବାର୍ଦ୍ଧକ୍ୟରେ ବି ଭୋଗର ଆହୁରି ଅନେକ କାଳ୍ପନିକ ଉଚ୍ଚତାକୁ ଯିବାପାଇଁ ଇଛା କରିଥାଏ; ଯିଏ ଶାରୀରିକ ପରିଶ୍ରମ ଯୋଗୁଁ ନୁହେଁ ବରଂ ଆପଣା ଜୀବନଶୈଳୀର ବୋଝରେ ହିଁ ଭାଙ୍ଗିପଡ଼େ-। ପୃଥିବୀରେ ଅଧିକାଂଶ ମଣିଷଙ୍କର ଦଶା ଏହାହିଁ ହୋଇଥାଏ । ସେମାନେ କୁହୁଡ଼ି ପଛରେ ଗୋଡାଉଥା’ନ୍ତି, ସାମ୍ରାଜ୍ୟର ସ୍ଵପ୍ନ ଦେଖୁଥା’ନ୍ତି, ଆକ୍ରମଣ କରୁଥା’ନ୍ତି ଏବଂ କ୍ଷତାକ୍ତ ହେଉଥା’ନ୍ତି । ଆପଣା ଜୀବନ ଭିତରେ ପରିତ୍ରାଣର ମାର୍ଗଟି ଲୁଚି ରହିଛି–ଏକଥା ସେମାନେ ଜାଣିବା ପାଇଁ କେବେ ମଧ୍ୟ ଚେଷ୍ଟା କରନ୍ତି ନାହିଁ ।

 

ପୃଥିବୀରେ ସବୁକିଛି ଏକ ନିୟମରେ ବନ୍ଧା । ପ୍ରକୃତି ମଧ୍ୟ ନିଜସ୍ଵ ନିୟମର ଅଧୀନ । ମନୁଷ୍ୟ ପ୍ରକୃତିର ବିରୁଦ୍ଧାଚରଣ କରିବ ନାହିଁ, ପ୍ରକୃତି ସହିତ ମିତ୍ରତା ଆଚରଣ କରିବ, ତେବେ ଯାଇ ପ୍ରକୃତି ତା’ର ଅନୁପ୍ରେରଣା ହୋଇ ରହିବ । ସଦାଚାର ମଣିଷ ଜୀବନର ଆଦର୍ଶ ହେବ । ନିଜ ଭିତରେ ଥିବା ସତ୍‌ଗୁଣକୁ ସେ ଚହ୍ନିବ, ବିକାଶ କରିବ ଓ ତା’ଚାରିପାଖରେ ଅକାତରେ ବାଣ୍ଟିବ-। ନିଜର ପ୍ରବୃତିକୁ ସେ ନିୟନ୍ତ୍ରଣରେ ରଖିବ । ପ୍ରବୃତ୍ତିର ଦାସ କଦାପି ହେବ ନାହିଁ । ସେ ସୁଖରେ ଆତ୍ମବିଭୋର ହେବ ନାହିଁ କିମ୍ବା ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ । ସଂସାର ଭିତରେ ଥାଇବି ସେ ନିର୍ଲିପ୍ତ ହେବ, ବିଷୟାସକ୍ତ ହେବନାହିଁ । ହୁଏତ ସେ ଇନ୍ଦ୍ରିୟାତୀତ ନ ହୋଇପାରେ, ମାତ୍ର ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରକ ହେବ । ସବୁ ଅସମାହିତ ପ୍ରଶ୍ନର ଉତ୍ତର ସେ ନିଜ ଭିତରେ ଏବଂ ପ୍ରକୃତି ଭିରେ ଖୋଜବି । ଅସଲ ମୁକ୍ତିଟି ତା’ର ସଦାଚାରରେ ହିଁ ତିଷ୍ଠି ରହିଥିବ । ସଂକ୍ଷେପରେ ଏହାହିଁ ହେଉଛି ଷ୍ଟଇସିଜ୍‌ମ୍‌ (stoicism)

 

ସେନେକା ଏହି ଦର୍ଶନର କଥା କହିଥିଲେ ଏବଂ ଅତ୍ୟନ୍ତ ଦୃଢ଼ ଭାବେ କହିଥିଲେ । ତତ୍କାଳୀନ ରୋମ୍‌ରେ ସେନେକାଙ୍କ କଥା ଶାସକଙ୍କ ପାଇଁ ଅସଙ୍ଗତ ମନେ ହୋଇଥିଲା । ଫଳରେ ଆଠ ବର୍ଷ କାଳ କର୍ସିକାରେ ସେ ନିର୍ବାସିତ ହୋଇ ରହିଲେ। ନିର୍ବାସନରୁ ଫେରିବାପରେ ସେନେକା ବେଶ୍‌ କେତେ ବର୍ଷ ନିରୋଙ୍କର ଶିକ୍ଷକ ତଥା ଉପଦେଷ୍ଟା ଭାବରେ ନିଯୁକ୍ତି ପାଇଥିଲେ । କିନ୍ତୁ ନିରୋଙ୍କର ମିଜାଜ୍‌ ଥିଲା ଭିନ୍ନ, କାରଣ ସଦାଚାର ଓ ଉଗ୍ର ସାମ୍ରାଜ୍ୟବାଦ କଦାପି ମିତ୍ର ହୋଇ ରହି ନଥା’ନ୍ତି । ସେନେକାଙ୍କ କ୍ଷେତ୍ରରେ ତାହା ହିଁ ଘଟିଥିଲା । ଘଟଣା କ୍ରମରେ ସେ ରାଜନୀତିରୁ ଅବ୍ୟାହତି ନେଲେ । ତାଙ୍କର ସମସ୍ତ ଧନ ସମ୍ପତ୍ତି ସେ ନିରୋଙ୍କୁ ଦେଇଦେବା ପାଇଁ ଚାହୁଁଥିଲେ । କିନ୍ତୁ ସେସବୁ ସମ୍ଭବ ହୋଇ ନଥିଲା । ଖ୍ରୀଷ୍ଟାବ୍ଦ ୬୫ରେ ରାଜନୀତିରୁ ଅବସର ନେଇ ସେତେବେଳକୁ ଅଧ୍ୟୟନରେ ମନୋବିବେଶ କରିଥିବା ସେନେକାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ଅଭିଯୋଗ ଅଣାଗଲା ।

 

ଖୋଦ୍‌ ସମ୍ରାଟ୍‌ ନିରୋଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସେ ଦୋଷୀ ସାବ୍ୟସ୍ତ ହେଲେ । ଦୀର୍ଘ ବର୍ଷ ଧରି ନିରୋଙ୍କୁ ଶାସନ ଓ ଅନୁଶାସନର ଶିକ୍ଷା ଦେଇଥିବା ଏହି ଶିକ୍ଷକଙ୍କୁ ଶେଷରେ ସଦୟ ସମ୍ରାଟ୍‌ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ଦେଇଥଲେ । ଏପରିକି ମୃତ୍ୟୁ ପୂର୍ବରୁ ଗୋଟାଏ ଉଇଲ୍‌ କରିବାପାଇଁ ସେନେକାଙ୍କୁ ମଧ୍ୟ ଅନୁମତି ମିଳିଲା ନାହିଁ, କାରଣ ସେଇଟି କୁଆଡ଼େ ହୋଇଥା’ନ୍ତା ସମୟ ସାପେକ୍ଷ । ସେନେକା ତାଙ୍କର ଧମନୀ କାଟି ପକାଇଥିଲେ । ନିଜ ଜୀବନରେ ମୃତ୍ୟୁକୁ ଭାରି ଆଗ୍ରହରେ ସଂଖୋଳି ନେବା ପାଇଁ ସାରାଜୀବନ କହି ଆସୁଥିବା ଏହି ପ୍ରସିଦ୍ଧ ଦାର୍ଶନିକ ତାଙ୍କ ଜୀବନରେ ଠିକ୍‌ ତାହାହିଁ କରିଥିଲେ ।

 

(ସେନେକାଙ୍କ ‘‘ଅନ୍‌ ଦି ସର୍ଟନେସ୍‌ ଅଫ ଲାଇଫ୍‌’’ ଉପରେ ଆଧାରିତ)

Image

 

ଉପକ୍ରମ ନୁହେଁ, ସମ୍ପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ

 

ପ୍ରାୟ ପଚାଂନବେ ବର୍ଷ ତଳର କଥା । ଥିଓସୋଫିକାଲ୍‌ ସୋସାଇଟିର ପ୍ରତିଷ୍ଠାତା ଆନିବେସାନ୍ତ ଏବଂ ତାଙ୍କର ବନ୍ଧୁ ଲିଡ଼୍‌ବିଟର୍‌ ବିଶ୍ଵ ଗୁରୁଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନ ବୁଲୁଥାନ୍ତି । ସେତେବେଳକୁ ‘ଅଡ଼ର୍‌ ଅଫ୍‌ ଦି ଷ୍ଟାର୍‌’ ପ୍ରତିଷ୍ଠା ହୋଇସାରିଥାଏ ଏବଂ ଏହି ସଂଗଠନ ମାଧ୍ୟମରେ ସାରା ସଂସାରକୁ ଆଧ୍ୟାତ୍ମିକ ଦିଗ୍‌ଦର୍ଶନ ଦେବାପାଇଁ ସେମାନେ ତ୍ରାଣକର୍ତ୍ତାଟିଏ ଖୋଜୁଥାନ୍ତି । ଭାରି ଆଗ୍ରହରେ ସେମାନଙ୍କର ଅନ୍ଵେଷଣ ଜାରି ରହିଥାଏ । ଦିନେ ସେମାନେ ଏମିତି ବୁଲୁ ଥିବାବେଳେ ତତ୍‌କାଳୀନ ମାଡ୍ରାସ୍‌ ପେସିଡେନ୍‌ସି ଇଲାକାରେ, ସମୁଦ୍ର କୂଳରେ ହଠାତ୍‌ ଆବିଷ୍କାର କଲେ ସାଂଗମାନଙ୍କ ସହିତ ଖେଳରେ ମଜି ଯାଇଥିବା ଏକଦମ୍‌ ପତଳା ପିନ୍‌ପିନ୍‌ ପିଲାଟିଏ । ପିଲାଟିର ଚେହେରାରେ ଏକ ବିଚିତ୍ର ଆକର୍ଷଣ ଥିଲା ଯାହା ଯାଦୁପରି ସଂଚରି ଯାଉଥିଲା । ସେଦିନର ସେଇ ସାନ ପିଲାଟିକୁ, କୃଷ୍ଣକୁ-ସେମାନେ ଆପଣେଇ ନେଇଥିଲେ । କୃଷ୍ଣମୂର୍ତ୍ତିଙ୍କୁ ଯୋଗାଇ ଦିଆଯାଇଥିବା ଏକ ଆଦର୍ଶ ଭିତ୍ତିଭୂମି, ଉତ୍ତମ ଶିକ୍ଷା। ଏଇ ଘଟଣାର ଅନେକ ବର୍ଷ ପରେ, ୨ ଅଗଷ୍ଟ ୧୯୨୯ରେ ହଲାଣ୍ଡରେ ଯେତେବେଳେ ଥି‌ଓସୋଫିକାଲ୍‌ ସୋସାଇଟି ତା’ର ନୂଆ ତ୍ରାଣବାର୍ତ୍ତାଟିକୁ ସମଗ୍ର ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିବାପାଇଁ ବସିଥି‌ଲା ଏକ ଅଭାବନୀୟ ଘଟଣା ଘଟିଲା । ‘ଅଡର୍‌ ଅଫ ଦି ଷ୍ଟାର’ର ତିନି ହଜାର ଅନୁଗାମୀଙ୍କୁ ଚକିତ କରିଦେଇ ଏହି ଅନୁଷ୍ଠାନକୁ ଆଜିଠାରୁ ଭାଂଗି ଦିଆଗଲା ବୋଲି ଘୋଷଣା କରିଥିଲେ କୃଷ୍ଣମୂର୍ତ୍ତି । ସତ୍ୟ ଏକ ଦିଗହୀନ ବିସ୍ତୃତି ଏବଂ ସତ୍ୟ ପାଖରେ ପହଂଚିବାପାଇଁ କୌଣସି ଅନୁଷ୍ଠାନ / ସଂଗଠନ, ଧର୍ମ, ନିର୍ଦ୍ଧିଷ୍ଟ ନୀତିନିୟମ ଅବା କୌଣସି ଗୁରୁଙ୍କର ଆଦୌ ଆବଶ୍ୟକତା ନାହିଁ-ଏହାହିଁ ସେଦିନ ଥିଲା କୃଷ୍ଣମୂର୍ତ୍ତିଙ୍କ ବୈପ୍ଲବିକ ବକ୍ତବ୍ୟର ସାରାଂଶ । ଆଧ୍ୟାତ୍ମିକତାର ଦ୍ଵାହି ଦେଇ ମୁକ୍ତିର କଥା କହୁଥିବା କୌଣସି ଅନୁଷ୍ଠାନର ଅଂଶ ବିଶେଷ ନହେବାପାଇଁ ସେଦିନ ସେ ସିଧାସଳଖ ମନା କରି ଦେଇଥିଲେ, କାରଣ ଯେ କୌଣସି ବଂଧନ ପିଂଜରାଟିଏ ପରି ମଣିଷକୁ ଆବଦ୍ଧ ରଖେ ଏବଂ ଅସଲ ମୁକ୍ତିର ବାଟ ଓଗାଳିଥାଏ ।

 

ଟିକିଏ ଗଭୀର ଭାବରେ ଚିନ୍ତାକଲେ ଆମ ଜୀବନରେ ଷଠିଘରଠୁଁ ମଶାଣି ଯାଏଁ ଆମେ ବିତାଇଥିବା ଜୀବନ ବାସ୍ତବରେ ଏକ ପିଂଜରାର ଜୀବନ ପରି ମନେ ହୋଇଥାଏ । ଆମ ଜ୍ଞାତସାରରେ ଆମେ ପିଂଜରା ଭିତରେ ରହିଥାଉଁ ଓ ପ୍ରତି ମୁହୂର୍ତ୍ତରେ ପିଂଜରାର ଶିକୁଳିଗୁଡ଼ାକୁ ମଜବୁତ୍‌ କରୁଥାଉ । ଛୋଟ ବୟସରେ ବାପା-ମା, ବଂଧୁ ପରିଜନ, ଶିକ୍ଷକ, ବୟସ୍କ ହେଲେ ଆମ ବ୍ୟବସ୍ଥାର ଗାର୍ଜନମାନେ, ପରିଣତ ବୟସରେ ଆଚାର୍ଯ୍ୟ ଗୁର ଏବଂ ଈଶ୍ୱରମାନେ ବରାବର ଆମର ବାଟ ଓଗାଳି ଠିଆହୋଇଥା’ନ୍ତି । ଆମର ସବୁ ଭୁଲ୍‌-ଠିକ୍‌, ଶିକ୍ଷା-ଅଶିକ୍ଷା, ନ୍ୟାୟ-ଅନ୍ୟାୟ, ପ୍ରେମ-ପ୍ରତିହିଂସା, ପାପ-ପୂଣ୍ୟ ଏବଂ ପରିତ୍ରାଣର ଫର୍ମୁଲାଟି ଆଗରୁ ପ୍ରସ୍ତୁତ ହୋଇ ରହିଥାଏ । ଅତଏବ ଆଦୌ ଆଶ୍ଚର୍ଯ୍ୟକର ନୁହେଁ ଯେ ଏଇ ପରିପ୍ରେକ୍ଷୀରେ ଆମର ଅଧିକାଂଶ ସ୍ୱପ୍ନ ଭାରି ଅପ୍ରାକୃତିକ ହୋଇ ଆସନ୍ତି, ଯେଉଁ ସ୍ଵପ୍ନରେ ଜହ୍ନ କିରଣରେ କେଉଁ ଦର୍ଶନ / ତତ୍ୱର ପେଟେଣ୍ଟ୍‌ ଥାଏ । ଅନ୍ୟ ଅର୍ଥରେ, ଆମ ଅଧିକାଂଶଙ୍କ ଜୀବନରେ ପ୍ରକୃତରେ ଏମିତି କିଛି ଘଟେ ନାହିଁ ଯାହା ଯଥାର୍ଥରେ ମୁକ୍ତ, ନିଃସର୍ତ୍ତ, ଅନିୟନ୍ତ୍ରିତ ଏବଂ ନିର୍ମଳ ସ୍ୱରୂପ । ଆପଣାକୁ ନିରାପଦ ଭାବରେ ବନ୍ଦୀ କରି ରଖିବାପାଇଁ, ନିୟନ୍ତ୍ରିତ କରି ରଖିବାପାଇଁ, ନିଜ ଚାରିପାଖରେ ଯେଉଁ ପିଂଜରାଟିକୁ ଆମେ ସମୃଦ୍ଧ କରୁଥାଉଁ ସେଇଟିକୁ ହିଁ ଭାରି ଚତୁର ଭାବରେ ଆମେ ଜୀବନର ଦର୍ଶନ କହୁ । ପରିତ୍ରାଣ / ମୋକ୍ଷର ମାର୍ଗ ବୋଲି କହିଥାଉଁ । ଅସଲ ଜୀବନ କିନ୍ତୁ ପିଂଜରା ବାହାରେ ଥାଏ-ବିହଂଗ ପରି ମୁକ୍ତ ହୋଇ ଚକ୍କର୍‌ କାଟୁଥାଏ । ଅସଲ ପରିତ୍ରାଣଟି ଆଦୌ କୌଣସି ଦର୍ଶନ, ତତ୍ତ୍ଵ, ଧର୍ମ ଅବା ଈଶ୍ଵରଙ୍କର ଧାର ଧରେ ନାହିଁ । ନିରନ୍ତର ଅନିର୍ବାପିତ, ମୁକ୍ତ ହୋଇ ରହିଥିବା ଜୀବନର ଉଚ୍ଛ୍ୱାସ କିନ୍ତୁ ଅନ୍ୟ ଏକ ପରିଧିରେ ଅଭିଜ୍ଞତା ହୋଇଥାଏ ଯେଉଁଠି ମଠ-ମନ୍ଦିର-ମସ୍‌ଜିଦ୍‌ର ଆବଶ୍ୟକତା ନାହିଁ, ଦୀକ୍ଷା ନେବା ବା ଦୀକ୍ଷିତ କରାଇବାର ଆବଶ୍ୟକତା ନାହିଁ। ଆଭିଜାତ୍ୟ / ପ୍ରତିଷ୍ଠାର ଆଦୌ ଆବଶ୍ୟକତା ନାହିଁ । ସେଇ ଚିରହରିତ୍‌, ପବିତ୍ର ପରିଧିକୁ ଛୁଇଁବାପାଇଁ କେବଳ ଆପଣାର ମୁଖାଟା ଫିଙ୍ଗିଦେଇ, ସଂପୂର୍ଣ୍ଣ ନିର୍ଭୟ ହୋଇ ଆପଣାକୁ ଭାରି ଅନ୍ତରଂଗ ହୋଇ ନିରେଖି ଚାହିଁବାର ଆବଶ୍ୟକତା ରହିଛି–ନିଜକୁ ଗୋଟାପଣେ, ଅଖଣ୍ଡଭାବେ ଚିହ୍ନିବାର ଆବଶ୍ୟକତା ରହିଛି । କୃଷ୍ଣମୂର୍ତ୍ତି କହିଛନ୍ତି ସତ୍ୟର ସେଇ ସ୍ନିଗ୍‌ଧ ବୃତ୍ତକୁ କୌଣସି ନିର୍ଦ୍ଦିଷ୍ଟ ସଡ଼କ ନାହିଁ–ସତ୍ୟ ଏକ ଅନନ୍ତ ଦିଗହୀନ ବିସ୍ତୃତି । ଆପଣାକୁ ସେଇ ପରିଧିର ଯୋଗ୍ୟ କରିବା ଅର୍ଥହିଁ ପରିବର୍ତ୍ତିତ ହେବା–ସଂପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଯିବା, କାରଣ ପରିବର୍ତ୍ତନ ପାଇଁ କେବଳ ଏକ ଉପକ୍ରମ ଆମକୁ ଅଧିକ ବିପର୍ଯ୍ୟସ୍ତ କରିବ–ଆମ ଦେହରେ ଆଉ କେତେ ପ୍ରସ୍ତ ଶିକୁଳି ଯାହା ଗୁଡ଼ାଇ ପକାଇବ ।

 

ସମସ୍ତ ତତ୍ତ୍ଵ, ଈଶ୍ୱର ଏବଂ ଦର୍ଶନଠାରୁ ଯଥେଷ୍ଟ ଦୂରରେ ଜୀବନକୁ ତଥା ସତ୍ୟକୁ ଆବିଷ୍କାର କରିବାପାଇଁ ଯେଉଁ ବିପୁଳ ଆଗ୍ରହ ଏବଂ ସାହସ ଦରକାର ସେଥିପାଇଁ ସବା ଆଗ ଆପଣାକୁ ପ୍ରସ୍ତୁତ କରିବାପାଇଁ କୃଷ୍ଣମୂର୍ତ୍ତି ଜୋର୍‌ ଦେଇଛନ୍ତି । ମୁକ୍ତିର ଆଶା ରଖିଥିବା ମଣିଷକୁ ସବା ଆଗେ ପିଂଜରାକୁ ଅସ୍ଵୀକାର କରିବାପାଇଁ ପଡ଼ିବ, ପିଂଜରାର ବନ୍ଧନରୁ ଉତ୍ତୀର୍ଣ୍ଣ ହେବାପାଇଁ ପଡ଼ିବ । ଅର୍ଥାତ୍‌, ସେ ତା’ର ସମସ୍ତ ଭୟରୁ, ଜଂଜାଳ ଗୁଡ଼ିକରୁ, ଧର୍ମରୁ, ସଂଗଠନରୁ, ପରମ୍ପରାରୁ ଏବଂ ଦର୍ଶନରୁ ମୁକ୍ତ ହେବ । ପିଂଜରାର ଅସ୍ତିତ୍ୱକୁ ଅର୍ଥାତ୍‌ ଆପଣାର ଦର୍ଶନ, ତତ୍ତ୍ଵ, ଈଶ୍ୱରମାନଙ୍କୁ ଏବଂ କର୍ତ୍ତୃପକ୍ଷମାନଙ୍କୁ ସେ ଅନୁତ୍ତେଜିତ ରହି ଅସ୍ୱୀକାର କରିବାର ସତ୍‌ସାହସ କରିବ । ଏହି ସାହସଟି କରିବାପାଇଁ ଆମକୁ ଆଦୌ ରୀତିମତ ଗୋଟିଏ ହିଂସାତ୍ମକ ବିଦ୍ରୋହ କରିବାପାଇଁ ପଡ଼ିବ ନାହିଁ । ସେହି ସତ୍ତାମାନଙ୍କୁ ନକାରାତ୍ମକ ସାବ୍ୟସ୍ତ କରିବାପାଇଁ ଆମକୁ ବଡ଼ ପାଟିରେ ସ୍ଲୋଗାନ୍‌ ଦେବାକୁ ପଡ଼ିବନାହିଁ; ରାସ୍ତାରୋକୋ କରିବାପାଇଁ ମଧ୍ୟ ପଡ଼ିବନାହିଁ, ସମ୍ପୂର୍ଣ୍ଣ ସଚେତନ ହୋଇ ଆମକୁ କେବଳ ସେଇ ଛାଇଗୁଡ଼ାକର ନିୟନ୍ତ୍ରଣରୁ ଯାହା ମୁକ୍ତ ରହିବାପାଇଁ ହେବ । ସେହି ସାହସ ନିଶ୍ଚିତ ଭାବରେ ବୈପ୍ଳବିକ ଅବଶ୍ୟ ସାବ୍ୟସ୍ତ ହେବ, ଯଦିଓ ବପ୍ଲବ ନାରେ ସେଇଟି ଏକ ନିର୍ଦ୍ଦିଷ୍ଟ ମାର୍ଗ ହୋଇ ଆଦୌ ରହିଯିବନାହିଁ । କୃଷ୍ଣମୂର୍ତ୍ତି କହିଛନ୍ତି ସେହି ଆଗ୍ରହଟି ଆମ ଆତ୍ମାର ଅନ୍ଵେଷଣର ଆରମ୍ଭ ହେବ–ସତ୍ୟ / ସତ୍ୟର ସ୍ନିଗ୍ଧ ସୌନ୍ଦର୍ଯ୍ୟର ଅନେଷ୍ଵଣ ହେବ । ଏବଂ ସେଇ ଅନ୍ଵେଷଣ କ୍ରମରେ ଆମେ ନିଜକୁ ହିଁ ଆବିଷ୍କାର କରିବା–ନିଜର କ୍ରୋଧ, ନିଷ୍ଠୁରତା, ଯନ୍ତ୍ରଣା, ନୈରାଶ୍ୟ ଏବଂ ଆକାଂକ୍ଷାମାନଙ୍କୁ ଆବିଷ୍କାର କରିବା । ଆପଣା ଜୀବନରେ ଏହି ଅବସ୍ଥା ମାନଙ୍କର ନିସର୍ତ୍ତ, ଅପ୍ରତିହତ ଆବିଷ୍କାର ହିଁ ସାମଗ୍ରିକ ଭାବରେ ଆମର ଜୀବନକୁ ଚିହ୍ନିବାପାଇଁ ସହାୟକ ହେବ । ଆବିଷ୍କାରର ସେଇ ପର୍ଯ୍ୟାୟରେ ଆମେ ଉଦାର ଭାବରେ ଆମର ଅବସ୍ଥାକୁ, ସାମ୍ପ୍ରତିକତାକୁ ବିନା ପ୍ରତିବାଦରେ ଗ୍ରହଣ କରିନେବା । ସେତେବେଳେ ଆମେ ଆଉ କୌଣସି ଅଭିଯୋଗ କରିବାନାହିଁ କାରଣ ଆମ ଅନ୍ତଃକରଣରେ ସେସେବେଳେ ଭୟ ନଥିବ । ସତ୍ୟକୁ ସମ୍ମୁଖୀନ ହେବାପାଇଁ ଆମ ଭିତରେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବ । ପିଂଜରା ଭିତରୁ ଆମର ପ୍ରିୟତମା, ପିତା ମାତା, ବନ୍ଧୁପରିଜନ, ଆଚାର୍ଯ୍ୟ ଓ ଈଶ୍ୱରମାନେ କ୍ରମଶଃ ଅସ୍ପଷ୍ଟ ମନେ ହେଉଥିବେ । ଅଥଚ, ସେତେବେଳେ ଏକାକୀତ୍ୱ ଆମକୁ ସ୍ପର୍ଶ କରିପାରିବ ନାହିଁ କାରଣ ଏକ ପୃଥକ୍‌, ପରିପୂର୍ଣ୍ଣ ସମ୍ବେଦନଶୀଳତା ଆମକୁ ଆମର ସମସ୍ୟାମାନଙ୍କ ସହିତ ନୂଆ ଭାବରେ ପରିଚିତ କରାଇଥିବ । ସେଇ ମୁହୂର୍ତ୍ତରେ ଆମ ବାହାରଟି ଆମର ଭିତର ସହିତ ମିତ ହୋଇ ରହିଥିବ, ଏକାତ୍ମ ହୋଇ ସାରିଥିବ । ଏକାଗ୍ରତା ଏକ ଅଦ୍ଭୁତ ଶକ୍ତିସ୍ରୋତ ହୋଇ ସଂଚରିଯିବ ଯାହା ସମ୍ଭବ କରାଇବ ଏକ ଅଖଣ୍ଡ, ସାମଗ୍ରିକ ଗତିକୁ । ସର୍ତ୍ତସାପେକ୍ଷ ବାସ୍ତବତାର ନିଂଗଡ଼ ଭିତରୁ, ଆପଣାର ଅଭିଜ୍ଞତା ପରିପୁଷ୍ଟ ନିୟନ୍ତ୍ରିତ ମାହୋଲ୍‌ଠୁଁ ଦୂରରେ ସେଇ ଅନନ୍ୟ ଆବିଷ୍କାରର ଅଙ୍କୁରୋଦ୍‌ଗମ ସଂଭବ ହେବ ।

 

ଏକଥା ମଧ୍ୟ କୃଷ୍ଣମୂର୍ତ୍ତି କହିଥିଲେ ଯେ ଆମ ଜୀବନରେ ଆମେ ବିଭକ୍ତ ହୋଇ ରହିଯାଉ । ଆମର ଗୋଟାଏ ଭାଗ ଭିତରେ ଭିତରେ ସନ୍ତୁଳି ହେଉଥାଏ, ମନମାରି ରହିଥାଏ, ହୁଏତ ଗୋପନୀୟ ଭାବେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥାଏ, ନିରନ୍ତର ପ୍ରତିଯୋଗିତା ମୋଡ଼୍‌ରେ ଥାଏ କିନ୍ତୁ ଆର ଭାଗଟି–ଅର୍ଥାତ ଆମର ବାହାରଟି ଅନ୍ୟପ୍ରକାର ହୋଇ ରହିଥାଏ । ସେଇ ଭାଗଟି ଶାନ୍ତିର କଥା କହେ, ଆଦର୍ଶର କଥା କହେ, ପ୍ରେମର କଥା କହେ, ଏକାଧିକ ଈଶ୍ୱରମାନଙ୍କର ନାମ-ସଂକୀର୍ତ୍ତନ କରୁଥାଏ ଏବଂ ଏଇ ସବୁ ଭିତରେ ଆପଣା ପାଇଁ ସମ୍ମାନ ଓ ପ୍ରତିଷ୍ଠାର ରମ୍ୟ ସିଂହାସନଟିଏ ଖୋଜୁଥାଏ । ଅସଲରେ ଆମର ଭିତରଟା ଏକଦମ୍‌ ଡରି ଯାଇଥାଏ ଏବଂ ସେହି ଭୟରୁ ନିବୃତ୍ତିର ଆଶା କରି ଅଧିକ ଭୁଲ୍‌ କରି ପକାଉଥାଏ । ଦିନକୁ ଦିନ, ମୁହୂର୍ତ୍ତ ମୁହୂର୍ତ୍ତ ଭୟର ଅଧିକ ନିକଟବର୍ତ୍ତୀ ହେଉଥାଏ । ଅତଏବ ଭୟହିଁ ଆମ ଜୀବନର ସବୁଠୁଁ ବଡ଼ ସମସ୍ୟା ହୋଇ ରହିଥାଏ । ସିଂହାସନ ଅପ୍ରାପ୍ତିର ଭୟ ନଚେତ୍‌ ସିଂହାସନରୁ ଖସି ପଡ଼ିବାର ଭୟ ସାରା ଜୀବନ ଆମକୁ ଆବୋରି ବସିଥାଏ । ଭୟରୁ ମୁକ୍ତି ପାଇବାପାଇଁ ପ୍ରକାଶ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ଆମେ କ୍ରମଶଃ ଜଟିଳ ହୋଇଯାଉ ଏବଂ ଗୋଟାଏ ଦ୍ଵୈତ ଜୀବନ ଜୀଇଁବାପାଇଁ ଏକରକମ ବାଧ୍ୟ ହୋଇପଡ଼ୁ । ନିଜ ନିଜ ଯନ୍ତାରୁ ମୁକୁଳିବା ଏକରକମ ଅସମ୍ଭବ ମଧ୍ୟ ହୋଇଥାଏ । ଅଥଚ ଆମ ଭିତରେ ଅଖଣ୍ଡତା ସଂଭବ, ଆମର ଦୃଷ୍ଟିଭଂଗୀରେ ଏକ ସାମଗ୍ରିକ, ଅବିଭାଜ୍ୟ ସ୍ୱରୂପ ସଂଭବ ଯାହା ଆମକୁ ନିର୍ଭୟ କରିପାରିବ । କୃଷ୍ଣମୂର୍ତ୍ତି କହିଛନ୍ତି ଯେ ସେଇ ଉପଲବ୍‌ଧିର ବାଟଟିକୁ ଆମେ ବାଡ଼ ଦେଇ ବନ୍ଦ କରିରଖିଛୁ । ଯାବତୀୟ ଯୁକ୍ତି, ଜ୍ଞାନ ଆହରଣ ଓ ଉତ୍କଣ୍ଠା ଆମକୁ ସହଜ ହେବାପାଇଁ ଜମାରୁ ବାଟ ଛାଡ଼େ ନାହିଁ । ସଚେତନ ଭାବରେ ସରଳ ହେବାର ପ୍ରୟାସ କରି ଆମେ ଆମର ଚେତନା ଉପରେ ଏମତି ବଡ଼ ବୋଝଟିଏ ଲଦି ଦେଉ ଯେ ସତ୍ୟ ଆମପାଇଁ ଖୁବ ଦୂରକୁ ଅପସରି ଯାଏଁ । ମୁହୂର୍ତ୍ତଟିକୁ ନିରୋଳା ମୁହୂର୍ତ୍ତ ଭାବରେ ଦେଖିବା ଆମପାଇଁ ଭାରି କଷ୍ଟକର ହୋଇପଡ଼େ । ସାରାଂଶ କିନ୍ତୁ ଏଇଆ–ଅତୀତ ଓ ଭବିଷ୍ୟତର ସାମାନ୍ୟତମ ସଂଘାତକୁ ସ୍ଥାନ ଦେଇନଥିବା ବର୍ତ୍ତମାନହିଁ ଆମର ଅସଲ ଜୀବନ । ବର୍ତ୍ତମାନରେ ହିଁ ନିହିତ ନିର୍ମଳ ଆନନ୍ଦ । ଭୟର ଉପତ୍ୟକାଠୁ ଅଜସ୍ର ମାଇଲ ଦୂରରେ ଅଥଚ ଆମ ହୃଦୟର ଅତି ନିକଟରେ ଆମେ ଅନୁଭବ କରିବା ସେଇ ଦିବ୍ୟ ଆନନ୍ଦକୁ । ସେଇ ଆନନ୍ଦ ସହିତ ଆମେ ଏକାତ୍ମ ହୋଇ ପାରୁଥିବା, ଅଥଚ ଆମେ ତା’ର ପରୀକ୍ଷା-ନିରୀକ୍ଷାରୁ ବିରତ ହେବା; ଅତୀତ ବା ଭବିଷ୍ୟତର ଆବର୍ତ୍ତ ଭିତରକୁ ନେଇଯାଇ ଆମେ ସେଇ ଅନୁଭବର ତୁଳନାତ୍ମକ ସମୀକ୍ଷା ମଧ୍ୟ କରିବା ନାହିଁ, କାରଣ ପ୍ରାକୃତିକତାରେ ଆମର ଅପ୍ରକାଶ୍ୟ ହସ୍ତକ୍ଷେପ ତା’ର ମୌଳିକ ସୌନ୍ଦର୍ଯ୍ୟକୁ ପ୍ରତିହତ କରିବ । ସତ୍ୟର ଉପଲବ୍‌ଧି ପାଇଁ ତେଣୁ ଆମକୁ ଉଭୟ ଜ୍ଞାତ ଏବଂ ଅଜ୍ଞାତର ଭୟରୁ ମୁକ୍ତି ପାଇବାପାଇଁ ହେବ ।

 

ଗାଂଧୀଙ୍କ ଅହିଂସା ଏବଂ କୃଷ୍ଣମୂର୍ତ୍ତିଙ୍କ ହିଂସାଠାରୁ ମୁକ୍ତି ମଧ୍ୟରେ ପାର୍ଥକ୍ୟ ରହିଛି । କୃଷ୍ଣମୂର୍ତ୍ତିଙ୍କ ମତରେ ସାରାଜୀବନ ଜଣେ ହିଂସାର ବଳୟ ଭିତରୁ ଅହିଂସାର ମହାମନ୍ତ୍ର ଉଚ୍ଚାରଣ କରିପାରିବ ଯାହା ହିଂସାରୁ ମୁକ୍ତି ଦେଇପାରିବ ନାହିଁ । ହିଂସାକୁ ବୁଝିବାପାଇଁ ହେଲେ ଆମର ଜୀବନକୁ, ଜୀବନର ମୋହମାନଙ୍କୁ, ଆକାଂକ୍ଷାମାନଙ୍କୁ, ଈର୍ଷା ଓ ଅସୂୟାମାନଙ୍କୁ ମୌଳିକ ଭାବେ ବୁଝିବାପାଇଁ ହେବ । ହିଂସାର ବିପରୀତ ଭାବରେ ଅହିଂସା କଦାପି ହିଂସାର ମୂଳୋତ୍ପାଟନ କରି ପାରିବନାହିଁ ବରଂ ହିଂସାର ଅସଲ ସ୍ୱରୂପକୁ ଚିହ୍ନି ଆମକୁ ହିଂସା ସହିତ ଆଗ ମୁକାବିଲା କରିବାପାଇଁ ପଡ଼ିବ । ହିଂସାକୁ ନିଜ ଭିତରେ ମୁକାବିଲା କରିବାରେ ହିଁ ହିଂସାରୁ ମୁକ୍ତି ସଂଭବ । ସେ ଆହୁରି ମଧ୍ୟ କରିଛନ୍ତି ଯେ ହିଂସା କେବଳ ରକ୍ତାକ୍ତ ସଂଗ୍ରାମ ନୁହେଁ, ହତ୍ୟାନୁହେଁ, ସନ୍ତ୍ରାସ ନୁହେଁ-ଆପଣାକୁ ସାବ୍ୟସ୍ତ କରିବାରେ, ନିଜ ପରିବାରର ସଂପ୍ରଦାୟ, ବ୍ୟବସ୍ଥା ବା ଦେଶ ନାଁରେ ଆପଣାକୁ ଜାହିର କରିବା ମଧ୍ୟ ହିଂସା । ଅସଲ ଅହିଂସା ଲୋକଟି ତେଣୁ କଦାପି ଏକ ନିର୍ଦ୍ଦିଷ୍ଟ ପରିବାରର, ସମାଜର ବା ଦେଶର ହୋଇନଥାଏ-ସେ ସମଗ୍ର ମଣିଷ ସମାଜର ହୋଇଥାଏ । ସବୁ ମଣିଷ ଭିତରେ ବିଦ୍ୟମାନ ସେଇ ଇଲାକା, ତରଙ୍ଗହୀନ ଏକ ବିଶାଳ, ପ୍ରଶାନ୍ତ ସମୁଦ୍ର ହଂସାଠାରୁ ଦୂରରେ ଯାହାର ଆବିଷ୍କାର କରିବା ପାଇଁ ହେବ । କୋଣସି ନିର୍ଦ୍ଦିଷ୍ଟ ଶୃଙ୍ଖଳାର ଅନୁସରଣ ନକରି ଏଇଠି ଆମେ ଅବଶ୍ୟ ପହଞ୍ଚୁପାରିବା ।

 

ମଣିଷର ଯେଉଁ ସ୍ଵାଧୀନତା, ମୁକ୍ତିର କଥା କୃଷ୍ଣମୂର୍ତ୍ତି କହିଛନ୍ତି ସେଇ ସ୍ଵାଧୀନତା ଏକ ଚେତନାଗତ ସ୍ଵାଧୀନତା-କୌଣସି ଏକ ନିର୍ଦ୍ଦିଷ୍ଟ, ଉତ୍ସ ବା ଅନୁଭୂତିରୁ ମୁକ୍ତି ପାଇବାର ସଟ୍‌କଟ୍‌ ନୁହେଁ । ଆପଣାର ଉତ୍ତରଣ କ୍ରମରେ ସେଇ ସ୍ଵାଧୀନତା ଆମର ବଳବନ୍ତ ପ୍ରଥାମାନଙ୍କୁ, ପରଂପରାମାନଙ୍କୁ, ବ୍ୟବସ୍ଥାମାନଙ୍କୁ ନିର୍ଭୟ ଭାବରେ, ଭାରି ଅନୁରାଗରେ, ଅଦମ୍ୟ ଉତ୍ସାହରେ ପ୍ରଶ୍ନ କରିବାର ସ୍ଵାଧୀନତା । ପ୍ରକାରାନ୍ତରେ ତାହାହିଁ ସକ୍ରେଟିସ୍‌ କହିଥିଲେ । ଯେ କୌଣସି ପ୍ରକାରର ନିର୍ଭରଶୀଳତାକୁ, ବନ୍ଧନକୁ ସକ୍ରେଟିସ୍‌ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଥିଲେ । ହୁଏତ ମଣିଷର ଅସଲ ସ୍ଵାଧୀନତାଟି ସେହି ଅର୍ଥରେ ଭାରି ଏକା ଏକା, ଭାରି ନିସ୍ତରଂଗ ମନେ ହୋଇପାରେ, ମାତ୍ର ସତ୍ୟ ନିକଟରେ ପହଞ୍ଚିବାପାଇଁ ତାହାହିଁ ଏକମାତ୍ର ମାଧ୍ୟମ ହୋଇରହିବ । ଶିଖରରେ ପ୍ରକୃତରେ କେହି ଏକାକୀ ମନେହୁଅନ୍ତି ନାହିଁ । କାରଣ ଶିଖରରୁ ସବୁକିଛି ଏକାତ୍ମ, ଏକାକାର ମନେହୁଅନ୍ତି । ସଭିଏଁ ସେଇ ଦୂରତ୍ୱରୁ ଭାରି ଆପଣାର ମନେ ହୁଅନ୍ତି । ସେଇ ମୁହୂର୍ତ୍ତରେ ଆରମ୍ଭ ନଥାଏ, ଶେଷ ନଥାଏ । ଯାହା ଆମ ଆଗରେ ଦୃଶ୍ୟମାନ ହେଉଥାଏ ସେଇଟି ସ୍ନିଗ୍ଧ ବର୍ତ୍ତମାନ, ସତ୍ୟ ଓ ସୌନ୍ଦର୍ଯ୍ୟର ନିର୍ଲିପ୍ତ କମନୀୟ ସ୍ଵରୂପ ।

 

ଉପସ୍ଥିତ ସେଇ ଅନନ୍ୟ ଅନୁଭୂତିରେ ଦୃଶ୍ୟକ୍ଷେତ୍ର ଓ ଦର୍ଶକ / ପର୍ଯ୍ୟବେକ୍ଷକ ମଧ୍ୟରେ ସମୟର ବ୍ୟବଧାନ ରହେନାହିଁ । ସମୟ ଓ ଭୟ ଅପସରି ଯାଇଥା’ନ୍ତି। ଚେତନାର ସେଇ ବିସ୍ତୃତ ବୃତ୍ତରେ ପର୍ଯ୍ୟବେକ୍ଷକଙ୍କର ଅବସାନ ଘଟିଥାଏ, ଅର୍ଥାତ଼୍‌ ଅନୁଭବୀର ମୃତ୍ୟୁ ଘଟିସାରିଥାଏ । କେବଳ ଅନୁଭବହିଁ ଥାଏ ଏବଂ ସେଇ ଅନନ୍ୟ ଅନୁଭବଟି ଏକ ବିପୁଳ ଶକ୍ତିସ୍ରୋତ ହୋଇ ଆମ ସତକୁ ସଂଚରି ଯିବାର ଅପେକ୍ଷା ଯାହା ରଖିଥାଏ ।

 

(କୃଷ୍ଣମୂର୍ତ୍ତିଙ୍କ ‘‘ଫ୍ରିଡ଼ମ୍‌ ଫ୍ରମ୍‌ ଦି ନୋନ୍‌’’ ଉପରେ ଆଧାରିତ)

Image

 

Unknown

ଆପଣା ପ୍ରୟୋଗଶାଳାର ସୃଷ୍ଟି, ଗାନ୍ଧୀ

 

ଘରଦ୍ୱାର ଛାଡ଼ି ଗାନ୍ଧୀ ଏକାନ୍ତରେ କେଉଁ ଅରଣ୍ୟରେ ତପସ୍ୟା କରୁନଥିଲେ । କପାଳରେ କୌଣସି ଚିତା ସେ ଧାରଣ କରୁନଥିଲେ ବା ତାଙ୍କୁ ଅନୁସରଣ କରିବା ତାହାକୁ ପ୍ରବଚନ ଦେଉନଥି‌ଲେ । ଆପଣା ଜୀବନର ଦୀର୍ଘବର୍ଷ ସେ ଶୁଦ୍ଧ ନିରାମିଷ ଆହାର କରୁଥିଲେ, ମାତ୍ର ତାଙ୍କର ଅନ୍ତରଙ୍ଗ ଥି‌ଲେ ସାଧାରଣ ମଣିଷ ମାନେ କେବେ ମଧ୍ୟ ଆମିଷଠୁ ଦୂରେଇ ରହିନଥିଲେ । ଗାନ୍ଧୀଙ୍କର କୌଣସି ଅସୁବିଧା ହେଉନଥିଲା । ଠିକ୍‌ ଭାବରେ ଚାଲିବାପାଇଁ ଗାନ୍ଧୀ ଖଣ୍ତେ ବାଡି ଧରୁଥିଲେ ଅର୍ଥାତ୍‌ କେବେବି ସେଇ ବାଡିଟି ତାଙ୍କର ନିଷ୍ଠୁରତାକୁ ଜାହିର କରିନଥିଲା । ଗାନ୍ଧୀ ଜୀବନରେ ଆପଣା ସହିତ ନାନା। ପରୀକ୍ଷା-ନିରୀକ୍ଷା କରୁଥିଲେ; ଆପଣାର ଜୀବନାଦର୍ଶ ସହିତ ସେ ଯୋଡି ରଖିଥି‌ଲେ ସାଧାରଣ ଜୀବନ ଓ ସମାଜର ଅନେକ ଦିଗକୁ–ଶିକ୍ଷାକୁ, ଅର୍ଥନୀତିକୁ, ସଂସ୍କାରକୁ, ଧର୍ମକୁ ଏବଂ ନୈତିକତାକୁ । ଅଥଚ କୌଣସି ଗୋଟିଏ ମାର୍ଗରେ ସେ ନିଜକୁ ସୀମିତ କରି ରଖିନଥିଲେ କିମ୍ବା ତାଙ୍କର ଆଦର୍ଶକୁ କେହି ବିଧିବଦ୍ଧ ଭାବରେ ପାଳନ କରୁ, ଏକଥା ମଧ୍ୟ କହୁନଥିଲେ । ଅହିଂସା ହେଉ, ସତ୍ୟାଗ୍ରହ ହେଉ ବା ସର୍ବୋଦୟ ହେଉ, ଏସବୁ କିଛି ମଧ୍ୟ ତାଙ୍କର ମୌଳିକ ନୁହେଁ–ସେ ବରାବର କହୁଥିଲେ । ଗାନ୍ଧୀ ଭାରି ଆଗ୍ରହରେ ଆପଣା ଭିତରକୁ ଚାହିଁଥିଲେ; ଆପଣା ଅଭ୍ୟନ୍ତରରେ ନିରନ୍ତର ଆଲୋକିତ ଆତ୍ମାର ସଂନ୍ଧାନ ପାଇଥିଲେ ଓ ପ୍ରତିଟି ମଣିଷ ଭିତରେ ସେ ଅନୁଭବ କରିଥିଲେ ଠିକ୍‌ ସେଇ ସତ୍ତାକୁ, ଯେଉଁ ସତ୍ତା ନିର୍ଲିପ୍ତ, ମୁକ୍ତ ଭାବରେ ସମସ୍ତଙ୍କ ଭିତରେ ଅଛି ହୁଏତ ଏକ ଆବିଷ୍କାରର ଅପେକ୍ଷାରେ ଅଛି । ସନ୍ଥ, ବିପ୍ଳବୀ, ରାଜନୀତିଜ୍ଞ, ସମାଜ ସଂସ୍କାରକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌, ଶ୍ରମିକ ସମସ୍ତଙ୍କ ଭିତରେ ଥିବା ସେଇ ସତ୍ତାକୁ ଗାନ୍ଧୀ ଅତ୍ୟନ୍ତ ସଫଳ ଭାବରେ ଆବିଷ୍କାର କରିବାରେ ସମର୍ଥ ହୋଇଥିଲେ । ସେ ନିଜେ ତ ମହାତ୍ମା ଥିଲେ । ତେବେ ମହାତ୍ମା ସେ କେବଳ ଏଇଥିପାଇଁ ଥିଲେ ଯେ ସେ ତାଙ୍କ ଚାରିପାଖର ମଣିଷମାନଙ୍କ ଭିତରେ, ତାଙ୍କର ଶତ୍ରୁ ଭିତରେ ବି ଈଶ୍ଵରଙ୍କର ଦିବ୍ୟ ସତ୍ତାକୁ ଠାବ କରିପାରୁଥି‌ଲେ-। ସବୁ ମଣିଷ ଭିତରେ କେଉଁଠି ନା କେଉଁଠି ‘ମହାତ୍ମା’ଟିଏ ଲୁଚି ରହିଛି–ହୁଏତ ସେ ଏଇଥି‌ ପାଇଁ ମହାତ୍ମା ବୋଲାଉ ନାହିଁ ଯେ ସେ ଆବଦ୍ଧ ହୋଇ ରହିଯାଇଛି, ନିଜେ ଗଢ଼ିଥିବା କାନ୍ଥ ଗୁଡ଼ାକ ଭିତରେ ଅଣନିଶ୍ୱାସୀ ହୋଇଯାଉଛି ସେଇ ଲୋକଟିର ପରିତ୍ରାଣ ଲୋଡ଼ା, ଆଲୋକ ଲୋଡା, ପବନ ଲୋଡା । ଗାନ୍ଧୀ ଅନ୍ୟମାନଙ୍କ ଭିତରକୁ, ସେମାନକୁ ନିବୁଜ କୋଠରି ଭିତରକୁ ବାତାୟନଟିଏ ଖୋଲି ଦେଉଥିଲେ । ସେମାନକୁ ନିର୍ଭୟ ହେବା ପାଇଁ ଶିଖାଉଥିଲେ, ଉନ୍ମୁକ୍ତ ହେବାପାଇଁ ଏବଂ ଏକନିଷ୍ଠ ହେବା ପାଇଁ ଶିଖାଉଥିଲେ । ଯଦି କେହି ଗାନ୍ଧୀଙ୍କ ଜୀବନକୁ ଏବଂ ସେ ଆଣିଥି‌ବା ବିପୁଳ ପରିବର୍ତ୍ତନକୁ ଅଧ୍ୟୟନ କରିବ ସେ ସରଳ ଭାବରେ ଏତିକି ନିଶ୍ଚୟ ଦେଖିପାରିବ ଯେ ଯେ ଗାନ୍ଧୀ ଆଣିଥିବା ପରିବର୍ତ୍ତନ ସମୟ ସାପେକ୍ଷ ଥିଲା, ଇନ୍‌ଷ୍ଟାଣ୍ଟ କଫି ପରି ଆଦୌ ନଥିଲା ମାତ୍ର ସେହି ପରିବର୍ତ୍ତନ ଯଥାର୍ଥରେ ବୈପ୍ଲବିକ ତଥା ଦୀର୍ଘସ୍ଥାୟୀ ଏଇଥିପାଇଁ ଥିଲା ଯେ ସେଇଟି ଏକାନ୍ତ ସତ୍ୟନିଷ୍ଠ ଭୂମିକୁ ଆଧାର କରିଥିଲା । ପରିବର୍ତ୍ତନ ଆଣିବାପାଇଁ, ସଂସ୍କାର ପାଇଁ ଗାନ୍ଧୀ କାହାକୁ ଜୋରଜବରଦସ୍ତ କରିନଥିଲେ ଅଥଚ ଯେଉଁମାନେ ଏକ ପରିବର୍ତ୍ତନ ପାଇଁ ଆପଣାକୁ ଉତ୍ସର୍ଗ କରୁଥିଲେ ଏବଂ ଯେଉଁମାନେ ଶେଷରେ ପରିବର୍ତ୍ତିତ ହେଉଥିଲେ ଉଭୟ ପରସ୍ପରର ବଂନ୍ଧୁ ହୋଇ ରହିବାପାଇଁ, ସତୀର୍ଥ ହୋଇ ରହିବାପାଇଁ ପସନ୍ଦ କରୁଥିଲେ ! ବୋଧହୁଏ ସେଇଥି‌ପାଇଁ ଦୁଇଶହ ବର୍ଷର ଶାସନପରେ ଇଂରେଜମାନେ ଆମ ଦେଶରୁ ଯିବାପରେ, ଆମେ ସହିଥିବା ସକଳ ନିର୍ଯ୍ୟାତନା ସତ୍ତ୍ଵେ ବୃତ୍ତର ଭାବରେ ଆମେ ଇଂରେଜମାନଙ୍କୁ କେବେ ଘୃଣା କରିନଥିଲେ ବା ଇଂରେଜମାନେ ଆମକୁ ଶାସନଦାୟିତ୍ଵ ହସ୍ତାନ୍ତର କରିବା ବେଳେ ସେମିତି କ୍ଷୁବ୍‌ଧ ନଥିଲେ ।
 

 

ଗାନ୍ଧୀଙ୍କ ବିପ୍ଲବ, ଗାନ୍ଧୀଙ୍କ ମାର୍ଗ ଏଇଦୃଷ୍ଟିରୁ ଏକ ଅଦ୍ଭୁତ ମାର୍ଗ ଥିଲା ଯେ ସେଇ ମାର୍ଗଟି ଆପଣାକୁ ସବା ଆଗେ ମୁକ୍ତ ରଖିଥିଲା, ଅର୍ଥାତ୍‌ ସେ ଆପଣାକୁ ଅଂଧ ଭାବରେ କାହାର ପକ୍ଷଯୁକ୍ତ କରୁନଥିଲା, ସମର୍ଥନ କରୁନଥିଲେ ଯଦିଓ ସେଇ ମାର୍ଗଟି ସର୍ବଦା ସତ୍ୟର ମିତ ହୋଇ ରହିଥିଲା । ପ୍ରତିଟି ମୁହୂର୍ତ୍ତରେ ସେଇ ମାର୍ଗଟି ଆପଣାର ଅନୁଶୀଳନ କରୁଥିଲ। ଆପଣାକୁ ସଂଶୋଧିତ କରୁଥିଲା ଏବଂ ସେଇ ହେତୁ ଯେତେ ବେଳେ ଗାନ୍ଧୀ ଅନୁସୃତ ମାର୍ଗରେ ସଫଳତା ଆସୁଥିଲା ସେଇ ସଫଳତା ଅପେକ୍ଷାକୃତ ବିଳମ୍ବିତ ହେଲେ ହେଁ ହୃଦୟରୁ ଆସୁଥିଲା । ସେଇଟି ଶୁଦ୍ଧ ତଥା ସୁଦୂରପ୍ରସାରୀ ଥିଲା ।

 

ଗାନ୍ଧୀ ନିଶ୍ଚିତ ସ୍ଵପ୍ନଦର୍ଶୀ ଥିଲେ । ଯେଉଁମାନେ ବିଭିନ୍ନ ସମୟରେ ଗାନ୍ଧୀଙ୍କ ସ୍ଵପ୍ନକୁ ଓ ତାଙ୍କ ଭିତରେ ନିରନ୍ତର ଅନୁସୃଜିତ ହେଉଥିବା ସୂକ୍ଷ୍ମ ସତ୍ତାକୁ ପ୍ରେରଣା ଯୋଗାଇ ଦେଇଥିଲେ ସେମାନଙ୍କ ଭିତରେ କେବଳ ଥୋରୋ ଓ ଟଲଷ୍ଟୟ ନଥିଲେ ରାମାୟଣ ଓ ଭଗବତ୍‌ ଗୀତାର ନିର୍ଯ୍ୟାସ ମଧ୍ୟ ଥିଲା । ତେବେ ଗାନ୍ଧୀ କେବେବି ନିରୋଳା ସ୍ଵପ୍ନଦର୍ଶୀ ନଥିଲେ । ନିଜ ଜୀବନ ତାଙ୍କ ପାଇଁ ସବୁଠୁଁ ବଡ଼ ପ୍ରୟୋଗଶାଳା ଥିଲା । ଆପଣାର ପ୍ରୟୋଗକୁ କେହି ଗାନ୍ଧୀବାଦ ନାରେ ପେଟେଣ୍ଟ କରୁ ବା ନିଜକୁ ଜଣେ ଗାନ୍ଧୀବାସୀ ବୋଲି କହୁ–ଏକଥା ଗାନ୍ଧୀ କେବେ ଚାହିଁନଥିଲେ । ନିଜର ବଡ଼ ପଣିଆକୁ ଜାହିର କରିବାପାଇଁ ନୁହେଁ, ପ୍ରକୃତରେ ଗାନ୍ଧୀନିଜ ଚାରିପାଖରେ ଗୋଟାଏ ଖୋସା ଗଢ଼ିବାପାଇଁ ଚାହୁଁନଥିଲେ । ୧୯୪୦ ମସିହା ଫେବୃୟାରୀ ୨୦ ତାରିଖରେ (ଖଦୀ ଏବଂ ଗ୍ରାମ୍ୟଦ୍ୟୋଗର ଏକ ପଦର୍ଶନୀ ଉପଲକ୍ଷେ ଆୟୋଜିତ ସଭାରେ) ଗାନ୍ଧୀ କହିଥିଲେ ‘‘ବାସ୍ତବିକ ମୁଁ ନିଜେ ଜାଣିନାହିଁ ଗାନ୍ଧୀବାଦ କ’ଣ । ଏଦେଶକୁ ମୁଁ ତ କିଛି ନୂଆ ଦେଇନାହିଁ । ଭାରତର ପାରଂପରିକ ବିଶ୍ୱାସର, ପ୍ରଜ୍ଞାର ନୂଆରୂପକୁ ମୁଁ ଯାହା ଉପସ୍ଥାପନା କରିଛି । ଏହାକୁ ଗାନ୍ଧୀବାଦ କହିଲେ ଭୁଲ୍‌ ହେବ ।” ଅହିଂସା ଓ ସତ୍ୟନିଷ୍ଠତା କେଉଁ ଯୁଗରୁ ଆମରି ସମାଜରେ, ସଂସ୍କୃତିରେ ରହିଥିଲା । ଗୌତମବୁଦ୍ଧ ଏବଂ ମହାବୀର ଯେଉଁ ଅହିଂସାର କଥା କହିଥିଲେ ଗାନ୍ଧୀ ସେଇ ଅହିଂସାକୁ ସଫଳତାର ସହିତ ଗଣଚେତନା ଭିତରକୁ ନେଇ ଆସିବାରେ ସମର୍ଥ ହୋଇଥିଲେ । ଅହିଂସା, ଯାହା ଏକ ସଦାଚାର ବା ଜୀବନାଦର୍ଶ ହୋଇ ବ୍ୟକ୍ତିଗତ ସ୍ତରରେ ଥିଲା ଗାନ୍ଧୀ ସେଇ ଅହିଂସାକୁ ଏମିତି ଏକ ଅସ୍ତ୍ର ହିସାବରେ ବ୍ୟବହାର କରିଥିଲେ ଯାହା ଯେ କୌଣସି ପରମାଣୁ ବୋମାଠାରୁ ଯଥେଷ୍ଟ ଅଧିକ ଶକ୍ତିଶାଳୀ ଥିଲା । ଅହିଂସା ସାମାଜିକ ନ୍ୟାୟ ପାଇଁ, ସ୍ୱାଧୀନତା ପାଇଁ, ମୌଳିକ ଅଧିକାର ତଥା ମାନବିକ ମୂଲ୍ୟବୋଧ ପାଇଁ ସାର୍ବଜନୀନ ସ୍ତରକୁ ଓହ୍ଲେଇ ଆସିଥିଲା ଏବଂ ଅତ୍ୟନ୍ତ ଦୃଢ଼ ଭାବରେ ଗାନ୍ଧୀ ଅଗଣିତ ମଣିଷକୁ ଏଇକଥା ବୁଝେଇବାରେ ସମର୍ଥ ହୋଇଥିଲେ ଯେ ଅହିଂସାକୁ ଅସ୍ତ୍ରକରି ଗଢ଼ି ଉଠିଥିବା ନିରବଚ୍ଛିନ୍ନ ସଂଗ୍ରାମ ସବୁଠୁଁ ପରାକ୍ରମୀ ଶତ୍ରୁର ସଫଳ ମୁକାବିଲା କରିବାପାଇଁ ମଧ୍ୟ ସମର୍ଥ । ଅହିଂସାକୁ ଏକ ସଫଳ ଗଣଆୟୁଧଭାବେ, ଗଣଚେତନା ଭାବେ ଆବିଷ୍କାର କରି ସେଦିନ ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଯେଉଁ ସଫଳତା ଗାନ୍ଧୀ ପାଇଥିଲେ ସେଇ ସଫଳତା ଆଜିବି ପୃଥିବୀରୁ ଚାଲିଯାଇନାହିଁ କିମ୍ବା ସେଇ ଆୟୁଧ (ଅହିଂସା)ର ନିଃଶେଷ ହେବାର ସଂଭାବନା ମଧ୍ୟ ନାହିଁ । ପଟ୍ଟଭୂମିର ପରିବର୍ତ୍ତନ ଅବଶ୍ୟ ଘଟିଛି ମାତ୍ର ଗାନ୍ଧୀଙ୍କ ପ୍ରାସଗିଂକତାକୁ ପ୍ରଶ୍ନ କରିବାର ଅବକାଶ ବୋଧହୁଏ ଏଯାଏଁ ଆସିନାହିଁ । ଅବଶ୍ୟ ଏହା ସ୍ଵୀକାର୍ଯ୍ୟ ଯେ ପରିବର୍ତ୍ତିତ ପରିସ୍ଥିତିରେ ଗାନ୍ଧୀବାଦ ସଭାସମିତିରେ, କର୍ମଶାଳାରେ ଏବଂ ଗବେଷଣା ପାଇଁ ଅଧିକ ପ୍ରାସଙ୍ଗିକ ହୋଇ ରହିଛି । ସାଧାରଣ ଜୀବନଚର୍ଯ୍ୟାରେ ଗାନ୍ଧୀ କମ୍‌ ଦୃଶ୍ୟ ହେଉଛନ୍ତି । ଦିନକୁ ଦିନ କମ୍‌ ଦୃଶ୍ୟ ହେଉଛନ୍ତି ।

 

ଯେଉଁ ଚେତନା ଗାନ୍ଧୀଙ୍କ ସାମଗ୍ରିକ ବ୍ୟକ୍ତିତ୍ଵର ପ୍ରତିଫଳନ ଥିଲା ସେଇଟିର ମୂଳଦୁଆ ଓ ପରିଧି–କଥା ଚିନ୍ତା କରାଯାଉ । ମଣିଷ ତଥା ଈଶ୍ଵରଙ୍କ ଉପରେ ଏକ ସରଳ ତଥା ଅଖଣ୍ଡ ବିଶ୍ଵାସ ଗାନ୍ଧୀଙ୍କ ସାମଗ୍ରିକ ଦର୍ଶନର ମୂଳାଧାର ଥିଲା । ଗାନ୍ଧୀଙ୍କ ସକଳ କର୍ମର ପରିଧିଭୁକ୍ତ ଥିଲା ସାଧାରଣ ମଣିଷ ଏବଂ ତା’ର ଜୀବନଚର୍ଯ୍ୟା । ସେଇଥି‌ପାଇଁ ଗାନ୍ଧୀଙ୍କ ଜୀବନରେ କିଛି ଏମିତି ନଥିଲା ଯାହା ସାଧାରଣ ମଣିଷର ଜୀବନକୁ ଛୁଇଁନଥିଲା ବା ଛୁଇଁବା ପାଇଁ ଚେଷ୍ଟିତ ନଥିଲା । ଗାନ୍ଧୀଙ୍କ ପରି ଏମିତି ସତରେ ଆଉ କିଏ ଥିଲେ ଯିଏ ସାରାଜୀବନ ସାଧାରଣ ମଣିଷଟି ପାଇଁ ଚିନ୍ତା କରୁଥିଲେ, ଯିଏ ସବୁ କାନ୍ଥବାଡ, ଆଇନକାନୁନ ଡେଇଁ ସାଧାରଣ ଲୋକଙ୍କ ସହିତ ଏକାତ୍ମ ହେବାପାଇଁ ଚାହୁଁଥିଲେ, ଯିଏ ନିଜେ ସାଧାରଣ ମଣିଷ ପରି ଚଳୁଥିଲେ ଦକ୍ଷିଣ ଆଫ୍ରିକାରେ ‘କୁଲି ବାରିଷ୍ଟର’ ଭାବରେ ଗର୍ବ ଅନୁଭବ କରୁଥିଲେ, ଯିଏ ଅର୍ଥନୈତିକ ଉନ୍ନତି କ୍ରମରେ ସର୍ବ ପ୍ରଥମେ ଦରିଦ୍ର ଲୋକଟିର ବିକାଶ ଚାହୁଁଥିଲେ । ଗାନ୍ଧୀ ସାଧାରଣ ମଣିଷଟିର ଯେଉଁ ଉତ୍ତରଣ ଚାହୁଁଥିଲେ ହୁଏତ ତାଙ୍କ ଜୀବନକାଳରେ ବା ଅଦ୍ୟାବି ତାହା ସମ୍ଭବ ହୋଇ ପାରିନାହିଁ । ତେବେ ଗାନ୍ଧୀ ସେଇ ସ୍ୱପ୍ନ ସଂଭାବନାର ଯୁଗାରମ୍ଭ କରିଥିଲେ । ଅନୁକ୍ରମିକ ଇତିହାସର ଗତିରେ ଭତ୍ପନ୍ନ ମାରାତ୍ମକ ସ୍ଵାର୍ଥପରତା, ସାମାଜିକ ତଥା ଅର୍ଥନୈତିକ ବୈଷମ୍ୟକୁ ଏତେ ସହଜରେ ବିଲୋପ ହେବାପାଇଁ ଦେବନାହିଁ–ଏହି ଐତିହାସିକ ସତ୍ୟକୁ ଗାନ୍ଧୀ ଉପଲବ୍ଧ କରିଥିଲେ । ସେଥିପାଇଁ ସେ ଅହିଂସା ଏବଂ ସତ୍ୟାଗ୍ରହକୁ ସବୁଠୁଁ ଦରିଦ୍ର, ଅସହାୟ ଲୋକଟି ନିକଟରେ ଏକ ଶାଶ୍ଵତ ଆୟୂଧ କରି ପହଂଚାଇ ଦେଇଥିଲେ । ସତ୍ୟାଗ୍ରହ ପରିବର୍ତ୍ତନ ପାଇଁ କେବଳ ଏକ ବାହ୍ୟମାର୍ଗ ନଥିଲା–ସତ୍ୟାଗ୍ରହ ଆପଣା ଅଭ୍ୟନ୍ତର ଏକ ସୂକ୍ଷ୍ମ ଉତ୍ତରଣ ଥିଲା । ଜଣେ ରାଜା ସତ୍ୟାଗ୍ରହୀ ନିଜକୁ ଶୁଦ୍ଧ ନକରି ସତ୍ୟାଗ୍ରହୀ ହୋଇପାରିବ ନାହିଁ ଏବଂ ଥରେ ଅସଲ ସତ୍ୟାଗ୍ରହ ଆରମ୍ଭ ହେଲେ ସେଇଟି ଅସମିତ ହେବାର, ଥକି ପଡ଼ିବାର ପ୍ରଶ୍ନହିଁ ଉଠିବନାହିଁ । ବହୁଲୋକ ଅନେକଦିନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ସଂଗ୍ରାମ କରିପାରିବେ । ଅବଶ୍ୟ ସେଥିପାଇଁ ସେମାନଙ୍କୁ କଷ୍ଟ ହେବ, ସେମାନେ ନିର୍ଯ୍ୟାତିତ ହେବେ, ହୁଏତ କେତେକଙ୍କୁ ନିର୍ମମ ମୃତ୍ୟୁ ମିଳିବ । ମାତ୍ର ଗାନ୍ଧୀ କହୁଥିଲେ ଏଇଟି ମଧ୍ୟ ଏକ ଐତିହାସିକ ସତ୍ୟଯେ ଅତ୍ୟାଚାରୀକୁ ସତ୍ୟାଗ୍ରହୀମାନଙ୍କର କଥା ଦିନେ ଶୁଣିବାପାଇଁ ହେବ । କୁହାଯାଉଛି, ଗାନ୍ଧୀଙ୍କ ସତ୍ୟାଗ୍ରହ ତତ୍କାଳୀନ ଭାରତୀୟ ସ୍ଵାଧୀନତା ସଂଗ୍ରାମର ପୃଥକ୍‌ ଚାରୋଟି ନିର୍ଯ୍ୟାସକୁ ନିଜ ଭିତରେ ଧରି ରଖିଥିଲା; (୧) ଗୋଖଲେଙ୍କ ପରି ସଂଗ୍ରାମୀମାନଙ୍କ ସଂଭ୍ରମ / ମାନବିକତା (୨) ଭଗତ ସିଂ ଓ ଖୁଦିରାମଙ୍କ ପରି ସଂଗ୍ରାମୀ ମାନଙ୍କ ତ୍ୟାଗ (୩) ଚରମପନ୍ଥିମାନଙ୍କର ତୀବ୍ରତା / ଏକାଗ୍ରତା (୪) ଶ୍ରୀ ଅରବିନ୍ଦ ପରି ମହାତ୍ମାଙ୍କର ଜାତୀୟଭାବନାକୁ ଚେତନାର ଊର୍ଦ୍ଧ୍ୱରେ ସ୍ଥାନିତ କରିବାର ସଂକଳ୍ପ । ବୋଧହୁଏ ଏଇଥିପାଇଁ ଗାନ୍ଧୀଙ୍କ ସତ୍ୟାଗ୍ରହ ଏତେ ଶକ୍ତିଶାଳୀ, ଏତେ ଅନମନୀୟ ହୋଇ ରହିଥିଲା । ବୋଧହୁଏ ଏଇଥିପାଇଁ ଉପରକୁ ଏତେ ଶାନ୍ତ ମନେ ହେଉଥିଲେବି ଆପଣା ଜିଦ୍‌ ରେ ସଫଳ ନହେବା ଯାଏଁ ଗାନ୍ଧୀ ବିଶ୍ରାମ ନେଉନଥିଲେ । ବୋଧହୁଏ ଏଇଥିପାଇଁ ଗାନ୍ଧୀଙ୍କୁ କେବଳ ଦକ୍ଷିଣ ଆଫ୍ରିକାରେ ବା ଭାରତରେ ବ୍ରିଟିଶ୍‌ ଶାସନରେ ବୈଷମ୍ୟ ଦେଖାଯାଉନଥିଲା । ସେ ବୈଷମ୍ୟକୁ ଖୁବ୍‌ ପାଖରୁ ଚିହ୍ନିପାରୁଥିଲେ–ନିଜ ପାଖରୁ, ପରକୁ ଗୋଟିଏ ବଡ଼ ପରିବାର ବୋଲାଇ ରହିଥିବା ପରିବାରର ସଦସ୍ୟମାନଙ୍କ ଭିତରୁ ସ୍ଵାଧୀନ ଭାରତରେ ନିଃଶ୍ଵାସ ନେଉଥିବା ଅନେକ ମଣିଷଙ୍କ ଭିତରୁ ଏବଂ ଅନୁଷ୍ଠାନ ଭିତରୁ । ବୋଧହୁଏ ଏଇଥିପାଇଁ ସ୍ଵରାଜ କହିଲେ ଗାନ୍ଧୀ କେବଳ ନିଜଦ୍ଵାରା ଶାସନ ବୁଝୁନଥି‌ଲେ ବରଂ ନିଜ ଉପରେ ଶାସନ, ନିଜ ଉପରେ ନିୟନ୍ତ୍ରଣକୁ ବୁଝୁଥିଲେ । ଗାନ୍ଧୀଙ୍କ ସମୟରେ ମଧ୍ୟ ଭୋଗବାଦ ଥିଲା ଯଦିଓ ଆମ ସମୟପରି ଭୋଗବାଦର ନେଟଓ୍ୱାର୍କିଂ ଏତେ ପ୍ରଭାବଶାଳୀ ନଥିଲା । ମାତ୍ର ଗାନ୍ଧୀ ଭୋଗବାଦଠାରୁ ତ୍ୟାଗକୁ, ଅସତ୍ୟରୁ ସତ୍ୟକୁ, ହିଂସାଠାରୁ ଅହିଂସାକୁ ବରାବର ପୃଥକ୍‌ ରଖିଥିଲେ । ଗାନ୍ଧୀ ଯାହା କହିଥିଲେ ଟିକିଏ ପରିବର୍ତ୍ତିତ ରୂପରେ ସେଇକଥା ଆଜି ଅନ୍ୟମାନେ କହୁଛନ୍ତି–ଆମ ଅର୍ଥନୀତିଜ୍ଞମାନେ କହୁଛନ୍ତି ସମାଜତତ୍ତ୍ୱବିତ୍‌ମାନେ କହୁଛନ୍ତି ଏବଂ ପରିବେଶବିତ୍‌ମାନେ କହୁଛନ୍ତି, କିନ୍ତୁ ଭାରି ସାହସର ସହିତ, ପ୍ରତ୍ୟୟର ସହିତ ସେକଥା ଅନେକ ଆଗରୁ ଗାନ୍ଧୀ କହିଥିଲେ । ଆପଣା ସହିତ ଆଗ ମିତ ବସିବା, ନିଜର ଭୟ ଏବଂ ନିଜ ବାହାରର ଭୟରୁ ଯଥାର୍ଥରେ ମୁକ୍ତ ହେବା, ସତ୍ୟର ସଦା ସୁହୃଦ ହୋଇ ରହିବା, ବିଶ୍ଵାସ କରିବା ଏବଂ ଭଲ ପାଇବା–ଗାନ୍ଧୀ ଏଇସବୁ କଥା କହିଥିଲେ । ଅଥଚ ସେ ଆମମାନଙ୍କଏସବୁ କହି ନଥିଲେ। ଗାନ୍ଧୀ ସାରୀ ଜୀବନ କାଳରେ ବୋଧହୁଏ ଏମିତି ଧାଡିଟିଏ ଆଦୌ କହିନଥିଲେ ଯାହାକୁ ସେ ଆପଣା ଜୀବନରେ ପ୍ରୟୋଗ କରିନଥିଲେ । ସେଥିପାଇଁ ପତଳା ପିନ୍‌ପିନ୍‌ ଚେହେରା, ତାଙ୍କର ଅନାକର୍ଷଣୀୟ ବେଶଭୂଷା, ଆଣ୍ଠୁଲୁଚୁ ନଥିବା ଲୁଗା, ଏକ କୃଷକର ସାଦାସିଧା ଜୀବନ ଅଗଣିତଙ୍କ ପାଇଁ ବାହ୍ୟ ପ୍ରତିବଂଧକ ହୋଇ ରହିନଥିଲା । ଗାନ୍ଧୀଙ୍କ ଭିତରେ ପରସ୍ପର ସଂଘାତ କରୁଥିବା, ଅନେକ ପୃଥକ ବିଭବ ଥିଲେ ହେଁ ସେସବୁକୁ ଶୃଙ୍ଖଳିତ କରି ସେ ଗୋଟିଏ ଡୋରିରେ ବାନ୍ଧି ରଖିଥିଲେ । ସେ ଆପଣାକୁ ବିଭକ୍ତ ହେବାପାଇଁ ଦେଇ ନଥିଲେ ଏବଂ ହୁଏତ ସେଥିପାଇଁ ଏକ ମହାତ୍ମା ପରି ସେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଉଥିଲେ । ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏହିଯେ ଗାନ୍ଧୀ ଆଦୌ ଏକ ବିସ୍ମୟ ନଥିଲେ । ଈଶ୍ୱରଙ୍କୁ ପ୍ରଗାଢ଼ ବିଶ୍ଵାସ କରୁଥିବା ମହାତ୍ମା ନିଜର ପ୍ରୟୋଗଶାଳାରେ ନିଜକୁ ତିଆରି କରିବାର କଷ୍ଟ ଯାହା କରିଥିଲେ ।

Image

 

ପାରିବା ଲୋକର ପୃଥିବୀ

 

ଅଧିକାଂଶ ଲୋକ କୌଣସି ଏକ ଅସୁବିଧାର ସମ୍ମୁଖୀନ ହେଲେ ମର୍ମାହତ ହୋଇପଡ଼ନ୍ତି । ସେମାନେ ପରିସ୍ଥିତି ବିରୁଦ୍ଧରେ ଖୁବ୍‌ ବେଶି ସମୟ ତିଷ୍ଠି ରହି ପାରନ୍ତି ନାହିଁ । ସେମାନଙ୍କ ନିକଟରେ ସାଧନ ନଥାଏ । ସେମାନେ ଅବଶ ହୋଇଯା’ନ୍ତି, ଥକି ପଡ଼ନ୍ତି । ପରିସ୍ଥିତି ସହିତ ସେମାନେ ଯେ ଆଦୌ ମୁକାବିଲା ନ କରି ହାରି ଯା’ନ୍ତି-କଥାଟି ଅବିକଳ ଏମିତି ଯଦିଓ ନୁହେଁ, ତଥାପି ସେମାନେ ସ୍ରୋତ ଓ ସମୟ ବିପକ୍ଷରେ ଅଧିକ ସମୟ ଠିଆ ହୋଇ ପାରନ୍ତି ନାହିଁ । ସେମାନେ ବ୍ୟଥିତ ହୁଅନ୍ତି, ଭାଂଗିପଡ଼ନ୍ତି, ମାତ୍ର ଅନନ୍ୟୋପାୟ ହୋଇ ଶେଷରେ ପରିବର୍ତ୍ତିତ ପରିସ୍ଥିତି ସହିତ ସାଲିସ କରି ନିଅନ୍ତି । ଆମ ସଂସାରରେ ଏଇ ଲୋକଙ୍କ ସଂଖ୍ୟା ଶତକଡ଼ା ନବେ ଭାଗରୁ ଉଣା ନୁହେଁ । ଏଇ ନବେ ଭାଗକୁ ବାଦ୍‌ଦେଲେ ଅବଶିଷ୍ଟ ଦଶ ଭାଗ ଭିତରେ ଦୁଇ ପ୍ରକାରର ଲୋକ ଅଛନ୍ତି । ସେଇମାନଙ୍କ ଭିତରୁ କମ୍‌ଲୋକ (ବୋଧହୁଏ ଏକଭାଗ, ନଚେତ୍‌ ତା’ଠାରୁ କମ୍‌) ହାରିଯିବାକୁ ସ୍ଵୀକାର କରିପାରନ୍ତି ନାହିଁ । ସ୍ଥୂଳତଃ ପରାଜୟର ସାମ୍‌ନା କରିଥିଲେ ହେଁ ସେମାନେ ଭାଂଗି ପଡ଼ନ୍ତି ନାହିଁ। ସେମାନେ ପରାଜୟର ଅସ୍ତିତ୍ୱକୁ ତୁହାକୁ ତୁହା ପ୍ରଶ୍ନ କରନ୍ତି ଏବଂ ପରିବର୍ତ୍ତିତ ପରିସ୍ଥିତିକୁ ପୁଣି ବଦଳାଇ ଦେବାର ପ୍ରୟାସ ଜାରି ରଖନ୍ତି । ଅସନ୍ତୁଷ୍ଟ ହେଲେ ମଧ୍ୟ ସେମାନଙ୍କ ଭିତରେ ଏତେ ଆତ୍ମ ବିଶ୍ଵାସ ଭରି ରହିଥାଏ ଯେ ସେମାନେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରୁଥା’ନ୍ତି, ଅଧିକ କ୍ଷତାକ୍ତ ହେଉଥା’ନ୍ତି ମାତ୍ର ସଂଗ୍ରାମରୁ ଅବ୍ୟାହତି ନିଅନ୍ତି ନାହିଁ । କିନ୍ତୁ ସେଇ ପାଞ୍ଚ ଭାଗ ଭିତରେ ଆହୁରି କିଛି ଲୋକ ରହିଥା’ନ୍ତି ଯେଉଁମାନେ ଏକ ଭିନ୍ନ କାରଣରୁ ପରାଜୟର ସ୍ଵାଦ ପାଇ ନଥାନ୍ତି । ସେଇ ଦୃଷ୍ଟିରୁ ସମ୍ଭବତଃ ସେମାନେ ଏକ ବିରଳ ବର୍ଗର । ଏମାନେ ଆରମ୍ଭରୁ ଆମ ସହିତ ଅଛନ୍ତି । ବିଭିନ୍ନ କାରଣରୁ, ଯଥା ନିଜ ଜନ୍ମଜାତକର ଗୁରୁତ୍ୱ ଦୃଷ୍ଟିରୁ ହେଉ, ଅପରିମିତ ସଂପତ୍ତି ପାଇଁ ହେଉ ବା କ୍ଷମତା ପ୍ରତିଷ୍ଠା ନିମନ୍ତେ ହେଉ ଏମାନେ ସ୍ରୋତର ଗତି ବଦଳାଇବା ପାଇଁ ସମର୍ଥ ହୋଇଥାନ୍ତି । ସର୍ବଦା ଏଇ ବର୍ଗଟି ସିଡିର ଉପର ପାହାଚରେ ନଚେତ ପାଖାପାଖି ଥା’ନ୍ତି । ସିଂହାସନର ଖାସ୍‌ ଲୋକ ବୋଲାଇଥା’ନ୍ତି । ସିଂହାସନର ନିକଟତର ହୋଇଥିବାରୁ ଏମାନଙ୍କ ଉପରେ ଦୁର୍ଘଟଣାର ଆଶଙ୍କା ତୁଳନାତ୍ମକ ଭାବେ କମ୍‌ ହୋଇ ମଧ୍ୟ ରହିଥାଏ । ତଥାପି ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ସିଂହାସନର ନିକଟତ୍ଵ ଏମାନଙ୍କୁ ସକଳ ବିପଦରୁ ରକ୍ଷା କରିଥାଏ । ସରଳ ଭାବରେ ଏମାନଙ୍କୁ ପାରିବାର ଲୋକ କୁହାଯାଏ ।

 

ବିପଦମୁକ୍ତ ହେବା ନିମନ୍ତେ ଏଇ ପାରିବାରପଣିଆଟି କେତେ ଯୁକ୍ତିଯୁକ୍ତ, ନ୍ୟାୟ ସଂଗତ ସେ ସଂପର୍କରେ କେହି ବିଚାରନ୍ତି ନାହିଁ । ତେବେ ଏହା ସତ୍ୟ ଯେ ତଥାକଥିତ ପାରିବାପଣିଆର ମାର୍ଗଟି ଆଦୌ ନ୍ୟାୟସଂଗତ ହୋଇନଥାଏ । ଜ୍ଞାତସାରରେ ସେଇ ପରିବାପଣିଆଟି ପ୍ରଚଳିତ ଆଇନକାନୁନ ଓ ପରଂପରାର ସିଧାସଳଖ ଉଲ୍ଲଂଘନ କରିଥାଏ । ଅନେକ ଲୋକଙ୍କୁ ବଞ୍ଚିତ କରି ରଖିଥାଏ । ଜହ୍ନ କିରଣକୁ ଆପଣାର ମାର୍କାଦେଇ ନିଜବାଡ଼ିରେ ରଖିଥାଏ । ଅନ୍ୟମାନେ ଅନ୍ଧାରରେ ରହିବାପାଇଁ ଏକ ରକମ ବାଧ୍ୟ ହୁଅନ୍ତି । ଗୋଟଏ ଲମ୍ବା ରାସ୍ତାର ଅଜବ ସଟ୍‌କଟ୍‌ ପାରିବା ଲୋକମାନେ ଯେ କୌଣସି ପରିସ୍ଥିତିରେ ଆବିଷ୍କାର କରିବାରେ ସମର୍ଥ ହୋଇଥା'ନ୍ତି । ଏଇ ସଟ୍‌କଟ୍‌ ପ୍ରଚଳିତ ବିଧି ବ୍ୟବସ୍ଥାର ଉଲ୍ଲଂଘନର କ୍ରମରେ ଅନେକଙ୍କୁ ବ୍ୟଥିତ କଲେହେଁ କେହି ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ ପ୍ରାୟ କରନ୍ତି ନାହିଁ । ଏହା ଏକ ବିଡ଼ମ୍ବନା । ସଫଳତା ନିକଟରେ ପହଞ୍ଚିବାପାଇଁ ଏକ ସଂକ୍ଷିପ୍ତ ରାସ୍ତାକୁ ଅତିକ୍ରମ କଲାବେଳେ ପାରିବାଲୋକେ ଆଗପଛ କିଛି ବିଚାରନ୍ତି ନାହିଁ । ସେମାନେ ସଫଳତାକୁହିଁ ପ୍ରାଥମିକତା ଦେଇଥା’ନ୍ତି । ମାଧ୍ୟମ (Means) ନୁହେଁ ଲକ୍ଷ୍ୟହିଁ (End) ସେମାନଙ୍କପାଇଁ ପ୍ରଭୁ ହୋଇ ରହିଥାଏ । ସଫଳ ହେବାର,ସବୁଠୁ ସକ୍ଷମ ହେବାର ଆତ୍ମମନସ୍କତା ସେମାନଙ୍କ ଜୀବନର ଏକ ବିଭବ ହୋଇ ମଧ୍ୟ ରହିଥାଏ । ଏହା ମଧ୍ୟ ଅନ୍ୟ ଏକ ବିଡ଼ମ୍ବନା ଯେ ସେମାନେ ଅନ୍ୟମାନଙ୍କ ପାଇଁ, ବିଶେଷ କରି ନୂତନ ପୀଢ଼ି ପାଇଁ ପ୍ରେରଣା ହୋଇ ରହନ୍ତି, ରୋଲ୍‌ ମଡେଲ୍‌ ହୋଇ ରହନ୍ତି । ଅରିଜିନ୍‌ ଅଫର ଦି ସ୍ପେସିଜ୍‌ରେ ଡାରୱାନ୍‌ ବିବର୍ତ୍ତନ ତତ୍ତ୍ୱ ଆଲୋଚନାରେ ଯାହା କହିଥିଲେ ସେଇଟି ପରେ ସାମାଜିକ ଡାରୱାନିବାଦକୁ(Social Carwinism) ଜନ୍ମ ଦେଇଥିଲା । ଡାରୱାନ୍‌ କହିଥିଲେ ଯେ ଜୀବଜଗତରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତି ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଲାଗି ରହିଛି । ତିଷ୍ଠି ରହିବା ପାଇଁ, ନିଜେ ଅଧିକ ସମର୍ଥ ବୋଲି ସାବ୍ୟସ୍ତ କରିବା ପାଇଁ ଏହି ପ୍ରତିଯୋଗିତା ନିରନ୍ତର ଚାଲିଛି । ଏବଂ ଯେଉଁମାନେ ଅଧିକ ସମର୍ଥ, କେବଳ ସେଇମାନେହିଁ ତିଷ୍ଠି ରହିଛନ୍ତି । ସେମାନଙ୍କର ସେଇ ପାରିବାପଣିଆଟି ବଂଶାନୁକ୍ରମିକ ଭାବେ ଆଗକୁ ଆଗକୁ ଯିବ-ନୂଆ ପୀଢ଼ି ପାଖକୁ ଯିବ । ଯଦିଓ ସେତେବେଳେ ଡାରୱାନ୍‌ଙ୍କ ଏହି ତତ୍ତ୍ୱର ଏକ ଗୁରୁତ୍ଵପୂର୍ଣ ଅଂଶ ଅର୍ଥାତ୍‌ ବଂଶାନୁକ୍ରମିକ ଅଗ୍ରଗତିର ଦିଗଟି ବୈଜ୍ଞାନିକ ଭାବେ ପ୍ରମାଣିତ ହୋଇ ପାରିନଥିଲା (ମେଣ୍ଡେଲ୍‌ ଓ ୱାଟ୍‌ସନ୍‌ ପରବର୍ତ୍ତୀ ସମୟରେ ଏହା ପ୍ରମାଣ କରି ଦେଇଥିଲେ) ତଥାପି ଡାରୱାନ୍‌ଙ୍କ ତତ୍ତ୍ୱକୁ ସାରା ବିଶ୍ଵ ମାନ୍ୟତା ଦେଇଥିଲା । Natural selection (ପ୍ରାକୃତିକ ଚୟନ)ର ନିର୍ଯ୍ୟାସକୁ ବୁଝାଇବା ପାଇଁ ଡାରୱାନ୍‌ କହିଥିଲେ ଯେ ପ୍ରାଣୀ ଜୀବକୁ ସୁହାଉଥିବା, ବିଶେଷ କରି ତା’ର ଜୀବନଧାରଣରେ ସହାୟକ ହେଉଥିବା ପ୍ରକୃତି (ଗୁଣମାନ),-ଅନ୍ୟ ଅର୍ଥରେ ତା’ର ପାରିବାପଣିଆଟି ପ୍ରାଣୀ ପାଖରେ ତିଷ୍ଠି ରହେ, ବିକଶିତ ହୁଏ ଏବଂ ଅନୁକ୍ରମିକ ଭାବେ ନୂତନ ପୀଢ଼ିକୁ ପ୍ରାପ୍ତ ହୋଇଥାଏ । ସେହି କ୍ରମରେ ଜୀବନଧାରଣ ପାଇଁ ଅନାବଶ୍ୟକ ବା ଅଳ୍ପାବଶ୍ୟକ ଗୁଣ ସବୁ ସମୟକ୍ରମେ ଅନ୍ତହିତ ହୁଅନ୍ତି ଏବଂ ନିଃଶେଷ ହୋଇଯାନ୍ତି । ଗାଲାପାଗୋସ୍‌ ଦ୍ୱିପରେ ପ୍ଲିଞ୍ଚ୍‌ (Flinch) ପକ୍ଷୀଙ୍କ ଅଧ୍ୟୟନରୁ ଉତ୍ପନ୍ନ ଡାରୱାନ୍‌ଙ୍କ ପ୍ରାକୃତିକ ଚୟନର ଏହି ତତ୍ତ୍ୱକୁ ସ୍ପେନସର (Herbert Spencer) ପରବର୍ତ୍ତୀ ସମୟରେ ସମାଜ ଓ ସଂସ୍କୃତି ଭିତରକୁ ନେଇ ଯାଇଥିଲେ । ସ୍ପେନ୍‌ସର କହିଥିଲେ ଯେ ବିବର୍ତ୍ତନ କେବଳ ଏକ ଶାରୀରିକ ପ୍ରକ୍ରିୟା ନୁହେଁ । ଶାରୀରିକ / ଜୈବ ବିବର୍ତ୍ତନ ବ୍ୟକ୍ତିର ସାମାଜିକ ଓ ସାଂସ୍କୃତିକ ବିବର୍ତ୍ତନ ସହିତ ମଧ୍ୟ ସଂପୃକ୍ତ । ସବୁ ସ୍ତରରେ ସେହି ଏକା ନିୟମ ଅନୁଯାୟୀ ବିବର୍ତ୍ତନ ଘଟି ଚାଲିଥାଏ । ଜୀବଜଗତରେ ଯେମିତି ସବଳ ପ୍ରାଣୀମାନେ ତିଷ୍ଠି ରହିଥା’ନ୍ତି, ଠିକ୍‌ ସେମିତି ସମାଜରେ Survival of the Fittest ତତ୍ତ୍ୱର ନିତ୍ୟ ରାଜତ୍ଵ ଚାଲିଥାଏ । ସିଧାସଳଖ ଭାବେ ସେ ଏକଥା ମଧ୍ୟ କହିଥିଲେ ଯେ ମୁକ୍ତ ଅର୍ଥନୀତିଭିତ୍ତିକ ବ୍ୟବସ୍ଥାରେ ପୁଞ୍ଜିବାଦର ସାମ୍ରାଜ୍ୟରେ ଦୁର୍ବଳମାନଙ୍କର କୌଣସି ସ୍ଥାନ ନାହିଁ, ଅସମର୍ଥମାନଙ୍କର କୌଣସି ସ୍ଥାନ ନାହିଁ । ବିଶେଷ ଭାବରେ ଜଣେ ଦରିଦ୍ର ଲୋକର ସ୍ଥାନ ନାହିଁ । ଯଦିଓ ତାଙ୍କର ମତାମତ ପାଇଁ ସ୍ପେନ୍‌ସର ଯଥେଷ୍ଟ ବିତର୍କିତ ହୋଇ ରହିଥିଲେ ଓ ପରବର୍ତ୍ତି ସମୟରେ ସାମାଜିକ ଡାରୱାନ୍‌ ବାଦର ଅବକ୍ଷୟ ଘଟିଥିଲା, Survival of the Fittest ତତ୍ତ୍ଵ ଆଜି କାହିଁକି ଅଧିକ ପ୍ରାସଙ୍ଗିକ ମନେହେଉଛି । ଆମେ ଏକ ବଜାରଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିଥିଲେ ଓ ସେହି ଅର୍ଥନୀତିର କ୍ରୀତଦାସ ପାଲଟି ଯିବା ପାଇଁ କୁଣ୍ଠାବୋଧ କରୁନାହୁଁ । ଏହା ମଧ୍ୟ ସତ୍ୟ ଯେ ଏହି ପ୍ରକାର ଏକ ଅର୍ଥନୀତି ଦୁର୍ବଳ ଲୋକଟିକୁ ଆଶ୍ରା ଦିଏ ନାହିଁ । ଏହି ବ୍ୟବସ୍ଥାଟି ସର୍ବଦା ସମର୍ଥ ଲୋକଟି ସହିତ ଥାଏ। ପାରିବାର ଲୋକଟିକୁ, ତା’ର ପାରିବାପଣିଆର ଚାତୁରୀଟିକୁ ତାରିଫ୍‌ କରୁ । ଆଉ ଯଦି ଡାରୱିନଙ୍କ ପ୍ରାକୃତିକ ଚୟନର ନିୟମକୁ ସ୍ପେନ୍‌ସରଙ୍କ ମତ ଅନୁସାରେ ଆମେ ଆମର ସାମାଜିକ ଜୀବନ ଭିତରକୁ ନେଇ ଆସିବା ତେବେ ଏକଥା ମଧ୍ୟ ସମ୍ଭବ ଯେ ଆମ ଭବିଷ୍ୟତର ପୀଢ଼ିମାନେ ଏକ ଅଦ୍ଭୁତ ପୀଢ଼ି ହୋଇ ଆସିବେ-ଯେଉଁମାନଙ୍କ ଭିତରେ କାହାକୁ ଭଲ ପାଇବାର ବା ଦୟା କରିବାର ପ୍ରବୃତି ଆଦୌ ରହିବ ନାହିଁ । କ୍ରମଶଃ ଭଲପଣିଆ ଅପ୍ରାସଙ୍ଗିକ ହୋଇ ଉଠୁଛି ଏବଂ ବିବର୍ତ୍ତନ କ୍ରମରେ ଏସବୁର ବିଲୋପ ଘଟିବ । କେତେଶହ ବର୍ଷ ପରେ ହୁଏତ ଏମିତି କିଛି ମଣିଷ ଜନ୍ମ ନେବେ ଯେଉଁମାନେ ବସ୍ତୁତଃ ରୋବଟ୍‌ ପରି ମନେ ହେବେ । ସେମାନେ ପ୍ରକାରାନ୍ତରେ ଏକ ଯାନ୍ତ୍ରିକ ସତ୍ତା ହୋଇ ତିଷ୍ଠି ରହିବେ ।

Image

 

ସିଡ଼ିର ସବା ଉପର ପାହାଚରେ ଠିଆ ହୋଇଥିବା ଲୋକ

 

ସିଡ଼ିର ସବା ଉପର ପାହାଚରେ ଠିଆହୋଇ ତଳକୁ ଚାହୁଁଥିବା ଲୋକଟିର ଅନୁଭବ ସେଇ ଲୋକଟି ପାଇଁ ନିଆରା ତ ନିଶ୍ଚୟ ହେବ, ମାତ୍ର ସିଡ଼ି ତଳ ଲୋକମାନଙ୍କ ପାଇଁ ସେଇ ଉପର ଲୋକଟି କିଛି କମ୍‌ ଆକର୍ଷଣୀୟ ମନେ ହେବ ନାହିଁ । ସିଡ଼ିର ସବା ଉପର ପାହାଚରେ ପାଦ ଦେବାପରେ ଲୋକଟିକୁ ହୁଏତ ସିଡ଼ିତଳର ଦୃଶ୍ୟ ରୋମାଂଚକର ମନେ ହେଉଥିବ; ସିଡ଼ି ତଳର ଲୋକମାନେ ମନେ ହେଉଥିବେ ଲିଲିପୁଟ୍‌ ପରି, ଯୋଉଁମାନେ ଭକୁଆ ହୋଇ ବିସ୍ମୟରେ ଉପରକୁ ଚାହିଁଥିବେ ଏବଂ ଉପରେ ଠିଆ ହୋଇଥିବା ଲୋକଟି ସେଇ ଭକୁଆମାନଙ୍କୁ ଗୋଟିଏ ଭାରି ବୀର ଦର୍ପରେ ଚାହିଁଥିବ । ସିଡ଼ି ତଳର ଲୋକେ ସବୁ ହୁଏତ ଦିଶୁଥିବେ କଂକଡ଼ା ପରି, ଯୋଉମାନେ ପରସ୍ପରର ଗୋଡ଼ ଟାଣୁଥିବେ । ପରସ୍ପର ଗୋଡ଼ ଟାଣିଲାବେଳେ ଦାନ୍ତ ଚିପିଚିପି, ନଚେତ୍ ଠୋ-ଠୋ ହସୁଥିବେ ଓ ତଥାପି ଗୋଡ଼ ଟାଣୁଥିବେ । ଗୋଡ଼ ଟାଣୁଥି‌ବେ ତଥା ଆନନ୍ଦିତ ହେଉଥିବେ । ଉପରକୁ ଉଠି ଯାଇଥିବା ଲୋକଟି ଏ ପ୍ରକାର ପ୍ରତିଯୋଗିତାରୁ / ଆକ୍ରମଣରୁ କୌଣସି ପ୍ରକାରେ ରକ୍ଷା ପାଇ ଏକ ପ୍ରକାଣ୍ଡ, ପ୍ରତାପୀ, ବଳବନ୍ତ କଙ୍କଡ଼ା ହିସାବରେ ନିଜକୁ ସାବ୍ୟସ୍ତ କରି ପକାଇଥିବାର ଆନନ୍ଦରେ ତଥା ସ୍ଵକୀୟ ଉତ୍ତରଣର ମାର୍ଗରେ ଅଜସ୍ର ଅପେକ୍ଷାକୃତ ଦୁର୍ବଳ କଙ୍କଡ଼ାମାନଙ୍କୁ କ୍ଷତାକ୍ତ କରି ପକାଇଥିବାର ପୈଶାଚିକ ବୀରତ୍ୱରେ କେତେ କ୍ଷଣ ତନ୍ମୟ ହୋଇ ରହୁଥିବ !

 

ଏମିତି ମଧ୍ୟ ସମ୍ଭବ ଯେ, ସିଡ଼ିର ସବା ତଳପାହାଚରୁ ଯାତ୍ରା ଆରମ୍ଭକରି ସବା ଉପର ପାହାଚରେ ପହଂଚିବା ଭିତରେ ଏମିତି ଏକ ଅବସ୍ଥା ସୃଷ୍ଟି କରିବାରେ ଲୋକଟି ସଫଳ ହୋଇଥିବ ଯାହା ଫଳରେ ଏକ ନିର୍ଦ୍ଦିଷ୍ଟ ପାହାଚରେ ପହଂଚିବା ପରେ ଅନ୍ୟମାନେ ଉପରକୁ ଆସିବା ସମ୍ଭବ ହେଉ ନଥିବ, ଅର୍ଥାତ୍‌ ନିଜେ ଉପରକୁ ଚଢ଼ୁ ଚଢ଼ୁ ଲୋକଟି ଅନ୍ୟମାନଙ୍କ ଗତିକୁ ପ୍ରତିହତ କରିବାପାଇଁ ଅତଡ଼ା ଖସାଇ ଦେଇଥିବ ! ସେଇ ଅତଡ଼ାଟି ଅବଶିଷ୍ଟମାନଙ୍କ ପାଇଁ ଏକ ସଫଳ ଆତଙ୍କ ହୋଇ ଅବଶ୍ୟ ରହୁଥିବ ଓ ବରାବର ଅନ୍ୟମାନଙ୍କ ଏପଥରୋଧ କରିବାରେ ସମର୍ଥ ହେଉଥିବ । ଏମିତି ମଧ୍ୟ ସମ୍ଭବ ଯେ, ଆଦୌ ସତସତିକିଆ ଅତଡ଼ା ନ ଖସାଇ ଲୋକଟି ଅନ୍ୟମାନଙ୍କୁ ଭେଳିକି ଦେଖାଉଥିବ । ଭୟର ମାହୋଲ୍‌ ସେଇ ଉପରେ ଥାଇ ସୃଷ୍ଟି କରୁଥିବ । ଅର୍ଥାତ୍‌, ସ୍ୱୟଂ ମିଛ ବାଘଟାଏ ହୋଇ ସନ୍ତ୍ରାସର ବାତାବରଣ ସୃଷ୍ଟି କରିବାରେ ସିଦ୍ଧହସ୍ତ ହୋଇଥିବ-! ଏଇ ପ୍ରକାରେ ଅନ୍ୟ ଲୋକମାନଙ୍କ ପାଇଁ ଭୀତି ସଂଚାର କରିହେବ । ନିରନ୍ତର ମିଛବାଘର ଭୟରେ, ତା’ର ଭୟଙ୍କର ହେଣ୍ଟାଳରେ ତଳ ଲୋକଗୁଡ଼ାକ ଉପରକୁ ଯିବାର ଚେଷ୍ଟାରୁ ବିରତ ହେଉଥିବେ, ଯଦିଓ ଉପରକୁ ଯିବାର ଏକ ବଳବତୀ ଇଚ୍ଛା ଅନେକଙ୍କର ଥିବ ।

 

ଟିକେ ଅଲଗା ବାଗରେ ଏମିତି ମଧ୍ୟ ହୋଇପାରେ ଯେ, ଆପଣାକୁ ପରମ ପରାକ୍ରମୀ ମନେ କରୁଥିବା ସେଇ ଉପର ପାହାଚର ଲୋକଟି ତା’ପଛରେ ସିଡ଼ି ଚଢ଼ୁଥିବା ଅନ୍ୟମାନଙ୍କୁ ଅନେକ ବାଟ ଯାଏ ନିରୁତ୍ସାହିତ କରୁ ନଥିବ, ମାତ୍ର ନିଜେ ଉପରେ ପହଂଚିବା ପରେ ନିଜ ସ୍ଥିତିକୁ ନେଇ ସେ ହଠାତ୍‌ ଯେମିତି ଭୟଭୀତ ହୋଇପଡ଼ିଛି, ତା’ର ତଳକୁ ଫେରିବା ପାଇଁ ଆଉ ବାଟ ନଥିବାରୁ ସେ ଉପରେ ରହିବା ପାଇଁ ବାଧ୍ୟ ହେଉଛି ଏମିତି ଗୋଟାଏ ଅଭିନୟ କରୁଥିବ । ସିଡ଼ି ଚଢୁଥିବା ଲୋକେ ବିଶ୍ୱାସ କରିବେ ଯେ ଉପରକୁ ଯିବାରେ ବିପଦ ଅଛି । ଉପରେ ପହଂଚି ସର୍ବଦା ସଂତ୍ରସ୍ତ ହୋଇ ରହିବା ଅପେକ୍ଷା ସିଡ଼ି ମଝିରେ ନଚେତ୍‌ ସିଡ଼ି ତଳେ ରହିଯିବାହିଁ ଭଲ । ଏହି ପ୍ରକାରେ କିଛି ଲୋକ ଅଧାସ୍ଵର୍ଗରେ ରହିବେ । ଅଧିକ ଲୋକଙ୍କୁ ବୁଦ୍ଦୁ ବନାଇବା ପାଇଁ ଏପ୍ରକାର ଚତୁର ଯୋଜନାଟିଏ ମଧ୍ୟ ସଂଭବ । ନିଜର ନିରାପଦ ଆସନ ବାହାରେ ଭୟର ଏକ ସଂକ୍ଷିପ୍ତ ଅଥଚ ସ୍ପଷ୍ଟ ବଳୟ ସୃଷ୍ଟିକରି ଅନେକ ଭୟାଳୁ ଲୋକଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଉୟଭୀତ କରାଯିବା ସହିତ ଆପଣାର ପ୍ରତିଷ୍ଠାକୁ ଅଧିକ ନିରାପଦ ରଖାଯାଇପାରିବ ।

 

ଅନ୍ୟମାନଙ୍କ ଭୟ, ବିଶେଷକରି ଅନ୍ୟମାନଙ୍କର ସିଡ଼ି ଚଢ଼ିବାର ଭୟ, ପ୍ରକାରାନ୍ତରେ ଉପରେ ଥିବା ଲୋକଟି ପାଇଁ ଆଶୀର୍ବାଦ ହୋଇ ରହିଥାଏ । ସାର୍ବଜନୀନ ଭୟରୁ ସୃଷ୍ଟି ଏଇ ଆଶୀର୍ବାଦ ତା’ର ସିଂହାସନକୁ ଅଧିକ ସୁଦୃଢ଼ କରିବାରେ ଲାଗିଥାଏ । କ୍ରମଶଃ ଲୋକଟି ସିଂହାସନ ଆରୋହଣ କରେ ଏବଂ ସିଡ଼ି ତଳେ ଥିବା ଲୋକମାନଙ୍କୁ ସିଂହାବଲୋକନ କରେ । ମଂଚ ଉପରୁ, ନିରାପଦ ଦୂରତ୍ୱରୁ ସେଇମାନଙ୍କୁ ସମ୍ବୋଧନ କରି ଭୟର ସଂଦେଶ ପହଂଚାଇଦିଏ । ସବୁଠୁ ମଜାର କଥା ହେଉଛି ସିଡ଼ି ଉପର ପାହାଚକୁ ଚଢ଼ି ପାରୁନଥିବାର କାରଣ ଉପରୋକ୍ତ କାରଣମାନଙ୍କ ମଧ୍ୟରୁ ବା ଅନ୍ୟ କୌଣସି କାରଣରୁ ଯାହାବି ହୋଇଥାଉନା କାହିଁକି କିଛିଦିନ ପରେ ତଳେଥିବା ଲୋକମାନେ ବିଶ୍ଵାସ କରିଥା'ନ୍ତି ଯେ ସିଡ଼ି ଉପର ପାହାଚରେ ଠିଆ ହୋଇଥିବା ଲୋକଟି ଅବଶ୍ୟ ଠିକ୍‌ । ସେ କହୁଥିବା କଥା ଠିକ୍‌, ସେ ପିଂଧିଥିବା ପୋଷାକଟା ଠିକ୍‌ । ସେ ବସିଥିବା ସୁରମ୍ୟ ସିଂହାସନଟା ବି ଠିକ୍‌ ।

 

ଏମିତି କାହିଁକି ହୁଏ ସେକଥା ବିସ୍ତାରରେ ଏଇ ପ୍ରବଂଧରେ ଆଲୋଚିତ ହେଉନାହିଁ । ତେବେ ସଂକ୍ଷେପରେ ଏହାହିଁ ସତ୍ୟ ଯେ ଇତିହାସରେ, ବିଭିନ୍ନ ସମୟରେ ସିଡ଼ି ତଳେ ଠିଆ ହୋଇଥିବା ଶତକଡ଼ା ନବେ ଭାଗ (ବୋଧହୁଏ ତା'ଠାରୁ ଅଧିକ) ଲୋକେ ଏକ ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନ ପରେ ଆରୋହଣରୁ ନିବୃତ୍ତ ରହିଥା’ନ୍ତି । ସେମାନେ ପରିସ୍ଥିତି ସହିତ ସମ୍‌ଝୋତା କରିନିଅନ୍ତି, ଆପଣାର ଭାଗ୍ୟକୁ ଆଦରି ନିଅନ୍ତି । ଆପଣାକୁ ଅପାରଗ / ଅକ୍ଷମ ମନେକରନ୍ତି । ସେମାନେ ପରିବର୍ତ୍ତିତ ପରିସ୍ଥିତିରେ, ବ୍ୟବସ୍ଥାର କ୍ରୀତଦାସ ପାଲଟିଯା’ନ୍ତି । କୌଣସି ପ୍ରକାର ରିକ୍ସ ନ ନେଇ ସେମାନେ ଆରୋହଣରୁ କ୍ଷାନ୍ତ ରହନ୍ତି । ସେମାନେ ମଧ୍ୟ ଉପର ଲୋକଟିର ପ୍ରଶଂସକରେ ପରିଣତ ହୁଅନ୍ତି । ପରାଜୟଜନିତ ନୈରାଶରୁ ହେଉ ବା ନିଜେ ହାରି ଯାଇଥିବାବେଳେ ଅନ୍ୟ ଜଣେ କୌଣସି ପ୍ରକାର ଜିତିଯାଇ, ସବା ଉପରେ ପହଂଚି ଅପ୍ରକାଶ୍ୟରେ ପରାଜିତ ପ୍ରତିଯୋଗୀର ନାୟକ ପାଲଟି ଯାଇଥବାରୁ ତା’ ପ୍ରତି ଏକ ଅନ୍ତର୍ହିତ ସମର୍ପଣରୁ ହେଉ–ତଳ ଲୋକଟି ଉପର ଲୋକର ଅନୁଗାମୀ ହେବାପାଇଁ ସେମିତି ବିଶେଷ ସମୟ ଲାଗେ ନାହିଁ । ମନସ୍ତାତ୍ତ୍ୱିକ ଭାବେ ଏହା ସମ୍ଭବ କାରଣ ଆପଣାର ଆଦର୍ଶ, ଲକ୍ଷ୍ୟ ଏକ ବଳବତୀ ଆକାଙ୍‌କ୍ଷା ହୋଇ ଶେଷ ପର୍ଯ୍ୟନ୍ତ ଆମ ସହିତ ରହିଥାଏ । ତଳ ଲୋକେ ସେଇ ଦୂରବର୍ତ୍ତୀ ଲକ୍ଷ୍ୟ, ଆଦର୍ଶ, ସେଇ ସୁରମ୍ୟ ସିଂହାସନର ମାୟାରେ ସମ୍ମୋହିତ ହୋଇ ରହିଥାନ୍ତି । ସିଂହାସନ ଆରୋହଣର ଅପୂର୍ବ ସୁଯୋଗରୁ ସର୍ବଦା ବଂଚିତ ହୋଇ ରହିଥିବାରୁ, ଏପରିକି ସିଂହାସନ ଆଖପାଖରେ ପହଂଚିବାର ଅଭିଜ୍ଞତା ନଥିବାରୁ ସିଂହାସନଟି ଅଧିକ ଆକର୍ଷଣୀୟ ହୋଇ ମଧ୍ୟ ରହିଥାଏ । ସିଂହାସନ ଆରୂଢ଼ ଲୋକଟି ସିଂହାସନ ସହିତ ସିଡ଼ିତଳୁ ଏମନ୍ତ ପ୍ରକାରେ ଭାରି ଜକଜକ ଦିଶୁଥାଏ-

 

ଥରେ ଥରେ ସିଡ଼ିଉପର ଲୋକଟି ଏକ ଦାର୍ଶନିକ ପରି ମଧ୍ୟ ମନେହୁଏ । ନିଜକୁ ସିଡ଼ି ଉପରେ ନିବୁଜ କରି ରଖିଥିବାରୁ ଏବଂ ସାଧାରଣ ମଣିଷ ସହିତ ସଂପର୍କିତ ନଥିବାରୁ ଲୋକଟିର ମନକୁ ଅଜବ ଖିଆଲ୍‌ମାନ ଆସେ । କ୍ରମଶଃ ଖିଆଲ୍‌ ତତ୍ତ୍ୱରେ ପରିଣତ ହୁଏ । ଅବଶ୍ୟ ସେଇ ତତ୍ତ୍ଵ ବା ଦର୍ଶନ ଅପରୀକ୍ଷିତ ହୋଇ ରହିଥାଏ, କାରଣ ଅନେକାଂଶରେ ସେଇ ତତ୍ତ୍ୱର ଭୂମି ବାସ୍ତବତାର ଧାର ଧାରେ ନାହିଁ । ଅସଲ ସାର୍ବଜନୀନ ଭୂମିଠାରୁ ଅସଂଲଗ୍ନ ହୋଇ ରହିଥିବା ସେଇ ଦର୍ଶନ ନିର୍ଜନତାରେ ହିଁ ପରିପୁଷ୍ଟ ହୋଇ ରହିଥାଏ । ଯେତେ ସ୍ପଷ୍ଟ ଭାବରେ ସେଇ ତତ୍ତ୍ୱ / ଦର୍ଶନକୁ ପ୍ରଚାର ତଥା ପ୍ରସାର କରାଗଲେ ହେଁ ସେଇ ଦର୍ଶନ ସାଧାରଣ ମଣିଷ ସହିତ (ସିଡ଼ି ତଳର ମଣିଷ) ସଂଯୋଗର ସୂତାଖିଅଟିଏ ଯୋଡ଼ିପାରେ ନାହିଁ । [ପ୍ରକୃତରେ ସିଡ଼ି ଉପରୁ ପ୍ରସାରିତ ହେଉଥିବା ଦର୍ଶନରେ ସାଧାରଣ ମଣିଷ ସହିତ ସଂପର୍କିତ ହେବାର ପ୍ରୟାସ ମଧ୍ୟ ନଥାଏ ।] ଥରେ ଥରେ ସାଧାରଣ ମଣିଷର ସଂଳାପକୁ ଗୁରୁତ୍ୱ ଦିଆଯାଉଛି, ସେମାନଙ୍କର ମତାମତ ଲୋଡ଼ାଯାଉଛି ଏଇକଥା ସାଙ୍କେତିକ ଭାବେ ଜଣାଇ ଦେବାପାଇଁ ଆବଶ୍ୟକୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ମଂଚ ଉପରୁ ମାଇକ୍‌ରେ କୁହାଯାଏ । ସିଡ଼ିତଳେ ଠିଆ ହୋଇଥିବା ଲୋକମାନେ ପରସ୍ପରକୁ ଜୁଳୁଜୁଳୁ ଚାହାନ୍ତି । ଗୁଣୁଗୁଣୁ ହୁଅନ୍ତି । ପୁଣି ଚୁପ୍‌ ହୋଇଯାନ୍ତି । ସିଡ଼ି ଉପରୁ ଅନର୍ଗଳ ପ୍ରସାରିତ ହେଉଥିବା ଦର୍ଶନ ସର୍ବସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ଜାରି ହେଉଛି କୁହାଯିବା ପରେ ମଧ୍ୟ ସେଇଟି ଦୁର୍ବୋଧ୍ୟ / ଅସଂଗତ ମନେହୁଏ । ତେବେ ସିଡ଼ିତଳ ଲୋକେ ପ୍ରାୟ ପ୍ରତିବାଦ କରନ୍ତି ନାହିଁ । ଯଦି କେହି ପ୍ରତିବାଦ କରେ ସେ ପ୍ରତିବାଦ କେହି ଶୁଣନ୍ତି ନାହିଁ । ଅତ୍ୟଧିକ ପ୍ରତିବାଦ ହେଲେ ପ୍ରତିବାଦର ତଦନ୍ତ ହେବ ବୋଲି କୁହାଯାଏ । ତଦନ୍ତ ହେଉ ବା ନ ହେଉ ତଦନ୍ତ ନାଁ ଶୁଣିଲେ ପ୍ରତିବାଦ ବନ୍ଦ ହୋଇଯାଏ । ତାଳିମାଡ଼ ଶୁଭେ । ସମୟ ଗଡ଼ିଚାଲେ ଏବଂ ସୁଦୀର୍ଘ ବ୍ୟବଧାନ ପରେ ତଦନ୍ତ ରିପୋର୍ଟ ପ୍ରକାଶ ପାଏ । ତାହାହିଁ ହୁଏତ ସ୍ୱୀକୃତ ହୁଏ । ସିଡ଼ିତଳର ଲୋକଟି ବିଶ୍ଵାସ କରେ ଯେ ସବା ଉପର ପାହାଚର ଲୋକଟି ଯାହା କରିଛି, ସେ ନିଶ୍ଚିତ ଠିକ୍‌ କରିଛି ।

 

ସାରା ସଂସାରରେ ଅଧିକରୁ ଅଧିକ ଲୋକେ ବା ଏକ ସିଂହଭାଗ ସିଡ଼ିର ଉପର ପାହାଚରେ ଥିବା ଲୋକର ବଶ୍ୟତା ସ୍ଵୀକାର କରିଥା’ନ୍ତି । ଏହା ଏକ ଐତିହାସିକ ସତ୍ୟ । ସେମାନେ ପ୍ରତିବାଦ ନକରି ଲୋକଟାର ଗୋଲାମ ହୋଇ ରହିବା ପାଇଁ ପସନ୍ଦ କରନ୍ତି । ସିଡ଼ି ତଳେ ଠିଆ ହୋଇଥିବା ସେଇ ନବେ ଭାଗ ଲୋକଙ୍କ ମାନସିକତା ତଥା ସାର୍ବଜନୀନ ଦାସତ୍ଵ ଉପର ଲୋକର ମାରାତ୍ମକ ଖିଆଲ୍‌ଠାରୁ ଅଧିକ ଭୟଙ୍କର ପ୍ରମାଣିତ ହୋଇଥାଏ । ହଜାରେ ଲୋକଙ୍କ ଭିତରେ ଜଣେ ଲୋକ ଭୁଲ୍‌ କଥା କହିବା ବା ଭୁଲ୍‌ କାମ କରିବାରେ ସେମିତି କିଛି ବିଚିତ୍ରତା ନାହିଁ, ବରଂ ଏହାହିଁ ବିଚିତ୍ର ଯେ ଅବଶିଷ୍ଟ ୯୯୯ ଜଣ ସେଇ ଜଣଙ୍କ ତାଳରେ ତାଳ ମିଳାଇଥା’ନ୍ତି । ସେମାନେ ତା’ରି ଆଖିରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତକୁ ଦେଖନ୍ତି । ମେଣ୍ଢାପରି ସେମାନେ ତା’ରି ଅନୁସରଣ କରିଥା’ନ୍ତି । ସେମାନେ ଉପର ଲୋକଟାକୁ ପ୍ରଶ୍ନଟିଏ ମଧ୍ୟ ପଚାରନ୍ତି ନାହିଁ । ବିନା ପ୍ରଶ୍ନରେ କିଛି ସ୍ଵୀକାର କରିବା, ସ୍ଲୋଗାନ୍‌ ଦେବା ଓ ମେଣ୍ଢାପରି ମେଁ–ମେଁ ବୋବାଇବା ଏକ ମାରାତ୍ମକ ମାନସିକତା ଯାହା ସିଡ଼ି ଉପର ଲୋକର ମାନସିକତାଠାରୁ ଯଥେଷ୍ଟ ଅଧିକ ମାରାତ୍ମକ ।

 

ଆମେ ସମସ୍ତେ ଏବେ ଏମିତି ଏକ ସମୟରେ ପଂହଚିଛେ ଯେଉଁଠି ନୂଆନୂଆ ପଦ୍ଧତିରେ ପ୍ରଶ୍ନକୁ, ପ୍ରତିବାଦକୁ ପ୍ରତିହତ କରାଯାଉଛି । ଶୃଙ୍ଖଳା ନାଁରେ ସ୍ଵାଧୀନତାକୁ ପ୍ରତିକ୍ଷଣରେ ବଳି ଦିଆଯାଉଛି । ସିଡ଼ି ତଳର ଲୋକ ଯେମିତି ପ୍ରଶ୍ନ ନ ପଚାରି ପାରିବେ ସେଥିପାଇଁ ଆଇନ ଅଛି, ଅନୁଶାସନ ଅଛି, ସରକାରୀ କଳ ଅଛି, ପୋଲିସ୍‌ ଅଛନ୍ତି । ପ୍ରଶ୍ନକୁ ପ୍ରତିହତ କରିବା ପାଇଁ ଆଚାର ସଂହିତାର ନିତ୍ୟ ସଂଶୋଧନ ହେଉଛି । ପ୍ରଶ୍ନକୁ ପ୍ରତିହତ କରିବା ପାଇଁ ଟଙ୍କା ବିଡ଼ା ଅଛି, ମାଡ଼ ଭୟ ବି ଅଛି । ବିଚାର ବ୍ୟବସ୍ଥାକୁ ସିଧାସଳଖ ପ୍ରଶ୍ନ କରିବା ମନା ବୋଲି ନୋଟିସ୍‌ଗୁଡ଼ା ଆମ ନ୍ୟାୟାଳୟମାନଙ୍କର କାନ୍ଥରେ ଝୁଲାଇ ଦିଆଯାଇଛି ଯାହା Oscar Wilde ଙ୍କ Selfish Giant ଗପର ‘‘ଅନୁପ୍ରବେଶକାରୀ ଦଣ୍ଡିତ ହେବେ’’ ବୋର୍ଡ଼ ପରି ଦିଶୁଛି । ବ୍ରିଟିଶ୍‌ ଶାସନର ଛାପଗୁଡ଼ାକ ଖାଲି ଯାହା ଲୋକ ଦେଖାଣିଆ ନହୋଇ ଲୁଚିଯାଇଛି । ଆମେ ସ୍ଵାଧୀନତା ପାଇବାର ୫୬ ବର୍ଷ ପୁରିଗଲାଣି । ଆଉ ୫୬ ବର୍ଷ ମଧ୍ୟ ଚାଲିଯିବ । କ’ଣ ସତରେ ବିଶେଷ ପରିବର୍ତ୍ତନ ହୋଇଛି ? ଏମିତିରେ ଅବଶ୍ୟ ରାସ୍ତାଘାଟ ହୋଇଛି, କଳକାରଖାନା ଗଢ଼ି ଉଠିଛି; ସ୍କୁଲକଲେଜ ଖୋଲିଛି ଏବଂ ସେଇ ଦୃଷ୍ଟିରୁ ଦେଶ ଆଗକୁ ଯାଇଛି ବୋଲି କୁହାଯାଉଛି । ତେବେ ପ୍ରକୃତରେ କ’ଣ ସ୍ୱାଧୀନତା ଆମର ଅଛି ? ଆମର ମୌଳିକ ଅଧିକାର କ’ଣ ଏତେ ସହଜରେ ସୁରକ୍ଷିତ ? ଆମକୁ ନିୟନ୍ତ୍ରଣ କରୁଥିବା କାନ୍ଥବାଡ଼ ଗୁଡ଼ାକର ସ୍ଵରୂପରେ, ସଂଜ୍ଞାରେ ଅବଶ୍ୟ ପରିବର୍ତ୍ତନ ହୋଇଛି, ମାତ୍ର ସେଇ ପୁରୁଣା ପ୍ରତିବଂଧଗୁଡ଼ାକ ନୂଆ ଅବତାରରେ ଆମ ସହିତ ତିଷ୍ଠି ରହିଛନ୍ତି ।

 

ସିଡ଼ି ଚଢ଼ିବାର ନିୟମକୁ ଆମ ବ୍ୟବସ୍ଥାରେ ଗୁରୁତ୍ଵ ଦିଆଯାଉନାହିଁ । ସିଡ଼ି ଚଢ଼ିବା ଠିକ୍‌ ଏକଥା ମଧ୍ୟ କୁହାଯାଉନାହିଁ । କେବଳ ସିଡ଼ି ଚଢ଼ି କୌଣସି ପ୍ରକାରେ ଉପରେ ପହଂଚିବାକୁ ଆମ ବ୍ୟବସ୍ଥା ଗୁରୁତ୍ଵ ଦେଉଛି । ଯେହେତୁ ସିଡ଼ି ଚଢ଼ିବା ନିମନ୍ତେ ନିୟମିତ ଅଭ୍ୟାସ ଓ ଅଧ୍ୟବସାୟ ଅପେକ୍ଷା ଏକ ସ୍ଵତନ୍ତ୍ର ପାରିବାପଣିଆକୁ ପ୍ରାଥମିକତା ଦିଆଯାଉଛି, ଯେଉଁମାନେ ସିଡ଼ି ଚଢ଼ି ଉପରେ ପହଁଚୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସତରେ ଯୋଗ୍ୟ ନୁହନ୍ତି । ବ୍ୟତିକ୍ରମରେ ସିଡ଼ିର ଉପର ପାହାଚକୁ ଯେ ଆଦୌ କେହି ଯୋଗ୍ୟ ଲୋକ ଯାଉନାହାନ୍ତି ସେକଥା ନୁହେଁ, ତେବେ ସେମାନଙ୍କ ସଂଖ୍ୟା ଯଥେଷ୍ଟ କମ୍‌ । ଅର୍ଥାତ୍‌, ଅଧିକାଂଶ ଅନୁପଯୁକ୍ତମାନେ ସିଡ଼ି ଉପର ପାହାଚରେ ଆସ୍ଥାନମାଡି ବସୁଛନ୍ତି ଓ ସେମାନେ ଆଈମା’ କାହାଣୀର ମାଲୁଣୀ ପରି ସିଡ଼ିତଳର ମଣିଷଗୁଡ଼ାଙ୍କୁ ମେଣ୍ଢା ବନେଇ ସେମାନଙ୍କର ମାଷ୍ଟର ହୋଇ ରହିଛନ୍ତି ।

 

ତଥାପି ସଂଭାବନା ଲୋପ ପାଇନାହିଁ । ସିଡ଼ିର ତଳପାହାଚରେ ଥିବା ନବେଭାଗ ମଣିଷମାନଙ୍କୁ ବାଦ୍‌ଦେଇ ଆଉ କିଛି ସେଇଠି ଅଛନ୍ତି ଯେଉଁମାନେ ସକଳ ପ୍ରତିରୋଧ ସତ୍ତ୍ୱେ ତିଷ୍ଠି ରହିଛନ୍ତି । ସେମାନେ ଚେଷ୍ଟାରେ ଅସଫଳ ରହିଥିଲେହେଁ ଆରୋହଣରୁ ବିରତ ହୋଇନାହାନ୍ତି । କ୍ଷତାକ୍ତ, ଅପମାନିତ ହୋଇ ସେମାନେ ହାର ମାନିନାହାନ୍ତି । ସିଡ଼ି ଚଢ଼ିବା ସେମାନେ ଅବ୍ୟାହତ ରଖୁଛନ୍ତି ଓ ତା ସହିତ ମାଲୁଣୀର ମେଣ୍ଢାମାନଙ୍କୁ ମଣିଷରେ ରୂପାନ୍ତରିତ କରିବାର ଚେଷ୍ଟାରେ ରହିଛନ୍ତି । କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସେଇମାନେ ହିଁ ଏକ ସଂଭାବନାକୁ, ଏକ ବିକଳ୍ପକୁ ଜୀଆଇଁ ରଖିଛନ୍ତି । ନିଶ୍ଚିତ ଭାବେ ଅସୀମ କଷ୍ଟ ସହି ସେମାନେ ସେଇ ସଂଭାବନାକୁ ବଂଚାଇ ରଖୁଛନ୍ତି । ଯଦିଓ ‘ଶକ୍ତିମାନ’ ପରି ନିମିଷକରେ ସେମାନେ ପାପର ବିନାଶ କରି ପାରୁନାହାନ୍ତି, ଅନ୍ତରୀକ୍ଷରୁ ଅନ୍ତରୀକ୍ଷ ଉଡ଼ି ପାରୁନାହାନ୍ତି ବା ଦିବ୍ୟଶକ୍ତିମାନଙ୍କୁ ଧରାପୃଷ୍ଠକୁ ମନ୍ତ୍ର-ତନ୍ତ୍ର କରି ଆଣି ପାରୁନାହାନ୍ତି ତଥାପି ସେମାନେ ଚେଷ୍ଟା କରୁଛନ୍ତି । ସିଡ଼ି ଚଢ଼ିବା ଜାରି ରଖୁଛନ୍ତି । ମେଣ୍ଢାକୁ ମଣିଷ କରିବାପାଇଁ ପ୍ରୟାସ କରୁଛନ୍ତି ।

 

ଥରେଥରେ ସେଇମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ସିଡ଼ି ଉପର ପାହାଚରେ ଠିଆ ହୋଇଥିବା ଲୋକଟି ତଳକୁ ପଡ଼ିଯାଉଛି ।

Image

 

ଅସହାୟ ହୋଇ ଚାହିଁ ରହିବାର ବାସ୍ତବିକତା

 

ବେଶ୍‌ କେତେ ବର୍ଷ ଧରି ଆର୍‌ .କେ.ଲକ୍ଷ୍ମଣଙ୍କ ‘ଦି କମନ୍‌ ମ୍ୟାନ୍‌’ ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ପୃଷ୍ଠାରେ ପ୍ରସିଦ୍ଧ ହୋଇ ରହିଛି । ଜାଳେଣି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟବୃଦ୍ଧି ପରି, ସାଧାରଣ ଘଟଣାଠାରୁ ଆରମ୍ଭ କରି ପରମାଣୁ ପରୀକ୍ଷଣ, ଯୁଦ୍ଧ ତଥା ବୈଦେଶିକ ବ୍ୟାପାରରେ ସେହି ସାଧାରଣ ମଣିଷଟି ସ୍ୱଗତୋକ୍ତି କରି ଆସୁଛି-ବୋଧହୁଏ ଦିନକୁ ଦିନି ସେ ଅଧିକ ଆଶ୍ଚର୍ଯ୍ୟ ହେଉଛି-। ସଂସାରର ଗତିବିଧିକୁ ଭକୁଆ ହୋଇ ଚାହିଁ ରହୁଛି, ଅନ୍ତତଃ ଏମିତି ମନେ ହେଉଛି । ସାଧାରଣ ମଣିଷର ଏତେବର୍ଷ ଭିତରେ କିଛି ପରିବର୍ତ୍ତନ ହୋଇଛି କି ନାହିଁ, ସେକଥା ତ ଆମେ ସଂକ୍ଷେପରେ ଆଲୋଚନା କରିବା, ମାତ୍ର ଗୋଟିଏ କଥା ସ୍ପଷ୍ଟ ଯେ, ସାଧାରଣ ମଣିଷର ସାମାଜିକ ଭାଗ୍ୟଟି ଏଇ କେତେ ବର୍ଷ ଭିତରେ ଯଥେଷ୍ଟ ବିଜ୍ଞାପିତ ହୋଇଛି । ଅସଲରେ ଗୁରୁତ୍ଵ ଦିଆନଯାଉ ପଛକେ, ସାଧାରଣ ମଣିଷର ସତ୍ତାଟି ବୌଦ୍ଧିକ ଚର୍ଚ୍ଚା ଭିତରକୁ ଆସି ଅନେକଙ୍କ ପାଇଁ ଅନେକ ଖୋରାକ ଯୋଗାଇ ଦେଇଛି । ଆହୁରି ପରିଷ୍କାର ଶବ୍ଦରେ ପ୍ରକାଶ କରାଗଲେ ଏକଥା ଅବଶ୍ୟ କୁହାଯାଇପାରିବ ଯେ ସାଧାରଣ ମଣିଷର ଚର୍ଚ୍ଚା ଯେ କେବଳ ଆମ ରାଜ୍ୟରେ ବା ଆମ ଦେଶରେ ବଢ଼ିଯାଇଛି ସେ କଥା ନୁହେଁ, ତେବେ ଏକ ବିକାଶଶୀଳ ରାଷ୍ଟ୍ର ଭାବରେ ଆମ ଦେଶରେ ଅନେକ କାରଣରୁ ତା’ର ଚର୍ଚ୍ଚାଟି ଟିକେ ଅଧିକ ହେଉଛି । ଥରେ ଥରେ ମନେ ହେଉଛି, ଯେମିତି ଏଇ ସତ୍ତାଟି ହଠାତ୍‌ କେଉଁଠୁ ଆମ ଗହଣକୁ ଚାଲି ଆସିଛି । କେବଳ ସେତିକି ନୁହେଁ, ଯେମିତି ଏ କଥାଟି ହଠାତ ଆବିଷ୍କାର କରାଯାଇଛି ଯେ ଆମ ଗହଣରେ ସେ ସତ୍ତାଟି ମଧ୍ୟ ରହିବା କଥା, ଆମ ମାଟି, ପାଣି, ପବନରେ, ଆମ ସମ୍ବିଧାନରେ ଓ ଆମ ଶାସନରେ ତା’ର ମଧ୍ୟ ଅଧିକାର ଅଛି; ସେଇ ସତ୍ତାଟି କେବଳ ଶୁଣିବ ନାହିଁ, ସହିବ ନାହିଁ, ସ୍ୱଗତୋକ୍ତି କରିବ ନାହିଁ, ହୁଏତ ତା’ର ନିଜର ମଧ୍ୟ କିଛି କହିବାର ଅଛି, କରିବାର ଅଛି । ଏ ପ୍ରକାର ଏକ ଧାରଣା ଯେମିତି ହଠାତ୍‌ ଆମ ଭିତରକୁ ଆସିଯାଇଛି । ଏଇ ସତ୍ତାଟି ସମାଜ ବ୍ୟବସ୍ଥାର ଏକ ଅଂଶ ଏବଂ ସେଇ ହେତୁରୁ ତା’କୁ ସବୁମତେ ଗୁରୁତ୍ୱ ଦେବା ପାଇଁ ପଡ଼ିବ, ଏମିତି ଏକ ଧାରଣା ଆସିଛି । ସବୁଠୁଁ ଗୁରୁତ୍ୱପୂର୍ଣ ଏହି ଯେ ଯାଥାର୍ଥରେ, ବ୍ୟାବହାରିକ ନହୋଇ ତାତ୍ତ୍ୱିକ ହେଲେ ମଧ୍ୟ ଏ ପ୍ରକାର ଏକ ପ୍ରତ୍ୟୟ ହେଲାଣି ଯେ ସାଧାରଣ ମଣିଷଟି ଦୀର୍ଘଦିନ ଧରି ଉପେକ୍ଷିତ ହୋଇ ରହିଛି । ସମ୍ଭବତଃ ତା’ର ମୁକ୍ତିର ସମୟ ଆସିଗଲାଣି । ତା’ର ସ୍ଵପ୍ନ ସାକାର ହେବାର ସମୟ ଆସିଗଲାଣି !

 

ସାଧାରଣ ମଣିଷର ଅସ୍ତିତ୍ଵକୁ ତ କେହି ଅସ୍ଵୀକାର କରିବାର ପ୍ରଶ୍ନ ଉଠୁ ନାହିଁ । ସବୁ ସମୟରେ ସାଧାରଣ ମଣିଷର ସତ୍ତା ପରିମାଣାତ୍ମକ ଭାବେ ଏତେ ଅଧିକ ଯେ ଆମ ପରଧି ଭିତରେ ସେଇ ସତ୍ତାକୁ ନଜର ଅନ୍ଦାଜ କରିବା ସମ୍ଭବହୁଏ ନାହିଁ । ଏହା ନିଃସନ୍ଦେହରେ ଏକ ସର୍ବକାଳୀନ ସତ୍ୟ । ସେଇ ଦୃଷ୍ଟିରୁ ଆମ ସାଂପ୍ରତିକତାରେ ସାଧାରଣ ମଣିଷ ସଂଖ୍ୟା ଦୃଷ୍ଟିରୁ ବୃହତ୍ତମ ସତ୍ତା । ତେବେ ଆମ ପ୍ରସଂଗଟି କେବଳ ସେଇ ସଂଖ୍ୟାର ମାନ୍ୟତାକୁ ସ୍ଵୀକାର କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ଯଦିଓ ଆମ ସମାଜରେ ସାଧାରଣ ମଣିଷର ସାଂଖ୍ୟ ସ୍ଵରୂପକୁ ପ୍ରାଧାନ୍ୟ ଦିଆଯାଏ । ମଂଜି କଥାଟି ହେଉଛି ସମାଜରେ ସିଂହଭାଗ ହୋଇ ତିଷ୍ଠି ରହିଥିଲେ ହେଁ ସଧାରଣ ମଣିଷଟି ପ୍ରାୟତଃ ଉପେକ୍ଷିତ । ତା’ର ଜୀବନଟି ବସ୍ତୁତଃ ଏକ କାୟିକ ଜୀବନ, ଅର୍ଥାତ୍‌ କେହି ତା’ କଥା ଶୁଣନ୍ତି ନାହିଁ, କେହି ତା’ର ପସନ୍ଦ-ଅପସନ୍ଦକୁ ଗୁରୁତ୍ଵ ଦିଅନ୍ତି ନାହିଁ, ତା’ର ସ୍ଵପ୍ନ ଦେଖିବାର ଅଧିକାର ଅଛି ବୋଲି ସ୍ଵୀକାର କରନ୍ତି ନାହିଁ । ଯେମିତି ତା’ର ସ୍ଥିତିଟି କେବଳ ଏକ ବାୟବୀୟ ସ୍ଥିତି-ଏମିତି ଭାବନ୍ତି । କେମିତି ଏତେ ଅଧିକ ଲୋକଙ୍କୁ ଏତେ କମ୍‌ ଲୋକ ଜ୍ଞାତସାରରେ, ସ୍ଥିର ଚିତ୍ତରେ, ସୁସ୍ଥ ମସ୍ତିଷ୍କରେ ଅବଜ୍ଞା କରିବା ପାଇଁ ସାହସ କରିଥା’ନ୍ତି ? କେମିତି ଏତେ କମ୍‌ ଲୋକଙ୍କ ପାଖରେ ଏତେ ଅଧିକ ସମ୍ବଳ, ସାଧନ ରହିଥାଏ ଏବଂ କେମିତି ଏତେ କମ୍‌ ଲୋକେ ଏତେ ଅଧିକଲୋକଙ୍କୁ ଦୀର୍ଘକାଳ ଧରି ଭୁଆଁ ବୁଲାଇପାରନ୍ତି ?

 

ଆମ ପ୍ରସଂଗର ଅନ୍ୱେଷଣ ହୁଏତ ଦୀର୍ଘ ହେବ । ସେହି ଆଲୋଚନା କ୍ରମରେ ଜୈବିକ ଉପାଦାନ, ଜିନ୍‌ଠାରୁ ଆରମ୍ଭ କରି ସମାଜତତ୍ତ୍ଵ ପର୍ଯ୍ୟନ୍ତ କଥା ଉଠିବ । କିନ୍ତୁ ଯାହା ସବୁଠୁଁ ଗୁରୁତ୍ଵପୂର୍ଣ୍ଣ ହୋଇ ପ୍ରକଟ ହେବ, ଯେଉଁ କାରଣଟି ପ୍ରକୃତରେ ଆମେ ଟିକେ ନିରିଖେଇ ଦେଖିଲେ ପ୍ରତ୍ୟକ୍ଷ କରିବା, ସେଇଟି ସତରେ ହେଉଛି ଏକାନ୍ତ ଆଦିମ କାରଣ ତାହା ସୃଷ୍ଟିର ଆରମ୍ଭରୁ ଆମ ସହିତ ରହି ଆସିଥିଲେ ହେଁ ଅନେକାଂଶରେ ଅପରିବର୍ତ୍ତିତ, ଅବିବର୍ତ୍ତିତ ହୋଇ ରହିଛି । ସେଇଟି ହେଉଛି ଏକ ମାରାତ୍ମକ ଆତ୍ମମନସ୍କତା, ସ୍ଵାର୍ଥପରତା ଯାହା ତା’ର ମୂଳ ସ୍ୱରୂପରେ ଉଭୟ ବିକୃତ ତଥା ନକାରାତ୍ମକ । ବିବର୍ତ୍ତନବାଦର ତତ୍ତ୍ଵକୁ ସମାଧାନ କରିବା ପାଇଁ ଚେଷ୍ଟା କରି ଚାର୍ଲସ ଡାରଓ୍ୱିନ ନାଚୁରାଲ୍‌ ସିଲେକ୍‌ସନ (ପ୍ରାକୃତିକ ଚୟନ) ର ଆଲୋଚନା କ୍ରମରେ ଜୀବନଧାରଣ ଉଦ୍ଦେଶ୍ୟରେ ଜୀବ ଭିତରେ ବିକଶିତ ହେଉଥିବା ତଥା ଅନୁକ୍ରମରେ ପରବର୍ତ୍ତୀ ପୀଢ଼ିକୁ ପ୍ରାପ୍ତ ହେଉଥିବା ଯେଉଁ ଆବଶ୍ୟକୀୟ ଉପାଦେୟ, ଗୁଣମାନଙ୍କର କଥା (ପାରିବା ପଣିଆ) କହିଥିଲେ ସେଇଟି ଅସଲରେ ଏଇ ବିଚିତ୍ର ସତ୍ୟ ଉପରେ ଆଧାରିତ ଥିଲା । ସେଇ ସତ୍ୟଟି ହେଉଛି କୌଣସି ପ୍ରକାର ବଂଚି ରହିବାର ସତ୍ୟ, ଆପଣାକୁ ସବୁମତେ ସାବ୍ୟସ୍ତ କରିବାର ସତ୍ୟ, ଅନ୍ୟମାନଙ୍କଠୁଁ ଆପଣାକୁ, ଅଧିକ ବଳବନ୍ତ ବୋଲି ଜାହିର କରିବାର ସତ୍ୟ । ସେଇ ସତ୍ୟଟ଼ି ଏକ ଆଦିମ, ସତ୍ୟ । ସେଇଟି ନିତାନ୍ତ ପ୍ରାକୃତିକ । ପ୍ରକାରାନ୍ତରେ ତାହାହିଁ ହେଉଛି ପ୍ରାଣୀ ଭିତରେ (ମଣିଷ ଭିତରେ) ପ୍ରାକୃତିକ ଭାବେ ଭଦ୍‌ଭବ ହେଉଥିବା ସ୍ୱାର୍ଥପରତା । ମାତ୍ର ଜୈବ ବିବର୍ତ୍ତନ, ପ୍ରାଣୀର ଉତ୍ପତ୍ତି ଓ ବିକାଶକୁ ସମାଧାନ କରିବା ନିମନ୍ତେ ଉଦ୍ଦିଷ୍ଟ ଡାରଓ୍ୱିନ୍‌ଙ୍କ ଏହି ତତ୍ତ୍ୱଟି ବୋଧହୁଏ ଆମ ସାମାଜିକ ତଥା ସାଂସ୍କୃତିକ ଜୀବନରେ ଅପ୍ରକାଶିତ ରହି ଏମିତି ଏକ ଛାପକୁ ସୂଚାଇ ଦେଉଛି ଯାହା ଜୈବ ବିବର୍ତ୍ତନର ସେଇ ପ୍ରକାଣ୍ଡ ଆଦିମ ଛାଇରୁ ଏ ଯାବତ ଆମ ଅସ୍ତିତ୍ୱକୁ ମୁକ୍ତି ଦେଇ ପାରିନାହିଁ । ଡାରଓ୍ୱିନ୍‌ଙ୍କ ମୂଳ ବିବର୍ତ୍ତନ ତତ୍ତ୍ଵ ଯାହାର ଶ୍ରେଷ୍ଠତା ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇ ସାରିଛି ଏମିତି ଏକ ସତ୍ୟ ଯେଉଁଥିରୁ ଆମେ ମୁକ୍ତ ନୁହେଁ । ଏହି ନିୟମ ଅନୁଯାୟୀ ଅସାଧାରଣ ଲୋକେ ଅଧକ ଅସାଧାରଣ ହୋଇ ଅଧିକରୁ ଅଧିକ ହାସଲ କରିବେ ଏବଂ ସେହି ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡ଼କୁ ଯିବ । ମାତ୍ର ଏଇ ନିୟମଟି ନିଶ୍ଚିତ ଭାବେ ଆମର ସାମାଜିକ, ସାଂସ୍କୃତିକ ବା ଆଧ୍ୟାତ୍ମିକ ଜୀବନ ପାଇଁ ପ୍ରଯୁଜ୍ୟ ନଥିଲା । ଆମର ଶାରୀରିକ ଭୂଇଁକୁ ଯଦିଓ ଆମେ ମନ, ଚିନ୍ତା, ଚେତନାଠାରୁ ଏକାବେଳକେ ଅଲଗା କରିପାରିବା ନାହିଁ, ତଥାପି ଆମ ଭିତରେ ଏମିତି ଏକ ସଂଭାବନା ରହିଛି ଯାହା ଆମକୁ ଭିନ୍ନ ଭାବେ, ଉଦାର ଭାବେ ଦିଗ୍‌ଦର୍ଶନ ଦେଉଛି । ସମସ୍ତଙ୍କର ସମାନ ଅଧିକାର ରହିଛି, ନିଜର ଜନ୍ମ ଜାତକ ନିମନ୍ତେ ଜଣେ ଅନ୍ୟ ଜଣଙ୍କଠାରୁ ଶ୍ରେଷ୍ଠତର ହୋଇପାରିବ ନାହିଁ, ଅନ୍ତତଃ ଏତିକି କଥା ବୁଝିବାର ସାମର୍ଥ୍ୟ ତ ଆମର ରହିଛି । ଏହା ସତ୍ତ୍ୱେ ଏତେ ଅସମାନତା ଏତେ ଦିନ କେମିତି ଅଛି ?

 

ଆମ ସମୟରେ ଏକଥା ମଧ୍ୟ କୁହାଯାଇଛି ଯେ ସବୁଲୋକ ସମସ୍ତଙ୍କୁ ସବୁଦିନ ପାଇଁ ଠକିଦେଇ ପାରିବେ ନାହିଁ । ଭାରି ବିଶ୍ଵାସର, ସମ୍ଭାବନାର, ପ୍ରତ୍ୟୟର କଥାଟିଏ । ଏକଥା ସତ ଯେ ଏହି ମହାନ୍‌ ଉକ୍ତିଟି ଇତିହାସରେ ଅନେକ ଥର ସତ୍ୟ ପ୍ରମାଣିତ ହୋଇଛି । ସାଧାରଣ ଲୋକେ, ଦରିଦ୍ର ପ୍ରଜାମାନେ, କୃଷକମାନେ, ମୂଲିଆମାନେ ମେଳି କରି, ବିଦ୍ରୋହ କରି କେତେ ପ୍ରତାପୀ ସାମନ୍ତଙ୍କୁ, ସମ୍ରାଟଙ୍କୁ ଓ ସାମ୍ରାଜ୍ୟକୁ ମାଟିରେ ମିଶେଇ ଦେଇଛନ୍ତି । ଦୀର୍ଘଦିନ, ପୀଢ଼ି ପରେ ପୀଢ଼ି ଅତ୍ୟାଚାରିତ ହୋଇ ରହିବା ପରେ ଅଚାନକ ଗୋଟାଏ ପୀଢ଼ି ପ୍ରଭୁତ୍ୱର ବୋଝକୁ ସ୍ଵୀକାର କରିନାହିଁ । ସେ ଏକ ଘୃଣ୍ୟ ପରଂପରାର ଆପାତତଃ ଅନ୍ତ ଘଟାଇଛି । ଅନୁକ୍ରମିକ ଇତିହାସର ପୃଷ୍ଠା ଲେଉଟାଇଲେ ଥରେ ଥରେ ଏମିତି ମନେହେବ ଯେ ବୋଧହୁଏ ସାମ୍ୟବାଦ ଆସଯାଇଛି, ସାମ୍ରାଜ୍ୟବାଦର ଅନ୍ତିମ ଦୁର୍ଗ ଚୁର୍‌ମାର୍‌ ହୋଇଯାଛି । ନୂଆ ସକାଳଟିଏ ଆସିଛି । ଆମେ ନିଶ୍ଚୟ ଏମିତି ଏକ ରମ୍ୟ ନଗରୀରେ ପହଂଚିଯିବା ଯେଉଁଠି ଅନ୍ତତଃ ଅଧିକାର ଦୃଷ୍ଟିରୁ ସମସ୍ତେ ଗୋଟିଏ ସରଳରେଖାରେ, ସମାନ ଉଚ୍ଚତାରେ କାଂଧକୁ କାଂଧ ମିଳାଇ ଠିଆ ହୋଇଥିବେ । କିନ୍ତୁ କାହିଁ ସେମିତି ତ ହୋଇନାହିଁ । ହୁଏତ କ୍ରମାଗତ କେତେ ବର୍ଷ ଧରି ଏମିତି ଏକ ମିଛମିଛିକା ୟୂଟୋପିଆର ଅନୁଭୂତି ଆସିଛି । କିନ୍ତୁ ସେଇଟି ଏକ ସୀମିତ ସମୟର କାହାଣୀ ହୋଇ ରହିଯାଇଛି । ଏମିତି ମଧ୍ୟ ହୋଇଛି : ଯେଉଁମାନେ ଦିନେ ପୁରୋଧା ହୋଇ ସାମ୍ୟବାଦର ମନ୍ତ୍ର ବୋଲି ରାସ୍ତାକୁ ବାହାରିଥିଲେ, ସମାନତାର କଥା କହିଥିଲେ, ସେଇମାନେହିଁ ପରବର୍ତ୍ତୀ ସମୟରେ ସବୁଠୁଁ ଅଧିକ ଉଗ୍ର ତଥା ଆତ୍ମମନସ୍କ ସାବ୍ୟସ୍ତ ହୋଇଛନ୍ତି । ୟୁଟୋପିଆ ସେମିତି ସ୍ଵପ୍ନ ହୋଇ ରହିଛି । ସାଧାରଣ ଲୋକଟି ସେମିତି ସାଧାରଣ ହୋଇ ରହିଯାଇଛି ।

 

ସାଧାରଣ ଲୋକ କିଏ ବୋଲି ପଚାରିଲେ ଅନେକ ‘ଆମେ ସମସ୍ତେ’ ବୋଲି ପରିଚୟ ଦିଅନ୍ତି । ସେମାନେ ବୋଧହୁଏ ଠିକ୍‌ କହନ୍ତି ନାହିଁ । ସାଧାରଣ ଲୋକ ସିଡ଼ିର ଉପର ପାହାଚରେ ଥିବା ଲୋକେ ନୁହନ୍ତି କିମ୍ବା ସିଂହାସନର ପାଖାପାଖି ଥିବା ଲୋକେ ନୁହନ୍ତି । ଅଧା ସ୍ଵର୍ଗରେ ରହି ଉପର ପାହାଚକୁ ଚଢ଼ିବା ପାଇଁ ଚିନ୍ତା କରୁଥିବା ମାତ୍ର ତଳ ପାହାଚରେ ଠିଆ ହୋଇଥିବା ଅଗଣିତଙ୍କ ସ୍ଥିତି ସଂପର୍କରେ ସଚେତନ ଥିବା ମଧ୍ୟବର୍ଗ ନୁହନ୍ତି । ସାଧାରଣ ଲୋକେ ସିଡ଼ି ତଳ ପାହାଚର ଲୋକେ । ସେମାନେ ଆମ ମୋଟ ଜନସଂଖ୍ୟାର ୬୦ ଭାଗରୁ କମ୍‌ ହେବେ ନାହିଁ । ସେମାନେ ଇଥିଓପିଆରେ ଅଛନ୍ତି, କଳାହାଣ୍ଡିରେ ଅଛନ୍ତି, ଭୁବନେଶ୍ଵରରେ ଅଛନ୍ତି, ନ୍ୟୁୟର୍କରେ ମଧ୍ୟ ଅଛନ୍ତି । ଅନେକ ସରକାରଙ୍କର ଅନେକ ଦୀର୍ଘ ସୂତ୍ରୀ ଯୋଜନା / କାର୍ଯ୍ୟକ୍ରମ ସତ୍ତ୍ଵେ ଆମ ଦେଶରେ ସେମାନଙ୍କର ସଂଖ୍ୟା ସେମିତି କିଛି କମିନାହିଁ । ସାଧାରଣ ଲୋକେ ବର୍ଷବର୍ଷ ଧରି ସେମିତି ସାଧାରଣ ହୋଇଅଛନ୍ତି । ଶିକ୍ଷା-ଦୀକ୍ଷା, କୃଷି, ବିଜ୍ଞାନ, କାରିଗରୀ ଯେଉଁଥିରେ ଯେତେ ଉନ୍ନତି ହେଲେ ମଧ୍ୟ ସାଧାରଣ ଲୋକଟିର ଜୀବନଧାରଣର ମାନରେ ଆଖିଦୃଶିଆ ଉନ୍ନତି ଲକ୍ଷ୍ୟ କରାଯାଇନାହିଁ । ସେମାନଙ୍କ ସ୍ଥିତିକୁ ବିଚାରକୁ ନେଇ ଆମେ ସେମାନଙ୍କୁ ବର୍ଗୀକରଣ କରି ଅର୍ଥନୈତିକ ମାନଦଣ୍ଡରେ ଦାରିଦ୍ର୍ୟ ସୀମାରେଖା ତଳେ ରଖିଛୁ । ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନବରତ ଚେଷ୍ଟା କରୁଛୁ ବୋଲି ଦାବୀ କରୁଛୁ । କିନ୍ତୁ କ’ଣ ପାଇଁ ସେମିତି କିଛି ପରିବର୍ତ୍ତନ ହେଉନାହିଁ ! ଢାଂଚାଗତ ପରିବର୍ତ୍ତନ ଅବଶ୍ୟ ଦୃଶ୍ୟମାନ ହେଉଛି । ହଁ, ବିଜ୍ଞାନ ଓ କାରିଗରୀର ଅଗ୍ରଗତି–ଯୋଗୁଁ ଅନେକ ଲୋକ ରେଡ଼ିଓ ଶୁଣିପାରୁଛନ୍ତି, ଟିଭି ଦେଖିପାରୁଛନ୍ତି, ଜିନ୍‌ପ୍ୟାଣ୍ଟ ପିନ୍ଧୁଛନ୍ତି, ବସ୍‌ ବା ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇ ପାରୁଛନ୍ତି ଯାହା ସବୁ କେତେ ବର୍ଷ ତଳେ କମ୍‌ ଲୋକଙ୍କର, ସଂଭ୍ରାନ୍ତମାନଙ୍କର, ସାହେବମାନଙ୍କର ଏକଚାଟିଆ ହୋଇ ରହିଥିଲା । ଦୂର ଗାଁ-ଗଣ୍ଡାକୁ ନିତି ରାସ୍ତା ଫିଟୁଛି, ସବୁଦିନ କୋଉଠି ନା କୋଉଠି ନୂଆ ସ୍କୁଲର ଶିଳାନ୍ୟାସ ହେଉଛି, ସବୁଦିନ ସରକାର ତା’ର ସାଧାରଣ ଲୋକମାନଙ୍କ ପାଇ ନାନା ନୂଆ ଯୋଜନା କରାଉଛନ୍ତି, ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଉଛନ୍ତି । ତଥାପି କାହିଁକି ପରିବର୍ତ୍ତନ ଆଖିଦୃଶିଆ ହେଉନାହିଁ ? ଅନେକ ବିକାଶଶୀଳ ଦେଶରେ ଏହାହିଁ ଘଟିଛି । ଏଥିପାଇଁ ପ୍ରକୃତରେ କାହାର ଆଗ୍ରହ ନାହିଁ ବୋଲି ଯଦି କୁହାଯାଏ ତେବେ ତାହା ଶତ ପ୍ରତିଶତ ସମ୍ଭବତଃ ଠିକ୍‌ ହେବ ନାହିଁ ।

 

ପ୍ରବଂଧରେ ଆଗରୁ ଆମେ ଆଲୋଚନା କରିଛେ ଯେ ଆମ ଭିତରେ (ସବୁ ମଣିଷ ଭିତରେ) ଏମିତି କିଛି ଅଛି ଯାହା ସବୁବେଳେ ଅନ୍ୟମାନଙ୍କଠୁ ଆମକୁ ସଫଳ ତଥା ସମର୍ଥ ବୋଲି ପ୍ରତିପାଦିତ କରି ଚାଲିଥାଏ । ଏଥିପାଇଁ ପ୍ରାକୃତିକ ଭାବେ ଆମେ ନିରନ୍ତର ଏକ ପ୍ରତିଯୋଗିତା ମୋଡ଼୍‌ରେ ଥାଉ । ନିଜକୁ ସମର୍ଥ ବୋଲାଇବାକୁ ଅନ୍ୟମାନଙ୍କୁ ଅସଫଳ ଅଥବା ଆପାତତଃ ଅସମର୍ଥ କରିବା ନିମନ୍ତେ ଆମେ ହିଁ ଆମର ପରିଜନଙ୍କ ଶତ୍ରୁହୋଇ ରହିଥାଉ । ଇତର ଜୀବଜଗତରେ ବାରି ହୋଇ ପଡୁଥିବା ଏଇ ଆଦିମ ନିୟମଟି ଅପ୍ରକାଶ୍ୟରେ ଆମ ସହିତ ସହବଂଧିତ, ଯଦିଓ ଏହାହିଁ ଅନ୍ତିମ ନିୟମ ନୁହେଁ । ଆମର ମନ ଅଛି, ଚେତନା ଅଛି, ଚେତନାର ବିକାଶ କ୍ରମରେ ଆମେ ଆମର ଜୈବିକ ସଂଜ୍ଞାଠାରୁ ଉର୍ଦ୍ଧ୍ୱରେ ବୋଲି ଦାବୀ କରୁଛୁ । ଆମ ଭିତରେ ଏକ ଦିବ୍ୟ ସଂଭାବନା ଅଛି । ସେଥିପାଇଁ ଆମେ ବିଶ୍ଵାସ କରୁଛୁ ଯେ ସମସ୍ତେ ସବୁଦିନ ଠକି ଯିବେ ନାହିଁ । ତଥାପି ଆମ ଭିତରେ ଶତକଡ଼ା ଷାଠିଏ ଭାଗ ଏବେବି ଏମିତି ଅଛନ୍ତି ଯେଉଁମାନେ ତଥାକଥିତ ଆଧୁନିକତାର ଧାର ଧାରିନାହାନ୍ତି । ସେମାନଙ୍କ ମଧ୍ୟରୁ କେତେକ ଭୋକ ଓପାସରେ ଆମ୍ବ କୋଇଲି ଖାଉଛନ୍ତି, ନଚେତ୍‌ ନିଜର ପିଲା ବିକ୍ରୀ କରୁଛନ୍ତି । ସେମାନେ ଏବେ ବି ଆମ ବିଷୁବ ମଣ୍ଡଳୀୟ ଅରଣ୍ୟମାନଙ୍କରେ ଆଦାମ୍‌ ପରି ନଙ୍ଗଳା ହୋଇ ବୁଲୁଛନ୍ତି । ପାଂଚ-ସୂତ୍ରୀ ହେଉ ବା ପଂଚାବନ-ସୂତ୍ରୀ ହେଉ ସେମାନେ ଏ ଯାବତ୍‌ କୌଣସି କାର୍ଯ୍ୟକ୍ରମରେ ଉପକୃତ ନୁହନ୍ତି-। ଏହା ବ୍ୟତୀତ ଆମର ତଥାକଥିତ ପକ୍‌କା ସଡ଼କ-ସଂଯୁକ୍ତ ଗାଁ ଏବଂ ମହାନଗରମାନଙ୍କରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କର ଏଇ ରାସ୍ତା, ଭି.ଆଇ.ପି.ଙ୍କ ନାଲିବତୀ ଗାଡ଼ି, ରାସ୍ତାକଡ଼ ପାନ ଦୋକାନରେ ଥିବା ରଙ୍ଗୀନ୍‌ ଟିଭି, ଇଣ୍ଟରନେଟ୍‌ ଢ଼ାବା ସେମିତି ବିଶେଷ କାମରେ ଆସେ ନାହିଁ । ସେମାନେ ଅବଶ୍ୟ ଭୋଟ ଦିଅନ୍ତି, ମାତ୍ର ଭୋଟ ପୂର୍ବଦିନ ରାତିରେ ଯେଉଁ ନେତାଙ୍କଠାରୁ ପାଂଚଶହ ଟଙ୍କା ପାଇଥା’ନ୍ତି ତାକୁ ଭୋଟ ଦିଅନ୍ତି । ସେମାନଙ୍କ ପିଲା ଗାଁ ସ୍କୁଲରେ ନାଁ ଲେଖାଇଥା’ନ୍ତି କିନ୍ତୁ ସେମାନେ ସ୍କୁଲ ନଯାଇ ପାଇଟି କରନ୍ତି । ମାସ ଶେଷରେ ପିଲାର ମଧ୍ୟାହ୍ନ ଭୋଜନ ଚାଉଳ ଶିକ୍ଷକଙ୍କଠାରୁ ଆଣିବାବେଳେ ସେଇ ପିଲାଙ୍କ ଅଭିଭାବକ ହିସାବକୁ କଡ଼ାକଡ଼ି ଧରନ୍ତି ନାହିଁ । ସେଇ ସାଧାରଣ ଲୋକମାନଙ୍କ ନାଁ ବି.ପି.ଏଲ୍‌. ତାଲିକାରେ ଥିଲେ ମଧ୍ୟ ନିଜ ଦଳ କ୍ଷମତାରେ ନଥିଲେ ଡିଲର ପାଖରୁ ସେମାନେ ସବୁ ମାସରେ ଚାଉଳ ପାଇପାରନ୍ତି ନାହିଁ । ସେମାନେ ପଲ୍ଲୀ ସଭାକୁ ଯା’ନ୍ତି ନାହିଁ ମାତ୍ର ସରପଂଚ ଯୋଉ ଲୋକକୁ କାମ ଦେବାପାଇଁ ନିଷ୍ପତ୍ତି ନିଏ ସେଥିରେ ଟିପ ଦିଅନ୍ତି । ଏମାନେ ସମସ୍ତେ ସାଧାରଣ ଲୋକ । ଏମାନଙ୍କୁ ସାଧାରଣ ହୋଇ ରହିବାପାଇଁ ଏକରକମ ବାଧ୍ୟ କରାଯାଏ । ସେମାନଙ୍କର ଏହି ସାଧାରଣ ଜୀବନ ଆମ ପରି କେତୋଟି ଅସାଧାରଣ ଲୋକଙ୍କ ସୁବିଧା ପାଇଁ ବଳି ପଡ଼େ । ଯାହା ସେମାନଙ୍କ ସାଧାରଣ ଜୀବନକୁ ଅସାଧାରଣ ଲୋକଙ୍କ ସୁବିଧା ପାଇଁ ବଳି ପଡେ । ଯାହା ସେମାନଙ୍କ ସାଧାରଣ ଜୀବନକୁ ଅସାଧାରଣ କରିଥିବା ପରି ମନେହୁଏ (ଯଥା ଟ୍ରାନ୍‌ଜିଷ୍ଟର୍‌ ରେଡ଼ିଓ, ଇନ୍ଦିରା ଆବାସ ଘର, ଅନ୍ତୋଦୟ କାର୍ଡ଼, ସରଳ କିସ୍ତିରେ ମାଛ ଚାଷ ପାଇଁ ମିଳୁଥିବା ୠଣ ତଥା କୃଷି ଭିତ୍ତିକ ଅନ୍ୟାନ୍ୟ ପ୍ରୋତ୍ସାହନ ଇତ୍ୟାଦି) ସେସବୁ ପ୍ରକୃତରେ ସେମିତି କିଛି ନୁହେଁ ଯାହା ସାମାଜିକ ତଥା ଅର୍ଥନୈତିକ ସ୍ଥିତିର ଯଥେଷ୍ଟ ପରିବର୍ତ୍ତନ ଆଣିପାରିବ ।

 

ପ୍ରକୃତରେ କେହି ସାଧାରଣ ହୋଇ ରହିବାପାଇଁ ଚାହାନ୍ତି ନାହିଁ । ସମସ୍ତେ ଆପଣାର ବର୍ତ୍ତମାନଠାରୁ ଆଗକୁ ଯିବାପାଇଁ ଚାହାନ୍ତି । ଉପର ପାହାଚକୁ ଉଠିବା ପାଇଁ ଚାହାନ୍ତି । ସମସ୍ତଙ୍କୁ କିନ୍ତୁ ସେହି ସୁଯୋଗ ଯୋଗାଇ ଦିଆଯାଏ ନାହିଁ । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଶ୍ଚିତ ଭାବରେ ସମସ୍ତେ କାମ ପାଆନ୍ତି ନାହିଁ । ସର୍ବଶିକ୍ଷା ଅଭିଯାନରେ ନିଶ୍ଚିତ ଭାବରେ ସମସ୍ତେ ଶିକ୍ଷିତ ହୋଇପାରନ୍ତି ନାହିଁ । ଆମ ସମାଜରେ ଏହି ଅନୁଷ୍ଠାନମାନଙ୍କର ରକ୍ଷଣାବେକ୍ଷଣ ଯେ କେବଳ ମୁଷ୍ଟିମେୟ ସରକାରୀ କର୍ମଚାରୀ କରିବେ ଏପ୍ରକାର ଏକ ଭ୍ରାନ୍ତ ବିଚାର ଆମ ଭିତରେ ଏବେ ମଧ୍ୟ ରହିଛି । ଯଦିଓ ସରକାରୀ କର୍ମଚାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ତଥାପି ସାମୂହିକ ଦାୟିତ୍ୱର ପ୍ରସଙ୍ଗଟି ମଧ୍ୟ ଏହି ଯୋଜନାମାନଙ୍କ ସହିତ ଜଡ଼ିତ ରହିଛି । ଯାହା ଏକ ସଂସ୍କାର ବା ପରିବର୍ତ୍ତନ ପାଇଁ ନିତାନ୍ତ ଆବଶ୍ୟକ ତାହା ହେଉଛି ବ୍ୟକ୍ତିଗତ ସ୍ତରରେ ଏକ ସାମାଜିକ ଅଙ୍ଗୀକାରବଦ୍ଧତା, ଯାହା ଆମର ନାହିଁ । ପ୍ରକୃତରେ ଆମ୍ଭମାନଙ୍କ ମଧ୍ୟରେ, ତଥାକଥିତ ଅସାଧାରଣ ଲୋକଙ୍କ ମଧ୍ୟରେ କେତେ ଜଣ ସାଧାରଣ ମଣିଷଟିର ଭାଗ୍ୟକୁ ବଦଳାଇବା ପାଇଁ ଚେଷ୍ଟିତ ? ସତରେ ଆମ ଭିତରୁ କେତେ ଜଣ, କେତେ ପ୍ରତିଶତ ଶିକ୍ଷିତ, ପ୍ରତିଷ୍ଠିତ ଚାହାନ୍ତି ଯେ ଆମ ପିଲାଙ୍କୁ ମଣିଙ୍ଗ୍‌ ସ୍କୁଲ ନେଉଥିବା ରିକ୍ସାବାଲାଟିର ପିଲାଟି ଅନ୍ତତଃ ଭଲ ଭାବରେ ପାଠ ପଢ଼ିବା ପାଇଁ ସୁଯୋଗ ପାଉ ? ସେ ଆମ ପିଲାମାନଙ୍କ ସହିତ ଆଗ ଧାଡ଼ିରେ ବସୁ ? ଉଦାହରଣର ଆବଶ୍ୟକତା ନାହିଁ ଆମର ସ୍ୱାର୍ଥପରତା, ଆତ୍ମମନସ୍କତାକୁ ଯେତେ ଶବ୍ଦରେ, ପୋଷାକରେ ବା ଚାତୁରୀରେ ଲୁଚେଇ ରଖିବା ପାଇଁ ଚାହିଁଲେ ବି ସେଇଟି, ଏତେ: ବିସ୍ତାରିତ ତଥା ନିର୍ଲଜ ଯେ ତାହାକୁ କଦାପି ଢାଙ୍କି ହେବନାହିଁ । ଯଦି ଆମେ ଗମ୍ଭୀର ଭାବେ ଚିନ୍ତା କରିବା ତେବେ ଅନୁ ଉପଲବ୍ଧି କରିବା ଯେ ଅନେକ ସ୍ଵାଧୀନୋତ୍ତର ପରିବର୍ତ୍ତନ କେବଳ ପୋଥିରେ ହିଁ ସମ୍ଭବ ହୋଇଛି । ଉପନିବେଶବାଦ ହୁଏତ ତିଷ୍ଠି ରହିନାହିଁ, ତଥାପି ଏବେ ବି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିବା କ୍ଲବ୍‌, ମର୍ଚାଣ୍ଟସ୍‌ ସିଣ୍ଡିକେଟ୍‌, ଭି.ଆଇ.ପି. ଆସୋସିଏସନ୍‌ ଓ. ଅଫିସର୍‌ସ୍‌ କଲୋନୀ କ’ଣ ଏହି କଥା ପ୍ରମାଣିତ କରୁନାହାନ୍ତି ଯେ ଆମ ସମୟରେ ମଧ୍ୟ ମଣିଷର ସତ୍ତାଟି କେତେ ସଙ୍କୁଚିତ ହୋଇ ରହିଛି, ଖଣ୍ଡିତ ହୋଇ ରହିଛି ? କେମିତି ସେଇ ଅସାଧାରଣ ସତ୍ତାଟି ସାଧାରଣ ମଣିଷର ପରିଧିଠାରୁ ଆପଣାକୁ ପୃଥକ୍‌ କରି ରଖିଛି ! ଗୋଟିଏ ସହର ଭିତରେ ଅନେକ ସହର, ଗୋଟିଏ ଗାଁ ଭିତରେ ଅନେକ ଗାଁ, ଗୋଟିଏ ପରିବାର ଭିତରେ ଅନେକ ପରିବାର ଆମେ ହିଁ ତ ସମ୍ଭବ କରିଛେ । ବଡ଼ ବାଗରେ ଆମେ ସତ୍ୟନଗରଠାରୁ ମାଳିସାହିକୁ ଅଲଗା କରି ରଖିଛେଁ, ଅଫିସର କଲୋନୀଠାରୁ କ୍ଲର୍କ୍ କଲୋନୀକୁ ଅଲଗା ରଖିଛେଁ, ଲୈଲା ସ୍କୁଲ, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ପିଲାଠାରୁ ଶହୀଦ୍‌ ନଗର ହାଇସ୍କୁଲର ପିଲାଟିକୁ ଅଲଗା ରଖିଛେଁ । ଗୋଟିଏ ଭୁଇଁରେ ଆମେ ତ ଅନେକ ଉପନିବେଶ ଗଢ଼ିଛେଁ । ସାଧାରଣ ଲୋକର ଭାଗ୍ୟକୁ ଆମେ ପାଖରୁ ଛୁଇଁବାକୁ କେବେ ମଧ୍ୟ ଚାହିଁ ନାହେଁ । କେବଳ ଯାହା ଦୂରରୁ ଥାଇ ଆମେ କାଉଁରୀହାଡ଼ ଦେଖାଇଛେଁ । ମଞ୍ଚା ଉପରୁ ପ୍ରବଚନ ଦେଇ ଆମେ ସାଧାରଣ ଲୋକଟିର ଭାଗ୍ୟକୁ ବଦଳାଇ ଦେବାପାଇଁ ବସିଛେଁ । ଅସଲରେ ଆମେ ମୁକ୍ତ ନୁହେଁ । ସାଧାରଣ ଲୋକର ଭାଗ୍ୟକୁ ଅନ୍ତତଃ ପାଖରୁ ଦେଖିବାପାଇଁ, ତା’ର ଦେହକୁ ଓ ସ୍ଵପ୍ନକୁ ଟିକିଏ ସ୍ନେହରେ ଛୁଇଁବା ପାଇଁ ଆମର କ’ଣ ସତରେ ଆନ୍ତରିକତା ଅଛି ? ପ୍ରବନ୍ଧରେ ଏହି କଥା କୁହାଯାଉନାହିଁ ଯେ ଆମ ସମୟରେ ଏହା ଆଦୌ ହେଉ ନାହିଁ । କାରଣ ଏବେ ମଧ୍ୟ ବାବା ଆମ୍‌ତେଙ୍କ ପରି ମହାତ୍ମା ଆମ ଭିତରେ ଅଛନ୍ତି । ମାତ୍ର ମୁଷ୍ଟିମେୟ ବାବା ଆମ୍‌ତେ ଏତେଗୁଡ଼ିଏ ସାଧାରଣ ମଣିଷଙ୍କର ଭାଗ୍ୟ ବଦଳାଇବା ପାଇଁ ଯଥେଷ୍ଟ ନୁହଁନ୍ତି । ଗୋଟିଏ ରାଷ୍ଟ୍ରର ଭାଗ୍ୟ ବଦଳାଇବାକୁ ବହୁ ବାବା ଆମ୍‌ତେ ଆବଶ୍ୟକ । ଆମ ଭିତରେ ଏକ ମୌଳିକ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନ ଏଇଥିପାଇଁ ଗୁରୁତ୍ଵପୂର୍ଣ୍ଣ ଯେ ଆମେ ଅଳ୍ପ କେତେଜଣ ଅସାଧାରଣ ଲୋକ ଅନେକ ସମ୍ବଳକୁ, ସାଧନକୁ (ସାର୍ବଜନୀନ ସମ୍ବଳ ଓ ସାଧନ) ନିଜ ଅକ୍ତିଆରରେ ରଖିଛୁ । ଏହି ସମ୍ବଳ ମଧ୍ୟରେ ବୌଦ୍ଧିକ ସମ୍ବଳ ମଧ୍ୟ ଅର୍ନ୍ତଭୁକ୍ତ ।
 

ସାର୍ବଜନୀନ ସ୍ତରକୁ ଆସିଲେ ଧନୀ ପଡ଼ୋଶୀଟିର ଏହା ହିଁ କର୍ତ୍ତବ୍ୟ ହୁଅନ୍ତା ଯେ କୌଣସି କାରଣରୁ କ୍ରମାଗତ ଉପବାସରେ ରହିଲେ ସବା ଆଗ ସରକାର ନୁହେଁ ସେ ନିଜେ ହିଁ ତା’ର ଦରିଦ୍ର ପଡ଼ୋଶୀକୁ ଯଥା ସଂଭବ ସାହାଯ୍ୟ କରନ୍ତା–ସେଇଟିକୁ ଏକ ପବିତ୍ର ରାଷ୍ଟ୍ରୀୟ କର୍ତ୍ତବ୍ୟ ମନେକରି ସେ ବାଟଭାଙ୍ଗି ଚାଲିଯାଆନ୍ତା ନାହିଁ । ରାଷ୍ଟ୍ର ଅବଶ୍ୟ ଆସନ୍ତା, ମାତ୍ର ସିଧାସଳଖ ବି.ଡ଼ି.ଓ.ଙ୍କ ଜି.ଆର୍‌ କାର୍ଡ଼ରେ ସବାର ହୋଇ ନୁହେଁ । ରାଷ୍ଟ୍ର ଆସନ୍ତା ପଡ଼ୋଶୀ ଲଳିତ ସ୍ପର୍ଶରେ, ଆଶ୍ଵାସନାରେ, ଉପସ୍ଥିତିରେ ! ଏମିତି ଘଟୁଛି ? ସାଧାରଣ ଲୋକଟା ଆମକୁ ଗନ୍ଧଉଛି କି କ’ଣ ଆମେତ ଆମର ଜଗିଂ ଟ୍ରାକ୍‌କୁ ସଂରକ୍ଷିତି ରିଖିଛୁ, କ୍ଲବ୍‌ ମାନଙ୍କୁ, ଡ୍ରଇଂ ରୁମ୍‌ମାନଙ୍କୁ ଓ ଠାକୁର ଘରମାନଙ୍କୁ ନୀତିନିୟମ ଆଳରେ ସାଧାରଣ ମଣିଷର ସଂକ୍ରମଣରୁ ବରାବର ରକ୍ଷା କରିଆସୁଛୁ । ସାଧାରଣ ମଣିଷର ଭାଗ୍ୟ ବଦଳିବ କେମିତି ?

 

ଆଉ ଗୋଟିଏ କଥା ଜରୁରୀ । ସେଇଟି ହେଉଛି ବୃହତ୍ତର ଭାବରେ ରାଜନୈତିକ ଇଛାଶକ୍ତି । ଏକ ଉଦାର ଇଛାଶକ୍ତି । ସେହି ଇଛାଶକ୍ତିଟି ଇତିହାସକୁ ନିର୍ଲିପ୍ତ ଭାବରେ ଅଧ୍ୟୟନ କରିବ, ଦଳ ବଦଳିଲେ ଇତିହାସକୁ ବଦଳାଇବ ନାହିଁ; ଯାହା ଶାସନରେ ଥିବାବେଳେ ନିର୍ଦ୍ଦିଷ୍ଟ ଭାବରେ ଦଳମନସ୍କ ହୋଇ କାଯ୍ୟ କରିବ ନାହିଁ, ଯାହାର ଆଚରଣ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ । ସେହି ରାଜନୈତିକ ଇଛାଶକ୍ତିଟି ବୋଧହୁଏ ଏପଯ୍ୟନ୍ତ ଆମ ଭିତରକୁ ଆସିପାରିନାହିଁ । ସେହି ଇଛାଶକ୍ତିଟି ମଣିଷକୁ ସର୍ବ ପ୍ରଥମେ ମଣିଷ ପରି ଦେଖନ୍ତା, ଦଳୀୟ କର୍ମୀ ପରି ନୁହେଁ । ବ୍ୟକ୍ତି ଗତ ସ୍ତରରେ ଆମଠିଁ ସେହି ସମ୍ବେଦନଶୀଳତା ଏ ପର୍ଯ୍ୟନ୍ତ ଆସିନାହିଁ । ବୋଧହୁଏ ସେହି ସମୟର ଆବାହନ ବହୁ ଡେରି ଅଛି । ସେ ସମୟ ଆସିଲେ ସାଧାରଣ ମଣିଷ ଏକାବେଳକେ ଅବଶ୍ୟ କୁଆଡ଼େ ଉଭେଇ ଯିବେ ନାହିଁ । ସେମାନେ ଜନସଂଖ୍ୟାର ସିଂହ ବାଘ ହୋଇ ହୁଏତ ସେମିତି ଥିବେ, କିନ୍ତୁ ଅବିକଳ ଆର୍‌.କେ.ଲକ୍ଷ୍ମଣଙ୍କ ‘କମନ୍‌ ମ୍ୟାନ୍‌’ ପରି ଜୁଳୁଜୁଳୁ ହୋଇ ଚାହିଁ ରହିବେ ନାହିଁ । ସାଧାରଣ ଲୋକଟି ଆଉ ଆଶ୍ଚର୍ଯ୍ୟ ହେବ ନାହିଁ, ଚକିତ ହେବ ନାହିଁ, ସ୍ଵଗତୋକ୍ତି କରିବନାହିଁ, ଭକୁଆ ହୋଇ ଚାହିଁ ରହିବ ନାହିଁ । ସେ ସିଧାସଳଖ ପ୍ରଶ୍ନ ପଚାରିବ । ତା’ପ୍ରଶ୍ନର ଉତ୍ତର ଦାବୀ କରିବ । ସେ ପଲ୍ଲୀ ସଭାକୁ ଅବଶ୍ୟ ଯିବ, ଆଲୋଚନାର ଭାଗ ନେବ ଏବଂ ଭୋଟ ଦେବ । ତା’ପିଲା ସବୁଦିନ ସ୍କୁଲକୁ ଯିବ ଏବଂ ମାସିକ ଅଭିଭାବକ ବୈଠକରେ ସେହି ଲୋକଟି ଶିକ୍ଷକ ବିଳମ୍ବରେ ଆସୁଥିବାରୁ ଫେରାଦ୍‌ ହେବ । ଟଙ୍କା ଥଳି ଧରି କୌଣସି ନେତା ଭୋଟ ପୂର୍ବଦିନ ରାତିରେ ସେହି ଲୋକର ଗାଁକୁ ଯିବାର ଦୁଃସାହସ କରିବେ ନାହିଁ । ସେତେବେଳେ କୌଣସି ଭି.ଆଇ.ପି. ଆମ ସଚିବାଳୟର ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ସାଧାରଣ ମଣିଷର ଭାଗ୍ୟକୁ ଇ-ଗଭର୍ଣ୍ଣାନ୍‌ସ ମାଧ୍ୟମରେ ଏକଦମ୍‌ ବଦଳାଇ ଦେବାର ରୋମାଣ୍ଟିକ୍‌ କଳ୍ପନା କଦାପି କରିବେ ନାହିଁ । ସେମାନେ ବସ୍‌ ଚଢ଼ି ଗାଁକୁ ଯିବେ । ସାଧାରଣ ଲୋକ ସହିତ କଥା ହେବେ । ତା’ପୁଅ ସବୁଦିନ ସ୍କୁଲ ଯାଉଛି ନା ନାହିଁ ପଚାରି ବସିବେ ।

Image

 

ସୈନିକମାନଙ୍କ ପାଇଁ ସଂରକ୍ଷିତ

 

ଘଟଣାଟି ଘଟିଛି ଏବେ । ଜଳେଶ୍ଵରରୁ ଏକ୍ସପ୍ରେସ୍‌ର ଗୋଟିଏ ବଗି ଚଢ଼ିଥିବା ଜଣେ ଅଫିସରଙ୍କୁ ବଗି ବାହାରକୁ ଠେଲି ଦିଆଯାଇଥିଲା । ପର ମୁହୂର୍ତ୍ତରେ ଟ୍ରେନ ଚକା ତଳେ ଉକ୍ତ ଅଫିସର ଜଣଙ୍କର ପାଦ ଦୁଇଟି ନଷ୍ଟ ହୋଇଯାଇଥିଲା ।

ଏଇ ଦୁର୍ଘଟଣାର ଶିକାର ହୋଇଥିବା ଅଫିସର ଜଣକ ହେଲେ ଜଳେଶ୍ଵରର ତହସିଲଦାର । ଯେଉଁ ବର୍ବରମାନେ ତାଙ୍କୁ ଟ୍ରେନରୁ ଠେଲି ଦେଇଥିଲେ ଅର୍ଥାତ ତାଙ୍କର ସ୍ଥିତିକୁ ଜ୍ଞାତସାରରେ ଅସୁରକ୍ଷିତ କରିଦେଇଥିଲେ, ସେମାନେ ଆଉ କେହି ନୁହଁନ୍ତି ସେମାନେ ଆମଦେଶର ତଥା ଏହାର ନାଗରିକମାନଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ଆମ ସେନାବାହିନୀର ଜବାନ୍‌ । ସେମାନେ କୁଆଡ଼େ ଏକ ସଂରକ୍ଷିତ ବଗିରେ ଯାତ୍ରା କରୁଥିଲେ । ଅଫିସର ଜଣଙ୍କର ଅପରାଧ ଥିଲା ଏଇଆ ଯେ ସେ ସେନାଙ୍କ ପାଇଁ ସଂରକ୍ଷିତ ଏକ ବଗିରେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ । ଏଇ ଘଟଣାର ଅଳ୍ପ କିଛି ଦିନ ଆଗରୁ ଆଉ ଗୋଟିଏ ଚଳନ୍ତା ଟ୍ରେନ୍‌ରୁ ସୈନିକମାନେ ସେଇ ଏକା ଅପରାଧରେ କେତେ ଜଣ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଥିଲେ । ସେମାନଙ୍କ ଭିତରୁ କେତେ ଜଣ ହତଭାଗ୍ୟ କୌଣସି ପ୍ରକାରେ ବଂଚି ଯାଇଥିଲେ ।

ଆମ ସଂସ୍କୃତିରେ ସୈନିକମାନଙ୍କୁ ବିଶେଷ ମର୍ଯ୍ୟାଦା ଦିଆଯାଇଛି । ଲତା ମଙ୍ଗେସ୍କରଙ୍କ ପ୍ରସିଦ୍ଧ ଗୀତ ‘‘ୟେ ମେରେ ଓ୍ୱତନ୍‌ କି ଲୋଗୋଁ ....’’ ଦୀର୍ଘଦିନ ଧରି ଏକାଧିକ ପୀଢ଼ିଙ୍କ ପାଇଁ ଏକ ଅନୁପ୍ରେରଣା ହୋଇ ରହିଛି । ହୁଏତ ଏଇ ଗୀତଟି ଆମ ଜାତୀୟ ସଂଗୀତ ପରି ମର୍ଯ୍ୟାଦାବନ୍ତ ବା ବୋଧହୁଏ ତା ଠାରୁ ଅଧିକ ପ୍ରାଣସ୍ପର୍ଶୀ ହୋଇ ରହିଛି । ଏଥରେ ଦ୍ୱିରୁକ୍ତି ନଥାଇ ପାରେ ଯେ ଦେଶାତ୍ମବୋଧ ପ୍ରସଂଙ୍ଗ ଉଠିଲେ ଯାହା ଆମ ଚେତନା ଭିତରକୁ ସବୁଠୁ ଆଗେ ଆସିଥାଏ ସେଇଟି ହେଉଛି ଆମ ସୈନ୍ୟବାହିନୀ; ଆମ ସୈନିକମାନଙ୍କର ବଳିଦାନର କାହାଣୀ ଓ ତ୍ୟାଗ ଯାହା ପାଇଁ ଆମେ ସବୁବେଳେ ଗର୍ବିତ । ଭାରତ-ପାକିସ୍ଥାନ ଯୁଦ୍ଧ ହେଉ ବା କାରଗିଲ୍‌ ହେଉ ଆମ ସୈନିକମାନଙ୍କର ବଳିଦାନର କାହାଣୀରେ ଭରପୁର ଆମ ଇତିହାସର ପୃଷ୍ଠା । ସ୍ଵାଧୀନ ଭାରତରେ ବୋଧହୁଏ କୌଣସି ସମୟରେ ସାଧାରଣ ନାଗରିକର ସୈନିକମାନଙ୍କ ପ୍ରତି ରହିଥିବା ଅନୁରକ୍ତିରେ ତୃଟି ପରିଲକ୍ଷିତ ହୋଇ ନାହିଁ । ଏ ଦେଶର କୋଟି କୋଟି ଲୋକଙ୍କୁ ଶାନ୍ତିର ନିଦ ଦେବାପାଇଁ ଆମର ସୈନିକମାନେ ସୀମାନ୍ତରେ ଉଜାଗର ରହନ୍ତି । ସେମାନେ ଦେଶ ମାତୃକା ପାଇଁ ଶହୀଦ ହୁଅନ୍ତି । ଅନ୍ୟ ଅର୍ଥରେ, ଗୋଟିଏ ଦେଶର ସମଗ୍ରିକ ଉନ୍ନତି ପଛରେ ସେହି ଦେଶର ସେନାବାହିନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଦେଶକୁ ତଥା ଦେଶର ନାଗରିକମାନଙ୍କୁ ସୁରକ୍ଷା ଦେବାର ଭୂମିକା ଦେଶ ଶାସନଠାରୁ ଅଧିକ ଦାୟିତ୍ୱବୋଧର କଥା । ଅନ୍ୟ ଦେଶମାନଙ୍କ ପରି ଆମ ଦେଶରେ ଏହାହିଁ ଘଟିଛି । ଆମ ମନରେ ଆମ ସୈନିକମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ମଧ୍ୟ ରହିଛି ।

ତେବେ ଏହାର ଆଉ ଗୋଟିଏ ଦିଗ ମଧ୍ୟ ରହିଛି । ସଭ୍ୟତାର ଆରମ୍ଭରୁ-ଅର୍ଥାତ୍‌ ଇତିହାସରେ ବର୍ଣ୍ଣିତ ସର୍ବପ୍ରଥମ ଯୁଦ୍ଧ ସମୟରୁ ହିଁ ଯୋଦ୍ଧାମାନେ (ସୈନିକମାନେ) ଯୁଦ୍ଧ ପରି ବୀଭତ୍ସତାର ଅନ୍ୟନାମ ହୋଇ ରହିଛନ୍ତି । ଯଦି କୌଣସି ସ୍ୱରୂପରେ ବି ଧର୍ମଯୁଦ୍ଧ ହୋଇନଥାଏ । ଅର୍ଥାତ, ଯୁଦ୍ଧ ପୂର୍ବରୁ ଏବଂ ଯୁଦ୍ଧ ପରେ ଯୁଦ୍ଧ ହିଁ ଚାଲିଥାଏ ! ଏହା ଏମିତି ଏକ ମାରାତ୍ମକ ଶିଳ୍ପ / ଅନୁଷ୍ଠାନ ଯାହା ଏ ସଂସାରରେ ନିରନ୍ତର ଚାଲିଛି । ଆତ୍ମରକ୍ଷା ନାଁରେ ଆପଣାର ଅଭିବୃଦ୍ଧି ହିଁ ଘଟାଉଛି । ଇତିହାସର ସବୁ ସମୟରେ ଯେ କୌଣସି ଯୁଦ୍ଧ ସଂପର୍କରେ ଏହା ହିଁ ସତ୍ୟ । କୁହାଯାଏ, କୌଣସି ଏକ ଯୁଦ୍ଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ନୁହେଁ, ବୋମା ବା କ୍ଷେପଣାସ୍ତ୍ର ନୁହେଁ, ଯୁଦ୍ଧ କରୁଥିବା ସୈନ୍ୟମାନେ ହିଁ ଅଧିକ ମାରାତ୍ମକ / ନିଷ୍ଠୁର ସାବ୍ୟସ୍ତ ହୋଇଥାନ୍ତି । ହୃଦୟରେ ସମସ୍ତଙ୍କୁ ବନ୍ଧୁ ବିଚାରୁଥିବା, ଆତ୍ମୀୟ ଜ୍ଞାନ କରୁଥିବା ମଣିଷଟିଏ ଆଉ ଜଣେ ମଣିଷକୁ ଏତେ ସହଜରେ ହତ୍ୟା କରିପାରିବ ନାହିଁ, ସେଥିପାଇଁ ମାତୃଭୂମି ଓ ଏହାର ସୁରକ୍ଷା ନାଁରେ ଆମେ ଜ୍ଞାତସାରରେ ହିଁ ଆମର ସୈନିକମାନଙ୍କୁ ନିଷ୍ଠୁରତାର ତାଲିମ ଦେଇଥାଉ। ସେମାନଙ୍କୁ ହିଂସ୍ର ହେବାପାଇଁ, ଅମାନୁଷିକ ହେବାପାଇଁ ରାଷ୍ଟ୍ର ହିଁ ରୀତିମତ ତାଲିମ ଦେଇଥାଏ, କାରଣ ଯୁଦ୍ଧ ଭୁଇଁରେ ସେହି ହିଂସ୍ରତା ହିଁ ରାଷ୍ଟ୍ରର କାମରେ ଆସେ । ଏଇଟି ଏକ ବିତର୍କର ବିଷୟ ଏବଂ ଅବଶ୍ୟ ପୃଥକ ପ୍ରସଙ୍ଗ ଯେ ଯୁଦ୍ଧ ଅବଶ୍ୟମ୍ଭାବୀ ନା ନାହିଁ, ତେବେ ଏହା ସ୍ୱୀକୃତ ଯେ ଯୁଦ୍ଧର ମଧ୍ୟ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ସୈନ୍ୟମାନେ ରାଷ୍ଟ୍ରୀୟ ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ଭାବରେ କେତେକ ନିୟମରେ ବନ୍ଧା, ଯେଉଁ ନିୟମ ଭିତରେ ନୀତିଶାସ୍ତ୍ର ସଂପର୍କିତ ଏକ ଅଧ୍ୟାୟ ମଧ୍ୟ ରହିଛି । ଅର୍ଥାତ୍‌, ଏକ ଆଧୁନିକ ରାଷ୍ଟ୍ରରେ, ବେସାମରିକ ପରିସ୍ଥିତିରେ ସୈନିକମାନଙ୍କର ଏକ ସର୍ବନିମ୍ନ ଶୃଙ୍ଖଳା ଜ୍ଞାନ ରହିବ । ସେମାନେ ଅନାବଶ୍ୟକ ନୃସଂଶ ହେବେ ନାହିଁ । ଯେମିତି ସେମାନେ ଆହତ ଶତ୍ରୁକୁ ବାୟୋନଟ୍‌ରେ ବାରମ୍ବାର ଭୁଷି ଅକାରଣରେ ଯନ୍ତ୍ରଣା ଜର୍ଜରିତ କରିପକାଇବେ ନାହିଁ ଠିକ୍‌ ସେମିତି ସାଧାରଣ ନାଗରିକ ପ୍ରତି ସେମାନେ କୌଣସି ଅତ୍ୟାଚାର କରିବେ ନାହିଁ । ସେମାନେ ଏମିତି କିଛି କରିବେ ନାହିଁ ଯାହା ସୁରକ୍ଷା ନାଁରେ ମାନବବାଦର ଅପମାନ ହେବ ଏବଂ ଯାହା ଦ୍ଵାରା ମଣିଷର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ । କିନ୍ତୁ ଏ ସବୁ କ’ଣ ସତରେ ହେଇଛି ? ଏବେ ମଧ୍ୟ ଇରାକ୍‌ରେ ମିଳିତ ସୈନ୍ୟବାହିନୀ ସାଧାରଣ ଇରାକ୍‌ବାସୀଙ୍କ ଉପରେ ସେମାନଙ୍କର ଅତ୍ୟାଚାର ଜାରି ରଖିଛନ୍ତି । ଏବେ ବି ଯୁଦ୍ଧବନ୍ଦୀମାନଙ୍କୁ ନଙ୍ଗଳା କରି ଚେଙ୍କ ଦିଆଯାଇଛି । କେବଳ ଇରାକ୍‌ରେ ନୁହେଁ, ଅତୀତରେ ଆଫଗାନିସ୍ଥାନରେ ଓ ଅନ୍ୟାନ୍ୟ ଅନେକ ଦେଶରେ (ଆମ ଦେଶରେ ମଧ୍ୟ) ଯେଉଁଠି ବି ଯୁଦ୍ଧ ନଚେତ୍‌ ଏକ ସଂଘର୍ଷର ସୂତ୍ରପାତ ହୋଇଛି ସେଠି ସାଧାରଣ ନାଗରିକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଆଧୁନିକ ସମୟରେ ନିରୀହ ଜନତା ଉପରେ ସୈନ୍ୟମାନଙ୍କର ବର୍ବରତା କିଛି କମ୍‌ ହୋଇ ନାହିଁ । ସୁରକ୍ଷା ନାଁରେ ଏକ ପ୍ରକାର ସ୍ୱେଚ୍ଛାଚାରିତାକୁ ରାଷ୍ଟ୍ରମାନେ ଲାଇସେନ୍ସ ଦେଇଛନ୍ତି ଯେଉଁଥିରୁ ଆମ ଦେଶ ବାଦ ପଡ଼ିନାହୁଁ । ଅପ୍ରିୟ ହେଲେ ମଧ୍ୟ ଏହା ସତ୍ୟ ଯେ କେତେ ବର୍ଷ ଧରି ଆମ ସେନାବାହିନୀରେ ଏମିତି ଏକ ଅପସଂସ୍କୃତିର ପ୍ରବେଶ ଘଟିଛି ଯାହାର ପ୍ରବେଶ କେବଳ ଜଣେ ସୈନିକକୁ ଏକ ସୈନିକ ଭାବରେ ନୁହେଁ ବରଂ ଏକ ଅସଂଗତ ରୋଲ ମଡେଲ୍‌ର ଜ୍ଞାନ କରାଉଛି । ହଠାତ୍‌ ଆମ ସୈନିକଟି ତା’ର ସତ୍ତାକୁ ଏକ ସ୍ଵତନ୍ତ୍ର ତଥା ସର୍ବ ଶକ୍ତିମାନ ସତ୍ତା ବୋଲି ବିଚାରୁଛି । ସେ ନିଜକୁ, ନିଜ ସତୀର୍ଥମାନଙ୍କୁ ଏବଂ ସୁରକ୍ଷା ନାଁରେ କାୟା ବିସ୍ତାର କରି ଚାଲିଥିବା ଯୁଦ୍ଧ ଶିଳ୍ପକୁ ପ୍ରଭୁ ମଣୁଛି । ନୃଶଂସତାକୁ ସେ ନିଜ ସତ୍ତାର ଏକ ଅଂଶ ବୋଲି ଧରି ନେଇଛି । ଯୁଦ୍ଧ ବିମାନରୁ, ଟ୍ୟାଙ୍କ ଉପରୁ ସେ ଅନ୍ୟମାନଙ୍କୁ–ସବୁ ସିଭିଲିଆନ୍‌ମାନଙ୍କୁ ନିଜଠାରୁ ନିକୃଷ୍ଟ ବୋଲି ବିଚାରୁଛି । ସୁରକ୍ଷା ନାଁରେ ସେ ଅସହିଷ୍ଣୁ ହେବାପାଇଁ ବରଂ ପସନ୍ଦ କରୁଛି ଓ ଅନ୍ୟମାନଙ୍କୁ ଆହତ କରିପକାଉଛି । ବେଶ୍‌ କେତେ ବର୍ଷ ଧରି ଆମ ସୈନିକମାନଙ୍କ କ୍ଷେତ୍ରରେ ଏହା ହିଁ ଘଟୁଛି । ସଂରକ୍ଷଣ ନାଁରେ ରାଷ୍ଟ୍ର ଦେଇଥିବା ସୁବିଧାସୁଯୋଗର ଅପବ୍ୟବହାର କେବଳ ଯେ ସେମାନଙ୍କ କ୍ଷେତ୍ରରେ ଘଟୁଛି ସେ କଥା ନୁହେଁ, ତେବେ ନୃଶଂସ ହୋଇ ସେମାନେ ଆମକୁ ଲଜ୍ଜିତ କରୁଛନ୍ତି । ଦିନକୁ ଦିନ ଅଧିକ ଲଜ୍ଜିତ କରୁଛନ୍ତି ।

ସେମାନେ ମଣିଷ ପରି ନୁହେଁ ବରଂ ରୋବଟ୍‌ ଆର୍ମି ପରି ବ୍ୟବହାର କରୁଛନ୍ତି, ଯାହା ପ୍ରମାଣିତ କରୁଛି ଯେ ସେମାନେ ସଂବେଦନଶୀଳତାଠୁଁ ଅନେକ ଦୂରରେ ଏକ ଯାନ୍ତ୍ରିକ ସତ୍ତା । ସେମାନେ ଯେମିତି ମଣିଷ ନୁହଁନ୍ତି, ସୈନିକ ନୁହଁନ୍ତି–ସନ୍ତ୍ରାସର ଅବୟବ । ହୁଏତ ଏକ ସଭ୍ୟ ସାଧାରଣତନ୍ତ୍ରରେ ସଂରକ୍ଷିତ ସଂନ୍ତ୍ରାସର ଅବୟବ !

(ମାର୍ଚ୍ଚ ୨୦୦୫ରେ ଜଳେଶ୍ଵର ତହସିଲଦାରଙ୍କ ସହିତ ଏହି ଘଟଣାଟି ଘଟିଥିଲା)

Image

 

ଫାଶୀ ବରଗଛ

 

ଏଇ ପ୍ରବନ୍ଧ ପ୍ରକାଶ ପାଇବା ବେଳକୁ ଧନଞ୍ଜୟ ଫାଶୀ ଖୁଣ୍ଟରେ ଝୁଲି ସାରିଥିବ । ଅଗଷ୍ଟ ୧୪ ତାରିଖ ଦିନ ସିନ୍ଦୁରା ଫାଟିବା ଆଗରୁ (ସକାଳ ୪ଟା ୩୦ମି. ରେ) ଧନଞ୍ଜୟକୁ ଆଲିପୁର ଜେଲ୍‌ରେ ଫାଶୀ ଦିଆଯିବ । ନିକଟରେ ଅବସର ଗ୍ରହଣ କରିବାପାଇଁ ଯାଉଥିବା ସରକାରୀ ଘାତକ ନଟବର ମଲ୍ଲିକ୍‌ ତା’ ନାତି ପ୍ରଭାତ ସହିତ ୟା ଭିତରେ ଆଲିପୁର ଜେଲ୍‌ କେତେଥର ବୁଲି ଆସିଲାଣି । ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି । ନଟ ତା’ ଜୀବନରେ ୨୪ ଜଣଙ୍କୁ ଫାଶୀ ଦେଇଛି ଏବଂ ଫାଶୀ ପିଛା ପାଞ୍ଚ ହଜାର ଟଙ୍କା ସରକାରଙ୍କ ପାଖରୁ ପାଇଛି । ଧନଞ୍ଜୟକୁ ଫାଶୀ ଦେଲେ ତାକୁ ଏଥର ଦଶ ହଜାର ଟଙ୍କା ମିଳିବ । ଫାଶୀ କେମିତି ଦିଆଯାଏ ସେ ବିଷୟରେ ନଟ ତା’ ନାତିକୁ ତାଲିମ ଦେଉଛି (ଡମି ଫାଶୀ) ।

 

ଏଥର ଫାଶୀ ଦେବାବେଳେ ତା’ ନାତି ସାହାଯ୍ୟ କରିବ। ଧନଞ୍ଜୟ ବେକରେ ଫାଶୀ ଦଉଡ଼ି ପକେଇବାବେଳେ ପ୍ରଭାତ ଧନଞ୍ଜୟକୁ ଜୋର୍‌ରେ ମାଡ଼ିବସି ଧରିବ, ଯେମିତି ଏଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ସଂପାଦନ ସମୟରେ ସାମାନ୍ୟତମ ବ୍ୟାଘାତ ସୃଷ୍ଟି ନହୁଏ । ଅବସର ଗ୍ରହଣ କରିବା ପରେ ସରକାର ତା’ ନାତିକୁ ଅବଶ୍ୟ ଚାକିରୀ ଦେବେ ବୋଲି ଆଶ୍ଵାସନା ଦେଇଛନ୍ତି । ଶ୍ରୀ ନଟବର ମଲ୍ଲିକ୍‌ ଜଣେ ସରକାରୀ ଜହ୍ଲାଦ । ଅଗଷ୍ଟ ୧୪ ତାରିଖ ଦିନ ଧନଞ୍ଜୟର ଜନ୍ମଦିନ । ସଂଯୋଗ କ୍ରମେ ସେହି ଦିନଟି ହିଁ ଧନଞ୍ଜୟର ମୃତ୍ୟୁଦିନ ହେବ । ୧୪ ବର୍ଷ ଧରି ଚାଲିଥିବା ଏଇ ଅଭିଯାନର ସେହି ଦିନ ହିଁ ଅନ୍ତ ଘଟିବ । ଅଗଷ୍ଟ ୧୫ ତାରିଖରେ ଆମ ଦେଶ କେତେ ଆଡ଼ମ୍ବରରେ ୫୭ତମ ସ୍ଵାଧୀନତା ଦିବସ ପାଳନ କରିବ ।

 

ଫାଶୀ ଦଣ୍ଡ ଆମ ଦେଶରେ କିଛି ନୂଆ କଥା ନୁହେଁ । କେବଳ ଆମ ଦେଶରେ ନୁହେଁ ସଭ୍ୟତାର ଆରମ୍ଭରୁ ପୃଥିବୀର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁଦଣ୍ଡ ପ୍ରଚଳିତ । ସେହି ଦୃଷ୍ଟିରୁ ମାର୍ଚ୍ଚ ୫, ୧୯୯୦ରେ ନିରୀହ ହିତଲ ପାରେଖକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧରେ ଦଣ୍ଡିତ ଧନଞ୍ଜୟ ପାଇଁ ମୁକ୍ତିପ୍ରାର୍ଥନା କରିବା ଏଇ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ । କାରଣ ସ୍କୁଲ ଫେରନ୍ତା ପନ୍ଦରବର୍ଷର ସାନ ହିତଲ୍‌ ସେମିତି କିଛି ତ ଆଦୌ କରିନଥିଲା ଯାହାପାଇଁ ତା’କୁ ଧନଂଜୟର ପାଶବିକତାର ଶିକାର ହେବାପାଇଁ ପଡ଼ିଥିଲା ! କୁହାଯାଉଛି, ଧନଞ୍ଜୟର ଫାଶୀଦଣ୍ଡ ଆମ ଦେଶରେ ଆହୁରି ଅନେକ ହିତଲ୍‌ମାନଙ୍କ ପାଇଁ ଏକ ଆତ୍ମସନ୍ତୋଷର କାରଣ ହେବ ଏବଂ କେତାକାଂଶରେ ଭବିଷ୍ୟତର ଧନଞ୍ଜୟମାନଙ୍କୁ ବି ପ୍ରତିହିତି କରିବ । ତେବେ ପ୍ରସଙ୍ଗଟି ସେଇଠି ସୀମିତ ନୁହେଁ । ପ୍ରଶ୍ନ ହେଉଛି ଜନମଙ୍ଗଳ ରାଷ୍ଟ୍ର ହିସାବରେ ଆମ ରାଷ୍ଟ୍ରଟି ଆଉ କେତେଦିନ ଜହ୍ଲାଦ ହୋଇ ରହିବ ? ଇତିହାସରେ ଶବ ହୋଇ ରହିଥିବା ଗିଲୋଟିନ୍‌ଗୁଡ଼ାକୁ ରାଷ୍ଟ୍ର ଆଉ କେତେଦିନ ରକ୍ଷଣାବେକ୍ଷଣ କରିବ ? ଭାରି ଭୟଙ୍କର ଦିଶୁଥିବା ଫାଶୀ ବରଗଛଗୁଡ଼ାକୁ ରାଷ୍ଟ୍ର ଆଉ କେତେଦିନ ସତେଜ କରି ରଖିବ ?

 

ଯଥେଷ୍ଟ ଆଗରୁ ମୃତ୍ୟୁଦଣ୍ଡ ଭାରି ବିତର୍କିତ ହୋଇ ରହିଛି । ଉଭୟ ଯୀଶୁ ଓ ସକ୍ରେଟିସ୍‌ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେସବୁ ଇତିହାସର ଅଶୁଭ ମୁହୂର୍ତ୍ତ ହୋଇ ରହିଛି । ମୃତ୍ୟୁଦଣ୍ଡକୁ ରାଷ୍ଟ୍ର ଏକ ଅମୋଘ ଅସ୍ତ୍ର ଭାବେ ଖୁବ୍‌ ନିଷ୍ଠୁର ଭାବେ ମଧ୍ୟ ବ୍ୟବହାର କରିଛି । ଖ୍ରୀଷ୍ଟପୂର୍ବ ୧୭୫୦ ରେ ହାମୁରାବିଙ୍କ ନୀତିଶାସ୍ତ୍ର / ନ୍ୟାୟ ସଂହିତାରେ ମୃତ୍ୟୁଦଣ୍ଡର ବର୍ଣ୍ଣନା ମିଳେ-। ଅଷ୍ଟାଦଶ ଶତାବ୍ଦୀ ଆଗରୁ ରାଷ୍ଟ୍ରପ୍ରଦର ମୃତ୍ୟୁଦଣ୍ଡ ବିପକ୍ଷରେ ସେମିତି କିଛି ବିଶେଷ ପ୍ରତିବାଦ ହେବାର ଦୃଷ୍ଟାନ୍ତ ବିରଳ । ମାତ୍ର ୧୭୬୪ ରେ ପ୍ରକାଶିତ Cesare Beccaria ଙ୍କ Essays on Crime and Punishment ରେ ମୃତ୍ୟୁଦଣ୍ଡ ବିପକ୍ଷରେ ବଳିଷ୍ଠ ଯୁକ୍ତି ରହିଥିଲା । ତେବେ ମୃତ୍ୟୁଦଣ୍ଡ ଉଚ୍ଛେଦ କରିଥିବା ପ୍ରଥମ କେତେକ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଭେଞ୍ଜୁଏଲା, ସାନ୍‌ମାରିନୋ ଏବଂ କୋଷ୍ଟାରିକା ।

 

ଏକଥା ମଧ୍ୟ ବିଚାର୍ଯ୍ୟ ଯେ, ରାଷ୍ଟ୍ରର ମୃତ୍ୟୁଦଣ୍ଡ ସପକ୍ଷରେ ମଧ୍ୟ ଭାରି ଯୁକ୍ତିନିଷ୍ଠ ଭୂମିଟିଏ ସେହି ସମୟରୁ ହିଁ ତିଷ୍ଠି ରହିଛି । ଗତ ଶତାବ୍ଦୀରେ ମୃତ୍ୟୁଦଣ୍ଡର ଜଣେ ପ୍ରଧାନ ପ୍ରବକ୍ତା ଥିଲେ ଜନ୍‌ ଷ୍ଟୁଆଟ୍‌ ମିଲ୍‌ (୧୮୦୬-୧୮୭୩) । ଊନବିଂଶ ଶତାବ୍ଦୀର ଅନ୍ୟତମ ମୌଳିକ ଦାର୍ଶନିକ, ୟୁଟିଲିଟାରିଆନିଜମ୍‌ର ଅନ୍ୟତମ ଉଦାର ପ୍ରବର୍ତ୍ତକ, ମଣିଷର ମୁକ୍ତିରେ ପ୍ରଗାଢ଼ ବିଶ୍ଵାସ ଏବଂ ଅନୁରାଗ ରଖୁଥିବା ଜନ୍‌ ଷ୍ଟୁଆଟ୍‌ ମିଲ୍‌ ୧୮୬୧ ମସିହାରେ ତାଙ୍କ ପାର୍ଲାମେଣ୍ଟରେ ମୃତ୍ୟୁଦଣ୍ଡ ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।

 

ମିଲ୍‌ଙ୍କ ଯୁକ୍ତି ମୋଟାମୋଟି ଏମିତି ଥିଲା : ମିଲ୍‌ କହିଥିଲେ ଯେ ରାଷ୍ଟ୍ର-ପ୍ରଦତ୍ତ ମୃତ୍ୟୁଦଣ୍ଡ ବିରୁଦ୍ଧରେ ତାଙ୍କ ପାଖରେ ଯଥେଷ୍ଟ ଯୁକ୍ତି ଥିଲେ ସେ ଖୁବ୍‌ ଖୁସି ହୋଇଥା’ନ୍ତେ, ମାତ୍ର ସେପରି ଯୁକ୍ତିଯୁକ୍ତ କାରଣ ସେ ଖୋଜି ପାଉ ନଥିବାରୁ ଦୁଃଖିତ । ମିଲ୍‌ଙ୍କ ମତରେ ଯଦି ଅପରାଧୀର ଅପରାଧ ଏକ ଦୁର୍ଘଟଣା ନୁହଁ, ଏକ ବିଡ଼ମ୍ବନା ନୁହେଁ, ସେଇଟି ସୁପରିକଳ୍ପିତ, ଅପରାଧୀର ମାନସିକତାରେ ସମୃଦ୍ଧ ଏବଂ ଅପରାଧୀଟି ସାଧାରଣ ଜୀବନରେ ତିଷ୍ଠି ରହିବା ପାଇଁ ଏକାନ୍ତ ଅନୁପଯୁକ୍ତ ତେବେ ତା’ର ଅକ୍ଷମଣୀୟ ଜଘନ୍ୟ ଅପରାଧ ନିମନ୍ତେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ଦଣ୍ଡ ଯାହା ଅପରାଧୀର ପରିସମାପ୍ତି ଘଟାଇବା ନିମନ୍ତେ ରାଷ୍ଟ୍ରର ନ୍ୟୂନତମ ନୃଶଂସତା । ଯଦି ଏହି ଅପରାଧୀକୁ ମୃତ୍ୟୁଦଣ୍ଡ ଦିଆନଯାଏ ଅଥଚ ତା’କୁ ଅନ୍ୟ କୌଣସି ଦଣ୍ଡ / ବିକଳ୍ପ ଦଣ୍ଡାଦେଶ ଯଥା ଆଜୀବନ କାରାଦଣ୍ଡ ହୁଏ ତେବେ ଅପରାଧୀକୁ ଏମିତି ଏକ ନିଃସଙ୍ଗତା ଏବଂ ଶୃଙ୍ଖଳା ଭିତରେ ରହିବା ପାଇଁ ପଡ଼ିବ ଯାହା ହୁଏତ ମୃତ୍ୟୁଠାରୁ ଅଧିକ ମର୍ମନ୍ତୁଦ ହୋଇପଡ଼ିବ।

 

ପୁନଶ୍ଚ, ଶୃଙ୍ଖଳାର ସେହି ବନ୍ଧନଟି ଯେତେ ଶକ୍ତ ହୋଇଥାଉନା କାହିଁକି ଏକ ଅପରାଧର ପୁନରାବୃତ୍ତିକୁ ସେଇ ପରିବେଶଟି ହୁଏତ ଶତ ପ୍ରତିଶତ ରୋକିପାରିବା ପାଇଁ ସମର୍ଥ ହେବ ନାହିଁ । ପୁଣି ମୃତ୍ୟୁଦଣ୍ଡରୁ ଅବ୍ୟାହତି ପାଇଥିବା ଅପରାଧୀଟି ତା’ର ଆଜୀବନ କାରାଦଣ୍ଡ କେଉଁ ପରିବେଶରେ କାଟୁଛି ? ଦୀର୍ଘ ଦିନ ଧରି ଶାରୀରିକ ପରିଶ୍ରମ, ଅଧା ଅନ୍ଧାର ଅଧା ଆଲୁଅର ଛୋଟିଆ ସେଲ୍‌, ପ୍ରିୟଜନଙ୍କ ଦୂରତ୍ଵ, ଏକ ପ୍ରତ୍ୟାଖ୍ୟାତ ମଣିଷର ଜୀବନ ସେ କେମିତି ବଂଚୁଛି-କିଏ ପ୍ରକୃତରେ ଏଇ କଥାଟିକୁ ଗୁରୁତ୍ଵ ଦେଇ ଚିନ୍ତା କରିଛି ? ସେଇ ଜୀବନଟି ଅପେକ୍ଷା ମୃତ୍ୟୁ କ’ଣ ଶ୍ରେୟସ୍କର ନୁହେଁ ? ମୃତ୍ୟୁଦଣ୍ଡର ଅସଲ ଉଦ୍ଦେଶ୍ୟ କେବଳ ଏକ ଦଣ୍ଡ ହିସାବରେ ନୁହେଁ ଵରଂ ଏକ ଭୟ ଉଦ୍ରେକକାରୀ ଶାସ୍ତି ହିସାବରେ ରାଷ୍ଟ୍ରପାଇଁ ଗୁରୁତ୍ଵପୂର୍ଣ୍ଣ ।

 

ମୃତ୍ୟଦଣ୍ଡର ଭୟାବହତା, ତାକୁ ନେଇ ଗଢ଼ିଉଠିଥିବା ଏକ ବିଚିତ୍ର, ରୋମାଞ୍ଚକର କଳ୍ପନାବିଳାସ, ମୃତ୍ୟୁପୂର୍ବରୁ ମୃତ୍ୟୁର ସାର୍ବଜନୀନ ଚର୍ଚ୍ଚା, ମୃତ୍ୟୁ ପୂର୍ବରୁ ମୃତ୍ୟୁର ଶୀତଳ ପଦଧ୍ଵନି, ଅନ୍ଧକାର ଓ ନିର୍ଜନତା ସବୁ ମିଳିମିଶି ଭବିଷ୍ୟତର ଅପରାଧୀକୁ ପ୍ରତିହତ କରିଥା’ନ୍ତି । ଏକଥା ସତ ଯେ ମୃତ୍ୟୁର ଏହି ବୀଭତ୍ସ ପରିଧିଟି ସବୁ ଅପରାଧୀମାନଙ୍କ ପାଇଁ ବୀଭତ୍ସ ହୋଇ ରହିନାହିଁ, ସଂତ୍ରାସ ସୃଷ୍ଟି କରିପାରିନାହିଁ । କିନ୍ତୁ କିଏ ବା ଠିକ୍‌ କହିପାରିବ ଯେ ଆମ ଅଜ୍ଞାତରେ ସଂତ୍ରାସର ଏହି ବୃତ୍ତଟି କେତେ ଅପରାଧୀଙ୍କୁ ନିରୁତ୍ସାହିତ କରିଛି, ପ୍ରତିହତ କରିଛି ?

 

ମିଲ୍‌ ପୁଣି କହିଥିଲେ, ମୃତ୍ୟୁଦଣ୍ତ କେବଳ ସବୁଠାରୁ ଜଘନ୍ୟତମ ଅପରାଧ ନିମନ୍ତେ ଦିଆଯିବା କଥା । ତୁଳନାତ୍ମକ ଭାବେ ଏକ ଲଘୁ ଅପରାଧରେ ମୃତ୍ୟୁଦଣ୍ଡାଦେଶ ଏଇ ଦଣ୍ଡର ଗୁରୁତ୍ଵ ହ୍ରାସ କରିଥାଏ । ସବୁଠାରୁ ପ୍ରଚଣ୍ଡ ଏବଂ ବଳବନ୍ତ ସତ୍ୟଟି ମଧ୍ୟ ତୁଚ୍ଛା କଳ୍ପନାବିଳାସରେ ଭାରି ଶସ୍ତା ହୋଇଯାଏ । ଯଦି ଏମିତି ସମୟ କେବେ ଆସେ, ଯେତେବେଳେ ନରହତ୍ୟା ନିମନ୍ତେ ଅପରାଧୀକୁ ପ୍ରାଣଦଣ୍ଡ ଦେବାବେଳେ ବିଚାରପତି ଅପରାଧୀକୁ ଏକ ବିକଳ୍ପ ଦଣ୍ଡ / ଲଘୁଦଣ୍ଡ ଦେବାପାଇଁ ଚିନ୍ତା କରନ୍ତି, ସେଇ ମୁହୂର୍ତ୍ତରେ ମୃତ୍ୟୁଦଣ୍ଡକୁ ଉଚ୍ଛେଦ କରିବା ପାଇଁ ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିବ ।

 

ମିଲ୍‌ କହିଥିଲେ, ପ୍ରକୃତରେ ମୃତ୍ୟୁ କ’ଣ ଏତେ ଭୟଙ୍କର ? ଏଇଟି କ’ଣ ଆମ ସଭ୍ୟତାରେ, ଶିକ୍ଷାରେ ଏବଂ ଚେତନାରେ ସ୍ଥାନ ପାଇନାହିଁ ଯେ ମୃତ୍ୟୁ ଏକ ଦୁଃଖଦ, ମର୍ମନ୍ତୁଦ ଘଟଣା ହେଲେ ବି ଜୀବନର ଶେଷ ପରିଣତି ? ମୃତ୍ୟୁ ଏକ ଧ୍ରୁବ ସତ୍ୟ ଯାହାପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବା ପାଇଁ ପଡ଼ିବ ଏବଂ ସେଇ ମୃତ୍ୟୁ ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ । ରାଷ୍ଟ୍ରପ୍ରଦତ୍ତ ମୃତ୍ୟୁଦଣ୍ଡରେ ରାଷ୍ଟ୍ରନିଯୁକ୍ତି ଘାତକ ହାତରେ ଅପରାଧୀର ମୃତ୍ୟୁଟି ଏକ ନୃଶଂସ ହତ୍ୟାକାରୀର ନରହତ୍ୟା ପରି ଆଦୌ ବୀଭତ୍ସ ହୋଇନଥାଏ ।

 

ମିଲ୍‌ କହିଥିଲେ ଜୀବନର ପବିତ୍ରତା ଓ ମହନୀୟତା ସଂପର୍କରେ ଅନେକ ଯୁକ୍ତି ରହିଛି ଏବଂ ମୃତ୍ୟୁଦଣ୍ଡ ସେଇ ଅମୂଲ୍ୟ ଜୀବନର ଅନ୍ତିମ ପରିଣତି ହିସାବରେ ଭାରି ଅପମାନ ସୂଚକ, ଅବଜ୍ଞାସୂଚକ ଉପପାଦ୍ୟ ହୋଇ ରହିଛି । ସେହି ଦୃଷ୍ଟିରୁ ମୃତ୍ୟୁଦଣ୍ଡକୁ ଆମ ଚେତନାରେ ଭାରି ନକାରାତ୍ମକ ହୋଇ ମଧ୍ୟ ରହିଛି । ତେବେ କ’ଣ ମଣିଷର ଜୀବନଟି କେବଳ ମୂଲ୍ୟବାନ, ତା’ର ଅନୁଭୂତି ଏବଂ ଭାବନା ସେଇ ଅନୁପାତରେ ଗୌଣ ? କେବଳ ମଣିଷର ତିଷ୍ଠି ରହିବା ନୁହେଁ ବରଂ ତା’ର ଅନୁଭବ, ଭାବନା ଏବଂ ତା’ ସହିତ ସଂଯୁକ୍ତ ହୋଇଥିବା ଯନ୍ତ୍ରଣାଟି ମଧ୍ୟ ଭାରି ମୂଲ୍ୟବାନ । ଅନ୍ୟ କାହାକୁ ଯନ୍ତ୍ରଣା ନଦେଇ, ଦଣ୍ଡ ନଦେଇ ସେଇ ଯନ୍ତ୍ରଣାଟିକୁ ହୁଏତ ପୁରାପୁରି ସାବ୍ୟସ୍ତ କରିହେବ ନାହିଁ ଏବଂ ସେହି ନିର୍ଯ୍ୟାତନାଟିର ଅନ୍ତ ମଧ୍ୟ କରିହେବ ନାହିଁ । ଦଣ୍ଡ ବ୍ୟବସ୍ଥାରେ ଏହିପରି ଅନେକ ଯନ୍ତ୍ରଣାକୁ ପ୍ରଶମିତ କରିବା ପାଇଁ, ଅତ୍ୟାଚରିତକୁ ହୁଏତ ଏକ ସାନ୍ତ୍ୱନା ଦେବା ପାଇଁ ମୃତ୍ୟୁଦଣ୍ଡର ଆବଶ୍ୟକତା ରହିଛି । ଏହାଦ୍ୱାରା କାହାରି ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ କ୍ଷୁର୍ଣ୍ଣ ହେଉନାହିଁ-। ମାନବିକ ମୂଲ୍ୟବୋଧରେ ଆଦୌ କଳଙ୍କି ଲାଗୁନାହିଁ ବରଂ ଜୀବନ ପ୍ରତି ସମାଜର ଥିବା ଗଭୀର ଅନୁରାଗକୁ, ଏକ ବୃହତ୍ତର ଅଙ୍ଗୀକାରବଦ୍ଧତାକୁ ପୁଣିଥରେ ପ୍ରମାଣ କରିବା ପାଇଁ ମୃତ୍ୟୁକୁ ଏକ ବିକଳ୍ପ ଭାବରେ ଆବିଷ୍କାର କରାଯାଇଛି । ଯଦି ଜଣେ ଅନ୍ୟ ଜଣକର ଅଧିକାରକୁ କ୍ଷୁର୍ଣ୍ଣ କରିଛି, ଆହତ କରିଛି ତେବେ ଆପଣାର ଜୀବନରେ ସିଏ ସେଇ ଅଧିକାରଟିକୁ ହରେଇ ବସିଛି । ଅତଏବ ଜଣେ ଯଦି ଅନ୍ୟଜଣଙ୍କର ମୃତ୍ୟୁର କାରଣ ହୋଇଛି ତେବେ ଆପଣା ଜୀବନ ଉପରେ ସେ ମଧ୍ୟ ତା’ର ଅଧିକାର ହରେଇ ବସିଛି ।

 

ଅବଶ୍ୟ ମୃତ୍ୟୁଦଣ୍ଡ ବିପକ୍ଷରେ ଏକ ବଳିଷ୍ଠ ଯୁକ୍ତି ରହିଛି ବୋଲି ମିଲ୍‌ କହିଥିଲେ । ସେଇଟି ହେଉଛି ବିଚାର ବ୍ୟବସ୍ଥାରେ ସାମୟିକ ତ୍ରୁଟି, ଯେଉଁଠି ଜଣେ ନିରୀହ ବ୍ୟକ୍ତି ମଧ୍ୟ ଥରେ ଥରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥାଏ । ଦଶ ଜଣ ଦୋଷୀ ପଛକେ ଖସି ଯାଆନ୍ତୁ ମାତ୍ର ଜଣେ ନିରପରାଧ ବ୍ୟକ୍ତି ଦଣ୍ଡ ନପାଉ । ଏଇ କଥାଟିର ଗୁରୁତ୍ଵ ରହିଛି । ଏବଂ ବୋଧହୁଏ ଖାସ୍‌ ଏଇଥିପାଇଁ ମୃତ୍ୟୁଦଣ୍ଡ ଦେବା ଆଗରୁ ବିଚାରପତିଙ୍କୁ ଅନେକ ଥର ଚିନ୍ତା କରିବାପାଇଁ ପଡ଼ୁଛି । ସେହି ଦୃଷ୍ଟିରୁ ମଧ୍ୟ ରାଷ୍ଟ୍ର ମୃତ୍ୟୁଦଣ୍ଡଟି ଅନ୍ୟାନ୍ୟ ଦଣ୍ଡ ତୁଳନାରେ ଭାରି ପରୀକ୍ଷିତ ହୋଇରହିଛି।

 

ଧନଞ୍ଜୟର ଭାଇ ବିକାଶ ସୁପ୍ରିମକୋର୍ଟରେ ରହିତାଦେଶ ପାଇଁ ପ୍ରାର୍ଥନା କରି ବିଫଳ ହୋଇଛି । ନଟ ମଲ୍ଲିକ ଆଲିପୁର ଜେଲ୍‌ରେ କେତେ ଥର ରିହର୍‌ସଲ୍‌ କରି ଫେରିଲାଣି । ସେ ହେଉଛି ସରକାରୀ ଘାତକ । ଫାଶୀ ତାରିଖ ଏ ପର୍ଯ୍ୟନ୍ତ ନଟକୁ ଜଣାଇ ଦିଆଯାଇନାହିଁ । ସେଥିପାଇଁ ସେ ବେଶ୍‌ ଚିନ୍ତିତ । ଧନଞ୍ଜୟକୁ କ୍ଷମାଦେବା ବା ରହିତାଦେଶ କଥା ଉଠିଲେ ନଟ ଭାରି ବ୍ୟସ୍ତ ହୋଇ ପଡ଼ୁଛି। ‘‘ଯଦି ହିତଲ୍‌ ସେମାନଙ୍କର ନିଜ ଝିଅ ହେଇଥା’ନ୍ତା ତେବେ ସେମାନେ କ’ଣ ଏମିତି କହିପାରନ୍ତେ ? ଅନ୍ୟ ଉପରେ ମନ୍ତବ୍ୟ ଦେବା ଭାରି ସହଜ...” ?, ନଟ ତାତ୍ସଲ୍ୟ କରି କହୁଛି । ବିଶେଷକରି ମାନବାଧିକାର କଥା କହୁଥିବା ସଂଗଠନ ଗୁଡ଼ାକ ଉପରେ ନଟ ଭାରି ବିରକ୍ତ ହୋଇଉଠୁଛି ।

 

ନଟ କହେ ତା’ ବାପା ଶିବଲାଲ ମଲ୍ଲିକ ୫୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦେଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ସ୍ଵାଧୀନତା ସଂଗାମୀ । ନଟ “ଜେଜେବାପା ଆହୁରି ଅଧିକ ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇଛନ୍ତି । ସେଇ ତୁଳନାରେ ନଟର ରେକର୍ଡ଼ଟା ସେତେଟା ଗୁରୁତ୍ୱପୂର୍ଣ୍ଣ ଅବଶ୍ୟ ନୁହେଁ । ନଟ ଭାରି ଖୁସି ଯେ ତା’ ହାତରେ କୌଣସି ସ୍ଵାଧୀନତା ସଂଗ୍ରାମୀ ଫାଶୀ ପାଇନାହାନ୍ତି । ସେଇ ଦୃଷ୍ଟିରୁ ସେ ଭାରି ନିର୍ମଳ । ତଥାପି ଥରେ ଥରେ ନଟ ନିଦରୁ ଉଠି ପଡୁଛି ଏବଂ ଭାରି ଅନ୍ୟମନସ୍କ ହୋଇଉଠୁଛି । କଳାକନାରେ ଅପରାଧୀର ମୁହଁଟା ଢ଼ାଙ୍କି ରଖିବାବେଳକୁ କେତେ ଥର ନିରୀହ ମୁହଁଟିମାନ ତା’କୁ ଦିଶିଯାଉଛି । ସେଇ ନିରୀହ ମୁହଁଗୁଡ଼ାକ ଏବେ ବି ଥରେ ଥରେ ସ୍ୱପ୍ନରେ ନଟକୁ ଗୋଡାଉଛନ୍ତି । ଭାରି ଜୋର୍‌ରେ ଗୋଡ଼ାଉଛନ୍ତି ।

 

(ଅଗଷ୍ଟ ୧୪, ୨୦୦୪ରେ ଧନଞ୍ଜୟକୁ ଫାଶୀ ଦିଆଯାଇଥିଲା)

Image

 

ପୁନଶ୍ଚ ଅଥେଲୋ

 

ଜୁଲାଇ ୨୬ ତାରିଖରେ ଦିଲ୍ଲୀରେ ଏକୋଇଶ ବର୍ଷ ବୟସ୍କ ମଙ୍ଗଳ ସିଂ ତାର ବାନ୍ଧବୀ (୧୫ବର୍ଷ) ରିତିକାକୁ ଅତ୍ୟନ୍ତ ନିର୍ମମ ଭାବରେ ଛୁରୀ ବିଦ୍ଧ କରି ହତ୍ୟା କରଛି । ସେହିପରି ଦିଲ୍ଲୀରେ ଜୁଲାଇ ୧୭ ତାରିଖରେ ନିଖିଲ ନାମକ ଆଉ ଜଣେ ଯୁବକ ତାର ପ୍ରେମିକା କାଂଚନକୁ ହତ୍ୟା କରିଛି । କେବଳ ଦିଲ୍ଲୀରେ ନୁହେଁ ଆମ ଦେଶର ଅନ୍ୟାନ୍ୟ ରାଜ୍ୟରେ (ଆମ ରାଜ୍ୟରେ ମଧ୍ୟ) ପ୍ରେମ ଜନିତ ହତ୍ୟା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସମାଜତତ୍ତ୍ୱବିତ୍‌ମାନେ ଏ ପ୍ରକାର ଘଟଣାକୁ ଅନୁରାଗଜନିତ ଅପରାଧ (କ୍ରାଇମସ୍‌ ଅଫ୍‌ ପ୍ୟାସନ୍‌) ବୋଲି କହୁଛନ୍ତି ।

 

ଦିଲ୍ଲୀର ଉଭୟ ଘଟଣାରେ ହତ୍ୟାକାରୀମାନେ ସେମାନଙ୍କର ଅପରାଧକୁ ନେଇ ଅନୁତପ୍ତ ନୁହନ୍ତି । ମଙ୍ଗଳ ସିଂ କେବଳ ରିତିକାକୁ ନୁହେଁ ତା’ର ସାନଭାଇ ହରିକୁ ମଧ୍ୟ ମରଣାଂତକ ଆକ୍ରମଣ କରି ଥିଲା । ପ୍ରକାଶ୍ୟ ଦିବାଲୋକରେ ରାଜରାସ୍ତାରେ ସଂଘଟିତ ଏଇ ଅପ୍ରତ୍ୟାଶିତ ତଥା ଅମାନୁଷିକ ଆକ୍ରମଣ ପରେ ଯେତେବେଳେ ଲୋକେ ମଙ୍ଗଳକୁ ଗୋଡ଼ାଇଥିଲେ ମଙ୍ଗଳ ମଟର ସାଇକେଲ ଛାଡ଼ିଦେଇ ଲାଜ୍‌ପତ୍‌ ନଗର ଥାନା ଭିତରେ ପଶିଯାଇଥିଲା । ପରେ ପୋଲିସ ଆଗରେ ମଙ୍ଗଳ ସ୍ୱୀକାର କରିଛି ଯେ ରିତିକା ଘରକୁ ସେ ବେଶ କେତେ ଥର ଯାଇଥିଲା ଓ ତା’ର ପରିବାର ସଦସ୍ୟମାନଙ୍କ ସହିତ କୁଆଡ଼େ ତାର ଉତ୍ତମ ସଂପର୍କ ମଧ୍ୟ ଥିଲା । ହଠାତ୍‌ ରିତିକା ମଙ୍ଗଳ ସହିତ ମିଶିବା, କଥାବାର୍ତ୍ତା କରିବା ବନ୍ଦ କରିଦେଲା ଏବଂ ମଙ୍ଗଳଠାରୁ ଦୂରେଇ ଯିବାପାଇଁ ଚାହିଁଲା । ମଙ୍ଗଳ ଭାବିଲା ରିତିକା ହୁଏତ ଆଉ କାହା ସହିତ ସଂପର୍କ ସ୍ଥାପନ କଲାଣି ଏବଂ ସେଇଥି ପାଇଁ ସେ ମଙ୍ଗଳଠାରୁ ଦୂରେଇ ଯିବାପାଇଁ ଚାହୁଁଛି ! ରିତିକାର ଏ ପ୍ରକାର ଆକସ୍ମିକ ପରିବର୍ତ୍ତନକୁ ମଙ୍ଗଳ ବରଦାସ୍ତ କରିପାରିନଥିଲା । ନିଖିଲ କ୍ଷେତ୍ରରେ ମଧ୍ୟ ପାଖାପାଖି ଏଇଆ ହିଁ ଘଟିଥିଲା । କାଂଚନ ନିର୍ଦ୍ଦିଷ୍ଟା ଭାବରେ ନିଖିଲ୍‌ଠାରୁ କୌଣସି କାରଣରୁ ଦୂରେଇ ଯିବାପାଇଁ ଚାହୁଁଥିଲା ଯଦିଓ ସେ ତା’ର ଅନ୍ୟାନ୍ୟ ପୁରୁଷ ବନ୍ଧୁଙ୍କ ସହିତ ବେଶ୍‌ ହସଖୁସି ହେଉଥିଲା । ନିଖିଲ ଏଇଟା ମୋଟେ ସହିପାରିଲା ନାହିଁ । ଅଳ୍ପ କିଛିଦିନ ତଳେ ଆମ ରାଜ୍ୟରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା । ସେଇ ଅପରାଧର ପୃଷ୍ଠଭୂମି ସାମାନ୍ୟ ଭିନ୍ନ ଥିଲା । ତେବେ ଏଇ ସମସ୍ତ ଘଟଣାରେ ଚରିତ୍ର, ସ୍ଥାନ, କାଳ ଅପେକ୍ଷା ଗୁରୁତ୍ଵପୂର୍ଣ୍ଣ ହେଉଛି ସ୍ଵୟଂ ଘଟଣା, ଅପରାଧ ।

 

ଟାଇମ୍ସ ଅଫ୍‌ ଇଣ୍ଡିଆର ଜୁଲାଇ ୨୮ ତାରିଖ ୨୦୦୪ (ଭୁବନେଶ୍ୱର-ଜାତୀୟ) ସଂସ୍କରଣରେ ଏ ସଂପର୍କରେ ଏକ ରିପୋର୍ଟରେ ସମାଜତତ୍ତ୍ୱବିତ୍‌ ଏବଂ ମନସ୍ତତ୍ତ୍ୱବିତ୍‌‌ ମାନେ ଘଟଣା ଦୁଇଟିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୋଲି ପ୍ରକାଶ ପାଇଛି । ଏଇ ଅପରାଧ ଆମ ସମାଜରେ ଉଗ୍ରବ୍ୟକ୍ତିବାଦର ପ୍ରତିଫଳନ ବୋଲି ସେମାନେ ମତ ଦେଇଛନ୍ତି । ଆମ ଭିତରେ ଭଲ ପାଇବାଟି ମୁକ୍ତ ଅନୁଭୂତି ନୁହେଁ ବରଂ ଏକ ପଣ୍ୟ ସାମଗ୍ରୀ ହୋଇଗଲାଣି ବୋଲି ମତ ପ୍ରକାଶ ପାଇଛି । ପ୍ରେମ ଏକ ପବିତ୍ର ସ୍ପର୍ଶ ନହୋଇ ଦଖଲ ସ୍ଵତ୍ତ୍ୱ ବିଶିଷ୍ଟ ହୋଇ ଆମରି ପରିଧିରେ ପ୍ରତୀୟମାନ ହେଲାଣି । ପ୍ରେମରେ ଅନ୍ତରଂଗତା ଅପେକ୍ଷା ଅଧିକାରକୁ ଅଗ୍ରାଧିକାର ଦିଆଗଲାଣି । ପ୍ରେମକୁ ଦଖଲ / ହାସଲ କରିନପାରିଲେ, ଯେ କୌଣସି ପ୍ରକାରେ ଆପଣେଇ ନପାରିଲେ ସେଇ ପ୍ରେମର ପରିଣତିଟାକୁ ଭୟଙ୍କର କରିଦେବା ପାଇଁ ଏକ ମାନସିକତା ମଧ୍ୟ ଆମ ଭିତରକୁ ଚାଲି ଆସିଛି ।

 

ଗଭୀର ଅନୁରାଗରୁ ଉତ୍ପନ୍ନ ଏଇ ଈର୍ଷା, ସନ୍ଦେହ ଓ ମାନସିକତାକୁ ମନସ୍ତତ୍ତ୍ୱର ପରିଭାଷାରେ ଅଥେଲେ।-ସିଣ୍ଟ୍ରମ୍‌ କୁହାଯାଇଛି । ସେକ୍ସପିୟର୍‌ଙ୍କ ‘ଅଥେଲୋ’ରେ କୃଷ୍ଣକାୟ ମୁର୍‌ ତା’ର ସ୍ତ୍ରୀ ତେସ୍‌ଡେମୋନାଙ୍କୁ ଖୁବ୍‌ ଭଲ ପାଉଥିଲା । ଥରେ ତାର ଦୃଢ଼ ଧାରଣା ହେଲା ଯେ, ଡେସେଡ୍‌ମୋନା ସୌମ୍ୟକାନ୍ତ କାସିଓ ସହିତ ପରକୀୟା ପ୍ରୀତିରେ ମସଗୁଲ୍‌ । ଅଥେଲୋ ମାନସିକ ଭାରସାମ୍ୟ ହରାଇ ବସିଥିଲା । ତା’ର ଅବିଶ୍ୱାସ, ସନ୍ଦେହର ଭୂମିଟା ପ୍ରକୃତରେ ମଜବୁତ୍‌ କି ନାହିଁ ସେକଥା ଅନୁଶୀଳନ କରିବା ପାଇଁ ତା’ର ଆଉ ଆଗ୍ରହ ନଥିଲା । ଘଟଣାକ୍ରମେ ଅଥେଲୋ ଡେସ୍‌ଡେମୋନାଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲା । ସେକ୍ସପିୟର୍‌ଙ୍କ ଅନ୍ୟାନ୍ୟ ନାଟକରେ ମଧ୍ୟ ଈର୍ଷା, ସନ୍ଦେହ ଏବଂ ଘୃଣାକୁ ଚମତ୍କାର ଭାବରେ ଉପସ୍ଥାପନ କରାଯାଇଛି ।

 

କ୍ରମବଦ୍ଧିଷ୍ଣୁ ଏହି ମାନବିକ ବିକୃତି ନିମନ୍ତେ ଗଣମାଧ୍ୟମକୁ, ବିଶେଷ କରି ଦୃଶ୍ୟମାଧ୍ୟମକୁ [ସିନେମା, ଟିଭି] ମଧ୍ୟ ଅନେକାଂଶରେ ଦାୟୀ କରାଯାଉଛି । ଯଦିଓ ସାଂସ୍କୃତିକ ତାରତମ୍ୟ ଥାଇ ମଧ୍ୟ ଭିନ୍ନ ଭାଷାର ଚଳଚ୍ଚିତ୍ରରେ ପ୍ରେମକୁ ଅଧିକାଂଶ ସମୟ ମହାନ୍‌ ବୋଲି ପ୍ରତିପାଦନ କରାଯାଇଛି ସ୍ଥାନ-କାଳ ନିର୍ବିଶେଷରେ ଆମ ଭୂଇଁରେ ରୋମିଓ ଜୁଲିଏଟ୍‌ ଓ ଲୈଲା ମଜନୁମାନେ ଭାରି ଜୀବନ୍ତ ଏବଂ ପବିତ୍ର ହୋଇ ରହିଛିନ୍ତି, ବର୍ତ୍ତମାନର ଚଳଚ୍ଚିତ୍ରରେ / ଟିଭି ପରଦାରେ କେତେକାଂଶରେଏହି ଦୃଶ୍ୟର ପରିବର୍ତ୍ତନ ଘଟିଛି । ଶିରା, ହାସଲ କରିବାର ମନୋବୃତ୍ତିଟା ବେଳେ ବେଳେ ଭାରି ସୁନ୍ଦର ଦିଶୁଛି; ଅନ୍ତରଙ୍ଗ ମନେ ହେଉଛି ଏବଂ ଆମ ଅଜ୍ଞାତରେ ଆମ ଭିତରକୁ ବି ଚାଲିଆସୁଛି । ଏକ ଅଦ୍ଭୁତ ଆତ୍ମବିଶ୍ଵାସରେ ଆମେ ସେଇଟିକୁ ପ୍ରମାଣ କରିଦେବା ପାଇଁ ମଧ୍ୟ ଚାହୁଁଛୁ । ତେଣୁ ଅଥେଲୋର ପ୍ରବେଶଟି ଆଦୌ ଗୋପନୀୟ ନରହି ପ୍ରକାଶ୍ୟ ହୋଇ ରହିଛି । ନାୟକ ସହିତ ଖଳନାୟକ, ଦେବତା ସହିତ ଅପଦେବତା ସମାନ ମର୍ଯ୍ୟାଦା ପାଇବା ପାଇଁ ଯେମିତି ଅପେକ୍ଷା କରି ରହିଛନ୍ତି ।

 

ପ୍ରକୃତରେ ଅଥେଲୋର ପ୍ରବେଶ କ’ଣ ଅପ୍ରତ୍ୟାଶିତ, ଆକସ୍ମିକ ? ଅଥେଲୋ ସହିତ ଆମର ପରିଚିତି କ’ଣ ମାତ୍ର କେତେ ବର୍ଷ ତଳର ? ଅଥେଲୋ କ’ଣ ପ୍ରକୃତରେ ଏକ ଭିନ୍ନ ପରିଧି‌ର ? ଅଥେଲୋର କ’ଣ ସତରେ ଆମର ସାମାଜିକ ଜୀବନର ଅପଦେବତା ? ଏବଂ ପ୍ରକୃତରେ କ’ଣ ଗଣମାଧ୍ୟମ ହିଁ ଅଥେଲୋକୁ ଆମ ଆଗରେ ଭାରି ପ୍ରାଣବନ୍ତ କରି ଉପସ୍ଥାପନ କରିଛି ? ହୁଏତ ନୁହେଁ । ଅଜସ୍ର ନାମରେ, ସ୍ୱରୂପରେ, ଅବତାରରେ ସର୍ବକାଳୀନ ହୋଇ ଅଥେଲୋ ଆରମ୍ଭରୁ ହିଁ ଆମରି ସହିତ ରହିଛି, ଆମରି ଭିତରେ ରହିଛି ।

 

ସଂସାରରେ ରୋମିଓ-ଜୁଲିଏଟ୍‌, ଲୈଲା-ମଜୁ୍‌ନ ଏବଂ ଟାଇଟାନିକ୍‌ର ନାୟକ ନାୟିକାମାନେ ମହିମାମୟ ହୋଇ ଅବଶ୍ୟ ରହିଛନ୍ତି, ମାତ୍ର ମଝିରେ ମଝିରେ ଅଥେଲୋମାନେ ଆସିଛନ୍ତି । ରୂପେଲି ଜହ୍ନରେ ଦାଗଟିଏ ବରାବର ରହିଛି । ତଫାତ୍‌ କେବଳ ଏତିକି ଯେ ଅଥେଲୋର ଆବିର୍ଭାବ ଅତୀତରେ କମ୍‌ ହେଉଥିବା ବେଳେ ଏବେ ସେ ପ୍ରାୟ ଏକ ସାଧାରଣ ଚରିତ୍ର ହେବାକୁ ବସିଛି । ତାର ସ୍ଵଭାବ ପରିବର୍ତ୍ତିତ ପରିସ୍ଥିତିରେ ଅଧିକ ବିଶୃଙ୍ଖଳ ହୋଇପଡ଼ିଛି । ତା’ ଭିତରେ ହାସଲ କରିବାର ମନୋବୃତ୍ତିଟା ଅଧିକ ଉଗ୍ର ହୋଇଯାଇଛି । ସିଏ ନିଶ୍ଚୟ ଅଧକ ଅଧୈର୍ଯ୍ୟ ହୋଇ ପଡ଼ୁଛି । ମନସ୍ତତ୍ତ୍ୱରେ ଅଥେଲୋର ଅବିଶ୍ଵାସର ଭୂମିକୁ ଈର୍ଷାର ପ୍ରହେଳିକା (delusion of jealousy) ବୋଲି କୁହାଯାଇଛି । ଅର୍ଥାତ, ପ୍ରମାଣ ନଥିଲେ ମଧ୍ୟ ଅଥେଲୋ ବିଶ୍ଵାସ କରେ ଯେ ତା’ପ୍ରେମିକାର / ପତ୍ନୀର ପରକୀୟା ସଂପର୍କ ରହିଛି । ସେ ବିଶ୍ୱାସଘାତ କରୁଛି-। ଏହି ଅବିଶ୍ଵାସର ଆଦୌ କୌଣସି ଆଧାର ନଥିଲେ ମଧ୍ୟ ତା’ମାନସିକତାରେ କୌଣସି ପରିବର୍ତ୍ତନ ଘଟେ ନାହିଁ, ବରଂ ସେ କ୍ରମଶଃ ହିଂସ୍ର ହୋଇ ଉଠେ । ତୁଚ୍ଛା ପ୍ରହେଳିକାରୁ ଉତ୍ପନ୍ନ ଏଇ ମାନସିକ ବିକୃତି ଏକ ଭ୍ରମାତ୍ମକ ପ୍ରହେଳିକାଗତ ବିକୃତି (Delusional disorder) ବୋଲି ବିଚାର କରାଯାଏ । ଅଧିକାଂଶ ସମୟରେ ବିକୃତିର ପୃଷ୍ଠଭୂମିରେ ଆପଣାର ସାମଗ୍ରିକ ସାମାଜିକ ଜୀବନଟି ରହିଥାଏ । ନିଜ ବାପାମା’ଙ୍କ ଦାମ୍ପତ୍ୟ ଜୀବନଠାରୁ ଆରମ୍ଭ କରି ଆମ ଚାରିପାଖରେ ହିଂସାର ସ୍ୱରୂପ ଅଥେଲୋର ବିକାଶର କାରଣ ହୁଅନ୍ତି । ତେଣୁ ଅସଲରେ ଏଇ ନକା‌ରାତ୍ମକ ବିକାଶଟି ଆମର ନିଜସ୍ଵ ପରିଧି ସହିତ ସଂପୃକ୍ତ ।

 

ଚିନ୍ତାର କାରଣ ହେଉଛି ନକାରତ୍ମାକତାର ଏଇ ଭୂମିଟି କ୍ରମଶଃ ଅଧିକ ଯୁକ୍ତିନିଷ୍ଠ ଏବଂ ବଳବତୀ ହୋଇ ଉଠୁଛି । ଏଇଟି ପ୍ରକାରାନ୍ତରେ ଆମରି ସାମାଜିକ ଅବକ୍ଷୟର ଚିତ୍ର । ଏକ ଉପଭୋକ୍ତାସର୍ବସ୍ଵ ସମାଜରେ ମୂଲ୍ୟବୋଧର ଦୃତ ଅବକ୍ଷୟ ହେଉଛି ଏବଂ ସବୁକିଛି ସୁପରବଜାରର ଶୀତତାପ ନିୟନ୍ତ୍ରିତ କରିଡର୍‌ରେ ପଣ୍ୟ ସାମଗ୍ରୀ ପରି ଦେଖାଯାଉଛି । ଭଲ ପାଇବାଟିକୁ ଏକ ଦାମୀ କାର୍‌ ପରି କିଣି ହେବ, ଅପଣାର ଖାସ୍‌ ସାମଗ୍ରୀଟିଏ ପରି ତା’ର ବିଶେଷ ଯତ୍ନ ନେଇ ହେବ, ତାକୁ ସଜେଇ ହେବ, ସେଇଟି ଏକାନ୍ତ ବ୍ୟକ୍ତିଗତ ହୋଇ ରହିବ ଏବଂ ସେଇଟିକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ, ଏମିତି ଏକ ମନୋବୃତ୍ତି ଆମ ଭିତରକୁ ଆସିଯାଇଛି ।

 

ଏଇ ଅବସ୍ଥାଟି ବୋଧହୁଏ ଆହୁରି ଅନେକ ଦିନ ବଳବତ୍ତର ରହିବ । ବ୍ୟକ୍ତିବାଦ ଏବଂ ଉପଭୋକ୍ତାବାଦର କାନ୍ଥଗୁଡାକ କଂକ୍ରିଟ୍‌ କାନ୍ଥପରି ଭାରି ଶକ୍ତ ହୋଇ ଆମ ଚାରିପାଖରେ ଠିଆ ହୋଇଛନ୍ତି । ସେଇ ନିବୁଜ କାନ୍ଥଗୁଡ଼ାକ ଭିତରେ ଅଥେଲୋ ଭାର ନିଃସଙ୍ଗ ଏବଂ ଅଧିକ ହିଂସ୍ର ହୋଇ ରହିଛି ।

 

ଏତେ ପ୍ରବଚନ ଦିଆଚାଲିଛି । ଏତେ ପ୍ରକାର ପାଠ ପଢ଼ାହେଉଛି । ଏତେ ଲୋକ ଅଛନ୍ତି, ଅଥଚ କେହି ଅଥେଲୋକୁ କହୁନାହାନ୍ତି ଯେ ଏଇ କଂକ୍ରିଟ୍‌ କାନ୍ତଗୁଡାକ ବାହାରେ ବି ଭାରି ସୁନ୍ଦର ପୃଥିବୀଟିଏ ରହିଛି; ସୁପରବଜାରର ସୋକେସ୍‌ ବାହାରେ ଭାରି ମୁକ୍ତ ହୋଇ ରଂଗୀନ୍‌ ପ୍ରଜାପତିସବୁ ଉଡୁଛନ୍ତି ଆକାଶରେ ଦାଦଲ ସୂର୍ଯ୍ୟ ସହ ଲୁଚକାଳି ଖେଳୁଛି ଏଦଂ ଦୂର ଦିଗ୍‌ଦଳୟ ପାଖରେ ସେଇ ଏକାଏକା ଗଛଟି ଏବେ ବି ସୂର୍ଯ୍ୟାସ୍ତ ବେଳେ ଚମତ୍କାର ଦିଶୁଛି । ଏତେ ବଡ଼ ପୃଥିବୀରେ କେହି ସଂପୂର୍ଣ୍ଣ ଏକାଏକା ବୋଲି ଦାଦୀ କରିପାରିବେ ନାହିଁ ! ଏକଥାଟି କେହି କାହାକୁ କହୁନାହାନ୍ତି ଯେ ସାରା ସଂସାରଟି କେବଳ ବିଶ୍ୱାସରେ ହିଁ ଚାଲିଛି । ସମସ୍ତେ ପ୍ରେମରେ ବନ୍ଧା ପଢ଼ିଛନ୍ତି ଅଥଚ ସେଇ ବନ୍ଧନ ଭିତରେ ଭାରି ମୁକ୍ତ ହୋଇ ରହିଛନ୍ତି । ଏକଥା କେହି କାହାକୁ କହୁନାହାନ୍ତି ଯେ ସବୁ ପ୍ରଜାପତିମାନଙ୍କୁ ଗୋଲାମ କରାଯାଇପାରିବ ନାହିଁ । ସେମାନଙ୍କୁ ଚେଙ୍କ ଦେବା ମଧ୍ୟ ଏକ ଗର୍ହିତ ଅପରାଧ ! କେହି ଏକଥା ମଧ୍ୟ କହୁନାହାନ୍ତି ଯେ, ସବୁକିଛକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଉଭୟ ପୋଷିବା ଏବଂ ପୋଷା ମାନିବା ପ୍ରେମର ଭାଷା–ପ୍ରତିହିଂସାର ଭାଷା ନୁହେଁ । ଏସବୁ କେହି କାହାକୁ କହୁନାହାନ୍ତି ଯେ ପ୍ରତାରଣାଟି ଜୀବନର ଏକ ପ୍ରତିବନ୍ଧ ଅବଶ୍ୟ ହୋଇପାରେ, ମାତ୍ର ଏହା ହିଁ ଅନ୍ତିମ ସତ୍ୟ ନୁହେଁ । ଆମକୁ ପ୍ରତିବନ୍ଧକୁ ଆପଣାର ଏକ ଅଂଶ ହୋଇ ମଧ୍ୟ ରହିପାରେ, ମାତ୍ର ସିଏ ଆପଣାର ପରିଧି ଭିତରେ ହିଁ ସୀମିତ ରହିବ, ଆଉ କାହାକୁ ଗ୍ରାସ କରିବାର ଅପେକ୍ଷା ରଖିବ ନାହିଁ ।

 

ଅତଏବ ଅଥେଲୋକୁ ଲାଜ୍‌ପତ୍ ନଗର ଥାନାରେ କଦାପି ଶାସ୍ତି ଦେଇ ହେବା ନାହିଁ ।

 

(ଜୁଲାଇ ୨୦୦୪ରେ ଦିଲ୍ନୀରେ ପ୍ରେମଜନିତ ହତ୍ୟାର ଏହି ଦୁଇଟି ଘଟଣା ବେଶ୍‌ କେତେଦିନ ଧରି ଚର୍ଚ୍ଚାରେ ଥିଲା)

Image

 

Unknown

ଆମ ଅମଲାତନ୍ତ୍ର

 

ମୋର ଜଣେ ବନ୍ଧୁ ଭଲ ଲେଖାଲେଖି କରନ୍ତି । ବୃତ୍ତିରେ ସେ ସାମ୍ବାଦିକ । ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଏ । କେତେଥର ମୁଁ ଲକ୍ଷ୍ୟ କଲି ଯେ ବନ୍ଧୁ ଜଣକ ଯେ କୌଣସି ପ୍ରସଙ୍ଗ ଉପରେ ଲେଖାଟିଏ ଲେଖିଲେ ସେଥିରେ ଗୋଟିଏ କଥା ଅରଣା ମଇଁଷି ପରି ଜବରଦସ୍ତ ପଶି ଆସୁଛି । ସେଇଟି ହେଉଛି ଅମଲାତନ୍ତ୍ର । ଯେହେତୁ ମୁଁ ବନ୍ଧୁଙ୍କ ଲେଖା ଆଗରୁ ପଡ଼ିଛି, ଏଇ ପ୍ରକାର ଅଚାନକ ଆକ୍ରମଣ ଟିକିଏ ଅସ୍ୱାଭାବିକ ମନେହେଲା । ମୂଳ ପ୍ରସଙ୍ଗ ଯାହା ହୋଇଥାଉନା କାହିଁକି ସେଥିରେ ହଠାତ୍ ଅମଲାତନ୍ତ୍ର କଥାଟି ଆଲୋଚିତ ହେଉଥଲା । ଲେଖକ ଜଣକ ଅନ୍ତତଃ ତାଙ୍କ ଲେଖାରେ ଠାଏ ଅମଲାତନ୍ତ୍ର ଉପରେ ପ୍ରବଳ ବିଷୋଦ୍‌ଗାର କରି ପୁଣି ମୂଳ ପ୍ରସଙ୍ଗ ପାଖକୁ ଲେଉଟି ଯାଉଥିଲେ । ବନ୍ଧୁଙ୍କୁ ମୁଁ ପଚାରିଲି, ‘ହଠାତ୍ କ’ଣ ପାଇଁ ଅମଲାତନ୍ତ୍ର ଉପରେ ଏଇ ଆକସ୍ମିକ ଆକ୍ରମଣ ?’’ ବନ୍ଧୁ ଟିକିଏ ହସିଲେ ଓ କହିଲେ, ‘ଏଇ ଅଳ୍ପଦିନ ଭିତରେ ଅମଲାତନ୍ତ୍ର ହଠାତ୍ ବଦଳି ଯାଇନାହିଁ ବା ସେମିତି କିଛି ଅବଶ୍ୟ ସୃଷ୍ଟି ହୋଇନାହିଁ, ମାତ୍ର ହଠାତ୍ ଆବିଷ୍କାର କରାଯାଇଛି ଯେ ଏ ରାଜ୍ୟର ଅର୍ଥନୈତିକ ଦୁର୍ଗତି ତଥା ସାମଗ୍ରିକ ଅବନତି ପାଇଁ ଅମଲାତନ୍ତ୍ର ହିଁ ଦାୟୀ । ତେଣୁ..‘ ମୁଁ ପୁଣି ପଚାରିଲି, ‘ଆଛା ଆମ ନେତୃତ୍ଵ ? ବିଭିନ୍ନ ସମୟରେ ରାଜ୍ୟର ନେତୃତ୍ୱ କ’ଣ ଆମର ଏଇ ଦୁର୍ଗତି ପାଇଁ ଦାୟୀ ନୁହନ୍ତି ? ବନ୍ଧୁ ଉତ୍ତର ଦେଲେ, ‘ନେତୃତ୍ୱକୁ ଦାୟୀ କରିବା ପାଇଁ ଯଥେଷ୍ଟ କାରଣ ନାହିଁ । ପୁଣି ନେତୃତ୍ଵ ସପକ୍ଷରେ ଯୁକ୍ତି କରିବା ଥରେଥରେ ମୋର ବୃତ୍ତିଗତ ଆବଶ୍ୟକତା ହୋଇ ମଧ୍ୟ ରହିଛି ।’ ଏଇ ସଂଳାପର ଅଳ୍ପ କିଛିଦିନ ପରେ ଗୋଟିଏ ଖବର କାଗଜରେ ଆଉ ଜଣେ ଲେଖକ ରାଜ୍ୟର ଅମଲାତନ୍ତ୍ର ଉପରେ ବେଶ ଲମ୍ବା ଚଉଡ଼ା ପ୍ରବନ୍ଧଟିଏ ଲେଖିଲେ । ଅମଲାତନ୍ତ୍ର ଅବିଶ୍ୱସ୍ତ, ଦୁର୍ନୀତିଗ୍ରସ୍ତ ଓ ସ୍ୱାର୍ଥପର ବୋଲି କହିଲେ । ରାଜ୍ୟର ସକଳ ବିପର୍ଯ୍ୟୟ ଓ ଦୁର୍ଭାଗ୍ୟ ପାଇଁ ଅମଲାତନ୍ତ୍ରକୁ ଦାୟୀ କଲେ । ସେଇ ପ୍ରବନ୍ଧରେ ସେ ନେତୃତ୍ୱର ଭୂୟସୀ ପ୍ରଶଂସା ମଧ୍ୟ କଲେ । କୁଆଡ଼େ ସବୁ ସମୟରେ ରାଜନୈତିକ ଆଦର୍ଶ, ଉଚ୍ଚକାଂକ୍ଷା ଓ ସ୍ଵପ୍ନ ଖାସ୍‌ଅମଲାତନ୍ତ୍ର ପାଇଁ ପ୍ରତିହତ ହୋଇ ରହିଥାଏ । ଆଉ ଜଣେ ବରିଷ୍ଠ ସ୍ତମ୍ଭକାର ରାଜ୍ୟ ଅମଲାତନ୍ତ୍ର ଆଚରଣ ନବ୍ୟ ସ୍ୱେଚ୍ଛାଚାରର ଆଖ୍ୟା ଦେଇଥିଲେ ।

 

ବିଭିନ୍ନ ସମ୍ବାଦପତ୍ରରେ, ପତ୍ର ପତ୍ରିକାରେ ଆମ ରାଜ୍ୟ ଅମଲାତନ୍ତ୍ର ବିରୁଦ୍ଧରେ ନିୟମିତ ବ୍ୟବଧାନରେ ସାଂଘାତିକ ବିଷୋଦ୍‌ଗାର କରାଯାଉଛି । ଅମଲାତନ୍ତ୍ରକୁ କେହି ମଧ୍ୟଯୁଗୀୟ ମାନସିକତାର ଅମଲାତନ୍ତ୍ର କହୁଛି ତ ଆଉ କେହି ଦୁର୍ନୀତିଗ୍ରସ୍ଥ / ଅପାରଗ / କ୍ଲୀବ / ମେରୁଦଣ୍ଡହୀନ ଆଖ୍ୟା ଦେଉଛନ୍ତି । ମୋଟାମୋଟି ରାଜ୍ୟ ଅମଲାତନ୍ତ୍ରକୁ ନକାରାତ୍ମକ ବୋଲି କୁହାଯାଉଛି । ଅବଶ୍ୟ ଆମ ରାଜ୍ୟ ଅର୍ଥନୈତିକ କାରଣରୁ କେତେ ଦିନ ଧରି ବେଶ୍‌ଚର୍ଚ୍ଚିତ ହୋଇ ରହିଛି । ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କ ତୁଳନାରେ ଆମ ରାଜ୍ୟଟି କ୍ରମଶଃ ତଳକୁ ତଳ ଯାଉଛି । ରଣଭାର ଅସମ୍ଭବ ଭାବେ ବୃଦ୍ଧି ପାଇଛି । ତା’ ସହିତ ତାଳଦେଇ ବଢ଼ିଛି ବେକାରୀ । ଆମର ସବୁଥାଇ କିଛି ନାହିଁ ବୋଲି ହୃଦବୋଧ ହେଲାଣି କେନ୍ଦ୍ରୀୟ ଅନୁଦାନର ସମୟୋଚିତ ଓ ସଠିକ୍‌ବିନିଯୋଗ ଆମେ କରିପାରୁନାହୁଁ । ଅନୁଦାନ ଫେରିଯାଉଛି । ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ଅନ୍ୟାନ୍ୟ ପରିଯୋଜନା ଠିକ୍‌ଭାବେ ରୂପାୟନ ହୋଇପାରୁନାହିଁ । ଦୁର୍ନୀତି ସବୁ ଅନର୍ଥର ମୂଳ ଏବଂ ଅମଲାତନ୍ତ୍ର ହିଁ ସବୁ ଦୁର୍ନୀତିର ମୂଳ ବୋଲି ମନେ କରାଯାଉଛି । ଏକଥା ସଂପୂର୍ଣ୍ଣ ଅମୂଳକ ବୋଲି କହିବାର ଧୃଷ୍ଟତା ଏଇ ପ୍ରାବନ୍ଧିକ କରୁନାହାନ୍ତି, କାରଣ ଅମଲାତନ୍ତ୍ର ଯଥେଷ୍ଟ ଉତ୍ତରଦାୟିତ୍ୱ ରହିଛି । ଶାସନତନ୍ତ୍ରର ଏକ ଗୁରୁତ୍ୱପୂଣ୍ଣ ଅଂଶ ଭାବେ ରାଜ୍ୟର ସାମଗ୍ରିକ ଉନ୍ନତି ବା ଅଧୋଗତି ପାଇଁ ଅମଲାତନ୍ତ୍ରକୁ ଦାୟୀ କରାଯାଇପାରିବ । ଅନ୍ୟ ଅର୍ଥରେ, ରାଜ୍ୟର ସଂଚାଳନ ଅମଲାତନ୍ତ୍ର ଉପରେ ନିର୍ଭରଶୀଳ । ସେଇ ଦୃଷ୍ଟିରୁ ଆମର ସାଂପ୍ରତିକ ଦୂରାବସ୍ଥା ପାଇଁ ଅମଲାତନ୍ତ୍ର କେତେକାଂଶରେ ଦାୟୀ, ମାତ୍ର ରାଜ୍ୟର ସକଳ ଅଧୋଗତି ପାଇଁ ଅମଲାତନ୍ତ୍ର କେବଳ ଦାୟୀ, ଏଇଟି ଠିକ୍‌ନୁହେଁ । ସେହିପରି ସବୁ ସମୟରେ ନେତୃତ୍ଵ ହିଁ କେବଳ ସକାରାତ୍ମକ ଏବଂ ଏକା ଅମଲାତନ୍ତ୍ର ନକାରାତ୍ମକ ଏମିତି ମଧ୍ୟ କୁହାଯାଇପାରିବ ନାହିଁ । ଏକଥା ମଧ୍ୟ ଠିକ୍ ନୁହେଁ ଯେ, କେବଳ ନେତୃତ୍ଵ ରାଜ୍ୟର ଉନ୍ନତି ପାଇଁ ସ୍ଵପ୍ନ ଦେଖିଥାନ୍ତି ଓ ଅମଲାତନ୍ତ୍ର ବରାବର ସ୍ଵପ୍ନଭଙ୍ଗ କରୁଥାଏ ।

 

ଏବେ ଆଲୋଚନାକୁ ବିସ୍ତାରେ ଆସିବା । ଅସଲ କଥାଟି ହେଉଛି ସ୍ଵପ୍ନ ଦେଖିବାର ଭାଗ୍ୟଟି ଆମ ରାଜ୍ୟରେ ହାତଗଣତି କେତେଜଣଙ୍କର ଅଧିକାର ହୋଇ ରହିଛି । ଅମଲାତନ୍ତ୍ର କତିପୟ ତଥାକଥିତ ଉନ୍ନତ ମସ୍ତିଷ୍କ କୁ ବାଦଦେଲେ (Think Tank) ଏକ ବୃହତ୍‌ଅଂଶ ପାଇଁ ସ୍ଵପ୍ନ ଦେଖିବା ମନା ହୋଇଛି । ସେମାନଙ୍କ ସ୍ଵପ୍ନ ହୁଏତ ସେମାନଙ୍କ ପାଇଁ ଅଭିଶାପ ହୋଇ ରହିଛି-। ସେମାନଙ୍କ ପ୍ରଶ୍ନ ପଚାରିବା ପାଇଁ ଆରମ୍ଭରୁ ମନା କରାଯାଇଛି । ଆମ ନେତୃତ୍ୱ (ସବୁ ସମୟରେ ଏହା ହିଁ ସତ୍ୟ) ଏବଂ ଏଇ ସ୍ଵତନ୍ତ୍ର ବର୍ଗର ଅମଲାମାନଙ୍କୁ ବାଦ୍‌ଦେଲେ ଅବଶିଷ୍ଟ ଅମଲାତନ୍ତ୍ର (ସିଂହଭାଗ) କେବଳ ହୁକୁମ ତାମିଲ୍‌କରିବା ପାଇଁ ଉଦ୍ଦିଷ୍ଟ ହୋଇ ରହିଛନ୍ତି । ବିଭିନ୍ନ ସମୟରେ, ବିଭିନ୍ନ ବିଭାଗରେ, ବିଭିନ୍ନ ସ୍ତରରେ ଏହା ହିଁ ରାଜ୍ୟ ଅମଲାତନ୍ତ୍ରର ସ୍ୱରୂପ । ଅନ୍ଧଭାବରେ ଆଜ୍ଞାଧୀନ, ବିଶ୍ଵସ୍ତ ସ୍ଵରୂପ । ଅନୁଗତ ସ୍ୱରୂପ । ଏଇ ଆନୁଗତ୍ୟ ଆମ ରାଜ୍ୟର ବୃହତ୍ତର ସ୍ଵାର୍ଥ ପ୍ରତି ଆନୁଗତ୍ୟ ନୁହେଁ । ନିମବର୍ଗର ଆନୁଗତ୍ୟ ଅପେକ୍ଷାକୃତ ଉଚ୍ଚ ବର୍ଗ ପ୍ରତି ଓ ଉଚ୍ଚବର୍ଗ ଅମଲାତନ୍ତ୍ରର ରାଜନୈତିକ ନେତୃତ୍ଵ ପ୍ରତି ଆନୁଗତ୍ୟ । ସ୍ଵାଭାବିକ, ଏଇ ପୃଷ୍ଠଭୂମିରେ ଅମଲାତନ୍ତ୍ର ଦୀର୍ଘଦିନ ଧରି ଭାରି ନକାରାତ୍ମକ ହୋଇ ପ୍ରତୀୟ ହୋଇଛି । ସୃଜନଶୀଳତା ଅମଲାତନ୍ତ୍ର ଭିତରେ ପ୍ରାୟ ଲୋପ ପାଇବା ପାଇଁ ବସିଛି । ଯେଉଁମାନେ ଏଇ ଅସଂଗତ ସମୟରେ ଆପଣା ଭିତରୁ ଏକ ଆହ୍ଵାନ ଶୁଣିପାରୁଛନ୍ତି ଏବଂ ପୃଥକ୍‌ହେବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଶାସନତନ୍ତ୍ର ଦଣ୍ଡ ଦେଉଛି, କଠୋର ଦଣ୍ଡ ଦେଉଛି । ସ୍ଵପ୍ନ ଆଉଥରେ ନଦେଖିବା ପାଇଁ ସତର୍କ କରାଇ ଦେଉଛି । ସେମାନେ କକ୍ଷଚ୍ୟୁତ ହୋଇ ବରାବର ବୁଲୁଛନ୍ତି । ସରକାରଙ୍କ ବଦଳନୀତି ଅବଶ୍ୟ ତା’ ବାଟରେ ରହିଛି ।

 

ଏଇ ସଂସାରରେ ସ୍ୱପ୍ନ ସୃଷ୍ଟିର ଆରମ୍ଭରୁ ଭାରି ପ୍ରାକୃତିକ ହୋଇ ତିଷ୍ଠି ରହିଛି । ସୃଜନଶୀଳ ଅସ୍ତିତ୍ଵର ଏକ ଅଂଶ ହୋଇ ମଧ୍ୟ ରହିଛି । ସୃଜନଶୀଳତା ଓ ମୁକ୍ତ ବିଚାରକୁ ଶିକୁଳି ଦେଇ କୌଣସି ସମୟରେ, କୌଣସି ସ୍ଥାନରେ ଉନ୍ନତି ସମ୍ଭବ ହୋଇନାହିଁ । ଯେଉଁଠି ଓ ଯେତେବେଳେ ସ୍ଵପ୍ନ ଓ ସୃଜନଶୀଳତା ଉପରେ କର୍ଫ୍ୟୁ ଜାରି ହୋଇଛି ସେଇଠି ଓ ସେତିକିବେଳେ ପ୍ରଳୟ ଅବଶ୍ୟ ଆସିଛି । ଆମ ରାଜ୍ୟରେ ମଧ୍ୟ ଅମଲାତନ୍ତ୍ର ସ୍ଵପ୍ନ ଉପରେ ଦୀର୍ଘଦିନରୁ ଅଙ୍କୁଶ ଲାଗିଛି । ସୃଜନଶୀଳତାକୁ ଏଠି ପାପ / ଗର୍ହିତ ଅପରାଧ ମନେକରାଯାଉଛି । ସୃଜନଶୀଳତା, ପ୍ରଶାସନିକ ସଂସ୍କାରର ଚିନ୍ତା ଏଇ ରାଜ୍ୟର ମୁଷ୍ଚିମେୟଙ୍କର ପୈତୃକ ସଂପତ୍ତି ହୋଇ ରହିଛି, ଯେଉଁମାନେ ଉତ୍ତମ ଶାସନ କହିଲେ ମଧ୍ୟଯୁଗୀୟ ଅନୁଶାସନ ହିଁ ବୁଝନ୍ତି । ଏମାନେ ଆପଣାକୁ ଅତ୍ୟନ୍ତ ଜ୍ଞାନୀ ମନେକରନ୍ତି । ଯଦିଓ ଏମାନେ କଥା କଥାରେ ପିଟର୍‌ଡ୍ରକର୍‌ଙ୍କ କଥା କହନ୍ତି ଅସଲରେ ଏମାନେ କିନ୍ତୁ କନିଷ୍ଠମାନଙ୍କୁ ଅନୁଜ ମଣନ୍ତି ନାହିଁ । ସହକର୍ମୀ ମଣନ୍ତି ନାହିଁ, ଅଧସ୍ତନ ମଣନ୍ତି । ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣିକୁ ଏମାନେ ମୋଗଲ ଦରବାର ଷ୍ଟାଇଲରେ କରନ୍ତି-। ଏମାନେ କାହାର ପ୍ରେରଣା ହୋଇପାରନ୍ତି ନାହିଁ, କେବଳ ଭୟ ସଂଚାର କରନ୍ତି । ଭୟରୁ ଭକ୍ତିଜାତ ହୁଏ ବୋଲି ବିଚାରନ୍ତି ।

 

ସ୍ୱାଧୀନତା ଓଡ଼ିଶାରେ ଯଥାର୍ଥରେ ମୁକ୍ତ ଓ ନିର୍ଭୀକ ପ୍ରଶାସକ ଅମଲାତନ୍ତ୍ରରେ କମ୍ ଅବତାର ନେଇଛନ୍ତି । ଅଥଚ, ଯେଉଁମାନେ ଏକ ପରିବର୍ତ୍ତନର ପ୍ରୟାସ କରିଛନ୍ତି ସେମାନଙ୍କ ସ୍ମୃତି ଏବେ ମଧ୍ୟ ଅମ୍ଲାନ ହୋଇ ରହିଛି । ଏବେ ମଧ୍ୟ ଏମିତି କିଛି ଅଛନ୍ତି ଯେଉଁମାନେ ସକଳ ଝଡ଼ଝଞ୍ଝା ଭିତରେ କ୍ଷତାକ୍ତ ହୋଇ ରହିଛନ୍ତି । ତଥାପି ସ୍ୱପ୍ନ ଦେଖୁଛନ୍ତି । ସେଇମାନେ ହିଁ ଏକ ପ୍ରଶାସନିକ ସଂସ୍କାର ଆଣିବାର ସାମର୍ଥ୍ୟ ରଖନ୍ତି । ମାତ୍ର ପରିବର୍ତ୍ତିତ ପରିସ୍ଥିତି‌ରେ ସେମାନଙ୍କ ସଂଖ୍ୟାର ଦୃତ ଅବନତି ଘଟୁଛି । ଏଥର ଆଉ ଟିକେ ବିସ୍ତାରରେ ଅମଲାତନ୍ତ୍ର କଥା କହିବା ।

‘ସୋଲେ’ ଚଳଚ୍ଚିତ୍ରରେ ଆସରାନୀ ନିଜକୁ ଇଂରେଜ ଅମଳର ଜେଲର ବୋଲି ମଝିରେ ମଝିରେ କହୁଥିଲେ । ଏକ ହାସ୍ୟରସାତ୍ମକ ଭୂମିକାରେ ଆସରାନୀ ଅବଶ୍ୟ ସେମିତି କହିଥିଲେ, ମାତ୍ର ଆମ (ରାଜ୍ୟ) ଅମଲାତନ୍ତ୍ରର ଗୋଟିଏ ବର୍ଗ ପାଇଁ ଏଇ କଥାଟି ଭାରି ପ୍ରାସଙ୍ଗିକ ହୋଇ ରହିଛି । ଆମର ଦୁର୍ଭାଗ୍ୟ, ଏମିତି ଅମଲାମାନେ ଆମ ଭିତରେ ଅଛନ୍ତି । ସେମାନଙ୍କ ପାଇଁ ସମୟ ସ୍ଥିର ହୋଇ ରହିଛି । ସେମାନେ ଏକ କଳଙ୍କିତ ଇତିହାସର ଉତ୍ତରାଧିକାରୀ ହେବା ପାଇଁ ପସନ୍ଦ କରନ୍ତି । ଏମାନଙ୍କ ପାଖରେ ସରକାରୀ ନଥିଗୁଡ଼ିକର ଗତି ଏଇ ଇ-ଗଭର୍ଣ୍ଣାସ୍‌ଯୁଗରେ ମଧ୍ୟ ଭାରି କାଇଦାରେ ହେଉଛି । ରେକର୍ଡ ମାନୁଆଲଟାକୁ (ଅନ୍ୟାନ୍ୟ ସରକାରୀ ନୀତିନିୟମ ମଧ୍ୟ) ଭଗବତ୍‌ଗୀତା ପରି ଏମାନେ କଣ୍ଠସ୍ଥ କରି ରଖିଛନ୍ତି ଓ ସାଧାରଣ ଲୋକଙ୍କ ଭାଗ୍ୟକୁ ସେମାନେ ବରାବର ମାନ୍ଧାତା ଅମଳର ସାଲୁକନାରେ ସାଇତିକରି ବାନ୍ଧି ରଖିଛନ୍ତି । ସେମାନେ ଶାସନକୁ ନୁହେଁ, ସାଲୁକନା ଶିଳ୍ପକୁ ଅବଶ୍ୟ ସମୃଦ୍ଧ କରୁଛନ୍ତି । କୁଆଡ଼େ ଉଚିତ ମାର୍ଗରେ, ଉଚିତ ନିୟମ ଅନୁଯାୟୀ ଏବଂ ଉଚିତ ସମୟରେ ଏମାନେ ଉଚିତ ସରକାରୀ କାର୍ଯ୍ୟ କରନ୍ତି । ସମ୍ବେଦନଶୀଳତା ଏମାନଙ୍କ ପାଇଁ ଏକ ଅନାବଶ୍ୟକ ଶବ୍ଦ । ଏମାନେ ହୁକୁମ ଦିଅନ୍ତି, ପ୍ରଶ୍ନ ପଚାରିବାର ସୁଯୋଗ ଦିଅନ୍ତି ନାହିଁ, ରେମିଂଟନ୍ ଟାଇପ୍‌ରାଇଟର ବ୍ୟତୀତ କମ୍ପ୍ୟୁଟର କଥା ଉଠିଲେ ବିରକ୍ତ ହୋଇଯା’ନ୍ତି । ଏମାନେ ଅସହିଷ୍ଣୁ ଓ ନୂତନତ୍ୱର ଶତ୍ରୁ । ଆପଣାର ପରିଧି ଭିତରେ ଏକଦମ୍‌ନିବୁଜ ହୋଇ ରହିଥିବା ଏଇ ପୁରାତନ ପ୍ରସ୍ତରଯୁଗୀୟ ଅମଲାମାନଙ୍କୁ ଶାସନତନ୍ତ୍ରରୁ ବିଦାୟ ନେବାର ସମୟ ଚାଲିଆସିଛି । ସବୁ ବିଭାଗରେ ଏମାନଙ୍କୁ ଠାବ କରାଯାଉ ଓ ଯଦି ସଦ୍‌ବୁଦ୍ଧି (ତାଲିମ) ଦେବା ସମ୍ଭବ ହୋଇନପାରୁଛି ସେମାନଙ୍କୁ ଅବସର ଦିଆଯାଉ ।

ଅମଲାତନ୍ତ୍ରରେ ଆଉଦଳେ ଅଛନ୍ତି । ସେମାନେ ଧର୍ମବକ ପରି । ହଲିଲା ପାଣିକୁ ମୋଟେ ଗୋଡ଼ ବଢ଼ାନ୍ତି ନାହିଁ । ସବୁ ସ୍ତରରେ ଏଇମାନେ ଅଛନ୍ତି ଓ ଜୀବନସାରା ଛଳନାର ଅନ୍ୟନାମ ହୋଇ ରହିଛନ୍ତି । ଅଧସ୍ତନମାନଙ୍କ ନିକଟରେ ଏମାନେ ଆଦର୍ଶ ହୋଇ ରହିଥା’ନ୍ତି । ସର୍ବଦା ନୀତିର କଥା କହନ୍ତି, କୁଶଳ ଜିଜ୍ଞାସା କରନ୍ତି, ଦୁର୍ନୀତି କଥା ଉଠିଲେ ଲୁଗାପଟା ଫୋପାଡ଼ି ଦେଇ ଡେଇଁ ପଡ଼ନ୍ତି । ରାମରାମ କହନ୍ତି । ମାତ୍ର ଅନ୍ତଃକରଣରେ ଯାବତୀୟ ଆମିଷ କାମନା ଏମାନଙ୍କର ଥାଏ । ଏମାନଙ୍କ ଭିତରୁ କେତେକ ସୁଯୋଗ ଅଭାବରୁ ନୀତି ସାଙ୍ଗରେ ସଙ୍ଗାତ ହୋଇଥା’ନ୍ତି ଓ ସୁଯୋଗ ମିଳିବା ମାତ୍ରକେ ନୀତିକୁ ତତ୍‌କ୍ଷଣାତ ତଣ୍ଟିଚିପି ହତ୍ୟା କରନ୍ତି । ଆଉ କେତେକ କୌଣସି ନା କୌଣସି କାରଣରୁ (ବୋଧହୁଏ ଏମାନେ ଉଭୟ ଶାରୀରିକ ତଥା ମାନସିକ ଭାବେ ଦୁର୍ବଳ) ଆମିଷଠାରୁ (ଅନୀତିଠାରୁ) ଦୂରରେ ଥା’ନ୍ତି । ଆପଣା ଅଭ୍ୟନ୍ତରରେ ଅସଲ ନିବୃତ୍ତିର ଦୀପ ଶିଖାଟିଏ ନ ଜଳାଇ ଏକଦମ୍‌ଅନ୍ଧାରରେ ଥାଇ ଏଇ ଦଳଟି ନିଜ ଚାରିପାଖକୁ ସଂସ୍କାର କରିବା ପାଇଁ ବାହାରି ପଡ଼ନ୍ତି । ଏଇ ଦଳଟି ନିୟମିତ ବିଭିନ୍ନ ସଭାସମିତିକୁ ଯା’ନ୍ତି, ଧର୍ମସଭାକୁ ଯା’ନ୍ତି, ମଠ-ମନ୍ଦିରକୁ ଯା’ନ୍ତି, (ଥରେଥରେ ସାହିତ୍ୟ ସଭାକୁ ମଧ୍ୟ) ଅନର୍ଗଳ ଭାଷଣ ଦିଅନ୍ତି, ଦୀକ୍ଷା ନିଅନ୍ତି ଓ ଦୀକ୍ଷିତ କରାନ୍ତି । ଏମାନେ ଭିନ୍ନ ସମୟରେ ସେଇ ଏକା ପ୍ରସଙ୍ଗରେ ଭିନ୍ନ କଥା କହନ୍ତି । ଅରଓ୍ୱଲ୍‌ଙ୍କ ଡବଲ୍‌ଟକ୍ । ଭୁଲ୍‌ହେବାର ଦେଖିଲେ ଏମାନେ ବଡ଼ ପାଟିରେ ଭୁଲ୍‌ବୋଲି କହିପାରନ୍ତି ନାହିଁ । କାହାକୁ ପ୍ରକାଶ୍ୟରେ ଭଲ ବୋଲି ମଧ୍ୟ କହିବାର ସତ୍ ସାହସ ଏମାନଙ୍କର ନଥାଏ । ଆପଣାର ଫରୁଆ ଭିତରେ ଏମାନେ ଆରାମରେ ରହି ଗୁଣୁଗୁଣୁ ହେଉଥା’ନ୍ତି ଓ ମନେକରନ୍ତି ଏଇ ଗୁଞ୍ଜନ ଯେମିତି ସାରା ସଂସାରକୁ ସଂଚରି ଯାଉଛି । ସବୁବର୍ଗରେ ଏଇ ଅମଲାମାନେ ଅଛନ୍ତି । ବ୍ୟକ୍ତିଗତ ଭାବେ ଏମାନେ ଏତେ ଦୁର୍ନୀତିଗ୍ରସ୍ତ ନ ହେଲେ ବି ନିଜ ଚାରିପାଖରେ ଦୁର୍ନୀତିକୁ ବିରୋଧ କରିବା ଏମାନଙ୍କ ଦ୍ଵାରା ସମ୍ଭବ ହୋଇନଥାଏ । ଏମାନେ ସୀମିତ ପରିଧିର କଥା କହନ୍ତି । ସ୍ଥିତାବସ୍ଥା ବଜାୟ ରଖିବା ଏମାନଙ୍କର ଦର୍ଶନ । ଭୁଲ୍‌କ୍ରମେ ସର୍ବତ୍ର ଏଇ ଦଳଟିକୁ ଲୋକେ ଭଦ୍ରଲୋକ କହିଥା’ନ୍ତି । ପ୍ରଗତିର ଧାର ଧାରୁ ନଥିବା ଏଇ ବର୍ଗଟି ଅମଲାତନ୍ତ୍ରର ଏକ ମାରାତ୍ମକ ଅଂଶ ।

ଆଉ ଦଳେ ଅଛନ୍ତି । ସେମାନେ ସ୍ରୋତର ବିପରୀତକୁ ମୋଟେ ସ୍ଵୀକାର କରନ୍ତି ନାହିଁ । ପରିବର୍ତ୍ତନଶୀଳ ନେତୃତ୍ଵ ସହିତ ତାଳ ଦେଇ, ସମାନ୍ତରାଳ ହୋଇ ଏମାନେ ବାରମ୍ବାର, ଅଜସ୍ରବାର ରଙ୍ଗ ବଦଳେଇବାରେ ନିପୁଣ । ଦୈତନଗରୀରେ, ଜିଲ୍ଲା ସଦର ମହକୁମା ଏବଂ ଅନ୍ୟାନ୍ୟ ସ୍ତରରେ ଭାରି ଗୁରୁତ୍ଵପୂର୍ଣ୍ଣ ପଦବୀମାନ ଏମାନେ ସମଗ୍ର ଚାକିରୀ ଜୀବନ ଦୀର୍ଘସୂତ୍ରୀ ଲିଜ୍‌ରେ ପାଇଥା’ନ୍ତି । ସେମାନେ ଚିରହରିତ୍ ହୋଇ ଆତଯାତ ହୁଅନ୍ତି । ପଙ୍କ ଭିତରେ ଗୋଟାପଣେ ବୁଡ଼ିରହି ବି ପଦାକୁ ଚକଚକ ଓ ପବିତ୍ର ମନେହୁଅନ୍ତି । ନେତୃତ୍ଵ ଏମାନଙ୍କ ସକଳ ଅପକର୍ମକୁ ଘଣ୍ଟ ଘୋଡ଼େଇ ରଖିଥାଏ-। ଏମାନେ ସଂଖ୍ୟାରେ ବିଶ୍ଵାସ କରନ୍ତି । ରିପୋର୍ଟ-ରିଟର୍ଣ୍ଣରେ ବିଶ୍ଵାସ କରନ୍ତି । ସୃଜନଶୀଳତା ଏମାନଙ୍କର ଚିର ଶତ୍ରୁ । ରାଜନୈତିକ ଆଦର୍ଶ ଓ ମୂଲ୍ୟବୋଧକୁ ଏମାନେ ଗୁରୁଜ୍ଞାନ କରନ୍ତି ଓ ସେଇ ନିର୍ଦ୍ଧିଷ୍ଟ ଆଦର୍ଶଟିକୁ ସାକାର କରିବା ପାଇଁ ଚେଷ୍ଚିତ ଥା’ନ୍ତି । ପ୍ରକାରଭେଦରେ ଏଇ ଜାତିର ଅମଲାମାନଙ୍କର ଆଉ ଗୋଟିଏ ଉପଜାତି ରହିଛି । ଏଇ ଉପଜାତିଟି ଏକ ନିଦ୍ଧିଷ୍ଟ ରାଜନୈତିକ ଦଳ କ୍ଷମତାକୁ ଆସିଲେ ଗୁମ୍ଫାରୁ ବାହାରନ୍ତି ଓ ଶିକାର କରିବା ପାଇଁ ସକ୍ରିୟ ହୋଇପଡ଼ନ୍ତି । ଅନ୍ୟ ସମୟରେ ଏମାନେ ସୁପ୍ତ ନଚେତ ନିଷ୍କ୍ରିୟ ହୋଇ ରହିଥା’ନ୍ତି । ଉଭୟଙ୍କର କାମ କରିବା ପ୍ରଣାଳୀ (Modus Operandi) ପ୍ରାୟ ଏକାପରି । ଏମାନେ ଅମାନିଆଁ ଅଧସ୍ତନମାନଙ୍କୁ ତାଗିଦ୍‌କରନ୍ତି, ଘୃଣା କରନ୍ତି । ସୁଯୋଗ ପାଇବା ମାତ୍ରେ ସେମାନଙ୍କୁ ଅପଦସ୍ତ କରନ୍ତି, ହଇରାଣ ହର୍‌କତ୍‌କରନ୍ତି । ଛୋଟକାଟର ଦୁର୍ନୀତି ନକରି ଏମାନେ ବଡ଼ ଶିକାରର ସନ୍ଧାନରେ ଥା’ନ୍ତି । ସଚରାଚର କନିଷ୍ଠ ଯନ୍ତ୍ରୀଙ୍କୁ ପରସେଣ୍ଟେଜ୍‌ ପାଇଁ ତୀବ୍ର ଭର୍ତ୍ସନା କରୁଥିବା ଏଇ ଅମଲାମାନେ ଅନେକ ସ୍ଥାନରେ ଅନେକ ବେନାମୀ ସଂପତ୍ତି ଠୁଳ କରିଥାନ୍ତି । ଏଇମାନଙ୍କ ସରକାରୀ ଗାଡ଼ି ହିଁ ସେମାନଙ୍କ ପତ୍ନୀ ଓ ପିଲାମାନଙ୍କ କାମରେ ହିଁ ନିୟମିତ ବ୍ୟବହାର ହୁଏ । ସରକାରୀ କମ୍ପ୍ୟୁଟର / ଲାପ୍‌ଟପ୍‌ର ଏମାନଙ୍କ କଲେଜ ପଢ଼ୁଆ ପିଲାମାନେ ସଦ୍‌ବ୍ୟବହାର ଅବଶ୍ୟ କରନ୍ତି । ଚାକିରୀ ଜୀବନର ଅର୍ଦ୍ଧାଧିକ ସମୟ କଟକ-ଭୁବନେଶ୍ୱରରେ ବିତଉଥିବା ଏହି ଅମଲାମାନେ ବରିଷ୍ଠ ଅମଲା ଭାବେ ମଝିରେ ମଝିରେ ପର୍ଯ୍ୟବେକ୍ଷକ / ବିଶେଷଜ୍ଞ ଅବତାରରେ ଗ୍ରାମାଞ୍ଚକ ପରିଦର୍ଶନରେ ଯା’ନ୍ତି-। ସେଇ ଭ୍ରମଣ ସମୟରେ ସେମାନେ ମ୍ୟାନେଜ୍‌ମେଣ୍ଟ୍‌ର ଯାବତୀୟ ନୂଆ ନୂଆ ଆଇଡିଆ ଗୁଡ଼ାକୁ ଅକାତରରେ କ୍ଷେତ୍ର କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦିଅନ୍ତ: ଯବକାଚ ଧରି (ଥରେ ଥରେ ଲାପ୍‌ଟପ୍ ଧରି) ଟାର୍ଗେଟ ମୁତାବକ ସମୀକ୍ଷା କରନ୍ତି । ଉଚ୍ଚତର ନେତୃତ୍ୱର ଅତୀବ ଆଜ୍ଞାଧୀନ ତଥା ଆତ୍ମମନସ୍କ ଏଇ ଅମଲାମାନେ ପ୍ରକୃତ କାମ ଅପେକ୍ଷା ସେମାନଙ୍କର କାର୍ଯ୍ୟ କରିବାର ଶୈଳୀ, ଜୀବନଧାରଣର ଶୈଳୀ ନିମନ୍ତେ ଅଧିକ ପ୍ରସିଦ୍ଧ ହୋଇରହନ୍ତି । ବାସ୍ତବିକତାଠାରୁ ନିରାପଦ ଦୂରତ୍ଵ ରଖୁଥିବା ଏଇ ଅମଲାମାନେ ଆମର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥାନ୍ତି । ନେତୃତ୍ଵ ସହିତ ଏମାନଙ୍କର ଗଣ୍ଠିଟି ଏତେ ଶକ୍ତ ଯେ ଏମାନଙ୍କ କ୍ଷେତ୍ରରେ ସନ୍ଧିବିଚ୍ଛେଦ ସମ୍ଭବ ହୁଏନାହିଁ। ଏମାନେ ଅନୁପ୍ରେରିତ କରନ୍ତି ନାହିଁ, ସାଲିସ୍‌କରନ୍ତି / ସମ୍‌ଝୋତା କରନ୍ତି । ରାଜ୍ୟର ସାମୂହିକ ସ୍ୱାର୍ଥକୁ, ସତ୍ୟକୁ, ବାସ୍ତବିକତାକୁ ଜଳାଞ୍ଜଳି ଦେଇ ଏଇ ପ୍ରଚାରପ୍ରେମୀ ଗୋଷ୍ଠୀଟି ଅଧସ୍ତନମାନଙ୍କୁ ବରାବର ନିରୁତ୍ସାହିତ କରିଥାନ୍ତି । ପ୍ରଶ୍ନ ପଚାରିବାକୁ ଏମନେ ତୁଚ୍ଛା ପିଲାଳିଆମି ମନେ କରନ୍ତି । ନିଜ ସରକାରୀ ଗାଡି ଓ ପଦ ମର୍ଯ୍ୟାଦାର ଅପବ୍ୟବହାରକୁ ଏମାନେ ଦୁର୍ନୀତି ବୋଲିତ ମନେ କରନ୍ତି ନାହିଁ । ଇନ୍ଦିରା ଆବାସ ସବ୍‌ସିଡ଼ି ସିମେଣ୍ଟରେ ଏମାନେ ରାଜଧାନୀରେ ଏକାଧିକ ବେନାମୀ ଅଟ୍ଟାଳିକା ନିର୍ମାଣକରି ଲଜିତ ହୁଅନ୍ତି ନାହିଁ, ମାତ୍ର ୧୫ ବସ୍ତା ସିମେଣ୍ଟ୍‌ର ହିସାବ ନମିଳିଲେ ବିଚରା ଗ୍ରାମସେବକକୁ ନିଲମ୍ବିତ କରିଥା‘ନ୍ତି । ମାଫିଆଙ୍କ ସହିତ ଚିଙ୍ଗୁଡ଼ି ଘେରରେ ଭାଗୀଦାର ହେଲେ ଏମାନଙ୍କୁ ଅସୁନ୍ଦର ଦିଶେ ନାହିଁ, ମାତ୍ର ଜଣେ ଅସ୍ଥାୟୀ ଅମିନ ପନ୍ଦର କିଲୋମିଟର ଦୂର ଗାଁକୁ ସାଇକେଲ୍‌ରେ ଯାଇ କାହାର ଜମି ମାପ କରିବାପାଇ ପଚାଶ ଟଙ୍କା ମାଗିବାର ଅଭିଯୋଗ ହେଇେ ସାକ୍ଷାତ୍‌ ଅଗ୍ନିଶର୍ମା ହୋଇଯା’ନ୍ତି । ନିଜ ସୁବିଧା ପାଇଁ ଏଇମାନେ ଦୁର୍ନୀତିର ସଂଜ୍ଞାକୁ ଭାରି ସଂକୁଚିତ କରି ଦେଇଛନ୍ତି । ଆମ ରାଜ୍ୟରେ ଏଇ ଦଳଟି କୋରଗ୍ରୁପ୍‌ହୋଇ ରହିଛି ଓ ରାଜ୍ୟର ଅଗ୍ରଗତିକୁ ସବୁମନ୍ତେ ପ୍ରତିହତ କରି ଆସିଛି । ସବୁ ସମୟରେ ରାଜନୀତିରେ ଏମାନଙ୍କର ଧର୍ମବାପମାନେ ଥା’ନ୍ତି । ସେଇ ଧର୍ମବାପମାନେ ଅମଲାତନ୍ତ୍ରକୁ ବାରମ୍ବାର ମିଛ ଆକ୍ରମଣ କରୁଥିଲେ ମଧ୍ୟ ଅପ୍ରକାଶ୍ୟରେ ସେଇମାନଙ୍କ ସହିତ ରହିଥା’ନ୍ତି । ଏହି ଅସାଧୁ ମେଣ୍ଟଟି ମଧ୍ୟ ଏକ ସଂକୀର୍ଣ୍ଣ ରାଜନୈତିକ ଆବଶ୍ୟକତା ହୋଇ ରହିଛି ।

ଜହ୍ନମାମୁଁର ଘାତକ ଭଲ୍ମୁକ ପରି ପରାକ୍ରମୀ ତଥା ନୃଶଂସ ହୋଇ ରହିଥିବା ଏଇ ଅମଲାମାନେ ଯାବତୀୟ ଅପକର୍ମ, ଅସହିଷ୍ଣୁତା ଓ ଆତଙ୍କର ଅବତାର ହୋଇ ଆମ ରାଜ୍ୟରେ ଅଛନ୍ତି । ଶାସନତନ୍ତ୍ରର ଏଇ ଫର୍ମୁଲା ଅମଲାମାନଙ୍କ ପାଇଁ ଅମଲାତନ୍ତ୍ର କ୍ରମଶଃ ଏକ ମଲାତନ୍ତ୍ରରେ ରୂପାନ୍ତରିତ ହେଉଛି । ରାଜ୍ୟର ପ୍ରଗତି ବ୍ୟାହତ ହେଉଛି । ଦୁର୍ନୀତି... ଦୁର୍ନୀତି ଚିତ୍କାର ନକରି ଏମାନଙ୍କୁ ଆଗ ସଂଶୋଧନ କରିବାର ସମୟ ଆସିଛି ।

ଏଇ ସମସ୍ତଙ୍କ ଭିତରେ ବି ଆମ ରାଜ୍ୟରେ କିଛି ପୃଥକ୍‌, କିଛି ନୂଆକଥା ଚିନ୍ତା କରୁଥିବା ଅମଲାମାନେ ଅଛନ୍ତି । ସେମାନେ ମଧ୍ୟ ସବୁସ୍ତରରେ ଅଛନ୍ତି, ଯଦିଓ ଅଳ୍ପ ଅଛନ୍ତି । ସେଇମାନେ ଅବଶ୍ୟ ଭୟଭୀତ ହୋଇ ରହିଛନ୍ତି। ହତୋତ୍ସାହିତ ହୋଇ ରହିଛନ୍ତି । ତଥାପି ନଈରେ ଘରକରି କୁମ୍ଭୀର ସହିତ କଳି କରିବାର ସାମର୍ଥ୍ୟ ନେଇ ରହିଛନ୍ତି ।

Image

 

ଓଡ଼ିଆ ସ୍ଵାଭିମାନ

 

ଅଳ୍ପଦିନ ତଳେ ଜଣେ ଲେଖକ ଓଡ଼ିଆ ଜାତି ଆଉ ଥରେ ଉଠିବ କି ?’ ଶିରୋନାମାରେ ତଥ୍ୟ ସମ୍ବଳିତ ସୁନ୍ଦର ଲେଖାଟି ଗୋଟିଏ ଖବର କାଗଜରେ ଲେଖୁଥିଲେ । ଏଇ ପ୍ରବନ୍ଧଟି ଅଗଷ୍ଟ ୧୧, ୨୦୦୪ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଜନସମ୍ମିଳନୀରେ ସ୍ଵାଭିମାନ ସଭାରେ ପାଠ କରାଯାଇଥିଲା ।

 

ଲେଖକ ଜଣକ ଏଇ ପ୍ରବନ୍ଧଟିରେ ଅନେକ କଥା କହିଥିଲେ । ଜଣେ ଓଡ଼ିଆ ଭାବରେ ଅନେକ ଲୋକ ଓଡ଼ିଶା ବିଷୟରେ ଏଇ ସବୁ କଥା ଜାଣି ନଥିବେ ବୋଲି ମୁଁ ଭାବୁଛି । ଅବଶ୍ୟ ଆହୁରି ଦୁଃଖର ବିଷୟ ଏହି ଯେ ସବୁ ଓଡ଼ିଆ ଓଡ଼ିଶାର ଇତିହାସ, ଐତିହ୍ୟ ଏବଂ ସଂସ୍କୃତି ବିଷୟରେ ସବୁକଥା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ୧୯୩୬ ମସିହାରେ ଭାଷା ଭିତ୍ତିରେ ଏକ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିବା ଓଡ଼ିଶା ଏବେ ବିଭାଜନର ନିକଟବର୍ତ୍ତୀ ହୋଇ ରହିଛି । ଆପଣାକୁ ଓଡ଼ିଆ ଭାବେ ପ୍ରମାଣ କରିବା ପାଇଁ ସେତେବେଳେ ଜାଗିଥିବା ପ୍ରଶସ୍ତ ମାନସିକତା କାହିଁ କେତେ ବର୍ଷ ଆଗରୁ ଅସ୍ତମିତ ହୋଇଗଲାଣି । ଆମ ରାଜ୍ୟ ବାହାରେ ଏବଂ ଦେଶ ବାହାରେ ଓଡ଼ିଶାକୁ କୋଣାର୍କ ପାଇଁ, ଶ୍ରୀ ଜଗନ୍ନାଥଙ୍କ ପାଇଁ ବା କେଉଁ ଜଣେ ଅଧେ କ୍ରିକେଟ ଖେଳାଳିଙ୍କ ପାଇଁ ଜାଣନ୍ତି । ଓଡ଼ିଶାକୁ ସକଳ ପ୍ରାକୃତିକ ବିପର୍ଯ୍ୟୟର ଚରାଭୂଇଁ ଭାବରେ ମଧ୍ୟ ଜାଣନ୍ତି । ସେଇ ଦୃଷ୍ଟିରୁ ଓଡ଼ିଶା ବାହାରେ ଓଡ଼ିଶାକୁ ଭାରି ଦୟାର ଆଖିରେ, ଅନୁକମ୍ପାର ଆଖିରେ ବି ଦେଖନ୍ତି ।

 

କେତେ ବର୍ଷ ଧରି କେନ୍ଦ୍ର ଓଡ଼ିଶାକୁ ସରକାରୀ ଭାବରେ ଏକ ସ୍ଵତନ୍ତ୍ର ରାଜ୍ୟର (ପଛୁଆ, ଅନଗ୍ରସର) ମାନ୍ୟତା ଦେବା ପାଇଁ ରୀତିମତ ଏକ ରାଜନୈତିକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ରାଜନୈତିକ ଦଳମାନେ ଏଥିପାଇଁ ପରମ ଆଗ୍ରହରେ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି, ଆପଣାର ଦୃଷ୍ଟିଭଙ୍ଗୀକୁ ଜାହିର କରିବା ପାଇଁ କୁରୁଳି ଉଠୁଛନ୍ତି । ଓଡ଼ିଶାର ସ୍ଵାଭିମାନଟା ରାଜନୀତିର ରଣାଙ୍ଗନରେ ଭାରି କ୍ଷତାକ୍ତ ହୋଇ ରହିଛି । ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଭାବେ ଘୋଷଣା କରାଗଲେ, ସ୍ଵତନ୍ତ୍ର ପ୍ୟାକେଜ୍‌ମିଳିଲେ ଓଡ଼ିଆ ସ୍ୱାଭିମାନର ବ୍ୟାପକ ତୁଷ୍ଚିକରଣ ସମ୍ଭବ ହେବ ବୋଲି ଧାରଣା ସୃଷ୍ଟି ହୋଇଛି । ଆମ ସମ୍ବାଦପତ୍ରମାନେ ଅନ୍ତତଃ ଏଇ କଥା ବିଭିନ୍ନ ବାଗରେ ପରିବେଷଣ କରୁଛନ୍ତି । ସ୍ଵାଭିମାନ ପରି ଏକ ବୃହତ୍ତର, ସମ୍ବେଦନଶୀଳ ତଥା ମାନବୀୟ ବିଷୟଟିକୁ କେନ୍ଦ୍ରୀୟ ଅନୁଦାନ ସହିତ ସିଧାସଳଖ ଯୋଡ଼ି ଦେଉଛନ୍ତି । ଆମର ଦାରିଦ୍ର୍ୟର ବିଜ୍ଞାପନ ସହିତ ଯୋଡ଼ି ଦେଉଛନ୍ତି । ଓଡ଼ିଶାର ସ୍ୱାଭିମାନ ସହିତ ଆର୍ଥିକ ବିକାଶ ଆଦୌ ସଂପର୍କିତ ନୁହେଁ, ଏକଥା କହିବା ଏଇ ଲେଖାର ଉଦ୍ଦେଶ୍ୟ ନୁହେଁ । ତେବେ ଓଡ଼ିଆ ସ୍ଵାଭିମାନକୁ ତା’ର ଆପଣାର ଭୂମିରୁ ଏକାବେଳକେ ବିଚ୍ୟୁତ କରି ସବୁବେଳେ ଦାରିଦ୍ର୍ୟ ଏବଂ କେନ୍ଦ୍ରୀୟ ଅନୁଦାନ ସହିତ ସହବନ୍ଧିତ କରାନଯାଉ । ସ୍ଵାଭିମାନର ଭୂମିଟି କେବଳ ରାଜନୈତିକ ଭୂମି ନୁହେଁ, ସେଇଟି ଆମର ମନସ୍ତତ୍ତ୍ୱ, ସଂସ୍କୃତି ଏବଂ ଜୀବନଚର୍ଯ୍ୟା ସହିତ ଅନ୍ତରଙ୍ଗ ଭାବରେ ଜଡ଼ିତ, ଏଇ କଥାଟିକୁ ଉପଲବ୍ଧି କରିବାର ସମୟ ଆଉ ଥରେ ଆସିଛି । ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ଯେଉଁ ଆନ୍ଦୋଳନଟି ହୋଇଥିଲା ସେଇଟି କେବଳ ଏକ ରାଜନୈତିକ ଆନ୍ଦୋଳନ ନଥିଲା, ବୃହତ୍ତର ଭାବରେ ସେଇଟି ଏକ ସାର୍ବଜନୀନ, ସାମାଜିକ, ସାଂସ୍କୃତିକ ଆନ୍ଦୋଳନ ଥିଲା ଏବଂ ଆପଣାର ସ୍ଵାଭିମାନକୁ ଏକ ସ୍ଵତନ୍ତ୍ର ସତ୍ତା ଭାବରେ ପରିପ୍ରକାଶ କରିବା ପାଇଁ ରାଜନୀତିର ଊର୍ଦ୍ଧ୍ୱରେ ଏକ ଅନୁରାଗର ଆନ୍ଦୋଳନ ଥିଲା । ଏକଥା ଅବଶ୍ୟ ସତ୍ୟ ଯେ କୌଣସି ଆନ୍ଦୋଳନକୁ ଯଥାର୍ଥ ମାର୍ଗ ଦେବା ପାଇଁ ବଳିଷ୍ଠ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ବୋଧହୁଏ ଏହା ସର୍ବକାଳୀନ ସତ୍ୟ ।

 

ଓଡ଼ଶାକୁ ସ୍ଵତନ୍ତ୍ର ପ୍ରଦେଶ ମାନ୍ୟତା ଦିଆଯିବା ପରଠାରୁ ଅନେକ ସମୟ ବିତିଗଲାଣି । ଆମ ରାଜ୍ୟର ସୀମା-ସରହଦରେ ପରିବର୍ତ୍ତନ ଆସିନଥିଲେ ହେଁ ଓଡ଼ିଆ ହିସାବରେ ଆମର ମାନସିକତାରେ ବ୍ୟାପକ ପରିବର୍ତ୍ତନ ଆସିଲାଣି । ଆମ ସମୟରେ କେତେ ଜଣ ଓଡ଼ିଆ ଜଣେ ଖାଣ୍ଟି ଓଡ଼ିଆ ଭାବରେ ଗର୍ବ ଅନୁଭବ କରୁଛନ୍ତି ? ଆମ ରାଜ୍ୟରେ ପଚାଶରୁ ଅଧିକ ଦୈନିକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଉଛି । ସେମାନଙ୍କ ଭିତରୁ ଅବଶ୍ୟ ଶତକଡ଼ା ୮୦ ଭାଗ ସମ୍ବାଦପତ୍ର କେବଳ ସରକାରୀ ଖାତାରେ ତିଷ୍ଠି ରହିଛନ୍ତି । [ସେଇ ସମ୍ବାଦପତ୍ରମାନେ ନିୟମିତ ସରକାରୀ ଭାବେ ଉଦୟ ହେଉଛନ୍ତି ଯଦିଓ ସେଇ ଉଦୟ ମୁହୂର୍ତ୍ତଗୁଡ଼ିକୁ କେହି ଦେଖିପାରୁନାହାନ୍ତି ।] ତେବେ ଅବଶିଷ୍ଟ ଓଡ଼ିଆ ସମ୍ବାଦପତ୍ର ଏବଂ ପତ୍ରପତ୍ରିକାମାନଙ୍କ ଅବସ୍ଥା କ’ଣ ? ଓଡ଼ିଆ ସ୍ଵାଭିମାନ ପ୍ରସଙ୍ଗରେ ଅବଦାନ କ’ଣ ? ଭୂମିକା କ’ଣ ?

 

ସତ କହିଲେ, ଓଡ଼ିଶାର ପ୍ରାୟ ସମସ୍ତ ସମ୍ବାଦପତ୍ର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ମୂଲ୍ୟବୋଧର କଥା କହୁଛନ୍ତି। କେତେକ ସମ୍ବାଦପତ୍ର ମଧ୍ୟ କୌଣସି ନା କୌଣସି ବ୍ୟକ୍ତିବିଶେଷଙ୍କ ମୁଖପତ୍ର ହୋଇ ରହିଛନ୍ତି । ଆପଣାର ପ୍ରକୋଷ୍ଠ ବାହାରେ ଓଡ଼ିଶାର କେଉଁ ସମ୍ବାଦପତ୍ରଟି ଏକ ମୁକ୍ତ ନିର୍ଭୀକ ସମ୍ବାଦପତ୍ର ହୋଇ ରହିଛି ? କେଉଁ ଖବରକାଗଜରେ ଦଳୀୟ ରାଜନୀତିର ଊର୍ଦ୍ଧ୍ୱରେ ଓଡ଼ିଶାର ସ୍ଵାର୍ଥକଥା, ସ୍ଵାଭିମାନ କଥା ଏବଂ ସମସ୍ୟା କଥା କୁହାଯାଉଛି ? କ’ଣ ଆମର ସବୁ ଆବର୍ଜନାଗୁଡ଼ାକ ରାଜନୀତିରୁ ହିଁ ଆସିଛି ଏବଂ ରାଜନୈତିକ ସଂସ୍କାର ନହେଲେ ସେଗୁଡ଼ାକ ମୋଟେ ସଫା କରିହେବ ନାହିଁ ? କ’ଣ ଆମର କେତେ ଜଣ ନେତା କେବଳ ଓଡ଼ିଆ ଭାଷାଟି ପରିଷ୍କାର କହିପାରିଲେ ଓଡ଼ିଆ ସ୍ଵାଭିମାନଟା ପରିଚ୍ଛନ୍ନ ଏବଂ ପ୍ରାଣବନ୍ତ ହୋଇ ଉଠିବ ? କେବଳ କ’ଣ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ ଉପରେ ହି ଏତେ ବଡ଼ ଜାତିର ଭାଗ୍ୟଟି ନିର୍ଭରଶୀଳ ଏବଂ ସେଇଟି ଏମିତି ଚିନ୍ତାର ବିଷୟ ? ପ୍ରଧାନମନ୍ତ୍ରୀଙ୍କ ‘ଟଙ୍କା ଗଛରେ ଫଳେ ନାହିଁ’ ମନ୍ତବ୍ୟ ପରିପ୍ରେକ୍ଷୀରେ ଓଡ଼ିଆ ସ୍ଵାଭିମାନର ଏଇ ହଠାତ୍‌ଉଦୟ ବା ନବୋଦୟ ଅନେକ ମୌଳିକ କଥା ଉପସ୍ଥାପନ କରିଛି ଏବଂ ଆତ୍ମନିରୀକ୍ଷଣ ନିମନ୍ତେ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି । ତେବେ ଉପସ୍ଥାପନ ସ୍ଵାଭିମାନ ତଥା ଓଡ଼ିଶାର ସ୍ୱାଭିମାନ ରାଜନୀତିର ଚାରିକାନ୍ଥ ଭିତରେ ଆଦୌ ସୀମିତ ନୁହେଁ । ଦୀର୍ଘଦିନ ଧରି ଓଡ଼ିଆ ହିସାବରେ ଆମର ସ୍ଵାଭିମାନକୁ ପ୍ରକାରାନ୍ତରେ ଆମେ ହିଁ ପ୍ରତିହତ କରି ଆସିଛନ୍ତି ।

 

ଆମ ରାଜ୍ୟରେ ଏବେ ବି ଅନେକ ଅଶିକ୍ଷିତ ଲୋକ ଅଛନ୍ତି । ଶିକ୍ଷାରେ କେରଳର ସମକକ୍ଷ ହେବା ପାଇଁ ଆମକୁ ଆହୁରି ଅନେକ ଆଲୋକ ବର୍ଷ ଲାଗିଯିବ । ତେବେ ଆମ ଶିକ୍ଷିତମାନଙ୍କ ମଧ୍ୟରୁ କେତେଜଣ ପାଠ୍ୟପୁସ୍ତକ ଭିନ୍ନ ଅଲଗା ଓଡ଼ିଆ ବହିଟିଏ, ଉପନ୍ୟାସଟିଏ ବା ପତ୍ରିକାଟିଏ ପଢ଼ନ୍ତି ? କେତେ ଜଣ ଭୀମ ଭୋଇଙ୍କୁ ଜାଣନ୍ତି ? କେତେ ଜଣ ଫକୀରମୋହନଙ୍କ ଗଳ୍ପ-ଉପନ୍ୟାସ ପଢ଼ିଛନ୍ତି ? କେତେ ଜଣ ଗୋପୀନାଥଙ୍କୁ ପଢ଼ିଛନ୍ତି ? ରମାକାନ୍ତଙ୍କ ଶ୍ରୀରାଧା ବିଷୟରେ ଜାଣନ୍ତି କେତେ ଜଣ ? ଆମର ସମସାମୟିକ ସାହିତ୍ୟିକ, ଚିତ୍ରଶିଳ୍ପୀମାନଙ୍କୁ କେତେଜଣ ସତରେ ଜାଣନ୍ତି ? କେତେ ଜଣ ଖବରକାଗଜରେ ଏକ ବିକୃତ ଖବର ପଢ଼ିବା ପରେ ସଂପାଦକଙ୍କୁ ପ୍ରତିବାଦରେ ଚିଠି ଲେଖନ୍ତି ? କେତେ ଜଣ ଅନ୍ତତଃ ଚିନ୍ତା କରନ୍ତି ଯେ ଏକ ବିଚାରବନ୍ତ ପାଠକ ହିସାବରେ ପରିବେଷିତ ସମ୍ବାଦରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦୃଷ୍ଟିଭଙ୍ଗୀ ନୁହେଁ, ତା’ଠାରୁ ଅଧିକ କିଛି ଲୋଡ଼ା ? ଆମ ଉଚ୍ଚଶିକ୍ଷିତ, ପଦସ୍ଥ ଓଡ଼ିଆମାନଙ୍କ ଘରେ ଅନ୍ୟୂନ ପାଞ୍ଚ ଖଣ୍ଡ ଓଡ଼ିଆ ବହି ଅଛି କି ? ବିଦେଶରୁ ଫେରି ଏକାଧିକ ରମ୍ୟ ଭ୍ରମଣ ବୃତ୍ତାନ୍ତ ଲେଖିଥିବା ବାବୁମାନେ, ମହାତ୍ମାମାନେ ଆମ ଓଡ଼ିଶା ଆଗ ବୁଲି ଦେଖିଛନ୍ତି କି ? ପ୍ରଦର୍ଶନୀ ପଡ଼ିଆ ରଙ୍ଗମଞ୍ଚ ବାହାରେ କେତେ ଜଣ ଛଉନାଚ ଦେଖିଛନ୍ତି ? ତଥାକଥିତ ଆମର ଚିନ୍ତାଶୀଳ ଅଭିଭାବକମାନେ, ଓଡ଼ିଆ ଭାଷାର ମହାନ୍ ଗବେଷକମାନେ, ଶିକ୍ଷାବିତ୍‌ମାନେ ଆମ ବିଦ୍ୟାଳୟମାନଙ୍କରେ ଶିକ୍ଷାର ମାନ ନେଇ ଚିନ୍ତିତ କି ? ପାଠ୍ୟପୁସ୍ତକଗୁଡିକରେ ଆମେ ପିଲାମାନଙ୍କ ପାଇଁ ଉପସ୍ଥାପନ କରୁଥିବା ବିଷୟ ଗୁଡିକ ସୁନିର୍ବାଚିତ କି ?

 

ଆମ ପାଇଁ ନିଜ ମାତୃଭାଷାଟି ମଧ୍ୟ କ୍ରମଶଃ ଦୁର୍ବୋଧ୍ୟ ହୋଇ ପଡ଼ିଲାଣି । ଓଡ଼ିଶାର ସ୍ଵାଭିମାନ ତ ସର୍ବପ୍ରଥମେ ଓଡ଼ିଆ ଭାଷା ସହିତ ସଂଲଗ୍ନ ହୋଇ ରହିଛି । ସେଥିପାଇଁ ଆପଣାର ମାତୃଭାଷାକୁ ଭଲ ପାଇବାର ସର୍ବନିମ୍ନ ଆବଶ୍ୟକତା ରହିଚି । ନିଜର ଭାଷାକୁ କେତେ ଜଣ ସତରେ ଭଲପାଉଛନ୍ତି ! ପଡ଼ୋଶୀ ପଶ୍ଚିମବଂଗରେ ଦିନକୁ ଦୁଇବେଳା ଖାଇବାକୁ ପାଉନଥିବା ଶିକ୍ଷିତ ଲୋକଟି ସକାଳେ ବଙ୍ଗଳା ଖବରକାଗଜଟିଏ ପଢ଼େ । ମାସରେ ଖଣ୍ଡେ ବଙ୍ଗଳା ପତ୍ରିକା ଅନ୍ତତଃ କିଣେ ଓ ପଢ଼େ । ଅଥଚ ତଥାକଥିତ ଅଧିକାଂଶ ଉଚ୍ଚଶିକ୍ଷିତ ଓଡ଼ିଆ ପତ୍ରପତ୍ରିକାଠାରୁ ଯଥେଷ୍ଟ ଦୂରରେ । ସେମାନଙ୍କୁ ଓଡ଼ିଆ ପତ୍ରିକା କିଣିବା ପାଇଁ ଲାଜ ଲାଗେ ବୋଧହୁଏ ! ଅତଏବ ସ୍ୱାଭାବିକ ଯେ ଆମ ରାଜ୍ୟରେ ନିୟମିତ ପ୍ରକାଶ ପାଉଥିବା ପତ୍ରିକାଟିଏ ଦୃଷ୍କ୍ରାପ୍ୟ ।

 

ଓଡ଼ିଶାର ଇତିହାସକୁ କେହି ଶ୍ରଦ୍ଧାରେ ପଢ଼ନ୍ତି ନାହିଁ, କେବଳ ପ୍ରତିଯୋଗିତା ପାଇଁ ନଚେତ୍‌ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଯାହା ପଢ଼ନ୍ତି । [ଆମପାଇଁ ଅଧିକ ଦୁଃଖର ବିଷୟ ଏହି ଯେ ଆଧୁନିକ ଓଡ଼ିଶାର ଇତିହାସ ଏଯାଏ ମଧ୍ୟ ଲେଖାଯାଇନାହିଁ । ଏ ଦିଗରେ ସେମିତି ଚେଷ୍ଟା ମଧ୍ୟ ଏଯାବତ୍‌ହୋଇନାହିଁ ।] ଆମ ଅଶୋକ / କଳିଙ୍ଗା ଆମ ଖାରବେଳ / ଖଣ୍ଡଗିରି / ଉଦୟଗିରି ଏସବୁ ଆମ ଗୌରବମୟ ଇତିହାସର ମୁହୂର୍ତ୍ତ ହୋଇ ରହିନାହାନ୍ତି ବରଂ କାଳର ଖସଡ଼ାରେ ତୁଚ୍ଛା ଲ୍ୟାଣ୍ଡମାର୍କ ହୋଇ ରହିଛନ୍ତି । ଇତିହାସ ଆମକୁ ଅନୁପ୍ରେରିତ କରୁନାହିଁ । ସିଏ କେବଳ ଅତୀତ ହୋଇ ରହିଯାଇଛି । ଆର୍କାଇଭ୍‌ ହୋଇ ରହିଛି । ଧାରାବାହିକ ସମୟର ପାଦଚିହ୍ନ ହୋଇ ରହିଛି । ସେଥିପାଇଁ ଏତେ ଦିନ ପରେ ମଧ୍ୟ ଆମେ ଓଡ଼ିଶାକୁ ‘ଓରିଶା’ ବୋଲି କହୁଛୁ, ଲେଖୁଛୁ | ଆଧୁନିକ ଓଡ଼ିଶାର ଇତିହାସରେ ଆମ ପୀଢ଼ିର ଏଇ ଅନାସକ୍ତି ଏବଂ ଏଇ ବିପଜ୍ଜନକ ଅନ୍ୟମନସ୍କତା ଅବଶ୍ୟ ଅଶୁଭ ମୁହୂର୍ତ୍ତ ହୋଇ ରହିବ । ହୁଏତ ଅଭିଶାପ ହୋଇ ମଧ୍ୟ ରହିବ । ସେଇଟି ଆମର ବିଭାଜନକୁ ନିକଟବର୍ତ୍ତୀ କରାଇବ। ପରିବର୍ତ୍ତିତ ପରିସ୍ଥିତିରେ ଆପଣାର ସଂହତି ଅପେକ୍ଷା ବିଭାଜନଟି ଆମର ପ୍ରିୟ ହୋଇ ରହିଛି । ଭୟଙ୍କର ଭାବରେ ପ୍ରିୟ ହୋଇ ରହିଛି ।

 

ବିଭାଜନ ପାଇଁ ରୀତିମତ ଏକ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଯାଇଛି । ସେଇ ପ୍ରକ୍ରିୟାଟି ଥରେ ଥରେ ଅଦୃଶ୍ୟ ହୋଇ ରହିଛି । ଆଞ୍ଚଳିକ / ରାଜନୈତିକ / ସାମାଜିକ ବୈଷମ୍ୟ ଏଇ ମାନସିକତାର ଏକ ପ୍ରମୁଖ କାରଣ ହୋଇପାରେ, ମାତ୍ର ଏହା ହିଁ ଏକମାତ୍ର କାରଣ ନୁହେଁ । ଆମର ସାମଗ୍ରିକ ଦୃଷ୍ଟିଭଙ୍ଗୀ ଖଣ୍ଡିତ ହୋଇ ପଡ଼ିଛି । ଓଡ଼ିଶାକୁ ଏକ ଏବଂ ଅଖଣ୍ଡ ମନେ ନକରି କୋତୋଟି ଉପନିବେଶରେ ଆମେ ବାଣ୍ଟି ଦେଇଛେଁ । ସମ୍ବଲପୁରିଆ, କଳାହାଣ୍ଡିଆ, ବାଲେଶ୍ଵରିଆ, ଭଦ୍ରକିଆ, ବରହମ୍‌ପୁରିଆ, ଯାଜପୁରିଆ, କଟକୀ, ଢେଙ୍କୁ ଇତ୍ୟାଦି ପୃଥକ୍‌ହୋଇପଡ଼ିଥିବା ସର୍ତ୍ତାମାନେ ସାର୍ବଜନୀନ ଓଡ଼ିଆ ସ୍ୱାଭିମାନର କଥା କହୁନାହାନ୍ତି । ସ୍ଵାଧୀନତା ଆନ୍ଦୋଳନ ସମୟର ସେଇ ଅଖଣ୍ଡ ଓଡ଼ିଆ ସ୍ଵାଭିମାନ ଏବେ ବହୁଧା ବିଭକ୍ତ ହୋଇ ରହିଛି ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅଲଗା ଅଲଗା ଉପଭାଷାରେ ଅଲଗା ଅଲଗା କଥା କହୁଛି । ବିଚ୍ଛିନ୍ନତାର ଏଇ ଅନୁଭବ ନିଶ୍ଚିତ ଶୁଭଙ୍କର ନୁହେଁ । ପୁଣି ଏଇଟି ସାମଗ୍ରିକ ଓଡ଼ିଆ ସ୍ଵାଭିମାନର ପରିପନ୍ଥୀ । ସମସ୍ତଙ୍କୁ ସମସ୍ତଙ୍କ ସହିତ ଯୋଡ଼ି ରଖିବାରେ ସରକାର ଯଦିଓ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି ଓ ରାଜନୈତିକ ଦୃଷ୍ଟିଭଙ୍ଗୀ ଏଇ ସଂଯୋଗକୁ ଦିଗଦର୍ଶନ ଦେଇଥାଏ ତଥାପି ମାନସିକତାର ଉତ୍ତରଣ ରାଜନୈତିକ ଇଚ୍ଛାଶକ୍ତି ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ନୁହେଁ । ପ୍ରତ୍ୟେକ ଓଡ଼ିଆର ନିଜ ଇତିହାସକୁ ଆଗ୍ରହର ସହିତ ଅଧ୍ୟୟନ କରିବା ଲୋଡ଼ା । ନିଜର ଐତିହ୍ୟକୁ, ପରମ୍ପରାକୁ ପାହାଡ଼ ଓ ନଇଗୁଡ଼ାକୁ, ଜଂଗଲ ଓ ପ୍ରଜାପତିଗୁଡ଼ାଙ୍କୁ ଆବିଷ୍କାର କରିବାର ସୃଜନାତ୍ମକ ମାନସିକତା ଲୋଡ଼ା । ସହିଷ୍ଣୁତା ଲୋଡ଼ା । ମୂଳକୁ ଫେରିଯିବାର ଆଗ୍ରହ ବି ଲୋଡ଼ା ।

 

ନିଜକୁ କେବେ ମଧ୍ୟ ନେତା ବୋଲି ଦାବୀ ନକରି ଆମ ମାଟିରେ ଗୋପବନ୍ଧୁ ସବୁର ବଡ଼ ନେତା ଥିଲେ । ସକଳ ବ୍ୟକ୍ତଗତ ଯନ୍ତ୍ରଣା ଭିତରେ ଭୀମ ଭୋଇ ଜଗତ ଉଦ୍ଧାରର କଥା ଚିନ୍ତା କରିଥିଲେ । ସ୍ଵାଧୀନତା ଆନ୍ଦୋଳନର ଆମ ବୀର ପୁରୁଷମାନେ ଓଡ଼ିଶାର କାହିଁ କେତେ ପ୍ରାନ୍ତରୁ ଆସି ଇଂରେଜ ବିରୁଦ୍ଧରେ ମେଳି କରୁଥିଲେ । ସେତେବେଳେ ବି ସେମାନେ ଅଲଗା ଅଲଗା ଶୈଳୀରେ, ଉପଭାଷାରେ କଥା ହେଉଥିଲେ, କିନ୍ତୁ ସମସ୍ତେ ଗୋଟିଏ ଓଡ଼ିଆ ସ୍ୱାଭିମାନର କଥା କହୁଥିଲେ । ପୁଣି ସେମାନେ ସମସ୍ତେ ଯାହା କରୁଥିଲେ ତାହାହିଁ ଲେଖୁଥିଲେ । ତାହାହି କରୁଥିଲେ-। ବାସ୍ତବ ଜୀବନରେ ଅବିକଳ ସେମାନେ ସେମିତି ଥିଲେ । ନଈଠାରୁ ଦୂରରେ ରହି ସେମାନେ ନଈକୁ ନେଇ ଆଦୌ କାବ୍ୟମୟ ହେଉ ନଥଲେ କିମ୍ବା ବନ୍ୟା-ବାତ୍ୟାରେ ରିଲିଫ ଦେବା ପାଇଁ ବାହାରି ସେମାନେ ଆଗତୁରା ପ୍ରଶାସନ ଦ୍ଵାରା ଡାକ ବଙ୍ଗଳା / ଖାଦ୍ୟପେୟର ବ୍ୟବସ୍ଥା କରୁନଥିଲେ । ସେତେବେଳେ ଓଡ଼ିଶାରେ କେହି ‘ଭାଇ’ ନଥିଲେ, ମାତ୍ର ଭାତୃତ୍ୱ ବାରିହୋଇ ପଡ଼ୁଥିଲା । ଓଡ଼ିଆ ଭାଷାରେ ଅନର୍ଗଳ ପ୍ରବଚନ ଦେବାବେଳେ ସେମାନେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ମଝିରେ ମଝିରେ ଇଂରାଜୀ ମିଡିୟମ୍‌ ଶିକ୍ଷା ହଁ ଏକମାତ୍ର ଉଚିତ ଶିକ୍ଷା ବୋଲି କହୁନଥିଲେ, ଯଦିଓ ଇଂରାଜୀ ସାହିତ୍ୟରେ ସେମାନଙ୍କର ଯଥେଷ୍ଟ ପ୍ରବେଶ ଥିଲା । ଏବେ ଓଡ଼ିଶାରେ ଏମିତି ମହାତ୍ମା ଖୁବ୍‌କମ୍‌ଅଛନ୍ତି । ଯେଉଁମାନେ ହୁଏତ ଅଛନ୍ତି ସେମାନେ ଅବିଜ୍ଞାପିତ ହୋଇ ରହିଛନ୍ତି, ନଚେତ ଆତ୍ମ-ନିର୍ବାସନରେ ଅଛନ୍ତି । ତେବେ କ୍ରମଶଃ ଏମାନେ କମି କମି ଆସୁଛନ୍ତି ।

 

ସେଦିନର ସେଇ ମନୋରମ ମହାଦ୍ଵୀପଟି ଆଜି ଦ୍ଵୀପପୁଞ୍ଜ ହୋଇ ବିଦ୍ୟମାନ ।

 

ସର୍ବଭାରତୀୟ ସ୍ତରରେ ଆମ ହୀନମନ୍ୟତା ଅନେକାଂଶରେ ଓଡ଼ିଆ ସ୍ୱାଭିମାନର ଉନ୍ମେଷକୁ ପ୍ରତିହତ କରୁଛି ବୋଲି ମଧ୍ୟ ମନେହେଉଛି । ସ୍ୱାଭିମାନର ପୁନରୁଦ୍ଧାର ନକରି ନିହାତି ନପୁଂସକ ଭାବେ ଆମେ ତଥାକଥିତ ସର୍ବଭାରତୀୟ ସ୍ରୋତରେ ସମାନ୍ତରାଳ ଭାବେ ସାମିଲ ହୋଇଯାଇଛୁ ବୋଲି ଦାବୀ କରୁଛୁ । ଏହା ଏକ ମିଛ ସାନ୍ତ୍ଵନା । ସର୍ବଭାରତୀୟ ଚେତନାଟି ଆମ ଭୂଇଁରୁ ଭିନ୍ନ ନୁହେଁ । ଭାରତୀୟ ହେବା ଆଗରୁ ଆମେ ସମସ୍ତେ ଆଗ ଓଡ଼ିଆ । ଓଡ଼ିଆ ହିସାବରେ ନିଜକୁ ଚିହ୍ନିବା, ନିଜର ସ୍ୱାଭିମାନର କଥା କହିବା ଆଦୌ ଆଞ୍ଚଳିକତା ନୁହେଁ ।

Image

 

ଉଲଗ୍ନ ହେବାର ଅଧିକାର

 

ଜନ୍ମରୁ ତ ମଣିଷ ନଙ୍ଗଳା । ଆମ ସଂସ୍କୃତିରେ ଶବ ସତ୍କାର ସମୟରେ ଅବଶ୍ୟ କାହାକୁ ନଙ୍ଗଳା ରଖାଯାଏ ନାହିଁ । ଆରପାରିକୁ ଯିବା ଆଗରୁ ଅନେକ ଧର୍ମରେ / ପ୍ରଥାରେ ମୃତ ଦେହକୁ ନୂତନ ବସ୍ତ୍ର ପିନ୍ଧାଇ ଦିଆଯାଏ, ନଚେତ ନୂତନ ବସ୍ତ୍ରରେ ଆବୃତ୍ତ କରାଯାଏ । ଆରପାରିରେ ପହଞ୍ଚିଲାବେଳେ ଯଦି ଏଇ ଶରୀରର ଆବଶ୍ୟକତା ପଡ଼ୁଥିବ ଅର୍ଥାତ୍‌, ଏଇ ଦେହର ମୃତ୍ୟୁପରେ ଆଉ ଏକ ଜୀବନ ସମ୍ଭବ ହେଉଥିବ ତେବେ ସେପାରିରେ ପହଞ୍ଚିଲାବେଳେ ଅନ୍ତତଃ ଟିକେ ଭଲ ଲାଗିବ ! କେତେ ସମୟ ପାଇଁ ହେଲେ ମଧ୍ୟ ମନେହେବ ଯେ ସେ ନୂଆ ପୋଷାକଟିଏ ପିନ୍ଧିଛି, ଭାରି ସୁନ୍ଦର ଦିଶୁଛି ! [ଆରପାରିରେ ତା’କୁ ଅପେକ୍ଷା କରିଥବା ଅନ୍ୟମାନଙ୍କୁ ମଧ୍ୟ ସେଇଟି ଭଲ ଲାଗିପାରେ ! ମୃତ୍ୟୁପରେ ପରିଧାନ / ପୋଷାକର ଗୁରୁତ୍ଵକୁ ନେଇ ଏମିତି ଏକ ଲଘୁ କଳ୍ପନା ମଧ୍ୟ କରାଯାଇପାରେ ।] ଏକଥା ସତ ଯେ ଆମ ସଭ୍ୟତାରେ ଆବୃତ୍ତ ହୋଇ ରହିବାର ଆବଶ୍ୟକତା ଅଧିକାଂଶ ସ୍ତରରେ ରହିଛି ଏବଂ ପ୍ରାୟ ସାର୍ବକାଳୀନ ହୋଇ ରହିଛି । ଏଇଟି ଆମର ଚେତନାର ଉତ୍ତରଣ କ୍ରମରେ ଆନୁପାତିକ ହୋଇ ବିକଶିତ ହୋଇଛି ।

 

ପ୍ରସ୍ତର ଯୁଗରେ ଜଂଗଲରେ ମଣିଷ ନଙ୍ଗଳା ହୋଇ ବୁଲୁଥୁଲା । ଶିକାର କରୁଥିଲା । କ୍ରମେ ସେ ଗଛର ବକ୍ୱଳ ପିନ୍ଧିଲା । ଜୀବଜନ୍ତୁଙ୍କୁ ମାରି ସେମାନଙ୍କର ଚମଡ଼ାକୁ ମଧ୍ୟ ଦେହରେ ଢାଙ୍କିହେଲା । ଆସ୍ତେ ଆସ୍ତେ ଲଜ୍ଜାର ପ୍ରବେଶ ଘଟିଲା ଏବଂ ନଙ୍ଗଳା ହେବାଟା ଅଶ୍ଵସ୍ତିକର ମନେ ହେଲା । ସଭ୍ୟତାର ବିବର୍ତ୍ତନ କ୍ରମରେ ବସ୍ତ୍ରର ମଧ୍ୟ ବିକାଶ ହେଲା । ପୁରୁଷ ଏବଂ ସ୍ତ୍ରୀ କ’ଣ ସବୁ ପିନ୍ଧିବେ, ଇତ୍ୟାଦି ଆଲୋଚିତ ହେଲା । କେଉଁ ପୋଷାକ ପୁଣି ରୁଚିବନ୍ତ, କେଉଁଟି ଉଗ୍ର ରୁଚିର, କେଉଁଟି ନଗ୍ନ ରୁଚିର ସେଇସବୁ ଚିହ୍ନଟ ହେଲା । ପରିଧାନ ସଂପର୍କିତ ଅଙ୍କୃଶମାନ ତିଆରି ହେଲା । ସମାଜର କୋଉ ଶ୍ରେଣୀର / ବର୍ଗର ଲୋକେ କ’ଣ ପିନ୍ଧିବେ ସେସବୁ ମଧ୍ୟ ସ୍ଥିର ହେଲା । ସବୁ ସଭ୍ୟତାରେ, ସଂସ୍କୃତିରେ ଭିନ୍ନତା ଥିଲେ ମଧ୍ୟ ଏଇୟା ହିଁ ହୋଇଥିଲା, ଯଦିଓ କେତେକ କ୍ଷେତ୍ରରେ ପରିଧାନକୁ ନେଇ ନୀତିନିୟମ ଭାରି କଡ଼ାକଡ଼ି ହୋଇ ଲାଗୁ ହୋଇଥିଲା । ପରିଧାନଗତ ଶୃଙ୍ଖଳା ଏବେ ମଧ୍ୟ ଆମ ପୃଥିବୀର କେତେକ ଅଞ୍ଚଳରେ ଖୁବ୍ ଗମ୍ଭୀର ବିଷୟ ହୋଇ ରହିଛି । ବିଶୃଙ୍ଖଳା ହୋଇ ମଧ୍ୟ ରହ । ପର୍ଦ୍ଦାଯୁକ୍ତ ନ ହେଲେ ଏବେ ମଧ୍ୟ ପାକିସ୍ଥାନର ମହିଳାମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । କେବଳ ପାକିସ୍ତାନରେ ନୁହେଁ, ଆଫଗାନସ୍ଥାନରେ ଓ କେତେକ ଆରବ ଦେଶମାନଙ୍କରେ ଏବେ ମଧ୍ୟ ଏହାହିଁ ଘଟିଚାଲିଛି । ଇସ୍‌ଲାମିକ୍‌ରକ୍ଷଣଶୀଳତାରେ ପୋଷାକ ପରିଧାନର ଶୃଂଖଳା ଭାରି ଗୁରୁତ୍ଵପୂର୍ଣ୍ଣ ହୋଇ ଏବେ ମଧ୍ୟ ରହିଛି । ତେବେ କେବଳ ଇସ୍‌ଲାମ ଧର୍ମ ନୁହେଁ, ସବୁ ଧର୍ମରେ, ସଂସ୍କୃତିରେ, ଜୀବନଚର୍ଯ୍ୟାରେ ପୋଷାକର ନିଜସ୍ଵ ନୀତିନିୟମ, କାଇଦା-କଟକଣା ରହିଛି । ବିଶେଷ ଭାବରେ ନାରୀମାନଙ୍କ କ୍ଷେତ୍ରରେ ଏଇ ନିୟମ ଗୁଡ଼ାକ ପ୍ରୟୋଗ କରାଯାଇଛି । ଯେଉଁଠି ଅନୁଶାସନ ଯେତେ କଠୋର ସେଇ ସ୍ଥାନରେ / ସମୟରେ ସେଇ ନିୟମ ଗୁଡାକ ବିରୁଦ୍ଧରେ ସ୍ଵର ଉତ୍ତୋଳନ ମଧ୍ୟ କରାଯାଇଛି । ଆମ ଦେଶରେ ଏମିତି ଅଭିଜ୍ଞତା ରହିଛି । ମାତ୍ର ଆମର ଆଲୋଚନାଟି ସେଇଠି ସୀମିତ ନୁହେଁ ।

 

ଗତ କେତେ ବର୍ଷ ଧରି କେବଳ ପୋଷାକ ପିନ୍ଧିବାର ଆଦବ କାଇଦାକୁ ନୁହେଁ ବରଂ ପ୍ରକାରାନ୍ତରେ ଯେମିତି ପୋଷାକ ପିନ୍ଧିବାକୁ ବିରୋଧ କରାଗଲାଣି । ପାରମ୍ପରିକ ପରିଧାନରୁ ଅଣପାରମ୍ପରିକ ପରିଧାନକୁ ଢେର ବର୍ଷ ଆଗରୁ ଆମେ ତ ଲମ୍ଫଦେଇ ସାରିଛେ । ପରିବର୍ତ୍ତିତ ପରିସ୍ଥିତିରେ ଫର୍ମାଲ ଓ ଇନ୍‌ଫର୍ମାଲ୍‌ପରିଧାନ ଭିତରେ ପାର୍ଥକ୍ୟ ପ୍ରାୟ ଲୋପ ପାଇବାକୁ ବସିଲାଣି-। ସେଥିରେ ବିଶେଷ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଶ୍ଚର୍ଯ୍ୟ କେବଳ ଆଦୌ ପୋଷାକ ନ ପିନ୍ଧିବାର ବା ନାଁକୁ ମାତ୍ର ପୋଷାକ ପିନ୍ଧିବାର ମନୋବୃତ୍ତିକୁ ନେଇ । ଏଇ ମନୋବୃତ୍ତିକୁ ସିଧାସଳଖ ନଗ୍ନ ମାନସିକତା କହିବା ଠିକ୍‌ହେବନାହିଁ ।

 

ନଗ୍ନତା ଖୁବ୍‌ପ୍ରାକୃତିକ ହୋଇ ଆମ ସହିତ ଆରମ୍ଭରୁ ହିଁ ରହିଛି । ସୃଷ୍ଟିର ଆରମ୍ଭରୁ ରହିଛି । ନଗ୍ନତା ସବୁ ଜୀବନ୍ତ ଭିତରେ (ପାଣୀ ଭିତରେ) ଭାରି ସରଳ, ଭାରି ସଂଲଗ୍ନ ଏବଂ ଭାରି ଅନ୍ତରଙ୍ଗ ହୋଇ ରହିଛି । ନଗ୍ନତା ଏକ ଆଦିମ ଉଷ୍ମତା ଏବଂ ମୁକ୍ତିର ଅନୁଭୂତି । ପ୍ରଜାପତି ନଙ୍ଗଳା, ଆମର ପ୍ରିୟ ପେଡ଼ିଗ୍ରୀ କୁକୁର (ଯାହାର ବୁନିଆଦି / ଆଭିଜାତ୍ୟ ଅଛି ଯିଏ ଆମ ଡ୍ରଇଂ ରୁମ୍‌ରେ, କାର୍‌ରେ, ପାର୍କରେ ମଣିଂଓ୍ୱାର୍କରେ ଆମର ଖାସ୍‌ହୋଇ ରହିଛି) ସିଏ ବି ଲଙ୍ଗଳା ! ନିରାବରଣ ହୋଇ ସଂସାରର ସବୁ ପ୍ରାଣୀ (ମଣିଷ ମଧ୍ୟ) ଭାରି କମନୀୟ, ଆକର୍ଷଣୀୟ ହୋଇ ଆରମ୍ଭରୁ ହିଁ ତିଷ୍ଠି ରହିଛନ୍ତି ଏବଂ ସେଇ ଦୃଷ୍ଟିରୁ ନଗ୍ନତା ନକାରାତ୍ମକ ହୋଇନପାରେ । ତଫାତ୍ କେବଳ ଏତିକି ଯେ ଚେତନାର ବିକାଶ କ୍ରମରୁ ମଣିଷ ତା’ ନିଜକୁ ଢାଙ୍କି ଆସିଛି, ଆବୃତ୍ତ କରି ଆସିଛି । ଆବୃତ୍ତ ହେବାର ଆଗ୍ରହ, ଅଧିକ ରମ୍ୟ ହୋଇ, କମନୀୟ ହୋଇ ଆବୃତ୍ତ ହୋଇ ରହିବାର ଅଭିଳାଷର ଅନ୍ତ ଏଯାଏ ହୋଇନାହିଁ, ବରଂ ଏ ସମ୍ବନ୍ଧରେ ପରୀକ୍ଷା-ନିରୀକ୍ଷା / ଅନୁସନ୍ଧିତ୍ସା ଅବ୍ୟାହତ ରହିଛି । ଅଥଚ ସେଇ ଅନୁସନ୍ଧିତ୍ସା ସହିତ ତାଳ ଦେଇ ସଂପୂର୍ଣ୍ଣ ଉଲଗ୍ନ ହେବାର ଆକାଂକ୍ଷାଟିଏ ସମକାଳୀନ ହୋଇ ରହିଛି ! ଏହି ଆକାଂକ୍ଷାର ଯଥାର୍ଥ କାରଣ ଅବଶ୍ୟ ନାହିଁ । ଥରେ ଆବୃତ୍ତ ହେବା ପରେ, ଆବରଣର ସମସ୍ତ ସାଧନ / ସାମର୍ଥ୍ୟ ବିଦ୍ୟମାନ ଥାଇ ଉଲଗ୍ନ ହେବାର ଆଗ୍ରହ ଏବଂ ସେଇ ଉଲଗ୍ନ ସ୍ୱରୂପକୁ ବିଜ୍ଞାନିତ କରାଇବାର ଏକ ଉଦ୍ଭଟ ମାନସିକତା କେତେ ବର୍ଷ ଧରି ଭାରି ଜୋର୍‌ରେ ଆମ ଭିତରକୁ ଚାଲିଆସିଛି । ଅଧକ ସମ୍ଭବ, ଏଇଟି ଏକ ବିକୃତି । ଉଗ୍ର ଉପଭୋକ୍ତାବାଦଜନିତ ବିକୃତି ।

 

ସମୁଦ୍ର କୂଳରେ ବୁଲିବାବେଳେ, ଗାଧୋଇବା ବେଳେ ବା ବ୍ୟାୟାମ କଲାବେଳେ କେହି କମ୍‌ଫୋଷାକ ପିନ୍ଧିଲେ ବା ଆଦୌ ନ ପିନ୍ଧିଲେ (ସ୍ଥଳ ବିଶେଷରେ) କିଛି ତ ବିଚିତ୍ର କଥା ନାହିଁ । ଉପରୋକ୍ତ ଉଦାହରଣ ଭିନ୍ନ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଅର୍ଦ୍ଧନଗ୍ନ ବା ଉଲଗ୍ନ ହେବା ସଂପୂର୍ଣ୍ଣ ପ୍ରାକୃତିକ । ମାତ୍ର ଆମ ଦେହ ପ୍ରାକୃତିକ ଭାବେ ଲଙ୍ଗଳା ହୋଇ ରହିବା ପାଇଁ ଉଦ୍ଦିଷ୍ଟ, ଅତଏବ ସେଇ କାରଣରୁ କୌଣସି ପୋଷାକ ନପିନ୍ଧିବା ବା ନାମକୁ ମାତ୍ର ପିନ୍ଧିବାର ଯୁକ୍ତି ନିଶ୍ଚିତ ଭାବରେ ଏକ ସୁସ୍ଥ ଯୁକ୍ତି ନୁହେଁ । କେତେ ବର୍ଷ ହେଲାଣି ଯୁକ୍ତରାଷ୍ଟ୍ର ଆମେରିକାରେ ଏଇ ଚିନ୍ତାଧାରାକୁ ସମର୍ଥନ କରି ‘ଦି ନେଚୁରିଷ୍ଟ’ ସୋସାଇଟି ଗଠନ କରାଯାଇଛି । ନଙ୍ଗଳା ହେବା ପାଇଁ ଦୁଇଶହରୁ ଅଧିକ ଯୁକ୍ତିଯୁକ୍ତ କାରଣ ଏଇ ସୋସାଇଟିର ସଭ୍ୟମାନେ ଦର୍ଶାଇଛନ୍ତି । ସ୍ଵାସ୍ଥ୍ୟଗତ କାରଣରୁ ଆଦୌ କୌଣସି ବସ୍ତ୍ର ପରିଧାନ ନକରିବା ଅର୍ଥାତ୍ ନଙ୍ଗଳା ହୋଇ ଜୀଇଁବାର ଅର୍ଥ ନାଚୁରିଜମ୍‌। ସୁନ୍ଦର ସ୍ଵାସ୍ଥ୍ୟ ନିମନ୍ତେ ନଙ୍ଗଳା ହୋଇ ଚଳପ୍ରଚଳ ହେବା ଖୁବ୍ ସହଜ ତଥା ପ୍ରାକୃତିକ ବୋଲି ଏମାନେ ମନେ କରନ୍ତି । ଏ ପ୍ରକାର ଯୁକ୍ତିନିଷ୍ଠତା / ଦର୍ଶନକୁ ଏକାବେଳକେ ତ୍ରୁଟିପୂର୍ଣ୍ଣ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । ତେବେ ସୁନ୍ଦର ସ୍ଵାସ୍ଥ୍ୟ ନିମନ୍ତେ ନଙ୍ଗଳା ହେବାର ଆବଶ୍ୟକତାକୁ ନେଇ ଏକ ଆନ୍ଦୋଳନ କରିବାର ସମୟ ଆସିନାହିଁ । ନଙ୍ଗଳା ନହୋଇ ମଧ୍ୟ ସ୍ଵାସ୍ଥ୍ୟରକ୍ଷା ବେଶ୍‌ସମ୍ଭବ ।

 

ପ୍ରାକୃତିକ ଭାବେ ନଙ୍ଗଳା ହୋଇ ରହିବା ଆମ ନିଜ ସଂସ୍କୃତିରେ କାହିଁ କେତେ ଯୁଗରୁ ରହିଛି । ନଗ୍ନତାର ଉପାଦାନ ଆମ ସଂସ୍କୃତିରେ ଯେତିକି ପ୍ରାଚୀନ ସେତିକି ପ୍ରାଣବନ୍ତ । ଆମ ପୁରାଣ ପୃଷ୍ଠାରେ ଶିବ ନଙ୍ଗଳା । ମହାଦେବ ବୈରାଗୀ । ଆପଣାର ସମସ୍ତ ଧନ ସଂପତ୍ତି (ବସ୍ତ୍ର ମଧ୍ୟ) ଅନ୍ୟ ଦେବତାମାନଙ୍କୁ ଦାନ କରି ସେ ସବୁଠୁଁ ଦରିଦ୍ର, ଅଥଚ ତୃପ୍ତ । ଶିବ ବନ୍ଧନ ମୁକ୍ତ / ପାଶମୁକ୍ତ ଓ ନିର୍ଲିପ୍ତ ।ଶ୍ମଶାନରେ ଶିବ ନଙ୍ଗଳା ହୋଇ ବୁଲୁଥା’ନ୍ତି । ବେଳେବେଳେ ଦେହରେ ପାଉଁଶ ବୋଳି ହୋଇ ପଡ଼ନ୍ତି । ଅଥଚ, ଶିବ ସତ୍ୟ ଏବଂ ସୁନ୍ଦର । ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ପହଞ୍ଚିବା ପରେ ଆବରଣ-ଅନାବରଣ ମଧ୍ୟରେ ବିଶେଷ ପ୍ରଭେଦ ରହେ ନାହିଁ । ଯୋଗୀମାନେ ଅର୍ଦ୍ଧନଗ୍ନ / ଉଲଗ୍ନ ରହୁଥିବାର ଦୃଷ୍ଟାନ୍ତ ବିରଳ ନୁହେଁ । କେବଳ ଶିବ ନୁହନ୍ତି, ଶକ୍ତିଙ୍କର ଗୋଟିଏ ସ୍ଵରୂପରେ ସେ ମଧ୍ୟ ନଗ୍ନ, ଅଥଚ ସେଇ ସ୍ଵରୂପରେ ସେ ଦିବ୍ୟ, ପୂଜନୀୟା । କିନ୍ତୁ ଆମ ସମୟରେ ଆମେ ତ ସେଇ ଅବସ୍ଥାଠାରୁ ଅନେକ ଆଲୋକବର୍ଷ ଦୂରରେ ଅଛୁ । ଆମର ଅତ୍ୟନ୍ତ ସାଧାରଣ ଭୂମି ନିମନ୍ତେ ପରିଧାନର ଆବଶ୍ୟକତା କେବଳ ଆଦର୍ଶଗତ ଆବଶ୍ୟକତା ନୁହେଁ ବରଂ ସେଇଟି ଏକ ସାମାଜିକ ଆବଶ୍ୟକତା । ନିଃସନ୍ଦେହରେ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହା ଏକ ପ୍ରାଥମିକ ଆବଶ୍ୟକତା ହୋଇ ରହିବ ।

 

ଉଲଗ୍ନ ହେବାକୁ ସଂସ୍କାର କହିବା ଆଗରୁ ନିଜକୁ ଏବଂ ଚାରିପାଖକୁ ଆଗ ସଂସ୍କାର କରିବା ପାଇଁ ପଡ଼ିବ । ଜଂଗଲରେ ନଗ୍ନତା ତା’ର ଆଦିମ ସତ୍ୟ ସ୍ଵରୂପରେ ତିଷ୍ଠି ରହିଛି । ସେଇ ଜଗତରେ ଆରମ୍ଭରୁ ଅନାବୃତ୍ତ ହୋଇ ସମସ୍ତେ ବଢ଼ି ଆସିଥିବାରୁ ନଗ୍ନତା ସେମାନଙ୍କ ପାଇଁ ପ୍ରାକୃତିକ ହୋଇ ରହିଛି । ମଣିଷ ସମାଜରେ ସେମିତି ହୋଇନାହିଁ । ଭୁଲ ହେଉ ବା ଠିକ୍‌ହେଉ ଆମର ଜୀବନ ଆରମ୍ଭରୁ ଆମେ ଆବୃତ୍ତ ହୋଇ ରହିବା ଶିଖିଛୁ । ତେଣୁ ଅଳ୍ପ କେତେଜଣ ଅଳ୍ପାବୃତ୍ତ ବା ଅନାବୃତ୍ତ ହେବା ପାଇଁ ଉଦ୍ୟମ କଲେ ସେଇଟି ଅସ୍ଵାଭାବିକ ମନେହେବ ।

 

ଏଣେ ନଗ୍ନତାକୁ ସାର୍ବଜନୀନ କରିବା ପାଇଁ ଅଭିନବ ଉଦ୍ୟମମାନ ଜାରି ରହିଛି । ଏବେ ସି.ଏନ୍‌.ଏନ୍‌. ପରି ପ୍ରସିନ୍ଧ ସଂସ୍ଥାମାନେ ମଧ୍ୟ ନ୍ୟୁଡ଼୍ ନ୍ୟୁଜ୍‌ଚ୍ୟାନେଲ ଆରମ୍ଭ କଲେଣି । ଇଣ୍ଟରନେଟ୍‌ରେ ନେକେଡ଼୍‌ନ୍ୟୁଜ୍‌ଡଟ୍‌କମ୍‌ଉପଲବ୍ଧ । ନ୍ୟୁଡ଼୍ ନ୍ୟୁଜ୍‌ଚ୍ୟାନେଲରେ ସମ୍ବାଦ ଉପସ୍ଥାପନ ସମୟରେ ସୁନ୍ଦରୀ ପାଠିକା ବେଶ୍‌ସୁନ୍ଦର ପୋଷାକ ପିନ୍ଧି ଆସିଥିବେ । ସେ ସମ୍ବାଦ ପାଠ ଆରମ୍ଭ କରିବେ ଓ ସମ୍ବାଦ ପରିବେଷଣ ସହିତ ପୋଷାକ ଉତାରିବା ଆରମ୍ଭ କରିବେ । ଧରାଯାଉ ପ୍ରଥମେ କୋଟ୍‌, ତା’ପରେ ବାନିଆନ୍‌, ତା’ପରେ ବ୍ରା ଇତ୍ୟାଦି... । କିଛି ସମୟ ଖବର ପଢ଼ି ସାରିବା ବେଳକୁ ସମ୍ବାଦ ପାଠିକା / ଘୋଷିକା ଜଣକ ସଂପୂର୍ଣ୍ଣ ଉଲଗ୍ନ ହୋଇ ସାରିଥିବେ । ସେ ସେମିତି ହସି ହସି ସମ୍ବାଦ ପାଠ କରୁଥିବେ । ଏଇ ଚ୍ୟାନେଲ ଗୁଡ଼ିକ ଚବିଶ ଘଣ୍ଟିଆ ଚ୍ୟାନେଲ ଭାବରେ ମଧ୍ୟ ଉପଲବ୍ଧ । ସି.ଏନ.ଏନ.ପରି ସଂସ୍ଥାର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ପରି ତଥାକଥିତ ଉନ୍ନତ ଦେଶମାନଙ୍କରେ ଅନେକ ଦର୍ଶକ ଏ ପ୍ରକାର ସାଧୁ ଉଦ୍ୟମର ତାରିଫ୍‌କରୁଛନ୍ତି । ଅନୁରୂପ ଭାବେ ଉଲଗ୍ନ ହୋଇ ପୁରୁଷ ପାଠକ / ଘୋଷକମାନେ ମଧ୍ୟ ସମ୍ବାଦ ପରିବେଷଣ କରୁଛନ୍ତି । ଅତ୍ୟନ୍ତ ଚିତ୍ତାକର୍ଷକ ଦୃଶ୍ୟ ! ସି.ଏନ୍‌.ଏନ୍‌.ର ଜଣେ ମୁଖପାତ୍ର କହିଛନ୍ତି ଯେମିତି ସାଧାରଣ ଆମେରିକୀୟଟି ନଗ୍ନତାକୁ ଗ୍ରହଣ କରେ, ସେଥିପାଇଁ ସେମାନେ ପ୍ରୟାସ କରିବେ । ବିଚିତ୍ର ଉଦ୍ୟମ ।

 

ନଗ୍ନତା ନକାରାତ୍ମକ ନୁହେଁ ବୋଲି ଏଇ ପ୍ରବନ୍ଧରେ ଆଗରୁ କୁହାଯାଇଛି । ନଗ୍ନତା ଏକ ସ୍ଵାଭାବିକତା ଏବଂ ପ୍ରାକୃତିକତା ହୋଇ ଆମ ସହିତ ଆରମ୍ଭରୁ ହିଁ ରହିଆସିଛି । ଆମର ବିକାଶ କ୍ରମରେ ଲଜ୍ଜାର ପ୍ରବେଶ ନଗ୍ନତାକୁ ଢାଙ୍କି ରଖିବା ମଧ୍ୟ ଶିଖାଇଛି । ଲଜ୍ଜା ଅନାବୃତ୍ତକୁ ଆବୃତ୍ତ କରିଛି, ମାତ୍ର ଆବରଣଟି ଶରୀରର ସୌନ୍ଦର୍ଯ୍ୟକୁ ପ୍ରତିହତ କରୁନାହିଁ । ଆବରଣମୁକ୍ତ ନହୋଇ ମଧ୍ୟ ଆମ ଶରୀରଟି ତାର ଆକର୍ଷଣକୁ ହରାଇ ଦେଇନାହିଁ, ବରଂ ଆକର୍ଷଣ ଏକ ଅନ୍ୱେଷଣ ହୋଇ ରହୁଛି । କେହି ଅର୍ଦ୍ଧନଗ୍ନ ବା ଉଲଗ୍ନ ହୋଇ ବୋଧହୁଏ ଅଧିକ ମୁକ୍ତ ଅନୁଭବ କରିପାରିବେ ନାହିଁ । ତେବେ ଗତ କେତେବର୍ଷ ଧରି ଅଂଗ ପ୍ରଦର୍ଶନ ପାଇଁ ଏକରକମ ପ୍ରତିଯୋଗିତା ଚାଲିଛି । ଉଲଗ୍ନ ହୋଇ ଆପଣାର ଶାରୀରିକ ସୌନ୍ଦର୍ଯ୍ୟକୁ ବିଜ୍ଞାପିତ କଲାବେଳେ କେହି କ’ଣ ସତରେ ନିଜକୁ ମୁକ୍ତ ମନେ କରୁଛନ୍ତି ? ଉଲଗ୍ନ ହେବାକୁ ଆପଣାର ଅଧିକାର ମନେ କରି ସେଇ ଦୃଷ୍ଟିରୁ ସେମାନେ କ’ଣ ସେମାନଙ୍କର ସ୍ଵାଧୀନତାକୁ ଅଧିକ ସ୍ପଷ୍ଟ କରିବା ପାଇଁ ସତରେ ଚେଷ୍ଟା କରୁଛନ୍ତି ? ସେମାନେ କ’ଣ ସତରେ ଏତେ ଉଦାର ଏବଂ ଏତେ ପ୍ରଶସ୍ତ ଯେ ସେମାନେ ମନେ କରୁଛନ୍ତି ? ସହସ୍ରବର୍ଷ ଧରି ଆମଠୁଁ ଅଭିନ୍ନ ହୋଇ ତିଷ୍ଠି ରହିଥିବା ଲଜ୍ଜାଟି କେବଳ ମାତ୍ର ଏକ ସଂସ୍କୃତିଗତ ପରିଣତି ? ଆପଣାକୁ ଅଧିକ ଅନ୍ତରଙ୍ଗ ଭାବେ ଉପଲବ୍ଧି କରିବା ପାଇଁ ଉଲଗ୍ନ ହେବାଟି କ’ଣ ଏକ ଚେତନାଗତ ଉତ୍ତରଣ ?

 

ନଗ୍ନ ହେବାର ପ୍ରାକୃତିକ ଭୂମି ମଧ୍ୟ ଏକ ସାଧନାର ଭୂମି । ସେଇଠି ଈଶ୍ୱର ନିତ୍ୟ ନଗ୍ନ-। ନିତ୍ୟ ସୁନ୍ଦର । ସେଇ ପରିଧିରେ ସବୁ ଆଦିମ-ପ୍ରକୃତି, ପ୍ରାଣୀ ଓ ଜୀବନ । ଅଥଚ ସେଠି ଜାଣିଜାଣି କେହି ଉଲଗ୍ନ ହେବାର ଚେଷ୍ଟା କରନ୍ତି ନାହିଁ ବା ସେଥିପାଇଁଆପଣାକୁ ଧନ୍ୟ ମନେ କରନ୍ତି ନାହିଁ । ସେଠି ଟିଭି ଚ୍ୟାନେଲ ମଧ୍ୟ ନାହିଁ ।

Image

 

ଓଡ଼ିଆ ସାହିତ୍ୟରେ ଦେହର ପ୍ରବେଶ

 

ଏଥର ଦଶହରାରେ ବେଶ୍‌କିଛି ସାହିତ୍ୟ ପତ୍ରିକା ବଜାରକୁ ଆସିଛି । ସମ୍ଭବତଃ ପଚାଶରୁ କମ୍‌ନୁହେଁ । ଅବଶ୍ୟ କେତେକ ପତ୍ରିକା ବର୍ଷରେ ଥରେ ଦୁଇଥର ଆତ୍ମପ୍ରକାଶ କରନ୍ତି । ଶାରଦୀୟ / ପାର୍ବଣ ଓ ବିଷୁବ ସଂଖ୍ୟା ଭାବରେ । ଆଉ କେତୋଟି ପତ୍ରିକା ବର୍ଷରେ ଥରେ ପ୍ରକାଶ ପାଆନ୍ତି । ଖାସ୍‌ଦଶହରାରେ । ଯେଉଁ ପାଠକମାନେ ଓଡ଼ିଆ ପତ୍ର-ପତ୍ରିକା ଆଦୌ ପଢ଼ନ୍ତି ନାହିଁ ସେମାନଙ୍କ ଭିତରୁ କେତେ ଜଣ ଅନ୍ତତଃ ଦଶହରାବେଳେ ପତ୍ରିକା ଖଣ୍ଡେ କିଣିବାପାଇଁ ମନ ବଳାଇଥା’ନ୍ତି । ପୂଜା ସଂଖ୍ୟା ପତ୍ରିକାମାନଙ୍କର କଳେବର ନିୟମିତ ସଂଖ୍ୟା ତୁଳନାରେ ନିଆରା ହୋଇଥାଏ । ଅଧିକାଂଶ ପତ୍ରିକା ବେଶ୍‌ମୋଟା-ସୋଟା ହୋଇଥାନ୍ତି । ପ୍ରଚ୍ଛଦ ପ୍ରାୟ ଆକର୍ଷଣୀୟ ହୋଇଥାଏ । ପୂଜା ବିଶେଷାଙ୍କରେ ତୁଳନାତ୍ମକ ଭାବେ ଭଲଭଲ ଲେଖା ପ୍ରକାଶ ପାଇଥାଏ । ଅନ୍ତତଃ ସେମିତି ଚେଷ୍ଟା କରାଯାଇଥାଏ । ବରିଷ୍ଠ ଓ ତରୁଣ ସାହିତ୍ୟିକ ସମସ୍ତେ ଲେଖିଥାଆନ୍ତି । ଏଥର ମଧ୍ୟ ସେମିତି ଘଟିଛି, ଯଦିଓ ପୂର୍ବ ବର୍ଷମାନଙ୍କଠାରୁ ଏବର୍ଷ ଅଧିକ ପତ୍ରିକା ପ୍ରକାଶ ପାଇଛି ବୋଲି ମନେହୁଏ । ଆମ ସାହିତ୍ୟ ପାଇଁ ଏହା ନିଶ୍ଚିତ ଭାବରେ ଶୁଭ ସୂଚନା ।

 

ଏତେ ପତ୍ରିକା କେମିତି ସବୁ ବିକ୍ରି ହେଉଛି ? ଲୋକେ କିଣୁଛନ୍ତି ? କେତେକ ନିର୍ଦ୍ଦିଷ୍ଟ ପତ୍ରିକା ସାହିତ୍ୟର ନିର୍ଦ୍ଦିଷ୍ଟ ବିଭାଗ ଉପରେ ଅଧାରିତ ହୋଇ ରହିଛି । କେତୋଟି ସାହିତ୍ୟ ପଦ୍ରିକା ଖାସ୍‌ଗଳ୍ପକୁ ନେଇ । ସେଇ ପତ୍ରିକାମାନଙ୍କରେ ପ୍ରାୟତଃ ଗଳ୍ପ / ଉପନ୍ୟାସ ହିଁ ପ୍ରକାଶ ପାଇଥାଏ । ଆଉ କେତୋଟି ପତ୍ରିକା ଖାସ୍‌କବିତା ପ୍ରକାଶ କରନ୍ତି, ଯଦିଓ କବିତା ସଂପର୍କୀୟ ଆଲୋଚନା ମଧ୍ୟ ସେଇସବୁ ପତ୍ରିକାରେ ସ୍ଥାନିତ ହୋଇଥାଏ । କେତେକ ପତ୍ରିକା ମୁଖ୍ୟତଃ ପ୍ରବଂଧ / ଆଲୋଚନାଧର୍ମୀ, ଅର୍ଥାତ୍‌ସେଇସବୁ ପତ୍ରିକାରେ ପ୍ରବଂଧ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ। ଆଉ କେତେକ ପତ୍ରିକାକୁ ‘ପାରିବାରିକ ପତ୍ରିକା’ କୁହାଯାଉଛି । ଏମିତି ଦେଖିଲେ କ’ଣ ପାଇଁ ସେଇସବୁ ପତ୍ରିକାମାନଙ୍କୁ ପାରିବାରକ ପତ୍ରିକା କୁହାଯାଉଛି ଏହାର ନିର୍ଦିଷ୍ଟ କାରଣ ନାହିଁ । ସେଇ ଦୃଷ୍ଟିରୁ ଅନ୍ୟ ସାହିତ୍ୟ ପତ୍ରିକାଗୁଡ଼କୁ କ’ଣପାଇଁ ପାରିବାରିକ ପତ୍ରିକା କୁହାଯିବ ନାହିଁ ବା ଅନ୍ୟ ଅର୍ଥରେ ତଥାକଥିତ ଅଣପାରିବାରିକ ପତ୍ରିକାଗୁଡ଼ିକ କ’ଣ ପରିବାର ବାହାରେ ବିଦ୍ୟମାନ-ଏମିତି ଏକ ଯୁକ୍ତିର ଭୂମିଟଏ ମଧ୍ୟ ନାହିଁ । ଯଦି ବ୍ୟାବସାୟିକ ଦୃଷ୍ଟିରୁ ତଥାକଥିତ ପାରିବାରିକ ପତ୍ରିକାରେ ଗଳ୍ପ, କବିତା, ଫିଚର୍‌ଠାରୁ ଆରମ୍ଭ କରି ଘରକରଣା, ଶିଶୁର ଯତ୍ନ ଇତ୍ୟାଦି କଥା ପ୍ରକାଶ ପାଉଥାଏ, ସେଇ ଦୃଷ୍ଟିରୁ ସେସବୁ ପତ୍ରିକାକୁ ପରିବାରର ସବୁ ସଭ୍ୟ ପଢ଼ି ପାରିବେ ଓ ସେଥି ନିମନ୍ତେ ସେସବୁ ପାରିବାରିକ ପତ୍ରିକା ହୁଅନ୍ତି ତେବେ ଏ ନେଇ କିଛି ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ । ସଂକ୍ଷେପରେ ଧରି ନେବାପାଇଁ ହେବ ଯେ ବଜାରରେ ଭଲ ବ୍ୟବସାୟ କରିବା ପାଇଁ ଏବଂ ଲୋକପ୍ରିୟତା ନିମନ୍ତେ ଏହା ଏକ ସଫଳ ଉଦ୍ୟମ । ଆଉ କିଛି ପତ୍ରିକା ଅଛି ଯାହା ଅନୁବାଦ ସାହିତ୍ୟକୁ ଭିତ୍ତି କରି ପ୍ରକାଶ ପାଉଛି । ଏଇ ଶ୍ରେଣୀ ବିଭାଗ ବାହାରେ ମଧ୍ୟ କିଛି ପତ୍ରିକା ଅଛି ଯେଉଁଥିରେ ସବୁ ଅଛି । ଗଳ୍ପ, କବିତା, ଉପନ୍ୟାସ, ଅନୁବାଦ, ଆଲୋଚନା ଇତ୍ୟାଦି ।

 

ଏଥର ଅଧିକାଂଶ ପୂଜା ପତ୍ରିକା ଗୁଡ଼ିକର ପ୍ରଚ୍ଛଦ ଆକର୍ଷଣୀୟ ହୋଇଛି । ମୁଦ୍ରଣ ପରିପାଟୀ ପରିଛନ୍ନ । ବ୍ୟବହାର କରାଯାଉଥିବା କାଗଜ ମଧ୍ୟ ଭଲ । ପ୍ରାୟ ପତ୍ରିକା ଲେଟର ପ୍ରେସ୍‌ରେ ମୁଦ୍ରିତ ହୋଇନାହିଁ, ଅଫସେଟ୍‌ପ୍ରେସ୍‌ରେ ଛାପା ହୋଇଛି । ଗୋଟିଏ ନିର୍ଦ୍ଦିଷ୍ଟ ପତ୍ରିକାର ବିକ୍ରୟପାଇଁ ସ୍କ୍ରାଟ୍‌କାର୍ଡର ଲୋଭନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଉ ଗୋଟିଏ ପତ୍ରିକା ସହିତ ଓଡ଼ିଆ କ୍ୟାସେଟ୍‌ ଦିଆଯାଉଛି । ଆଉ ଗୋଟିଏ ଗୁରୁତପୂର୍ଣ୍ଣ ବିଷୟ ହେଉଛି ଏଥର ପ୍ରକାଶ ପାଉଥିବା କୌଣସି ପୂଜା ବିଶେଷାଙ୍କ ମୂଲ୍ୟ ମାତ୍ରାଧିକ ରଖାଯାଇନାହିଁ ଯାହା ଜଣେ ପାଠକ ନିମନ୍ତେ ପ୍ରତିବନ୍ଧ ସୃଷ୍ଟି କରିବ । ଏସବୁ ସତ୍ତ୍ୱେପୂଜା ସଂଖ୍ୟାଗୁଡ଼ିକର ବିକ୍ରି ଆଶାଜନକ ଭାବେ ହେଉନାହିଁ । ବୃହତ୍ତର ଭାବରେ ଓଡ଼ିଆ ସାହିତ୍ୟ ପ୍ରତି ପାଠକୀୟ ଶ୍ରଦ୍ଧାର ଅଭାବ ଏହାର ଗୋଟିଏ କାରଣ ହୋଇପାରେ ଯାହା ଉଣା ଅଧିକେ ଅନ୍ୟ କେତେକ ଭାରତୀୟ ଭାଷାର ସମସାମୟିକ ସାହିତ୍ୟପତ୍ରିକାମାନଙ୍କ କ୍ଷେତ୍ରରେ ମଧ୍ୟ ସତ୍ୟ । ତେବେ ଏଥର କେତୋଟି ସାହିତ୍ୟ ପତ୍ରିକା ସମକାଳୀନ ଅନ୍ୟାନ୍ୟ ପତ୍ରିକାମାନଙ୍କ ତୁଳନାରେ ଅଧୂକ ବିକ୍ରି ହେଉଛି । ଏହି କଥାଟିର ଆପେକ୍ଷିକ ସତ୍ୟତାକୁ ଜାଣିବା ପାଇଁ ମୁଁ ରାଜଧାନୀର କେତୋଟି ମୁଖ୍ୟ ପତ୍ରିକା ଷ୍ଟଲ୍‌ମାନଙ୍କର ମତାମତ ନେଇଥିଲି । କେତେଜଣ ବନ୍ଧୁଙ୍କୁ ଏ ସମ୍ପର୍କରେ ପଚାରିଥିଲି । ଯଦିଓ ମୋର ଏହି ଅନୁସଂଧାନ ଓ ଅନୁଶୀଳନ ଯଥେଷ୍ଟ ସୀମିତ ପରିସରକୁ ଆଧାର କରିଥିଲା ଏକଥା ଅନ୍ତତଃ ସ୍ପଷ୍ଟ ହୋଇ ଆସିଥିଲା ଯେ ଆମ ସମୟର ଏକ ବୃହତ୍ତର ପାଠକୀୟ ଅନୁସନ୍ଧିତ୍ସା ଏବେଏବେ ସାହିତ୍ୟରେ ‘ଦେହ’ କୁ ନେଇ ବିଭୋର । ଅର୍ଥାତ୍ ଯେଉଁ ଯେଉଁ ପତ୍ରିକାରେ ଲେଖକ ଏକ ନିର୍ଦ୍ଦିଷ୍ଟ ଗଳ୍ପ / ଉପନ୍ୟାସରେ ଦେହ ଓ ଦେହର ପରିଭାଷାକୁ ନେଇ ମୁକ୍ତ ଆଲୋଚନା କରିଛନ୍ତି ବା ବୋଲ୍ଡ ହୋଇଛନ୍ତି ସେହି ସବୁ ଲେଖାର / ପତ୍ରିକାର ଚାହିଦା ତୁଳନାତ୍ମକ ଭାବେ ବଢ଼ିଛି (?) ଏହି ଚାହିଦା କୁଆଡ଼େ ତରୁଣ ପାଠକମାନଙ୍କରେ ମଧ୍ୟରେ ସୀମିତ ନରହି ଆଗକୁ ଯାଇଛି । ଅର୍ଥାତ ଆମର ବୟସ୍କମାନେ ମଧ୍ୟ ଦେହର କଦର୍ କରିବା ପାଇଁ ପଛାଉନାହାନ୍ତି । ଜଣେ ପୁସ୍ତକ ବିକ୍ରେତା କହିଲେ, ଆଉ ସେହି ଶୈଳୀର ଗଳ୍ପ ବା ଉପନ୍ୟାସକୁ କେହି ତାରିଫ୍ କରୁନାହାନ୍ତି ଯେଉଁଠି ଝାପ୍‌ସା ଅନ୍ଧାରରେ ନଚେତ୍ ଏକ ନିରୋଳା ପରିବେଶରେ ଗଳ୍ପର ନାୟକକୁ ନାୟିକାର ଆଖିଯୋଡ଼ିକ ଢ଼ଳଢ଼ଳ ଦିଶୁଥିବ । ଖଣ୍ଡେ ଦୂରରୁ ପ୍ରେମିକଟି ତା’ର ଦେହର ଭୂଗୋଳକୁ ଅନୁମାନ କରବାର ପ୍ରୟାସ କରୁଥିବ ବା ଅତି ବେଶୀରେ ସେ ତାର ପ୍ରେମିକାକୁ ଚୁମାଟିଏ ଦେଇ ପାଇବାପାଇ ସକ୍ଷମ ହେବ । ସେହି ପୁସ୍ତକ / ପତ୍ରିକାକୁ ପାଠକ ଖୋଜୁଛନ୍ତିଯେଉଁଠି କୌଣସି ଏକ ଗଳ୍ପରେ / ଉପନ୍ୟାସରେ ନାୟକଟି ଭାରି ବୋଲ୍ଡ କଦମ୍‌ପକାଇଛି । ଅଥାତ୍, ସେ ପ୍ରେମିକାର ଭସାଭସା ଆଖିକୁ ଦେଖି କେବଳ ସ୍ଵପ୍ନ ବିଭୋର ହେଉନାହିଁ, ପ୍ରେମିକାର ଦେହର ଭୂଗୋଳକୁ ଦୂରରୁ ପଢ଼ୁ ନାହିଁ, ବରଂ ଅପେକ୍ଷାକୃତ ଅଳ୍ପ ସମୟରେ ଏକ ତତ୍‌କ୍ଷଣାତ ସଂଭୋଗରେ ଲିପ୍ତ ହେଉଛି । ଦେହର ଭୂଗୋଳକୁ ପଢ଼ିବା ପାଇଁ ସେ କୌଣସି ଗାଇଡ଼୍‌ର ସାହାଯ୍ୟ ନେଉନାହିଁ । ଏହି ମୁକ୍ତ ସମ୍ଭୋଗର ପରିଧି ଭିତରେ ରହିଛି ପରକୀୟା ପ୍ରୀତି / ବୈବାହିକ ଜୀବନର ସ୍ଖଳନ / ବୃତ୍ତିଗତ ଜୀବନରେ ପ୍ରେମ ଅନୁଭୂତି ଇତ୍ୟାଦି । ଏହି ପ୍ରସଙ୍ଗରେ ଆଉ ଜଣେ ବନ୍ଧୁ କହିଲେ, ଅନେକ ପ୍ରତିଷ୍ଠିତ ଲେଖକ ଅଛନ୍ତି ଯେଉଁମାନେ ଦୋମୁହାଁ-ଭାରି ଡରୁଆ । ସେମାନଙ୍କ ସାହିତ୍ୟରେ ନାୟକ / ନାୟିକାମାନଙ୍କର ସମସ୍ତ କାମନା ସତ୍ତ୍ୱେ ସେମାନେ ନିଜନିଜ ଠାରୁ ଅଯଥା ଦୂରତ୍ୱ ରକ୍ଷାକରି ଭିତରେ ଭିତରେ ଅସନ୍ତୁଷ୍ଟ ହୋଇ ରହିଥା’ନ୍ତି । ସେହି ନାୟକ ଗଡ଼ାକ ପ୍ରେମିକା ଦେହର ଏକ ଅନ୍ତରଙ୍ଗ ଅଞ୍ଚଳରେ କଳାଜାଇ ମାନଙ୍କୁ ପ୍ରାୟ ଆବିଷ୍କାର କରିପାରନ୍ତି ନାହିଁ, କେବଳ ଦୂରରୁ ଭକୁଆ ହୋଇ ଜଳଜଳ ଚାହିଁଥା’ନ୍ତି । ସେମାନେ ଖୁବ୍ ବେଶିରେ କେବଳ ସ୍ଵପ୍ନ ଦେଖନ୍ତି, ଯଦିଓ ବାସ୍ତବରେ ଗୋଟାଏ ଆଲିଙ୍ଗନ ମଧ୍ୟରେ ସେମାନଙ୍କ ପ୍ରେମଟା ନିଶେଃଷ ହୋଇଯାଏ । ଆପଣା ଭିତରେ ଆତଙ୍କିତ ହୋଇରହିଥିବା ଏହି ତଥାକଥିତ କଥାକାରମାନେ ଯଥାର୍ଥରେ ମୁକ୍ତ ନୁହନ୍ତି। ବର୍ତ୍ତମାନର ପାଠକ ସେମାନଙ୍କୁ ଆଉ ପସନ୍ଦ କରୁନାହାନ୍ତି, କାରଣ ଆଜିର ପାଠକ ଅଧିକ ବାସ୍ତବ-ଧର୍ମୀ । ତେଣୁ ସେ ଦେହକୁ ପ୍ରାଧାନ୍ୟ ଦେଉଛି । ତା’ପାଇଁ ଭସାଭସା ଆଖି ନିଶ୍ଚୟ ମୂଲ୍ୟବାନ, ମାତ୍ର କେବଳ ସେଇ ଆଖିର ସ୍ମୃତିରେ ସେ ତିଷ୍ଠି ରହିପାରିବ ନାହିଁ । ବନ୍ଧୁ ଜଣକ ଆହୁରି ମଧ୍ୟ କହିଲେ, ସ୍ୟୁଡୋ ମୂଲ୍ୟବୋଧର ମାନେ କ’ଣ ? ଯେଉଁମାନେ ଆମ ସାହିତ୍ୟରେ ପ୍ରଣୟକୁ, ଅଭିସାରକୁ ଓ ସମ୍ଭୋଗକୁ ଏ ଯାବତ୍ ଉହ୍ୟ କରି ରଖିଛନ୍ତି ସେମାନେ ଦୁର୍ବଳ ଓ ଭୀରୁ । ସେମାନଙ୍କ ସମୟ ସରିଯାଇଛି। ଏଣିକି ଦେହର ରାଜୁତି ।

 

ଦେହ ଯଦିଓ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଏତେ ବଡ଼ ବିତର୍କ ଭିତରକୁ ଚାଲିଆସିଛି ବୋଲି ମୋର ବ୍ୟକ୍ତିଗତ ଧାରଣା ନୁହେଁ ଏହା ଅବଶ୍ୟ ସତ୍ୟ ଯେ ଆଗ ଅପେକ୍ଷା ଦେହର ମୁକ୍ତ ପ୍ରବେଶକୁ ଆମ ସାହିତ୍ୟରେ ବାରି ହୋଇପଡ଼ିଛି । ଆମ ଭିତରୁ କେତେକ ଦେହର ଏହି ମୁକ୍ତ ପ୍ରବେଶକୁ ସିଧାସଳଖ ବିରୋଧ କରିନଥିଲେହେଁ ପରିବର୍ତ୍ତିତ ପରିସ୍ଥିତିରେ ଦେହର ଦାହକୁ ସେମିତି ଭଲ ଆଖିରେ ଦେଖି ନାହାନ୍ତି । ସେମାନଙ୍କ ବିରୋଧର ଯେ ଯୁକ୍ତିନିଷ୍ଠତା ନାହିଁ, ଏକଥା କହି ହେବନାହିଁ । ସେମାନେ ଦେହର ଅସ୍ତିତ୍ୱକୁ ସ୍ଵୀକାର କରନ୍ତି । ଦେହର ଦହନକୁ, ଭୋକକୁ ମଧ୍ୟ ସ୍ଵୀକାର କରନ୍ତି । ଦେହର ପୃଥକ ପରିଭାଷା ଅଛି, ଏ ସଂପର୍କରେ ସେମାନେ ମଧ୍ୟ ସଚେତନ, ମାତ୍ର ଦେହ ନାଁରେ ଦେହର ଭୂଗୋଳ ସହିତ ପରିଚିତ ହେବାର ନୂତନ ଶୈଳୀ, ହୁଏତ ଏକ ଉଲ୍ଲଂଗ ଆବେଗର ସାର୍ବଜନୀନ ପ୍ରବେଶ ତଥା ପ୍ରଚାରକୁ ସେମାନେ ବିରୋଧ କରନ୍ତି । ଦେହର ଦହନଠାରୁ ମନର ଉତ୍ତରଣ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହନ୍ତି । ସେହି ଦୃଷ୍ଟିରୁ ସେମାନେ ସାହିତ୍ୟରେ ଦେହ ନାଁରେ କାମନାର ଆଗ୍ନେୟ ଅନୁପ୍ରବେଶକୁ ଅଶ୍ଳୀଳତାର ଆଖ୍ୟା ଦିଅନ୍ତି ।

 

ସାହିତ୍ୟରେ ଦେହ ସଂପର୍କରେ ମୁକ୍ତ ବିଚାର ରହିଲେ ବା ପୁରୁଷ-ସ୍ତ୍ରୀର ସଂପର୍କ ଅଧିକ ମୁକ୍ତ ହୋଇ ଆଲୋଚିତ ହେଲେ ସାହିତ୍ୟକୁ ଅଶ୍ଳୀଳ ବୋଲି ଆଦୌ କହିହେବ ନାହିଁ । ସେଇ ଦୃଷ୍ଟିରୁ ଦେହ ଆଦୌ ନେଗେଟିଭ୍‌ ନୁହେଁ ଯାହାକୁ ଘୃଣା କରାଯାଇପାରିବ । ଦେହଟା ଘରର ନର୍ଦ୍ଦମା ମଧ୍ୟ ନୁହେଁ, ଘର ପଛପଟ ଖତଗଦାବି ନୁହେଁ, ଡଷ୍ଟବିନ୍‌ ନୁହେଁ [ଘରେ ନର୍ଦ୍ଦମାର ମଧ୍ୟ ଏକ ସ୍ଵତନ୍ତ୍ର ସ୍ଥାନ ଅଛି; ନର୍ଦ୍ଦମାଟି ଆମ ଲିଭିଂ ରୁମ୍‌ ପରି, ରୋଷେଇଘର ପରି ଏକ ଆବଶ୍ୟକତା ହୋଇ ମୂଳ ଘରଟି ସହିତ ସେଇ ଏହା ପରିଧିରେ ତିଷ୍ଠି ରହିଛି, ଏଇ ପ୍ରକାର ଯୁକ୍ତି ମଧ୍ୟ ସମ୍ଭବ । ପ୍ରସଂଗ ହେଉଛି ଆମ ସାହିତ୍ୟରେ (ଓଡ଼ିଆ ସାହିତ୍ୟ) ଦେହ ସମ୍ପର୍କରେ ଏକ ମୁକ୍ତ ଆଲୋଚନାକୁ ନେଇ ।

 

ଦେହ ଅବଶ୍ୟ ରହିଛି । ଦେହର ଭୋକ ରହିଛି, ମାତ ଦେହର ଭୋକ ସାହିତ୍ୟରେ ଚରିତ୍ରମାନଙ୍କର ମାନସିକତା ହୋଇ ରହିନାହିଁ । ଦେହ ତଥା ଦୈହିକ କାମନା / କ୍ରିୟାର ଏତେ ଜୀବନ୍ତ ଆଲେଖ୍ୟ ନଥାଇ ମଧ୍ୟ ଆମ ସାହିତ୍ୟ ବେଶ୍‌ କଥାକୁହା ସାହିତ୍ୟ ହୋଇ ରହିଛି । ଦେହ ଉହ୍ୟ ହୋଇ ରହିଛି, ଅନ୍ତର୍ଦ୍ଧାନ ହୋଇନାହିଁ । ପାଠକ ଥରେ ଥରେ ନିର୍ଦ୍ଦିଷ୍ଟ ସ୍ଥଳରେ ଦେହର ଝାପ୍‌ସା, ଅସ୍ପଷ୍ଟ ବର୍ଣ୍ଣନା ପାଇଛି; ସେଇ ବର୍ଣ୍ଣନାଟି ଅପରିପୂର୍ଣ୍ଣ ଅସଂପୂର୍ଣ୍ଣ ମନେ ହେବାରୁ ଛୋଟ ଧକ୍କାଟିଏ ହୁଏତ ପାଇଛି, ତଥାପି ଏଇ ଶୂନ୍ୟତାକୁ ଆପାତତଃ ସାମୟିକ ଭାବେ ସେ ଅନୁଭବ କରିଛି । ପାଠକ ଅଟକି ଯାଇନାହିଁ । ସେଇ ଶୂନ୍ୟତାକୁ ଅତିକ୍ରମି ଯାଇଛି । ଦେହକୁ ଓ ଦେହଜ ପ୍ରକ୍ରିୟାକୁ ଗୋଟାପଣେ ଛାଡ଼ିଦେଇ ଯାଇନାହିଁ । ଦେହକୁ ସାଂଗରେ ଧରି ଯାଉଛି । ହୁଏତ କେତେକାଂଶରେ ଏକ ସଂସ୍କୃତିଗତ, ପରଂପରାଗତ ତଥା ରକ୍ଷଣଶୀଳ ଜୀବନଚର୍ଯ୍ୟା ଆମ ସାହିତ୍ୟରେ ଦେହକୁ ନେଇ ଏକ ଅପେକ୍ଷାକୃତ ମୁକ୍ତ ବିଚାରକୁ ପ୍ରତିହତ କରିଛି । ହୁଏତ ସେଇଟି ସେଇ ସମୟର ଏକ ଆବଶ୍ୟକତା ହୋଇ ଥାଇପାରେ । ହୁଏତ ତତ୍‌କାଳୀନ ରକ୍ଷଣଶୀଳ ସମାଜ ଓ ସମୟର ଏକ ସଙ୍କେତ ହୋଇ ଥାଇପାରେ । ତେବେ ଆମ ସମୟର ମୁକ୍ତ ଆବହାୱାରେ କ’ଣ ସେଇ ସମୟର ଅବଶୋଷ, ଅତୃପ୍ତି ଏକ ଭୟଙ୍କର ଆବେଗରେ ଆପଣାକୁ ପରିପ୍ରକାଶ କରୁଛି ? ଆମ ସାମ୍ପ୍ରତିକ ସାହିତ୍ୟରେ ଦେହର ଏଇ ନୂତନ ଉତ୍ତରଣ କ’ଣ ପରୋକ୍ଷରେ ଆମରି ଅବଶୋଷର ଛାଇ ? ଆମର ରୁଦ୍ଧ, ସଂକ୍ଷେପିତ ଆବେଗର ପ୍ରେତାତ୍ମା ? କେତେକାଂଶରେ ହୁଏତ ଏହା ସତ୍ୟ ହୋଇପାରେ । ଯଦି ଏହାହିଁ ସତ୍ୟ ବା ସତ୍ୟର ଏକ ପ୍ରମୁଖ ସ୍ଵରୂପ ତେବେ ଦେହର ଏଇ ମୁକ୍ତ ପ୍ରବେଶ କେତେଦିନ ଧରି ଅବ୍ୟାହତ ରହିବ । ହୁଏତ ଦେହକୁ ସାହିତ୍ୟରେ ଅଧିକ ପ୍ରାସଂଗିକ କରାଯିବ, ଶାରୀରିକ ସଂପର୍କକୁ ଅଧିକ ଗୁରୁତ୍ଵ ଦିଆଯିବ । ଆମ ଉପନ୍ୟାସର ପ୍ରଚ୍ଛଦପଟରେ ପୁରୁଷ ବା ସ୍ତ୍ରୀର ପୁଂଙ୍ଗୁଳା ଦେହ ଅଧିକ ପ୍ରାଣବନ୍ତ ହୋଇ ଉଭାହେବେ । କାରଣ ଏହା ଏକ ଐତିହାସିକ ସତ୍ୟ । ସାହିତ୍ୟରେ ଯାହା ଗୋଟିଏ କାଳରେ, ସମୟଖଣ୍ଡରେ ପ୍ରତବଂଧିତ ହୋଇ ରହିଥାଏ, ଶିକୁଳି ଲଗାଯାଇ ରହିଥାଏ, ସେଇଟି ଏକ ପରିବର୍ତ୍ତିତ ପରସ୍ଥିତିରେ / କାଳରେ-/ ଅନୁକୂଳ ସମୟରେ ଅଧିକ ଭାବପ୍ରବଣ ହୋଇ, ଉନ୍ମୁକ୍ତ ହୋଇ ଆତ୍ମପ୍ରକାଶ କରେ । ହିଟ୍‌ଲର୍‌ଙ୍କ ସମୟର ଜର୍ମାନ ସାହିତ୍ୟ ଓ ଯୁଦ୍ଧୋତ୍ତର ଜର୍ମାନ ସାହିତ୍ୟ ଏହାର ଏକ ଉଦାହରଣ ହୋଇପାରେ । ଜର୍ମାନୀ ବାହାରେ, ଲାଟିନ୍‌ ଆମେରିକାରେ, ଦକ୍ଷିଣ ଆଫ୍ରିକାରେ ଓ ଆମ ଦେଶରେ ଅନେକ ଉଦାହରଣ ରହିଛି ଯେଉଁଠି ଏକ ନିର୍ଦ୍ଦିଷ୍ଟ ସମୟରେ ସାହିତ୍ୟ ଉପରେ ମାତ୍ରାଧିକ ଅଙ୍କୁଶ ଲାଗିଛି । ଦୀର୍ଘଦିନ ଧରି ଅତ୍ୟାଚାରିତ ରହିବାପରେ ଯେତେବେଳେ ଉପଯୁକ୍ତ ସମୟ ଆସିଛି ସେତେବେଳେ ସେଇ ସବୁ ସାହିତ୍ୟ ଅଗ୍ନିବର୍ଷା କରିଛନ୍ତି । ସେଇ ଅଗ୍ନିବର୍ଷା ସାହିତ୍ୟରେ ଥରେ ଥରେ ଅମରତ୍ୱ ଆଣିଛି, କ୍ରାନ୍ତି ଆଣିଛି । ସେକଥା ଭିନ୍ନ । ତେବେ ଆମ ଇତିହାସ ଆମ ସାହିତ୍ୟପାଇଁ ବୋଧହୁଏ ଏପ୍ରକାର ଅନ୍ତରାୟ (ଦେହପାଇଁ) କୌଣସି ସମୟରେ ସୃଷ୍ଟି କରି ନାହିଁ । ତେଣୁ ଅପେକ୍ଷାକୃତ କମ୍‌ ସମୟ ଭିତରେ ଆମ ସାହିତ୍ୟରେ ଦେହର ଏଇ ଉଗ୍ର ପ୍ରବେଶ ଆମକୁ ଟିକିଏ ଅସଂଗତ ମନେହେଉଛି । ଅଧିକ ସ୍ପଷ୍ଟ କରି କହିଲେ, ବୋଧହୁଏ କୌଣସି ସମୟରେ ଆମ ସାହିତ୍ୟରେ ଦେହକୁ ସଂପୂର୍ଣ୍ଣ ଭାବେ ବିରୋଧ କରାଯାଇନଥିଲା । ପର୍ଦ୍ଦାଟିଏ ଯଦିଓ ବିଦ୍ୟମାନ ଥିଲା । ଅତଏବ ଦେହର ତଥାକଥିତ ‘ବୋଲ୍‌ଡ଼’ ପ୍ରବେଶ ଟିକେ ଖାପଛଡ଼ା ମନେହେଉଛି ।

 

ଆମ ପୀଢ଼ିର କେତେଜଣ ଲେଖକ ଦେହର ପ୍ରବେଶକୁ ସ୍ଵାଗତ କରି ଦେହପାଇଁ ରୀତିମତ ଓକିଲାତି କରିବା ଆରମ୍ଭ କରିଦେଇଛନ୍ତି । ସେମାନେ ଏଇ ଧାରାଟିକୁ ଏକ ଲଘୁ ବିପ୍ଳବ ମଧ୍ୟ ଜ୍ଞାନ କରୁଛନ୍ତି । ଦେହର ଚିତ୍ରକୁ ଆହୁରି ବଳିଷ୍ଠ କରି ଆଙ୍କିବା ପାଇଁ ସେମାନେ ତୂଳୀ ଧରିଛନ୍ତି-। ଲେଖକର କାନ୍‌ଭାସ୍‌ଟିକୁ ଦେହମୟ କରିଦେବା ପାଇଁ ମନ କରିଛନ୍ତି । ଇନ୍ଦ୍ରିୟମାନଙ୍କର କ୍ଷେତ୍ରଗୁଡାକୁ ସେମାନେ ବିସ୍ତାରିତ କରିଦେବା ପାଇଁ ଚାହୁଁଛନ୍ତି । ଆମ ସ୍ଥିତି ବା ସତ୍ତା କହିଲେ ସେମାନେ ‘ଦେହର ଫିପ୍‌ଟି ଓ ମନର ଫିପ୍‌ଟି’ ବୁଝୁଛନ୍ତି । ଦେହଟା ମନଠାରୁ କୌଣସି ଗୁଣରେ ଊଣା ନୁହେଁ ବରଂ ମନଠାରୁ ମଧ୍ୟ ଦେହ ଅଧିକ ଗୁରୁତ୍ୱପୂର୍ଣ୍ଣ, ଏକଥା ବରାବର କହୁଛନ୍ତି । ଦେହ ଏକ ଜୀବନ୍ତ ଉପସ୍ଥିତି, ଦେହର ଭୂଗୋଳ, ଦେହର ଭୋକ ସେଇ ଦୃଷ୍ଟିରୁ ଏକ ବୃହତ୍ତର ବାସ୍ତବିକତା ବୋଲି ସେମାନେ ଯୁକ୍ତି କରୁଛନ୍ତି । ଦେହର ଏକ ମୁକ୍ତ ବର୍ଣ୍ଣନା ସାହିତ୍ୟରେ ଆଦୌ ଅସଂଗତ ନୁହେଁ ବରଂ ସେଇଟି ଭାରି ପ୍ରାକୃତିକ ଏକଥା ସେମାନେ କହୁଛନ୍ତି । ମନ ଅପେକ୍ଷା ଦେହର ଭୂମିଟା ଅଧିକ ବାସ୍ତବ, ଅତଏବ ଦେହ ଏକ ସିଂହଭାଗ ଦାବୀ କରିବାର ହକ୍‌ଦାର ବୋଲି କହୁଛନ୍ତି । ଏଇ ପରିପ୍ରେକ୍ଷୀରେ ଆମ ଗଳ୍ପ ବା ଉପନ୍ୟାସମାନଙ୍କରେ ପୁରୁଷ-ସ୍ତ୍ରୀ ନିଜ ନିଜର ଦେହକୁ ଅନ୍ତରଂଗ ଭାବରେ ପଢ଼ି ପକାଇବା, ସାମାନ୍ୟ ସୁଯୋଗ ପାଇବା ମାତ୍ରକେ ସିଗ୍‌ମଣ୍ଡ ଫ୍ରଏଡ୍‌ଙ୍କ Id ର ଏକ ଅନୁଦାର ବିଶ୍ଳେଷଣକୁ ତଥା ଆମ ପୁରାଣର ଫୁଲଶରମାନଙ୍କୁ ପାଛୋଟି ନେବା, କଣ୍ଡୋମ୍‌ର ବ୍ରାଣ୍ଡକୁ ନେଇ ବିତର୍କ କରିବା ବା ଏକ ଋତୁସ୍ରାବର ଜୀବନ୍ତ ବର୍ଣ୍ଣନା କରିବା ସେଇମାନଙ୍କୁ ଅତି ସାଧାରଣ ମନେହେଉଛି । ସେମାନେ ଏକ ବିଚିତ୍ର ଉତ୍ସାହରେ ଦେହର ବିଜ୍ଞାପନ ସାହିତ୍ୟରେ ଜାରି ରହିଛନ୍ତି ଓ ଆମ ସାହିତ୍ୟକୁ ସେମାନେ ଆଉ ପାଦେ ଆଗେଇ ନେଲେ ବୋଲି ଦମ୍ଭୋକ୍ତି କରୁଛନ୍ତି । ସେମାନଙ୍କର ଭୂମିକୁ ଅସଲ ଭୂମି ବୋଲି ପ୍ରମାଣ କରିବାକୁ ଯାଇ ସେମାନେ ସେଇ ତଥାକଥିତ ମୁକ୍ତ ସାହିତ୍ୟରୁ ବଢ଼ୁଥିବା ଚାହିଦା କଥା କହୁଛନ୍ତି । (ଯଦିଓ କେବେ ମଧ୍ୟ ପରିସଂଖ୍ୟାନ ସାହିତ୍ୟର ବିଧାତା ହୋଇନାହିଁ) ।

ଆମ ସମୟରେ ଏବେଏବେ ଆଉ କିଛି ଲେଖକ ମଧ୍ୟ ଦେହର ଏପ୍ରକାର ଅସଂଗତ ପ୍ରବେଶକୁ ସିଧାସଳଖ ଅଶ୍ଳୀଳତା କହି ସେଇ ଅଶ୍ଳୀଳତାଠାରୁ ଦୂରେଇ ରହିବାପାଇଁ କହୁଛନ୍ତି । ସାହିତ୍ୟ ଓ ପର୍ଣ୍ଣୋଗ୍ରାଫି କଦାପି ଏକାକଥା ନୁହେଁ ବୋଲି ସେମାନେ କହୁଛନ୍ତି । ସେମାନେ ନର୍ଦ୍ଦମାର ଅସ୍ତିତ୍ୱ ତଥା ଆବଶ୍ୟକତା ନେଇ ସନ୍ଦିହାନ ନୁହନ୍ତି; ସେମାନେ ଘର ପଛପଟ କଂପୋଷ୍ଟପିଟ୍‌ ଏବଂ ଡଷ୍ଟବିନ୍‌ମାନଙ୍କର ସକାରାତ୍ମକ ଭୂମିକା ଉପରେ ସଚେତନ, ମାତ୍ର ଘରେ ପହଂଚିଥିବା ଜଣେ ଅତିଥିକୁ ସେମାନେ ଆଗ ଡ୍ରଇଂ ରୁମ୍‌କୁ ନନେଇ ଆଗ ନର୍ଦ୍ଦମା / କଂପୋଷ୍ଟପିଟ୍‌କୁ ଦେଖାଇବାରେ ବିଶ୍ଵାସ ରଖନ୍ତି ନାହିଁ । ଏ ପ୍ରକାର ଯୁକ୍ତିକୁ ମଧ୍ୟ ଗ୍ରହଣ କରି ହେବନାହିଁ । ଦେହ ତୁଛା ନର୍ଦ୍ଦମା ବା କଂପୋଷ୍ଟପିଟ୍‌ କଦାପି ହୋଇପାରିବନାହୁଁ । ଦେହ ଆମ ଲିଭିଂ ରୁମ୍‌ର ଅଂଶ ବିଶେଷ ଯଦିଓ ଦେହର କେତେକ ନିଜସ୍ଵ ନିୟମ ରହିଛି ଓ ସେଥିପାଇଁ ଦେହଟି ଲିଭିଂ ରୁମ୍‌ରେ ଥିଲେ ହେଁ ପ୍ରାୟତଃ ଅଦୃଶ୍ୟ ହୋଇ ରହିଥାଏ । ମାତ୍ର କୌଣସି ପରିସ୍ଥିତିରେ ଦେହକୁ ନିରୋଳା ନର୍ଦ୍ଦମା ଆଖ୍ୟା ଦେବା ନିଶ୍ଚିତ ଭାବରେ ଦେହ ପ୍ରତି ଅନ୍ୟାୟ । ଆତ୍ମାପ୍ରତି ମଧ୍ୟ ଅନ୍ୟାୟ । ସାହିତ୍ୟପାଇଁ ଏହା କେମିତି ଶୁଭଙ୍କର ହୋଇପାରିବ ?

ସାହିତ୍ୟରେ ଦେହର ଉଗ୍ର ପ୍ରବେଶ କେତେକାଂଶରେ ଦୃଶ୍ୟ ମାଧ୍ୟମ ଦ୍ଵାରା ପ୍ରଭାବିତ ହୋଇଛି, ଏକଥା ଅସ୍ଵୀକାର କରି ହେବନାହିଁ । ଯେହେତୁ ଦୃଶ୍ୟ ମାଧ୍ୟମ କେତେ ବର୍ଷ ଅସ୍ଵାଭାବିକ ଭାବେ ମୁକ୍ତ ହୋଇ ରହିଛି, ଦେହକୁ ଅଧିକରୁ ଅଧିକ ମୁକ୍ତ କରାଉଛି, ମନକୁ ଅଧିକରୁ ଅଧିକ ମୁକ୍ତ କରାଉଛି, ବାଡ଼ଗୁଡ଼ାକୁ ଭାଂଗି ପକାଉଛି, ଇନ୍ଦ୍ରିୟମାନଙ୍କୁ ନୂତନ ଭାବେ ଆବିଷ୍କାର କରୁଛି, ସାହିତ୍ୟ ମଧ୍ୟ ଦୃଶ୍ୟମାଧ୍ୟମ ସହିତ ତାଳଦେଇ ଆଗକୁ ଯିବାପାଇଁ ବାହାରି ପଡ଼ିଛି ।

ଉଭୟ ପକ୍ଷର ନିଶ୍ଚୟ ଯୁକ୍ତିନିଷ୍ଠତା ଅଛି । ତେବେ ସାହିତ୍ୟ ଆୟତନ ଭିତରେ ମନ ସହିତ ଦେହ ଭାରି ସ୍ୱାଭାବିକ ଭାବରେ ରହିପାରିବ । ଏହା ସ୍ଵୀକାର୍ଯ୍ୟ ଯେ ଦେହର ଗୁରୁତ୍ୱ କିଛି କମ୍‌ ନୁହେଁ । ଆମ ସଂସ୍କୃତିରେ ଦେହ ଉପରେ କେବେ ମଧ୍ୟ କମ୍‌ ଗୁରୁତ୍ୱ ଦିଆଯାଇନାହିଁ । ଭଲମନ ସହିତ ଭଲଦେହଟିଏ ହୁଏତ ଥାଇପାରେ ମାତ୍ର ମନଟି ନିଶ୍ଚୟ ଦେହର ଉପରେ । ଭଲ ମନପାଇଁ ଭଲ ଦେହଟିଏ ଏକ ମୌଳିକ ଆବଶ୍ୟକତା ନୁହେଁ । ସେମିତି ଭଲ ସାହିତ୍ୟ ପାଇଁ ଦେହକୁ ଫୁଙ୍ଗୁଳା କରାଇବା ମଧ୍ୟ ଏକ ମୌଳିକ ଆବଶ୍ୟକତା ନୁହେଁ । ଏହା ବରଂ ଏକ ଅନାବଶ୍ୟକ ବା ଅତିରିକ୍ତ ଅଳଙ୍କରଣ (?) ଯାହା ହଠାତ୍‌ କେତେକ୍ଷଣ ଧ୍ୟାନ ଆକର୍ଷଣ କରିବ, ଝଲମଲ କରି ପକାଇବ ଓ ପର ମୁହୂର୍ତ୍ତରେ ଅପସରି ଯିବ, ଦୃଶ୍ୟାନ୍ତର ହେବ । ଦେହର ଅସଲ ଗୁରୁତ୍ୱ ହେଉଛି ଦୃଶ୍ୟାନ୍ତରର ମୁହୂର୍ତ୍ତ ହୋଇ ସିଏ ଆପଣାକୁ ଏକ ଅନନ୍ୟ ସତ୍ତା ଭାବରେ ସାହତ୍ୟରେ ପ୍ରକଟତ କରିବ ।

ଦେହର ସାମ୍ରାଜ୍ୟରେ ଶୃଙ୍ଖଳା ଅଛି ଓ ଏକ ସଂଜତ ଅବସ୍ଥାରେ ଦେହ ଅଧିକ ଆକର୍ଷଣୀୟ ମନେହୁଏ । ଦେହକୁ ଯେଉଁମାନେ ଦୃଶ୍ୟରେ, ସାହିତ୍ୟ ପୃଷ୍ଠାରେ ଓ ସାର୍ବଜନୀନ ସ୍ଥାନମାନଙ୍କରେ ମୁକ୍ତ କରିବାପାଇଁ ଚେଷ୍ଟାକରି ଜ୍ଞାତସାରରେ ଉଲଗ୍ନ ହେଉଛନ୍ତି, ଯେଉଁମାନେ ଦେହଟାକୁ ନେଇ ଉତ୍ସବ ମନାଇବାର ବିକୃତମନସ୍କତାକୁ ସ୍ଵାଧୀନତା ବୋଲି କହୁଛନ୍ତି ସେମାନେ ପରୋକ୍ଷରେ ଦେହର ଅପମାନ ହିଁ କରୁଛନ୍ତି । ସେମାନେ ଦେହ ସହିତ ମନର ସୂଷ୍ମ ସଂଯୋଗକୁ ଚ୍ଛିନ୍ନ କରୁଛନ୍ତି ଓ ଦେହକୁ ଦେହ ନୁହେଁ, ଏକ କବନ୍ଧ ପରି ବିଜ୍ଞାପିତ କରାଉଛନ୍ତି । ସେଇମାନେ ସାହିତ୍ୟରେ ଦେହର ପ୍ରବେଶକୁ ନେଇ ପରୀକ୍ଷା-ନିରୀକ୍ଷା କରୁନାହାନ୍ତି ବରଂ ଦେହକୁ ଉପହାସ କରୁଛନ୍ତି । ସେମାନଙ୍କ ସମାଲୋଚକ ନୁହନ୍ତି ବରଂ ସେଇମାନେ ହିଁ ଦେହକୁ ନର୍ଦ୍ଦମାରେ / କଂପୋଷ୍ଟପିଟ୍‌ରେ ନେଇ ପହଂଚାଇଦେଇଛନ୍ତି । ସେମାନେ କେବଳ ମନକୁ ନୁହେଁ ଦେହକୁ ମଧ୍ୟ ଅପବିତ୍ର କରିପକାଉଛନ୍ତି ।

ବି:ଦ୍ର: ଏଇ ପ୍ରବଂଧରେ “ଦେହ’’କୁ ସେକ୍‌ସର ପ୍ରତୀକ ଭାବରେ ମଧ୍ୟ ଗ୍ରହଣ କରାଯାଇଛି । ୨୦୦୪ର ଶାରଦୀୟ ବିଶେଷାଙ୍କମାନଙ୍କ ସହିତ ‘‘ଦେହ’’ର କୌଣସି ସିଧାସଳଖ ସଂପର୍କ ନାହିଁ ।

Image

 

ସ୍ଵତନ୍ତ୍ର ପ୍ରତିନିଧିଙ୍କ ଠାରୁ

 

ସାମ୍ବାଦିକ ଜଣକ ଥିଲେ ଜଣେ ସୌମ୍ୟକାନ୍ତ ଯୁବକ । ରାଜ୍ୟର ଏକ ପ୍ରମୁଖ ସମ୍ବାଦପତ୍ରରେ ସାମ୍ବାଦିକ ଭାବରେ କାର୍ଯ୍ୟ ଆରମ୍ଭ କରି ପ୍ରାୟ ପାଞ୍ଚବର୍ଷ ସମୟ ଭିତରେ ସେ ଦୁଇଟି ପ୍ରମୋଶନ ପାଇଥିଲେ ଏବଂ ଉକ୍ତ ସମ୍ବାଦପତ୍ରର ଜିଲ୍ଲାସ୍ତରୀୟ ପ୍ରତିନିଧି ଥିଲେ । ସେ ବେଶ୍‌ ଭଲ ଦରମା ମଧ୍ୟ ପାଉଥିଲେ । ଜିଲ୍ଲାର ସାମ୍ବାଦିକ ସଂଘର କର୍ମକର୍ତ୍ତା ଥିଲେ । ଏହା ବ୍ୟତୀତ ଓଡ଼ିଶାର ଅନ୍ୟାନ୍ୟ ସାମ୍ବାଦିକ ସଂଘ ସହିତ ସେ ଜଡ଼ିତ ଥିଲେ ଓ ବିଭିନ୍ନ ସାମ୍ବାଦିକ ସଂଘର କୌଣସି ବିଶେଷ ଅଧିବେଶନରେ ଯୋଗ ଦେବା ପାଇଁ ସେ ରାଜ୍ୟ ବାହାରକୁ ମଧ୍ୟ ନିମନ୍ତ୍ରିତ ହେଉଥିଲେ । (ଅବଶ୍ୟ ଗସ୍ତ ଖର୍ଚ୍ଚ ନିମନ୍ତେ ତାଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲା) ସେଇ ଜିଲ୍ଲାରେ ଅନ୍ୟାନ୍ୟ ସମ୍ବାଦପତ୍ରମାନଙ୍କର ସାମ୍ବାଦିକ / ପ୍ରତିନିଧିମାନେ ମଧ୍ୟ ଥିଲେ । ତେବେ ଏହି ପ୍ରଂବଧରେ ଆଲୋଚିତ ହେଉଥିବା ସାମ୍ବାଦିକ ଜଣକ ନିଆରା ଥିଲେ । ସେ ବାରି ହୋଇ ପଡ଼ିବାର ଗୋଟିଏ କାରଣ ଥିଲା ଯେ ଜିଲ୍ଲାର ଅନ୍ୟାନ୍ୟ ସାମ୍ବାଦିକମାନେ ସେମାନଙ୍କ ନିଯୁକ୍ତିଦାତାଙ୍କ ଠାରୁ (ସମ୍ବାଦପତ୍ର ସଂସ୍ଥାରୁ) ନିୟମିତ ଦରମା ପାଉନଥିଲେ । ଏଇ ସାମ୍ବାଦିକ କିନ୍ତୁ ଦରମା ପାଉଥିଲେ । ଅନେକ ସାମ୍ବାଦିକ ଏଇ ସର୍ତ୍ତରେ ଥିଲେ ଯେ ସେମାନେ ତାଙ୍କ କାମ ଅନୁଯାୟୀ ପାରିଶ୍ରମିକ ପାଇବେ । ଅର୍ଥାତ୍‌, ସେମାନେ ପଠାଉଥିବା ଖବର ପ୍ରକାଶ ହେବା ପରେ ସେମାନେ ଯାହା କିଛି ପାରିଶ୍ରମିକ ପାଇବେ। ଖବର ନ ଦେଲେ ଦରମା ନାହିଁ । କେତେକ ଏମିତି ଥିଲେ, ସେମାନେ ସାମ୍ବାଦିକତା କରିବା ସହିତ ନିର୍ଦ୍ଦିଷ୍ଟ ସମ୍ବାଦପତ୍ରମାନଙ୍କର ପ୍ରସାର ଓ ପ୍ରଚାର କଥାଟି ମଧ୍ୟ ବୁଝୁଥିଲେ ଓ ସମ୍ବାଦପତ୍ରର ବିକ୍ରୀଲବ୍‌ଧ ଅର୍ଥରୁ ଏକ ଅଂଶ ସେମାନଙ୍କୁ ମିଳୁଥିଲା । ଆଉ କେତେ ଜଣ ବିଜ୍ଞାପନ ଯୋଗାଡ଼ କଲେ ହିଁ ବିଜ୍ଞାପନଲବ୍‌ଧ ଅର୍ଥର ଏକ ଅଂଶ ପାରିଶ୍ରମିକ ଭାବେ ପାଉଥିଲେ । ସେମାନେ ମାସିକ ଦରମା ପାଉ ନ ଥିଲେ । କେତେଜଣ ଏମିତି ମଧ୍ୟ ଥିଲେ, ସେମାନଙ୍କର କେବଳ ସାମ୍ବାଦିକ ପରିଚୟ ପତ୍ର ଯାହା ଥିଲା । କିନ୍ତୁ ସେମାନେ ଆଦୌ ଦରମା / ପାରିଶ୍ରମିକ ପାଉ ନ ଥିଲେ । କେତେ ଜଣ ‘ଡ଼ମି’ ମଧ୍ୟ ଥିଲେ, ଅର୍ଥାତ୍‌ ସାମ୍ବାଦିକ ଭାବରେ ସେମାନଙ୍କର ନିଜର ପରିଚୟ ପତ୍ର / ନିଯୁକ୍ତି ପତ୍ର ନ ଥିଲା । ସେମାନେ ଅନ୍ୟ ପ୍ରକାର ନିୟୋଜିତ ଥାଇ ମଧ୍ୟ ଆଉ କାହା ନାଁରେ ସାମ୍ବାଦିକତା କରୁଥିଲେ । ଏଇସବୁ ଦୃଷ୍ଟିରୁ ଆମ ସାମ୍ବାଦିକ ଯେ କେବଳ ନିଆରା ଥିଲେ ସେ କଥା ନୁହେଁ, ଆଉ ଗୋଟିଏ କାରଣ ମଧ୍ୟ ଥିଲା । ସେଇଟି ହେଉଛି, ସାମ୍ବାଦିକ ଜଣକ ଥିଲେ ଉଚ୍ଚ ଶିକ୍ଷିତ । ତାଙ୍କର ଓକିଲାତିର ଲାଇସେନ୍ସ ଥିଲା । ସେତିକି ନୁହେଁ, ସେ କୁଆଡ଼େ ଅନୁସଂଧାନମୂଳକ ସାମ୍ବାଦିକତାରେ (investigative journalism) ବେଶ୍‌ ଓସ୍ତାଦ୍‌ ଥିଲେ । ବୋଧହୁଏ ଏମିତି କୌଣସି ସରକାରୀ ଅଫିସ ସଂସ୍ଥା ନଥିଲା ଯେଉଁଠି ତାଙ୍କର ପ୍ରବେଶ ନଥିଲା ବା ଯେଉଁ ଅଫିସ୍‌ର ଅପକର୍ମ ସଂପର୍କରେ ସେ ଖବର ପଠାଉ ନଥିଲେ । ଅଧିକାଂଶ ସରକାରୀ ଅଫିସରେ କର୍ମଚାରୀ ସେ ବାବୁଙ୍କୁ ଭୀଷଣ ଡରୁଥିଲେ । ଖବର ପ୍ରକାଶ କଲାବେଳେ ସେ ଏପରି ତଥ୍ୟଯୁକ୍ତ ଖବର ପରିବେଷଣ କରୁଥି‌ଲେଯେ ମନେ ହେଉଥିଲା ସାମ୍ବାଦିକ ଜଣକ ଯେମିତି ସେଇ ବିଷୟରେ ବିଶଦ ଭାବରେ ତଥ୍ୟର ସଂଧାନ ନିଶ୍ଚୟ ପାଇଛନ୍ତି । ସାମ୍ବାଦିକ ଜଣକ ଛୋଟଛୋଟ ଆଚଂଳିକ ସମସ୍ୟାକୁ ଏମିତି ଢ଼ଂଗରେ ପେଶ୍‌ କରୁଥିଲେ ଯେ ସେସବୁ ସମାଦପତ୍ରରେ ପ୍ରକାଶିତ ହେବା ପରେ ମନେ ହେଉଥିଲା ବିରାଟ ସମସ୍ୟା ପରି । ସେସବୁ କଦାପି ତୁଚ୍ଛା ଆଂଚଳିକ ସମସ୍ୟାଟିଏ ନୁହେଁ । ଅତଏବ, ସମସ୍ୟାଗୁଡ଼ିକର ଆଶୁ ସମାଧାନ ଚାହି ।

 

ଦୁର୍ନୀତିକୁ ସାମାଜିକ ଜୀବନରୁ ମୂଳପୋଛ କରିବା ଉକ୍ତ ସାମ୍ବାଦିକଙ୍କର କୁଆଡ଼େ ଏକମାତ୍ର ଲକ୍ଷ୍ୟ ଥିଲା ଏବଂ ସେଥିପାଇଁ ସେ ନିଷ୍ଠାପର ଭାବରେ ଲେଖନୀ ଚାଳନା କରୁଥିଲେ । ଇନ୍ଦିରା ଆବାସ ଗୃହ ବଣ୍ଟନରେ ବ୍ଲକ ସ୍ତରରେ ଦୁର୍ନୀତି, ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଚାଉଳ, ଅନାହାର ମୃତ୍ୟୁ, ସଡ଼କ ନିର୍ମାଣରେ ବ୍ୟାପକ ତୋଷରପାତ, ଶିକ୍ଷାକର୍ମୀ ନିଯୁକ୍ତିରେ ଜାଲିଆତିର ପର୍ଦ୍ଦାଫାଶ, ଡ଼ାକ୍ତରଖାନାରେ ଚାବି ଝୁଲୁଛି; ରୋଗୀ ହତାଶ... ଇତ୍ୟାଦି ଖବର ଉକ୍ତ ସାମ୍ବାଦିକ ଜଣକ ବେଶ ରୋଚକ ଭାବରେ ପରିବେଷଣ କରୁଥିଲେ । ଖବର ପ୍ରକାଶ ପାଇବାର କେତେଦିନ ଭାରି ହଇଚଇ ମଧ୍ୟ ହେଉଥିଲା । ଥରେ ଥରେ ବିଧାନସଭାରେ ସେଇସବୁ ପ୍ରସଂଗ ଉପରେ ପ୍ରଶ୍ନମାନ ହେଉଥିଲା । ସ୍ଥାନୀୟ ପ୍ରଶାସନ ବଡ଼ ଅଡ଼ୁଆରେ ପଡ଼ିଯାଉଥିଲେ । ସାମ୍ବାଦିକ ଜଣକ ସେତେବେଳେ ବେଶ୍‌ ପ୍ରଫୁଲ୍ଲ ଜଣାପଡ଼ନ୍ତି । ଲୋକେ ସବୁ ବାହାବା ଦିଅନ୍ତି । ସତେଅବା ସଂପୁକ୍ତ ଦୁର୍ନୀତିଟି ଖବରକାଗଜ ପୃଷ୍ଠାରେ ପ୍ରକାଶ ପାଇବା ପରେ ଏକାବେଳକେ ନିର୍ମୂଳ ହୋଇଗଲା–ଏମିତି କିଛି ମଧ୍ୟ ଭାବନ୍ତି । ଏଇମନ୍ତେ ସାମ୍ବାଦିକ ଜଣକ ମାନ୍ୟତା-ପ୍ରାପ୍ତ ତଥା ପ୍ରତିଷ୍ଠିତ ହୋଇଥାନ୍ତି । ତାଙ୍କୁ ନିଯୁକ୍ତି ଦେଇଥିବା ସମ୍ବାଦପତ୍ର ମଧ୍ୟ ଏଥିପାଇଁ ପରୋକ୍ଷରେ କିଛି କମ୍‌ ଗର୍ବ ଅନୁଭବ କରୁନଥାଏ ।

 

ହଠାତ୍‌ ଉକ୍ତ ପ୍ରତିଷ୍ଠିତ ସାମ୍ବାଦିକ ଜଣକ କେଜାଣି କାହିଁକି ନିଜ ସମ୍ବାଦପତ୍ରରୁ ଡଡ଼ା ଖାଇଲେ । ତଡ଼ା ଖାଇବାର କାରଣ ରହସ୍ୟାବୃତ୍ତ ହୋଇ ରହିଲା । ଏହାର ଅଳ୍ପଦିନ ମଧ୍ୟରେ ସେ ଆଉ ଗୋଟିଏ ସମ୍ବାଦପତ୍ରରେ ଯୋଗଦେଲେ । ତେବେ ସେଇଟି ଥିଲା ଅପେକ୍ଷାକୃତ ଏକ କମ୍‌ ପ୍ରସାରିତ, କମ ପ୍ରତିଷ୍ଠିତ ଖବରକାଗଜ ଯେଉଁଠି ନିୟମିତ ଦରମାର ବ୍ୟବସ୍ଥା ଆଦୌ ନଥିଲା । ତେବେ ସାମ୍ବାଦିକ ଜଣକ ଏଥିରେ ମର୍ମାହତ ହେବାପରି ମନେ ହେଉନଥିଲେ । କାରଣ ପ୍ରଥମ ପାଞ୍ଚବର୍ଷ ଭିତରେ ତାଙ୍କର ଏପରି ଅର୍ଥନୈତିକ ଉତ୍ତରଣ ଘଟିସାରିଥିଲା ଯେ ଅବଶିଷ୍ଟ ଦିନମାନଙ୍କ ପାଇଁ ତାଙ୍କର କୌଣସି ନିଯୁକ୍ତିଦାତାର ନିୟମିତ ଦରମା ଲୋଡ଼ା ନଥିଲା । ତାଙ୍କ ପାଇଁ ଏକ ସାମ୍ବାଦିକର ପରିଚୟ ପତ୍ର ଯାହା ଆବଶ୍ୟକ ଥିଲା-ଅର୍ଥାତ୍‌ ଗୋଟିଏ ମୁଖା ହିଁ ଲୋଡ଼ା ଥିଲା ।

 

ସମ୍ବାଦପତ୍ର / ପ୍ରେସକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଛି । ଆମ ରାଜ୍ୟ ବା ଆମ ଦେଶରେ ନୁହେଁ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମୟରେ ସାମ୍ବାଦିକତା ଏମିତି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି ଯାହା ହୁଏତ ଅନ୍ୟଥା ସମୟସାପେକ୍ଷ, ଅଂସପୂର୍ଣ୍ଣ ନଚେତ୍‌ ଅସମ୍ଭବ ହୋଇଥା’ନ୍ତା । ଏବେବି ସଭ୍ୟତାର ବିକାଶ କ୍ରମରେ ସାମ୍ବାଦିକତାର ଉପସ୍ଥିତି ତଥା ଆବଶ୍ୟକତା ସୁସ୍ପଷ୍ଟ । ତେବେ କ’ଣ ପାଇଁ ଆମ ରାଜ୍ୟରେ ସାମ୍ବାଦିକତା କ୍ଷେତ୍ରରେ ସେମିତି କିଛି ହେଉନାହିଁ ? ନିର୍ଦ୍ଦିଷ୍ଟ ଭାବରେ ଉପରୋକ୍ତ ସାମ୍ବାଦିକଙ୍କ କ୍ଷେତ୍ରରେ କ’ଣ ହୋଇଥିଲା ତାହା ବିଚାର୍ଯ୍ୟ ନୁହେଁ । ତେବେ ଏକଥା ସତ୍ୟ ଯେ ତଥାକଥିତ ଅନୁସଂଧାନମୂଳକ ସାମ୍ବାଦିକତା ନାଁରେ ବା ବୃହତ୍ତର ଭାବରେ ସାମ୍ବାଦିକତା ନାଁରେ ଆମ ରାଜ୍ୟରେ ସେମିତି ବିଶେଷ କିଛି ଘଟୁ ନାହିଁ । ଏକ ଦୁର୍ନୀତିମୁକ୍ତ ସମୟ, ଦୁର୍ନୀତିମୁକ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ / ପ୍ରତିଷ୍ଠାନ ତଥା ଏକ ମୁକ୍ତ / ଅବାଧ / ନିରପେକ୍ଷ ସାମାଜିକ ଜୀବନ ନିଶ୍ଚିତ ଭାବରେ ସାମ୍ବାଦିକତାର କାମ୍ୟ–ଏଥିରେ ଦ୍ୱିମତ ନାହିଁ । ତେବେ ଦୁର୍ନୀତି ନିବାରଣ ନାଁରେ, ସମାଜକୁ କଳଙ୍କ ମୁକ୍ତ କରିବା ନାଁରେ କେବଳ ଦୁର୍ନୀତିର ସ୍ଥୁଳରୂପକୁ ଦେଖିବା ଏବଂ ତଥ୍ୟ ପ୍ରମାଣ ଆଧାରରେ ସେଇ ସ୍ଥୁଳ ଅବସ୍ଥାର ଚିତ୍ରଣ କରିବା ନିଶ୍ଚିତ ଭାବରେ ଯଥେଷ୍ଟ ନୁହେଁ । ବଡ଼ ବଡ଼ ଅକ୍ଷରରେ, ଏକ ଶାଣିତ ଶୈଳୀରେ ଟିଭି ପର୍ଦ୍ଦାରେ ସେଇ ଦୁର୍ନୀତିର ପର୍ଦ୍ଦାଫାଶ କରିବା, ସେଇ ଦୁର୍ନୀତିରମୂଳୋତ୍ପାଟନ ମଧ୍ୟ ନୁହେଁ । ଦୁର୍ନୀତିକୁ ଦୂର କରିବା ପାଇଁ ଯଦି ସତରେ କେହି ପ୍ରୟାସ କରନ୍ତା, ଅଂଗୀକାର ବଦ୍ଧ ହୁଅନ୍ତା ତେବେ ସେ ଦୁର୍ନୀତିର ଚେର ପର୍ଯ୍ୟନ୍ତ ଅନୁସଂଧାନ କରନ୍ତା । ଅମୁକ ବ୍ଲକରେ ଇନ୍ଦିରା ଆବାସ ଯୋଜନାରେ ଗୃହବଣ୍ଟନ ଦୁର୍ନୀତି ରେ କେତେ ଜଣ କର୍ମଚାରୀଙ୍କୁ ଉପର ଠାଉରିଆ ଭାବେ କେବଳ ଦୋଷୀ ସାବ୍ୟସ୍ତ ନକରି ସେ ହୁଏତ ଆହୁରି ପଛକୁ ଯାଆନ୍ତା-ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀ ଚୟନର ପଦ୍ଧତିକୁ ତର୍ଜମା କରନ୍ତା / ବ୍ଲକ ଅଫିସକୁ ଗୋଟାପଣେ ପାର୍ଟି ଅଫିସ ମନେ କରି ଚୟନ ପଦ୍ଧତିକୁ ଆରମ୍ଭରୁ ଦୁର୍ନୀତିଗ୍ରସ୍ତ କଳଙ୍କିତ କରି ପକାଇଥିବା ରାଜନେତା ତଥା ସେମାନଙ୍କର ପୃଷ୍ଠପୋଷକତାର କଥା ମଧ୍ୟ କହନ୍ତା । ଅନେକ ହିତାଧିକାରୀ କେବଳ ଅଧାଘର କରି ନଚେତ ଆଦୌଘର ନକରି କେମିତି ପଇସା ପାଇବା ପାଇଁ ସମର୍ଥ ହେଉଛନ୍ତି ଏବଂ ସରକାରୀ ପରିସଂଖ୍ୟାନର ପରିମାଣାତ୍ମକ ଗୁରୁତ୍ଵକୁ ଆଖିରେ ରଖି ସରକାରୀ କର୍ମଚାରୀ କେମିତି ଭୁଲ ତଥ୍ୟ ଦେବାପାଇଁ ବାଧ୍ୟ ହେଉଛନ୍ତି ସେ କଥା ମଧ୍ୟ କହନ୍ତା । ଏସବୁ କ’ଣ ହେଉଛି ? ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରାଜ୍ୟରେ ଚାଲୁହେବା ପରଠାରୁ ସତରେ କ’ଣ ଉପସ୍ଥାନରେ ପରିବର୍ତ୍ତନ ଆସିଛି ନା ମାସରେ ଥରେ ଦୁଇଥର ଅଭିଭାବକ ସ୍କୁଲକୁ ଆସି ତାଙ୍କ ପିଲାଙ୍କ ବାବଦ ଚାଉଳ ଓଜନ ଭରି ନେଉଛନ୍ତି, ସେ କଥା ମଧ୍ୟ କହନ୍ତା । ହୁଏତ ସାମ୍ବାଦିକଟି ସତରେ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ କରୁଥିଲେ ସମସ୍ୟା ସହିତ ନିଜେ ସାମିଲ ମଧ୍ୟ ହୋଇ ପାରୁଥା’ନ୍ତା । କେବଳ ଭୁଲକୁ ଠାବ କରିବା ନ୍ୟାୟରେ ଭୁଲ୍‌କୁ ବାହାର କରୁନଥା’ନ୍ତା-ସେଇ ଭୁଲର ଏକ ଚମତ୍କାର ସମୀକ୍ଷା ମଧ୍ୟ ଦେଉଥା’ନ୍ତା । ଏପରି ହେଉ ନାହିଁ । ଏମିତି ମଧ୍ୟ ହୋଇ ପାରନ୍ତା ଯେ ସାମ୍ବାଦିକଟି ଅନୁଧ୍ୟାନ କରି ଦେଖନ୍ତା କୌଣସି ଏକ ଯୋଜନାର ରୂପାୟନରେ ତୃଟି କେବଳ ସରକାରୀ କଳର ଦୁର୍ନୀତି ନିମନ୍ତେ ଶତ ପ୍ରତିଶତ ନୁହେଁ–ସେଇ ଯୋଜନାର ସୁଫଳ ପାଇବା ପାଇ ଉଦ୍ଦିଷ୍ଟ ହିତାଧିକାରୀମାନଙ୍କ ଉଦାସୀନତା ପାଇଁ, ହୁଏତ ଏକ ସାର୍ବଜନୀନ ଉଦାସୀନତା ପାଇଁ ! ସେହି ମର୍ମରେ ସେ ସାଧାରଣ ମଣିଷକୁ ସଚେତନ ଅବଶ୍ୟ କରିପାରନ୍ତା । ସମ୍ବେଦନଶୀଳତା ଶବ୍ଦଟି କ’ଣ ଖାସ୍‌ ସରକାରୀ କର୍ମକର୍ତ୍ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ?

 

କେବଳ ସେତିକି ନୁହେଁ, ଘଟଣାଟିର ରାଜନୈତିକ ପୃଷ୍ଠଭୂମି / ଦୃଷ୍ଟିଭଂଗୀ ନଥିଲେ ବୋଧହୁଏ ଆମ ରାଜ୍ୟରେ କୌଣସି ସମ୍ବାଦପତ୍ର / ସାମ୍ବାଦିକ କୌଣସି ସମସ୍ୟାକୁ ଏକାଧିକ ଥର ପ୍ରକାଶ କରନ୍ତି ନାହିଁ । ଏମିତି କାହିଁକି ହୁଏ ? ଯଦି ପ୍ରକୃତରେ ସମସ୍ୟାଟି ଥିଲା ସେଇଟି ତ ନିଶ୍ଚିତ ଭାବରେ ଥରଟିଏ ଖବର ପ୍ରକାଶ ହେଲେ ଦୂର ହୋଇଯିବ ନାହିଁ । ଏଥିପାଇଁ ଏକ ଧାରାବାହିକ ଉଦ୍ୟମର ଆବଶ୍ୟକତା ରହିବ । ସେଇଟି ଚର୍ଚ୍ଚାରେ ରହିବ। ହୁଏତ ବିତର୍କିତ ହୋଇ ମଧ୍ୟ ରହିବ ବେଶ୍‌ କିଛିକାଳ । ଏମିତି କ’ଣ ଆମ ରାଜ୍ୟର ସମ୍ବାଦପତ୍ରମାନଙ୍କରେ ହେଉଛି ? କାହିଁକି ହେଉନାହିଁ ? ଆମ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ସମ୍ବାଦ ଉପରେ ‘ପ୍ରତିବାଦ’ କ୍ୱଚିତ଼୍‌ ପ୍ରକାଶ ପାଏ । ଏହାର ଅର୍ଥ ନୁହେଁ ଯେ କେହି ପ୍ରତିବାଦ କରନ୍ତି ନାହିଁ । ମାତ୍ର ସେହିସବୁ ପ୍ରତିବାଦକୁ ପ୍ରକାଶ କରାଯାଏ ନାହିଁ । ସମ୍ବାଦପତ୍ରମାନେ ଏହି ମର୍ମରେ ଅଂହକାରୀ ତଥା ନିର୍ଲଜ ଭାବେ ସ୍ଵୟଂସମ୍ପୂର୍ଣ୍ଣ ହୋଇ ରହିଥା’ନ୍ତି । ସାମ୍ବାଦିକତା ତଥା ମୁକ୍ତ ସାମାଜିକ ଜୀବନ ନିମନ୍ତେ ଏହା ମାରାତ୍ମକ ।

 

ଉନ୍ମୁକ୍ତ ତଥା ବିଜ୍ଞାପିତ ଭାବେ ପୃଥକ୍‌ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀର କଥା କହୁଥିବା ସମ୍ବାଦପତ୍ର (ମୁଖପତ୍ର) ମାନଙ୍କୁ ବାଦ ଦିଆଯାଉ । ଓଡ଼ିଆ ଭାଷାର ଅନେକ ସମ୍ବାଦପତ୍ର ଆମ ରାଜ୍ୟକୁ ଆଗକୁ ନେଇ ଯିବାରେ ଏକ ପ୍ରମୁଖ ଭୂମିକା ନେଇ ପାରନ୍ତେ । କିନ୍ତୁ ସେମାନେ ଆମ ସମସ୍ୟା, ସଂସ୍କୃତି ଓ ଜନଜୀବନକୁ ଏଯାଏ ଠିକ୍‌ ଭାବରେ ଦେଖି ପାରିନାହାନ୍ତି, ଏମିତି ମନେହେଉଛି ।

 

ସରକାର ଓ ସରକାରୀ କଳକୁ ସମାଲୋଚନା ଅବଶ୍ୟ କରାଯିବ, ଅନାହାର ମୃତ୍ୟୁର ବିବରଣୀ ଅବଶ୍ୟ ସ୍ଥାନିତ ହେବ, ତେବେ ସେଥି ସହିତ ଅନାହାରର ପୃଷ୍ଠଭୂମି ମଧ୍ୟ ରହିବ । ସେହି ପୃଷ୍ଠଭୂମିରେ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ଅସଫଳ ରୂପାୟନର କଥା ରହିପାରେ, ଦୁର୍ନୀତିଗ୍ରସ୍ତ ଅପାରଗ କର୍ମଚାରୀ, ଦଳମନସ୍କ ରାଜନେତାଙ୍କ କଥା ରହିପାରେ, ଶିକ୍ଷା, ସ୍ଵାସ୍ଥ୍ୟ ଓ ସେହି ଅଞ୍ଚଳର ଭୌଗୋଳିକ ତଥା ଅର୍ଥନୈତିକ ସ୍ଥିତିର ଚିତ୍ର ରହିପାରେ, କିନ୍ତୁ ତା’ ସହିତ ଏମିତି କିଛି କଥା ରହିବ ଯାହା କେହି କେବେ ପ୍ରକାଶ କରନ୍ତି ନାହିଁ । ଅଥଚ, ଏକ ପ୍ରଗତିଶୀଳ ସମାଜରେ ଗଣଚେତନ ନିମନ୍ତେ ଯାହା ପ୍ରକାଶ ହେବା ଆବଶ୍ୟକ । ସେଇ ସମ୍ବାଦଟି ହୁଏତ ଏମିତି ହେବ: ‘ଅନାହାରରେ ମରିଥିବା ଲୋକଟିର ପଡ଼ୋଶୀ ଜଣେ ଧନୀ ଲୋକ ଥିଲା, ଯାହାର କୋଡ଼ିଏ ଏକରରୁ ଅଧିକ ଭୂସଂପତ୍ତି ତଥା ଦୁଇଟି ଟ୍ରକ୍‌ ଥିଲେ ହେଁ କ୍ଷମତାଶାଳୀ ସେହି ବ୍ୟକ୍ତି ଜଣଙ୍କ ନାଁ ସେହି ଗାଁର ବି.ପି.ଏଲ୍‌. ତାଲିକା ଭୁକ୍ତ ହୋଇଥିଲା । ଶୁଖିଶୁଖି ମରିଥିବା ତା’ର ପଡ଼ୋଶୀ ଜଣଙ୍କ ତା’ ଜୀବନର ଅର୍ଦ୍ଧାଧିକ କାଳ ସେହି ବି.ପି.ଏଲ୍‌ଧାରୀ ସଂଭ୍ରାନ୍ତଟିର ବାରମାସିଆ ହୋଇ ମଧ୍ୟ ରହିଥିଲା ! ଅଥଚ ଶେଷ ପର୍ଯ୍ୟନ୍ତ ଧନୀ ପଡୋଶୀଟି ଥରେ ମାତ୍ର ତା’ ପାଖକୁ ଆସିନଥିଲା ।’

 

ସାଧାରଣ ଜୀବନରେ, ବ୍ୟକ୍ତିଗତ ସ୍ଵାର୍ଥର ଊର୍ଦ୍ଧ୍ୱରେ ସାମୂହିକ ଜୀବନ ସହିତ ଯୋଡ଼ିହେବାର ବୃହତ୍ତର ଆଗ୍ରହ ନଥିଲେ କୌଣସି ସରକାରଙ୍କର କୌଣସି ଯୋଜନା କେବେ ମଧ୍ୟ ସଫଳ ହୋଇପାରିବ ନାହିଁ । ସମ୍ବାଦପତ୍ରଟି ତେଣୁ ଆମ ସାମୂହିକ ଚରିତ୍ରର କଥା ମଧ୍ୟ କହିବ-। ବିଚାରପତି ହୋଇ ସେ କାହାକୁ ଫାଶୀଦଣ୍ଡ ଶୁଣାଇବାର ଚେଷ୍ଟା ନକରି ଏକ ନିରପେକ୍ଷ ବୃତ୍ତାନ୍ତ ଶୁଣାଇବ ।

Image

 

ଐଶ୍ଵର୍ଯ୍ୟାଙ୍କୁ ତେତିଶ ବର୍ଷ

 

ଐଶ୍ୱର୍ଯ୍ୟା ରାୟକୁ ତେତିଶ ବର୍ଷ ପୂରିଲା । ଏଇ କେତେ ଦିନ ତଳେ ଖବରକାଗଜରେ ଏମିତି ଖବର ପ୍ରକାଶ ପାଇଥିଲା । କେତେକ ସମ୍ବାଦପତ୍ର ଏଇ ଖବରଟିକୁ ଅଭିନେତ୍ରୀଙ୍କ ଫଟୋ ସହ ପ୍ରଥମ ପୃଷ୍ଠାରେ ଛାପି (ବିସ୍ତୃତ ବିବରଣୀ ଭିତର ପୃଷ୍ଠାରେ ଥିଲା) ଏକ ପରମ ପାଠକୀୟ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ହୁଏତ ଗର୍ବ ଅନୁଭବ କରିଥିଲେ । ଯାହା ମନେଅଛି, ଏଇ ଖବର ପ୍ରକାଶ କରିବାରେ ଦେଶର ତଥାକଥିତ ଅଗ୍ରଣୀ ଖବରକାଗଜଗୁଡ଼ିକ ମଧ୍ୟ ପଛରେ ଥିଲା । ପାଠକମାନଙ୍କୁ ମନେ ପକାଇଦିଏ ଯେ ଅଳ୍ପ କେତେ ଦିନ ତଳେ ଫୁଟବଲ ତାରକା ରୋନାଲ୍‌ଡୋଙ୍କ ଧର୍ମପତ୍ନୀଙ୍କ ସମ୍ବନ୍ଧରେ ଏକ ଖବର ମଧ୍ୟ ଦେଶର ଏକ ପ୍ରମୁଖ ଇଂରାଜୀ ଦୈନିକରେ ପ୍ରକାଶିତ ହୋଇଥିଲା । ସେହି ଖବରଟି ଏହିପରି : ‘ପ୍ରସିଦ୍ଧ ଫୁଟବଲ ତାରକା ରୋନାଲ୍‌ଡୋଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ।’ ବଲିଉଡ଼ର ଅନ୍ୟତମ ଅଭିନେତା (ତାରକା) ଶାହରୁଖ୍‌ ଖାଁଙ୍କୁ ଚାଳିଶବର୍ଷ ପୂରିବା ଖବର ମଧ୍ୟ ଅଧିକାଂଶ ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରିଥିଲା । ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପନ୍ନୀ ଡୋନା ପୂଜା ଥାଳି ଧରି କାଳୀଘାଟ ଯାଉଥିବାର ଏକ ଫଟୋ ମଧ୍ୟ ଗୋଟିଏ ଅଭିଜାତ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା । ପ୍ରାୟ ବର୍ଷକ ଆଗରୁ ଅଭିନେତ୍ରୀ କରିନା କପୁରଙ୍କ ଏକ ଅନ୍ତରଂଗ ଚୁମ୍ବନ ଦୃଶ୍ୟର ଫଟୋ (ଅଭିନେତା ଶାହୀଦ କପୁରର ସହିତ) ବେଶ୍‌ କିଛିଦିନ ଧରି ଗଣମାଧ୍ୟମରେ ଏକ ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା । ସାନିଆ ମିର୍ଜା ବର୍ତ୍ତମାନର କ୍ରେଜ୍‌ । ଊଣା ଅଧିକେ ଅନେକ ପାଠକ ଏକଥା ଉପଲବ୍‌ଧି ବୋଧହୁଏ କରି ସାରିଥିବେ ଯେ ‘ସାନିଆ ମାନିଆ’ କେବଳ ସାନିଆଙ୍କର ଟେନିସ୍‌କୁ ନେଇ ନୁହେଁ । ଗଣମାଧ୍ୟମରେ ସଦା ଚର୍ଚ୍ଚିତ ହୋଇ ରହିବାର କାରଣ ସାନିଆଙ୍କ କ୍ଷେତ୍ରରେ ଅନ୍ୟ କିଛି ମଧ୍ୟ ହୋଇଥାଇପାରେ (!) ଗତ ମାସରେ ଅମିତାଭଙ୍କ (ବିଗ୍‌ ବି) ଜନ୍ମଦିନ ଉପଲକ୍ଷେ ତାଙ୍କର ଜୁହୁ ବିଚ୍‌ ବାସଭବନ ସାମ୍ନାରେ ହୋଇଥିବା ସିନେପ୍ରେମୀ / ଶୁଭେଚ୍ଛୁମାନଙ୍କ ଭିଡ଼ର ପ୍ରସାରଣ ଅଧିକାଂଶ ଟି.ଭି. ଚ୍ୟାନେଲ କରିଥିଲେ । ପ୍ରାୟ ପନ୍ଦର ମିନିଟ୍‌ ଧରି ଦୃଶ୍ୟମାଧ୍ୟମର ଉଦାର ସାମ୍ବାଦିକ ଓ ଫଟୋଗ୍ରାଫର୍‌ ମାନେ ସେଇ ଅବସରରେ ବିଗ୍‌ବିଙ୍କର୍‌ ଏମିତି ଜଣେ ଫ୍ୟାନ୍‌ଙ୍କ ସହ ସାକ୍ଷାତକାରଟିଏ ଦେଖାଇ ଥିଲେ ଯେଉଁ ଫ୍ୟାନ୍‌ଟିର ଦେହରେ କେବଳ ମାତ୍ର ଅନ୍ତର୍ବାସଟାଏ ରହିଥିଲା । ଅଥଚ, ଗତ ମାସରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମଦିନ ମଧ୍ୟ ପଡ଼ିଥିଲା, ଯାହା ଅଧିକାଂଶ ଖବର କାଗଜ ଜାଣିପାରିବାର ଅବକାଶ ନଥିଲା । ଜୟପ୍ରକାଶଙ୍କର କ’ଣ ଆମ ଦେଶପ୍ରତି ଅବଦାନ କମ୍‌ ?

 

ଆପଣାର ସଫଳତା ପାଇଁ ଜନ ମାନସରେ ତାରକା ହୋଇ ଚିକ୍‌ଚିକ୍‌ କରୁଥିବା ବ୍ୟକ୍ତିମାନଙ୍କ ସଂପର୍କରେ ସମ୍ବାଦପତ୍ରମାନଙ୍କରେ ବା ବୃହତ୍ତର ଭାବରେ ଇଲୋକ୍‌ଟ୍ରୋନିକ୍‌ ମିଡିଆରେ ଖବର ପ୍ରକାଶିତ / ପ୍ରସାରିତ ହେବ ନାହିଁ, ଏକଥା ନୁହେଁ । ଅମିତାଭଙ୍କ ଅବଦାନ ବା ଐଶ୍ଵର୍ଯ୍ୟାଙ୍କ ଅଭିନୟକୁ କେହି ପ୍ରଶ୍ନ କରୁନାହିଁ । ଆମ ଦେଶପାଇଁ ସେମାନେ ସାଂସ୍କୃତିକ ରାଷ୍ଟ୍ରଦୂତ ବା ବାର୍ତ୍ତାବହର ଭୂମିକା ଅବଶ୍ୟ ତୁଲେଇ ଥାଇପାରନ୍ତି, ତେବେ କୌଣସି ଅଭିନେତା / ଅଭିନେତ୍ରୀଙ୍କୁ କେତେ ବର୍ଷ ପୂରିଲା, ସେମାନଙ୍କର ବନ୍ଧୁ ପରିଜନଙ୍କ ନାଁ କ’ଣ, କେଉଁ ବ୍ରିଡ଼୍‌ର କୁକୁର ସେମାନଙ୍କର ପ୍ରିୟ କିମ୍ବା ସେମାନଙ୍କର ବ୍ୟକ୍ତିଗତ ରୁଚି-ଅରୁଚି କ’ଣ ଏସବୁ କ’ଣ ପାଠକ / ଦର୍ଶକ ଜାଣିବା ନିହାତି ଆବଶ୍ୟକ ? ରୋନାଲ୍‌ଡ଼ୋଙ୍କ ପନ୍ନୀଙ୍କର ଏକ ବ୍ୟକ୍ତିଗତ ଦୁର୍ଘଟଣାର ଖବର କ’ଣ ସାରା ସଂସାର ଜାଣିବା ଜରୁରୀ ହୋଇ ପଡ଼ିଥିଲା ? ଯଦି ଆମର ଗଣମାଧ୍ୟମ, ବିଶେଷକରି ପ୍ରିଣ୍ଟମିଡିଆ ଏହି ଉତ୍ତର ଦିଏ ଯେ ପାଠକମାନଙ୍କ ରୁଚି ବଦଳୁଛି ଏବଂ ପାଠକମାନେ ଏମିତି ସବୁ ଖବରକୁ ଅପେକ୍ଷା ରଖୁଛନ୍ତି, ତେଣୁ ଏଇ ଉତ୍ତରଟି ବୋଧହୁଏ ଠିକ୍‌ ହେବନାହିଁ । ପାଠକକୁ ସମ୍ବାଦ ପରିବେଷଣ କରିବାପାଇଁ ଏବଂ ସେଇ ସମ୍ବାଦ ମାଧ୍ୟମରେ ବିସ୍ତୃତ ତଥା ବର୍ଣ୍ଣିଳ ପରିଧି ଉପରକୁ ନେଇଯିବାପାଇଁ ଖବରକାଗଜର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ୟ ଅର୍ଥରେ, ଦୀର୍ଘକାଳୀନ ଭିତ୍ତିରେ ପାଠକର ମାନସିକତାକୁ ଅଧିକାଂଶରେ ନିୟନ୍ତ୍ରଣ କରିବାପାଇଁ ସମ୍ବାଦପତ୍ର ପାଠକୀୟ ରୁଚିର ନକ୍‌ସା ପ୍ରସ୍ତୁତ କରୁଛି କହିଲେ ଭୁଲ୍‌ ହେବନାହିଁ । ସମ୍ବାଦପତ୍ରମାନଙ୍କର ଖବର ପ୍ରକାଶର ସ୍ଵାଧୀନତା ଅଛି ଏବଂ ପାଠକମାନଙ୍କର ସବୁ ଖବର ଜାଣିବାର ଆବଶ୍ୟକତା ରହିଛି ଯୁକ୍ତିକରି ଯଦି କୌଣସି ଖବରକାଗଜ ପ୍ରଥମ ପୃଷ୍ଠାରେ ପାଣିପାଗ ଖବର ସ୍ତମ୍ଭପାଖକୁଦେଶରେ ଘଟୁଥିବା ଗଣଧର୍ଷଣ ଓ ନରହତ୍ୟାର, ସେକ୍ସ ସ୍କାଣ୍ଡାଲ୍‌ ତଥା ପରକୀୟା ପ୍ରୀତିର, ଟିଉସନ ମାଷ୍ଟର ସହିତ ଚଂପଟ ମାରିଥିବା ସ୍କୁଲ୍‌ ଛାତ୍ରୀମାନଙ୍କର, ନିଜ ବାପା-ଭାଇ ନଚେତ୍‌ ସଂପର୍କୀୟର କାମନାର ଶିକାର ହୋଇଥିବା ଅପ୍ରାପ୍ତ ବୟସ୍କା ବାଳିକାମାନଙ୍କର ଦୈନିକ ବିବରଣୀ ପ୍ରକାଶ କରେ ଏହାକୁ କ’ଣ କୁହାଯିବ ? ସବୁଖବର ସମସ୍ତେ ଜାଣିବାର ବା ସମସ୍ତଙ୍କୁ ଜଣେଇବାର ଅଧିକାରକୁ କ’ଣ ସଂପୂର୍ଣ୍ଣ ସ୍ୱାଧୀନତା କୁହାଯିବ ? ପରୋକ୍ଷରେ ଏହା କ’ଣ ସ୍ଵେଚ୍ଛାଚାର ନୁହେଁ ? ଆଉ ଯଦି ଗଣମାଧ୍ୟମକୁ ବା ଚତୁର୍ଥସ୍ତମ୍ଭକୁ ଏକ ମୁକ୍ତ ସାଧାରଣତନ୍ତ୍ରରେ, କେତେକାଂଶରେ ସାଧାରଣ ଜୀବନରେ ବ୍ୟକ୍ତିର ତ୍ରାଣକର୍ତ୍ତା ବୋଲି କହିବା, ତେବେ ସେମାନେ ଆମ ଉପରେ ଏକରକମ ଅତ୍ୟାଚାର କରୁଛନ୍ତି ବୋଲି ବିଚାରିବାପାଇଁ ପଡ଼ିବ । ସତ୍ୟ କେବଳ ସେତିକି ନୁହେଁ । ଅନ୍ତତଃ ଦୀର୍ଘ ବର୍ଷ ଧରି ଗଣମାଧ୍ୟମରେ ଏଇ ଅତ୍ୟାଚାରକୁ ଆମେ କେବଳ ବରଦାସ୍ତ କରୁନାହାନ୍ତି ବରଂ ଅନିଚ୍ଛାକୃତ ପରୋକ୍ଷ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଖବରକାଗଜଟି ପଢ଼ିବାପାଇଁ (କିଣିବା ପାଇଁ) ସମର୍ଥ ହୋଇପାରୁନଥିବା ସାଧାରଣ ଲୋକଟିଏ ଖବରକାଗଜର ସିଧାସଳଖ ଉପଭୋକ୍ତା ହୋଇନଥିଲେହେଁ ଖବରକାଗଜକୁ ସରକାର ଦେଉଥିବା ବିଜ୍ଞାପନରେ ତା’ର ଟିକସର ଅଂଶ କ’ଣ ନାହିଁ ? ଏହା ସ୍ଵୀକାର୍ଯ୍ୟଯେ ପ୍ରିଣ୍ଟ୍‌ମିଡିଆ ପାଇଁ ସରକାରୀ ପୃଷ୍ଠପୋଷକତା (ବିଜ୍ଞାପନ ଅର୍ଥରେ) ଜରୁରୀ । ଅତଏବ, ଆମେ ଏମିତି ଏକ ବୌଦ୍ଧିକ ଆକ୍ରମଣର ଶିକାର ହୋଇଛେ ଯେଉଁ ଅଦ୍ଭୁତ, ନୀରବ ଆକ୍ରମଣ ପରୋକ୍ଷରେ ଆମ ନିଜପ୍ରତି ଆମରି ପ୍ରାୟୋଜିତ ଆକ୍ରମଣ । ଆକ୍ରମଣର ହାତ-ହତିଆରଗୁଡିକୁ ଆମେହିଁ ଯୋଗାଇ ଦେଇଛନ୍ତି । ଅନ୍ୟ ଅର୍ଥରେ, ସଭ୍ୟତାର ବିକାଶ କ୍ରମରେ ଉପସ୍ଥିତ ଏଇ ସହଜ (ହାଲୁକା) ଅବସ୍ଥା ପାଇଁ, ଆମ ଅଧିକାଂଶଙ୍କ ଭିତରେ ଆସିଥିବା ଅବକ୍ଷୟ ପାଇଁ ଆମେ ସମସ୍ତେ କେତେକାଂଶରେ ଦାୟୀ । କେତେ ଦିନ ତଳେ ଖୁବ୍‌ ଚର୍ଚ୍ଚିତ ହୋଇଥିବା ‘ଏ ଗଉରା !’ ଗୀତ ଲୋକପ୍ରିୟ ହେବାର ଅସଲ କାରଣ ଆମ ଅଧିକାଂଶଙ୍କୁ ପରିବର୍ତ୍ତିତ ହାଲୁକା ମନୋବୃତ୍ତି ହିଁ ଥିଲା । ମନସ୍ତତ୍ୱବିଦ୍‌ମାନେ ଏ ପ୍ରକାରର ଏକ ଅବସ୍ଥାକୁ, ବ୍ୟକ୍ତିଗତ ସ୍ତରରେ ସାଫଲ୍ୟର ଅଭାବକୁ, ଘଟଣାହୀନତାକୁ ଏବଂ ସାମୂହିକ ନିଷ୍କ୍ରିୟତାକୁ ସୂଚାଇ ଦେଇଥାଏ ବୋଲି ମତ ଦିଅନ୍ତି । ଅଥାତ୍‌, ବ୍ୟକ୍ତିଗତ ଜୀବନରେ ଆମ ସମାଜରେ ସଫଳତାର କାହାଣୀ କମି କମି ଯାଉଛି-ଦିନକୁ ଦିନ ଅଧିକରୁ ଅଧିକ ଲୋକ ଖୁବ୍‌ ସାଧାରଣ ଜୀବନ ବଂଚୁଛନ୍ତି । ଆପଣା ସମ୍ବାଦ ପରିବେଷଣରେ ‘ମୋଗାଂବୋ’ ଶୈଳୀରେ ଆପଣାର ସାମ୍ରାଜ୍ୟ ବିସ୍ତାରକରି ଆମ ସମ୍ବାଦପତ୍ର ସଂସ୍ଥାମାନେ ‘ଖୁସ୍‌’ ହୋଇ ରହିଯିବାପରି ସାଧାରଣ ଜୀବନରେ ଅଧିକରୁ ଅଧିକ ଲୋକେ ମଧ୍ୟ ଷ୍ଟୁଆଟ୍‌ ମିଲ୍‌ଙ୍କ ‘ସନ୍ତୁଷ୍ଟ ଘୁଷୁରୀ / Satisfied pig’ ପାଲଟି ଯାଉଛନ୍ତି । ଉଗ୍ର ଉପଭୋକ୍ତାବାଦ ଅଧିକାଂଶଙ୍କୁ ମେଣ୍ଢା ବନେଇ ପାରିବାର ସକଳ ସାମର୍ଥ୍ୟ ରଖିଛି ଏବଂ ସବୁଠୁଁ ବଡ଼ ବିଡ଼ମ୍ବନା ଏହି ଯେ ଆମର ଗଣମାଧ୍ୟମମାନେ, ବିଶେଷକରି ପ୍ରିଣ୍ଟମିଡ଼ିଆ ଯେଉଁମାନେ ଏଇ ନୈତିକ ସଂକଟ ସମୟରେ ଆମର ଦିଗ୍‌ଦର୍ଶନ ଦିଅନ୍ତେ, ସେମାନେ ବି ଉପଭୋକ୍ତାବାଦର ଏଇ ଅଜବ ମାରାଥନ୍‌ରେ ଆପଣାକୁ ସବା ଆଗ ସାମିଲ୍‌ କରିଦେଇଛନ୍ତି । ସେମାନଙ୍କ ପାଇଁ ପାଠକ / ଦର୍ଶକଟିଏ ତୁଚ୍ଛା ମନୋରଂଜନରେ ବିଶ୍ଵାସ ରଖୁଥିବାଉପଭୋକ୍ତାଟିଏ ହୋଇ ଯାହା ରହିଛି ।

 

(ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟଙ୍କୁ ୨୦୦୫ରେ ତେତିଶ ବର୍ଷ ପୂରିଥିଲା)

Image

 

ଦ୍ରୋଣାଚାର୍ଯ୍ୟଙ୍କ ହୁଣ୍ଡି

 

ନୋବେଲ ପୁରସ୍କାରଲବ୍‌ଧ ଅର୍ଥର ଏକ ଅଂଶକୁ ବିନିଯୋଗ କରି ଶ୍ରୀ ଅମର୍ତ୍ତ୍ୟ ସେନ୍‌ ପଶ୍ଚିମବଂଗରେ ‘ପ୍ରତୀଚୀ’ ନାମରେ ଗୋଟିଏ ଟ୍ରଷ୍ଟ ଗଠନ କରିଥିଲେ । ପାଠକମାନେ ନିଶ୍ଚୟ ଜାଣିଥିବେ ଯେ ଶ୍ରୀ ସେନ୍‌ଙ୍କ ନିଜ ରାଜ୍ୟ ହେଉଛି ପଶ୍ଚିମବଂଗ । ମୁଖ୍ୟତଃ ଶିକ୍ଷା କ୍ଷେତ୍ରରେ ଗବେଷଣା ତଥା ଶିକ୍ଷାର ଵିକାଶ ନିମନ୍ତେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା । ପଶ୍ଚିମବଂଗର ପ୍ରାଥମକ ଶିକ୍ଷା ବ୍ୟବସ୍ଥା ଉପରେ ଏହି ଟ୍ରଷ୍ଟ ଏକ ସର୍ଭେ ଆରମ୍ଭ କରିଥିଲା ଯେଉଁଥିରେ ରାଜ୍ୟର ଛଅଟି ଜିଲ୍ଲାକୁ ନମୁନା ଭାବେ ଗ୍ରହଣ କରାଯାଇଥିଲା । ସର୍ଭେରୁ ‘ପ୍ରତୀଚୀ’ ଦ୍ଵାରା ଯେଉଁ ତଥ୍ୟ ସବୁ ଲୋକଲୋଚନକୁ ଆସିଥିଲା ସେସବୁ ଏକାବେଳେକେ ଅପ୍ରତ୍ୟାଶିତ ଯଦିଓ ନଥିଲା ତଥାପି ଅନେକଙ୍କ ପାଇଁ ଅଜ୍ଞାତ ଥିଲା । ଏହି ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ ପାଇଥିଲା ୨୦୦୨ ମସିହାରେ । ରିପୋର୍ଟ ର ମୁଖବନ୍ଧ ଲେଖିଥିଲେ ନିଜେ ଶ୍ରୀ ଅମର୍ତ୍ତ୍ୟ ସେନ୍‌ । ରିପୋର୍ଟ ଅନୁଯାୟୀ ହରିଜନ-ଆଦିବାସୀବହୁଳ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅନୁପସ୍ଥିତି ହାର ଶତକଡ଼ା ୭୫ ଭାଗ ଥିବାବେଳେ ଅପେକ୍ଷାକୃତ ଉଚ୍ଚଜାତିର ପିଲାଏ ପାଠ ପଢ଼ୁଥିବା ବିଦ୍ୟାଳୟମାନଙ୍କରେ ଏହି ଅନୁପସ୍ଥିତି ହାର ଶତକଡ଼ା ୩୩ ଭାଗରୁ କମ୍‌ ଥିଲା । ଏମିତି ଏକ ପ୍ରଶ୍ନ ପିଲାମାନଙ୍କୁ ପଚରା ଯାଇଥିଲା, “ଗତକାଲି ଶ୍ରେଣୀରେ କ’ଣ ପଢ଼ାଯାଇଥିଲା’’ ଅଧିକାଂଶ ପିଲାଏ ବଲ୍‌ବଲ୍‌ କରି ପ୍ରଶ୍ନ କର୍ତ୍ତାଙ୍କ ମୁହଁକୁ ଚାହିଁଥିଲେ । ଜଣାଗଲା, ଶିକ୍ଷକ ଗତକାଲି ଅନୁପସ୍ଥିତ ଥିଲେ । ଯେଉଁ ପିଲାମାନେ ନିଜର ନାମ ଲେଖିବାପାଇଁ ସମର୍ଥ ହୋଇଥିଲେ ସେମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ଘରୋଇ ଟିଉସନ୍‌ ହେଉଥିଲେ । ଅନ୍ୟ ପକ୍ଷରେ ଟିଉସନ ହେଉନଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ହାର ଥିଲା ଶତକଡ଼ା ୭ଭାଗ ମାତ୍ର । ଏକଥା ମଧ୍ୟ ଜଣାପଡ଼ିଥିଲା ଯେ ମାତ୍ର ଶତକଡ଼ା ୨୪ ଭାଗ ଅଭିଭାବକ ସରକାରୀ ଶିକ୍ଷକଙ୍କ ଉପରେ ସନ୍ତୁଷ୍ଟ ।

 

ଶ୍ରୀ ସେନ୍‌ ତାଙ୍କର ମୁଖବନ୍ଧରେ ଘରୋଇ ଟିଉସନ୍‌କୁ ନିଷିଦ୍ଧ କରିବାପାଇଁ ସିଧାସଳଖ ଆହ୍ୱାନ ଦେଇଥିଲେ । ‘ବିନା କୌଣସି ସର୍ତ୍ତରେ ଘରୋଇ ଟିଉସନ୍‌ ବନ୍ଦ ହେବା ଆବଶ୍ୟକ ।’ ଶ୍ରୀ ସେନ୍‌ ଏକଥା ମଧ୍ୟ ଲେଖିଥିଲେ ଯେ ଯେହେତୁ ଅପେକ୍ଷାକୃତ ଧନୀଲୋକଙ୍କ ପିଲାମାନେ ହିଁ ଘରୋଇ ଟିଉସନ୍‌ର ଅନ୍ତର୍ଭୁକ୍ତ, ଶିକ୍ଷକମାନେ ବିଦ୍ୟାଳୟ ପ୍ରତି ଯତ୍ନବାନ ହେଉନାହାନ୍ତି । ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ୁଛି । ଧନୀ ତଥା କ୍ଷମତାସମ୍ପନ୍ନମାନଙ୍କ ପିଲାମାନେ ଯେହେତୁ ଘରୋଇ ଟିଉସନ୍‌ର ଛତ୍ର ଛାୟା ତଳେ ଆଶ୍ୱସ୍ତ ସେମାନଙ୍କର ଅଭିଭାବକମାନେ ସାଧାରଣ ସ୍କୁଲ୍‌ ଶିକ୍ଷାର ଗୁଣାତ୍ମକ ଦିଗକୁ ଏକଦମ୍‌ ନଜର-ଅନ୍ଦାଜ୍‌ କରିଦେଉଛନ୍ତି ।

 

ଯଦିଓ ପଶ୍ଚିମବଂଗ ସରକାର ସକଳ ସଂଭ୍ରମ ସହିତ ଏହି ରିପୋର୍ଟକୁ ସ୍ଵାଗତ କରିଥିଲେ ଏବଂ ସରକାର ଶିକ୍ଷକମାନଙ୍କର ଘରୋଇ ଟିଉସନ୍‌କୁ ନିଷେଧ କରିସାରିଛନ୍ତି ବୋଲି ସଫେଇ ଦେଇଥିଲେ ଶ୍ରୀ ସେନ୍‌ଙ୍କ ବିରୁଦ୍ଧରେ ଅନ୍ୟ ଦିଗରୁ ତୁହାକୁ ତୁହା ଆକ୍ରମଣ ହେଲା (ଆକ୍ରମଣ ବୌଦ୍ଧିକ ଥିଲା) । ବୋଧହୁଏ ସିଧାସଳଖ ଶ୍ରୀ ସେନ୍‌ଙ୍କୁ ବିରୋଧ କରିଥିଲେ ଶ୍ରୀ ସ୍ଵାମୀନାଥନ୍‌ ଆୟର୍‌ (ସ୍ଵାମିନୋମିକ୍‌ସ୍‌ ଖ୍ୟାତି ସଂପନ୍ନ) । ବୃହତ୍ତର ଭାବରେ ଘରୋଇ ଟିଉସନ୍‌କୁ ନିଷିଦ୍ଧ କରିବା ଆଦୌ ଠିକ୍‌ ହେବ ନାହିଁ ବୋଲି ସେ ଯୁକ୍ତି କରିଥିଲେ । ଅନ୍ୟପକ୍ଷରେ ଶ୍ରୀ ଆୟର୍‌ ଶିକ୍ଷକମାନଙ୍କୁ ନିୟନ୍ତ୍ରଣରେ ରଖିବାପାଇଁ ଚୀନ୍‌ ପରି ଭାରତରେ ଗୋଷ୍ଠୀମାନଙ୍କୁ କ୍ଷମତାସଂପନ୍ନ କରିବା ନିମନ୍ତେ ଯୁକ୍ତି କରିଥିଲେ । ପଢ଼ାଖର୍ଚ୍ଚ ପାଇଁ ରାଷ୍ଟ୍ର ଗରିବ ଛାତ୍ରମାନଙ୍କୁ ‘ଶିକ୍ଷା ଭାଉଚର୍‌’ ଦେବାର ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିପାରେ ବୋଲି ଶ୍ରୀ ଆୟର୍‌ ମତ ଦେଇଥିଲେ । ଶ୍ରୀ ଆୟର୍‌ଙ୍କ ମତ ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ରେ ପ୍ରକାଶିତ ହୋଇଥିଲା ।

 

ଏଇ ଘଟଣାର ଅଳ୍ପ କେତେଦିନ ପରେ ନଭେମ୍ବର ୧୯, ୨୦୦୨ରେ ସେଇ ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ରେ ଏକ ପ୍ରବଂଧ ଲେଖି ଶ୍ରୀ ସେନ୍‌ କରିଥିଲେ ଯେ ତାଙ୍କୁ (ପ୍ରତୀଚୀ ରିପୋର୍ଟରେ) ଠିକ୍‌ ଭାବେ ଉଦ୍ଧାର କରାଯାଇନାହିଁ । ଘରୋଇ ଟିଉସନ୍‌ ଏକାବେଳକେ ନିଷେଧ ହେଉ-ସେ ଏକଥା କହିନାହାନ୍ତି । ସେ କେବଳ ଯୁକ୍ତି କରିଛନ୍ତି ଯେ ସରକାରୀ ଶିକ୍ଷକମାନଙ୍କର ଘରୋଇ ଟିଉସନ୍‌କୁ ବନ୍ଦ କରାଯାଉ । ଘରୋଇ ଟିଉସନ୍‌ ଧନୀମାନଙ୍କୁ ସ୍ଵାଭାବିକ ଭାବେ ଏକ ନିରାପଦ ସ୍ଥାନରେ ରଖୁଛି-ଏକଥା ସେ କହିନଥିଲେ । ସେ ପୁଣି କହିଲେ ଯେ ତୃଟି କରୁଥିବା ଶିକ୍ଷକମାନଙ୍କୁ ସୁଧାରିବା ପାଇଁ ପ୍ୟାରେଣ୍ଟ-ଟିଚର୍‌ ସଂଘଗୁଡ଼ିକ ଅଧିକ ପ୍ରଭାବଶାଳୀ ହେବା ଆବଶ୍ୟକ । ଯଦିଓ କେତେ ଦିନ ଭିତରେ ଶ୍ରୀ ସେନ୍‌ ଅଦ୍ଭୁତ ଭାବେ ନରମି ଯାଇଥିଲେ ଅନେକ ଏ ପର୍ଯ୍ୟନ୍ତ ମନେକରନ୍ତି ଯେ ଶ୍ରୀ ସେନ୍‌ଙ୍କ ପ୍ରଥମ ମତାମତ ତାଙ୍କର ଅସଲ ମତ ଥିଲା ।

 

ମୁଖ୍ୟସ୍ରୋତର ଅର୍ଥାତ୍‌ ରାଷ୍ଟ୍ରାୟତ୍ତ ଶିକ୍ଷାନୁଷ୍ଠାନ-ପ୍ରଦତ୍ତ ଶିକ୍ଷାର ଏକ ଅନୁପୂରକ ବ୍ୟବସ୍ଥା ଭାବେ ଉଦିଷ୍ଟ ଘରୋଇ ଟିଉସନ୍‌ ଆଜି ଏତେ ପ୍ରଭାବଶାଳୀ ହୋଇଯାଇଛି ଯେ ଆଉ ଘରୋଇ ଟିଉସନ୍‌ ବ୍ୟବସ୍ଥାକୁ ମୂଳ ଶିକ୍ଷା ବ୍ୟବସ୍ଥାର ‘ଛାୟା ବ୍ୟବସ୍ଥା’ (Shadow Syatem) କହିବାପାଇଁ କୁଣ୍ଠାବୋଧ ହେଉଛି । ବିଗତ କେତେବର୍ଷ ଭିତରେ ଘରୋଇ ଟିଉସନ୍‌ ବ୍ୟବସ୍ଥାର ଆଶ୍ଚର୍ଯ୍ୟଜନକ ଅଭିବୃଦ୍ଧି ହାର ଯଦି କେହି ଲକ୍ଷ୍ୟ କରେ, ସେ ଏକଥା ଅବଶ୍ୟ କହିବ ଯେ ଘରୋଇ ଟିଉସନ୍‌ ଏବେ ଏକ ସମାନ୍ତରାଳ ଶିକ୍ଷା ବ୍ୟବସ୍ଥାରେ ପରିଣତ ହେଲାଣି, ଯଦିଓ ଟିଉସନ୍‌ ଶିଳ୍ପର ସମୃଦ୍ଧି ପାଇଁ ମୁଖ୍ୟ ସ୍ରୋତର ଅନୁଷ୍ଠାନମାନେ (ସ୍କୁଲ୍‌, କଲେଜ, ବିଶ୍ୱବିଦ୍ୟାଳୟ) କଙ୍କାଳସାର ସତ୍ତା ହୋଇ ସୁଦ୍ଧା ରାଷ୍ଟ୍ର ଖର୍ଚ୍ଚରେ କୌଣସି ପ୍ରକାର ତିଷ୍ଠି ରହିବା ଆବଶ୍ୟକ । ଘରୋଇ ଟିଉସନ୍‌ ବ୍ୟବସ୍ଥାର ସବୁଠୁଁ ଦୁର୍ବଳ ମୂଳଦୁଆଟି ସିଧାସଳଖ ରାଷ୍ଟ୍ରୀୟ ସରକାରୀ ପୃଷ୍ଠପୋଷକତାରେ ଗଢ଼ିଉଠିଥିବା ଶିକ୍ଷାନୁଷ୍ଠାନମାନଙ୍କର ସ୍ଥିତିସ୍ଥାପକତ୍ୱ ତଥା ଏକ ଆପାତଃ ମୁମୂର୍ଷୁ ଶିକ୍ଷା ବ୍ୟବସ୍ଥା ସହିତ ସଂପୃକ୍ତ । ଗୋଟିଏ ଉଦାହରଣ ବରଂ ଭଲ ହେବ । ଯଦି ଭୁବନେଶ୍ଵରରେ ବି.ଜେ.ବି. କଲେଜ ନଥା’ନ୍ତା କିମ୍ବା ଆଉ କେତୋଟି କଲେଜ ନଥାନ୍ତା, ଛତୁ ଫୁଟିବା ପରି ରାଜଧାନୀରେ ଏତେ ଟିଉଟୋରିଆଲ୍‌ / କୋଚିଂ ସେଣ୍ଟର୍‌ / ଷ୍ଟଡ଼ି ସେଣ୍ଟର୍‌ କ’ଣ ଗଢ଼ି ଉଠିଥା’ନ୍ତେ ? ସରକାରୀ ଶିକ୍ଷାନୁଷ୍ଠାନର ସ୍ଥିତି ବ୍ୟତିରକେ ଘରୋଇ ଟିଉସନ୍‌ ବ୍ୟବସ୍ଥାର ଅଭିବୃଦ୍ଧି ସଂଭବ ନୁହେଁ । ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ କାରଣ ହେଉଛି ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନର ଅଭାବ । ମୋର ଦ୍ୱିତୀୟ ଯୁକ୍ତିର ଅର୍ଥ ନୁହେଁ ଯେ ଆମ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ବିଦ୍ଵାନ ଶିକ୍ଷକମାନଙ୍କର ଅଭାବ ରହିଛି, କାରଣ ସେଇ ଏକା ଶିକ୍ଷକମାନେ ହିଁ ଆପଣା ଶିକ୍ଷାନୁଷ୍ଠାନ ବାହାରେ ତୀକ୍ଷ୍‌ଣ ଜ୍ଞାନବିଜ୍ଞାନର ପରିଚୟ ଦେଇଥା’ନ୍ତି । ଏସବୁ ମାଗଣାରେ ଅବଶ୍ୟ ହୋଇନଥାଏ ଏବଂ ଏକଥା ମଧ୍ୟ ଅଲଗା କଥା ଯେ ସେଇ ଶିକ୍ଷକମାନଙ୍କୁ ଆମ ରିଚା ମିଶ୍ରମାନେ ସରକାରୀ ଶ୍ରେଣୀଗୃହରେ ଛାତ୍ରୀପରି ମନେହୁଅନ୍ତି ନାହିଁ । ଶିକ୍ଷକର ସାମାଜିକ ତଥା ମନସ୍ତାତ୍ତ୍ୱିକ ଭୂଇଁରେ ଏପ୍ରକାର ଏକ ଅବତରଣ ଗଭୀର ଅନୁସଂଧାନ ସାପେକ୍ଷ । ଅଳ୍ପ କେତେବର୍ଷ ଭିତରେ ଶିକ୍ଷକମାନଙ୍କ ଭିତରେ ଏପରି ନାଟକୀୟ ପରିବର୍ତ୍ତନ କେମିତି ଆସିଲା ଯେ ସେମାନେ ଟେଣ୍ଡର ଫିକ୍ସିଂ ପରି ମାର୍କ ଫିକ୍ସିଂ ସ୍ତରକୁ ଓହ୍ଲେଇ ଆସିଲେ, ହିନ୍ଦୀ ସିନେମାର ‘‘ବ୍ୟାଡ଼୍‌ମ୍ୟାନ୍‌’’ ପରି ଛାତ୍ରଛାତ୍ରୀମାନଙ୍କୁ ଡରେଇଲେ, ଧମକେଇଲେ, ଛାତ୍ରଛାତ୍ରୀମାନଙ୍କୁ ତୁଚ୍ଛା ଉପଭୋକ୍ତା ମଣିଲେ ଓ ସେମାନଙ୍କ ଖାସ୍‌ ଦୋକାନରୁ ପିଲାମାନଙ୍କୁ ଜ୍ଞାନ କିଣିବାପାଇଁ ବାଧ୍ୟ କଲେ-ଏହା ଗବେଷଣା ସାପେକ୍ଷ । ହୁଏତ ଏଇ ପରିପ୍ରେକ୍ଷୀରେ ରିଚାର ଆତ୍ମହତ୍ୟା ଅବଶ୍ୟମ୍ଭାବୀ ଥିଲା । ଆମ ରାଜଧାନୀରେ ଘଟିବା ଆଗରୁ ଦିଲ୍ଲୀରେ ଓ ଅନ୍ୟାନ୍ୟ ଯାଗାରେ ଏମିତି ଘଟଣା ଘଟିସାରିଛି ।

 

ଏବେ ଆମେ ଆଉ ଏକ ଦିଗ ଉପରେ ଆଲୋଚନା କରିବା । ସାମୂହିକ ଭାବେ ଆମେ କ’ଣ ଏଥିପାଇଁ ଦାୟୀ ନୁହେଁ ? ଶିକ୍ଷକ ଛାତ୍ରୀଙ୍କ ପ୍ରେମରେ ପଡ଼ିବା, ଆବଶ୍ୟକ ହେଲେ ଛାତ୍ରୀ ଶିକ୍ଷକଙ୍କ ସହିତ ଚଂପଟ ମାରିବା, ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀ ଯୌନ ବ୍ୟଭିଚାର / ବଳାତ୍କାରର ଶିକାର ହେବା, କ୍ଷମତାସଂପନ୍ନଙ୍କ ପିଲାମାନଙ୍କୁ ମାର୍କ ଦେଇ ବେଶ୍‌ କେତେଜଣ ଶିକ୍ଷକ ଦୈତ ନଗରୀରେ / ରାଜ୍ୟର ପ୍ରମୁଖ ସହରମାନଙ୍କରେ ସମଗ୍ର ଚାକିରୀ ଜୀବନ ବିତାଇବା, ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ରାଜନୀତି କରିବା-ଏସବୁ ଖବର ଆମକୁ ତ ଆଚମ୍ବିତ କରୁନାହିଁ । ଯଦି ଶିକ୍ଷକ ପାଇଁ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଛି ବା ଶିକ୍ଷକମାନଙ୍କୁ ଆମ ସମାଜ ‘ମଡେଲ୍‌’ ଭାବରେ ଗ୍ରହଣ କରୁଛି ତେବେ ତ ଆମେ ଯଥେଷ୍ଟ ଆଗରୁ ଚିନ୍ତାକରିବା ଉଚିତ ଥିଲା ଏପ୍ରକାର ଏକ ଶିକ୍ଷଣୀୟ ଅବକ୍ଷୟର କାରଣ କ’ଣ । ଶିକ୍ଷାରେ ସମସ୍ତ ଅପକର୍ମକୁ ଆମେ କେବଳ ଘଣ୍ଟ ଘୋଡାଇ ନାହୁଁ ବରଂ ଶିକ୍ଷକରୁ ପକ୍ଷ ନେଇ ଉଦ୍ଭଟ ଯୁକ୍ତି କରିଛୁ । ଯଥା, ଶିକ୍ଷକର ପ୍ରେମ କ୍ଷେତ୍ରରେ ଆମେ କହିଲୁ, ଶିକ୍ଷକ ବୋଲି ସେ କ’ଣ ଆଉ ମଣିଷ ନୁହେଁ ! କିଏ ଆଉ ପ୍ରେମ ନକରୁଛି-ପ୍ରେମରେ ଚଂପଟ ନମାରୁଛି ! ପ୍ରଶାସକମାନେ କ’ଣ ପ୍ରେମ କରୁନାହାନ୍ତି ! ସେମାନେ ତ଼ ବରଂ ପରକୀୟା ପ୍ରୀତିରେ ବେଶ୍‌ ଲିପ୍ତ ରହି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଠି କରୁଛନ୍ତି ! ଆଉ ବଳାତ୍କାର ? ଆମେ ପୁଣି ଶିକ୍ଷକ ସପକ୍ଷରେ ଯୁକ୍ତି କଲୁ । ବଳାତ୍କାର ସହିତ ମଣିଷର ଏକ ଜଟିଳ ଅବସ୍ଥା ଜଡ଼ିତ–ସବୁ ମଣିଷ ଜଣେ ଜଣେ ବଳାତ୍କାରୀ । ଶିକ୍ଷକର ବଳାତ୍କାରରେ ଛାତ୍ରୀଟିର ସାମାନ୍ୟତମ ଆଗ୍ରହ ନଥିଲା, ଏକଥା କିଏ କହିବ ! ବାକି ରହିଲା ଶିକ୍ଷକମାନେ ନେତା ଓ ଅଫିସରମାନଙ୍କୁ ଧରାଧରି କରି ସହରରେ ରହିବା କଥା । ଯୁକ୍ତି ପୁଣି କରାଗଲା, କେବଳ ଶିକ୍ଷକମାନଙ୍କ କ୍ଷେତ୍ରରେ ଏଇ ଭେଦଭାବ କାହିଁକି ? ଅନ୍ୟ ସରକାରୀ କର୍ମଚାରୀମାନେ କ’ଣ ଠିକ୍‌ ତାହାହିଁ କରୁନାହାନ୍ତି ? କିଏ ନିଜ ସଂଘ ନାଁରେ ତ ଆଉ କିଏ ସ୍ଵାସ୍ଥ୍ୟ ନାଁରେ କେତେ ଫନ୍ଦି କାଢ଼ି, ଲବି କରି ସହରରେ ରହୁଛନ୍ତି, ବରାବର ରହୁଛନ୍ତି । ସେମାନେ ତ ପ୍ରଥମ ଦିନରୁ ସରକାରୀ କ୍ୱାଟର୍ସରେ ଅନ୍ତତଃ ଦୁଇଟି ପୀଢ଼ି ପାଇଁ ଗଛବୃଛ କେତେ ଯତ୍ନରେ ଲଗେଇ ପକାଉଛନ୍ତି ! ସେଇ ତୁଳନାରେ ବିଚାରା ଶିକ୍ଷକଟି କ’ଣ କରୁଛି ! ମାର୍କ ଫିକ୍ସିଂ । ସେଥିରେ କ’ଣ ଗୋଟାଏ ବଡ଼ କଥା ଅଛି ! ପେଟପାଟଣା ସମସ୍ତଙ୍କର ଅଛି-। ଯଦି ଶିକ୍ଷକଟିଏ କାହାର ପାଂଚ ନମ୍ବର ବଢ଼ାଇଦେଲା ସେଥିରେ କାହାର କ’ଣ କ୍ଷତି ହେଲା-! ଓଲଟି ପାସ୍‌ ହାର ବଢ଼ିଲା । ଯଦି ପାଠକମାନେ ଏସବୁ ବିଷୟ ଚିନ୍ତା କରନ୍ତି, ତେବେ ଏକଥା ଅବଶ୍ୟ ଆମର ଉପଲବ୍ଧି ହେବ ଯେ ଦୀର୍ଘ ବର୍ଷଧରି ଆମ ଜ୍ଞାତସାରରେ ଆମେ ଆମର ତଥାକଥିତ ଆଦର୍ଶ ଶିକ୍ଷକଟି ଭିତରେ ଏମିତି ସବୁ ଅସଂଗତ ଆଚରଣ / ସାଲିସକୁ ଗ୍ରହଣ କରିନେଇଛେ ଯେ ଶିକ୍ଷକ ସଂଜ୍ଞାର ଧାରାବାହିକ ଅବମୂଲ୍ୟାୟନ ଘଟିସାରିଛି । ଏବେ ଆଦର୍ଶ / ଭଲ ଶିକ୍ଷକ କହିଲେ ଆମର ସତରେ କୌଣସି ଆଦର୍ଶ ଶିକ୍ଷକଙ୍କ କଥା ମନେପଡୁନାହିଁ । ଆଦର୍ଶ ଶିକ୍ଷକ କହିଲେ ଯିଏ ଆମ ଆଖି ସାମ୍ନାକୁ ଆସୁଛନ୍ତି, ହୁଏତ ଆମକୁ ଆଚ୍ଛନ୍ନ କରିପକାଉଛନ୍ତି, ସେ ହେଉଛନ୍ତି ଅମୁକ ଟିଉଟୋରିଆଲ୍‌ସ୍‌ର ଗେଷ୍ଟ କ଼୍ଲାସ୍‌ ନେଇଥିବା (ପ୍ରଚ୍ଛନ ଭାବେ ସେଇ ଟିଉଟୋରିଆଲ୍‌ସ୍‌ର ପାର୍ଟନର୍‌ ଥିବା) ଅମୁକ ପ୍ରାଧ୍ୟାପକ, ଯାହାଙ୍କ ବ୍ୟାଚ୍‌ରୁ ଲଗାତାର ଚାରି ବର୍ଷଧରି ରାଜଧାନୀର ସର୍ବାଧିକ ପିଲା ଆଇ.ଆଇ.ଟି.ପାଇଁ ମନୋନୀତ ହୋଇଛନ୍ତି । ସେଇ ମହାନ୍‌ ଶିକ୍ଷକ ଆମପାଇଁ ଅଦୃଶ୍ୟ ହୋଇ ମଧ୍ୟ ଆମ ସ୍ମୃତିରେ ଚିରହରିତ୍‌ ହୋଇ ରହିଛନ୍ତି । ସେ ବରାବର ରାଜଧାନୀରେ ଥା’ନ୍ତୁ, ପ୍ରତିବର୍ଷ କାର୍‌ ବଦଳାନ୍ତୁ ଓ ନୂଆନୂଆ ଫ୍ଲାଟ୍‌ କିଣନ୍ତୁ-ଆମେ ଅଭିଭାବକମାନେ ମଂଗଳମୟଙ୍କ ନିକଟରେ ଏହାହିଁ ପ୍ରାର୍ଥନା କରୁଛୁଁ ।

 

ରିଚାର ମୃତ୍ୟୁରେ ବିଶେଷ ତୁମ୍ଭିତୋଫାନ କରିବାର ପ୍ରାସଂଗିକତା କ'ଣ ସତରେ ଅଛି-? ଆମେ ନିଜେ ତ ଆମ ପ୍ରିୟ ଶିକ୍ଷକ ଭିତରେ ଏକ ଚାରିତ୍ରିକ ଅବତରଣର ସୁରୁବାତ୍‌ କରିଛନ୍ତି । ଆମର ଆଦର୍ଶ ଶିକ୍ଷକ ଆମପାଇଁ ଫ୍ରାଙ୍କେନ୍‌ଷ୍ଟାଇନ୍‌ଙ୍କ ରାକ୍ଷସ ହୋଇ ଆମକୁ ଗ୍ରାସ କରିବାପାଇଁ ଗୋଡ଼େଇଛନ୍ତି ।

 

ଘରୋଇ ଟିଉସନ କେବଳ ବିଜେବି କଲେଜରେ ନୁହେଁ, ଆମ ରାଜଧାନୀରେ, ରାଜ୍ୟରେ ବା ଦେଶରେ ନୁହେଁ, ସାରା ପୃଥିବୀରେ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଲାଣି । ଯାହା ଦିନେ ଆମ ମୁଖ୍ୟ ଶିକ୍ଷାଦାନ ବ୍ୟବସ୍ଥାର ଅତିରିକ୍ତ ଅନୁଶିକ୍ଷଣ ହୋଇ ଆସିଥିଲା ସେଇ ବ୍ୟବସ୍ଥା ଏକ ବିକଳ୍ପହୀନ ସର୍ବଗ୍ରାସୀ ବ୍ୟବସ୍ଥା ହେବାକୁ ବସିଲାଣି । ଏସିଆ ମହାଦେଶରେ ଏଇ ଅବସ୍ଥା ପୁଣି ଅପେକ୍ଷାକୃତ ଉତ୍କଟ । ଅନୁପୂରକ ଘରୋଇ ଶିକ୍ଷାଦାନର କୁପ୍ରଭାବ (Adverse Effects of Private Supplementary Tutoring) ଉପରେ ୟୁନେସ୍‌କୋ (UNESCO) ର ଆନ୍ତର୍ଜାତିକ ଶିକ୍ଷାଯୋଜନା ସଂସ୍ଥା (IIEP) ୨୦୦୩ ମସିହାରେ ଶିକ୍ଷାବିତ୍‌ ଶ୍ରୀ ମାର୍କ ବ୍ରେଙ୍କର ଏକ ଚମତ୍କାର ନିବନ୍ଧ ପ୍ରକାଶ କରିଥିଲା । ସର୍ବେକ୍ଷଣ ଅନୁଯାୟୀ ଏଥିରେ ଦର୍ଶାଯାଇଛି ଯେ ଇଜିପ୍‌ଟ୍‌, ଭାରତ, ମାଲ୍‌ଟା ଏବଂ ରୋମାନିଆରେ ସମୁଦାୟ ଛାତ୍ରଙ୍କ ମଧ୍ୟରୁ ଅତି କମ୍‌ରେ ଏକ ତୃତୀୟାଂଶ ଘରୋଇ ଟିଉସନ୍‌ ଉପରେ ନିର୍ଭରଶୀଳ । କେତେକ ଦେଶ ଏହି ଘରୋଇ ଶିକ୍ଷାଦାନର ସାମାଜିକ ଗ୍ରହଣୀୟତାକୁ ଆଦୌ ପ୍ରଶ୍ନମଧ୍ୟ କରନ୍ତି ନାହିଁ । ଏକଥା ମଧ୍ୟ କୁହାଯାଇଛି ଯେ ଯଦିଓ ଏହି ବ୍ୟବସ୍ଥାର କେତେକ ସୁପ୍ରଭାବ ଅଛି ତଥାପି ସୁଦୂରପ୍ରସାରୀ କୁପ୍ରଭାବମାନଙ୍କ ତୁଳନାରେ ଏସବୁ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଶ୍ରୀ ବ୍ରେ ଆହୁରି ମଧ୍ୟ କହିଛନ୍ତି; “In the worst Case a form of blackmail arises in which the teachers teach only half of the curriculum during the school day and then require the pupils to Pay for the other half during private lessons.” ଯଦିଓ ନିବଂଧଟି ଭାରତ ସମେତ କେତୋଟି ଦେଶର ସ୍କୁଲ ଶିକ୍ଷା ଉପରେ ପର୍ଯ୍ୟବସିତ ଏଇଟି କ'ଣ ଆମ କଲେଜମାନଙ୍କ କ୍ଷେତ୍ରରେ ଘଟୁନାହଁ କି ? ଶ୍ରୀ ବ୍ରେ ଘରୋଇ ଟ୍ୟୁସନ୍‌ ବ୍ୟବସ୍ଥାକୁ ସିଧାସଳଖ ଦୁର୍ନୀତି ବୋଲି କହିଛନ୍ତି । ଦୁର୍ନୀତିରେ ଜଣକୁ ନୈତିକ ଭାବରେ ଖରାପ କରାଇବା, ଅସଂଗତ ପ୍ରଭାବ ପକାଇବା / ବିଭ୍ରାନ୍ତ କରିବା ଏବଂ ମୂଳ ତତ୍ତ୍ୱକୁ, ଶିକ୍ଷାକୁ ଅନୁଶାସନକୁ ପରିବର୍ତ୍ତନ କରିବା ଅନ୍ତର୍ଭୁକ୍ତ । ଘରୋଇ ଟିଉସନ ବ୍ୟବସ୍ଥାରେ ଦୁର୍ନୀତିର ଏଇ ଚିହ୍ନମାନ କ'ଣ ଦୃଶ୍ୟମାନ ହେଉନାହିଁ-?

 

ଆମ ଭାରତୀୟ ସଂସ୍କୃତିରେ ଏଇ ଅବକ୍ଷୟର ଶ୍ଲେଷାତ୍ମକ ଚିତ୍ରଟିଏ ମଧ୍ୟ ରହିଛି । ସେଇଟି ହୁଏତ ଏକ ସଂସ୍କୃତିଗତ ବିରୋଧାଭାଷ ହୋଇ ରହିଛି, କାରଣ ଆମ ସଂସ୍କୃତିରେ ଗୁରୁକୁଳର ସୁଉଚ୍ଚ ପରଂପରା କଥା ମଧ୍ୟ କୁହାଯାଇଛି । ମହାଭାରତ ଯୁଗର ଆଚାର୍ଯ୍ୟ ଦ୍ରୋଣ ନିଃସନ୍ଦେହରେ ଜ୍ଞାନୀ ତ ଥିଲେ କିନ୍ତୁ ସେ କୁରୁକୁଳର ଘରୋଇ ଟିଉସନ୍‌ ଶିକ୍ଷକ ଥିଲେ । ପକ୍ଷପାତିତା କେବଳ ରିଚା ମିଶ୍ରଙ୍କ କ୍ଷେତ୍ରରେ ଘଟିନାହିଁ-ଆଚାର୍ଯ୍ୟ ଦ୍ରୋଣଙ୍କ ସମୟରେ ମଧ୍ୟ ପକ୍ଷପାତିତା ଥିଲା । ଆଚାର୍ଯ୍ୟ କର୍ଣ୍ଣଙ୍କୁ ଶିକ୍ଷାଦାନ କରିବେ ନାହିଁ ବୋଲି ମନା କରିଦେଇଥିଲେ କାରଣ କର୍ଣ୍ଣ (ଅଧିରଥଙ୍କ ପୁତ୍ର ଭାବେ) କ୍ଷତ୍ରିୟ ନଥିଲେ, ରାଜପୁତ୍ର ମଧ୍ୟ ନଥିଲେ । ତେବେ ଦ୍ରୋଣାଚାର୍ଯଙ୍କ ପୁତ୍ର ଅଶ୍‌ତଥାମା (ବ୍ରାହ୍ମଣ) ତାଙ୍କର ଶିଷ୍ୟ ଥିଲେ । ଏକଲବ୍ୟ ପ୍ରତି ଆଚାର୍ଯ୍ୟ ସବୁରୁ ବଡ଼ ଅନ୍ୟାୟ କରିଥିଲେ । ଦରିଦ୍ର ଏକଲବ୍ୟ ଦ୍ରୋଣାଚାର୍ଯ୍ୟଙ୍କ ଟିଉଟୋରିଆଲ୍ ଗ୍ରୁପ୍‌ର ପ୍ରିୟ ଛାତ୍ର ଅର୍ଜୁନଙ୍କୁ ଧନୁର୍ବିଦ୍ୟାରେ ଟପିଯିବାର ସମସ୍ତ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା ଏବଂ ସେଥିପାଇଁ ଗୁରୁଦକ୍ଷିଣା ଭାବରେ ତା’ର ମୂଲ୍ୟ ଦେବାକୁ ପଡ଼ିଲା । ଦ୍ରୋଣାଚାର୍ଯ୍ୟଙ୍କର ଭୟ ଥିଲା ଯେ ନିଜ ଟିଉଟୋରିଆଲ୍‌ ଗ୍ରୁପ୍‌ ବାହାରେ କୌଣସ ଛାତ୍ର ଉତ୍ତମ ପ୍ରଦର୍ଶନ ନକରୁ, ନଚେତ୍‌ ତାଙ୍କର ବିଜ୍ଞାପନରେ ସଂଘାତିକ ଅସୁବିଧା ହୋଇଯିବ । ଅତଏବ ପକ୍ଷପାତିତା ଭିନ୍ନ ସ୍ଵରୂପରେ ଉପସ୍ଥିତ ଥିଲା, ମାତ୍ର ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମରେ ‘ହୁଣ୍ଡି’ର ସୁବ୍ୟବସ୍ଥା ନଥିଲା ଯାହା ରିଚା ମିଶ୍ରମାନଙ୍କ ସମୟର ଆଚାର୍ଯ୍ୟମାନଙ୍କ କ୍ଷେତ୍ରରେ ଘଟୁଛି । ଛାତ୍ର ନିର୍ଯ୍ୟାତନାର ତଥା ଶିକ୍ଷକଙ୍କ ବିକୃତିର ଏହାକୁ ଏକ ଅଭିନବ ଦିଗନ୍ତ ଭାବେ ସ୍ଵୀକାର କରିବାପାଇଁ ପଡ଼ିବ । ଉପଭୋକ୍ତାବାଦ ଆମ ଶିକ୍ଷା ବ୍ୟବସ୍ଥା ଭିତରକୁ ଏବେ ସହଜରେ ଚାଲିଆସିଛି ଯେ ସବୁ ଅମୂଲ୍ୟ ତତ୍ତ୍ୱ ଗୁଡ଼ାକ, ଜ୍ଞାନର ନିର୍ଯ୍ୟାସଗୁଡ଼ାକ ଫ୍ରିଜ୍‌, ଏ.ସି. ନଚେତ୍‌ ପ୍ଲାଜ୍‌ମା ଟି.ଭି. ପରି ଉପଭୋଗ୍ୟ ସାମଗ୍ରୀ ହୋଇ ଆମ ଶିକ୍ଷକଙ୍କ ଡ୍ରଇଂ ରୁମ୍‌ରେ ମିଳିଲାଣି । ଛାତ୍ରର ସଫଳତା ପାଇଁ ସାଧନାକୁ ନୁହେଁ, ସଟ୍‌କଟ୍‌ରେ ହୁଣ୍ଡି ଭରପୁର୍‌ କରିବାକୁ ଗୁରୁତ୍ୱ ଦିଆଗଲାଣି । ଏଣେ ଉଚ୍ଚ ପାରିଶ୍ରମିକ / ପାରିତୋଷିକ / ଉପହାର ଦେଇ ନିଜ ପିଲାମାନଙ୍କୁ ନାମୀ-ଦାମୀ ଘରୋଇ ଟିଉସନ୍‌ ସଂସ୍ଥାକୁ ପଠାଇବା ଆମ ଅଧିକାଂଶଙ୍କ ପାଇଁ ଏକ ଷ୍ଟାଟସ୍‌ ଷ୍ଟେଟମେଣ୍ଟ ହୋଇସାରିଛି । ଅସଲ ପ୍ରତିଯୋଗିତା ଅଭିଭାବକଙ୍କ ମଧ୍ୟରେ ଚାଲିଛି।

 

(ନଭେମ୍ବର ୨୦୦୫ରେ ବି.ଜେ.ବି. କଲେଜ ଛାତ୍ରୀ ରିଚା ମିଶ୍ର ଆତ୍ମହତ୍ୟା କରିଥିଲେ)

Image

 

Unknown

ଆସନ୍ତୁ, ଖରାପ ଲୋକ ହେବା

 

କଥାଟି ଅସ୍ଵାଭାବିକ ମନେ ହୋଇପାରେ । କୌଣସି ଲେଖକ କ’ଣ ଏମିତି ପ୍ରବଂଧଟିଏ ସତରେ ଲେଖିପାରିବ ଯେଉଁ ପ୍ରବଂଧ ମାଧ୍ୟମରେ ସେ ପାଠକମାନଙ୍କୁ ଖରାପ ହେବାପାଇଁ ପ୍ରବର୍ତ୍ତାଇବ ! ସାହିତ୍ୟତ ସଂସ୍କାରଧର୍ମୀ ହୋଇଥାଏ, ଖରାପ ନହୋଇ ଭଲ ହେବାପାଇଁ ବରାବର କହିଥାଏ-ଅଂଧକାର, ଅନ୍ୟାୟ, ଅରାଜକତା ମଧ୍ୟରେ ସାହିତ୍ୟ ଆଲୋକକୁ ବାଟ କଢ଼େଇନେବା ପାଇଁ ଦୀପ ଶିଖାଟିଏ ହୋଇ ନିରନ୍ତର ଜଳୁଥାଏ ! ଏକଥା ଯଥେଷ୍ଟ ଆଗରୁ ପ୍ରମାଣିତ ମଧ୍ୟ ହୋଇସାରିଛି । କାହିଁ କେଉଁ ଯୁଗରୁ ସାହିତ୍ୟ ସର୍ବଦା ନ୍ୟାୟର, ଭଲର ପକ୍ଷ ନେଇ ଆସିଛି । ସମାଜ ପ୍ରତି ସାହିତ୍ୟର ଉତ୍ତରଦାୟିତ୍ୱ ରହିଛି । ସେହି ଦୃଷ୍ଟିରୁ ସାହିତ୍ୟ ଭଲପଣିଆର ମିତ ହୋଇ ରହିଛି । ସାହିତ୍ୟ ସମୟର ବିପକ୍ଷରେ ଠିଆ ହୋଇଛି, ପ୍ରତିକୂଳ ସ୍ରୋତରେ କେତେ କଷ୍ଟ ସହି ଆଗକୁ ଯିବା ପାଇଁ ପ୍ରୟାସ କରିଛି, କ୍ଷତାକ୍ତ ହୋଇଛି, ଅପମାନିତ ହୋଇଛି, ଦଣ୍ତିତ ହୋଇଛି, ତଥାପି ବୃହତ୍ତର ଭାବରେ କେବେ ମଧ୍ୟ ସାହିତ୍ୟ ସାଲିସ୍‌ କରିନାହିଁ । ଏଇ ପରିପ୍ରେକ୍ଷୀରେ ସାହିତ୍ୟ ଅନ୍ତତଃ କାହାକୁ ଖରାପ ହେବାପାଇଁ ଡାକରା ଦେଇପାରିବ ନାହିଁ । ‘ଆସନ୍ତୁ, ଖରାପ ଲୋକ ହେବା !’ ଏକଥା ତେବେ ମୁଁ କେମିତି କହିପାରିବି ?

 

ଅନ୍ୟ ପକ୍ଷରେ, ସାହିତ୍ୟ ଆମ ଜୀବନର ଜଳଛବି ହୋଇ ରହିଛି । ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ । ଏକ ନିର୍ଦ୍ଧିଷ୍ଟ ସମୟ ଖଣ୍ଡରେ ଯାହା ଘଟିଛି ବା ଘଟୁଛି ସାହିତ୍ୟ ତାହାର ପ୍ରତିଫଳନ ହୋଇ ରହିଛି । ଏମିତି ମଧ୍ୟ ହୋଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟରେ ଯାହାକୁ ସ୍ଵୀକାର କରାଯାଇଛି, ସାମାଜିକ ତଥା ସାଂସ୍କୃତିକ ମାନ୍ୟତା ଦିଆଯାଇଛି ସେଇ ସମୟରେ ତତ୍‌କାଳୀନ ସାହିତ୍ୟ ମଧ୍ୟ ସେଇକଥା କହିଛି, ସେଇ ମୂଲ୍ୟବୋଧକୁ ସେତେବେଳେ ସାହିତ୍ୟ ଶାଶ୍ଵତ ମନେ କରିଛି । ମାତ୍ର ପରବର୍ତ୍ତୀ ସମୟରେ ସ୍ଥିତି ବଦଳିଛି, ମୂଲ୍ୟବୋଧର ଚରିତ୍ର ବଦଳିଛି ଏବଂ ସାହିତ୍ୟ ଅତୀତକୁ ସାବ୍ୟସ୍ତ ନକରି ବର୍ତ୍ତମାନ ସହିତ ରହିଛି । ଆବଶ୍ୟକ ହେଲେ ସାହିତ୍ୟ ଆପଣାର ଇତିହାସକୁ ବିରୋଧ କରିଛି, ଭ୍ରମ ସଂଶୋଧନ କରିଛି । ଅର୍ଥାତ୍‌, କୌଣସି ମୂଲ୍ୟବୋଧ କେବେ ମଧ୍ୟ ସିଦ୍ଧାନ୍ତ ହୋଇ, ଅନ୍ତିମ ସତ୍ୟ ହୋଇ ବା ଚିରନ୍ତନ ହୋଇ ତିଷ୍ଠି ରହି ନାହିଁ । ଭଲର ସ୍ଵଭାବ ବଦଳିଛି, ସଂଜ୍ଞା ବଦଳିଛି ଏବଂ ସେଇ ମର୍ମରେ ରୂପାନ୍ତରିତ ହୋଇଛି ସାହିତ୍ୟ । ଏଇ ପରିବର୍ତ୍ତନକୁ ଆଖି ଆଗରେ ରଖି ଏଇ ପ୍ରବଂଧର ଉପକ୍ରମ ।

 

ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ ଅତ୍ୟନ୍ତ ସରଳ ଭାବରେ ଗୋଟିଏ କଥା କହିଥିଲେ-‘ଭଲ ମଣିଷ ହୁଅ’ । ଯେତେ ସହଜ ଏଇ ଧାଡ଼ିକ ଉପରକୁ ମନେ ହେଉଛି, ପ୍ରକୃତରେ ଏଇଟି ଏତେ ସହଜ ନୁହେଁ । ଆମ ଦେଶରେ ମହାତ୍ମା ଗାନ୍ଧୀ କ’ଣ ଏଇ କଥା କହିନଥିଲେ ? ସବୁ ମହାମନିଷୀ ସବୁ ଧର୍ମରେ ଠିକ୍‌ ଏଇ କଥା କହିଛନ୍ତି-ଭଲ ମଣିଷ ହୁଅ । ଭଇପଣିଆକୁ ଭଲ ପାଅ । କାହାପ୍ରତି ତୁମେ ଅନ୍ୟାୟ କର ନାହିଁ । ତୁମ ମନରେ କାହାପ୍ରତି ଖରାପ ଚିନ୍ତା ମଧ୍ୟ ନ ଆସୁ । କାହାର ଖରାପ ଚିନ୍ତା କରିବା ମଧ୍ୟ ଅପରାଧ । ସବୁ ମଣିଷ ସମାନ-। ସମସ୍ତଙ୍କ ହୃଦୟରେ ଈଶ୍ଵର ଅଛନ୍ତି । ନିଜକୁ ଚିହ୍ନ ତଥା ଈଶ୍ଵରଙ୍କୁ ଚିହ୍ନ । ଭଲପଣିଆ ତୁମର ଆଜୀବନ ମିତ ହୋଇ ରହୁ, ତୁମକୁ ସଦ୍‌ବୁଦ୍ଧି ଦେଉ, ସହାୟ ହେଉ । ତୁମର ଅନ୍ତଃକରଣ ଶୁଦ୍ଧ ହେଉ । ତୁମେ ନିଜ ପାଇଁ ଯେମିତି ଭଲ ଚିନ୍ତା କରୁଛ ଅନ୍ୟ ପାଇଁ ଠିକ୍‌ ସେମିତି ଚିନ୍ତାକର । ଦୟାଶୀଳ ହୁଅ, କାହାକୁ ଶତ୍ରୁଜ୍ଞାନ କରନାହିଁ । କେହି କାହାର ଶତ୍ରୁ ନୁହେଁ । ଆମ ବେଦ, ଉପନିଷଦଠାରୁ ଆରମ୍ଭ କରି ବାଇବେଲ୍‌, କୋରାନ୍‌ ତଥା ପୃଥିବୀର ଅନ୍ୟାନ୍ୟ ଯେତେ ଧର୍ମଗ୍ରନ୍ଥ, ନୀତିଶାସ୍ତ୍ର ରହିଛି ସବୁଠି ସେଇ ଏକା କଥା ଅଛି । ସେତିକି ନୁହେଁ, ଆମ ସମୟରେ ମଧ୍ୟ ଏଇ କଥା କୁହାଯାଉଛି । ଘରେ ଆମର ଗୁରୁଜନମାନେ, ଧର୍ମାନୁଷ୍ଠାନରେ ଆମ ପଣ୍ଡିତମାନେ, ଗୁରୁମାନେ, ଧର୍ମସଭାରେ ପ୍ରବଚନ ଦେଉଥିବା ଆମର ମହାତ୍ମାମାନେ, ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଆମର ବରେଣ୍ୟ ନେତାମାନେ, କାର୍ଯ୍ୟାଳୟରେ ଆମର ହାକିମମାନେ ଏବଂ ବିଦ୍ୟାଳୟରେ ପ୍ରାର୍ଥନା ବୋଲିଲାବେଳେ ଆମର ପିଲାମାନେ ସମସ୍ତେ ଏଇକଥା କହୁଛନ୍ତି । ଏଇକଥା କହିବାରେ ଯେମିତି ମୁହୂର୍ତ୍ତଟିଏ ମଧ୍ୟ ନଷ୍ଟ ନହେବ ସେଥିପାଇଁ ଦୃଶ୍ୟମାଧ୍ୟମରେ ଟିଭି ଚ୍ୟାନେଲମାନେ ପ୍ରାଣମୂର୍ଛା ପ୍ରତିଯୋଗିତା କରୁଛନ୍ତି । ଉତ୍ତର ଆଧୁନିକ ସମୟରେ ଉପଭୋକ୍ତାବାଦ କୁଆଡ଼େ ଆମକୁ ବିପଥଗାମୀ କରାଇଛି-ଏକଥା ଉପଲବ୍‌ଧି‌ କରି ସାରା ବିଶ୍ଵରେ ଏକଥା ଆଲୋଚନା ହେଲାଣି ଯେ ଆମର ବ୍ୟାବହାରିକ ଜୀବନ ଭିତରକୁ ନୀତିଶାସ୍ତ୍ରର ପ୍ରବେଶ ପଥଟିକୁ ଟିକିଏ ପ୍ରଶସ୍ତ କରିବା ପାଇଁ ପଡ଼ିବ, ଅର୍ଥାତ୍‌ ବିଦ୍ୟାଳୟମାନଙ୍କରେ ରୁଟିନ୍‌ରେ ନୀତିଶାସ୍ତ୍ରର ପାଠ ରୀତିମତ ରହିବ, ପ୍ରାର୍ଥନା ସଭାରେ ପହଂଚିବା ପାଇଁ ବିଳମ୍ବ ହେଲେ ଛାତ୍ରକୁ ଦଣ୍ଡିତ ହେବା ପାଇଁ ପଡ଼ିବ, ଘରେ ସନ୍ଧ୍ୟାରେ ପିଲାମାନେ ଷ୍ଟୋର ରୁମ୍‌ର ଗୋଟାଏ କଣରେ ଅପ୍ରଶସ୍ତ ଥାକଟିରେ ଅବ୍ୟବସ୍ଥିତ ହୋଇ ରହିଥିବା ଈଶ୍ଵରମାନଙ୍କ ସମ୍ମୁଖରେ ପ୍ରାର୍ଥନା ନକଲେ ସେମାନଙ୍କୁ ଗାଳି ଶୁଣିବାପାଇଁ ପଡ଼ିବ; ଗାନ୍ଧୀ ଜୟନ୍ତୀ ପାଳନ ଦିନ ଅଫିସ ନ ଆସିଲେ, ସ୍ଵାଧୀନତା ଦିବସ ଦିନ ଜେଲ୍‌ର କଏଦୀମାନଙ୍କୁ ପୁଡ଼ିଆରେ ଦୁଇଟି ସେଓ ଓ ଗୋଟଏ କଦଳୀ ନ ଦେଲେ ସରକାର ହାକିମମାନଙ୍କୁ ବିଶୃଙ୍ଖଳିତ କୁହାଯିବ; ବିଶ୍ଵସ୍ତ ଭୃତ୍ୟପରି ଉପରିସ୍ଥଙ୍କ ହୁକୁମ୍‌ ତାଲିମ୍‌ ନ କରି ପ୍ରଶ୍ନ ପଚାରିଲେ କଠୋର ଦଣ୍ଡ ଭୋଗିବା ପାଇଁ ପଡ଼ିବ ଇତ୍ୟାଦି ... ଇତ୍ୟାତି ।

 

ପରିବର୍ତ୍ତିତ ପରିସ୍ଥିତିରେ ସର୍ବନିମ୍ନ ସଂଯମତା ଅବଲମ୍ବନ କରିବାପାଇଁ ନୀତିଶାସ୍ତ୍ର ନବ୍ୟ ଡିଜିଟାଲ ସଂସ୍କରଣ ଏବେ ଆରମ୍ଭ ହୋଇଛି । ଯଦି ଆପଣ ଏକଥା ହୃଦୟଂଗମ କରିବାପାଇଁ ଚେଷ୍ଟା କରିବେ, ତେବେ ନିଶ୍ଚୟ ଜାଣି ପାରିବେ ଯେ ସରକାରଙ୍କଠାରୁ ଆରମ୍ଭ କରି ଆମ ପରିବାର ପର୍ଯ୍ୟନ୍ତ ସମସ୍ତେ ଏ ପ୍ରକାର ଏକ ଉଦ୍ୟମରେ ଊଣା ଅଧିକେ ଭାଗ ନେଇଛନ୍ତି । ଏହି ଉଦ୍ୟମ କେତେ ନିଷ୍ଠାପର ଭାବରେ କରାଯାଉଛି ଏହା ଅନ୍ୟ ଏକ ପ୍ରସଂଗ । ଅନ୍ତତଃ ଏହି ଉଦ୍ୟମ ଆରମ୍ଭ ହୋଇଛି ଏବଂ ଏହାର ଚିହ୍ନଗୁଡ଼ାକ ବାରି ହୋଇପଡୁଛି । ଭଲର ପ୍ରତିଷ୍ଠା ପାଇଁ ଏହି ଉଦ୍ୟମ ଆଗକୁ କେତେ ସଫଳ ହେବ ସେକଥା ସମୟ ଅବଶ୍ୟ କହିବ ।

 

ଆମର ପ୍ରସଂଗ ଅବିକଳ ଏଇ ଉଦ୍ୟମର ଭବିଷ୍ୟତକୁ ନେଇ ନୁହେଁ । ବରଂ ଆମର ବର୍ତ୍ତମାନକୁ ନେଇ । ଏଇ ବର୍ତ୍ତମାନଟି ଅସଲ ଅର୍ଥରେ କେବଳ ବର୍ତ୍ତମାନ ମଧ୍ୟ ନୁହେଁ, ମୁହୂର୍ତ୍ତ ନୁହେଁ । ପ୍ରବଂଧରେ ବର୍ଣ୍ଣିତ ଆମର ବର୍ତ୍ତମାନ ଉଭୟ ମୁହୂର୍ତ୍ତର ବର୍ତ୍ତମାନ ଏବଂ ଅନ୍ତତଃ ୨୦-୨୫ ବର୍ଷର ଅତୀତକୁ ନେଇ ବିସ୍ତୃତ ବର୍ତ୍ତମାନ । ଚାଲନ୍ତୁ, ଆମେ ସେଇ ବର୍ତ୍ତମାନର ପରିଧି ଭିତରକୁ ଯିବା ।

 

ସମାଜତତ୍ତ୍ଵବିତ୍‌ମାନେ କହନ୍ତି, ଯେହେତୁ ସମାଜରେ କିଛି ମଧ୍ୟ ଚିରନ୍ତନ ନୁହେଁ, ସବୁ ମୂଲ୍ୟବୋଧ, ନୀତି, ଆଦର୍ଶ ପରିବର୍ତ୍ତିତ ପରିସ୍ଥିତି / ସମୟ ସହ ତାଳ ଦେଇ ପରିବର୍ତ୍ତନଶୀଳ, ସେହି ଦୃଷ୍ଟିରୁ କୌଣସି ବିଷୟରେ ଏକ ସଂଜ୍ଞା ଚୂଡ଼ାନ୍ତ ନୁହେଁ। ଯେମିତି ସତ୍ୟଟି ସବୁବେଳେ ଆପେକ୍ଷିକ ସତ୍ୟ, ଠିକ୍‌ ସେମିତି ଏକ ନିର୍ଦ୍ଦିଷ୍ଟ ପରିମାପକରେ ଯଥେଷ୍ଟ ଆଗରୁ ସ୍ଥିରୀକୃତ ‘ଭଲ’ ର ସଂଜ୍ଞା ମଧ୍ୟ ଶତ ପ୍ରତିଶତ ନିର୍ଭୁଲ ହୋଇନପାରେ । ଏବେ ଏକଥା ମଧ୍ୟ କୁହାଯାଉଛି ଯେ ଆମେ କୌଣସି କାରଣରୁ ଆତ୍ମ ପ୍ରତାରଣାରେ ଏତେ ଅଭ୍ୟସ୍ତ, ଏତେ ମଗ୍ନ ଯେ ଆମେ ‘ଭଲ’ର ପରିବର୍ତ୍ତିତ ସ୍ଵରୂପକୁ ସ୍ଵୀକାର କରିବାପାଇଁ ନାରାଜ୍‌ । ଅର୍ଥାତ୍‌ ଦୀର୍ଘ ଅବଧି ଧରି ଜୈବ ବିବର୍ତ୍ତନ ପରି ‘ଭଲ’ ର ବିବର୍ତ୍ତନ ହୋଇଆସିଛି । ଆମେ ‘ଭଲ’ର ସେଇ ବିବର୍ତ୍ତିତ ସ୍ୱରୂପକୁ, ‘ଭଲ’ର ସେଇ ଅବକ୍ଷୟକୁ ଆପଣେଇ ନେଇଛୁ, ଅଥଚ ସେକଥାଟିକୁ ଆମେ ସ୍ଵୀକାର କରିବାପାଇଁ ଦ୍ଵିଧାବୋଧ କରୁଛୁ । କେତୋଟି ଉଦାହରଣ ମାଧ୍ୟମରେ ମୁଁ ସେହିକଥାଟି କହିବି ।

 

ଉଦାହରଣ ନଂ ୧. ବିଶ୍ଵାସ କରାଯାଉଥିଲା ଯେ, ନିଷ୍ଠାପର ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟରେ ପଢ଼ାଇବେ, ପଇସା ନେଇ ଘରୋଇ ଟ୍ୟୁସନ କରିବେ ନାହିଁ । ମାତ୍ର ପ୍ରକୃତରେ ଏବେ ନିଷ୍ଠାପର ଶିକ୍ଷକମାନେ ନିଷ୍ଠାପରଭାବେ ପଇସା ନେଇ ରୀତିମତ ଘରୋଇ ଟ୍ୟୁସନ କରୁଛନ୍ତି ଏବଂ ଆଦର୍ଶ ବଦ୍ୟାର୍ଥୀମାନେ ବିଦ୍ୟାଳୟ / ମହାବିଦ୍ୟାଳୟର ବିଦ୍ୟାଦାନକୁ ଗୌଣ ମନେକରି ନିଷ୍ଠାପର ଭାବେ ଘରୋଇ ଟ୍ୟୁସନକୁ ଯାଉଛନ୍ତି । ଗରିବ ପିଲାମାନେ ଏ ସୁଯୋଗରୁ ବଂଚିତ । ଏଇ ପରିସ୍ଥିତିରେ ଆମେ କ’ଣ ସେହି ଶିକ୍ଷକମାନଙ୍କୁ ଭଲ ଶିକ୍ଷକ କହୁନାହାନ୍ତି ଯେଉଁମାନେ ସୁଲ, କଲେଜରେ କ୍ଲାସ୍‌ କରିବାକୁ ପସନ୍ଦ ନକରି ସେମାନଙ୍କ ଘରୋଇ କୋଚିଂ ସେଣ୍ଟର୍‌ରେ ଛାତ୍ରମାନଙ୍କୁ ଉତ୍ତମ ଶିକ୍ଷାଦାନ ଦେଉଛନ୍ତି ଓ ସେଇ ଛାତ୍ରମାନେ ପ୍ରତିଯୋଗିତାରେ ଅନ୍ୟମାନଙ୍କଠାରୁ ଭଲ କରୁଛନ୍ତି ? ସେଇ କୋଚିଂ ସେଣ୍ଟରରେ ପଢ଼ି ଉର୍ତ୍ତୀଣ୍ଣ ହେଉଥିବା ଛାତ୍ରମାନଙ୍କୁ କ’ଣ ଆମେ ଭଳି ଛାତ୍ର କହୁନାହାନ୍ତି ? ସେହି ଆଦର୍ଶ ଶିକ୍ଷକ ମାନଙ୍କର ନାଁ, ଠିକଣା ଓ ଟେଲିଫୋନ୍‌ ନଂ କ’ଣ ଆମ ଟିପା ଖାତାରେ ନାହିଁ ?

 

ଉଦାହରଣ ନଂ ୨. ଡାକ୍ତରମାନେ ନୀତିଗତ ଭାବେ ପଇସା ନନେଇ ଘରେ ମଧ୍ୟ ରୋଗୀ ଦେଖିବା କଥା । ଅନ୍ୟକଥା (ମାଗଣା ରୋଗୀ ଦେଖିବା) ଛାଡ଼ନ୍ତୁ, ରୋଗୀକୁ ଅପରେସନ୍‌ ଟେବୁଲ୍‌କୁ ନେବା ଆଗରୁ ପଇସାପତ୍ର କଥା ନଛିଣ୍ଡିଲେ ଅପରେସନ ବନ୍ଦ ହୋଇଯିବାର ନଜିର ଅଛି । ପଇସା ନଦେଇପାରି ଚିକିତ୍ସା ଅଭାବରୁ, କିମ୍ବା ଡାକ୍ତରଙ୍କ ଅବହେଳାରୁ ରୋଗୀ ଯଦି ମରିଯାଏ ସେଇ ଡାକ୍ତରମାନଙ୍କୁ କ’ଣ ଆମେ ଖରାପ ଡାକ୍ତର କହୁଛୁ ? ବରଂ ବ୍ୟାବହାରିକ ଜୀବନରେ ସେହି ଡାକ୍ତରମାନଙ୍କୁ ଆମେ ଅଧିକ ବିଜ୍ଞାପିତ କରୁଛୁ । ଜମିବାଡ଼ି ବିକି ରୋଗ ଭଲ କରିବା ପାଇଁ ରୋଗୀ ମାନଙ୍କୁ ସେହି ଡାକ୍ତରଙ୍କ ପାଖକୁ ପଠାଉଛୁ ।

 

ଉଦାହରଣ ନଂ ୩. ରାସ୍ତାରେ କେହି ଦୁର୍ଘଟଣାରେ ପଡ଼ିଲେ ସେହି ରାସ୍ତାରେ ଅନ୍ୟ କେହି ପଥିକ ଯାଉଥିଲେ ଦୁର୍ଘଟଣାଗ୍ରସ୍ତ ଲୋକଟିକୁ ସାହାଯ୍ୟ କଲେ ମହାପୁଣ୍ୟ ହୁଏ, ଏହି କଥା କୁହାଯାଇଛି । କିନ୍ତୁ ବାସ୍ତବ ଜୀବନରେ ଜଣେ ଦୁର୍ଘଟଣା ଗ୍ରସ୍ତକୁ ସାହାଯ୍ୟ କରି ଆଉ ଜଣେ ଯଦି ଅଯଥାରେ ପୋଲିସ୍‌ କେସ୍‌ରେ ପଡ଼ୁଛି ତେବେ ଅନ୍ୟମାନେ ତ ଦୂରର କଥା, ସେହି ଲୋକଟିର ପରିବାର / ଆତ୍ମୀୟ ତା'କୁ ବେକାର ଲୋକ, ବାଜେ ଧନ୍ଦାରେ ଫସିବା କ’ଣ ଦରକାର ଥିଲା, ରାସ୍ତାରେ ଯିଏ ମଲା ମରୁ ! ଆମର କ’ଣ ଅଛି, କହୁଛନ୍ତି । A Parable of the Good Samaritan ର ତାତ୍ପର୍ଯ୍ୟ ତେବେ କେଉଁଠି ରହିଲା ?

 

ଉଦାହରଣ ନଂ ୪. ଓକିଲାତି ପଢ଼ିବା ସମୟରେ ଭାବୀ ଓକିଲମାନଙ୍କୁ ଠିକ୍‌ ଡାକ୍ତରମାନଙ୍କ ପରି ନୀତଶାସ୍ତ୍ରର ଏକ ବାଧ୍ୟତାମୂଳକ ଅଧ୍ୟାୟ ପଢ଼ଯାଇଥାଏ ଯେଉଁଥିରେ କୁହାଯାଇଥାଏ ଯେ ସେମାନେ ସର୍ବଦା ନ୍ୟାୟର ପକ୍ଷରେ ରହିବେ । ଅପରାଧୀକୁ ଜ୍ଞାତସାରରେ କଦାପି ସାହାଯ୍ୟ କରିବେ ନାହିଁ । ଏମିତି କ’ଣ ହେଉଛି ? ପରୋକ୍ଷରେ ଆମ ସମୟର ପ୍ରତିଷ୍ଠିତ ଓକିଲମାନେ ବ୍ୟାପକ ନ୍ୟାୟଚାଷ କରି ସବୁଠଁ ମାରାତ୍ମକ ଅପରାଧୀକୁ ମଧ୍ୟ ସୁନାପିଲା ପରି ମୁକୁଳାଇ ଦିଅନ୍ତି ଓ ସେହି ପାରିବାପଣିଆ ହେତୁ ହିଁ ସେମାନେ ମହାଜ୍ଞାନୀ ବୋଲାଇଥା'ନ୍ତି । ସେଇମାନେ ହିଁ ରାଷ୍ଟ୍ର ଆଇନ ପରାମର୍ଶଦାତା ହୋଇ ରହନ୍ତି । ସେମାନଙ୍କୁ କିଏ ଖରାପ ବୋଲି ବୋଲି କହେ ?

 

ଉଦାହରଣ ନଂ ୫. ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିରେ କର୍ତ୍ତବ୍ୟରତ ପୋଲିସ ଧୈର୍ଯ୍ୟ ଧରିବା ପାଇଁ ନିଷ୍ପତି ନିଏ ଓ ଯଥା ସମ୍ଭବ ସଂଯମତା ରକ୍ଷା କରି ଢ଼େଲାମାଡ଼ ଖାଏ (ଲାଠି ଚାଳନା ନକରି) ତେବେ କ’ଣ ଆହତ ପୋଲିସକୁ କେହି ସାଧୁବାଦ ଦିଅନ୍ତି ? ଯଦିଓ ଆମେ ଅହିଂସା ଆଚରଣ ପାଇଁ ଅନ୍ୟମାନଙ୍କୁ ସର୍ବଦା ପରାମର୍ଶ ଦେଇଥାଉ ଆହତ ପୋଲିସକୁ ଏଇ ପରିପ୍ରେକ୍ଷୀରେ ଆମେ ବଡ଼ କାଇଦାରେ Tactless କହିଥାଉ । ସେଇ ସମୟରେ ପୋଲିସ କୁଆଡ଼େ ଆରମ୍ଭରୁ ଆକ୍ରମଣାତ୍ମକ ହେବା ଆବଶ୍ୟକ ବୋଲି ପଣ୍ଡିତମାନେ କହିଥା’ନ୍ତି ।

 

ଉଦାହରଣ ନଂ ୬. ସାଧାରଣ ମଣିଷଙ୍କ ସ୍ତରକୁ ଆସିବା । ଗାଁ ଗହଳରେ ଲୋକଟିଏ ଜମି ଦୁଇଗୁଣ୍ଠ କିଣିଲେ ମ୍ୟୁଟେସନ୍‌ ପାଇଁ ଯାଏ । ଆମ ଅମଲାତନ୍ତ୍ରର ଖଂଜ ଏମିତି ଯେ ମ୍ୟୁଟେସନ୍‌ ମକଦ୍ଦମାଟି ପେଷ୍କାର ବାବୁଙ୍କୁ ଦେଖା ନକଲେ ସାଲୁକନା ଭିତରୁ ମୁକ୍ତି ପାଏ ନାହିଁ । ଏମ୍‌.ଏଲ୍‌.ଏ., ବ୍ଲକ୍‌ ଚେୟାରମ୍ୟାନ, ସରପଞ୍ଚ ନଚେତ୍‌ ବି.ଡି.ଓ. ବାବୁଙ୍କୁ ସ୍ଵତନ୍ତ୍ର କୃପା ନହେଲେ ଏକାଧିକବାର ଦରଖାସ୍ତ କରି ମଧ୍ୟ କେହି ବାର୍ଦ୍ଧକ୍ୟ ଭତ୍ତା ପାଆନ୍ତି ନାହିଁ । ବନ୍ଦୋବସ୍ତ ବା ଚକବନ୍ଦୀରେ ଅମିନବାବୁଙ୍କୁ ହାତ ନକଲେ ଜମି ବିଭ୍ରାଟ ହେବା, ଭଲ ଚକ ନମିଳିବା ସାଧାରଣ । କିନ୍ତୁ କେହି ଯଦି ତହସିଲ ବ୍ଲକ୍‌ / ସରକାରୀ ବାବୁ / ନେତାମାନଙ୍କୁ ଧରାଧରି କରି ଅନ୍ୟାନ୍ୟ ଅନେକ ସାଧାରଣ ଲୋକଙ୍କୁ ବଂଚିତ କରି କାମଟି କରେଇ ନିଏ ସେଥିରେ କେହି ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି ନାହିଁ । ତା’କୁ ଖରାପ ଭାବନ୍ତି ନାହିଁ । ଓଲଟି କ୍ରମାଗତ ପାଂଚଟି ଦରଖାସ୍ତ ଦେଇ (ସର୍ବଶେଷ ଦରଖାସ୍ତ ରେଜେଷ୍ଟ୍ରୀ ଡାକ ଯୋଗେ) ବିଗତ ସାତବର୍ଷଧରି ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବା ଲୋକଟିକୁ ଅନ୍ୟମାନେ ଅସମର୍ଥ ଜ୍ଞାନ କରି ଦୟା କରନ୍ତି । ଯଦି ସେଇ ଅବସ୍ଥାରେ ତାର ମୃତ୍ୟୁ ହୁଏ କେହି ସରପଞ୍ଚକୁ / ସରକାରଙ୍କୁ ଦାୟୀ କରନ୍ତି ନାହିଁ । ଲୋକଟାର ଉଦ୍‌ଯୋଗର ଅଭାବ ଥିଲା ବୋଲି ସ୍ଵଗତୋକ୍ତି କରନ୍ତି । ସେ ଠିକ୍‌ ଲୋକଙ୍କ ପାଖରେ ପହଂଚି ପାରିନଥିଲା ବୋଲି କହନ୍ତି । ଲୋକମାନେ ପାଖ ପଞ୍ଚାୟତର ସରପଞ୍ଚ ନଚେତ ତାଙ୍କ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକଙ୍କ ଉଦାହରଣ ଦେଇ କହନ୍ତି, ଅମୁକ ବେଶ୍‌ ପାରିବାର ଲୋକ ! ନହେଲେ ପଞ୍ଚାୟତର କୋଟା ବାହାରେ କେମିତି ଏତେ ଲୋକଙ୍କୁ ଭରା କରେଇ ପାରିଥା’ନ୍ତା.... ! ଅମୁକବାବୁଙ୍କ ଅମୁକ କାମଟି ପାଇଁ ଯେ ପାଖ ପଞ୍ଚାୟତର ସେଇ ଗରିବ ଲୋକଟି ବାର୍ଦ୍ଧକ୍ୟ ଭତ୍ତା ଦରଖାସ୍ତ ଫର୍ମଗଦାର ସବା ତଳକୁ ଚାଲିଗଲା ସେକଥା କେହି ବିଚାରନ୍ତି ନାହିଁ । ଜଣଙ୍କର ନିରୀହତା, ସାଧୁତା ବା ଆବଶ୍ୟକତା ନୁହେଁ ବରଂ ଅନ୍ୟ ଜଣଙ୍କର ପାରିବାପଣିଆଟି ଅଗ୍ରାଧିକାର ପାଇଥାଏ । ଲୋକଟି ମରିଯିବାପରେ ମରଣୋତ୍ତର ତଦନ୍ତ ଅବଶ୍ୟ ହୁଏ ଏବଂ ଲୋକଟି ଭୋକରେ ନୁହେଁ ରୋଗରେ ମରିଯାଇଛି ବୋଲି ରିପୋର୍ଟ ଦିଆଯାଏ । ମୃତକର ପରିବାରକୁ ସରପଂଚ ବାବୁ କେତେ କିଲୋ ଚାଉଳ ଯୋଗାଇ ଦିଅନ୍ତି ଓ ସେଇ ଅବସରରେ ତାଙ୍କ ପଂଚାୟତ ପାଇଁ ଅଧିକ ବାର୍ଦ୍ଧକ୍ୟ ଭତ୍ତା କୋଟା ଦାବୀ କରନ୍ତି । ଏ ସବୁତ ଆମେ ବେଶ୍‌ ସହଜରେ ହଜମ କରିନେଉଛୁ । ଖାସ୍‌ ଉଦ୍ଦେଶ୍ୟ ନଥିଲେ କିଏ କ’ଣ ସତରେ ପ୍ରତିବାଦ କରୁଛି ? ଛତୁ ଫୁଟିବା ପରି ସାରା ଦେଶରେ ସବୁ ମୁହୂର୍ତ୍ତରେ ଜନ୍ମ ନେଉଥିବା ସ୍ଵେଚ୍ଥାସେବୀ ସଂସ୍ଥାଙ୍କ ଭିତରୁ କେତୋଟ ସଂସ୍ଥା ଅନଗ୍ରସର ଅଂଚଳରେ ସାମାଜିକ ନିରାପତ୍ତା / ନାଗରିକକୁ ଅଧିକାରର ସୁରକ୍ଷା ପାଇ କାମ କରୁଛନ୍ତି ?

 

ଉଦାହରଣ ନଂ ୭. ଏବେ ଆମ ନିଜ ଦେଶ ଶାସନ କଥା କହିବା । ଗଣତନ୍ତ୍ର କଥା କହିବା । ଆମ ଅଲକ୍ଷ୍ୟରେ (!) ଏମିତି କିଛି ଘଟଣାକୁ ଆମେ ଜନ୍ମ ଦେଇଛେ ଯେ ଯାହା ଏବେ ଆମକୁ ସ୍ଵୀକାର କରିବାପାଇଁ ବାଧ୍ୟ କରିଛି ଯେ ସାମୂହିକ ଭାବେ ଆମ ଜାତୀୟ ଚରିତ୍ର କ୍ରମଶଃ କ୍ଷୟ ଆଡ଼କୁ ମୁହାଁଇଛି । ବେଶ୍‌ କେତେବର୍ଷ ଧରି ଆମ ନିର୍ବାଚନ ଆୟୋଗ ସାଧାରଣ ନାଗରିକକୁ ସଚେତନ କରି ଚାଲିଛି । ସାଧାରଣ ଲୋକଟି କେମିତି ପ୍ରଲୋଭିତ / ପ୍ରଭାବିତ ନହୋଇ ଠିକ୍‌ ପ୍ରାର୍ଥୀଟିକୁ ବାଛିବ, ଯାହା ଦ୍ଵାରା ସମାଜକୁ ଉତ୍ତମ ଶାସନ ମିଳିବ, ସେ କଥା ତା’ର କାନେ କାନେ କୁହାଯାଉଛି । ତେବେ ଫଳ କ’ଣ ମିଳିଛି ? ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ରରେ ଯଥେଷ୍ଟ ନିର୍ବାଚିତ ପ୍ରତିନିଧିଙ୍କର ଅପରାଧ ଜଗତ ସହିତ ପ୍ରତ୍ୟକ୍ଷ ସଂପର୍କ ରହିଛି । ଯଦି କେହି ଭାବୁଥାଏ ଯେ ଏହି ନିର୍ବାଚିତ ପ୍ରତିନିଧିମାନେ ବୁଥି‌ ରିଗିଂ କରି ନିର୍ବାଚିତ ହୋଇଛନ୍ତି, ତେବେ ସେ ନିଶ୍ଚୟ ଭୁଲ୍‌ କରୁଛି, କାରଣ ବୁଥି‌ ରିଗିଂ କରି ଲକ୍ଷାଧିକ ଭୋଟ୍‌ ବ୍ୟବଧାନରେ କେହି ନିର୍ବାଚିତ ହୋଇ ନଥାଏ । ବନ୍ଧୁକ ଦେଖାଇ କେତେ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ବାଧ୍ୟ କରାଯାଇପାରିବ ? ଅସଲ କଥାଟି ହେଉଛି, ଅଧିକରୁ ଅଧିକ ଲୋକେ, ସାଧାରଣ ଲୋକେ, ଶିକ୍ଷିତ ଲୋକେ / ଜ୍ଞାନୀ ଲୋକେ ଜାଣିଶୁଣି, ସ୍ଥିର ଚିତ୍ତରେ ଅପରାଧୀ ମାନଙ୍କୁ ଭୋଟ୍‌ ଦେଇ ନିଜର ପ୍ରତିନିଧି ଭାବେ ରୀତିମତ ନିର୍ବାଚିତ କରୁଛନ୍ତି । କୌଣସି ଆଇନ କାନୁନ ରାଜନୀତିର ଅପରାଧୀକରଣକୁ ବନ୍ଦ କରିପାରିବ ନାହିଁ ଯେ ପର୍ଯ୍ୟନ୍ତ ଆମେ ସେକଥା ନଚାହିଁଛେ । ସେହି ପ୍ରତିନିଧିମାନେ କଣ ଅନ୍ୟ ପ୍ରତିନିଧିମାନଙ୍କଠାରୁ କମ୍‌ ରାଷ୍ଟ୍ରୀୟ ମର୍ଯ୍ୟାଦା ପାଉଛନ୍ତି ? ସେମାନଙ୍କୁ କଣ ମାନ୍ୟବର କୁହାଯାଉନାହିଁ ? ସେମାନଙ୍କ ପାଇଁ ପ୍ରୋଟୋକଲ୍‌ କ’ଣ ଅଲଗା କେତେକ ଏକଥା ମଧ୍ୟ କହନ୍ତି ଯେ ପରିବର୍ତ୍ତିତ ପରିସ୍ଥିତିରେ ଗାନ୍ଧୀ / ଗୋପବନ୍ଧୁଙ୍କ ପରି ନେତାଙ୍କର ଆବଶ୍ୟକତା ଆଉ କେହି ଅନୁଭବ କରୁନାହାନ୍ତି । ବୋଧହୁଏ ଆମ୍ଭମାନଙ୍କ ପାଇଁ ଜଣେ ଦରଦୀ, ନିସ୍ୱାର୍ଥପର, ନମ୍ର ନେତା ଅପେକ୍ଷା ଜଣେ ହିଂସ୍ର ଜିଦ୍‌ଖୋର ତଥା ସ୍ଵାର୍ଥୀ ନେତାର ପ୍ରୟୋଜନ ଅଧିକ ହୋଇ ଉଠିଛି । ଏଥିପାଇଁ ସେହି ସ୍ୱାର୍ଥୀ ନେତାମାନଙ୍କୁ କେମିତି ଏକା ଏକା ଦୋଷ ଦେଇ ହେବ ?

 

ଆମର ସାମୂହିକ ସ୍ଖଳନ ଯାହା ଉପରୋକ୍ତ ଉଦାହରଣମାନଙ୍କରୁ ସ୍ପଷ୍ଟ ଅନ୍ୟ ଅର୍ଥରେ ଏକ ଧାରାବାହିକ ସାମାଜିକ ତଥା ସାଂସ୍କୃତିକ ଅବକ୍ଷୟର ପ୍ରକ୍ରିୟା । ଇତିହାସର ଏଇ କ୍ଷଣରେ ଏହା ମଧ୍ୟ ଏକ ଐତିହାସିକ ସତ୍ୟ ହୋଇ ଆମ ଆଗରେ ଉପସ୍ଥିତ । ଯଦି ଆପଣ ମୂଳରୁ ଏଇ ପ୍ରବଂଧଟି ମନଦେଇ ପଢ଼ିଥିବେ ତେବେ ଆପଣ ମୋ ସହିତ ଏକମତ ହେବେ ଯେ ‘ଆସନ୍ତୁ ଖରାପ ଲୋକ ହେବା !’ କହି ମୁଁ କୌଣସି ପାପ କରିନାହିଁ । ସାହିତ୍ୟର ଅପମାନ ମଧ୍ୟ କରିନାହିଁ । ମୁଁ କେବଳ ଏଇକଥା କହିବାପାଇଁ ଚାହୁଁଛି ଯେ ସଭ୍ୟତାର ବିକାଶକ୍ରମରେ ଆମେ ଏମିତି ଏକ ସନ୍ଧିକ୍ଷଣରେ ପହଂଚି ଯାଇଛେ ଯେଉଁଠି ‘ଭଲ’ ହେବା କହିଲେ ‘ଭଲ’ କୁ ନୁହେଁ ପ୍ରକାରାନ୍ତରେ ‘ଖରାପ’କୁ ବୁଝାଉଛି । ‘ଖରାପ’ ଲୋକକୁ କେହି ଆଉ ଖରାପ ଆଖିରେ ଦେଖୁନାହାନ୍ତି । ବେଶ୍‌ କେତେ ବର୍ଷ ହେଲାଣି ‘ଖରାପ’କୁ ଏକ ସାମାଜିକ ମାନ୍ୟତା ମିଳିସାରିଛି ।

Image

 

ଅଜ୍ଞାତର ଆକର୍ଷଣ

 

ଗୋଟିଏ ହୁଁ-ହାଁ ପକ୍ଷୀର ବୃତ୍ତାନ୍ତ

 

ଯଦି ଏହି ପ୍ରବନ୍ଧଟି ସ୍ଥଳ ବିଶେଷର ପାଠକମାନଙ୍କୁ ଟିକିଏ ଗଳ୍ପପରି ମନେହୁଏ ତେବେ ସେଥିରେ ଅସ୍ୱାଭାବିକତା କିଛି ନାହିଁ, କାରଣ ଥରେଥରେ ଆମ ଜୀବନ ମଧ୍ୟ ମନେହୁଏ କୌଣସି ଏକ ପରୀ ଗପ ପରି ବା ମନ୍ତୁରା ଖଣ୍ଡା ଧରି ଅଦୃଶ୍ୟ ଶତ୍ରୁ ସଂହାର କରୁଥିବା କେଉଁ ଏକ ବୀରପୁରୁଷଙ୍କ କାହାଣୀ ପରି ।

 

ଖବରକାଗଜରୁ ପଢିଲି ପୁରୀ ଜିଲ୍ଲାର କୌଣସି ଏକ ଜାଗାରେ ଦୁଇଟି ବିଚିତ୍ର ପକ୍ଷୀ ଧରା ହୋଇଛନ୍ତି । ଚଢ଼େଇ ଯୋଡିକ ଧରି ପାରିଥିବା ଲୋକଟି ଗୋଟିଏ ଚଢ଼େଇକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ସେ ବାବଦରେ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପାରିତୋଷିକ ନପାଇ ଥିବାରୁ ସେ ମର୍ମାହତ । ଆଉ ଗୋଟିଏ ଚଢ଼େଇ ସେ ନିଜ ପାଖରେ ରଖୁଛନ୍ତି । ପେଚା ଜାତୀୟ ଏହି ବିରଳ ଚଢ଼େଇଟିକୁ ସ୍ଥାନୀୟ ଲୋକେ ହୁଁ–ହାଁ ଚଢ଼େଇ କହୁଛନ୍ତି । ଅର୍ଥାତ୍‌ ପକ୍ଷୀଟି ବୋବେଇଲା ବେଳେ କୁଆଡ଼େ ପରିଷ୍କାର ହୁଁ–ହାଁ ଶୁଭୁଥିଲା, ଅବିକଳ ମଣିଷଟିଏ ହୁଁ-ହାଁ ମାରିବା ପରି । ସେହି ଅଞ୍ଚଳରେ ଏଇ ପ୍ରକାର ପକ୍ଷୀଟିଏ କାହିଁ ଆଗରୁ କେବେ ଦେଖା ଯାଇନଥିଲା ।

 

ଏଇ କଥାରୁ ମୋ ପିଲାଦିନର କଥା ମନେପଡ଼ିଲା । ସେତେବେଳେ ମତେ ବୋଧହୁଏ ଆଠ-ନଅ ବର୍ଷ । ଯେତିକି ମନେଅଛି, ମୁଁ ସେତେବେଳେ ସପ୍ତମରେ ପଢୁଥାଏ । ଦିନେ ଜେଜେ ଆମ ଗାଁର ମୂରବୀ ଶ୍ରେଣୀୟ କେତେଜଣ ଲୋକଙ୍କ ସାଙ୍ଗରେ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଆଲୋଚନା କରୁଥିଲେ । ମଝିରେ ମଝିରେ ଜେଜେଙ୍କ ପାଖକୁ ଏମିତି ଲୋକେ ଆସନ୍ତି । ସେମାନେ ଅନେକ ସମୟ ବିଭିନ୍ନ ବିଷୟ ଆଲୋଚନା କରନ୍ତି, ଯୁକ୍ତି ତର୍କ ହୁଏ । ମୋଟେ ଛିଣ୍ଡୁ ନଥିବା ଗାଁ ନିଶାପ ବି ଥରେଥରେ ସଂକ୍ଷେପରେ ସେହି କଥାବାର୍ତ୍ତାରାରେ ସମାଧାନ ହୋଇଯାଏ । ଲୁଚିଲୁଚି ମୁଁ ସେସବୁ ଶୁଣେ । ଜେଜେ ବିରକ୍ତ ହୁଅନ୍ତି । ‘ଛାଟ ପିଲା–ଏଠୁ ପଳା...’, ଜେଜେ ତାଗିଦ୍‌ କରିବାପରି କହନ୍ତି ।

 

ସେଦିନ ଏମିତି ଏକ ଆଲୋଚନା ଚାଲିଥାଏ ଆମ ଧାନଖଳାରେ । ସଂନ୍ଧ୍ୟା ହେବା ପାଇ କିଛି ସମୟ ବାକି ଥାଏ । ଜେଜେ ବସିଥା’ନ୍ତି ଗୋଟାଏ ଚେୟାର୍‌ରେ । ତାଙ୍କ ଆଗରେ ବେଞ୍ଚରେ ବସିଥାନ୍ତି ପାଞ୍ଚ-ଛଅ ଜଣ ଲୋକ । ସେତେବେଳକୁ ସେମାନେ ଦୁଇ ଥର ଚା’ପିଇ ସାରିଥା’ନ୍ତି । ସମସ୍ତଙ୍କ ବୟସ ଷାଠିଏ ଉପରେ । ବୋଧହୁଏ କୌଣସି ଏକ ଗମ୍ଭୀର ସମସ୍ୟା ଉପରେ ଆଲୋଚନା ହେଉଥାଏ । ଜେଜେ ସେତେବେଳକୁ ମୋତେ ଦେଖିସାରିଥିଲେ, କିନ୍ତୁ କ’ଣ ପାଇଁ କେଜାଣି ବିରକ୍ତ ହେଲେ ନାହିଁ । ଆଲୋଚନାର ବିଷୟ ବସ୍ତୁଥିଲା ଗୋଟାଏ ଚଢ଼େଇ । ଏକ ଅଜବ ଚଢ଼େଇ । ମୁଁ ଯେତିକି ବୁଝିଲି କେହି ଜଣେବି ଚଢ଼େଇଟିକୁ ଠିକ୍‌କରି ଦେଖି ନଥିଲେ । ଜେଜେ କହିଲେ, ‘ଚଢ଼େଇଟା ପତଳା, ତା’ର ଥଣ୍ଟ ହଳଦିଆ ଓ ଛୋଟ ଏବଂ ଦେଖିବାକୁ ଚଢ଼େଇଟି ମୋଟାମୋଟି ଗୋଟିଏ ସାନ କୁମ୍ଭାଟୁଆ ପରି ।’ ଆଉଜଣେ କହିଲେ, ‘ଚଢ଼େଇଟା ଗୋଟାଏ କଚଳପାତି ପରି)’ । ସେମାନଙ୍କ ମଧ୍ୟରୁ ସବୁଠୁ ବୟସ୍କ୍‌ ଲୋକଟି-ଯିଏ ଗୋଟାଏ ମୋଟା କାଚର ଚଷମା ପିନ୍ଧିଥିଲେ, କହିଲେ, ‘ନାଇଁ ନାଇଁ, ମୁଁ ପଅରଦିନ ପାହାନ୍ତାରେ ଦେଖୁଛି..ଚଢ଼େଇଟା ଛୋଟ-ନୀଳ ରଙ୍ଗର–ସେ ବସିଥିଲା ଆମ ବାଡିପଟ ଝଙ୍କା ଆମ୍ବଗଛରେ’ ।

 

ମୋତେ ଆଶ୍ଚର୍ଯ୍ୟ ଲାଗିଲା । ହସ ମଧ୍ୟ ଲାଗିଲା, କାରଣ ସେହି ମୋଟା କାଚର ଚଷମା ପିନ୍ଥିଥିବା ବୟସ୍କ ଜଣକ ପାହାନ୍ତାରେ ତାଙ୍କ ବାଡିପଟ ଝଙ୍କାଳିଆ ଆମ୍ବଗଛରୁ ଚଢ଼େଇଟିକୁ ଜମାରୁ ଦେଖିପାରି ନଥିବେ । ଆଲୋଚନା କିନ୍ତୁ ଚଢ଼େଇର ଚେହେରା ଉପରେ ନଥିଲା । ସେଇଟି ଥିଲା ଚଢ଼େଇର ବିଚିତ୍ର ରାବିବା ଶୈଳୀକୁ ନେଇ । ଚଢ଼େଇଟା କୁଆଡେ ଖୁବୁ ସ୍ପଷ୍ଟ ସ୍ଵରରେ ଏମିତି ରାବୁଥିଲା ‘ଶେଷ ହେବ... ଶେଷ ହେବ... !’ ପ୍ରାୟ ପାଞ୍ଚମିନିଟ୍‌ ଧରି ଚଢ଼େଇଟି ରହିରହି ‘ଶେଷ ହେବ ... ଶେଷ ହେବ’ କହୁଥିଲା । କେବଳ ଆମ ଗାଁର ନୁହେଁ, ଆଖପାଖ ପାଞ୍ଚଖଣ୍ଡ ଗାଁର ଲୋକେ ଅବିକଳ ସେହି ଏକା କଥା କହୁଥିଲେ । ଭୋର ସମୟରେ ଚଢ଼େଇଟିକୁ କେହି କଜଳପାତି ପରି ନଚେତ୍‌ ହଳଦୀବସନ୍ତ ପରି ଅଚାନକ ଆବିଷ୍କାର କରୁଥିଲେ ଓ ସମସ୍ତେ ସେହି ଏକାକଥା ଶୁଣୁଥିଲେ-ଶେଷ ହେବ, ଶେଷ ହେବ ।

 

ବଡ଼ହେବା ପରେ ଯେତେବେଳେ ମୁଁ ଏହି ସ୍ମୃତିଟି କଲେଜ ଜୀବନରେ ବନ୍ଧୁମାନଙ୍କ ସହ ଆଲୋଚନା କରୁଥିଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ମତେ ବିସ୍ମିତ କରିଥିଲେ । ଅର୍ଥାତ୍‌ ସେଇ ଏକା ସମୟରେ ସେମାନେ ମଧ୍ୟ ସେମାନଙ୍କ ଗାଁରେ ‘ଶେଷ ହେବ ଚଢ଼େଇ’ କଥା ଶୁଣିଥି‌ଲେ, ଯଦିଓ କେହି ଜଣେ ବି ଚଢ଼େଇକୁ ଦେଖିନଥିଲେ । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେ କରୁଛି ଯେ ‘ଶେଷ ହେବ ଚଢ଼େଇ’ ବୃତ୍ତାନ୍ତ ଏହାର ଉପରର କେତେମାସ ପରେ କ୍ରମଶଃ କ୍ଷୟ ହୋଇଯାଇଥିଲା । ଏବେ ମିଳିଥିବା ହୁଁ–ହାଁ ଚଢ଼େଇଟି ଯଦିଓ ତା’ର କୀର୍ତ୍ତି ପ୍ରଦର୍ଶନ ନିମନ୍ତେ ଅଧିକ ସମୟ ପାଇନଥି‌ଲା (ଶୀଘ୍ର ଧରାପଡି ଯାଇଥିଲା) ତେବେ ସେ ଏକ ନିର୍ଦ୍ଦିଷ୍ଟ ଇଲାକାରେ ବେଶ୍‌ ପ୍ରସିଦ୍ଧ ହୋଇ ରହିଥିଲା ।

 

କେବଳ ଶେଷ ହେବ ବା ହୁଁ-ହାଁ ଚଢ଼େଇ ନୁହେଁ, ପ୍ରଜାପତି ଡେଣାରେ ଜଗନ୍ନାଥଙ୍କ ମୁହଁ, କୌଣସି ଏକ ଦେବତାଙ୍କ ପରି ଦୃଶ୍ୟ ହେଉଥିବା ଲାଭ,କଖାରୁ, କ୍ଷୀର ପିଉଥିବା ଗଣେଷ, କ୍ଷୀର ପିଉଥିବା ନାଗ ସାପ ଓ କ୍ଷୀର ଝରୁଥିବା ଗଛ ମଝିରେ ମଝିରେ ବେଶ୍‌ ରୋମାଞ୍ଚ ଆଣନ୍ତି । ଆମର ବିଶ୍ୱାସ (ଅନ୍ଧ ବିଶ୍ଵାସ) ସେହି ଅଜବ କଖାରୁକୁ ପୂଜା କରିବା ପାଇଁ ଆମକୁ ପ୍ରବର୍ତ୍ତାଇଥାଏ, କୌଣସି ପ୍ରକାର ଆହତ, ଅସୁସ୍ଥ, ଚଳତ୍‌ଶକ୍ତିହୀନ ହୋଇ କ୍ଷୀର ପିଇବା ପାଇଁ ବାଧ୍ୟ ହୋଇଥିବା ବିଚରା ସାପଟିର ମୃତ୍ୟୁର ମଧ୍ୟ କାରଣ ହୁଏ । ଏକ ବିରଳ ପକ୍ଷୀର ଅଧ୍ୟୟନ ଆଗରୁ ଆମେ ତା’କୁ ଅଠାକାଠିରେ ଧରିନେଇ ପୁରସ୍କାରର ଅପେକ୍ଷା ରଖୁ ।

 

ସେତିକି ନୁହେଁ, ଆଦୌ ଦୃଶ୍ୟ ତଥା ଶ୍ରାବ୍ୟ ନହୋଇ ମଧ୍ୟ ସଭାମାନେ ଆମ ଚାରିପାଖରେ ଥା’ନ୍ତି । ଯଥା କାଳ ଭୈରବୀଙ୍କ ଡାକ । କଳିଯୁଗ ଶେଷହେବ । କାଳ ଭୈରବୀ ରଡ଼ି କରିବେ । ସେ ଡାକ ଯିଏ ଶୁଣିବ ସିଏ ମରିବ । ପ୍ରାୟ ପଚିଶ ବର୍ଷ ତଳେ କେତେଦିନ କିଛି ଲୋକ ଗୋଟିଏ ଗାଁରେ କାନରେ ତୁଳା ଦେଇ ବୁଲିଲେ । କାଳ ଭୈରବୀ ତ ଡାକିଲେ ନାହିଁ, କିନ୍ତୁ କାନରେ ତୁଳାଦେଇ ବୁଲିଥିବା ଲୋକେ ଯଥେଷ୍ଠ ଅସୁବିଧାର (ଦୁର୍ଘଟଣାର) ସମ୍ମୁଖୀନ ନିଶ୍ଚିତ ଭାବେ ହୋଇଥିଲେ । ଅଦୃଷ୍ଟ ଓ ଅନୁପସ୍ଥିତ ସତ୍ତାମାନଙ୍କ କୋପରୁ ରକ୍ଷା ପାଇବାପାଇଁ ରୀତିମତ ପୂଜାର୍ଚ୍ଚନା ହୁଏ । ହୋମ ଯଜ୍ଞ ହୁଏ । ଆବଶ୍ୟକ ପଡ଼ିଲେ ବିପଦରୁ ରକ୍ଷା ପାଇବା ପାଇଁ ରକ୍ତ ନୈବେଦ୍ୟ ଈଶ୍ଵରମାନଙ୍କୁ ଅର୍ପଣ କରାଯାଏ ।

 

ଏସବୁ ଆମ ଭିତରେ ଯଥେଷ୍ଟ ଆଗରୁ ଅଛି । ସଭ୍ୟତାର ଆରମ୍ଭରୁ ହୁଏତ ଅଛି । ହୁଁ-ହାଁ ପକ୍ଷୀମାନେ ଅଜସ୍ର ସ୍ୱରୂପରେ ଆମ ସହିତ ସେମିତି ରହିଛନ୍ତି । ଜୀବନର ଅନିଶ୍ଚିତତା, ଆଶ୍ଚର୍ଯ୍ୟ ଏବଂ ମୃତ୍ୟୁର ଭୟ କେବଳ କ’ଣ ଆମକୁ ଅନ୍ଧବିଶ୍ଵାସୀ କରିଥାଏ ? ଅପ୍ରତ୍ୟାଶିତର ଅକସ୍ମାତ୍‌ ସୂଚନା କେବଳ କ’ଣ ଆମକୁ ସମ୍ମୋହିତ କରିଥାଏ ? ନିଃସନ୍ଦେହରେ ଏହା ପ୍ରମୁଖ କାରଣ, ମାତ୍ର ଏକମାତ୍ର କାରଣ ନୁହେଁ । ଅପ୍ରତ୍ୟାଶିତଟି ଆମ ପାଇଁ ଅଧି‌କାଂଶ ସମୟରେ ଅଜ୍ଞାତ (the Unknow) ହୋଇ ରହିଥାଏ । ଏବଂ ଅଜ୍ଞାତର ଆକର୍ଷଣ ତତ୍‌କ୍ଷଣାତ୍‌ କୌଣସି ଯୁକ୍ତି ବା ପ୍ରମାଣର ଅପେକ୍ଷା ରଖେନାହିଁ । ଅଜ୍ଞାତଟ ଆମ ଅନୁଭୂତିର ବିଷୟ ହୋଇ ନଥାଏ । ଅଜ୍ଞାତ ନିଜେ ଏକ ବିସ୍ମୟ ଯାହା କେତେକ୍ଷଣ ପାଇଁ ହେଲେ ମଧ୍ୟ ଆମକୁ ଏକ କୁହୁକ ବୃତ୍ତକୁ ନେଇଯାଏ।

 

ଅଜ୍ଞାତର ଭୂମି

 

ଅଜ୍ଞାତ କ’ଣ ? ଯାହା ଜ୍ଞାତ ନୁହେଁ ତାହାହିଁ କ’ଣ ଅଜ୍ଞାତ ? ନାଁ ଅଜ୍ଞାତ ଏହାଠାରୁ ଆଉକିଛି ଅଧିକ ? ଅଜ୍ଞାତ କ’ଣ ଜ୍ଞାତର ପରିଧୁ ସଂଲଗ୍ନ, ଅର୍ଥାତ୍‌ ଜ୍ଞାତର ନିକଟତର ? ଏଇ ସବୁ ପ୍ରଶ୍ନର ଉତ୍ତର ଏତେ ସହଜ ନୁହେଁ । ତେବେ ଅଜ୍ଞାତ ସହିତ ଜ୍ଞାତର ଏକ ଆତ୍ମିକ, ଅନ୍ତରଂଗ ସଂପର୍କ ନିଶ୍ଚୟ ରହିଛି । ଥରେ ଥରେ ଆମର ଅଜ୍ଞାନ ମଧ୍ୟ ଅଜ୍ଞାତ ହୋଇ ପ୍ରତିଭାତ ହୋଇଥାଏ, କିନ୍ତୁ ଜ୍ଞାନର ପ୍ରବେଶ ସେଇ ଅଜ୍ଞାତଜନିତ ଅଜ୍ଞାତ ଅପସରି ଯାଏ ।

 

ବିଜ୍ଞାନର ସକଳ ଅଗ୍ରଗତି ପରେ ମଧ୍ୟ ଏମିତି କିଛି ରହିଛି ଯାହା ଉପରେ ଆମର କୌଣସି ସ୍ପଷ୍ଟ ଧାରଣା ନାହିଁ। ଅବଶ୍ୟ ବିଜ୍ଞାନର କ୍ରମ ବିକାଶ ଧାରାବାହିକ ଭାବେ ଆମର ଅନେକ ଅନ୍ଧବିଶ୍ଵାସକୁ ଅମୂଳକ ପ୍ରମାଣିତ କରି ଆସିଛି । ତଥାପି ଏବେ ମଧ୍ୟ ଏମିତି ଇଲାକା ରହିଛି (grey areas) ଯାହାକୁ ବିଜ୍ଞାନ ଯଥେଷ୍ଟ ଆଲୋକିତ କରିପାରିନାହିଁ ବା ଆଦୌ ଆଲୋକିତ କରି ନାହିଁ । ସେସବୁ ଇଲାକା ଉଭୟ ଆମ ଭିତରେ ରହିଛି ଏବଂ ଆମ ବାହାରେ ରହିଛି । ଅନେକଦିନ ଧରି ବିଶ୍ୱାସ କରାଯାଉଥିଲା ଯେ ଆମର ସୌରମଣ୍ଡଳ ଏକମାତ୍ର ସୌରମଣ୍ଡଳ, କିନ୍ତୁ ପରେ ଏକଥା ପ୍ରମାଣିତ ହେଲା ଯେ ସୂର୍ଯ୍ୟ ଏକ ନକ୍ଷତ୍ର, ବ୍ରହ୍ମାଣ୍ଡରେ ଅନେକ ନକ୍ଷତ୍ରମାନଙ୍କ ମଧ୍ୟରୁ ସୂର୍ଯ୍ୟ ଅନ୍ୟ ଏକ ନକ୍ଷତ୍ର । ସୂର୍ଯ୍ୟଙ୍କ ଠାରୁ ଆକାରରେ ଯଥେଷ୍ଟ ବଡ଼ ଆହୁରି ଅନେକ ନକ୍ଷତ୍ର ଅଛନ୍ତି-। ଆମର ପ୍ରିୟ ଗ୍ରହ ପୃଥିବୀଟି ସେହି ଦୃଷ୍ଟିରୁ ଗୋଟିଏ ଖୁବ୍‌ କ୍ଷୁଦ୍ର ସତ୍ତା । ଅତୀବ କ୍ଷୁଦ୍ର ସତ୍ତା-। ଅଥଚ ଆମର ସମସ୍ତ ନହେଲେ ମଧ୍ୟ ଅଧିକାଂଶ ବିଶ୍ଵାସ / ଧାରଣା ବା ପରୀକ୍ଷା-ନିରୀକ୍ଷୀ କେବଳ ଆମରି ଛୋଟିଆ ଗ୍ରହଟିକୁ ନେଇ । ଆମରି ଗ୍ରହଟି ବାହାରେ ଅନ୍ୟ କୌଣସି ଗ୍ରହରେ, ସୌର ମଣ୍ଡଳରେ, ଅନ୍ତରୀକ୍ଷରେ ଯେ ଜୀବନ ନାହିଁ ଏକଥା ଏଯାବତ୍‌ ସଠିକ୍‌ ଭାବେ କୁହାଯାଇ ପାରିନାହିଁ-। ଦିନେ ହୁଏତ ଆମଠୁ ଅନେକ ଆଲୋକ ବର୍ଷ ଦୂରରେ ଏମିତି ଏକ ଆବିଷ୍କାର ନ ହେବ ସେ କଥା କିଏ କହିବ ? ସେଇ ଭବିଷ୍ୟତ ଆବିଷ୍କାରର ଆକର୍ଷଣ କିନ୍ତୁ ଆମପାଇଁ ଅନେକ ବର୍ଷ ଧରି, ହୁଏତ ଆଦିକାଳରୁ ଏକ ଆକର୍ଷଣ ହୋଇ ରହିଛି । ଆମର ବିଶ୍ୱାସକୁ ଅଧିକ ସୁଦୃଢ଼ କରିବାପାଇଁ ସବୁ ସଭ୍ୟତାରେ ସବୁ ସଂସ୍କୃତିରେ ଆଉ ଏକ ସ୍ଥାନର କଥା କୁହାଯାଇଛି । ସେଇ ସ୍ଥାନ, ଇଲାକା, ସ୍ଵର୍ଗଲୋକ ହୋଇପାରେ, ଉନ୍ନତ ହୋଇପାରେ, ଭିନ୍ନ ଧର୍ମ ବିଶ୍ଵାସ ଅନୁସାରେ ଭିନ୍ନ ନାମ ନେଇପାରେ; ଇଲାକାଟି ଏକ ନ ହୋଇ ଏକାଧିକ ମଧ୍ୟ ହୋଇପାରେ । ମାତ୍ର ସେଇ ଇଲାକାଟି ଅଲ୍‌ବତ୍‌ ରହିଛି । ହୁଏତ ନିରନ୍ତର ସେମିତି ରହିଥିବ । ଏମିତି ମଧ୍ୟ ହୋଇପାରେ ଯେ ସେଇ ଇଲାକାଟି ଭବିଷ୍ୟତରେ କଦାପି ଆବିଷ୍କାର ହେବ ନାହିଁ । କେହି କୌଣସି ବିମାନରେ ଦେବରାଜ ଇନ୍ଦ୍ରଙ୍କ ପାଖରେ ପହଂଚି ଆମ ପୃଥି‌ବୀର କ୍ଷେପଣାସ୍ତ୍ରମାନଙ୍କୁ ଇନ୍ଦ୍ରଙ୍କ ବଜ୍ର ସହତ ତୁଳନା କରିପାରିବେ ନାହିଁ, ହୁଏତ କେହି ନଚିକେତା ପରି ଯମରାଜଙ୍କୁ ଜୀବନ ଓ ମୃତ୍ୟୁର ଗୂଢ ରହସ୍ୟ ଖୋଦ୍‌ ଯମପୁରରେ ସ୍ୱଦେହରେ ପହଂଚି ପଚାରି ପାରିବେ ନାହିଁ, ହୁଏତ କେହି ସୈତାନର ସେବା କରିବା ପାଇଁ ସମର୍ପିତ ହୋଇ ନର୍କରେ ହାଜିର ହେବେ ନାହିଁ, ଅଥଚ ଚିର ବିତର୍କିତ ରହି ଏହି ସରାସବ ସେମିତି ରହିଥିବବେ । ଏମାନେ ତୁଚ୍ଛା କଳ୍ପନାବିଶ୍ଵାସ ହୋଇ ମଧ୍ୟ ରହିବେ ନାହିଁ । ଆମ ଚେତନା ଭିତରେ ଆମର ଜୀବନ ସହିତ ତାଳ ଦେଇ ଏମାନେ ସେମିତି ସବୁଜ ହୋଇ ରହିଥିବେ-। ଯେଉଁ ପର୍ଯ୍ୟନ୍ତ ଆମର ଏଇ ବିଶ୍ଵାସ ବଳବତ୍ତର ରହିଥିବ ସେଇ ପର୍ଯ୍ୟନ୍ତ ଅଜ୍ଞାତ ଆମ ପାଇଁ ଏକ ଆକର୍ଷଣ ହୋଇ ମଧ୍ୟ ରହିଥିବ । ସେପର୍ଯ୍ୟନ୍ତ Aliens ପରି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିବ, The Matrix ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇ ରହିଥିବ ।

 

ଏକ ନିର୍ଦ୍ଦିଷ୍ଟ ଜ୍ଞାନର ଆଧାରରେ ଆମେ ଆମର ଇନ୍ଦ୍ରିୟମାନଙ୍କୁ ପାଂଚରେ ସୀମିତ କରି ରଖିଛୁ । ପଂଚେନ୍ଦ୍ରିୟ ପରି ପଂଚଭୂତ ମଧ୍ୟ ଅଛନ୍ତି । ହୁଏତ ଏଯାବତ୍‌ ଆମ ନିକଟରେ ଉପଲବଧ୍‌ ସୀମିତ ଜ୍ଞାନର ଆଧାରରେ ଏସବୁ ଠିକ୍‌ ମନେ ହୋଇପାରେ, ତେବେ ବିଜ୍ଞାନ ଏକ ଷଷ୍ଠ ଇନ୍ଦ୍ରିୟର ସ୍ଥିତିକୁ ମଧ୍ୟ ସ୍ଵୀକାର କରିବା ପାଇଁ ବସିଛି । ଏକ ନିର୍ଦ୍ଦିଷ୍ଟ ପରିସରରେ, ଏକ ନିର୍ଦ୍ଦିଷ୍ଟ ପରିମାପକରେ ନିର୍ଦ୍ଧାରିତ ତତ୍ତ୍ଵ ସେଇ ବିଜ୍ଞାନର ନିୟମ ଅନୁସାରେ ଏକ ସ୍ଵତଃସିଦ୍ଧ ନୁହେଁ, ଚୂଡାନ୍ତ ଜ୍ଞାନ ନୁହେଁ; ପରବର୍ତ୍ତୀ ଆବିଷ୍କାର ପର୍ଯ୍ୟନ୍ତ ଏହା ଏକ ଆପେକ୍ଷିକ ସତ୍ୟ । ଆମକୁ ଉପଲବ୍‌ଧ ହୋଇନଥିବା ସେଇ ଜ୍ଞାନ, ସେଇ ଆବିଷ୍କାର ଏବଂ ସେଇ ଅନନ୍ୟ ଅନୁଭୂତି ହୁଏତ ଏଇ ପୃଥିବୀର ନ ହୋଇପାରେ, ଏଇ ଭୂମିର ନ ହୋଇପାରେ–ଅତଏବ ଅଜ୍ଞାତର ହୋଇପାରେ ।

 

ଏଥର ଯୁକ୍ତି ଛଳରେ ଉଡନ୍ତା ଥାଳିଆ ବା ହୁଁ ହାଁ ଚଢ଼େଇମାନଙ୍କୁ ବାଦ୍‌ ଦିଆଯାଉ । ଏମାନେ ହୁଏତ କୌଣସି ବିରଳ ଅନୁଭୂତି ହୋଇପାରନ୍ତି, ସତ୍ୟର ଅପଳାପ ମଧ୍ୟ ହୋଇପାରନ୍ତି । ମାତ୍ର ଆମର ମନ ? ମନଟି ତ ଆମର କିଛି କମ୍‌ ରହସ୍ୟମୟ ନୁହେଁ । ମନ କ’ଣ ସତରେ ଆମର ଅଧୀନ ? ଆତ୍ମା କଥା ବାଦ୍‌ ଦିଆଯାଇପାରେ, କାରଣ ବିଜ୍ଞାନ ଆତ୍ମା-ପରମାତ୍ମା ସ୍ଵୀକାର କରେ ନାହିଁ । ଧରିନିଆଯାଉ ଏକଥା ଠିକ୍‌ ଆମେ ବିଜ୍ଞାନ କଥା ମାନିନେବା କିନ୍ତୁ ମନଟି କ’ଣ କମ୍‌ ଗୋଳମାଳିଆ ଜିନିଷ ? ମନ ଶିଶୁଟିଏ ପରି ସରଳ, ପୁଣି ମାରାତ୍ମକ । ଆମ ମନକୁ କ’ଣ ଆମେ ସତରେ ଭଲ ଭାବରେ ଚିହ୍ନିଛେ ! ମନକୁ କ’ଣ ନିୟନ୍ତ୍ରଣରେ ରଖିପାରୁଛେ ! ଉପରକୁ ଯେତେ ସହଜ ମନେ ହେଉଥିଲେବି ମନ ଭିତରେ କ’ଣ ସତରେ ଏମିତି କିଛି ଝଡ଼ ନାହିଁ ଯାହା ସ୍ଥିତିର ତୀବ୍ର ବିରୋଧୀ, ଯାହା ପରିସ୍ଥତି ସହିତ ସାଲିସ କରେ ନାହିଁ -ବିଦ୍ରୋହ କରେ ? ଯାହା ଥରେ ଥରେ ପରିସ୍ଥିତିକୁ ସ୍ଵୀକାର କରି ସଂଯତ ଥିବାପରି ମନେ ହେଉଥିଲେ ହେଁ ଅସଲରେ ଏକ ଖଣ୍ଡିତ ସ୍ଥିତିରେ ବିରୋଧାଭାଷର ଅନ୍ୟନାମ ହୋଇହିଁ ରହିଥାଏ । ଏମିତି କ’ଣ ହୁଏ ନାହିଁ ଯେ ଏକାଏକା ସମୁଦ୍ରକୂଳରେ, ଜହ୍ନ ରାତିରେ ଖୋଲା ଆକାଶ ତଳେ ବା କୌଣସି ଏକ ଉପତ୍ୟକାରେ ଅନ୍ୟମନସ୍କ ହୋଇ ବୁଲୁଥିବାବେଳେ ଆମେ ଅଚାନକ ଆବିଷ୍କାର କରୁ–ଆମ ଭିତରେ ଆଉକିଛି ଅଛି ଯାହା ଏପର୍ଯ୍ୟନ୍ତ ଅନାବିଷ୍କୃତ ହୋଇ ରହିଥିଲା ! ଆପଣା ଅଭ୍ୟନ୍ତରର ସେଇ ସତ୍ତାଟି ସଂପର୍କରେ ଆମେ ଆଗରୁ କେବେ ମଧ୍ୟ ଆଭାସ ପାଇନଥିଲୁ ! ସେଇଟି ଏକାବେଳକେ ଅନାବିଷ୍କୃତ ରହିଥିଲା ! ଅନ୍ୟ ଅର୍ଥରେ, ଆମେ ନିଜେ ନିଜପାଇଁ ମଧ୍ୟ ଅଜ୍ଞାତ ହୋଇ ରହିଥାଉ । ଆମର ଗୋଟିଏ ଭାଗ ଅନ୍ୟଭାଗଟି ପାଇଁ ଅଜ୍ଞାତ ହୋଇ ରହିଥାଏ ଏବଂ ଆମକୁ ଆକର୍ଷିତ କରି ରଖୁଥାଏ ।

 

ଅଜ୍ଞାତ : ସ୍ଥିତି ଓ ଅସ୍ଥିତି ମଧ୍ୟରେ ଉପସ୍ଥିତ ସତ୍ତା

 

ଈଶ୍ଵର ନିଜେ କୌଣସି ପରୀକ୍ଷାଗାର ବା ପ୍ରୟୋଗଶାଳା ଭିତରକୁ ଆସି ବୈଜ୍ଞାନିକ ପରୀକ୍ଷା-ନିରୀକ୍ଷା ନିମନ୍ତେ ଆପଣାକୁ ପେଶ୍‌ କରିପାରିବେ ନାହିଁ; ତାଙ୍କର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା, ଓଜନ କିଛି ମଧ୍ୟ କୌଣସି ପରିମାପକରେ ମାପି ହେବ ନାହିଁ; ତାଙ୍କୁ କେହି ଜଣେବି ଦେଖିଛି ବା ତାଙ୍କ ସହିତ କଥାବାର୍ତ୍ତା କରିଛି ଏନେଇ ପ୍ରାମାଣିକ ତଥ୍ୟ ମଧ୍ୟ ନାହିଁ । ତଥାପି ଈଶ୍ଵର ଅଛନ୍ତି ଏବଂ ଏ ସଂସାରରେ ସବୁ ଘଟଣା-ଦୁର୍ଘଟଣା, ପ୍ରତିଟି ସ୍ପନ୍ଦନ ତାଙ୍କରି ନିଦ୍ଦେର୍ଶରେ ହେଉଛି ଏ ପ୍ରକାର ଅବଧାରଣାକୁ, ଈଶ୍ଵରଙ୍କ ସତ୍ତାକୁ ଯେଉଁମାନେ କୌଣସି ପ୍ରଶ୍ନ ନପଚାରି ସ୍ଵୀକାର କରନ୍ତି ସେମାନଙ୍କୁ ଆମେ Theist (ଆସ୍ତିକ) କହିଛୁଁ । ଆସ୍ତିକମାନଙ୍କ ମତରେ ଈଶ୍ଵର ଏମିତି ଏକ ସତ୍ତା ଯାହାକୁ କୌଣସି ପାର୍ଥିବ ପରିମାପକରେ ତଉଲି ହେବ ନାହିଁ । ସ୍ଥୂଳ ଭାବରେ ଅନୁପସ୍ଥିତ ହୋଇ ମଧ୍ୟ ସେ ସର୍ବତ୍ର ଉପସ୍ଥିତ ତଥା ସ୍ଵୟଂ ସଂପୂର୍ଣ୍ଣ । ଆରମ୍ଭରୁ ଆସ୍ତିକମାନେ ଅଛନ୍ତି ଏବଂ ସେମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ । ଆପଣାର ଦୃଷ୍ଟିଭଙ୍ଗୀକୁ ବିସ୍ତାରିତ କରିବାପାଇଁ ଏମାନେ ମୁଖ୍ୟତଃ ବିଶ୍ଵାସର ଆଶ୍ରୟ ନିଅନ୍ତି । ଆସ୍ତିକମାନଙ୍କୁ ବାଦଦେଇ Atheists (ନାସ୍ତିକ) ମାନେ ମଧ୍ୟ ଅଛନ୍ତି । ସେମାନେ ଆସ୍ତିକମାନଙ୍କ ସମୟରୁ ମଧ୍ୟ ଅଛନ୍ତି । ନାସ୍ତିକମାନେ ଈଶ୍ଵରଙ୍କ ସତ୍ତାକୁ ଆଦୌ ସ୍ଵୀକାର କରନ୍ତି ନାହିଁ । ସେମାନଙ୍କ ମତରେ ଯେଉଁ ସତ୍ତାର ନିର୍ଦ୍ଧିଷ୍ଟ ସ୍ଥିତି ନେଇ କୌଣସି ତଥ୍ୟ ପ୍ରମାଣ ନାହିଁ, ସେଇ ସଭାର ସ୍ଥିତି ତୁଚ୍ଛା କଳ୍ପନାବିଳାସ । ନାସ୍ତିକମାନେ ଈଶ୍ଵରଙ୍କ ସ୍ଥିତି ନାହିଁ ବୋଲି ସିଧା ପ୍ରକାଶ କରନ୍ତି । ସେମାନେ କୌଣସି ସଂଶୟ ବା ଦ୍ଵନ୍ଦ୍ୱକୁ ସେମାନଙ୍କ ବିଚାରରେ ସ୍ଥାନ ଦିଅନ୍ତି ନାହିଁ । ଏହାକୁ ପଜିଟିଭ୍‌ ପଜିଟିଭ୍‌ ଡିନାଏଲ୍‌ ମଧ୍ୟ କୁହାଯାଇଛି ।

 

ଆସ୍ତିକ ଓ ନାସ୍ତିକମାନଙ୍କୁ ବାଦ ଦେଇ ଆଉ ଦଳେ ଅଛନ୍ତି । ସେମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମ୍‌, ମାତ୍ର ସେମାନେ ମଧ୍ୟ ଆରମ୍ଭରୁ ରହିଛନ୍ତି । ସେମାନଙ୍କୁ ଆଗ୍ନୋଷ୍ଟିକ (Agonostic) କୁହାଯାଏ । ଆଗ୍ନୋଷ୍ଟିକ ହେଉଛନ୍ତି ସେଇମାନେ ଯେଉଁମାନେ ଆତ୍ମିକମାନଙ୍କ ପରି ଈଶ୍ଵରଙ୍କ ସ୍ଥିତିକୁ ସରଳ ବିଶ୍ଵାସର ଆଧାରରେ ସ୍ୱୀକାର କରନ୍ତି ନାହିଁ କିମ୍ବା ନାସ୍ତିକମାନଙ୍କ ପରି ଈଶ୍ଵର ନାହାନ୍ତି ବୋଲି ରୋକ୍‌ଠୋକ୍‌ ଭାବେ ମନାକରନ୍ତି ନାହିଁ । ସେମାନଙ୍କ ମତରେ ଯାହା ଉପରେ ଆମର କୌଣସି ଅଭିଜ୍ଞତା ନାହିଁ ସେ ସଂପର୍କରେ କୌଣସି ସିଦ୍ଧାନ୍ତରେ ପହଂଞ୍ଚିବା ସହଜ ନୁହେଁ । ଅର୍ଥାତ୍‌ ସେଇ ଜିନିଷଟିର ସ୍ଥିତି ସପକ୍ଷରେ ଅଥବା ବିପକ୍ଷରେ କୌଣସି ମତାମତ ଦେଇହେବନାହିଁ । Agnostic । ଶବ୍ଦର ଏବଂ ଆଗ୍ନୋଷ୍ଟିସିଜମ୍‌ର ଜନକ ଥିଲେ ଟି.ଏବ୍‌. ହକ୍ୱଲେ (୧୮୨୫-୧୮୯୫) ।

 

ବ୍ୟକ୍ତିଗତ ଜୀବନରେ ଶିକ୍ଷା, ବିଜ୍ଞାନ, ଧର୍ମ ଓ ନୈତିକତା ପରି ପୃଥକ୍‌ ବିଭାଗ ସହିତ ଜଡ଼ିତ ହୋଇ ରହିଥିବା ହକ୍ୱଲେ ତତ୍‌କାଳୀନ ପାରଂପରିକ ଈଶ୍ଵର ତତ୍ତ୍ୱକୁ ସ୍ଵୀକାର କରିନଥିଲେହେଁ ଈଶ୍ଵର ନାହାନ୍ତି, ଏକଥା ମଧ୍ୟ କେବେ କହିନଥିଲେ । ଯଦିଓ ବିଜ୍ଞାନ ସଂମ୍ବନ୍ଧୀୟ ଗବେଷଣା ପୃଷ୍ଠଭୂମିରେ ଆପଣାର ମତକୁ ସଷ୍ଟ କରିବାପାଇଁ ସେ agnostic ଶବ୍ଦର ବ୍ୟବହାର କରିଥିଲେ ତେବେ ତାଙ୍କ ଜୀବଦ୍ଦଶାରେ ଏହି ଶବ୍ଦ ଓ ଏହି ମତାମତ ବେଶ୍‌ ବିତର୍କ ସୃଷ୍ଟି କରିଥିଲା । ହକ୍ୱଲେ କହିଥିଲେ, 'follow your reason as far it can take you without other considerations and negatively, in matters of the intellect, do not pretend that matters are certain that are not demonstrable.’ ଅର୍ଥାତ୍‌, ଯାହା ଅପରୀକ୍ଷିତ ସେଇ ଜିନିଷଟିର ସ୍ଥିତି ସଂପର୍କରେ କିଛି ନିଶ୍ଚିତ ଭାବରେ କୁହା ଯାଇପାରିବ ନାହିଁ । ଅସତ୍ୟରୁ ସତ୍ୟକୁ ବାଛିବା ପାଇଁ (what is true from what is untrue) ହକ୍ସରେ agnostic ଶବ୍ଦର ପ୍ରୟୋଗ କରିଥିଲେ, ମାତ୍ର କୁହୁକ ପରି ଏଇ ଶବ୍ଦଟି ଆଉ ଗୋଟିଏ ନୂଆ ଦିଗକୁ ସୂଚନା ଦେଇଥିଲା । ସେଇଟି ହେଉଛି ଅଜ୍ଞାତ (Unknown) । ଅର୍ଥାତ୍‌ ଏକ ନିର୍ଦ୍ଦିଷ୍ଟ ସମୟରେ, ପରିପ୍ରେକ୍ଷୀରେ ଏକ ନିର୍ଦ୍ଦିଷ୍ଟ ପଦାର୍ଥ ଉପରେ ଉପଲବ୍‌ଧ ଜ୍ଞାନର ଆଧାରରେ ସବୁ ଜିନିଷକୁ ସତ୍ୟ (rrue) ଏବଂ ଅସତ୍ୟ (untrue) ଶ୍ରେଣୀଭୁକ୍ତ କରିହେବ ନାହିଁ । ସେଇ ସମୟରେ ଏମିତି କିଛି ରହିପାରେ ଯାହାକୁ ‘ଅଜ୍ଞାତ’ କୁହାଯାଇପାରିବ । ସେଇଟି ଈଶ୍ଵରଙ୍କ ସ୍ଥିତି ହୁଏତ ହୋଇପାରେ ନଚେତ୍‌ ଅନ୍ୟକିଛି ମଧ୍ୟ ହୋଇପାରେ । ଯାହାକୁ ନେଇ ବ୍ୟାବହାରିକ ଭାବେ କୌଣସି ପରୀକ୍ଷାନିରୀକ୍ଷା ଅନ୍ତତଃ ବର୍ତ୍ତମାନ ସମ୍ଭବ ନୁହେଁ, କିମ୍ବା ଯାହାର ସ୍ଥିତି ବା ସ୍ଥିତିହୀନତାକୁ ସ୍ଵୀକାର କରିବାପାଇଁ ଆମ ପାଖରେ ଉପଲବ୍‌ଧି ଜ୍ଞାନ ଆପାତତଃ ସୀମିତ ସେସବୁ ଏକ ତୃତୀୟ ପରିଧିର-ଅଜ୍ଞାତର । ହୁଏତ ସମୟକ୍ରମେ ସେଇ ‘ଅଜ୍ଞାତ’ ସମ୍ବନ୍ଧରେ ଆମକୁ ଯଥେଷ୍ଟ ପ୍ରମାଣ ମିଳିବ ଆମର ଜ୍ଞାନର ପରିସୀମା ବୃଦ୍ଧି ପାଇବ ଯାହା ପରବର୍ତ୍ତୀ ସମୟରେ ଆମର ମତ ପରଵର୍ତ୍ତନ କରିବ । କିନ୍ତୁ ସେଇ ଅବସ୍ଥା ନ ଆସିବା ପର୍ଯ୍ୟନ୍ତ ସେଇଟି ଅଜ୍ଞାତ ହୋଇ ରହଥିବ । ତେତେ କୌଣସି ପରିସ୍ଥିତିରେ କେବଳ ମାତ୍ର ବିଶ୍ଵାସ ଭିତ୍ତିରେ, ଅପରୀକ୍ଷିତ ରହିଥିବା କୌଣସି ତଥାକଥିତ ସତ୍ତାକୁ ସ୍ଵୀକାର କରିହେବନାହିଁ । ଏଇ ଆଲୋଚନାର ଆଧାରରେ ଆଗ୍ନୋଷ୍ଟିସ ଉଭୟ ଆସ୍ତିକ (theist) ଏବଂ ଏକ ନାସ୍ତିକ (atheist) ଠାରୁ ମୌଳିକ ଭାବେ ଭିନ୍ନ । ଆଗ୍ନୋଷ୍ଟିକ ପାଇଁ ‘ଅଜ୍ଞାତ’ ଅଦ୍ୟାବଧି ଅପ୍ରମାଣିତ, ତଥାପି ଏହାକୁ ମିଥ୍ୟା ବୋଲି ମଧ୍ୟ କରିହେବନାହିଁ । ଅଜ୍ଞାତର ଅନୁପସ୍ଥିତି ବା ପ୍ରମାଣହୀନତା ଏହାର ଖଣ୍ଡନ ନୁହେଁ ବରଂ ପରୋକ୍ଷରେ ଏହି ସତ୍ତାର ଉପସ୍ଥିତିକୁ ସ୍ଵୀକାର କରିବା-। ଅଜ୍ଞାତ ସ୍ଥିତି ଓ ଅସ୍ଥିତି ମଧ୍ୟରେ ଉପସ୍ଥିତ ଅର୍ଦ୍ଧସତ୍ୟ ପରି । ହୁଏତ ଆଲୁଅ ଓ ଅନ୍ଧାରର ବ୍ୟବଧାନ ମଧ୍ୟରେ ଉପସ୍ଥିତ ଗୋଧୂଳି ପରି ଅଜ୍ଞାତ ଏକ ସ୍ଵତନ୍ତ୍ର ସତ୍ତା ଯାହା ଉଭୟ ଆକର୍ଷଣ ଓ ବିସ୍ମୟ ସହିତ ତିଷ୍ଠି ରହିଛି ।

Image

 

ଶଙ୍କରାଚାର୍ଯ୍ୟଙ୍କ ସମୟ ଏବଂ ଅଦ୍ୱୈତ ଦର୍ଶନ

 

ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ଏମିତି ସମୟରେ ହୋଇଥିଲା ଯେତେବେଳେ ହିନ୍ଦୁଧର୍ମ ଏକ ସଂକଟ ଦେଇ ଗତି କରୁଥିଲା । ହିନ୍ଦୁଧର୍ମର କର୍ମକାଣ୍ଡ, ପ୍ରଥା, ପରଂପରା ଓ କୁସଂସ୍କାର ଗୁଡାକ (ବିଶେଷ ଭାବରେ ପଶୁବଳି) ଭାରି ପରାକ୍ରମୀ ହୋଇ ସାରିଥଲା । ସନାତନ ହିନ୍ଦୁଧର୍ମରେ ଯେ ଜୀବନଦର୍ଶନର ଅସଲ ମାର୍ଗଟି ନଥିଲା,ସେକଥା ନୁହେଁ, କାରଣ ବେଦରେ, ଉପନିଷଦରେ ତଥା ଗୀତାରେ ସବୁକିଛି ଥିଲା, ମାତ୍ର ସରଳ ତଥା ନିଷ୍ଠାପର ଭାବରେ ସେଇ ନିର୍ଯ୍ୟାସକୁ ସାଧାରଣ ମଣିଷ ନିକଟରେ ଉପସ୍ଥିତ କରାଇବାର ଚେଷ୍ଟା ହୁଏତ କରା ଯାଇନଥଲା । ଏକ ଯୁକ୍ତନିଷ୍ଠ ତତ୍ତ୍ୱର ଅନୁପସ୍ଥିତିରେ ସେଇ ଶୂନ୍ୟସ୍ଥାନ ମାଡ଼ିବସିଥିଲା ହିନ୍ଦୁଧର୍ମର ଜଟିଳ କର୍ମକାଣ୍ଡ ଓ କୁସଂସ୍କାର ଯାହା ଏକ ମୁକ୍ତ ଚେତନାକୁ ପ୍ରତିହତ କରୁଥିଲା । ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଥଲା ଏହି ନିର୍ଯ୍ୟାସକୁ ଯୁକ୍ତିନିଷ୍ଠ ଭାବରେ ପ୍ରକଟ କରାଇବା । ସନାତନ ହିନ୍ଦୁଧର୍ମର ସାମଗ୍ରିକ ଉଦାର ଦର୍ଶନର ପୁନରୁଦ୍ଧାର କରିବା । ସେଥିପାଇଁ ଶଙ୍କରଙ୍କୁ କିଛି କମ୍‌ ପରିଶ୍ରମ କରିବାପାଇଁ ପଡ଼ିନଥି‌ଲା । ସେ ହିନ୍ଦୁଧର୍ମର ଏକ ପୁନର୍ବିନ୍ୟାସ କରିଥିଲେ କହିଲେ ଭୁଲ୍‌ ହେବ ନାହିଁ । ସେଇ ପୁନର୍ବିନ୍ୟାସ କ୍ରମରେ ଶଙ୍କର ବୌଦ୍ଧଧର୍ମର ସାରତତ୍ତ୍ଵକୁ (ସଂଶୟ ଓ ନିର୍ବାଣ ସମ୍ବନ୍ଧୀୟ) ଅତ୍ୟନ୍ତ ଚତୁରତାର ସହିତ ହିନ୍ଦୁଧର୍ମ ସହିତ ସାମିଲ କରି ଦେଇଥିଲେ । ଗୌତମ ବୁଦ୍ଧଙ୍କୁ ହିନ୍ଦୁ ଧର୍ମରେ ଭଗବାନଙ୍କର ଏକ ଅବତାର ଭାବରେ ଗ୍ରହଣ କରାଯାଇଥି‌ଲା । ହିନ୍ଦୁ ଅବତାର ଚକ୍ରର ପରିଧି ଅବତରିତ ହୋଇ ପ୍ରକାରାନ୍ତରେ ଗୌତମ ଯେମିତି (ଆଉ ବୌଦ୍ଧ ନ ରହି) ହିନ୍ଦୁ ପାଲଟି ଯାଇଥିଲେ । ଶଙ୍କରଙ୍କର ଦର୍ଶନର ଭୂମିଟି ଅତ୍ୟନ୍ତ ଯୁକ୍ତିନିଷ୍ଠ ପ୍ରତୀୟମାନ ହୋଇ ହିନ୍ଦୁଧର୍ମକୁ ବୌଦ୍ଧିକ (Intellectual) ବୋଲି ପ୍ରତିପାଦିତ କରାଇବାପାଇଁ ସମର୍ଥ ମଧ୍ୟ ହୋଇଥଲା ।

 

ପରବର୍ତ୍ତୀ ସମୟରେ, ହିନ୍ଦୁଧର୍ମର ଏଇ ବୌଦ୍ଧିକ ବୃତ୍ତକୁ ରାମାନୁଜ ଏବଂ ମାଧବାଚାର୍ଯ୍ୟଙ୍କ ଅବଦାନ ମଧ୍ୟ କିଛି କମ୍‌ ନଥିଲା । ବେଦାନ୍ତର ମୁଖ୍ୟତଃ ଦୁଇଟି ବିଭାଗ ରହିଛି । ଗୋଟିଏ ‘ଦ୍ୱୈତ’ (dualism) ଏବଂ ଅନ୍ୟଟି ‘ଅଦ୍ୱୈତ’ (Non-dualism) । ଏଇ ଦୁଇଟି ବିଭାଗ ବ୍ୟତୀତ ଆଉ ଗୋଟିଏ ମଧ୍ୟ ଅଛି ଯାହାକୁ ‘ବିଶିଷ୍ଟ ଦ୍ୱୈତ’ (Qualified non-dualism) କୁହାଯାଉଛି । ଶଙ୍କରାଚାର୍ଯ୍ୟଙ୍କ ଆଗରୁ ଗୌଡ଼ପଦ ଅଦ୍ୱୈତର କଥା କହିଥିଲେ ହେଁ ଅଦ୍ଵୈତକୁ ଏକ ନିର୍ଦ୍ଦିଷ୍ଟ ଭୂମିରେ, ଏକ ନିର୍ଦ୍ଦିଷ୍ଟ ଭୂମିରେ, ଏକ ତତ୍ତ୍ୱ ପ୍ରତିଷ୍ଠା ପ୍ରତିଷ୍ଠାପାଇଁ ପ୍ରମୁଖ ଅବଦାନ ଥି‌ଲା ଶଙ୍କରାଚାର୍ଯ୍ୟଙ୍କର । ଗୌଡ଼ପଦଙ୍କ ଦର୍ଶନର ସାରାଂଶ ଥିଲା : ସ୍ଥିତି କେବଳ ଏକର, ଦ୍ଵିତୀୟ ବ୍ୟତିରେକ । One is without the second. ଏଇ ମନ୍ତ୍ରବାକ୍ୟକୁ ଏକ ଦୃଢ଼ ଆଧାର ବା ଭୂମି ଯୋଗାଇଦେଇଥିଲେ ଶଙ୍କର ।

 

ଶଙ୍କରାଚାର୍ଯ୍ୟଙ୍କ ସମୟରେ ହିନ୍ଦୁଧମର ଅନାଦର ତଥା ବୌଦ୍ଧ ଏବଂ ଜୈନ ଧର୍ମର ଲୋକପ୍ରିୟତା ସଂପର୍କରେ ଏକଥା କୁହାଯାଇଛି ଯେ ସନାତନ ହିନ୍ଦୁଧର୍ମ ଏତେ ଉଦାର ଥିଲା ଯେ ଭାରତ ବର୍ଷରେ ବୌଦ୍ଧଧର୍ମ ଓ ଜୈନଧର୍ମର ବିକାଶ ଆରମ୍ଭରୁହିଁ ଅପ୍ରତିହତ ହୋଇ ରହିଥିଲା । ଅନ୍ୟ ଅର୍ଥରେ, ତତ୍‌କାଳୀନ ଭାରତର ଅସଲ ଧର୍ମ ନିରପେକ୍ଷତା ବିଭିନ୍ନ ସମୟରେ ଭିନ୍ନ ଧର୍ମ ବିଶ୍ୱାସକୁ, ମତବାଦକୁ, ଦର୍ଶନକୁ ସେମାନଙ୍କର ବିକାଶ ନିମନ୍ତେ ଯଥେଷ୍ଟ ସ୍ଵାଧୀନତା ଦେଇଥିଲା । ତେଣୁ ବୌଦ୍ଧଧର୍ମ ବା ଜୈନଧର୍ମର ବିକାଶ ପାଇଁ ହିନ୍ଦୁଧର୍ମ କେବେ ମଧ୍ୟ ପ୍ରତିବଂଧ ସୃଷ୍ଟି କରିନଥିଲା । ବୋଧହୁଏ ପୃଥିବୀର ଅନ୍ୟ କେଉଁ ପ୍ରାନ୍ତରେ ଏପ୍ରକାର ଉଦାରତାର ଉଦାହରଣ ବିରଳ । ବରଂ ଅନ୍ୟତ୍ର ଧର୍ମାନ୍ଧତା ଥିଲା । ଅକ୍ଟୋବର ୨୦, ୧୮୯୬ରେ ଲଣ୍ଡନରେ ଦେଇଥିବା ଏକ ଅଭିଭାଷଣରେ ବିବେକାନନ୍ଦ ଭାରତୀୟ ଉଦାରତାର ଅବତାରଣା କରିବାପାଇଁ ଯାଇ କହିଥିଲେ :

 

"India has always had this magnificent idea of religious freedom and .. freedom is the first condition of growth. What you do not make free

 

will never grow."

 

ଅବଶ୍ୟ ଏକଦା ଅଖଣ୍ଡ ଥିବା ବୌଦ୍ଧଧର୍ମ ମଧ୍ୟ ପରବର୍ତ୍ତୀ କାଳରେ ବିଭକ୍ତ ହୋଇ ଯାଇଥଲା । ହିନ୍ଦୁଧର୍ମର ଜଟିଳ କର୍ମକାଣ୍ଡ, କୁସଂସ୍କାର, ବଳିପ୍ରଥାକୁ ଦୃଢ଼ ବିରୋଧ କରି ଅନେକାଂଶରେ ଆପଣାର ଭୂମିକୁ ସୁଦୃଢ଼ କରିଥିବା ବୌଦ୍ଧଧର୍ମ ମଧ୍ୟରେ କେବଳ ଯେ ‘ଯାନ’ ମାନେ ବୌଦ୍ଧଧର୍ମକୁ ବିଭକ୍ତ କରିଥିଲେ ନୁହେଁ, ବୌଦ୍ଧଧର୍ମର ଅନୁଶାସନ ଭିତରକୁ ସମୟକ୍ରମେ ପଶିଆସିଥିଲା ତନ୍ତ୍ର ଓ ଯୌନ ଚେତନା ।

 

ଯୀଶୁଙ୍କ ଜନ୍ମ ଆଗରୁ, ମାତ୍ର ଗୌତମ ବୁଦ୍ଧଙ୍କ ମୃତ୍ୟୁପରେ ଶଙ୍କରାଚାର୍ଯ୍ୟ ଜନ୍ମ ନେଇଥିଲେ କେରଳରେ । (ଶଙ୍କରଙ୍କ ଜନ୍ମ ଇତିହାସ ଏବେ ମଧ୍ୟ କେତେକାଂଶରେ ବିତର୍କିତ ହୋଇ ରହିଛି) କେତେକ ତଥ୍ୟ ଆଧାରରେ ଶଙ୍କର ଖ୍ରୀ.ପୂ. ୫୦୯ରେ ଜନ୍ମ ନେଇଥିଲେ ଓ ଖ୍ରୀ.ପୂ. ୪୭୭ରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଶ୍ଵାସ କରାଯାଏ । ଅର୍ଥାତ ଶଙ୍କରଙ୍କର ସମୁଦାୟ ଜୀବନକାଳ ଥିଲା ମାତ୍ର ବତିଶ ବର୍ଷ । ତାଙ୍କର ଜନ୍ମ ସ୍ଥାନ ଗାଁର ନାଁ ଥିଲା କେରଳର କଲାଡ଼ି (kaladi) । ସଂକ୍ଷେପରେ ଶଙ୍କରଙ୍କର ଜୀବନବୃତ୍ତାନ୍ତ ଏଠି ଆଲୋଚିତ ହେଉଛି ଯାହା ଉଭୟ କିମ୍ବଦନ୍ତୀ / ଲୋକକଥା ତଥା ଇତିହାସର ଆଧାରରେ କୁହାଯାଇଛି । ଅନେକଦିନ ପର୍ଯ୍ୟନ୍ତ କୌଣସି ସନ୍ତାନ ନଥିବାରୁ ଶଙ୍କରଙ୍କର ପିତା ଶିବଗୁରୁ ଏବଂ ମା ବଶିଷ୍ଟା ଦେବୀ (ସୁଭଦ୍ରା ମଧ୍ୟ କୁହାଯାଇଛି) ଶିବଙ୍କୁ ପୂଜା କରିଥିଲେ ଏବଂ ସେମାନଙ୍କ ଭକ୍ତିରେ ମୁଗ୍‌ଧ ହୋଇ ସ୍ଵୟଂ ଶିବହିଁ ଶଙ୍କର ଭାବରେ ଜନ୍ମ ନେଇଥିଲେ । ଶିବଗୁରୁ କୁଆଡ଼େ ଭଗବାନ ଶିବଙ୍କୁ ପୁତ୍ରଟିଏ ପ୍ରାର୍ଥନା କରିଥିଲେ ଯିଏ ଏକାଧାରରେ ପରମଜ୍ଞାନୀ ଏବଂ ଦୀର୍ଘଜୀବୀ ହେବ । ଶିବ କହିଲେ, ଏମିତି ସମ୍ଭବ ନୁହେଁ, ଅର୍ଥାତ୍‌ ଯଦି ସନ୍ତାନ ଦୀର୍ଘଜୀବି ହେବ ସେ କଦାପି ଜ୍ଞାନୀ ହେବ ନାହିଁ । ଶିବଗୁରୁଙ୍କର ଅଧିକ ଆବଶ୍ୟକ ଥି‌ଲା କିନ୍ତୁ ଏକ ଜ୍ଞାନୀ ସନ୍ତାନ । ତେଣୁ ଶେଷକୁ ସ୍ଥିର ହେଲା ଯେ ସ୍ଵୟଂ ଶିବହିଁ ଏକ ପ୍ରଜ୍ଞାଦୀପ୍ତ ପୁତ୍ରଭାବରେ (ଦୀର୍ଘଜୀବୀ ନହୋଇ) ଜନ୍ମ ନେବେ ।

 

ଶଙ୍କରାଚାର୍ଯ୍ୟଙ୍କ ଶୈଶବ ଥିଲା ଅଦ୍ଭୁତ । ଶୈଶବରୁ ଶଙ୍କରଙ୍କଠି ସମସ୍ତ ଅତିମାନବୀୟ ଗୁଣଗୁଡ଼ିକ ଫୁଟିଉଠିଥିଲା । ତାଙ୍କୁ ପାଂଚବର୍ଷ ପୂରିବା ଆଗରୁ ପିତା ଶିବଗୁରୁ ଆଖିବୁଜିଦେଲେ । ସ୍ଵାମୀଙ୍କ ଶେଷଇଛାକୁ ସମ୍ମାନ ଦେବାପାଇଁ ବିଶିଷ୍ଟା ଦେବୀ ଶଙ୍କରଙ୍କୁ ଶିକ୍ଷାଲାଭ ପାଇଁ ଗୁରୁକୁଳକୁ ପଠାଇଥିଲେ । ଗୁରୁକୁଳରେ ମାତ୍ର ଦୁଇବର୍ଷ ମଧ୍ୟରେ ଶଙ୍କର ସବୁ ଶାସ୍ତ୍ର ଅଧ୍ୟୟନ ଶେଷ କରିଥିଲେ ଯାହା ହୁଏତ ଜଣେ ସାଧାରଣ ଶିକ୍ଷାର୍ଥୀଙ୍କୁ ଆୟତ୍ତ କରିବାପାଇଁ ଅନ୍ୟୂନ କୋଡିଏ ବର୍ଷ ଲାଗିଥା’ନ୍ତା-

 

ଗୁରୁକୁଳରେ ଶିକ୍ଷା ଶେଷ ପରେ ଶଙ୍କର ସନ୍ୟାସୀ ହେବାପାଇଁ ଇଛା କରିଥିଲେ । ସେ ମନେମନେ ତାଙ୍କର ଗୁରୁଙ୍କର ସଂଧାନରେ ବାହାରିବେ ବୋଲି ମନସ୍ଥ କରିଥିଲେ । ମାତ୍ର ମା’ ଏଇ ବୁଢ଼ୀ ବୟସରେ ନିଜର ଗେହ୍ଲାପୁଅକୁ ଛାଡିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ମା’ଙ୍କୁ ଭାରି ଭଲ ପାଉଥିଲେ ଶଙ୍କରାଚାର୍ଯ୍ୟ । ତେଣୁ ସେ ମା’ଙ୍କୁ ମନା କରିପାରିଲେ ନାହିଁ । ବରଂ ଉପଯୁକ୍ତ ସମୟକୁହିଁ ଅପେକ୍ଷା କରୁଥି‌ଲେ । କେତେଦିନ ପରେ ଦିନେ ମା’ଙ୍କ ସହିତ ଗାଧୋଇବା ପାଇଁ ଶଙ୍କର ନଈକୁ ଯାଇଥିଲେ । ନଈରେ ତାଙ୍କୁ ଧରିଲା ଏକ ମସ୍ତବଡ଼ କୁମ୍ଭୀର । ଶଙ୍କରଙ୍କ ମା' ପୁଅର ଏଇ ଦୁର୍ଦ୍ଦଶାରେ-ବିକଳ ହୋଇ କାହିଲେ । ଶଙ୍କର କହିଲେ, ମା ! କୁମ୍ଭୀର ପାଖରୁ (ମୃତ୍ୟୁପାଖରୁ) ମୁଁ ମୁକୁଳିଯାଇ ପାରିବି, ଯଦି ତୁ ମତେ ସନ୍ନ୍ୟାସୀ ହେବାପାଇଁ ଅନୁମତି ଦେବୁ । ସେଇ ମୁହୂର୍ତ୍ତରେ ଶଙ୍କର ମା’ଙ୍କୁ ଛାଡ଼ି ଚାଲିଯିବେ, ଆଉ ଘରକୁ ଫେରିବେ ନାହିଁ ଏକଥା ଜାଣି ମଧ୍ୟ ମା’ ସାଂଗେ ସାଂଗେ ରାଜି ହେଲେ । ନିଜର ଏକମାତ୍ର ପୁଅକୁ ନଜ ଆଗରେ ମୃତ୍ୟୁମୁଖରେ ପଡ଼ିବାର କୋଉ ମା’ ଦେଖିପାରିଥା’ନ୍ତା ? କୁମ୍ଭୀର (ମୃତ୍ୟୁ) ଶଙ୍କରଙ୍କୁ ମୁକ୍ତ କଲା ଏବଂ ଶଙ୍କର ସନ୍ନ୍ୟାସୀ ହୋଇ ବାହାରିଗଲେ । ଗଲାବେଳେ ମା’ଙ୍କୁ କଥା ଦେଇଗଲେ ଯେ ଶେଷ ସମୟରେ ମା’ ଯେତେବେଳେ ତାଙ୍କୁ ମନେ ପକେଇବେ ସେ ନିଶ୍ଚୟ ଆସିବେ । ସନ୍ନ୍ୟାସୀ ହୋଇ ଶଙ୍କର ଘରଛାଡ଼ିବା ବେଳକୁ ତାଙ୍କୁ ହୋଇଥିଲା ମୋଟେ ଆଠବର୍ଷ ।

 

କୁହାଯାଇଛି, ଗୁରୁ ଗୋବିନ୍ଦପାଦ କୁଆଡେ ଖାସ୍‌ ଶଙ୍କରଙ୍କୁ ଅପେକ୍ଷା କରୁଥିଲେ । ଶଙ୍କରଙ୍କୁ ଦେଖିବାକ୍ଷଣି ସେ ଜାଣିପାରିଥି‌ଲେ ଯେ ତାଙ୍କ ଆଗରେ ଠିଆ ହୋଇଥିବା ବାଳକଟି ସ୍ଵୟଂ ଶିବଙ୍କ ଅବତାର । ଗୋବିନ୍ଦପାଦ ଶଙ୍କରଙ୍କୁ ଶିକ୍ଷା ଦେଇଥିଲେ ହଟ, ରଜ ଓ ଜ୍ଞାନ ଯୋଗ । ସେହି ଆଶ୍ରମରେ ତିନିବର୍ଷ ଶିକ୍ଷାପାଇଥିଲେ ଶଙ୍କର । କଥିତ ଅଛି ଯେ ଆଶ୍ରମରେ ଥିବାବେଳେ ଥରେ ନର୍ମଦାରେ ନଈବଢି ଆସିଲା । ବଢିପାଣି ଆଶ୍ରମକୁ ଗ୍ରାସ କରିବାପାଇଁ ବସିଲା । ଆଶ୍ରମଦ୍ଵାରରେ ଶଙ୍କର ରଖିଦେଲେ ତାଙ୍କର କମଣ୍ଡଳୁ । କମଣ୍ଡଳୁରେ ବନ୍ଦୀ ହୋଇ ରହିଲା ସେଇ ଭୟଙ୍କର ନଈବଢି । ଉଛୁଳା ନର୍ମଦା ।

 

ଗୋବିନ୍ଦପାଦ ଶଙ୍କରକୁ ପରବର୍ତ୍ତୀ ଶିକ୍ଷାପାଇଁ ଶୁକଦେବଙ୍କ ପାଖକୁ ଯିବାପାଇଁ ପ୍ରବର୍ତ୍ତାଇଥି‌ଲେ । ଶୁକଦେବହିଁ ଥିଲେ ଗୋବିନ୍ଦପାଦଙ୍କ ଗୁରୁ । (ଏକଥା ମଧ୍ୟ କୁହାଯାଇଛି ସେ ସନ୍ନ୍ୟାସୀ ହୋଇ ବାହାରି ଯିବାପରେ ଶଙ୍କର ଯେଉଁ ଗୁରୁଙ୍କ ପାଖରେ ଶିକ୍ଷାଲାଭ କରିଥଲେ ସେ ହେଉଛନ୍ତି ସ୍ଵାମୀ ଭଗବତ୍‌ପଦ) ଭଗବତ୍‌ପଦଙ୍କର ଗୁରୁଥିଲେ ଗୌଡ଼ପଦ–ଯେଉଁ ଗୌଡ଼ପଦ ଥିଲେ ଅଦ୍ଵୈତର ଆଦ୍ୟଗୁରୁ ।

 

ଶେଷ ପର୍ଯ୍ୟନ୍ତ ଶଙ୍କର ଥିଲେ ଅତ୍ୟନ୍ତ ଜିଜ୍ଞାସୁ । ଜ୍ଞାନ ଆହରଣ ନିମନ୍ତେ ତଥା ତର୍କ ମାଧ୍ୟମରେ ଏକ ନିର୍ଯ୍ୟାସରେ ପହଂଚିବା ନିମନ୍ତେ ସେ ଥିଲେ ଆଗ୍ରହୀ । ପ୍ରବାଦ ଅଛି, ତାଙ୍କର ଭାରତ ଭ୍ରମଣ କାଳରେ ଯେତେବେଳେ ଶଙ୍କର ପ୍ରୟାଗରେ ପହଂଚିଲେ ସେ ଜାଣିବାକୁ ପାଇଲେ ବିହାରର ମହିସ୍ମତୀଠାରେ ଅଛନ୍ତି ଜଣେ ବିଦ୍ୱାନ ବ୍ରାହ୍ମଣ । ତାଙ୍କ ନାଁ ମଣ୍ଡନ ମିଶ୍ର । ମଣ୍ଡନ ଙ୍କ ନିକଟରେ ଶଙ୍କର ପହଂଚିଗଲେ । ଦୁଇଜଣଙ୍କ ଭିତରେ ପ୍ରବଳ ତର୍କ ହେଲା ଓ ଶେଷରେ ଶଙ୍କରହିଁ ବିଜୟୀ ହୋଇଗଲେ । କିନ୍ତୁ ଏକ ବିଚିତ୍ର ଘଟଣା ଘଟିଲା । ଶଙ୍କରାଚାର୍ଯ୍ୟଙ୍କ ବିଜୟକୁ ମଣ୍ଡନଙ୍କ ପତ୍ନୀ ଭାରତୀ କିନ୍ତୁ ସ୍ଵୀକାର କରିବାପାଇଁ ପ୍ରସ୍ତୁତ ନଥି‌ଲେ । ଭାରତୀ କହିଲେ ସେ ହେଉଛନ୍ତି ମଣ୍ଡନଙ୍କ ଅର୍ଦ୍ଧାଙ୍ଗିନୀ–ଅର୍ଥାତ୍‌ ତାଙ୍କ ସହିତ ତର୍କରେ ନଜିତିବା ଯାଏ ଶଙ୍କର ସଂପୂର୍ଣ୍ଣ ବିଜୟୀ ହେଲେ ବୋଲି ଦାବୀ କରି ପାରିବେ ନାହିଁ । ଶଙ୍କର ଭାରତୀଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ ଓ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ତର୍କ । ଧର୍ମ ଏବଂ ଦର୍ଶନ ଚର୍ଚ୍ଚାପରେ ଭାରତୀ ପ୍ରଶ୍ନକଲେ ଶଙ୍କରଙ୍କୁ କାମ ଶାସ୍ତ୍ର ସଂପର୍କରେ । ବ୍ୟକ୍ତିଗତ ଅଭିଜ୍ଞତା ନ ଥିବାରୁ ଶଙ୍କର ମହା ଅସୁବିଧାରେ ପଡିଲେ ଓ ଭାରତୀଙ୍କ କାମଶାସ୍ତ୍ର ସଂପର୍କିତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବାପାଇଁ ଭାରତୀଙ୍କୁ ସମୟ ମାଗିଲେ । ସାଂସାରିକ ଜୀବନର / ଗାର୍ହସ୍ଥ୍ୟର ଧାର ଧାରିନଥିବା ଶଙ୍କରଙ୍କ ପାଇଁ ଭାରତୀଙ୍କ କାମଶାସ୍ତ୍ର ସଂପର୍କିତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବା କୌଣସି ଗୁଣରେ ଏକ ଅଗ୍ନି ପରୀକ୍ଷାଠାରୁ କମ୍‌ ନଥିଲା । କୁହାଯାଇଛି, ଭାରତୀଙ୍କ ନିକଟରୁ ଫେରିବାପରେ ଶଙ୍କର ଗୋଟାଏ ଯାଗାରେ ଦେଖିଲେ ଶ୍ମଶାନକୁ ନିଆଯାଉଛି ଜଣେ ରାଜାଙ୍କ ଶବ । ରାଜା ଜଣକ ଅଳାଳରେ ହିଁ ପରଲୋକ ଗମନ କରିଥିଲେ ଅର୍ଥାତ୍‌ ଶବଟି ଥଲା ଏମିତି ଜଣେ ରାଜାଙ୍କର ଯିଏ ଯୌବନରେ ହି ମୃତ୍ୟୁବରଣ କରିଥିଲେ । ନିଜ ସାଧନାବଳରେ ଶଙ୍କର ନିଜର ଦେହକୁ ଏକ ନିରାପଦ ସ୍ଥାନରେ ରଖି ରାଜାଙ୍କ ମୃତ ଶରୀରରେ ପ୍ରବେଶ କଲେ । ରାଜା ଅକସ୍ମାତ୍‌ ବଂଚି ଉଠିଲେ । ବେଶ୍‌ କିଛିଦିନ ରାଜାଙ୍କ ଶରୀରରେ ଅବସ୍ଥାନ କରି ଶଙ୍କର ରାଜା ଭାବରେ ରାଣୀମାନଙ୍କ ସାନିଧ୍ୟରେ ଆସିଲେ ତଥା କାମଶାସ୍ତ୍ରରେ ଅଭିଜ୍ଞ ହେବପାଇଁ ତାଙ୍କୁ ଆଉ ବିଶେଷ କଷ୍ଟ କରିବାପାଇଁ ପଡ଼ିନଥିଲା । କେତେଦିନ ପରେ ରାଜାଜଣକ ପୁଣି ମୃତ୍ୟୁ ମୁଖରେ ପଡ଼ିଲେ ଏବଂ ଶଙ୍କର ଆପଣା ଶରୀରରେ ଭାରତୀଙ୍କ ନିକଟକୁ ଫେରିଆସିଲେ । ଏଥର ଭାରତୀଙ୍କ କାମଶାସ୍ତ୍ର ସଂପର୍କିତ ପ୍ରଶ୍ନମାନଙ୍କର ଉତ୍ତର ଦେବା ସହଜ ହୋଇଗଲା । ଭାରତୀ ହାରିଗଲେ ଏବଂ ଉଭୟେ ମଣ୍ଡନ ଏବଂ ଭାରତୀ ଶଙ୍କରଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ପରବର୍ତ୍ତୀ ସମୟରେ ମଣ୍ଡନ ସୁରେଶ୍ୱରାଚାର୍ଯ୍ୟଙ୍କ ନାମରେ ଖ୍ୟାତ ହୋଇଗଲେ ।

 

କେବଳ ମଣ୍ଡନଙ୍କ ସହିତ ଉପରବର୍ଣ୍ଣିତ ତର୍କ ନୁହେଁ, ଜୀବନସାରା ତର୍କ, ବଳିଷ୍ଠ ଯୁକ୍ତି ଏବଂ ଉଦ୍‌ବୋଧନ ମାଧ୍ୟମରେ ଶଙ୍କର ଆପଣାର ବିଚାରକୁ, ବେଦାନ୍ତ ଦର୍ଶନକୁ ସାରା ଭାରତରେ ପହଂଚାଇ ଦେଇଥିଲେ । ତତ୍‌କାଳୀନ ଭାରତର ବିଭିନ୍ନ ଅଞ୍ଚଳ ଭ୍ରମଣ କାଳରେ ଶଙ୍କର ଭିନ୍ନ ମତବାଦର ଅନେକ ପଣ୍ଡିତଙ୍କ ସହିତ ଦିନଦିନ ଧରି ତର୍କ କରୁଥି‌ଲେ ଓ ଅଧିକାଂଶ ତର୍କରେ ଶଙ୍କରହିଁ ବିଜୟୀ ହେଉଥିଲେ । ବିଶ୍ଵାସ କରାଯାଏ ଯେ ସେଇ ସମୟର ତର୍କସଭା ମାନଙ୍କରେ ହାରିଯାଉଥିବା ପଣ୍ଡିତମାନେ ବିଜୟୀ ପଣ୍ଡିତଙ୍କୁ ଅନୁସରଣ କରିବୀପାଇଁ ପଡ଼ୁଥିଲା । ଶଙ୍କରଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟିଥାଇପାରେ ।

 

ଏହି ପ୍ରବଂଧରେ ଆଗରୁ କୁହାଯାଇଛି ଯେ ଶଙ୍କର ବଂଚିଥିଲେ ମାତ୍ର ବତିଶ ବର୍ଷ । ଅପେକ୍ଷାକୃତ ଏଇ ସ୍ଵଳ୍ପ ଜୀବନକାଳ ମଧ୍ୟରେ ଶଙ୍କର ଆଣିଥିଲେ ଏକ ଗୁରୁତ୍ଵପୂର୍ଣ୍ଣ ଆଧ୍ୟାତ୍ମିକ ପରିବର୍ତ୍ତନ । ପ୍ରକାରାନ୍ତରେ ହିନ୍ଦୁଧର୍ମରେ ଏକ ନବଜାଗରଣର ସଂଚାର କରିଥିଲେ ଶଙ୍କର । ହିନ୍ଦୁଧର୍ମର ଏର ପୁନଃ ପ୍ରତିଷ୍ଠାକୁ ସୁଦୃଢ କରିବାପାଇଁ, ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ହୁଏତ ଏକ ଅନୁଷ୍ଠାନର ଆବଶ୍ୟକତା ଉପଲବ୍‌ଧିକରି ଶଙ୍କରାଚାର୍ଯ୍ୟ ଭାରତର ଚାରିଦିଗରେ ଚାରୋଟି ମଠ ପ୍ରତିଷ୍ଠା କରିଥିଲେ । ଉତ୍ତରରେ ବଦ୍ରିନାଥ, ଦକ୍ଷିଣରେ ଶ୍ରୀଙ୍ଗେରୀ, ପୂର୍ବରେ ପୁରୀ ଓ ପଶ୍ଚିମରେ ଦ୍ଵାରକା ।

 

ଶଙ୍କରାଚାର୍ଯ୍ୟଙ୍କ ସମୟକୁ ଆଉଟିକେ ବିସ୍ତାରରେ ଆସିବା । ଆଗରୁ ଏହି ପ୍ରବନ୍ଧରେ କୁହାଯାଇଛି ଯେ ଶଙ୍କରଙ୍କ ଜନ୍ମ ସମୟରେ ସନାତନ ହିନ୍ଦୁଧର୍ମ ଏକ ସଂକଟ ଦେଇ ଗତି କରୁଥିଲା-। ତତ୍‌କାଳୀନ ଭାରତରେ ହିନ୍ଦୁଧର୍ମର ଗୂଢ଼ ତତ୍ତ୍ୱକୁ ତଥା ଉଦାର ଭାବଧାରାକୁ ସାଧାରଣ ଜୀବନର ପରିଧି ଭିତରକୁ ନେଇ ଆସିବାପାଇଁ ଆବଶ୍ୟକୀୟ ମାର୍ଗଦର୍ଶନର ଅଭାବ ରହିଥିଲା । ସମୟର ଏହି ଶୂନ୍ୟସ୍ଥାନକୁ ପୂରଣ କରିଥିଲେ ଗୌତମ ବୁଦ୍ଧ ଯିଏ ହିନ୍ଦୁଧର୍ମର ଜଟିଳ କର୍ମକାଣ୍ଡ, ପଶୁବଳି ଓ ହଂସାର ବାତାବରଣଠାରୁ ଦୂରକୁ ଯାଇ ଜୀବେ ଦୟା, ଅହିଂସା ଏବଂ ନିର୍ବାଣର କଥା କହଥିଲେ । ଈଶ୍ଵର ଅଛନ୍ତି ବା ନାହାନ୍ତି ଏକଥା ବୁଦ୍ଧଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା । ଆପଣାର କଥାଟି କହିବାପାଇଁ ବୁଦ୍ଧ ବେଦ, ଭପନିଷଦ, ପୋଥି-ପୁରାଣର ଧାର ଧାରିନଥିଲେ । ଅତ୍ୟନ୍ତ ସରଳ, ନିଷ୍କପଟ ତଥା ନିଷ୍ଠାପର ଭାବରେ ସେ ଏଇକଥା କହିଥିଲେ ଯେ ନିର୍ବାଣ ନିମନ୍ତେ କାମନାର ବିନାଶ ଆବଶ୍ୟକ । କାମନାର ବିନାଶରେ ଦୁଃଖର ବିନାଶ ଏବଂ ଏସବୁ ଅହିଂସା ଦ୍ୱାରାହିଁ ସମ୍ଭବ । ସ୍ୱାଭାବିକ ଯେ ବୌଦ୍ଧ ଧର୍ମରେ ହିନ୍ଦୁଧର୍ମପରି ଜଟିଳତା ନଥିଲା, ଜଟିଳ କର୍ମକାଣ୍ଡ ନଥିଲା କିମ୍ବା ଅସଂଖ୍ୟ ଦେବାଦେବୀ ନଥିଲେ । ଅନ୍ୟ ଅର୍ଥରେ, ହିନ୍ଦୁଧର୍ମର ଜଟିଳତାହିଁ ପରୋକ୍ଷରେ ବୌଦ୍ଧଧର୍ମର ସମୃଦ୍ଧିର ଅନ୍ୟତମ କାରଣ ହୋଇ ରହିଥିଲା । ସାଧାରଣ ଅର୍ଥରେ ବୌଦ୍ଧଧର୍ମରେ ଧର୍ମ କମ୍‌ଥିଲା, ଆଦର୍ଶ ଅଧିକ ଥିଲା ।

 

ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଥିଲା ହିନ୍ଦୁ ଧର୍ମର ପୁନଃପ୍ରତିଷ୍ଠା । ସନାତନ ହିନ୍ଦୁଧର୍ମ ଯେ ସଂକୀର୍ଣ୍ଣ ଭାବରେ, ତୁଛା ଜଟିଳ କର୍ମକାଣ୍ଡର ମାର୍ଗ ନୁହେଁ ବରଂ ବୃହତ୍ତର ଭାବରେ ଏକ ଦର୍ଶନ / ଜୀବନାଦର୍ଶ ଏହାହିଁ ପ୍ରମାଣିତ କରିବାପାଇଁ ଚେଷ୍ଟା କରିଥିଲେ ଶଙ୍କର । ହିନ୍ଦୁ ଧର୍ମ ଅନେକ ଧର୍ମର ଧର୍ମ ଏହାହିଁ ଏକ ଉଦାର ମାର୍ଗ, ଅତଏବ ସନାତନ ହିନ୍ଦୁଧର୍ମ ଈଶ୍ୱରଙ୍କ ଜଟିଳ ପୂଜାପଦ୍ଧତି / ମାଧ୍ୟମରେ ସଂକୀର୍ଣ୍ଣ ନୁହେଁ, ଅହିଂସା ହିନ୍ଦୁଧର୍ମର ଏକ ମୌଳିକ ସ୍ଵରୂପ-ଏକଥା କହିବାପାଇଁ ସେ ଆରମ୍ଭ କରିଥିଲେ । ନିଜ ଯୁକ୍ତିକୁ ଅଧିକ ଭାବଗମ୍ଭୀର କରିବାପାଇଁ ଶଙ୍କର କହୁଥିଲେ, ସନାତନ ହିନ୍ଦୁଧର୍ମର ସୃଷି ସମୟ ଇତିହାସରେ ନିର୍ଦ୍ଦିଷ୍ଟ ଭାବେ ଚିହ୍ନିତ କରିହେବନାହିଁ, ମାତ୍ର ଏହା ସର୍ବ ପୁରାତନ, ଏହାର ନିର୍ଦ୍ଦିଷ୍ଟ କୌଣସି ସ୍ରଷ୍ଟା ନାହାନ୍ତି, ନିର୍ଦ୍ଦିଷ୍ଟ କୌଣସି ସମୟ ଖଣ୍ଡର ବନ୍ଦୀ ହିନ୍ଦୁ ଧର୍ମ ନୁହେଁ, ଏଇ ଧର୍ମ ସର୍ବପ୍ରାଚୀନ ତଥା ସର୍ବୋତ୍‌କୃଷ୍ଟ । ହିନ୍ଦୁ ଧର୍ମରେ ଉପଲବ୍ଧି ଦର୍ଶନ-ବେଦ-ଉପନିଷଦ ଇତ୍ୟାଦି ମଧ୍ୟ ଯଥେଷ୍ଠ ପ୍ରାଚୀନ ମାତ୍ର ସେଇ ପ୍ରାଚୀନତା ଭିତରେ ଲୁଚି ରହିଛି ଜୀବନର ନିର୍ଯ୍ୟାସ । ଆପଣାର ଦର୍ଶନକୁ ପ୍ରତିପାଦିତ କରିବାପାଇଁ ଶଙ୍କର ବ୍ରହ୍ମସୂତ୍ରଃ ଭାଗବତ୍‌ଗୀତର ଏବଂ ପ୍ରମୁଖ ଉପନିଷଦମାନଙ୍କର ଭାଷ୍ୟ / ଟୀକା ପ୍ରସ୍ତୁତ କରିଥଲେ । ତାଙ୍କର ଅନ୍ୟାନ୍ୟ କୃତି ମଧ୍ୟରେ ରହିଛି ଆତ୍ମବୋଧ, ବିବେକ ଚୂଡ଼ାମଣି ଓ ସୌନ୍ଦର୍ଯ୍ୟଭାରତୀ ।

 

ଶଙ୍କରାଚାର୍ଯ୍ୟଙ୍କର ପ୍ରୟାସ ରହିଥିଲା ହିନ୍ଦୁଧର୍ମକୁ ବୌଦ୍ଧଧର୍ମଠାରୁ ସବୁମନ୍ତେ ଅଧିକ ମର୍ଯ୍ୟାଦାବନ୍ତ ପ୍ରମାଣ କରିବାପାଇଁ । ବୌଦ୍ଧଧର୍ମରେ ମୁକ୍ତିପାଇଁ ‘ନିର୍ବାଣ’ ପ୍ରସଂଗ ଅବତାରଣା କରାଯାଇଥିବା ସ୍ଥଳେ ହିନ୍ଦୁ ଧର୍ମରେ ‘ମୋକ୍ଷ’ ଆଲୋଚିତ । ବୁଦ୍ଧ ଈଶ୍ଵରଙ୍କ ସତ୍ତା ସଂପର୍କରେ ନୀରବ ରହିଥିଲେ । ମାତ୍ର ଶଙ୍କରଙ୍କ ‘ଅଦ୍ୱୈତ’ ସୃଷ୍ଟିର ସବୁ ଜୀବଙ୍କୁ ଈଶ୍ଵରଙ୍କୁ ସହିତ ଗୋଟିଏ ସରଳରେଖାରେ ସ୍ଥାପନ କରାଇ ପ୍ରାଣୀ ଓ ଈଶ୍ଵରଙ୍କ ଦ୍ଵୈତ (dual) ସତ୍ତାନାହିଁ ବୋଲି ଯୁକ୍ତି ଦର୍ଶାଇଥିଲା । ଏ ସଂସାରର ସବୁ ପ୍ରାଣୀ ପରମାତ୍ମାଙ୍କ ସହିତ, ସେଇ ଏକା ଭୂମିରେ ତିଷ୍ଠିରହିଛନ୍ତି ଏବଂ ସତ୍ତାଗତ ଭାବରେ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେମାନେ ପରସ୍ପରଠାରୁ ପୃଥକ୍‌ ନୁହନ୍ତି । ପରସ୍ପରଠାରୁ ଭିନ୍ନ ନୁହନ୍ତି । ସଂସାରରେ ଆମକୁ ଦୃଶ୍ୟ ହେଉଥିବା ଭିନ୍ନତା କେବଳ ମାୟାର ହିଁ ପରିପ୍ରକାଶ । ମାୟା ଏକ ପ୍ରହେଳିକାପରି ଆମକୁ ଈଶ୍ଵରଙ୍କଠାରୁ ପୃଥକ୍‌ କରି ରଖିଛି । ପରମ ପୁରୁଷଙ୍କଠାରୁ ଆମର ସଂଯୋଗ ଛିନ୍ନ କରି ରଖିଛି । ଆମକୁ ଏକ ନୁହେଁ, ଏକରେ ଅନେକ ଦର୍ଶନ କରାଉଛି । ଯେଉଁ ମୁହୂର୍ତ୍ତରେ ମାୟା ଅପସରିଯିବ, ସେହି ମୁହୂର୍ତ୍ତରେ ସବୁକିଛି ସ୍ପଷ୍ଟ ହୋଇଯିବ, ଏକ ଅନନ୍ୟ ଅନୁଭୂତି ଆସିବ ଏବଂ ଠିକ୍‌ ସେହି ମୁହୂର୍ତ୍ତରେ ଉପଲବ୍‌ଧି କରିହେବ ପରମାତ୍ମାକୁ, ବ୍ରହ୍ମକୁ ।

 

ଅଦ୍ଵୈତ ବେଦାନ୍ତର ଏକ ପ୍ରମୁଖ ତତ୍ତ୍ୱ ହେଉଛି ମାୟା-ମାୟାର ଭୂମି, ଉପଲବ୍‌ଧି, ମାୟାରୁ ମୁକ୍ତି ଓ ମୋକ୍ଷ ପ୍ରାପ୍ତି । ତେବେ ଶଙ୍କରଙ୍କ ଆଗରୁ ଗୌଡପଦହିଁ ପ୍ରଥମେ ମାୟା ଉପରେ ଆଲୋଚନା କରିଥିଲେ । ଗୌଡ଼ପଦଙ୍କ ପୂର୍ବରୁ ମାୟା ଆମ ସଂସ୍କୃତିରେ ‘ସଂଶୟ’, ‘ମିଥ୍ୟାଜ୍ଞାନ’, ‘ଅଭାବ’, ‘ଅବିଦ୍ୟା’ ଏବଂ ‘ଅଖ୍ୟାତି’ ଭାବେ ବ୍ୟବହୃତ ହୋଇ ଅବିକଳ ‘ମାୟା’ କୁ ବୁଝାଉନଥିଲେ ହେଁ ମାୟାର ଉପାଦାନଗୁଡ଼ିକୁ ବୁଝାଉଥିଲେ । ସ୍ପଷ୍ଟ ଭାବରେ ଗୌଡ଼ପଦ ‘ମାୟା’କୁ ‘ଅବାସ୍ତବ’ ବୋଲି କହିଥି‌ଲେ ଏବଂ ମାୟାହିଁ ‘ଜୀବ’ ‘ବ୍ରହ୍ମ’ (Soul) ଏବଂ ‘ବ୍ରହ୍ମ’ (Absolute Truth) ମଧ୍ୟରେ ଦ୍ଵୈତର (dual) ପ୍ରୀଚୀର ସୃଷ୍ଠି କରୁଛି ବୋଲି କହିଥିଲେ । ଜୀବନକୁ ଏକ ଚାହିଁ ଦେଖୁଥିବା ସ୍ଵପ୍ନ (waking dream) କହି ଗୌଡପଦ କହିଥିଲେ, ମାୟାମାତ୍ରଂ ଇଦମ୍‌ ଦ୍ୱୈତମ୍‌ ଅଦ୍ୱୈତମ୍‌ ପରିମାର୍ଥତଃ, ଅର୍ଥାତ ‘The world of duality is mere maya, the Real being the non-dual.’

 

ଜଗତ୍‌ ମିଥ୍ୟା ଏବଂ ବ୍ରହ୍ମହିଁ ସତ୍ୟ ପରବର୍ତ୍ତୀ ସମୟରେ ଏହାହିଁ କହି ଶଙ୍କରାଚାର୍ଯ୍ୟ ବେଦାନ୍ତ ଦର୍ଶନକୁ ଏକ ନୂତନ ଆଭିମୁଖ୍ୟ ପ୍ରଦାନ କରିଥିଲେ । ବେଦାନ୍ତ ଉପରେ ଅନେକ ଭାଷ୍ୟ-/ ଟୀକା ଉପଲବ୍‌ଧ ଥିଲେ ହେଁ ଏଯାବତ୍‌ ଶଙ୍କରଭାଷ୍ୟ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ ହୋଇରହିଛି-। ଶଙ୍କର ମାୟାକୁ ବ୍ରହ୍ମର ବୀପରିତ (opposite) ଓ ବ୍ରହ୍ମର ଶତ୍ରୁ ବୋଲି ମନେକରୁଥିଲେ । ତେବେ ‘ମାୟା’ ମଧ୍ୟ ସେଇ ବ୍ରହ୍ମଙ୍କର ଏକ ଅଂଶ ବିଶେଷ / ସ୍ୱରୂପ । ବ୍ରହ୍ମଙ୍କର ଉତ୍ପତ୍ତି । ଅଜ୍ଞାନହିଁ ମାୟାର ଜନନୀ ଯିଏ ଅବାସ୍ତବକୁ ବାସ୍ତବ ବୋଲି ଜ୍ଞାନ କରାଏ, ଏକରେ ଅନେକକୁ ପ୍ରକଟ କରିଥାଏ । ଆପଣାର ଅସଂଖ୍ୟ ରୂପରେ, ଅଜସ୍ର ଅବତାରରେ ଜୀବକୁ ଭ୍ରମିତ କରି ରଖିଥାଏ । ତେବେ ମାୟାର ସ୍ଵତନ୍ତ୍ର କୌଣସି ସ୍ଥିତି ନାହିଁ । ଠିକ୍ ଅଗ୍ନିରେ ଉତ୍ତାପର ଅନୁଭବ ପରି ମାୟା ଈଶ୍ୱରଙ୍କର ଏକ ଶକ୍ତି । ଯେମିତି ଯାଦୁକର ନିଜେ ସୃଷ୍ଟି କରିଥିବା ପ୍ରହେଳିକା ଦ୍ଵାରା ପ୍ରଭାବିତ ହୁଏ ନାହିଁ କାରଣ ତାହାର କୌଣସି ବାସ୍ତବତା ନାହିଁ (ଅବାସ୍ତୁ), ଠିକ୍‌ସେମିତି ପରମାତ୍ମା ମଧ୍ୟ ସ୍ଵପ୍ନର ଇନ୍ଦ୍ରଜାଲରେ ଆବଦ୍ଧ ନୁହନ୍ତି, କାରଣ ସେ ନିଦ୍ରାର ଊର୍ଦ୍ଧ୍ୱରେ, ଚେତନ ଓ ଅବଚେତନର ଊର୍ଦ୍ଧ୍ୱରେ । ଶଙ୍କରଙ୍କ ମତରେ ମାୟା ସମୟ ଓ କାଳର ଚକ୍ରରେ ଓ ଅନେକତ୍ତ୍ୱ ଭିତରେ ଏକତ୍ୱ ପ୍ରତିଷ୍ଠା କରିବାପାଇଁ ଏକ ପ୍ରାକୃତିକ ନିୟମ ହୋଇ ମଧ୍ୟ ରହିଛି । ମାୟାକୁ ଚିହ୍ନିବାରେ ହିଁ ମାୟାର ବିନାଶ ଓ ପରମାତ୍ମାଙ୍କ ଅନୁଭବର ଆରମ୍ଭ ।

 

ଶୈବ ଦର୍ଶନରେ ମାୟାର ଭୂମି ଭିନ୍ନ । ବେଦାନ୍ତରେ ମାୟାକୁ ଅବିଦ୍ୟା କୁହଯାଇଥିବା କେବଳ ଶୈବ ଦର୍ଶନରେ ମାୟାକୁ ଶିବ-ଶକ୍ତି ମଧ୍ୟରେ ଏକ ସାମୟିକ ଅସନ୍ତୁଳନ ବୋଲି ଜ୍ଞାନ କରାଯାଇଛି । ଚୈତନ୍ୟ ଉଦୟ ମାତ୍ରକେ ମାୟାର ବାଦଲ ଅପସରିଯାଏ ଏବଂ ବ୍ୟକ୍ତି ଶିବତ୍ଵ ପ୍ରାପ୍ତ ହୁଏ । ପରମାନନ୍ଦ ପ୍ରାପ୍ତିର ଏଇ ମୁହୂର୍ତ୍ତରେ ‘ଭେଦ’ (duality) ଓ ‘ଅଭେଦ’ (non-duality), ‘କୁଳ’ (manifist) ଓ ‘ଅକୁଳ’ (unmanifist) ର ପାର୍ଥକ୍ୟ ଚିରଦିନପାଇଁ ଦୂର ହୋଇଯାଏ । ବେଦାନ୍ତ ଦର୍ଶନରେ ପ୍ରାଣୀର ଆନନ୍ଦ (Bliss) ର କଥା କୁହାଯାଇଛି, ମାତ୍ର ଶୈବବିଶ୍ଵାସ ଅନୁଯାୟୀ ଆଧ୍ୟାମିକ ଉତ୍ତରଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଦ୍ୱୈତ ଦର୍ଶନର ସାରାଂଶ ଏହି ଯେ ମାୟାର ଆବର୍ତ୍ତରୁ ଅର୍ଥାତ ଦ୍ଵୈତ୍ଵର ପ୍ରଭାବରୁ ମୁକ୍ତି ନ ପାଇଲେ ପରମାତ୍ମାଙ୍କ ପ୍ରାପ୍ତି, ମୋକ୍ଷର ପ୍ରାପ୍ତି ଅସମ୍ଭବ ହୋଇ ରହିବ । ଏଣେ ମାୟାରୁ ମୁକ୍ତି ପାଇବା ସହଜ ନୁହେଁ । ଆପଣା ଚାରିପାଖର ବଂଧଗୁଡାକୁ ଭାଂଗି ପକେଇବା, ଆପଣାକୁ ସମସ୍ତଙ୍କ ସହିତ ଯୋଡ଼ି ଦେବା, ବିଶ୍ୱ ସହିତ ଯୋଡିଦେବା, ଅନ୍ତରୀକ୍ଷ ସହିତ ଯୋଡି ଦେବା, ନିଜ ବଗିଚାର ସେଇ ଏକମାତ୍ର ଫୁଲଟିକୁ କେଉଁ ଏକ ଦୂରନ୍ତ ଉପତ୍ୟକାରେ ଅନ୍ୟାନ୍ୟ ଅଗଣିତ ଫୁଲଙ୍କ ସହିତ ଠାବ କରିବା, ମନ୍ଦିରରେ ନୁହେଁ କି ଚର୍ଚ୍ଚରେ ନୁହେଁ ଆପଣା ଭିତରେ ପରମାତ୍ମାଙ୍କୁ ପାଇବା ଏତେ ସହଜ ନୁହେଁ । ଯେତେବେଳେ ଏହି ଅବସ୍ଥା ଆସିଛି, ସେହି ମୁହୂର୍ତ୍ତ ଆସିଛି–ସେତେବେଳେ ମାୟା ଅପସରି ଯାଇଛି, ‘ଦ୍ୱୈତ’ ଅପସରି ଯାଇଛି । ସେହି ସ୍ଥାନ ଯିଏ ପୂରଣ କରିଛି ସେଇଟି ଏକ ଅନନ୍ୟ ଅନୁଭୂତି । ସେହି ଦିବ୍ୟ ମୁହୂର୍ତ୍ତକୁ ପରମାତ୍ମା, ପରମ ପୁରୁଷ, ଈଶ୍ଵର, ପରମାନନ୍ଦ ଯାହା ବି କୁହାଯାଇପାରେ । ଚେତନାର ଉତ୍ତରଣ କ୍ରମରେ ସେହି ଅବସ୍ଥାର ଅନୁଭବ ଯାହା କରାଯାଇପାରିବ–ମାତ୍ର ସେହି ଅବସ୍ଥାକୁ ଶବ୍ଦରେ ଆଦୌ ବର୍ଣ୍ଣନା କରିହେବନାହିଁ । ସଂକ୍ଷେପରେ ତାହାହିଁ ଏକାକାର ହୋଇଯିବାର-ତନ୍ମୟ ହେବାର ବିରଳ ମୁହୂର୍ତ୍ତ ।

 

ଅଦ୍ୱୈତ ବେଦାନ୍ତରେ ଈଶ୍ଵର ସଂସାରର ପ୍ରତିଟି ସୃଷ୍ଟିରେ,ପ୍ରକୃତିରେ ବିଦ୍ୟମାନ । ତୁଳନାତ୍ମକ ଭାବେ ଏହା ସାଂଖ୍ୟ ଦର୍ଶନଠାରୁ ଭିନ୍ନ । ସାଂଖ୍ୟ ମତବାଦ ଅନୁଯାୟୀ ‘ବୁଦ୍ଧ’ (intellect) ହେଉଛି ‘ମହତ୍‌’ (cosmic mind) ର ପରିସ୍ଫଟନ । ‘ମହତ୍ଵ’ ଆପଣାକୁ ଉଚ୍ଚତର ଚେତନାରେ ପରିବର୍ତ୍ତିତ କରେ ଯାହାର ପରିବର୍ତ୍ତିତ ସତ୍ତା କେତେକାଂଶରେ ଇନ୍ଦ୍ରିୟ ହୋଇ ରହିନ୍ତି ଏବଂ ଆଉ କେତେକାଂଶରେ ମହାକାଶରେ ମିଳେଇଯାଏ । ଏହି ସମସ୍ତ ଉପାଦାନରୁ ବିଶ୍ଵର ଉତ୍ପତ୍ତି ସମ୍ଭବ ହୋଇଛି । ଏପରିକି ‘ମହତ୍‌’ର ବାହାରେ ମଧ୍ୟ ସାଂଖ୍ୟ ଦର୍ଶନ ଏପରି ଏକ ସୁକ୍ଷ୍ମ ସ୍ତରର କଥା କହିଛି ଯାହାକୁ ‘ଅବ୍ୟକ୍ତ’ (unmanifested) ବୋଲି କୁହାଯାଇଛି । ସେହି ବିଚିତ୍ର ବୃତ୍ତରେ ମନ ମଧ୍ୟ ଅବ୍ୟକ୍ତ, ମାତ୍ର କାରଣ ସବୁ ବିଦ୍ୟମାନ । ଏହାକୁ ‘ପ୍ରକୃତି’ ମଧ୍ୟ କୁହାଯାଇଛି । ପ୍ରକୃତିଠାରୁ ଶାଶ୍ୱତ ଭାବେ ପୃଥକ୍‌ହୋଇ ରହିଛନ୍ତି ‘ପୁରୁଷ’ ଯିଏ ସାଂଖ୍ୟ ଦର୍ଶନରେ ‘ଆତ୍ମା’ (soul) । ସାଂଖ୍ୟ ‘ପୁରୁଷ’ ‘ନିର୍ଗୁଣ’ ଏବଂ ସର୍ବତ୍ର ବିଦ୍ୟମାନ । ସେ କର୍ତ୍ତା ନୁହନ୍ତି ଅଥଚ ସବୁ କର୍ମର ସାକ୍ଷୀ । ସାଂଖ୍ୟ ଦର୍ଶନରେ ‘ପ୍ରକୃତି’ ‘ପୁରୁଷ’ଙ୍କ ଠାରୁ ଭିନ୍ନ ହୋଇ ରହିଥିବା ସ୍ଥଳେ ଅଦ୍ୱୈତ ବେଦାନ୍ତରେ ପ୍ରକୃତିଠାରୁ ଆତ୍ମା ପୃଥକ୍‌ନୁହେଁ । ବରଂ ସେହି ପୁରୁଷହିଁ ‘ସତ୍’ ଯିଏକି ମଣିଷ, ‘ଆତ୍ମା’ ତଥା ‘ପ୍ରକୃତି’ ହୋଇ ରହିଛନ୍ତି । ଏ ସବୁଠି ସେ ବ୍ୟକ୍ତ (manifested) । ‘ମନ’ ଏବଂ ‘ମହତ୍‌’ ସେହି ସତ୍‌ଙ୍କ ପରିପ୍ରକାଶ ।

 

ତେବେ ଅଦ୍ୱୈତର ଏହି ଦୃଷ୍ଟିଭଙ୍ଗୀର ସମାଲୋଚନା ହେଉଛି ଯେ ଯଦି ‘ସତ୍’ ହିଁ ସୃଷି ଏବଂ ‘ସତ୍’ (absolute) ଅପରିବର୍ତ୍ତନୀୟ ତେବେ ସୃଷ୍ଟି କେମିତି ସମ୍ଭବ ହୋଇପାରିଛି ? ସୃଷ୍ଟିର ପ୍ରତିଟି ଉପାଦାନରେ ‘ସତ୍’ କେମିତି ବିରାଜିଛନ୍ତି ? ଏହାର ଉତ୍ତରରେ ଅଦ୍ୱୈତବାଦୀମାନେ ସାପ ଓ ଭ୍ରମ ସୃଷ୍ଟି କରୁଥିବା ଦଉଡ଼ିର ଉଦାହରଣ ଦେଇଥାନ୍ତି । ଅନ୍ଧାରରେ ଦଉଡ଼ିଟିଏ ପଥିକ ନିମନ୍ତେ ସାପର ଭ୍ରମ ସୃଷ୍ଟି କରିପାରେ ଯଦିଓ ଦଉଡିଟି ସାପରେ ପରିବର୍ତ୍ତିତ ହୁଏନାହିଁ । ପୁଣି ଯେଉଁ ମୁହୂର୍ତ୍ତରେ ଏକଥା ସ୍ପଷ୍ଟ ତୁଏଯେ ସେଇଟି ଏକ ଦଉଡି, ଆଦୌ ସାପ ନୁହେଁ, ସେହି ମୁହୂର୍ତ୍ତରେ ସାପ ଅପସରିଯାଏ । ଅସଲରେ ଦଉଡ଼ିଟି ଅପରିବର୍ତ୍ତିତ ହିଁ ରହିଥାଏ । ସେହିପରି ଆମ ଚାରିପାଖରେ ଆମେ ଦେଖୁଥିବା ପରିବର୍ତ୍ତନ କେବଳ ‘ଦେଶ’, ‘କାଳ’ ‘ନିମିତ୍ତ’ରେ ନିୟମରେ ବନ୍ଧା (space, time and causation) । ‘ନାମ’ ଓ ‘ରୂପ’ (name and from) ର ନିୟମର ଅଧିକ । କେବଳ ନାମ ଓ ରୂପରେ ଜଣେ ଆଉ ଜଣଙ୍କଠାରୁ, ପରସ୍ପର ପରସ୍ପରଠାରୁ ପ୍ରତ୍ୟୟ ହୁଅନ୍ତି ଯଦିଓ ବାସ୍ତବରେ ସେପରି ଘଟେ ନାହିଁ । ଏ ସଂସାରରେ ପ୍ରକୃତରେ କିଛି କେବେ ବଦଳେ ନାହିଁ । ଯାହାକୁ ଆମେ ପରିବର୍ତ୍ତନ ବୋଲି ଗ୍ରହଣ କରୁଛେଁ ସେସବୁକୁ ଅତିବେଶୀରେ ଏକ ଆପାତଃ ପରିବର୍ତ୍ତନ ହୁଏତ କୁହାଯାଇପାରେ କାରଣ ସଂସାରରେ ଘଟଣା ବା ଘଟଣାହୀନତା କିଛି ମଧ୍ୟ ନାହିଁ । ‘ଏହି ଅଧା ଆଲୁଅ, ଅଧା ଅନ୍ଧାର, ଗୋଧୂଳିର ଆକାଶ, ଈଶ୍ଵରଙ୍କଠାରୁ ମଣଷକୁ ଦୂରେଇ ରଖିବାପାଇଁ ହିଁ ଅଜ୍ଞାନର ଏକ ବ୍ୟବସ୍ଥା’ । ଯେଉଁ ମୁହୂର୍ତ୍ତରେ ଈଶ୍ଵର ଥା’ନ୍ତି ସେତେବେଳେ କେବଳ ଈଶ୍ୱର ହିଁ ଥା’ନ୍ତି, ଆଉ କିଛି ନଥାଏ, ପ୍ରକୃତି, ବିଶ୍ଵ କିଛି ନଥାଏ । କେବଳ ପରମାତ୍ମାହିଁ ସତ୍ୟ । ଗୋଟିଏ ସତ୍ତାହିଁ ସତ୍ୟ । ମଣିଷ ଦେହରେ ପୃଥକ୍‌ଆତ୍ମା, ଏସବୁ ମାୟାର ହିଁ ସୃଷ୍ଟି । ଯଦି ସ୍ଥିତି ଏକ ଏବଂ ପରମାତ୍ମା ଅବିଭକ୍ତ ତେବେ ଆତ୍ମା କେମିତି ସମ୍ଭବ ? ମୁଁ, ତୁମେ ,ସେ ଏତେ ଭିନ୍ନ ସତ୍ତା କେମିତି ଏକାବେଳକେ ସମ୍ଭବ ? ଅସଲରେ ସମସ୍ତେ ଏକ ଏବଂ ଏକକୁ ଅନେକ ଭାବରେ ଦର୍ଶନ କରିବାରେହିଁ ଦ୍ଵୈତର ଆବିର୍ଭାବ ମାୟାର ପ୍ରବେଶ । ଯେଉଁ ପର୍ଯ୍ୟନ୍ତ ଜଣେ ଅନ୍ୟଜଣକୁ ଦେଖୁଛି, ଜଣେ ଅନ୍ୟଜଣକୁ ଶୁଣୁଛି ସେପଯ୍ୟନ୍ତ ସେ ଦ୍ଵୈତର ଜଗତରେ ଅଛି । ଯେତେବେଳେ ସେ ଆଉ କାହାକୁ ଦେଖିପାରୁନାହିଁ, ଆଉ କାହାକୁ ଶୁଣି ପାରୁନାହିଁ, କେବଳ ନିଜକୁ ଦେଖୁଛି, ନିଜକୁ ଶୁଣୁଛି, ସେ ପରମାତ୍ମାକୁ ଅନୁଭବ କରୁଛି । ମୋକ୍ଷ ତାକୁହିଁ ଅପେକ୍ଷା କରିଛି ।

 

ଅଦ୍ଵୈତ ଦର୍ଶନରେ ଜଗତର ସମସ୍ତ ସଜୀବ ଦେହରେ ସେହି ପରମାତ୍ମା ହିଁ ବିରାଜିଛନ୍ତି; ପୁଣି ଅପେକ୍ଷାକୃତ ଏକ କ୍ଷୁଦ୍ର ସଜୀବ ଦେହରେ ତାଙ୍କ ଉପସ୍ଥିତି ବାରି ହେଉନାହିଁ-କାରଣ ସେଠି ମାୟାର ଚାତୁରୀ ଅଧିକ। ବୃହତ୍ତର ଦେହରେ ସେ ଅଧିକ ସ୍ପଷ୍ଟ ହୋଇ ପ୍ରକଟ-ସେଠି ମାୟାର ଆସ୍ତରଣ ଝାପ୍‌ସା । ଯେହେତୁ ସେହି ସତ୍ତା ସମସ୍ତଙ୍କ ଦେହରେ ଏକାପରି, ତେଣୁ ଜଣେ ଆଉଜଣଙ୍କୁ, ଗୋଟିଏ ପ୍ରାଣୀ ଆଉଗୋଟିଏ ପ୍ରାଣୀକୁ, ଏପରିକି ଇତର ପ୍ରାଣୀକୁ କରୁଣାର ଆଖିରେ ଦେଖିବ; ସେ ନିଜପରି ଅନ୍ୟ ସମସ୍ତଙ୍କୁ ଭଲ ପାଇବ କାରଣ ଅନ୍ୟାମାନେ ତା’ ନିଜଠାରୁ ଭିନ୍ନ ନୁହନ୍ତି । ସେ କାହା ପ୍ରତି ଅନ୍ୟାୟ କରିବ ନାହିଁ, ହିଂସା କରିବ ନାହିଁ କାରଣ ସେପରି କଲେ ସେ ନିଜ ପ୍ରତି ସେମିତି କରିବ । ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗାକରି ଦେଖିଲେ ହିଁ ମଣିଷ ଦୁଃଖୀ ହେବ । ସେତେବେଳେ ସେ ବିଭକ୍ତ ହୋଇ ସାରିଥିବ । ତା’କୁ ଅଳ୍ପକିଛି ଲୋକଙ୍କର ‘ସତ୍ୟ’ କେବଳ ‘ସତ୍ୟ’ ବୋଲି ପ୍ରତିଭାତ ହେଉଥିବ ଏବଂ ସେହି କିଛି ଲୋକଙ୍କ ସତ୍ୟ ତୁଳନାରେ ସେ ନିଜକୁ ଦୁଃଖୀ ମଣୁଥିବ । ଅଥଚ, ତା’ଠାରୁ ଅନେକ ଦୁଃଖୀ ଲୋକଙ୍କ ଅସ୍ତିତ୍ୱକୁ ସେ ସ୍ଵୀକାର କରି ପାରୁନଥିବ । ଅସୂୟା (ହୁଏତ ହିଂସା) ତତ୍‌କ୍ଷଣାତ୍ ତାର ମିତ୍ର ପାଲଟିଯିବ ଏବଂ ସେ କକ୍ଷଚ୍ୟୁତ ହୋଇ ରହିବ । କିନ୍ତୁ ଯେତେବେଳେ ତା’ଠୁ ଇତର ପ୍ରାଣୀର ଦୁଃଖ ସହିନପାରି ମଣିଷ ଜୀବନ ଦେବାପାଇଁ ପଛେଇବ ନାହିଁ ସେତେବେଳେ ଅଜ୍ଞାନର ଅନ୍ଧକାର ଅପସରି ଯାଇଥିବ । ସେତେବେଳେ ହିଁ ଅସଲ ଆତ୍ମ-ଉପଲବ୍‌ଧି ଆସିବ, ଯାହା ପରମାତ୍ମାଙ୍କୁ ଆତ୍ମା ଭିତରେ ଠାବ କରାଇବ । ଘଟଣାକ୍ରମର ଏହି ଜଗତ ସେତେବେଳେ ଆଉ ଦୃଶ୍ୟ ହେବନାହିଁ । ବେଦାନ୍ତରେ ‘ଜୀବନମୁକ୍ତି’ (living freedom)ର କଥା କୁହାଯାଇଛି, ଯାହାର ଅର୍ଥ ହେଉଛି ଥରେ ଅଜ୍ଞାନର ଏହି ଅନ୍ଧାର ଦୂରେଇ ଯିବାପରେ, ଅର୍ଥାତ୍ ଉଇରଣ (transcendence) ସମ୍ଭବ ହେବାପରେ ପୁନଶ୍ଚ ଅବତରଣ ଘଟିବ ନାହିଁ । ହୁଏତ ସେହି ଅନ୍ଧାର ଆଉଥରେ ଆସିପାରେ ମାତ୍ର ସେ ଆଉ କୌଣସି ପ୍ରକାରର ଭ୍ରମସୃଷ୍ଟି କରିପାରିବ ନାହିଁ । ସ୍ଵକୀୟ ଜୀବନର ବୂତ୍ତ ଭିତରେ ମୁକ୍ତିର ଦ୍ଵୀପଟିଏ ଅନିର୍ବାପିତ ହୋଇ ରହିଥିବ । ନିରନ୍ତର ଜଳୁଥତବ ।

 

ଏବେ ଦ୍ଵୈତ (dualism) କୁ ଆସିବା । ବେଦାନ୍ତ ଦର୍ଶନରେ ଦ୍ଵୈତ ମଧ୍ୟ ଉପସ୍ଥିତ । ଦ୍ଵୈତ ଦର୍ଶନ ଅନୁଯାୟୀ ମଣିଷ ଏବଂ ଈଶ୍ଵର ଦୁଇଟି ଭିନ୍ନ ବୃତ୍ତି ଉପରେ ବିଦ୍ୟମାନ । ଯଦିଓ ଉଭୟଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସଂପର୍କ ରହିଛି ତଥାପି ସତ୍ତା ଭାବରେ ଉଭୟ ପୃଥକ୍ । ମଣିଷ ଏକ ଅପେକ୍ଷାକୃତ ନିମ୍ନବୃତ୍ତର ସତ୍ତା ଯାହା ଜୀବନ-ମୃତ୍ୟୁ-ପୁର୍ନଜନ୍ମ ଭିତରେ ଆବଦ୍ଧ । ସେଇଟି ଏକ ବିଷ ବୃତ୍ତ । ତାହାହିଁ କର୍ମର ନିୟମ (theory of karma) । ଅନ୍ୟପକ୍ଷରେ ଈଶ୍ୱର ବା ପରମାତ୍ମା ସେହି ନିୟମର ବାହାରେ । ଈଶ୍ୱରୀୟ ସତ୍ତାକୁ ମୃତ୍ୟୁ ଅଥବା ପୁର୍ନଜନ୍ମ ସ୍ପର୍ଶ କରିପାରେ ନାହିଁ । ତାଙ୍କର ଆରମ୍ଭ ନାହିଁ । ତାଙ୍କର ଶେଷ ମଧ୍ୟ ନାହିଁ । କାଳଚକ୍ରର ଆବର୍ତ୍ତ ବାହାରେ ସେ ବିଦ୍ୟମାନ-ମହାକାଳ । ଦ୍ୱୈତରେ ସେହି ଅସୀମ, ଚିରନ୍ତନ ସତ୍ତାକୁ ‘ପରମାତ୍ମା’ ଓ ସଜୀବର ସୀମିତ ସତ୍ତାକୁ ‘ଜୀବାତ୍ମା’ ବୋଲି କୁହାଯାଇଛି । ଏକଥା ମଧ୍ୟ କୁହାଯାଇଛି ଯେ ଜୀବାତ୍ମା ପରମାତ୍ମାକୁ ଲାଭ କରିପାରେ । ଜୀବାତ୍ମାର ମୁକ୍ତି ନିମନ୍ତେ ପରମାତ୍ମା ଅନୁପ୍ରେରଣା ହୋଇ ଉପସ୍ଥିତ; ମାର୍ଗ ଦର୍ଶକ ଭାବରେ ଉପସ୍ଥିତ ।

 

ଦ୍ଵୈତ ଦର୍ଶନକୁ ଯଥାର୍ଥ ଆଧାରଟିଏ ଯୋଗାଇ ଦେଇଥିଲେ ମାଧବାଚାର୍ଯ୍ୟ । ତାଙ୍କ ମତରେ ପରମାତ୍ମା ଏକ ସ୍ଵତନ୍ତ୍ର ନିୟମର ପରିସରଭୁକ୍ତ ଏବଂ ସେ ମୁକ୍ତ ପୁରୁଷ । ସେ ହିଁ କେବଳ ସର୍ବଶକ୍ତିମାନ । ତାଙ୍କ ଭିନ୍ନ ଅନ୍ୟ ସମସ୍ତେ ନିର୍ଭରଶୀଳ-ପରମାତ୍ମାଙ୍କ ଉପରେ ନିର୍ଭରଶୀଳ । ମାଧବାଚାର୍ଯ୍ୟ ଆହୁରି ମଧ୍ୟ କହିଥିଲେ ଯେ ଈଶ୍ୱରଙ୍କ ଭିନ୍ନ ଅନ୍ୟ ସମସ୍ତେ ମୋହାବିଷ୍ଟ, ଏକ ବନ୍ଧନ ମଧ୍ୟରେ ଆବଦ୍ଧ, ଯେଉଁ ବନ୍ଧନ ସେମାନଙ୍କୁ ପରମାତ୍ମାଙ୍କ ଅନୁଭବରୁ, ଆପଣାକୁ ଚିହ୍ନିବାରୁ ନିବୃତ୍ତ ରଖୁଛି । ଆପଣାକୁ ଆବିଷ୍କାର ନ କରିପାରିବା ତଥା ପରମାତ୍ମାଙ୍କୁ ଉପଲବ୍ଧି ନକରିପାରିବାର ଅଜ୍ଞାନ ମଣିଷକୁ ସ୍ୱାର୍ଥପର ତଥା ହିଂସ୍ରକରି ପ୍ରସ୍ତୁତ କରିଛି । ଅସଲ ଉପଲବ୍ଧିର ଅନୁପସ୍ଥିତିରେ ସେ ଯାହାକୁ ଅନ୍ଧଭାବେ ଆପଣେଇ ନେଉଛି ସେ ହେଉଛି ତାହାର ଦେହ ତଥା ଦୈହିକ ସ୍ଥିତିକୁ ନେଇ ସକଳ କାମନା । ତେବେ ଉଭୟ ଦ୍ଵୈତ ଏବଂ ଅଦ୍ଵୈତ ଦର୍ଶନରେ ଈଶ୍ଵରଙ୍କ ସତ୍ତା (ପରମାତ୍ମା) ବେଶ୍‌ସ୍ପଷ୍ଟ ଯାହା ବୌଦ୍ଧ ଅଥବା ଜୈନ ଧର୍ମରେ ନାହିଁ । ଗୌତମ ଏବଂ ମହାବୀର ପ୍ରାଣୀର / ମଣିଷର ସ୍ଥିତିକୁ ସତ୍ୟ ସ୍ଵରୂପରେ ସ୍ଵୀକାର କରିଛନ୍ତି ଏବଂ ଉଭୟ ଧର୍ମରେ ଏକଥା କୁହାଯାଇଛି ଯେ ଯେଉଁ ପର୍ଯ୍ୟନ୍ତ ମଣିଷ କାମନା, ବାସନାର ବଶବର୍ତ୍ତୀ ହୋଇ ରହିଥିବ, ପ୍ରହେଳିକାମୟ ସଂସାରର ମୋହରେ ବାନ୍ଧି ହୋଇ ରହିଥିବ, ସେହି ସମୟ ଯାଏ ଦୁଃଖ, ଯନ୍ତଣା ଲାଗି ରହିଥିବ, ଅର୍ଥାତ୍ ନିର୍ବାଣ (ବୌଦ୍ଧ ବିଶ୍ୱାସରେ) ଦୂରନ୍ତ ହୋଇ ରହିଥିବ । ପରୋକ୍ଷରେ ଗୌତମ ଏବଂ ମହାବୀର unmanifest reality କଥା କହିଥିଲେ ହେଁ ସେମାନେ ଏହି ସତ୍ତାକୁ ସିଧାସଳଖ ଈଶ୍ଵରଙ୍କୁ ବୋଲି କହି ନାହାନ୍ତି । ଆମ ଇତିହାସ,ସଂସ୍କୃତିର ଏହି ସମୟ ଖଣ୍ଡରେ ଈଶ୍ଵରଙ୍କୁ ପ୍ରଶ୍ନ ପଚାରିବା ପ୍ରକାରାନ୍ତରେ ଆରମ୍ଭ ହୋଇ ଯାଇଥିଲା । ଆଗ୍‌ନୋଷ୍ଟିଜ୍‌ମ୍‌ର କଥା ଉଠିଥିଲା । ଶଙ୍କର ଉଭୟ ବୌଦ୍ଧ ଏବଂ ଜୈନ ମତବାଦର ଏହି ଦିଗକୁ,ଏହି ଆଭିମୁଖ୍ୟକୁ-ଈଶ୍ଵରଙ୍କ ଅନୁପସ୍ଥିତିକୁ ତୃଟିପୂର୍ଣ୍ଣ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରିଥିଲେ । ସନାତନ ହିନ୍ଦୁଧର୍ମର ପ୍ରତିଷ୍ଠା ସହିତ ସେ ଈଶ୍ୱରଙ୍କ ପ୍ରତିଷ୍ଠା ମଧ୍ୟ ଚାହିଁଥିଲେ । ତାଙ୍କ ସମୟରେ ହିନ୍ଦୁ ଦେବାଦେବୀଙ୍କୁ କୁଆଡ଼େ ବା’ସ୍ତରୀ ପ୍ରକାରରେ ପୂଜା କରାଯାଉଥିଲା । ସେସବୁକୁ ଶଙ୍କର ଯଥାସମ୍ଭବ ସଂକ୍ଷିପ୍ତ କରିଥିଲେ ଏବଂ ନିମ୍ନୋକ୍ତ ଛଅ ପ୍ରକାର (ଛଅ ସମ୍ପ୍ରଦାୟ) ଆରମ୍ଭ କରିଥିଲେ ।

 

୧.

ଗାଣମପତ୍ୟମ୍‌ (ଗଣେଶଙ୍କ ପୂକା)

୨.

କୌମାରମ୍‌ (କାର୍ତ୍ତିକେୟଙ୍କ ପୂଜା)

୩.

ସୌରମ୍‌ (ସୂର୍ଯ୍ୟଙ୍କ ପୂଜା)

୪.

ଶୈବମ୍‌ (ଶିବଙ୍କ ପୂଜା)

୫.

ବୈଷ୍ଣବମ୍‌ (ବିଷ୍ଣୁଙ୍କ ପୂଜା)

୬.

ଶାକ୍ତଂ (ଶକ୍ତିଙ୍କ ପୂଜା)

 

ଏଥିନିମନ୍ତେ ଶଙ୍କରଙ୍କୁ ଷଣ୍ମଠ (sanmatha) ସ୍ଥାପନାଚାର୍ଯ୍ୟ ମଧ୍ୟ କୁହାଯାଏ ।

 

ମନୁଷ୍ୟ ହୃଦୟରେ ଗୋଟିଏ ନୁହେଁ ଦୁଇଟି ଆତ୍ମା ବାସ କରନ୍ତି ବୋଲି କୁହାଯାଇଛି । ଏହି କଥାକୁ ଟିକିଏ ସ୍ପଷ୍ଟଭାବେ ବୁଝିବାପାଇଁ ଆମକୁ ସଂକ୍ଷେପରେ ଉପନିଷଦ, ଗୀତା ଏବଂ ବ୍ରହ୍ମସୂତ୍ରର ଆଲୋଚନା କରିବାପାଇଁ ହେବ ଯାହାକୁ ‘ପ୍ରସ୍ଥାନତ୍ରୟ’ (spiritual trinity) କୁହାଯାଏ । ତେବେ ଏକଥା ସତଯେ ଶାସ୍ତ୍ରମାନଙ୍କ ମଧ୍ୟରେ ଭଗବତ୍‌ଗୀତାକୁ ସର୍ବାଧିକ ମାନ୍ୟତା ମିଳିଛି ଏକାଧାରରେ ଗୀତାକୁ ବ୍ରହ୍ମ ବିଦ୍ୟା, ଉପନିଷଦ ଏବଂ ଯୋଗଶାସ୍ତ୍ର ବୋଲି କୁହାଯାଇଛି । ଗୀତାକୁ ସଂସାରର ସବୁଠୁ ବଳିଷ୍ଠ ଦର୍ଶନ ମଧ୍ୟ କୁହାଯାଇଛି । ଭଗବତ୍ ଗୀତା ମଣିଷ ଦେହରେ ଦୁଇଟି ପୃଥକ୍‌ସତ୍ତାର କଥା ମଧ୍ୟ କହିଛି । କଥୋପନିଷଦରେ ଅଛି, ଦୁଇଟି ସତ୍ତା ଆମ ଭିତରେ କର୍ମର ଫଳ ଭୋଗ କରନ୍ତି । ସେମାନେ ଛାୟା ଓ ଆଲୋକ । ଶଙ୍କର କହିଛନ୍ତି ଏଇ ଦୁଇଟି ସତ୍ତାମଧ୍ୟରୁ ଜଣେ କର୍ମର ଫଳ ଭୋଗକରେ ଏବଂ ସମୟ କ୍ରମରେ ତା’ର ଘଟ ପରିବର୍ତ୍ତନ ମଧ୍ୟ ହୋଇଥାଏ । କିନ୍ତୁ ଆର ସତ୍ତାଟି ସେମିତି ଥାଏ । ତାଙ୍କ ମତରେ ବ୍ରହ୍ମର ମଧ୍ୟ ଦୁଇଟି ସୋପାନ ଅଛି, ଉଚ୍ଚ ଓ ନୀଚ୍ଚ । ଦୁଇଟି ମାର୍ଗ ଅଛି, ପ୍ରଥମଟି ସାଧାରଣ ମାର୍ଗ, କାର୍ଯ୍ୟକାରଣର ମାର୍ଗ-ଜନ୍ମ-ମୃତ୍ୟୁ-ପୁର୍ନଜନ୍ମର ମାର୍ଗ, ଦ୍ୱିତୀୟଟି ଜ୍ଞାନ ତଥା ମୁକ୍ତିର ମାର୍ଗ ।

 

ମୁଣ୍ଡକ ଉପନିଷଦର ତୃତୀୟ ମୁଣ୍ଡକ ପ୍ରଥମ ଖଣ୍ଡରେ ଏକ ଚମତ୍କାର କଥା କୁହାଯାଇଛି-

 

‘ଦ୍ଵା ସୁପର୍ଣ୍ଣା ସଯଜା ସଖାୟା

ସମାନଂ ବୃକ୍ଷଂ ପରିଷସ୍ଵଜାତେ

ତୟୋରନ୍ୟଃ ପିପ୍‌ପଳଂ ସ୍ଵାଦ୍ଵତ୍ତ୍ୟ

ନଶ୍ଵନ୍ନନ୍ୟୋ ଅଭିଚାକଶୀତି’

 

ଏହି ମନ୍ତ୍ରରେ ଶରୀରକୁ ଏକ ପିପ୍ପଳ ବୃକ୍ଷ, ଜୀବାତ୍ମା ଏବଂ ପରମାତ୍ମାଙ୍କୁ ଦୁଇଟି ପକ୍ଷୀ ରୂପରେ ଅବତାରଣା କର।ଯାଇଛି । ‘ଏହି ପ୍ରକାରର ବର୍ଣ୍ଣନା କଥୋପନିଷଦରେ ମଧ୍ୟ ଗୁହାରେ ପ୍ରବିଷ୍ଟା ଛାୟା ଖରାତେଜ ନାମରେ ଅଛି । ଉଭୟ ସ୍ଥାନରେ ଭାବ ପ୍ରାୟ ସମାନ । ମନ୍ତ୍ରର ସାରାଂଶ ହେଉଛି, ଏହି ମନୁଷ୍ୟ ଶରୀର ଏକ ବୃକ୍ଷ ତୁଲ୍ୟ ଅଟେ । ପରମାତ୍ମା ଏବଂ ଜୀବାତ୍ମା ଏହି ଶରୀରରୂପୀ ବୃକ୍ଷରେ ସାଥୀ ହୋଇ ମନୁଷ୍ୟର ହୃଦୟ ଗୁମ୍ଫାରେ ଦୁଇଟି ପକ୍ଷୀ ସଦୃଶ ବସିଛନ୍ତି । ଏଇ ଦୁଇପକ୍ଷୀଙ୍କ ମଧ୍ୟରୁ ଗୋଟିଏ ପକ୍ଷୀ ବୃକ୍ଷର ସୁସ୍ଵାଦୁ ଫଳ ଖାଉଅଛି ଏବଂ ଅନ୍ୟ ପକ୍ଷୀଟି କିଛି ନଖାଇ କେବଳ ଦେଖୁଅଛି । ଅର୍ଥାତ ଜୀବାତ୍ମାରୂପୀ ପକ୍ଷୀଟି ନିଜର ଆସକ୍ତି ଯୋଗୁଁ ସାଂସାରିକ ସୁଖଭୋଗରେ ଲିପ୍ତ ରହି କର୍ମଫଳ ରୂପେ ସୁଖଦୁଃଖ ଭୋଗ କରୁଅଛି, ମାତ୍ର ପରମାତ୍ମା ରୂପୀ ପକ୍ଷୀ ସାଂସାରିକ ସୁଖ ଭୋଗ ଆଦି ସହିତ କୌଣସି ସଂପର୍କ ନରଖି ନିର୍ଲିପ୍ତ ହୋଇ ରହିଛନ୍ତି ଓ ଦୁଃଖସୁଖ ରୂପୀ ଫଳ ତାଙ୍କର କିଛି ନାହିଁ । ସେ ସଚ୍ଚିଦାନନ୍ଦ ରୂପେ ରହିଛନ୍ତି ।’ (ମୁଣ୍ଡ କୋପନିଷଦ୍‌-/ ଭାଷାନୁବାଦ : ମଧୁସୂଦନ ମହାନ୍ତି) ସେ ପରମତୃପ୍ତ

 

ହୋଇ ରହିଛନ୍ତି । ପରମାତ୍ମା ଜୀବାତ୍ମାର ସାକ୍ଷୀ ହୋଇ ରହିଛି । ଉଭୟ ଏକ ପରିଧିରେ ତିଷ୍ଠି ରହିଛନ୍ତି ମାତ୍ର ପୃଥକ୍‌ସତ୍ତା ଭାବେ ରହିଛନ୍ତି । ଉଗବତ୍‌ଗୀତାରେ ତ୍ରୟୋଦଶ ଅଧ୍ୟାୟ ‘କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗଯୋଗଃ’ର ପ୍ରଥମ ଏବଂ ଦ୍ୱିତୀୟ ଶ୍ଲୋକ ଏହିପରି–

 

ପ୍ରକୃତିଂ ପୁରୁଷଂ ଚୈବ କ୍ଷେତ୍ରଂ କ୍ଷେତ୍ରଞ୍ଚମେବଚ

ଏତଦ୍‌ବେଦିତୁମିଚ୍ଛାମି ଜ୍ଞାନଂ ଜ୍ଞେୟଂ ଚ କେଶବ ॥

ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟରିଧୀୟତେ

ଏତଦ୍ୟୋ ବେରି ତଂ ପ୍ରାଦୁଃ କ୍ଷେତ୍ରଜ୍ଞ ଇତି ତଦ୍‌ବିଦଃ ॥

 

ଅର୍ଥାତ, ‘ମୁଁ ପ୍ରକୃତି ଓ ପୁରୁଷ ବିଷୟରେ, କ୍ଷେତ୍ର ଓ କ୍ଷେତ୍ରଙ୍କର ବିଷୟରେ ତଥ୍ୟ ଜ୍ଞାନ ଓ ଜ୍ଞେୟ ବିଷୟରେ ଜାଣିବାପାଇଁ ଚାହୁଁଛି । ଅର୍ଥାତ୍ ପ୍ରକୃତି ଦିଗୁଣରୁ ଜାତ । ଜୀବର ଭୋଗ ଓ ଅପବର୍ଗ, ଏହି ଦୁଇ ଆବଶ୍ୟକତାର ପୂରଣ ନିମନ୍ତେ ପ୍ରକୃତି ନିଜକୁ ଦେହ, ଇନ୍ଦ୍ରିୟ ତଥା ଇନ୍ଦିୟାଗ୍ରାହ୍ୟ ବିଷୟରେ ରୂପାନ୍ତରିତ କରିଥାଏ ।”

 

ଏଠାରେ ପ୍ରଦତ୍ତ ଦ୍ୱିତୀୟ ଶ୍ଲୋକର ଅର୍ଥ ହେଉଛି ଏହିପରି ‘ଶରୀରକୁ କ୍ଷେତ୍ର ବୋଲି କୁହାଯାଏ । ଯେ କ୍ଷେତ୍ରକୁ ଜାଣନ୍ତି ବିବେକୀମାନେ ତାଙ୍କୁ କ୍ଷେତ୍ରଜ୍ଞ ବୋଲି କହନ୍ତି । ଜମିରୁ ଯେପରି ଶସ୍ୟ ଲାଭ କରାଯାଏ, ସେହିପରି ଏହି ଶରୀରରୁହିଁ କୃତକର୍ମର ଫଳ ଲାଭ କରାଯାଏ ବୋଲି ଶରୀରକୁ କ୍ଷେତ୍ର କୁହାଯାଏ । ସ୍ଥୁଳ ଶରୀର, ମନ ଶରୀର ଓ କାରଣ ଶରୀର-ଏହି ତିନି ଶରୀରର ସମନ୍ୱୟରେ ଏହି କ୍ଷେତ୍ର ପ୍ରସ୍ତୁତ ହୋଇଛି । କ୍ଷେତ୍ର କହିଲେ କେବଳ ଏହି ସ୍ଥୁଳ ଶରୀର ନୁହେଁ । ଯେ ଏହି କ୍ଷେତ୍ରକୁ ଜାଣନ୍ତି ଏବଂ ଜ୍ଞାନ ବଳରେ ଏହି କ୍ଷେତ୍ରକୁ ନିଜଠାରୁ ସଂପୂର୍ଣ୍ଣ ଓ ସ୍ପଷ୍ଟତଃ ଭିନ୍ନ ବୋଲି ଦର୍ଶନ କରନ୍ତି, ତାଙ୍କୁ କ୍ଷେତ୍ରଜ୍ଞ ଅର୍ଥାତ୍ ପ୍ରକୃତରେ ଜ୍ଞାତା ବୋଲି କୁହାଯାଏ ।’ (ଶ୍ରୀମଦ୍ ଭଗବତ୍ ଗୀତା / ଭାଷାନ୍ତର : ସ୍ୱାମୀ ଶ୍ରଦ୍ଧା ସ୍ଵରୂପାନନ୍ଦ)

 

ଶଙ୍କରାଚାର୍ଯ୍ୟ ତାଙ୍କର ଭାଷ୍ୟରେ ଏହିକଥା ସ୍ପଷ୍ଟ କରିଦେଇଛନ୍ତି ଯେ ଉଭୟ ମନ ଓ ଆତ୍ମା ମଣିଷର ହୃଦୟରେ / ଦେହରେ ଅଛନ୍ତି ଯାହା କଦାପି ଦୁଇଟି ପୃଥକ୍‌ ଆତ୍ମା ନୁହନ୍ତି । ଶଙ୍କରଙ୍କ ମତରେ ମନର ଅଜ୍ଞାନ ହେତୁ ମନ ଆଦୌ ଉପଲବ୍‌ଧି କରିପାରେନାହିଁ ଯେ ମନ ଓ ଆତ୍ମା ପୃଥକ୍ ସଭା ନୁହନ୍ତି । ଉଭୟଙ୍କର ଭିନ୍ନ ଗୁଣ / ପ୍ରକୃତି ସଂପର୍କରେ ‘ମନ’ ଜାଣିପାରେନାହିଁ, ସେ କେବଳ ଏତିକି ଜାଣେ ଯେ ସେ ନିଜେ ହିଁ କର୍ତ୍ତା, କାରଣ ତଥା ଭବିତବ୍ୟ, ସେ ନିଜ କର୍ମର ଫଳ ଭୋଗ କରୁଛି । ପ୍ରକୃତରେ ଏହା ଉଭୟ ସତ୍ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ନୁହେଁ କାରଣ ମନ ‘ଅଚେତନ’ ମାତ୍ର ‘କ୍ଷେତ୍ର’ ର ଜ୍ଞାତା ବା ‘କ୍ଷେତ୍ରଜ୍ଞ’ ସର୍ବଦା ଅପରିବର୍ତ୍ତିତ, ଅବିଚଳିତ ରହିଥାନ୍ତି । ଅତଏବ ଏକମାତ୍ର ଅବିନଶ୍ଵର ଆତ୍ମାହିଁ ହୃଦୟରେ / ଦେହରେ ବିରାଜୁଥାଏ । ସେଇ ସତ୍ତା ସଚରାଚର ବିଦ୍ୟମାନ ଈଶ୍ଵର । ‘ଜୀବ’ ଦେହରେ ସେଇ ଅଖଣ୍ଡ ସତ୍ତାଙ୍କର ସୀମିତ ପରିପ୍ରକାଶ ଘଟିଥାଏ । ଶଙ୍କର ଏକଥା ମଧ୍ୟ କହିଛନ୍ତି ଯେ ବିରାଜମାନ,

 

ଅନ୍ତର୍ଗତ ଆତ୍ମା ଏକ । ଦୁଇଟି ଆତ୍ମାର ଉପସ୍ଥିତି ଅସମ୍ଭବ । କେବଳ ସେଇ ଆତ୍ମାର ଉପସ୍ଥିତିକୁ ପରିବର୍ତ୍ତିତ ପରିସ୍ଥିତିରେ ଭିନ୍ନ ପ୍ରକାରେ ହିଁ ସୂଚାଇ ଦିଆଯାଇଥାଏ । ଯଥା ଏକ ଘଟରେ ଥିବା ଏକ ତରଳ ପଦାର୍ଥ ବା ତରଳ ପଦାର୍ଥରେ ପରିପୂର୍ଣ୍ଣ ଏକ ଘଟ । ଉଭୟର ଅର୍ଥ ଏକ । ଅଦ୍ୱୈତ ଦର୍ଶନରେ ଦ୍ଵୈତର ପ୍ରବେଶକୁ / ଉପସ୍ଥିତିକୁ ଶଙ୍କର ଯୁକ୍ତିନିଷ୍ଠ ଭାବେ ବିରୋଧ କରିଛନ୍ତି ।

 

ନିଜର ବଳିଷ୍ଠ, ଯୁକ୍ତିନିଷ୍ଠ ଭୂମି ସତ୍ତ୍ୱେ ଶଙ୍କରଙ୍କ ‘ଅଦ୍ୱୈତ’, ‘ଦ୍ୱୈତ’କୁ ସର୍ବଦା ସଫଳଭାବେ ବିରୋଧ କରିପାରିଛି, ଏକଥା ମଧ୍ୟ ନୁହେଁ, କାରଣ ଉପରବର୍ଣ୍ଣିତ ଭଗବତ୍ ଗୀତାର ଶ୍ଲୋକ ଉପରେ ‘ଦ୍ଵୈତ’ ଦର୍ଶନର ପ୍ରବକ୍ତାମାନେ ଯୁକ୍ତି ବାଢ଼ନ୍ତି ଯେ ପରମ ପୁରୁଷ ରୂପେ ଯଦି ଈଶ୍ଵରହିଁ ଯଥାର୍ଥରେ ‘କ୍ଷେତ୍ର’, ଅର୍ଥାତ୍ ନଶ୍ଵରମାନେ (ମଣିଷମାନେ) ବଂଧନ / ‘ମାୟା’ ବାହାରେ ଜ୍ଞାନର ପ୍ରତ୍ୟକ୍ଷ କରିପାରନ୍ତି ନାହିଁ ସେମାନେ କେବଳ ସ୍ଥିଳ କ୍ଷେତ୍ରଟିଏ ଉପଲବ୍‌ଧି କରିପାରନ୍ତି-ଯାହା ଅର୍ଥହୀନ, ତେବେ ମନୁଷ୍ୟ ସୃଷ୍ଟିର ଅର୍ଥ କ’ଣ ? ସମସ୍ତ ଶାସ୍ତ୍ରଜ୍ଞାନର ମଧ୍ୟ ଅର୍ଥ କ’ଣ ? ମୁକ୍ତିର ଅର୍ଥ କ’ଣ ? ଅନ୍ୟ ଅର୍ଥରେ, ଯଦି ଈଶ୍ଵର ଏକମାତ୍ର ସତ୍ୟ ତେବେ ସୃଷ୍ଟିର / ସୃଜନର କ’ଣ ସତରେ ଆବଶ୍ୟକତା ଥିଲା ? ମୋକ୍ଷର ମଧ୍ୟ ଆବଶ୍ୟକତା ଥିଲା କି ? ଯେହେତୁ ସେମିତି ସମ୍ଭବତଃ ହୋଇନାହିଁ, ସେଇହେତୁ କ୍ଷେତ୍ରମାନଙ୍କର ସମନ୍ୱୟରେ ଗୋଟିଏ କ୍ଷେତ୍ରର କିଛି ଅର୍ଥ ନାହିଁ–ଗୋଟିଏ ପରିଧିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏକାଧିକ ସତ୍ତା ସମ୍ଭବ ହୋଇ ରହିଛି ଏବଂ ଏକ ବୃହତ୍ତର ସତ୍ତା ଭାବରେ ଈଶ୍ୱରଙ୍କର ସତ୍ୟତା ମଣିଷକୁ ଏକ ଉଚ୍ଚତର ପ୍ରାଂଗଣକୁ ବାଟ କଢ଼ାଇନେବାର ବ୍ୟବସ୍ଥା ରହିଛି; ଈଶ୍ଵରୀୟ ସତ୍ତାର ଉପସ୍ଥିତି ସାହାଯ୍ୟ କରିବାପାଇଁ, ପ୍ରେରଣା ଦେବାପାଇଁ ଉଦ୍ଦିଷ୍ଟ ହୋଇ ରହିଛି; ମୋକ୍ଷପ୍ରାପ୍ତିପାଇଁ ମାର୍ଗ ଦର୍ଶକ ହୋଇ ରହିଛି । ଈଶ୍ଵରଙ୍କୁ ପୃଥକ୍ ତଥା ସ୍ଵତନ୍ତ୍ର ଭାବରେ ଆବିଷ୍କାର କରିବାର୍ହି ସୃଷ୍ଟିର ଅସଲ ଉଦ୍ଦେଶ୍ୟ ।

 

‘ଅଦ୍ୱୈତ’ ବିରୋଧରେ ସବୁଠୁଁ ବଳିଷ୍ଠ ଯୁକ୍ତି ସେଇ ଭଗବତ୍ ଗୀତାର ତ୍ରୟୋଦଶ । ଅଧ୍ୟାୟର ଶ୍ଲୋକ ନଂ. ୩୧ରେ ରହିଛି ବୋଲି କୁହାଯାଇଛି ।

 

‘ଅନାଦିତ୍ୱାନ୍ନିର୍ଗୁଣତ୍ୱାତ୍ ପରମାତ୍ମାଽୟମବ୍ୟୟଃ

ଶରୀରସ୍ଥୋଃଽପି କୌନ୍ତେୟ ନ କରୋତି ନ ଲିପ୍ୟତେ’

 

ଅର୍ଥାତ ‘ହେ କୌନ୍ତେୟ, ପରମାତ୍ମା ଅନାଦି ତଥା ନିର୍ଗୁଣ-ତେଣୁ ସେ ଅବ୍ୟୟ । ସେହି କାରଣରୁ ସେ ଶରୀରସ୍ଥ ହୋଇ ମଧ୍ୟ କର୍ମ କରନ୍ତି ନାହିଁ, କୌଣସି କର୍ମରେ ଲିପ୍ତ ହୁଅନ୍ତି ନାହିଁ’ । ବ୍ୟାଖ୍ୟାରେ, ‘ପରମାତ୍ମା ପ୍ରକୃତିର ଅତୀତ । ତେଣୁ ସେ ନିର୍ଗୁଣ; ତାଙ୍କର ସତ୍ତ୍ୱ-ରଜ-ତମାଦି କୌଣସି ଗୁଣ ନାହିଁ । ପ୍ରକୃତି ଭିତରେ ଗୁଣ ରହିଥାଏ; ପ୍ରକୃତିର ସକଳ କର୍ମ ସେହି ଗୁଣହେତୁକ । ଏହି ଦେହ ଜାତ ହେବା ଆଗରୁ ପରମାତ୍ମା ଥିଲେ ଏବଂ ଦେହର ବିନାଶ ହୋଇଯିବା ପରେ ମଧ୍ୟ ପରମାତ୍ମା ରହିଥିବେ । ସେ ଚିରକାଳ ସେହି ଏକ ଏବଂ ଅବ୍ୟୟ । ଜନ୍ମ ଓ ମୃତ୍ୟୁ ପରିବର୍ତ୍ତନ ଆଣିଦିଏ; ବିକାଶ ଓ ବିନାଶ ପରିବର୍ତ୍ତନ ଆଣିଦିଏ । ଯାହା ଏପରି ସକଳ ପରିବର୍ତ୍ତନରୁ ମୁକ୍ତ ତାହା ଅବ୍ୟୟ । ଯେ ଜନ୍ମ ନିଏ ସେ ବିନାଶ, କ୍ଷୟ ଆଦି ପରିବର୍ତ୍ତନର ଅଧୀନ ହୁଏ, କିନ୍ତୁ ଆତ୍ମା ଅଜନ୍ମା, ତେଣୁ ଆତ୍ମା ଅବସ୍ଥାନ୍ତର ପ୍ରାପ୍ତି ବା ପରିବର୍ତ୍ତନରୁ (ସ୍ଥିତି, ଜନ୍ମ, ବୃଦ୍ଧି, କ୍ଷୟ ଓ ମୃତ୍ୟୁ) ମୁକ୍ତ । ପୁଣି ଆତ୍ମା ସକଳ ପ୍ରକାର କର୍ମରୁ ମୁକ୍ତ । ତେଣୁ ତାହା ଅବ୍ୟୟ । ପରମାତ୍ମାଙ୍କ କର୍ମଫଳ ଛୁଇଁପାରେ ନାହିଁ କାରଣ ସେ ଅକର୍ତ୍ତା, ସେ ନିର୍ଗୁଣ । ସେ କର୍ମ କରନ୍ତି ନାହିଁ, ସେ ଅନାଦି, ଅନାସକ୍ତ ଓ କାରଣାତୀତ ।’’ (ଶ୍ରୀମଦ୍ ଭଗବତ୍ ଗୀତା)

 

ଦ୍ଵୈତବାଦୀମାନର ଯୁକ୍ତି ହେଉଛି ଯେ ପରମପୁରୁଷଙ୍କ ଭିନ୍ନ ଅନ୍ୟ କେହି କର୍ମ କରୁଛି । କର୍ମଦ୍ଵାରା ପ୍ରଭାବିତ ଫଳ ଲାଭ କରୁଛି । ତେଣୁ ଏକଥା କ’ଣ ଯୁକ୍ତିଯୁକ୍ତ ଯେ ସେଇ ପରମପୁରୁଷ ହି ସମସ୍ତ । କ୍ଷେତ୍ରର ସମନ୍ୱୟ ଏବଂ ମଣିଷ ତଥା ପରମପୁରୁଷଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି ଜୀବାତ୍ମା ଏବଂ ପରମାତ୍ମା ଏକ ଓ ଅଭିନ୍ନ ତେବେ ସେଇ ସତ୍ତାଟି କିଏ, ଯିଏ କର୍ମ କରୁଛି ଏବଂ କର୍ମ ଅନୁସାରେ ଫଳ ଲାଭ କରୁଛି, କାରଣ ଈଶ୍ଵର କାଯ୍ୟ-କାରଣର ନିୟମ ବାହାରେ । ଯେହେତୁ ସେ କର୍ତ୍ତା ନୁହନ୍ତି, କର୍ମ କରନ୍ତି ନାହିଁ, ତାଙ୍କର ଫଳ ଭୋଗ କରିବାର ପ୍ରଶ୍ନହିଁ ଉଠୁନାହିଁ । ଗୀତାର ଉପରୋକ୍ତ ଶ୍ଲୋକ ଅନୁଯାୟୀ ସେ କର୍ତ୍ତା ନୁହନ୍ତି, ଭୋକ୍ତା ମଧ୍ୟ ନୁହନ୍ତି, ସେଥିପାଇଁ କ’ଣ ଏକଥା ମନେ କରିବା ଉଚିତ୍ ହେବ ଯେ ପରମାତ୍ମା (supreme)ଙ୍କ ଅସ୍ତିତ୍ୱ ନାହିଁ, କାରଣ ଯଦି ପରମାତ୍ମା ସାଧାରଣ ମଣିଷପରି କାର୍ଯ୍ୟକାରଣରେ ବଂଧା, ତେବେ ତାଙ୍କୁ ତ ପରମାତ୍ମା କୁହାଯିବା ନିରର୍ଥକ !

 

ରାମାନୁଜ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ଭାଷ୍ୟରେ ସନ୍ତୁଷ୍ଟ ନଥିଲେ । ଉପନିଷଦ ଏବଂ ଅନେକ ପୁରାଣକୁ ଆଧାରକରି ରାମାନୁଜ ଯୁକ୍ତି ଦର୍ଶାଇଥିଲେ ଯେ ମଣିଷ କେବଳ ନିଜର କ୍ଷେତ୍ର ସଂପର୍କରେ ହିଁ ଅଭିଜ୍ଞ, ନିର୍ଦ୍ଦିଷ୍ଟ ଭାବରେ ନିଜ କ୍ଷେତ୍ର ଭିନ୍ନ ଅନ୍ୟକ୍ଷେତ୍ର ଉପରେ ସେ ସଚେତନ ନୁହେଁ । ସମସ୍ତ କ୍ଷେତ୍ର ଉପରେ ଅଭିଜ୍ଞ ବା ସର୍ବଜ୍ଞ ହେଉଛନ୍ତି କେବଳ ଈଶ୍ୱର । ଗୀତାରେ ଏହାହିଁ କୁହାଯାଇଛି ବୋଲି ସେ କହୁଥିଲେ । ମୁଣ୍ଡକ ଓ କଠୋପନିଷଦର ଅବତାରଣା କରି ସେ କହିଥିଲେ ଯେ ଜୀବାମତ୍ମାଠାରୁ ପରମାତ୍ମା ଭିନ୍ନ । କଠୋପନିଷଦରେ ଆତ୍ମାକୁ ରଥର ସାରଥି ବୋଲି କୁହାଯାଇଛି ଯେ କି ଯାତ୍ରାର ଶେଷପର୍ଯ୍ୟନ୍ତ ଯାଇଥାଏ । ଶଙ୍କର କିନ୍ତୁ ଏଇକଥା କହୁଥିଲେ ଯେ ଜୀବାତ୍ମାଠାରୁ ପରମାତ୍ମାଙ୍କୁ ଅଲଗା କରିହେବ ନାହିଁ । ପରମାତ୍ମାହିଁ ଜୀବାତ୍ମାର ସେଇ ଜୀବନୀ ଶକ୍ତି ଯେ କି ଚେତନାର ବାତାୟନ ଖୋଲିଦିଅନ୍ତି । ମଣିଷର ଶରୀରରେ ଜୀବନହିଁ ଚେତନାକୁ ଭୂମିଟିଏ ଯୋଗାଇ ଦେଇଥାଏ । ଚେତନା ବ୍ୟତିରକେ ଶରୀର ନଶ୍ଵର ତଥା ନିରର୍ଥକ ଏଇ ଅର୍ଥରେ ଯେ, ଚେତନା ଭିନ୍ନ ଜୀବନ ହୁଏତ ସମ୍ଭବ ମାତ୍ର ତାହା ଯଥାର୍ଥରେ ଜୀବନ ପଦବାଚ୍ୟ ହେବନାହିଁ । ସେହିପରି ଜୀବନ ବ୍ୟତିରକେ ଚେତନାର ଅସ୍ତିତ୍ୱ ମଧ୍ୟ ଅସମ୍ଭବ / ଅବାସ୍ତବ । ମଣିଷ ଜୀବନରେ ତାର ଜୀବନଶକ୍ତି ଓ ଚେତନା ଅବିଛେଦ୍ୟ ହୋଇ ରହିଥା’ନ୍ତି । ଜୀବନ ଚେତନାପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥାଏ ଓ ଶରୀରକୁ ମଧ୍ୟ କାର୍ଯ୍ୟକ୍ଷମ କରି ରଖିଥାଏ । ମୁଣ୍ଡକ ଉପନିଷଦର ପକ୍ଷୀ ପ୍ରସଂଗ ଏହାହିଁ ହୁଏତ ସୂଚାଇ ଦେଉଛିଯେ ଜୀବାତ୍ମା ବା ବ୍ୟକ୍ତିର ଚେତନା ପରମାତ୍ମା ବା ଜୀବନଶକ୍ତିଠାରୁ ପୃଥକ୍ ନୁହେଁ ।

 

ଯୁକ୍ତନିଷ୍ଠତା ସତ୍ତ୍ୱେ ଶଙ୍କରଙ୍କ ଅଦ୍ଵୈତ ମତବାଦ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦୁର୍ବଳ ବୋଲି ସମାଲୋଚିତ ହୋଇଛି ଏବଂ ଶଙ୍କରଂକୁ ତୁଛା Intellectual (Substantive Consciousness) ବୋଲ କୁହାଯାଇଛି । ଅନ୍ୟ ପକ୍ଷରେ ରାମାନୁଜ ଧର୍ମଜ୍ୟାନ (Substantive Consciousness) ଓ ଧର୍ମଭୂତ ଜ୍ଞାନ (Attributive Consciousness) ର କଥା କହିଥିଲେ । ଚେତନାକୁ ଏହି ଅର୍ଥରେ ଜୀବନ ଉପରେ ନିର୍ଭରଶୀଳ ବୋଲି କୁହାଯାଇଛି ।

 

ରାମାନୁଜଙ୍କ ଦର୍ଶନ ଥିଲା ବିଶିଷ୍ଟ ଦ୍ଵୈତ ବା (qualified non-dualism) ଶଙ୍କରାଚାର୍ଯ୍ୟଙ୍କ ଅଦ୍ଵୈତର ସଂପୂର୍ଣ୍ଣ ଅଧ୍ୟୟନ ପରେ ସେ ମାନିବାପାଇଁ ପ୍ରସ୍ତୁତ ନଥିଲେ ଯେ ‘ଜୀବ’ ତଥା ‘ପରମାତ୍ମା’ ଏକ ବୋଲି ! ବରଂ ‘ଜୀବ’ ଈଶ୍ୱରୀୟ ସଭା (Godhead) ର ଏକ ଅଂଶ ଏବଂ ସେଇ ବୃହତ୍ତର ସଭାର ସେବା କରିବା, ନିକଟତର ହେବାହିଁ ଜୀବର ଉଦ୍ଦେଶ୍ୟ ବୋଲି ସେ କହିଥିଲେ, ଯେମିତି ଆମର ହାତଟି ଦେହର ଏକ ଅଂଶ ଏବଂ ସେହି ଦୃଷ୍ଟିରୁ ଦେହର ଭୃତ୍ୟ ହୋଇ ରହିଛି ସେହିପରି ଜୀବ ପରମାତ୍ମାଙ୍କର ଏକ ଅଂଶ । ଜୀବର ସୃଷ୍ଟି ପରମାତ୍ମାଙ୍କର ସେବା ନିମନ୍ତେ ଉଦ୍ଦିଷ୍ଟ । ଏହା ଥିଲା ଭକ୍ତି ମାର୍ଗ । ଗୁଣାତ୍ମକ ଭାବେ ସକଳ ଭିନ୍ନ ଜୀବ ପରମାତ୍ମାଙ୍କ ସହିତ ଏକ ହୋଇ ରହିଥିଲେ ହେଁ ପରିମାଣାତ୍ମକ ଭାବେ ସେମାନେ ସେଇ ଏକାସମୟରେ ପୃଥକ୍ ସତ୍ତା ଭାବରେ ବିଦ୍ୟମାନ । ଅନ୍ୟ ଅର୍ଥରେ, ରାମାନୁଜ କହିଥିଲେ ଯେ ପରିମାଣାତ୍ମକ ପାର୍ଥକ୍ୟର ଅର୍ଥ ବା ପରିପ୍ରକାଶ ହେଉଛି ପରମାତ୍ମାଙ୍କର ସେଇ ବିଭକ୍ତ ଅଂଶ । ସମସ୍ତେ ପରମାତ୍ମାଙ୍କ ଉପରେ ନିର୍ଭରଶୀଳ ହୋଇଥିବା ହେତୁ ସେମାନେ ନିଜେ କେବେ ପରମାତ୍ମାରେ ରୂପାନ୍ତରିତ ହୋଇପାରିବେ ନାହିଁ ।

 

ଶଙ୍କରାଚାର୍ଯ୍ୟଙ୍କ ମତରେ ବ୍ରହ୍ମ ଅବିଭକ୍ତ । ତାଙ୍କର ବିଭକ୍ତ ପରିପ୍ରକାଶ ମାୟା ଦ୍ଵାରାହିଁ ସମ୍ଭବ ହୋଇଥାଏ । ତାଙ୍କ ମତରେ ବ୍ରହ୍ମଙ୍କର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ଵ ନାହିଁ (ଯାହାକୁ ରାମାନୁଜ ବିରୋଧ କରିଥିଲେ) । ରାମାନୁଜଙ୍କ ବିଶ୍ଵାସରେ ବ୍ରହ୍ମ ସର୍ବଗୁଣ ସଂପନ୍ନ ବ୍ୟକ୍ତିତ୍ୱ ତଥା ଏକ ବୃହତ୍ତର ବାସ୍ତବତା । ଅନ୍ୟପକ୍ଷରେ ଜୀବମାନଙ୍କର ବ୍ୟକ୍ତିତ୍ୱ ତୁଳନାରେ ଈଶ୍ଵରଙ୍କ ବ୍ୟକ୍ତିତ୍ୱହିଁ ଅନ୍ତିମ ବା ନିର୍ଣ୍ଣାୟକ ବ୍ୟକ୍ତିତ୍ୱ । ମାୟା ଉପରେ ସେ କହିଥିଲେ ଯେ, ଯଦି ମାୟା ଈଶ୍ଵରଙ୍କ ସତ୍ତାଙ୍କୁ ମଧ୍ୟ ଢାଙ୍କି ଦେଇପାରୁଛି ତେବେ ମାୟା ଈଶ୍ୱରଙ୍କଠାରୁ ମଧ୍ୟ ଅଧିକ ବଳବତୀ ଯାହା ଗ୍ରହଣୀୟ ନୁହେଁ । ଈଶ୍ଵର ଜୀବଙ୍କଠାରୁ ପୃଥକ୍ ବୋଲି ପ୍ରମାଣିତ କରିବାପାଇଁ ସେ କହିଥିଲେ ଯେ ପରମପୁରୁଷ ମାୟାର ଅଧୀନ ହୋଇ ନ ପାରନ୍ତି । ସେ ମାୟାରୁ ମୁକ୍ତ । ପରମାର୍ଥ ଭିନ୍ନ ଅନ୍ୟ ବ୍ୟକ୍ତିତ୍ଵଙ୍କର / ଜୀବଙ୍କର ସୀମିତ ଜ୍ଞାନ ରହିଥିବାରୁ ଅନ୍ୟମାନେ ହିଁ ମାୟା ଦ୍ୱାରା ଭ୍ରମିତ ହୋଇଥା’ନ୍ତି । ଶଙ୍କରାଚାର୍ଯ୍ୟ ‘ଜଗତ୍ ମିଥ୍ୟା’ ବୋଲି କହିଥିଲେ, ମାତ୍ର ରାମାନୁଜଙ୍କ ମତାନୁଯାୟୀ ସଂସାର ଈଶ୍ୱରଙ୍କ ଶକ୍ତିର ଏକ ଆଧାର, ଅତଏବ ଏହା ମିଥ୍ୟା ନୁହେଁ । ଜଗତର ସୃଷ୍ଟି ଦ୍ଵାରା ଈଶ୍ୱରଙ୍କ ଶକ୍ତି ତଥା ସ୍ଵଭାବର ଗୁଣାତ୍ମକମାନ ଊଣା ହୁଏନାହିଁ-ଯେମିତି ଗାୟକ ଗୀତଟିଏ ଗାଇଲେ ତାର ଶକ୍ତି ହ୍ରାସ ହୁଏ ନାହିଁ । ବିଶିଷ୍ଟ ଦ୍ଵୈତର ମର୍ମରେ ଏଇ ଜଗତର ସମସ୍ତ ସଚ୍ଚୀବ ଈଶ୍ଵରଙ୍କର ପରିପ୍ରକାଶ ଯେଉମାନଙ୍କୁ ମୁକ୍ତ ହେବାପାଇଁ ଏକ ସୁଯୋଗ ଦିଆଯାଇଛି ଯାହା ଜଡ (Inerst) ମାନଙ୍କ କ୍ଷେତ୍ରରେ ଘଟିନାହିଁ । ଜୀବନ୍ତମାନଙ୍କୁ ମୁକ୍ତ ହେବାପାଇଁ ସୁଯୋଗ ଦେବା ପରମାର୍ଥଙ୍କର କ ଗୁରୁତ୍ଵପୂର୍ଣ୍ଣ ଯୋଜନା ଯାହା ମାଧ୍ୟମରେ ସେଇ ପରମ ସତ୍ତା ସହିତ ପାରସ୍ପରିକ ସଂପର୍କରେ ସ୍ଥାପନ ହେବ । ଭକ୍ତିମାର୍ଗ ଦ୍ଵାରା, ସେବାଦ୍ୱାରା ମଣିଷ ମାୟାର ବଂଧନରୁ ମୁକ୍ତ ହୋଇ ବୈକୁଣ୍ଠ ଲାଭ କରିବ । ନିରନ୍ତର, ଉତ୍ସର୍ଗୀକୃତ ସେବା, ଭୃତ୍ୟପରି ସଂପୂର୍ଣ୍ଣ ସମର୍ପଣ ହିଁ ମୁକ୍ତିର ଚାବିକାଠି,ରାମାନୁଜ ଏହାହିଁ କହିଥିଲେ ।

ଶଙ୍କରାଚାର୍ଯ୍ୟଙ୍କ ସମୟକଥା ଏଇ ପ୍ରବଂଧରେ ପୂର୍ବରୁ ଆଲୋଚିତ ହୋଇଛି । ଏହା ଅବଶ୍ୟ ସ୍ଵୀକାର୍ଯ୍ୟ ଯେ ବୌଦ୍ଧଧର୍ମର ପ୍ରଭାବକୁ ହ୍ରାସ କରିବାପାଇଁ ଓ ସନାତନ ହିନ୍ଦୁ ଧର୍ମର ପୁନଃପ୍ରତିଷ୍ଠା ନିମନ୍ତେ ଶଙ୍କରାଚାର୍ଯ୍ୟ ବେଦ, ଉପନିଷଦ ତଥା ଅନ୍ୟାନ୍ୟ ଶାସ୍ତ୍ରପୁରାଣ ଆଧାରରେ ଅଦ୍ୱୈତର ଯୁକ୍ତିନିଷ୍ଠ ଭୁମିଟିଏ ସୃଷ୍ଠି କରିଥଲେ । ଅହିଂସା, ସଦାଚାର, କାମନାର ବିନାଶ, ନିର୍ବାଣ, ଯାହା ବୌଦ୍ଧଧର୍ମର ମୂଳମନ୍ତ୍ର ଥିଲା ସେସବୁ ମୌଳିକ ଭାବରେ ତଥା ଅଧିକ ପ୍ରାଚୀନ ହୋଇ ହିନ୍ଦୁ ଧର୍ମରେ ମଧ୍ୟ ଥିଲା ଏକଥା ପ୍ରମାଣ କରିବାପାଇଁ ଚେଷ୍ଟା କରିଥିଲେ ଶଙ୍କର । କୁହାଯାଏ, ଅଦ୍ଵୈତ ବେଦାନ୍ତରେ ଏକ ଗ୍ରହଣୀୟ ବାସ୍ତବତା ଅପେକ୍ଷା ଯୁକ୍ତିନିଷ୍ଠତା ଯଥେଷ୍ଟ ଅଧିକ ପରିମାଣରେ ରହିଥିଲା । ଅତଏବ ଅଦ୍ୱୈତର ବୌଦ୍ଧିକ ଭୂମିଟି ଥିଲା ଅଧିକ ଶକ୍ତିଶାଳୀ । ଏକଥା ମଧ୍ୟ କୁହାଯାଇଛି ଯେ ଶଙ୍କର ମାୟାବାଦୀ ନଥିଲେ ଯଦିଓ ଅଦ୍ୱୈତର ମୂଳ ଉପାଦାନ ହେଉଛି ‘ମାୟା’ । ମାୟାର ତତ୍ତ୍ୱକୁ ସବୁଠୁଁ ଅଧିକ ସ୍ପଷ୍ଟ ତଥା ବିଶଦ ଭାବେ ଶଙ୍କର ହିଁ ଉପସ୍ଥାପନ କରିଥିଲେ ।

ଶଙ୍କରାଚାର୍ଯ୍ୟଙ୍କ ଅଦ୍ଵୈତ ଦର୍ଶନ ସଂପର୍କରେ ଏକ ଚମତ୍କାର ତର୍ଜମା କରିଛନ୍ତି ଶ୍ରୀ ଅରବିନ୍ଦ । (Sri Aurobindos' Letters on Yoga : Integral Yoga and other Paths-Letter Two).

ଶ୍ରୀ ଅରବିନ୍ଦ କହିଛନ୍ତି–‘Shankar’s philosophy was that the supreme Reality is a spaceless and timeless Absolute (parambrahma) which is beyond all features of quality, beyond all action of creation and the world is a creation of May, not absolutly unreal but real only in time and while one lives in time; once we get into a knowledge of the Reality we perceive that the Maya and the world and all in it have no abiding or true exstence-It is if not non-existent, yet false, jaganmithya; it is a mistake of the conscionsness, It is and it is an irrational and inexplicable mystery in its origin, though we can see its process or at least how it keeps imposed on the conscionsness. Brahma is seen in Maya as Ishwara upholding the works of Maya and apparently individual soul is nothing but Brahman itself.”

ଏକଥା ମଧ୍ୟ ଶ୍ରୀ ଅରବିନ୍ଦ କହିଛନ୍ତି ଯେ ଶଙ୍କରଙ୍କ ଯୁକ୍ତିନିଷ୍ଠତା ଓ ବୌଦ୍ଧିକତା ଏହି ଦର୍ଶନ ପଛରେ ଯାହା ଥାଉନା କାହିଁକି ପରିଶେଷରେ ଏହା ଗ୍ରହଣ କରିହେବ ନାହିଁ ଯେ ସଂସାରରେ ସବୁ କିଛି ମିଥ୍ୟା, ସ୍ଵୟଂ ସଂସାରହିଁ ମିଥ୍ୟା । ହୁଏତ ଏହି ଯୁକ୍ତିବାଦ ଶଙ୍କରଙ୍କ ବିରୋଧୀମାନଙ୍କୁ ନୀରବ କରିଦେବାପାଇଁ କେବଳ ଉଦ୍ଦିଷ୍ଟ ଥିଲା, ତେବେ ଏହି ଦର୍ଶନର ମୌଳିକ ଭୂମିଟିଏ ନାହିଁ, କାରଣ ଶଙ୍କରଙ୍କ ଦର୍ଶନରେ ବିରୋଧାଭାଷ ସ୍ପଷ୍ଟ । ଅଦ୍ୱୈତକୁ କେବଳ ମାୟାବାଦ ଆଧାରରେ ଅନୁଶୀଳନ କରିବା ଠିକ୍‌ହେବନାହିଁ ବୋଲି ଶ୍ରୀ ଅରବିନ୍ଦ କହିଛନ୍ତି । ତାଙ୍କ ମତରେ ଏହା ଆଦୌ ଯୁକ୍ତିଯୁକ୍ତ ନୁହେଁ ଯେ ଅସୀମ ଏକ ଏବଂ ସେ ଗୋଟିଏ ସ୍ଵରୂପରେ ଆପଣାକୁ ପ୍ରକାଶ କରିଛନ୍ତି । ବରଂ ତାଙ୍କର ଏକକତ୍ୱ ନିଜ ଭିତରେ ସୀମିତ ନୁହେଁ । ବରଂ ସେ ନିଜକୁ ଅଜସ୍ର ରୂପରେ ପରିସ୍ଫୁଟନ କରିଛନ୍ତି । ସେଇ ପରମ ସତ୍ତା (Supreme Reality) ନା କେବଳ ଏକକରେ ନା ଅନେକରେ ବିଦ୍ୟମାନ । ସେ ଉଭୟରେ ହିଁ ଉପସ୍ଥିତ । ସେ ଏକ । ସେ ଅନେକ । ଏକରେ ଅନେକ । ଅନେକରେ ଏକ । ତେବେ ଏକତ୍ୱ ତାଙ୍କର ମୌଳିକତା ।

ଶ୍ରୀ ଅରବିନ୍ଦ ଦିବ୍ୟ ଜୀବନ (Life Divine) ର ଦର୍ଶନକୁ ବାସ୍ତବ ଅଦ୍ୱୈତ (Realistic Adwaita) ର ଦର୍ଶନ ସହିତ ତୁଳନୀୟ ବୋଲି କହିଛନ୍ତି ।

‘The Reality is the Infinite and eternal Divine Infinite and eternal Being, Conscious–Force and Bliss. This Divine by his power has created the world or rather manifested it in his own Infinite Being...”

‘‘The Being which is hidden in what seems to be inconscient void emerges in the world first in Matter, then in Life, then in Mind and finally as the Spirit.’

ଅଦ୍ୱୈତରେ ‘ସଗୁଣକୁ’ ‘ନିର୍ଗୁଣ’ର ସୃଷ୍ଟି ବୋଲି କୁହାଯାଇଛି । ଶ୍ରୀ ଅରବିନ୍ଦଙ୍କ ମତରେ ଉଭୟ ‘ସଗୁଣ’ ଓ ‘ନିର୍ଗୁଣ’ କେହି କାହା ଉପରେ ନିର୍ଭରଶୀଳ ନୁହନ୍ତି । ଉଭୟେ ସେଇ ଦିବ୍ୟସତ୍ତାର ଅଂଶ ବିଶେଷ । ଦିବ୍ୟପୁରୁଷ ନିର୍ଦ୍ଦିଷ୍ଟ ଗୁଣରେ ବଂଧା ନୁହନ୍ତି, ସୀମିତ ନୁହନ୍ତି କାରଣ ସେ ଉଭୟର ସମାହାର ।

‘The one Reality, the Divine Being is bound by neither, since it is no way limited; it posseses both. There is no incompatibility between the two, as there is none between many and the one, the Sameness and the

difference.’

ଉଭୟହିଁ ପରସ୍ପରର ପରିପୂରକ, ପରସ୍ପର ସହିତ ସମ୍ବନ୍ଧିତ ଓ ଉଭୟ ବାସ୍ତବ । ଅତଏବ ଏହା ଅବାସ୍ତବ ଯେ ଜଗତ ମିଥ୍ୟା । ମୃତ୍ୟୁ ଓ ମୁକ୍ତି ଉପରେ ଶ୍ରୀ ଅରବିନ୍ଦ ଏହି ପତ୍ରରେ ଯାହା ଉଲ୍ଲେଖ କହିଛନ୍ତି ତାହାର ସାରାଂଶ ହେଉଛି ଦେହର ବିଲୟ / ବିନାଶ ମଧ୍ୟ ସମ୍ଭବ, ଇଗୋ (Igo) ର ମୃତ୍ୟୁ ମଧ୍ୟ ସମ୍ଭବ, ମାତ୍ର ଆତ୍ମାର ବିନାଶ ପ୍ରକୃତରେ ହୁଏ ନାହିଁ । ଏକ ତୁଛା ବ୍ୟକ୍ତିକୈନ୍ଦ୍ରିକ ସତ୍ତାର ଦେହଜ ମୃତ୍ୟୁ ଆତ୍ମାର ମୃତ୍ୟୁ ନୁହେଁ, କାରଣ ଆତ୍ମା ସେଇ ଦିବ୍ୟପୁରୁଷର ଏକ ଶାଶ୍ୱତ ଅଂଶ । ହୁଏତ ବ୍ୟକ୍ତିକୈନ୍ଦ୍ରିକ ସତ୍ତା ବାହାରେ ଆତ୍ମା ସ୍ଵୟଂ ଦିବ୍ୟପୁରୁଷ । ଆପଣାର ଜୀବନରେ ‘ଜୀବନମୁକ୍ତାବସ୍ଥା’ ବା ମୁକ୍ତି ମଧ୍ୟ ସମ୍ଭବ ଯେତେବେଳେ ବ୍ୟକ୍ତିସତ୍ତାର ଊର୍ଦ୍ଧ୍ୱକୁ ଏକ ଉତ୍ତରଣ ସମ୍ଭବ ହେବ । ତାହାହିଁ ଯଥାର୍ଥରେ ଦିବ୍ୟଜୀବନ । ଟିକିଏ ପୃଥକ୍‌ଭାବରେ ଏହାହିଁ ଅଦ୍ଵୈତ ଦର୍ଶନ ।

 

ଏକ ସରଳ ଉଦାହରଣକୁ ଆସିବା । ଦର୍ପଣରେ ଚେହେରା ଦେଖାଯାଏ । ଜଣେ ଦର୍ପଣ ଆଗରେ ଆପଣାର ପ୍ରତିଛବି ହିଁ ଦେଖୁଥାଏ । ସେଇ ଦର୍ପଣ ଭାଂଗିଗଲେ ଟୁକୁଡ଼ା ଦର୍ପଣରେ-ଦର୍ପଣ ଖଣ୍ଡମାନଙ୍କରେ ସେଇ ଦର୍ଶକର ଏକାଧିକ ପ୍ରତିଛବି ମଧ୍ୟ ସମ୍ଭବ ହୋଇଥାଏ । ମାତ୍ର ଏଇ ବିଭକ୍ତ ଦର୍ପଣରେ ଦର୍ଶକର ପ୍ରତିଛବି ବିଭକ୍ତ ହୋଇନଥାଏ, ଖଣ୍ଡିତ ହୋଇ ନଥାଏ । ତା’ର ଏକାଧିକ ଛବି ସମ୍ଭବ ହୋଇ ସେଇ ଖଣ୍ଡିତ ଦର୍ପଣରେ ମଧ୍ୟ ପୂର୍ଣ୍ଣ ତଥା ଅବିଭକ୍ତ ପ୍ରତୀୟମାନ ହେଉଥା’ନ୍ତି । ଅର୍ଥାତ, ଅଜସ୍ର ରୂପରେ, ପରିପ୍ରକାଶରେ ସତ୍ତା ସେମିତି ଅଖଣ୍ଡ ହୋଇ ରହିଥାଏ, ଅବିଭାଜ୍ୟ ତଥା ଏକକ ହୋଇ ରହିଥାଏ । ଏହାହିଁ ଅଦ୍ଵୈତ।

Image

 

ଈଶ୍ଵରଙ୍କ ପାଇଁ ଏକ ପି.ଆର୍‌.ଓ, ଆବଶ୍ୟକ

 

‘ଈଶ୍ଵରଙ୍କ ପାଇଁ ପିଆର୍‌ଓ (ଲୋକସଂପର୍କ ଅଧିକାରୀ) ଆବଶ୍ୟକ’-ବିଜ୍ଞାପନଟି ଯେ ଆଗରୁ ନଥିଲା, ଏକଥା ନୁହେଁ । ଅବଶ୍ୟ ଅବିକଳ ଏମିତି ନଥିଲା । ସେଇଟି ଉହ୍ୟ ହୋଇ ରହିଥିଲା । ଈଶ୍ୱରଙ୍କ ପ୍ରତିଷ୍ଠା ପାଇଁ, ସିଧାସଳଖ ଭାବେ (ଏକ ନିର୍ଦ୍ଦିଷ୍ଟ ଈଶ୍ଵରଙ୍କ) ପ୍ରଚାର ପାଇଁ, ସେଇ ଈଶ୍ୱରଙ୍କ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ତତ୍ତ୍ଵ / ଦର୍ଶନ ବା ଧର୍ମର ପ୍ରସାର ପାଇଁ ଅନେକ ଆଗରୁ ସମ୍ଭବତଃ ଈଶ୍ଵରୀୟ ଚେତନାର ଅଭ୍ୟୁଦୟ ତଥା ବିକାଶ ସହିତ ସମାନ୍ତରାଳ ହୋଇ ବିଜ୍ଞାପନଟି ରହି ଆସିଛି । ଈଶ୍ଵର ସଂପର୍କିତ ସେଇ ବିଜ୍ଞାପନ ଅବଶ୍ୟ ସେତେବେଳେ ଖବରକାଗଜ ପୃଷ୍ଠାରେ-/ ଟିଭି ପରଦାରେ ଦୃଶ୍ୟମାନ ନହେଉଥିବାର କାରଣ ସଂପୃକ୍ତ ଗଣମାଧ୍ୟମ ଗୁଡ଼ିକର କ୍ରମବିକାଶ ସହିତ ସଂଯୁକ୍ତ ହୋଇ ରହିଥିଲା । ପୁଣି ଦୃଶ୍ୟମାଧ୍ୟମ (ଟିଭି ପରଦା) ଖୁବ୍ ବେଶୀ ଦିନର ଏକ ମାଧ୍ୟମ ନୁହେଁ ।

 

ଈଶ୍ଵରଙ୍କ ନିମନ୍ତେ ବିଜ୍ଞାପନ ବୃହତ୍ତର ଭାବରେ ସେଇ ଈଶ୍ଵରଙ୍କର ଚରିତ୍ର, ସଭା, ତାଙ୍କ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ, ଗୁରୁ / ଆଚାର୍ଯ୍ୟ / ମହନ୍ତ / ମାର୍ଫତଦାର, ଧର୍ମ / ଧର୍ମାନୁଷ୍ଠାନର ବିଜ୍ଞାପନହିଁ ଥିଲା । ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ସଂଖ୍ୟାତ କିଛି କମ୍ ନୁହେଁ । ସେମାନେ ଶହ, ହଜାର ବା ଲକ୍ଷରେ ନୁହେଁ, କୋଟିରେ ଗଣା ହୁଅନ୍ତି । ପୁରା ତେତ୍ରିଶ କୋଟି । ଇସ୍‌ଲାମ୍‌ ପୟଗମ୍ବରଙ୍କ ସଂଖ୍ୟା ଏକଲକ୍ଷ ଚବିଶ ହଜାର । ଦେବାଦେବୀଙ୍କର ସନ୍ତାନ-ସନ୍ତତି / ପ୍ରତିନିଧିମାନେ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ମାନ୍ୟତା ଦିଆଯାଏ । ଥରେ ଥରେ ନୂଆ ଦେବତାମାନଙ୍କୁ ମଧ୍ୟ ଆବିଷ୍କାର କରାଯାଉଥିଲା । ଅନୁକ୍ରମିକ ଇତିହାସର ଅଧ୍ୟୟନ ଏକଥା ମଧ୍ୟ କହେ ଯେ ସେଇ ଦେବତାମାନଙ୍କ ପାଇଁ ବିଜ୍ଞାପନର ଆବଶ୍ୟକତା ପଡ଼ୁଥିଲା । ସରଳ ଭାବରେ କହିଲେ, ସେମାନଙ୍କୁ କେଉଁ ପ୍ରସିଦ୍ଧ, ପୂର୍ବସ୍ୱୀକୃତ ଦେବାଦେବୀଙ୍କ ସନ୍ତାନ ଭାବରେ ଯଥେଷ୍ଟ ଶାସ୍ତ୍ର ଅଧ୍ୟୟନ ଉତ୍ତାରୁ ଆବିଷ୍କାର କରାଯାଉଥିଲା ଓ ସେମାନଙ୍କ ପ୍ରତିଷ୍ଠା ନିମନ୍ତେ ଏକ ସୁଦୃଢ଼ ଭୂମିର ମଧ୍ୟ ଅବତାରଣା କରାଯାଉଥିଲା । ଅର୍ଥାତ୍‌ଦୀର୍ଘଦିନ ଧରି ଅବିଜ୍ଞାପିତ / ଅପୂଜିତ ହୋଇ ରହିଥିଲେ ହେଁ ଉକ୍ତ ନୂତନ ଦେବତା ପ୍ରକୃତରେ କୁଆଡ଼େ ସ୍ଵର୍ଗଲୋକର ମଂଗଳ ନିମନ୍ତେ (ଅଧିକାଶ ସମୟ ସ୍ୱର୍ଗରେ ଥିବା ଦେବତାମାନେହିଁ ଅସୁବିଧାରେ ପଡ଼ିଥା’ନ୍ତି) ଅମୁକ ରାକ୍ଷସଟାକୁ ବଧ କରିଥିଲେ ବୋଲି ଆବିଷ୍କାର କରାଯାଉଥିଲା । ଉକ୍ତ ଦେବତା ଜଣକ କୁଆଡେ ଭକ୍ତମାନଙ୍କର ମନୋବାଞ୍ଛା ମଧ୍ୟ ପୂରଣ କରିଥିଲେ । କେଜାଣି କାହିଁକି ସେମାନଙ୍କର କୀର୍ତ୍ତିସବୁ ଲୁକ୍କାୟିତ ହୋଇ ରହିଯାଇଥିଲା । ଭକ୍ତସମାଜ ଆଗରେ ଭକ୍ତ ନୂତନ ଦେବତାକୁ ଉପସ୍ଥାପନ / ପ୍ରସ୍ତୁତ କଲାବେଳେ ସେମାନଙ୍କର ଏକ ବାୟୋଡାଟା / ସଂକ୍ଷିପ୍ତ ପରିଚିତି ପ୍ରସ୍ତୁତ କରିବାପାଇଁ ପଡ଼ୁଥିଲା। ବ୍ୟାବହାରିକ ଦୃଷ୍ଟିକୋଣରୁ, ଆମ ସାମାଜିକ ଜୀବନରେ ଜଣେ ଆଗନ୍ତୁକଙ୍କୁ (ନବାଗତଙ୍କୁ) ଏମିତି ପରିଚିତ କରାଇବାର ବିଧି ରହିଛି ।

 

ବେ, ଏହା ବ୍ୟତୀତ ମଧ୍ୟ ବିଜ୍ଞାପନ ଥିଲା । ଗୋଟିଏ ଦେବତା ତାଙ୍କର ସତୀର୍ଥ ଦେବତାଙ୍କଠାରୁ ମହାନ୍‌ଏକଥା ପ୍ରମାଣିତ କରାଇବା ପାଇଁ ମଧ୍ୟ କିଛି କମ୍‌ପ୍ରୟାସ କରାଯାଉନଥିଲା-। ସେଇସବୁ ବିଜ୍ଞାପନ ବଡ଼ ବିଚିତ୍ର ଥିଲା ଅର୍ଥାତ, ଜଣଙ୍କୁ ଆଉଜଣଙ୍କଠାରୁ ଶ୍ରେଷ୍ଠତର ପ୍ରମାଣିତ କରିବାପାଇଁ ରୀତିମତ ଆମ ପଣ୍ଡିତମାନଙ୍କୁ ଏକ କସ୍‌ରତ କରିବାପାଇଁ ପଡ଼ୁଥିଲା । ସେମାନେ ଅନେକ କଷ୍ଟ ସହି ଶାସ୍ତ୍ର ଅଧ୍ୟୟନ କରୁଥିଲେ, ଶିଳାଲେଖଗୁଡ଼ାକୁ ଆବିଷ୍କାର କରିପକାଉଥିଲେ ଏବଂ ଯଦି ବିଶେଷ ଆବଶ୍ୟକତା ପଡ଼ୁଥିଲା ତେବେ ପୋଥିଗୁଡାକ ନିଜେ ଲେଖିପକାଇ ପୋତି ପକାଉଥିଲେ ଓ ପୁଣି ନିଜେ ମାଟିତଳୁ ଆବିଷ୍କାର କରୁଥିଲେ । ଜଣଙ୍କୁ ଅନ୍ୟଜଣଙ୍କଠାରୁ ଭଲ କହିବା ପାଇଁ ଜଣଙ୍କର ସାମାନ୍ୟ ଚରିତ୍ର ସଂହାର ମଧ୍ୟ ଆବଶ୍ୟକ ସ୍ଥଳେ କରାଯାଉଥିଲା । ଏସବୁ କିଛି କମ୍‌ କଷ୍ଟ କାମ ନଥିଲା । ପଣ୍ଡିତମାନେ ବଡ଼ବାଗରେ ଈଶ୍ୱରମାନଙ୍କୁ ମାର୍ଜା ଦେଇ ରଖିଥିଲେ-ନିର୍ଦ୍ଦିଷ୍ଟ ଈଶ୍ଵରମାନଙ୍କର ଚରିତ୍ର କ’ଣ, ସେମାନେ କ’ଣ ଖାଇବାକୁ ଭଲପା’ନ୍ତି, କେମିତି ପୂଜା ପାଇବା ପାଇଁ ଇଛା କରନ୍ତି, ସେମାନଙ୍କର ରୁଚି-ଅରୁଚି କ’ଣ / ବେଶପୋଷାକ କ’ଣ, ସେମାନଙ୍କ ପାଇଁ କେଉଁ ପ୍ରକାର ବାସଗୃହ (ମନ୍ଦିର / ମସ୍‌ଜିଦ୍‌ / ଚର୍ଚ୍ଚ) ଉପଯୋଗୀ, ପୁଣି କେଉଁ ବିଶେଷ ଉପଚାରରେ ପୂଜିତ ହେଲେ, କେଉଁ ଶ୍ଳୋକଟି ଆବୃତ୍ତି କଲେ ସର୍ବରିଷ୍ଟ ଖଣ୍ଡନ ହୋଇ କର୍ତ୍ତା କେବଳ ଶାନ୍ତି, ସମୃଦ୍ଧି ଅଚିରେ ଲାଭ କରିବେ, ସେଇ ଫଳପ୍ରାପ୍ତି ନିମନ୍ତେ ବ୍ରତ, ଉପବାସ, ଦାନ ଯଜ୍ଞ କେମିତି ସଂପନ୍ନ ହେବ-ଏସବୁର ମଧ୍ୟ ଯୋଗାଡ଼ କରି ପକାଉଥିଲେ । ଅନ୍ୟ ଅର୍ଥରେ, ଯଥେଷ୍ଠ ଆଗରୁ ଆମର ଦେବତାମାନେ ପ୍ରୟୋଜିତ ଦେବତା (Sponsored Gods) ହୋଇ ରହିଥିଲେ ।

 

ଇତିହାସ ସାକ୍ଷୀ-କେବେ ମଧ୍ୟ ଈଶ୍ୱରଙ୍କ ପାଇଁ ଅଥବା ଧର୍ମପାଇଁ ପୃଷ୍ଠପୋଷକତାର ଅଭାବ ପରିଲକ୍ଷିତ ହୋଇନାହିଁ । ପୃଷ୍ଠପୋଷକତା ପାଇଁ ଥରେଥରେ ପ୍ରତିଯୋଗିତା ଲାଗି ଯାଉଥିଲା । କୌଣସି କୌଣସି ମହାରାଜମାନେ ଏତେ ଉଦାରଥିଲେ ଯେ ସେମାନେ ରାଜକାର୍ଯ୍ୟକୁ, ପ୍ରଜାମାନଙ୍କର ସ୍ୱାର୍ଥକୁ ତୁଛ କରି ନିଜନିଜ ଈଶ୍ଵରଙ୍କ ପାଇଁ ଶହଶହ ସଂଖ୍ୟାରେ ମନ୍ଦିରମାନ ନିର୍ମାଣ କରିପକାଉଥିଲେ, ଈଶ୍ଵରଙ୍କର ମାର୍ଫତ୍‌ଦାର ହେବାପାଇଁ ଭାରି ପସନ୍ଦ କରୁଥିଲେ–ନିଜକୁ ଭାଗ୍ୟବାନ ମଣୁଥିଲେ । ଅତ୍ୟନ୍ତ ଗଦ୍‌ଗଦ୍‌ହୋଇ ନିଜକାମ ଆଗରୁ ଅମୁକ ଦେବତାଙ୍କର ଚରଣାଶ୍ରିତ ବା ସେବକ ବୋଲି ପଦୁଟିଏ ଯୋଡ଼ି ଦେଉଥିଲେ । ଏଣେ ରାଜ୍ୟଶାସନ ନର୍କକୁ ଯାଉଥିଲା। ଭବ୍ୟ ମନ୍ଦିର କିନ୍ତୁ ନିରବଚ୍ଛିନ୍ନ ଭାବେ ଗଢ଼ା ଚାଲୁଥିଲା । ସେମାନଙ୍କର ବାରଶହ ବା ତଦୁର୍ଦ୍ଧ ବଢ଼େଇଙ୍କର ଆବଶ୍ୟକତା ପଡ଼ୁଥିଲା ଯେଉଁ ବଢ଼େଇ / କାରିଗରମାନେ ଆପଣା ପରିବାର ସହିତ ଆଦୌ ସଂପର୍କିତ ନହୋଇ (ସେମିତି ଆସ୍ପର୍ଦ୍ଧା ନକରି) ଦିଅଁଙ୍କ ପାଇଁ ମନ୍ଦିର ତୋକୁଥିଲେ । ଯଦି ଆବଶ୍ୟକ ପଡୁଥିଲା ତେବେ ନିଜସ୍ଵ ଈଶ୍ଵରଙ୍କ ଖାତିର୍‌ରେ ସେଇ ମହାନୁଭବ ରାଜାମାନେ ଅନ୍ୟମାନଙ୍କ ସହିତ ଯୁଦ୍ଧ ଘୋଷଣା ମଧ୍ୟ କରିପକାଉଥିଲେ । ଜଣେ ଜିତୁଥିଲେ । ଆଉଜଣେ ହାରୁଥିଲେ । ଅର୍ଥାତ୍‌ଗୋଟିଏ ଦେବତା ଜିତୁଥିଲେ ଏବଂ ଆଉଜଣେ ହାରିଯାଉଥିଲେ ।

 

ଆମର ଆଲୋଚନା ଏଇଠି ସୀମିତ ନୁହେଁ । ଈଶ୍ଵର ନୁହନ୍ତି, ଈଶ୍ଵରଙ୍କ କଥା ଯୁକ୍ତିନିଷ୍ଠ ଭାବେ ନଚେତ୍ ଭାବପ୍ରବଣ ହୋଇ ବଖାଣି ପାରୁଥିବା ମଣିଷମାନେହିଁ ଆମ ସଂସ୍କୃତରେ ମହାତ୍ମା ବା ମହାପୁରୁଷ ହୋଇ ରହି ଆସିଛନ୍ତି । ସେମାନେ ଆପଣା ମହିମାରେ ଈଶ୍ଵରଙ୍କ ସହିତ ତୁଳନୀୟ ହୋଇ ରହିଛନ୍ତି । (ଅବଶ୍ୟ ସ୍ଥଳବିଶେଷରେ ସେମାନଙ୍କ ନିଜ ଉଦ୍ୟମରୁ ନୁହେଁ ବରଂ ସେମାନଙ୍କ ସତ୍‌ଗୁଣ ନିମନ୍ତେ ବନ୍ଦନୀୟ ହୋଇ ରହିଛନ୍ତି) । ସେମାନେ ଭଗବାନଙ୍କର ମୁଖପାତ୍ର ହୋଇ, ମାଧ୍ୟମ ହୋଇ ରହିଛନ୍ତି । ସିଧାସଳଖ ଈଶ୍ୱରଙ୍କୁ କେହି ସାକ୍ଷାତ କରିପାରିବେ ନାହିଁ–ସେଥିପାଇଁ ପୁରୋହିତ / ପୂଜକ / ଗୁରୁଲୋଡ଼ା । ବୋଧହୁଏ ଈଶ୍ଵର ଏମିତି ଏକ ଭାଷାରେ କଥା କହନ୍ତି ଯାହା ଜଣେ ସାଧାରଣ ମଣିଷ ବୁଝିପାରିବ ନାହିଁ । ସେମାନେ ଗୁରୁ, ମାର୍ଗଦର୍ଶକ ଭାବେ ଉପସ୍ଥିତ । ସକଳ ସିଦ୍ଧି ସେଇମାନେହିଁ ପ୍ରାପ୍ତ ହୋଇ ରହିଛନ୍ତି । ସେମାନେ ବାବା / ମହାତ୍ମା / ସନ୍ଥ / ପୟଗମ୍ବର ହୋଇପାରନ୍ତି । କେତେଥର ଏହି ମହାତ୍ମାମାନେ (ଅନେକ କ୍ଷେତ୍ରରେ) ହୁଏତ ବିଶେଷ ଭାବରେ ଉତ୍ତରିତ ( !) ହୋଇ ନିଜକୁ ଈଶ୍ଵର ବୋଲି ଘୋଷଣା କରି ଦେଇଛନ୍ତି ଏବଂ ନିଜପାଇଁ ନିଜେ ପୂଜାର ବିଧାନମାନ ପ୍ରସ୍ତୁତ କରିଛନ୍ତି । ଏବଂ ଯଦି ଅବିକଳ ସେମାନେ ସେମିତି କରିନାହାନ୍ତି, ତେବେ ସେମାନେ ଈଶ୍ୱରଙ୍କ ସ୍ଥିତି, ଚରିତ୍ର ଇତ୍ୟାଦି ସଂପର୍କରେ ନିଜର ଆଭିମୁଖ୍ୟକୁ ସ୍ଵତନ୍ତ୍ରଭାବେ (ବିପଦଳନକ ଭାବରେ) ପ୍ରକଟ କରିଛନ୍ତି । ସେହି ମହାପୁରୁଷମାନେ ମୁତ୍ତିର ମାର୍ଗକୁ ନିଜ ଶୈଳୀରେ ଆଲୋଚନା କରିଛନ୍ତି ଏବଂ ତାନାହିଁ ସର୍ବୋତ୍‌କୃଷ୍ଣ ବୋଲି ପ୍ରତିପାଦନ କରିବାପାଇଁ ଚାହିଁଛନ୍ତି । ସେମାନେ ସର୍ବଧର୍ମ ସମନ୍ଵୟର କଥା କହିଛନ୍ତି । ଆଦର୍ଶ ଜୀବନ କ’ଣ କହିଛନ୍ତି । କିନ୍ତୁ ସକଳ ମୁକ୍ତି କେବଳ ତାଙ୍କରି ମାର୍ଗ ଅନୁସରଣ କଲେ ମିଳିବ-ଏକଥା ମଧ୍ୟ କହିଛନ୍ତି । ସେମାନେ ଭୂଆଁ ବୁଲେଇ ଆସିଛନ୍ତି, ଅଗଣିତଙ୍କୁ-ଅନେକ ବର୍ଷ ଧରି । ଏହା ବିଡ଼ମ୍ୱନା ଯେ ଆମ ସମୟରେ ଅଧିକରୁ ଅଧିକ ଲୋକ ସେମାନଙ୍କୁ ପ୍ରଶ୍ନ ପଚାରିବାପାଇଁ ଇଛା ନକରି ମଧ୍ୟ ସ୍ଵୀକାର କରିନେଇଛନ୍ତି । (ବିଶେଷ ଭାବରେ) ହିନ୍ଦୁ ଧର୍ମରେ ଏଇ ମହାତ୍ମା ମାନେହିଁ ଈଶ୍ଵରଙ୍କୁ ସତରେ ବଡ଼ ଅଡ଼ୁଆରେ ପକେଇ ଦେଉଛନ୍ତି । ସେମାନେ ଈଶ୍ଵରଙ୍କୁ ଏକ ପ୍ରାଇଭେଟ୍‌ ଲିମିଟେଡ଼୍‌ କଂପାନୀରେ ପରିଣିତ କରିସାରିଲେଣି । ଅନ୍ୟ ଅର୍ଥରେ, ଏକ ଅନ୍ତରିଣ ଉଦାରତା ନୁହେଁ ବରଂ ତୁଚ୍ଛା ସ୍ଵାର୍ଥପରତା, ଆତ୍ମମନସ୍କତାହିଁ ଈଶ୍ଵରଙ୍କୁ ଆମ ଆଗରେ ଗୋଟାଏ ସଂପୂର୍ଣ୍ଣ ନୂଆ ସ୍ଵରୂପରେ, ନୂତନ ସଂସ୍କରଣରେ ଅବସ୍ଥାପିତ କଲାଣି । ଏକ ଉପରୋକ୍ତା ସର୍ବସ୍ଵ ସମୟରେ ଆମେ ବିଜ୍ଞାପିତ ଈଶ୍ଵରମାନଙ୍କୁ ଓ ସେଇ ଈଶ୍ଵରଙ୍କୁ କେନ୍ଦ୍ର କରି ଗଢ଼ିଉଠୁଥିବା ସଂସ୍ଥା / ସଂଗଠନମାନଙ୍କୁ ଅଧିକ ପ୍ରାଥମିକତା ଦେବା ଆରମ୍ଭ କରିଦେଇଛୁ ।

 

କେତେବର୍ଷ ତଳେ ଆମେ ‘ଆଫ୍ରିକାନ୍‌ସଫାରୀ’ ରେ ଦେଖିଥିବା ଅଫ୍ରିକୀୟ ସିଂହ ଓ ଅନ୍ୟାନ୍ୟ ଜୀବଜନ୍ତୁମାନେ ଯେମିତି ଅତର୍କିତ ଭାବରେ ଦିନେ ଆମ । ବେଡ଼ରୁମରେ ପହଂଚିଲେ (ସୌଜନ୍ୟ : ନେସ୍‌ନାଲ୍‌ ଜିଓଗ୍ରାଫିକ୍‌, ଡ଼ିସ୍‌କରରି, ଆନିମଲ୍ ପ୍ଲାନେଟ୍ ଇତ୍ୟାଦି) ସେମିତି ଈଶ୍ୱର ଭିନ୍ନ ଅବତାରରେ, ଭିନ୍ନ ଭିନ୍ନ ଟ୍ରେଡ଼୍‌ମାର୍କରେ କ୍ରମଶଃ ଆମ ଘରଭିତରକୁ ଚାଲି ଆସୁଛନ୍ତି । କୌଣସି ଧର୍ମରେ ଏହା ପୂର୍ବରୁ କମ୍‌ପ୍ରବଚନ, କମ୍‌ତକରିଲ୍ ଯଦିଓ ନଥିଲା ଏମିତି ଏକ ସହଜ ଓ ସକ୍ଷମ ମଂଚ ଆଦୌ ନଥିଲା ଯାହା ଏବେ ଆମର ଦୃଶ୍ୟମାଧ୍ୟମ ଯୋଗାଇ ଦେଇଛି । ଈଶ୍ଵରଙ୍କ ନାଁରେ ଖାସ୍‌କେତୋଟି ଟ୍ୟାନେଲ୍‌ଏ ସଂସାରକୁ ସତେଅବା ଅନବରତ ସଂସ୍କାର କରିବାପାଇଁ ବାହାରି ପଡ଼ିଛନ୍ତି । ଭଗବାନଙ୍କ ଉପରେ କୁଆଡେ ଆମର ତୁଟି ଯାଉଥୁବା ଆସ୍ଥାର ପୁନରୁଦ୍ଧାର କରିବାପାଇଁ ଆଗେଇ ଆସଛନ୍ତି । ସେମାନେ ସତେଅବା ନିଜ ନିଜର ଈଶ୍ୱରଙ୍କ (ଈଶ୍ୱରଙ୍କ ନାଁରେ ସଂସ୍ଥାକୁ) ପେଟେଣ୍ଟ କରାଇ ରଖୁଛନ୍ତି ଓ ଶ୍ରେଷ୍ଠତା ପାଇଁ ନିଜ ନିଜ ଭିତରେ ପ୍ରବଳ ପ୍ରତିଯୋଗିତା ଆମ୍ଭେ କରିଦେଇଛନ୍ତି । ଈଶ୍ଵରଙ୍କ ଟ୍ରେଡ଼୍‌ମାର୍କର ଦ୍ରବ୍ୟଗୁଡ଼ାକ ମଧ୍ୟ ସେଇ ଈଶ୍ୱରଙ୍କ ସହିତ ବିଜ୍ଞାପିତ ହୋଇ ଏକ ବିଶେଷ ମାନ୍ୟତା ପାଇଛନ୍ତି । ନିଜ ବ୍ରାଣ୍ଡର ଈଶ୍ୱରଙ୍କ ପାଇଁ ଅର୍ଥାତ୍‌ ନିଜ ସଂଗଠନର ପ୍ରଚାର / ପ୍ରସାର ନିମନ୍ତେ ଉପଯୁକ୍ତ ପିଆର୍‌ଓର ତଲାସ ଜାରି ରହିଛି । ମୋଟାମୋଟି ଭାବେ ‘ମୋକ୍ଷ’ ମାର୍କା ଧୂପକାଠିର ବିକ୍ରିପରି ମୋକ୍ଷଦାୟକ ଈଶ୍ଵରଙ୍କ ସେୟାର ମଧ୍ୟ ବଜାରରେ ବେଶ୍‌ଭଲ ଅଛି; ବିଜ୍ଞାପନର ଲୋକପ୍ରିୟତା ଅନୁଯାୟୀ ନିର୍ଦ୍ଦିଷ୍ଟ ଈଶ୍ୱରମାନଙ୍କର ସେୟାର ମୂଲ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହେଉଛି, ଠିକ୍‌ଯାହା ଏକ ବଜାରଭିତ୍ତିକ ବ୍ୟବସ୍ଥାରେ ଘଟିଥାଏ ।

 

ଏବେ ମଧ୍ୟ ପୃଷ୍ଠପୋଷକତାର ଅଭାବନାହିଁ । ଈଶ୍ଵରଙ୍କ କଥା କହୁଥିବା ମହାତ୍ମାମାନଙ୍କୁ-/ ସଂସ୍ଥାମାନଙ୍କୁ ବ୍ୟକ୍ତିଗତ, ଉଦ୍ୟୋଗସ୍ତରୀୟ ପୃଷ୍ଠପୋଷକତାଠୁଁ ଆରମ୍ଭକରି ସ୍ଥଳବିଶେଷରେ ଧର୍ମ ନିରପେକ୍ଷ ବୋଲାଉଥିବା ରାଷ୍ଟ୍ରମାନଙ୍କ ପୃଷ୍ଠପୋଷକତା ମଧ୍ୟ ପ୍ରାପ୍ତ ହେଉଛି-। ବିଗତ କେତେବର୍ଷ ଧରି ବହୁଳ ଭାବେ ବିଜ୍ଞାପିତ ଈଶ୍ଵର କ’ଣ ସତରେ ତାଙ୍କର ବିଜ୍ଞାପିତ ସ୍ଵରୂପରେ ଆମଭିତରେ କିଛି ଆଧ୍ୟାତ୍ମିକ ପରିବର୍ତ୍ତନ ଆଣିପାରିଛନ୍ତି ? ସତରେ କ’ଣ ଆଧ୍ୟାତ୍ମିକତା ଆମ ସାର୍ବଜନୀନ ସାମାଜିକ ଭୂଇଁରେ କିଛି ସ୍ପନ୍ଦନ ଆଣିଛି ? ହୁଏତ ଏଇଟି ଏକ ଗବେଷଣାର ବିଷୟ / ବିତର୍କର ବିଷୟ । ସେମିତି କିନ୍ତୁ ମନେ ହେଉନାହିଁ । ‘ମୋକ୍ଷ’ ଧୂପକାଠ ଓ ‘ନିର୍ବାଣ’ ମାର୍କା ବୈଦିକ ଚ୍ୟବନପ୍ରାସ୍‌ର ବିଜ୍ଞାପନ ଜନିତ ବ୍ରେକ୍‌ମଝିରେ ଟିଭି ଚ୍ୟାନେଲ୍‌ରେ କୌଣସି ସନ୍ତଙ୍କ ମୁହଁରୁ ‘ପ୍ରାରବ୍ଧ’, ‘ପୁନର୍ଜନ୍ମ’, ଏବଂ ଜୀବନାବର୍ଶ’ ସଂପର୍କିତ ପ୍ରବଚନ କାହାକୁ ସତରେ କ’ଣ ଇସାରା କରିବାପାଇ ଚାହୁଁଛି ? ସତରେ କ’ଣ ଏମିତି ଏକ ଅବସ୍ଥା ଆସି ପହଂଚିଛି ଯେତେବେଳେ କେବଳ ନୀତିବାକ୍ୟମାନେହିଁ ଆମ ଭିତରେ ଏକ ପରିବର୍ତ୍ତନର ପ୍ରୟାସ କରିବେ ? ଆମକୁ ମୁକ୍ତ କରିବେ ? ଆଲୋକର ମାର୍ଗ ଦେଖାଇବେ ? ସତରେ କ’ଣ ଈଶ୍ୱର ଏକ ନିର୍ଦ୍ଦିଷ୍ଟ ପରିଧିର ଏବଂ କାଙ୍କୁ ପାଇବା ପାଇ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି ?

 

ଅନେକବର୍ଷ ତଳେ ‘ଅର୍ଡ଼ର ଅଫ ଦି ଷ୍ଟାର୍‌’ର ପରିସମାପ୍ତି ଘଟାଇବାବେଳେ ଏଇସବୁ ପ୍ରଶ୍ନର ଏକ ସରଳ ଉତ୍ତର ଦେଇଥିଲେ କୃଷ୍ଣମୂର୍ତ୍ତି ଯାହାକୁ ଅନେକ ଏକ ସର୍ବକାଳୀନ ସତ୍ୟ ବୋଲି ଜ୍ଞାନ କରରି । ସେ କହିଥିଲେ, ଈଶ୍ଵରଙ୍କୁ ପାଇବାପାଇଁ କୌଣସି ଗୁରୁର, ଅବଲମ୍ବନର ବା ସଂସ୍ଥାର ଆବଶ୍ୟକତା ନାହିଁ । ଏସବୁ ଯଥାର୍ଥ ମୁକ୍ତିକୁ, ଅସଲ ଈଶ୍ୱରଙ୍କ ଉପଲବ୍‌ଧକୁ ପ୍ରତହତ କରିଥା’ନ୍ତି । କୃଷ୍ଣମୂର୍ତ୍ତିଙ୍କ ସେଦିନର ଏଇ ବକ୍ତବ୍ୟ ବୈପ୍ଳବିକ ଥିଲା । ଈଶ୍ଵରଙ୍କ ନାଁରେ କୌଣସି ପ୍ରଚାର-ସର୍ବସ୍ଵ ସଂସ୍ଥା ନିଶ୍ଚିତ ଭାବରେ ସେଇ ଈଶ୍ଵରୀୟ ସତ୍ତାର ଅପମାନ ।

 

ଯଦ ଏକଥା କେହି ଯୁକ୍ତିକରେ ଯେ ଚେତନାର ଦୁଇଟି ସ୍ତର ରହିଛି ଓ ଅପେକ୍ଷାକୃତ ନମ୍ନଚେତନାର ଅଧିକାରୀ ହୋଇଥିବା ଅଧିକାଂଶ ମଣିଷର ମାର୍ଗଦର୍ଶନ ନିମନ୍ତେ ଏକ ସ୍ଥୁଳ ବିଚାରର ତଥା ସେହିମନ୍ତେ ଈଶ୍ଵରଙ୍କୁ ବିଶେଷ ଭାବେ ବିଜ୍ଞାପିତ କରାଯିବାର ବା ଅନର୍ଗଳ ପ୍ରବଚନ ଶୁଣାଇବାର ଆବଶ୍ୟକତା ରହିଛି, ତେବେ ଅବଶ୍ୟ ପ୍ରବଚନ ଚ୍ୟାନେଲ୍‌ର ସଂଖ୍ୟାରେ ବୃଦ୍ଧି ଘଟିବ ଏବଂ ଈଶ୍ଵରଙ୍କ ପାଇଁ ବ୍ରାଣ୍ଡ ଆମ୍ବାସଡର୍‌ ତଥା ପି.ଆର.ଓ.ମାନଙ୍କର ଆବଶ୍ୟକ ହେବ-। କିନ୍ତୁ ପ୍ରକୃତରେ ସେମିତିରେ ଆମ ଭିତରେ କିଛି ପରିବର୍ତ୍ତନ ହେବନାହିଁ । ଆମ ବେଡ଼୍‌ରୁମ୍‌ରେ ଆମର ଉଲ୍ଲଂଘ କାମନାମାନଙ୍କ ଭିତରେ ଈଶ୍ଵର ସାମୟିକ ଭାବେ ଆମକୁ ରୋମାଂଚିତ ଅବଶ୍ୟ କରିବେ, ଅନ୍ୟମନସ୍କ କରିବେ, ହୁଏତ ବେଦ-ଉପନିଷଦର ପ୍ରାଣଷ୍ପର୍ଶୀ ଶ୍ଳୋକ / ମନ୍ତ୍ର ସବୁ ବର୍ତ୍ତମାନର ‘ଗଉରା-କ’ଣ ଖାଉଛୁ’ ଶ୍ରେଣୀର ବିଚିତ୍ର ଗୀତମାନଙ୍କ ଭିତରକୁ ପଶିଆସି ଆହୁରି ବିଚିତ୍ର ଶୁଭିବେ ଏବଂ ସେଇ ଆଲ୍‌ବମ୍‌ର ବିକ୍ରି ବଢ଼ାଇବେ। ଏହାହିଁ ଘଟିବା ଆରମ୍ଭ ହୋଇଯାଇଛି । ଈଶ୍ୱର ଏକ ବିକଶିତ ଚେତନା ଭାବରେ ନୁହେଁ ବରଂ ଏକ ସୌଖୀନ ଜୀବନଯାତ୍ରାର ପଣ୍ୟ ସାମଗ୍ରୀ ପରି ପ୍ରତୀୟ ହେଲେଣି । ସେ ଅଧିକରୁ ଅଧିକ ବିଜ୍ଞାପିତ ହେବେ । ଦିନେ ହୁଏତ ସେ ଟିଭି ପରଦା ଭିତରୁ ଅକସ୍ମାତ୍‌ ବାହାରି ଆସିବେ । ସେ ଆମ ବେକ୍‌ସାଇତଡ଼ ସୋଫାରେ ବସିବେ ଏବଂ ନିଜ ପ୍ରବଚନର ସଦ୍ୟ ରିଲିଜ୍‌ ହୋଇଥିବା ଡଲ୍‌ବି ଡ଼ିଜିଟାଲ୍‌ ତିଭିଡ଼ିଟାଏ ସାଂଗରେ ଆଣିଥୁବେ । ସେଇଟିକୁ ସେ କିଣିବାପାଇଁ ଆମକୁ କହିପାରନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Image

 

Unknown

ମାୟାର ଭୂମି

 

ମାୟା ଏକ ଅଦ୍ଭୁତ ଶବ୍ଦ । ମାୟାକୁ ସଂକ୍ଷେପରେ ଗୋଟିଏ ମାତ୍ର ଇଂରାଜୀ ଶବ୍ଦରେ ବର୍ଣ୍ଣନା କରିହେବନାହିଁ। ବୋଧହୁଏ ଅନ୍ୟ କୌଣସି ଭାଷଣରେ ମାୟାର ସମାନ ଶବ୍ଦଟିଏ ମଧ୍ୟ ନାହି । ‘ମାୟା’ କେବଳ ‘ମାୟା’ ଭାବରେ ଏ ଜଗତରେ ବିଦିତ ଏବଂ ବ୍ୟାପ୍ତ । ମାୟାକୁ ଏକ ଭ୍ରମ, ପ୍ରହେଳିକା, ମରୀଚିକା କୁହାଯାଇଛି । ମାୟାକୁ ଇନ୍ଦ୍ରଜାଇ, ଅବିଶ୍ୱାସ, ଅବିଦ୍ୟା ଏବଂ ଅଜ୍ଞାନ ବୋଲି ମଧ୍ୟ କୁହାଯାଇଛି । ମାୟା ପୁଣି ସୃଷ୍ଟି, ସୃଜନୀ, ପ୍ରକୃତି ଏବଂ ଈଶ୍ଵରଙ୍କର ଅନ୍ୟନାମ । ମାୟା ହିଁ ଜୀବନ । ଏଇ ସକଳ ଜଗତ ମାୟାର ପରିପ୍ରକାଶ, ମାୟା ଜୀବନ-ମୃତ୍ୟୁର ଲୁଚକାଳି ଖେଳ, ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଉପସ୍ଥିତ ଅର୍ଦ୍ଧସତ୍ୟ-ଏମିତି ଯୁକ୍ତି ମଧ୍ୟ ରହିଛି । ବେଦ, ଉପନିଷଦମାନଙ୍କ ସମୟରୁ ଆଜିଯାଏ ମାୟାର ତର୍ଜମା ଚାଲିଛି । ମାୟାକୁ ମୋହ, ଲୋଭ ଏବଂ ପାପର ମେଳରେ ଦଳେ ଯଥେଷ୍ଟ ଆଗରୁ ସାମିଲ କରି ରଖୁଛନ୍ତି ଏବଂ ମାୟାଟି ମୋକ୍ଷର ପରମ ଶତ୍ରୁ ବୋଲି ସେମାନେ ବରାବର ବିଚାରି ଆସିଛନ୍ତି । ମୋକ୍ଷ ପ୍ରାପ୍ତି ପାଇଁ, ମୁକ୍ତି ପାଇଁ ମାୟାଟାକୁ ପୁରାପୁରି କୁଆଡ଼େ ନିର୍ବାସିତ ହେବାପାଇଁ ପଡ଼ିବ । ଜୀବନର ସବୁ ଭୁଲ୍‌ଗୁଡ଼ାକ କୁଆଡ଼େ ଏଇ ମାୟା ପାଇଁ ହେଉଛି ଏବଂ ମନକୁ, ଚେତନାକୁ ମୋକ୍ଷର ଦର୍ଶନ / ପ୍ରାପ୍ତିରୁ ମାୟା ବଂଚିତ କରି ରଖିଛି । ମାୟାକୁ ମୁକ୍ତିର ଶତ୍ରୁ ବୋଲି ବିଚାରୁଥିବା ଏକ ଦଳଟି ସ୍ଵକୀୟ ମୁକ୍ତିପାଇଁ ବରଂ ବୈରାଗ୍ୟକୁ ଆପଣାର ଅନ୍ତରଂଗ ମନେକରିଛନ୍ତି । ଏଇ ମର୍ମରେ ଗୌତମ ବୁଦ୍ଧଙ୍କ ଦର୍ଶନ ସେମାନଙ୍କ ପାଇଁ ଭାରି ଦିବ୍ୟ ମନେହୋଇଛି । ‘ଏ ସଂସାର ଦୁଃଖମୟ, ଦୁଃଖର କାରଣ ତୃଷ୍ଣା ବା କାମନା, କାମନାର ବିନାଶରେ ଦୁଃଖର ବିନାଶ ।’ ଗୌତମଙ୍କ ଏହି ଦର୍ଶନର ଏକ ଦୃଢ଼ ଯୁକ୍ତିନିଷ୍ଠ ଭୂମିଟିଏ ଅବଶ୍ୟ ରହିଛି । କିନ୍ତୁ ଗୌତମ ନିଜେ ସଂସାର କରିବାପରେ ସଂସାର ସୁଖ ଅଳୀକ, କ୍ଷଣସ୍ଥାୟୀ ବୋଲି ମନେ କରିଥିଲେ ଏବଂ ସଂସାର ତ୍ୟାଗ କରିବାପାଇଁ ନିଷ୍ଣତ୍ତି ନେଇଥିଲେ । କୁହାଯାଇଛି, ବୁଦ୍ଧ ଅନେକଦିନ ବଂଚିଥିଲେ (ଅଶୀ ବର୍ଷ) ଏବଂ ତତ୍‌କାଳୀନ ଭାରତର ଅନେକ ଅଞ୍ଚଳରେ ନିର୍ବାଣର ସନ୍ଦେଶ ଭାରି ସଫଳତାର ସହିତ ପହଞ୍ଚାଇ ଦେଇପାରିଥିଲେ । ବୌଦ୍ଧଧର୍ମରେ ବୃହତ୍ତର ଭାବରେ ମାୟା (ସଂଶୟ) ନିର୍ବାଣର ଶତ୍ରୁ ଥିଲା, ମୁକ୍ତିର ଅନ୍ତରାୟ ହୋଇ ଛିଡା ହୋଇଥିଲା । ସାଂସାରିକତା ସମସ୍ତ ଦୁଃଖର କାରଣ, ଅତଏବ ନିର୍ବାଣ ପାଇଁ ସବୁ ପ୍ରଲୋଭନ ଠାରୁ (ମାୟାଠାରୁ) ଦୁରେଇ ଯିବା ପାଇଁ ହେବ, ଏକ ଭିକ୍ଷୁର ଜୀବନ ଆଦରି ନେବାପାଇଁ ହେବ, ଏମିତି ଏକ ଯୁକ୍ତ ଏବଂ ଆବେଗରେ ସେତେବେଳେ ବିଶ୍ଵାସ କରାଯାଉଥିଲା । ଏକଥା ମଧ୍ୟ କୁହାଯାଇଛି ଯେ ସେତେବେଳର ସେଇ ଆଭିମୁଖ୍ୟଟି କେବଳ ମାତ୍ର ଆଧ୍ୟାତ୍ମିକ ଭୂମି ଉପରେ ନିର୍ଭରଶୀଳ ନଥିଲା । ପ୍ରାଚୀନ ଭାରତରେ, ବୁଦ୍ଧଙ୍କ ସମୟର ସମାଜରେ ବୈରାଗ୍ୟକୁ / ସନ୍ୟାସକୁ ଆପଣେଇ ନେବାରେ ଅର୍ଥନୈତିକ ପୃଷ୍ଠଭୂମିଟିଏ ମଧ୍ୟ ଯୋଡ଼ି ହୋଇରହିଥିଲା । ବୌଦ୍ଧମାନଙ୍କ ପାଇ ଏକ ସଂଘର ଉତ୍ତମ ବ୍ୟବସ୍ଥା ଥିଲା । ସଂଘ ମାଧ୍ୟମରେ ବୌଦ୍ଧ ଧର୍ମକୁ ଆବଶ୍ୟକୀୟ ପୃଷ୍ଠପୋଷକତା ମଧ୍ୟ ମିଳୁଥିଲା । ସେହିମନ୍ତେ ସଂଘ ପୁନର୍ବାସର ଏକ ମାଧ୍ୟମ ହୋଇ ମଧ୍ୟ ରହିଥିଲା ବୋଲି କୁହାଯାଇଛି ।

 

ଅଣ-ଆଧ୍ୟାତ୍ମିକ ଅନ୍ୟାନ୍ୟ ଅନେକ ପାର୍ଥିବ କାରଣରୁ ମାୟାଟି ମଧ୍ୟ ଅତୀତରେ ଭାରି ନକାରାତ୍ମକ ହୋଇରହିଥିଲା । ମୋହ, ଲୋଭ, ଇର୍ଷା, ହିଂସା ଏବଂ ପାପ-ଏମାନେ ସମସ୍ତେ ମାୟାର ପାର୍ଶ୍ଵଦେବତା ହିସାବରେ ବିଦ୍ୟମାନ ଥିଲେ । ଏବେ ବି ଆମ ସମୟର ସନ୍ଥମାନେ ମାୟାକୁ ଏକ ‘ଅପଦେବତା’ର ଆସନ ଦେଇଛନ୍ତି, ଅଭିଶାପର ଆସନ ଦେଇଛନ୍ତି । ମାୟାଠାରୁ ଗୋଟାପଣେ ମୁକୁଳିଯାଇ ସାକ୍ଷାତ୍‌ମୋକ୍ଷପ୍ରାପ୍ତି ପାଇଁ, ପରମାର୍ଥକୁ ପାଇବା ପାଇଁ ଆଶାବାନ୍ଧି ବସିଛନ୍ତି । ସେଇ ସନ୍ଥମାନେ ବଡବାଗରେ ଆପଣାକୁ ଅନ୍ୟମାନଙ୍କ ଠୁଁ ପୃଥକ୍‌କରି ରଖୁଛନ୍ତି ଏବଂ ମଂଚାରୁ ନିବୃତ୍ତିର ସୁଦୀର୍ଘ ଭାଷଣମାନ ଶୁଣାଇଛନ୍ତି । ସେଇ ବକ୍ତୁତାମାନ ଆମ ପାଇଁ ଭାରି ଦିବ୍ୟ, ଭାରି ପ୍ରେମମୟ ପ୍ରତ୍ୟୟ ହୋଇଛନ୍ତି ଏବଂ ଏବେ ମଧ୍ୟ ଶୀତ-ତାପ-ନିୟନ୍ତ୍ରିତ ବୈଠକଖାନାରେ ନଚେତ ତଥାକଥିତ ଭାବ-ଗମ୍ଭୀର, ମନୋଜ୍ଞ, ଏକ ସାଂଧ୍ୟ ସାଧାରଣ ସଭାରେ ଆମେ ସେଇ ପ୍ରବଚନମାନଙ୍କୁ ଜୀବନାଦର୍ଶର ଅସଲ ଭୂମି ବୋଲି ମନେକରୁଛୁ । ମାୟା, କ୍ରମଶଃ ସମୟର ଆରମ୍ଭରୁ ଏହିମନ୍ତେ ପଳାୟନର ଅନ୍ୟନାମଟିଏ ହୋଇ ତିଷ୍ଠି ରହିଛି।

 

ଭାରତୀୟ ସଂସ୍କତିରେ ମାୟାର କାୟା ବ୍ୟାପକ, ବିସ୍ତୃତ । ମାୟା କେବଳ ଏକ ପ୍ରହେଳିକା ହିସାବରେ ଆମ ଆଗଟେ ଉଭା ହୋଇନାହିଁ, ମାୟାର ରହସ୍ୟ ଉନ୍ମୋଚନ କରିବାପାଇଁ ଯାଇ ଆମ ସଂସ୍କୃତି ଜୀବନର ଅସଲ ଦୁଆରଟି ପାଖକୁ ଚାଲିଆସିଛି । ମାୟାକୁ ତୁଚ୍ଛା ପ୍ରହେଳିକାଟିଏ ମନେ କରୁଥୁବା ସଂକୀର୍ଣ୍ଣ ମାନସିକତାଠାରୁ ଯଥେଷ୍ଟ ଦୂରରେ ମାୟାକୁ ସ୍ଵୟଂ ପ୍ରକୃତି ଏବଂ ପ୍ରକୃତି ପୁରୁଷ ବୋଲି ଜ୍ଞାନ ମଧ୍ୟ କରାଯାଇଛି । ମାୟାର ଚମତ୍କାର ବିବର୍ତ୍ତନଟିଏ ଦୃଶ୍ୟମାନ ହୋଇଛ ।

 

ଉପନିଷଦରେ ମାୟାକୁ ଅସାଧାରଣ, ଆଲୌକିକ, ଅତିଭୌତିକ ଶକ୍ତି ଭାବରେ ବର୍ଣ୍ଣନା କରାଯାଇଛି, ଯାହା କେବଳ ଈଶ୍ୱରଙ୍କଠି ଉପଲବ୍‌ଧ । ବେଦରେ ମାୟୀ ପୃଥିବୀକୁ ଧାରଣ କରିଛି ବୋଲି କୁହାଯାଇଛି । ଶ୍ରେତାଶ୍ଵରର ଉପନିଷଦରେ କୁହାଯାଇଛି ଯେ ମାୟା ହିଁ ସୃଜନୀ ଶକ୍ତି, ମାୟା ପ୍ରକୃତି, ଯିଏ ମାୟାକୁ ଧାରଣ କରିଛନ୍ତି ସେ ସର୍ବତ୍ର ବିଦ୍ୟମାନ ସେ ହିଁ ଈଶ୍ଵର..। ତେବେ ମାୟାର ସ୍ଵରୁପକୁ ବୁଝିବାପାଇଁ ତିନୋଟି କଥା ବୁଝିବା ଆବଶ୍ୟକ ହେବ-(୧) ସଂଶୟ / ସନ୍ଦେହ (୨) ପ୍ରମାଦ (୩) ମିଥ୍ୟାଜ୍ଞାନ / ତୃଟି । ସଂଶୟ (dout) ହେଉଛି, ଇତସ୍ତତଃ, ଅସ୍ଥିର ଜ୍ଞାନ । ପ୍ରମାଦ (Fallacy) ହେଉଛି ଅସଂପୂର୍ଣ୍ଣ ଅପୂର୍ଣ୍ଣ ଜ୍ଞାନ ଏବଂ ତୃଟି (Error) ହେଉଛି ଦୋଷଯୁକ୍ତଜ୍ଞାନ ଅର୍ଥାତ ଅଜ୍ଞାନ ।

 

ସାଂଖ୍ୟ ଦର୍ଶନର ଅନ୍ୟତମ ପ୍ରବକ୍ତା କପିଳ ମାୟାକୁ ‘ଅବିଦ୍ୟା’ ବା ଅଜ୍ଞାନ’ ବୋଲି କହିଥିଲେ । ‘ପୁରୁଷ’ ଠାରୁ ‘ବୁଦ୍ଧି’ / ଅଖ୍ୟାତି’ ମଧ୍ୟରେ ବାରି ହୋଇପାରୁନଥିବା ପ୍ରଭେଦଟି ମାୟା । ‘ମଂଚରେ ନୃତ୍ୟାଙ୍ଗନାଟିଏ ତାର ନୃତ୍ୟପରେ ଦର୍ଶକମାନଙ୍କ ଦୃଶ୍ୟ ଅପସରିଯିବା ପରି ‘ପ୍ରକୃତି’ (Gross matter) ‘ପୁରୁଷ’ (Passive spirit) ନିକଟରେ ଆପଣାକୁ ପ୍ରକଟ କରି ପୁଣି ଅପସରି ଯାଇଥାଏ ।’ ସାଂଖ୍ୟ ଦର୍ଶନରେ ଉପଲବ୍‌ଧ ଏଇ ଅନତିକ୍ରମଣୀୟ ଅବୋଧଗମ୍ୟତାକୁ ଆମ ସଂସ୍କୃତିରେ ‘ମାୟା’ ର ପୁର୍ବସୁରୀ ବୋଲି ବିଚାର କରାଯାଇଛି । ପାତଞ୍ଜଳି ଯୋଗସୁତ୍ରରେ କହିଛନ୍ତି, ଯେତେବେଳେ ପ୍ରାଣୀ ତା’ ଦେହରେ ବିରାଜମାନ ଆତ୍ମାକୁ କେବଳ ଶରୀର ଜ୍ଞାନ କରେ ସେତେବେଳେ ଏଇ ଅବଧାରଣା, ଏଇ ବଂଧନ ଅବିଦ୍ୟା / ଅଜ୍ଞାନରୁ ହିଁ ଉତ୍ପନ୍ନ ହୋଇଥାଏ ଏବଂ ଅବିଦ୍ୟାର ବିନାଶରେ ଯଥାର୍ଥ ମୁକ୍ତି / ମୋକ୍ଷ ସଂଭବ ହୋଇଥାଏ । ସାଂଖ୍ୟର ଅବୋଧଗମ୍ୟତା / ‘ଅଖ୍ୟାତି’ ଯୋଗରେ ଭ୍ରମାତ୍ମକ ଉପଲବଧି ବା 'ଅନ୍ୟଥାଖ୍ୟାତି' ଭାବରେ ପରିଚିତ ।

 

ଶଙ୍କରାଚାର୍ଯ୍ୟ ମାୟାକୁ ବୁଝାଇବାପାଇଁ ଅନ୍ଧାରରେ ଦଉଡିଟିଏ ଦର୍ଶକ ପାଇଁ ସର୍ପର ଭ୍ରମ ସୃଷ୍ଟି କରିବା ପ୍ରସଙ୍ଗ ଉପସ୍ଥାପନ କରିଥିଲେ । କିନ୍ତୁ ଯେଉଁ ମୁହୂର୍ତ୍ତରେ ପଥିକ ଦର୍ଶକ ଦଉଡିଟିକୁ ଦଉଡି ବୋଲି ଉପଲବ୍ଧି କରେ ସେଇ ମୁହୂର୍ତ୍ତରେ ସାପଟି ତତ୍‌କ୍ଷଣାତ୍‌ ଅଦୃଶ୍ୟ ହୋଇଯାଏ । ଅର୍ଥାତ୍‌ ମାୟା ଅପସରି ଯାଏ । ଅଜ୍ଞାନ ହେତୁ ଆମେ ଆପଣାକୁ ତୁଚ୍ଛା ନଶ୍ୱର ଜୀବଟିଏ ବୋଲି ବିଚାରିଥାଉ । ଆମ ଚାରିପାଖର ପୃଥିବୀ, ସମୟ, କାଳ ସବୁ କାର୍ଯ୍ୟକାରଣରେ ବନ୍ଧା ସୂତ୍ର ପରି ପ୍ରତୀୟମାନ ହୁଅନ୍ତି । ଆମେ ନିଜର ଅସାରତା, ସୀମାବଦ୍ଧତା, ବନ୍ଧନ ଏବଂ ଯନ୍ତ୍ରଣା ସମ୍ପର୍କରେ ଚିନ୍ତା କରି ଆପଣା ଭିତରେ ଭାରି ଛନ୍ଦି ହୋଇପଡ଼ୁ । ଅଥଚ, ପ୍ରକୃତରେ ଆମ ଭିତରେ ଅନ୍ତର୍ନିହିତ ‘ବ୍ରହ୍ମ’ କୁ, ସଂସାରର ପ୍ରତିଟି ଉପାଦାନରେ ବିଦ୍ୟମାନ ବ୍ରହ୍ମର ସେଇ ଅଖଣ୍ଡ, ନିତ୍ୟ ସ୍ଵରୂପକୁ ଆମେ ଚିହ୍ନି ପାରିନଥାଉ । ମନର ସେଇ ଭ୍ରମ ଥରେ ମାତ୍ର ଅପସରିଗଲେ ଆପଣାର ଅଭ୍ୟନ୍ତର ଏବଂ ସାରା ସଂସାରଟା ବ୍ରହୁମୟ ଲାଗେ । ଏଠାରେ ଆଉଥରେ ଅବଶ୍ୟ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଦର୍ଶନର ବିଭିନ୍ନ ସୋପାନରେ ମାୟା ମୌଳିକ ଭାବେ ମାୟା ଭାବରେ ବର୍ଣ୍ଣିତ / ଆଲୋଚିତ ହୋଇଛି । ଅବଶ୍ୟ ମାୟାର ଉପାଦାନ ଭାବରେ ‘ସଂଶୟ’, ମିଥ୍ୟାଜ୍ଞାନ’, ‘ଅଭାବ’, ‘ଅବିଦ୍ୟା’ ଏବଂ ‘ଅଖ୍ୟାତି’ ଆଦି ବ୍ୟବହାର କରାଯାଇଛି । ବେଦାନ୍ତର ଟୀକାକାରମାନେ ମାୟାକୁ ଅବାସ୍ତବ / ଅସତ୍ୟ (unreal) ବୋଲି କହିଛନ୍ତି କାରଣ ମାୟା ‘ଜୀବ’ (Soul) ଏବଂ ବ୍ରହ୍ମ (Absolute Truth) ମଝିରେ ‘ଦୈତ’ (dual) ଭାବରେ ଉପସ୍ଥିତ । ମାୟା ସତ୍ୟପରି ବୋଧ ହେଉଥିବା ସ୍ଵପ୍ନପରି ଅବାସ୍ତବ । ଯେମିତି ଦଉଡିଟି ଅନ୍ଧାରରେ ସର୍ପର ଭ୍ରମ ସୃଷ୍ଟି କରେ ଠିକ୍‌ ସେହିପରି ସ୍ଵୟଂ ପ୍ରାଣୀମଧ୍ୟ ଆପଣାର ଅନେକ ଆକୃତି / ରୂପ ବିଦ୍ୟମାନ ବୋଲି ବିଚାରିଥାଏ । ସେଇ ଅବସ୍ଥାଟିରେ କିଛି ‘ଉତ୍ପତ୍ତି' ହୁଏନାହିଁ, କିଛି ‘ନିରୋଧ’ (ବିନାଶ) ମଧ୍ୟ ହୁଏନାହିଁ । ଅର୍ଥାତ୍‌ କଳ୍ପନାଟିର ସେଇ ଭୂମିଟି ଭାରି ଅବାସ୍ତବ ହୋଇଥିବାରୁ ନିଜକୁ ଏକ କାଳ୍ପନିକ ବୃତ୍ତର ପରିଧି ଭିତରେ ଆବିଷ୍କାର କରିଥାଏ । ଅନ୍ୟ ଅର୍ଥରେ ଆତ୍ମା (ସତ୍‌) ନିତ୍ୟ । ସେ ଜୀବନ ଓ ମୃତ୍ୟୁଚକ୍ରର ବାହାରେ । ସତ୍‌ର କୌଣସି ଭଗ୍ନାଂଶ ମଧ୍ୟ ଅସମ୍ଭବ । ଆମକୁ ଦୃଶ୍ୟ ହେଉଥିବା ସବୁକିଛି ଠିକ୍‌ ‘ମାୟାହସ୍ତୀ’ ପରି ଯାହା ଆପଣାଛାଏଁ ପ୍ରକଟ ହୋଇପାରେ ନାହିଁ, କେବଳ ଅଭିଜ୍ଞର ଅଭିଜ୍ଞତାରେ ଏହାର ଦର୍ଶନ ସମ୍ଭବ ହୋଇଥାଏ । ଅଭିଜ୍ଞତା ହିଁ ‘ଜୀବନ’ କୁ ‘ଜୀବନ’ ଏବଂ ‘ମୃତ୍ୟୁ’ କୁ ‘ମୃତ୍ୟୁ’ ବୋଲି ପ୍ରତିପାଦନ କରିଥାଏ ।

 

ଗୌଡ଼ପଦ ଜୀବନକୁ ଏକ ଜାଗ୍ରତ ସ୍ଵପ୍ନ ବୋଲି ମନେ କରୁଥିଲେ । ତାଙ୍କ ମତରେ ‘ଏଇ ସଂସାରଟି କେବଳ ମଣିଷର ମନରେ / କଳ୍ପନାରେ ହିଁ ତିଷ୍ଠି ରହିଛି ।’ ‘ଦୈତ'ର ସଂସାର କେବଳ ମାତ୍ର ମାୟା, ପ୍ରାଣୀଟି ପ୍ରକୃତରେ ‘ଅଦ୍ୱୈତ’ ।’ (ମାୟା ମାତ୍ରଂ ଇଦଂ ଦ୍ଵୈତମ୍‌, ଅଦ୍ଵୈତମ୍‌ ପରମାର୍ଥତା ) । ଭଗବତ୍‌ ଗୀତାର ବିଶ୍ୱରୂପ ଦର୍ଶନ ଯୋଗରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପରେ ସହସ୍ର ଭାଗରେ ବିଭକ୍ତ ବ୍ରହ୍ମାଣ୍ଡ ପରମାତ୍ମାଙ୍କ ଠାରେ ପୁଞ୍ଜିଭୁତ ହୋଇଥିବା ଦେଖିପାରିଥିଲେ । ‘ଯେମିତି ତରଂଗାୟିତ ହେଲେ ମଧ୍ୟ ସୂର୍ଯ୍ୟ ସ୍ଥିର ରହିଥା’ନ୍ତି ସେହିପରି ପ୍ରତିଫଳିତ ଜଳରେ ‘ବିଷୟାସକ୍ତ’ ହୋଇ ଆତ୍ମା ଅନେକ ରୂପ ଧାରଣ କଲେ ମଧ୍ୟ ଆତ୍ମା ‘ଅଦ୍ୱୈତ’, ‘ଅବିକାରୀ’, ଓ ପରିବର୍ତ୍ତନରହିତ ।’ ଆତ୍ମାର ବିଷୟାସକ୍ତ ହେବାର କ୍ରିୟାଟି ପ୍ରକୃତରେ ମାୟାର ଚାତୁରୀ । ଅତଏବ ମାୟା ହିଁ ଚେତନାର ପରମାର୍ଥକୁ ଉତ୍ତରଣ କ୍ରମରେ ଏକ ଭ୍ରମାତ୍ମକ ପରି ପ୍ରକାଶ । ଅର୍ଥାତ୍‌, ଜୀବ ଏବଂ ଆତ୍ମାର ମହାମିଳନରେ, ସଂଯୋଗରେ ଯେତେବେଳେ ବ୍ୟାଘାତ ସୃଷ୍ଟିହୁଏ, ଅଖଣ୍ଡ ଚେତନା ଏବଂ ସଂକ୍ଷେପିତ ଅଭିଜ୍ଞତା ମଧ୍ୟରେ ଥିବା ସୂକ୍ଷ୍ମ ଭାରସାମ୍ୟ ଯେତେବେଳେ ଅସନ୍ତୁଳିତ ହୋଇଯାଏ ସେତିକିବେଳେ ମାୟାଟି ତା'ର କିମିଆଁ ଦେଖାଉଥାଏ । ଆହୁରି ମଧ୍ୟ କୁହାଯାଇଛି ଯେ ଜଗତ ବା ସଂସାର କ୍ଷଣସ୍ଥାୟୀ । ସୁଖଦୁଃଖ ପରି ଜଗତ ବି ଆତଜାତ ହେଉଥାଏ । ଜଗତ ମିଥ୍ୟା ଏବଂ ସତ୍ୟ ହିଁ ବ୍ରହ୍ମ । ସଂସାର ନଶ୍ଵର । ଆତ୍ମା ନିରନ୍ତର । ଯେତେବେଳେ କଳ୍ପନା ସବୁ ଆପଣା ଗୁମ୍ଫାମାନଙ୍କରୁ ବାହାରକୁ ଆସନ୍ତି ଏବଂ କାଳ୍ପନିକ ଭୂମିରୁ ବାସ୍ତବିକତାରେ ଅବର୍ତ୍ତୀର୍ଣ୍ଣ ହୁଅନ୍ତି ସେତେବେଳେ ମାୟା ଭାରି ସରାଗରେ ତା'ର କାଉଁରୀ ହାଡ଼ଟି ଧରି ହସୁଥାଏ । ଶଙ୍କରାଚାର୍ଯ୍ୟ କହିଥିଲେ–ମାୟା ‘ବ୍ରହ୍ମ’ ର (ସତ୍ୟର) ବିପରୀତ (Artithesis) ଏବଂ ଜଗତ ସହିତ ସଂପୃକ୍ତ, ଯେଉଁ ଜଗତ ଅଳୀକ, ମିଥ୍ୟା । ମାତ୍ର ଜଗତ ବ୍ରହ୍ମ ମଧ୍ୟ ଏକ ଅଂଶ । ଶୂନ୍ୟତାରୁ କୌଣସି ସୃଷ୍ଟି ସମ୍ଭବ ନୁହେଁ । ଅବିନାଶୀ, ଶାଶ୍ୱତ ବ୍ରହ୍ମରୁ ବ୍ରହ୍ନାଣ୍ଡର ଉତ୍ପତ୍ତି । ଅବିଦ୍ୟାର ମୁଖା ପିନ୍ଧି ମାୟା ହି ବ୍ରହ୍ମର ନିତ୍ୟ ଏବଂ ନଶ୍ଵର ସ୍ୱରୂପଗତ ତାରତମ୍ୟକୁ ସଂକୀର୍ଣ୍ଣ କରିବା ପାଇଁ ସବୁମନ୍ତେ ଚେଷ୍ଟା କରିଥାଏ । ସେହି ଦୃଷ୍ଟିରୁ ମାୟା ଭାରି ଛଳନାମୟୀ ।

 

ମାୟା ଐକ୍ୟକୁ ବରାବର ବିରୋଧ କରେ, ସବୁ ସଂଯୋଗର ଶତ୍ରୁ ହୋଇ ଛିଡ଼ା ହୁଏ । ଆତ୍ମାର ଅନ୍ତଃର୍ନିହିତ ଐକ୍ୟ ଭିତରେ ମାୟା ସଂହତି ଦେଖିପାରେ ନାହିଁ । ବରଂ ତା'କୁ ଆବୋରି ବସିଥିବା ଅବିଦ୍ୟାଟି ସତ୍ୟକୁ, ଐକ୍ୟକୁ ବହୁଧା ବିଭକ୍ତ କରି ପ୍ରତିଭାତ କରେ ବ୍ରହ୍ମ କିନ୍ତୁ ଅସଂଖ୍ୟ ରୂପରେ ଆପଣାକୁ ପ୍ରକଟ କରି, ସୃଷ୍ଟିର ସଂରଚନା କରେ ସେତେବେଳେ ବ୍ରହ୍ମର ଏହି କ୍ରିୟାକୁ ‘ପ୍ରକୃତି’ କୁହାଯାଏ । ଜଗତ ପାଇଁ ‘ବହ୍ମ’ ସେତିକିବେଳେ ‘ଈଶ୍ୱର’ ରେ ରୂପାନ୍ତରିତ ହୁଅନ୍ତି । (ଈଶ୍ଵରସ୍ୟ ମାୟା ଶକ୍ତି ପ୍ରକୃତି) । ମାୟା ଈଶ୍ଵରଙ୍କ ଅନ୍ତର୍ନିହିତ ଶକ୍ତି ଯାହାକୁ ଈଶ୍ଵର ଆପଣା ସୃଷ୍ଟିରେ ରୂପାନ୍ତରିତ କରିଥାନ୍ତି । ଏହି ଶକ୍ତିର ଅନ୍ୟକୌଣସି ସତ୍ତା ନାହିଁ, ଦ୍ୱିତୀୟ ଉତ୍ସ ନାହିଁ । ବିଧାତା ହିଁ ଏହି ଶକ୍ତିର ଆରମ୍ଭ । ବିଧାତା ହିଁ ଏହାର ଶେଷ ।

 

ମାୟା ତା'ର ‘ଅବିଦ୍ୟା' / ମିଥ୍ୟାଜ୍ଞାନ ମାଧ୍ୟମରେ ଦୁଇଟି ମାର୍ଗରେ ଆପଣାକୁ ପ୍ରକଟ କରେ ବୋଲି କୁହାଯାଇଛି । (୧) ଅବର୍ଣ୍ଣ (Concealment), (୨) ବିକ୍ଷେପ ମାୟା (Misresentalion) ସତ୍ୟକୁ ଲୁଚାଇ ରଖେ ଏବଂ ସତ୍ୟର ଅପଳାପ ମଧ୍ୟ କରେ । ଅଥଚ ବ୍ରହ୍ମ ବା ପରମାତ୍ମା ମାୟାର ଭେଳିକିରେ ପ୍ରଭାବିତ ହୁଅନ୍ତି ନାହିଁ । ମାୟାର ଇନ୍ଦ୍ରଜାଲରେ ଆତ୍ମା ଜମାରୁ ଧରାଦିଏ ନାହିଁ । ଆତ୍ମା ଅମଳିନ, ଆତ୍ମା ନିତ୍ୟ । ଆତ୍ମାକୁ ତମସା, ନିଦ୍ରା, ଜାଗୃତି କିଛି ସ୍ପର୍ଶ କରିପାରନ୍ତି ନାହିଁ । ସିଏ ଏମାନଙ୍କଠାରୁ ଦୂରରେ ଯଦିଓ ମାୟା ସୃଷ୍ଟିକର୍ତ୍ତା ଏବଂ ସୃଷ୍ଟିଭିତରେ ସଦାସର୍ବଦା ଅସନ୍ତୁଳନ ଆଣିବା ପାଇଁ ବ୍ୟଗ୍ର ହୋଇ ବସିଥାଏ । ଫାଟଟିଏ ସୃଷ୍ଟି କରିବା ପାଇଁ ଚେଷ୍ଟିତ ଥାଏ । ସମୟ ଓ କାଳର ପ୍ରେକ୍ଷାପଟରେ ଏଇ ବିଚିତ୍ର ମାନସିକ ସ୍ପଳନଟି ଏକତାକୁ ଅନେକତା, ଐକ୍ୟକୁ ଅନୈକ୍ୟ ଭାବରେ ଦୃଶ୍ୟମାନ କରାଏ । ।

 

ଶିବସୂତ୍ରରେ ଆଚାର୍ଯ୍ୟ ବାସୁଗୁପ୍ତ ମାୟାର ସ୍ୱରୂପକୁ ପ୍ରତିପାଦନ କରିବା ପାଇଁ ‘କାଳାଦିନାମ୍‌ ତତ୍ତ୍ୱାନାମ୍‌ ଅବିବେକୋ ମାୟା’ ବୋଲି କହିଛନ୍ତି । ଅର୍ଥାତ୍‌ କାଳର ସତ୍ୟ ସ୍ୱରୂପ ଅବୋଧ୍ୟମ୍ୟତା ହିଁ ମାୟା, ପରମାର୍ଥକୁ ତାଙ୍କର ଅସଲ ରୂପରେ ଚିହ୍ନିନପାରିବା ହିଁ ମାୟା । ପରମାର୍ଥ ତାଙ୍କର ଅସଲ ରୂପରେ ଆତ୍ମପ୍ରକାଶ ନ କରିବା ମଧ୍ୟ ମାୟା । ଅନ୍ୟ ଅର୍ଥରେ ‘ସମ୍ୱିତ୍‌'ର (Supreme conscioueness) ର ଜାଗତିକ ବସ୍ତୁମାନଙ୍କ ମଧ୍ୟରେ ଉତ୍ତରିତ ନହୋଇପାରିବାର ଅବସ୍ଥାଟି ମାୟା । ଶୈବ ଦର୍ଶନରେ ଆତ୍ମା ଏବଂ ପଦାର୍ଥ ମଧ୍ୟରେ ମାୟା ଏକ ଅପଂହଚ ବିସ୍ତୃତି, ଏକ ଅନାବିଷ୍କୃତ ଦୂରତ୍ୱ । ଶୈବମାନେ ମାୟାକୁ ‘ଆଦିଶକ୍ତି’ ଏବଂ ‘ମୂଳପ୍ରକୃତି’ ବୋଲି ମଧ୍ୟକହିଛନ୍ତି । ମାୟା ଶିବଙ୍କ ଅନ୍ତର୍ନିହିତ, ଶିବ ସମାହତ, ମାତ୍ର ଶିବଙ୍କ ଉତ୍ତରଣର ଶତ୍ରୁ ନୁହେଁ । ଆତ୍ମ-ଉପଲବଧିର ମାର୍ଗରେ ଅର୍ଥାତ୍‌ ଚୈତନ୍ୟପ୍ରାପ୍ତିର ସଂଧାନରେ ‘ଜୀବ’ ଟି ଭାରି ଛନ୍ଦି ହୋଇପଡ଼ିଥାଏ; ଏଇ ଛନ୍ଦଗୁଡାକୁ ଚ୍ଛିନ୍ନ କରିପାରିଲେ ସିଏ ‘ପାପମୁକ୍ତ’ ହୁଏ ଏବଂ ସ୍ୱୟଂ ଶିବରେ ରୂପାନ୍ତରିତ ହୋଇଥାଏ । ମାୟା ‘ପାଶବଦ୍ଧତା’ ଏବଂ ‘ପାଶମୁକ୍ତି’ ମଝିରେ ଏକ ଭାସମାନ, କ୍ଷଣିକ ମାନସିକ ବିକାର । ଯେପର୍ଯ୍ୟନ୍ତ ପରମାର୍ଥର ଦର୍ଶନ ନ ହୋଇଛି ସେପର୍ଯ୍ୟନ୍ତ ଜୀବସହିତ ମାୟା ମିତ ହୋଇରହିଛି । ମୋହିନୀ କନ୍ୟାପରି ମାୟା ତାକୁ ପୁରା କାବୁ କରି ରଖିଛି। ମାତ୍ର ସମ୍ମୋହନର ଏଇ ମୁହୂର୍ତ୍ତଟି କଦାପି ଚିରନ୍ତନ ହୋଇନପାରେ । ଆତ୍ମାନୁଭୂତିର ସ୍ଵର୍ଗୀୟ ସଂଭାବନାଟିକୁ ମାୟା ବିନାଶ କରିପାରିବନାହିଁ ।

 

ଉତ୍ତରିତ ‘ଶିବ’ଙ୍କର / ସତ୍ୟଟିର ମାୟା ଏକ ଅନ୍ତର୍ନିହିତ ଆକୃତି (ବିଶ୍ୱାର୍ଣ୍ଣୟ) । ଅତଏବ, ମାୟା ଶିବଙ୍କ ଠାରୁ, ସତ୍ୟଠାରୁ ଅଭିନ୍ନ ନୁହେଁ । ଶୈବମାନଙ୍କର ମତ ଯେ ଯଦିଓ ଶିବ ସ୍ଵୟଂ ‘ବିଶ୍ଵରୂପ’, ସେ ସୃଷ୍ଟିରେ ବିଶ୍ଵାସ କରନ୍ତି । ଶକ୍ତିର ଏଇ ପରିସ୍ଫୁଟନରେ ମାୟା ପରଦାଟିଏ ପରି ସତ୍ୟକୁ ଢ଼ାଙ୍କି ରଖିବା ପାଇଁ ଚେଷ୍ଟା କରେ । ସତ୍ୟକୁ ଏକକ ସ୍ଵରୂପରେ ନୁହେଁ ବରଂ ସହସ୍ର ଆକୃତିରେ, ଭଗ୍ନାଂଶରେ ଆମ ଆଗରେ ଉପସ୍ଥିତ କରାଏ । ‘ନୀଳ’ କୁ ‘ନୀଳ’ ଭାବରେ ଏବଂ ‘ପୀତ’ କୁ ‘ପୀତ’ ଭାବରେ ଦୃଶ୍ୟ କରାଏ ଅଥଚ ଯେଉଁ ମୁହୂର୍ତ୍ତରେ ଜ୍ଞାନର ଦରଜାଟି ଖୋଲିଯାଏ ଦର୍ଶକଟି ପାଇଁ ସବୁ ଆକାର ଏକାକାର ହୋଇଯାଏ, ସବୁ ରଂଗ ଗୋଟିଏ ରଂଗ ହୋଇଯାନ୍ତି । ସେଇ ମୁହୂର୍ତ୍ତରେ ମାୟାର ଭବ୍ୟ ମହଲଟି ମଧ୍ୟ ଏକାବେଳେକେ ଅଦୃଶ୍ୟ ହୋଇଯାଏ । ବେଦାନ୍ତରେ ମାୟାକୁ ‘ଅବାସ୍ତବ’ କୁହାଯାଉଥିବା ସ୍ଥଳେ ଶୈବ ଦର୍ଶନରେ ମାୟାକୁ ‘ଅବାସ୍ତବ’ ଆଖ୍ୟା ଦିଆଯାଇନାହିଁ । ମାୟାର ଏକ ନିଜସ୍ୱ ଭୂମି ରହିଛି । ଯେତେ ଅଳୀକ, କ୍ଷଣସ୍ଥାୟୀ ହୋଇଥାଉନା କାହିଁକି ମାୟାର ଆପଣା ଅଗଣାଟିଏ ରହିଛି । ଶୈବ ମତବାଦରେ ସାରା ବିଶ୍ଵଟି ସେଇ ଚେତନାପୁରୁଷର ପ୍ରତିଫଳନ ଯିଏ ବାସ୍ତବ, ସର୍ବବ୍ୟାପୀ ତଥା ସ୍ଵତନ୍ତ୍ର । ‘ପୁଣି ବିଧାତାର ସୃଷ୍ଟି (ବିଶ୍ଵମାୟା) ଏବଂ ଉତ୍ତରଣ (ବିଶ୍ଵତ୍ତୀର୍ଣ୍ଣ)ର ସଂପର୍କ ହେଉଛି ପ୍ରତିଫଳିତ ଏବଂ ପ୍ରତିଫଳକର ସମ୍ପର୍କ । ଯଦି ପ୍ରତିଫଳକ ସତ୍ୟ ତେବେ ପ୍ରତିଫଳନ ଅବାସ୍ତବ ହୋଇପାରିବ ନାହିଁ, କାରଣ ପ୍ରତିଫଳିତର ପ୍ରତିଫଳକ ଭିନ୍ନ ସ୍ଵତନ୍ତ୍ର ସ୍ଥିତି ନାହିଁ । ଅତଏବ ମାୟା ଅବାସ୍ତବ ହୋଇନପାରେ । ମାୟା ବିଧାତାର ସୁତ୍ରଧର । ମାୟା ଏକ ମୂହୂର୍ତ୍ତ । ଅନ୍ତର୍ନିହିତକୁ ଉତ୍ତରଣରେ ଲୀନ କରିବାର ମୁହୂର୍ତ୍ତ । ଏକ ଅଦ୍ଭୁତ ମୁହୂର୍ତ୍ତ । ଶିବଙ୍କର ଆଦିଶକ୍ତି ଏବଂ ଉତ୍ତରିତ ମୁହୂର୍ତ୍ତମାନଙ୍କ ମଧ୍ୟରେ ମାୟା ଏକ ଲୁଚକାଳି ଖେଳ ।’

 

ବେଦାନ୍ତରେ ମାୟାଟି ଅନମନୀୟ ଏବଂ ଅସଂଲଗ୍ନ ମନେ ହେଉଥିବାବେଳେ ଶୈବଦର୍ଶନରେ ମାୟା ସକଳ ଶକ୍ତିର ଆଧାର (ସକଳ ଜନନୀ) । ଶିବ ଓ ଶକ୍ତିଙ୍କ ମଧ୍ୟରେ ଯେଉଁ ପର୍ଯ୍ୟନ୍ତ ଅସାମଞ୍ଜସ୍ୟ ତିଷ୍ଠିରହିଥିବ ସେପର୍ଯ୍ୟନ୍ତ ମାୟା ସକାରାତ୍ମକ ହୋଇରହିଥିବ । ମାୟାକୁ ତ୍ୟାଗ ନକଲେ ମୁକ୍ତି ଅସମ୍ଭବ ବୋଲି ବେଦାନ୍ତରେ କୁହାଯାଇଛି, କାରଣ ମାୟା ‘ଜୀବ’ ର ‘ଅବିଦ୍ୟା’ । ଯେପର୍ଯ୍ୟନ୍ତ ପ୍ରାଣୀଟି ଏ ଜଗତର ଅଂଶ ହୋଇରହିଥିବ ଅର୍ଥାତ୍‌ ଜାଗତିକ ହୋଇ ରହିଥିବ ତାର ମୁକ୍ତି ସଂଭବ ହେବନାହିଁ । ଶୈବ ଚେତନା ଅନୁଯାୟୀ ଆମରି ଜୀବନଚକ୍ର ଭିତରେ, ସକଳ ଜାଗତିକତା ମଧ୍ୟରେ ମୁକ୍ତିର ପ୍ରବନ୍ଧ ରହିଛି । ଏହାକୁ ‘ଜୀବନାମୁକ୍ତାବସ୍ଥା’ କୁହାଯାଇଛି । ଅର୍ଥାତ୍‌ ଆପଣାର ଜୀବନଚର୍ଯ୍ୟାରେ, ଆପଣାର ପରିଧିଭିତରେ ମୁକ୍ତିର ମହାମୃତ୍ୟୁଞ୍ଜୟ ମନ୍ତ୍ରଟି ମଧ୍ୟ ଲୁଚି ରହି ଶୈବ ବିଶ୍ଵାସ ଅନୁଯାୟୀ, ଯେତେବେଳେ ଜ୍ଞାନର ଉଦୟ ହେବ, ସବୁ ବିବିଧତା ଭିତରେ କେବଳ ଏକତା ହିଁ ଦିଶିଯାଉଥିବ, ସକଳ ଅନୈକ୍ୟ ଭିତରେ କେବଳ ଐକ୍ୟ ହିଁ ଉପଲବ୍ଧ ହେଉଥିବ, ସେତିକିବେଳେ ପରମାନନ୍ଦ ପ୍ରାପ୍ତି ହେବ । ମୁକ୍ତିର ଚିରସବୁଜ ଉପତ୍ୟକାଟି ସେତିକିବେଳେ ଭାରି ଆକର୍ଷଣୀୟ, ଆନନ୍ଦମୟ ହୋଇ ପ୍ରତିଭାତ ହେବ । ଶୈବ ଦର୍ଶନରେ ‘ଭୋଗ’କୁ ନକାରାତ୍ମକ ବୋଲି ମନେ କରାଯାଇନାହିଁ ବରଂ ‘ରୋଗ’ ହିଁ ‘ଯୋଗ’ର ପୂର୍ବସୂରୀ ବୋଲି କୁହାଯାଇଛି । ବେଦାନ୍ତରେ ସଂସାର ତ୍ୟାଗ କରିଥିବା ‘ସନ୍ନ୍ୟାସୀ’ ମାନେ ଅଛନ୍ତି ମାତ୍ର ଶୈବ ଦର୍ଶନ ‘ଆଚାର୍ଯ୍ୟ’ କୁ ବିଚାରବନ୍ତ ମନେକରିଛି । ଆଚାର୍ଯ୍ୟ ନିଜେ ଅସଂଲଗ୍ନ ନୁହନ୍ତି ମାତ୍ର ସେ ଆତ୍ମା ଏବଂ ଅବୟବଗୁଡାକ ଭିତରେ ଥିବା ପ୍ରଭେଦର ଉର୍ଦ୍ଧ୍ୱେ । ପଦାର୍ଥ ଏବଂ ପରମାତ୍ମାଙ୍କ ମଧ୍ୟରେ ସେମାନେ ପାର୍ଥକ୍ୟ ଅନୁଭବ କରିପାରନ୍ତି ନାହିଁ । ସଂକ୍ଷେପରେ, ବେଦାନ୍ତ ସ୍ରଷ୍ଟା ଠାରୁ ମାୟାକୁ ଦୂରନ୍ତ କରି ରଖିଛି ଯାହା ଶୈବମାନଙ୍କ କ୍ଷେତ୍ରରେ ହୋଇନାହିଁ । ଶୈବମତରେ ବିଧାତା ତାଙ୍କ ଉତ୍ତରଣରେ ମାୟା ଉପରେ ଅବଲମ୍ବନ ନ ରଖିଥିଲେ ହେଁ ମାୟା ସ୍ରଷ୍ଟାଙ୍କ ସହିତ ମୌଳିକ ଭାବେ ସଂଲଗ୍ନ ।

 

ହିନ୍ଦୁ ଧର୍ମରେ ସଂସାରକୁ ଅବାସ୍ତବ ବୋଲି ମଧ୍ୟ କୁହାଯାଇଛି । ଆମ ଚାରିପାଖର ସଂସାରଟି ଅଜ୍ଞାନ ଏବଂ ଅସତ୍ୟର ସଂସାର । ଆମ ବୃତ୍ତର ପରିଧି ବାହାରେ ‘ସତ୍‌’ ର ଅସଲ ଜଗତଟି ରହିଛି । ଇନ୍ଦ୍ରିୟମାନେ ଏହି ଜଗତକୁ ସ୍ପର୍ଶ କରିପାରିବେ ନାହିଁ, ଅତଏବ ଏହା ଇନ୍ଦ୍ରିୟାତୀତ । ଯେପର୍ଯ୍ୟନ୍ତ ପ୍ରାଣୀ ଆପଣାକୁ ଏଇ ବିଶାଳ ପୃଥିବୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ବିଚାର ନକରିଛି, ସେ ଏକ ଅବାସ୍ତବ ଭୂମି ଉପରେ ରହିଛି । ସିଏ ଆପଣା ସ୍ଵାର୍ଥର ବଶବର୍ତ୍ତୀ ହୋଇ ରହିଛି ଏବଂ ସ୍ୱାର୍ଥସିଦ୍ଧିପାଇଁ ଯାବତୀୟ କର୍ମ କରୁଛି । ସିଏ ନିଜପାଇଁ ବଂଚିଛି ଏବଂ ଆତ୍ମରକ୍ଷା କରୁଛି । ସ୍ଵକୀୟ ସ୍ଵାର୍ଥର ଏଇ ସୁଦୀର୍ଘ ଯାତ୍ରାରେ ମାୟାଟି ବରାବର ତା’ର ସାଥୀ ହୋଇରହିଛି । ଇନ୍ଦ୍ରିୟମାନେ ତାକୁ ସୁଖ ଏବଂ ଦୁଃଖର ଅନୁଭୂତିମାନ ଦେଉଛନ୍ତି । ସିଏ ଇନ୍ଦ୍ରିୟମାନଙ୍କର କ୍ରୀତଦାସ ହୋଇରହିଛି । ଜଗତର ସମସ୍ତ ପ୍ରାଣୀ ଏଇଥିରେ ବନ୍ଧା । ଏବଂ ଯେଉଁମାନେ ଏଇ ବନ୍ଧନକୁ ସ୍ଵୀକାର କରନ୍ତି ନାହିଁ ସେମାନେ ଇନ୍ଦ୍ରିୟାଧୀନ, ଅଧିକ ଆଚ୍ଛନ୍ନ, ମାୟାଚ୍ଛନ୍ନ । ଅନ୍ୟ ଅର୍ଥରେ, ଆରମ୍ଭରୁ ହିଁ ଆମ ଆତ୍ମା ଭିତରେ ବସ୍ତୁବାଦର ମଂଜିଟି ରୋପଣ କରାଯାଇଛି । ସ୍ଵକୀୟ ବିକାଶ ନାଁରେ ଆମର ପିତାମାତା, ଆତ୍ମୀୟ, ଶିକ୍ଷକ, ଶିକ୍ଷାୟତନ ସମସ୍ତେ ଡାରଓ୍ୱିନ୍‌ଙ୍କ ବିବର୍ତ୍ତନ ସୁତ୍ର ହିଁ ଭାରି ମନଦେଇ ଆମକୁ ପଢ଼ାଇ ଆସିଛନ୍ତି । ଏଇ ପୃଥିବୀଟି ସବୁଠୁଁ ସକ୍ଷମର ପୃଥିବୀ, ପାରିବାଲୋକର ପୃଥିବୀହୋଇ ରହିଛି । ପ୍ରତିଯୋଗିତାର ପୃଥିବୀ ହୋଇ ମଧ୍ୟରହିଛି । ନିଜକୁ ଯଥାର୍ଥରେ ଏକ ସଜ୍ଞାନୀ ଭାବରେ ନୁହେଁ, ଦରଦୀ ମଣିଷଟିଏ ହିସାବରେ ନୁହେଁ ବରଂ ଏକ ବ୍ୟାଧ ଭାବରେ ଆମେ ନିଜକୁ ପ୍ରସ୍ତୁତ କରୁଛୁ । କେବଳ ଆପଣାର ଖୋସାଟିକୁ ଆମେ ରମ୍ୟ ମଣିବା ଶିଖିଛୁ । ମଣିଷ ଏବଂ ଏଇ ସୁନ୍ଦର ସୃଷ୍ଟିକୁ ପ୍ରକାରାନ୍ତରେ ଏକ କାମଳ ଆଖିରେ ଦେଖି ବା ପାଇଁ ଆମକୁ ସବୁପ୍ରକାର ତାଲିମ ଓ ପ୍ରେରଣା ବଡ଼ କାଇଦାରେ ଯୋଗାଇ ଦିଆଯାଇଛି । ଏଠି ପାରିବାପଣିଆର ପ୍ରତିଯୋଗିତା ଚାଲିଛି । ପ୍ରତିଯୋଗୀମାନଙ୍କୁ ସମୃଦ୍ଧ କରିବାପାଇଁ ଉର୍ବର ଅନୁଷ୍ଠାନମାନ ମଧ୍ୟତିଆରି ହୋଇଛନ୍ତି । ଏକ ଯାନ୍ତ୍ରିକ ପାଶବିକ ଆବେଗ ଆମ ଦିଗ୍‌ବଳୟଗୁଡିକୁ ଭାରି ଧୂଆଁଳିଆ କରିପକାଉଛନ୍ତି । ସବୁ ସବୁଜ ବିସ୍ତୃତି ଆମକୁ ନିଜ ବଂଗ୍‌ଲୋର ଟେରାସ୍‌ ଗାର୍ଡସ୍‌ ପରି ଦିଶୁଛନ୍ତି । ସବୁ ରଂଗୀନ ପ୍ରଜାପତିଗୁଡ଼ିକ ଭାରି ହିଂସ୍ର ମନେହେଉଛନ୍ତି । ଏହାହିଁ କ’ଣ ମାୟା ? ମାୟାର ଇନ୍ଦ୍ରଜାଲ ?

 

ମାୟାର ଅନ୍ୟ ଏକ ନିୟମ ହେଉଛି ଯେ ମାୟା କାହାକୁ ମୁକ୍ତିର ବାଟ ଦେଖାଇବ ନାହିଁ-। ସିଏ ମୁକ୍ତିର ସବୁଠାରୁ ବଡ଼ ଶତ୍ରୁ । ପରିତ୍ରାଣର ବାଟକୁ ସିଏ ଅବଶ୍ୟ ଓଗାଳିବ, ସମସ୍ତ ଶକ୍ତି ଖର୍ଚ୍ଚ କରି ଓଗାଳିବ । ହିନ୍ଦୁ ଧର୍ମରେ ମାୟା ବହୁଚର୍ଚ୍ଚିତ । ଭଗବତ ଗୀତାରେ ପ୍ରାଣୀକୁ ପ୍ରାଣୀର ଶତ୍ରୁ ବୋଲି କୁହାଯାଇଛି, ପୁଣି ମିତ୍ର ବୋଲି କୁହାଯାଇଛି । ଆମର ବାହାରଟି ଆମ ଭିତରର ଶତ୍ରୁ ବୋଲି ମଧ୍ୟ କୁହାଯାଇଛି । ପାର୍ଥିବ ଜଗତର ମୋହରେ ଚେତନାର ବାହ୍ୟ ସ୍ଵରୂପଟି ଆତ୍ମାର ଶତ୍ରୁ । ଅଥଚ ଆପଣାର ଉପଲବ୍ଧିର ମାର୍ଗରେ, ଆଲୋକର ମାର୍ଗରେ, ସଦ୍‌ଗତିର ପ୍ରଶସ୍ତ ରାଜପଥରେ ସିଏ ପରମମିତ୍ର । ଅତଏବ ଆମରି ଚେତନା ମାଧ୍ୟମରେ ଆମେ ସୀମାବଦ୍ଧତାରୁ ଅସୀମ ଆଡକୁ ପାଦପକାଉ, ଆପଣାର ବୃତ୍ତ ବାହାରେ ଅନ୍ୟ ଏକ ବୃତ୍ତର ଦିବ୍ୟ ଉଚ୍ଚାଟନ ଶୁଣିପାରୁ । ପ୍ରହେଳିକାର କାତିଗୁଡାକ ନଷ୍ଟ କରିଦେବାର ସମ୍ଭାବନା ସୃଷ୍ଟିକରୁ । ଅନ୍ଧାରିଆ ଅଳିନ୍ଦଗୁଡାକୁ ଅତିକ୍ରମ କରିବାର ସାହସ କରୁ । ସେତେବେଳେ ଈଶ୍ଵର ଧରାପୃଷ୍ଠକୁ ଓହ୍ଲାଇ ଆସି ଆମ ସମସ୍ୟାର ସମାଧାନ କରିଦିଅନ୍ତି ନାହିଁ । ସିଏ ଅବଶ୍ୟ ଆମ ଭିତରକୁ ଆସନ୍ତି ଏବଂ ଅନ୍ଧାରରୁ ଆଲୋକକୁ ବାଟ କଢ଼ାଇ ନେବାପାଇଁ ଦିବ୍ୟ ପ୍ରେରଣାଟିଏ ହୋଇ ରହନ୍ତି । ଆପଣାର ଏଇ ଅନ୍ଵେଷଣରେ ମାୟାକୁ ଅଧିକ ଅନ୍ତରଙ୍ଗ ଭାବେ ଅନୁଭବ କରିବାପାଇଁ ଆମକୁ ସୁଯୋଗଟିଏ ମଧ୍ୟମିଳେ । ମାୟାର ଛାଇ-ଆଲୁଅ ଖେଳକୁ ବୁଝିସାରିଲାବେଳକୁ ମାୟା ହଟିଯାଇଥାଏ । ମାୟାର ମେଘଖଣ୍ଡ ଭାସିଯିବାପରେ ସେଇ ସ୍ଥାନରେ ଯାହା ପ୍ରତ୍ୟକ୍ଷ ହୋଇଥାଏ ସେଇଟି ମୁକ୍ତିର ଉଦ୍ ଭାସ-। ପବିତ୍ର, ଦିବ୍ୟ ମୁହୂର୍ତ୍ତ । ଗୀତାରେ ଏକଥା ମଧ୍ୟ କୁହାଯାଇଛି ଯେ ମୋକ୍ଷ ସ୍ଵୟଂ ମୁକ୍ତି ନୁହେଁ, ମୋହର ବିନାଶ ହିଁ ଯଥାର୍ଥ ମୁକ୍ତି ।

 

ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ / ବିଜୟ ହାସଲ କରିବା ପାଇଁ ଗୀତାରେ କୁହାଯାଇଛି, କାରଣ ପ୍ରାଣୀ ଇନ୍ଦ୍ରିୟମାନଙ୍କର ଅଧୀନ । ସାଂଖ୍ୟଯୋଗରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ‘ହେ ଅର୍ଜୁନ, ଇନ୍ଦ୍ରିୟମାନେ ଏତେ ବଳବାନ ଏବଂ ଦୁର୍ଦ୍ଦାନ୍ତ ଯେ ସେମାନଙ୍କ ନିକଟରୁ ଜ୍ଞାନୀ ଲୋକଟିଏ ମଧ୍ୟ ଖସି ଯାଇପାରେ ନାହିଁ । ସବୁଠୁଁ ଜ୍ଞାନୀର ମଧ୍ୟ ଆସକ୍ତି ଜାତ ହୁଏ, ଆସକ୍ତିରୁ କାମନା ଜାତ ହୁଏ ଏବଂ କାମନାକୁ କ୍ରୋଧ ଜାତ ହୁଏ । ସ୍ମୃତି ବିଭ୍ରମ ହେଲେ ବୁଦ୍ଧି ନାଶ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୋଇଯାଏ ସେତେବେଳେ ପ୍ରାଣୀ ପୁଣି ସଂସାର ଭିତରେ ବାନ୍ଧି ହୋଇପଡ଼େ । ‘ପ୍ରକାରାନ୍ତରେ ଏହାହିଁ ମାୟାର ଚକ୍ର । ବିଷ ଚକ୍ର । ମାୟାର ଚକ୍ରରୁ ମୁକୁଳିବା, ଇନ୍ଦ୍ରିୟାତୀତ ହେବା ସହଜ ସାଧ୍ୟନୁହେଁ ।

 

ମୋକ୍ଷ ସନ୍ନ୍ୟାସଯୋଗରେ (ଗୀତା) କୁହାଯାଇଛି ‘ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟଭୋଗ୍ୟ ବିଷୟବସ୍ତୁ ସହିତ ସଂଯୋଗ ହେଲେ ଯେଉଁ ସୁଖ ମିଳେ ସେସବୁ ପ୍ରଥମେ ଅମୃତପରି ଜଣାପଡ଼େ, କିନ୍ତୁ ପରିଣାମରେ ବିଷ ସଦୃଶ ଅଟେ । ସେଇ ସୁଖଟି ଆତ୍ମାନୁଭୁତି ନିମନ୍ତେ ପ୍ରତିବନ୍ଧକଟିଏ ହୋଇଥାଏ । ସେଇ ସୁଖଟି ଆରମ୍ଭରୁ ଶେଷପର୍ଯ୍ୟନ୍ତ ମାୟାମୋହିତ ଅଟେ । ସେଇ ସୁଖଟି ନିଦ୍ରା, ଆଳସ୍ୟ ଏବଂ ମାୟାରୁ ଜାତ ଏବଂ ସେଇ ସୁଖଟି ତୁଛା ତାମସିକ ସୁଖ’ । ଗୀତାରେ ଅବଶ୍ୟ ଏହି ମର୍ମରେ ‘ମୋହନ’ ଶବ୍ଦର ବ୍ୟବହାର ହୋଇଛି । ମୁକ୍ତିପାଇଁ ଶ୍ରୀକୃଷ୍ଣ ସବୁଧର୍ମ ତ୍ୟାଗ କରି ନିର୍ଭୟରେ ତାଙ୍କ ଶରଣରେ ରହିବାପାଇଁ କହିଛନ୍ତି । (ସର୍ବଧର୍ମାନ୍‌ ପରିତ୍ୟକ୍ୟ ମାମେକଂ ଶରଣଂ ବ୍ରଜ) । ପରମାତ୍ମାଙ୍କ ପ୍ରାପ୍ତି ହଁ ମୁକ୍ତି, ମୋକ୍ଷର ପ୍ରାପ୍ତି । ଏହାହିଁ ଗୀତାର ଅନ୍ୟତମ ବାର୍ତ୍ତା ।

 

ବିବେକାନନ୍ଦ ମାୟା ଉପରେ ଥରେ ଏକ ଚମତ୍କାର ଭାଷଣ ଦେଇଥିଲେ । ସେଇ ଭାଷଣରେ (୨୦ ଅକ୍ଟୋବର ୧୮୯୬, ଲଣ୍ଡନ) ବିବେକାନନ୍ଦ ଈଶ୍ଵରୀୟ ଚେତନାର ବିବର୍ତ୍ତନ ଉପରେ ମଧ୍ୟ ଆଲୋଚନା କରିଥିଲେ । ସଭ୍ୟତାର ଆରମ୍ଭରୁ ମଣିଷ ପାଇଁ ବରାବର ଦୁଇଟି ସମାନ୍ତରାଳ ଭୂମି ବିଦ୍ୟମାନ । ଗୋଟିଏ ଭୂମି ଇନ୍ଦ୍ରିୟର ଭୂମି ଯିଏ ଆମକୁ କେତେ ରଂଗରେ, ଆକୃତିରେ, ଉଚ୍ଚାଟରେ ମୋହିତ କରି ରଖିଛି । ସେଇ 'ଭୂମି' ଟି ‘ପ୍ରକୃତି'ର ଭୂମି ବୋଲି ବିବେକାନନ୍ଦ କହିଛନ୍ତି । ଆର ଭୂମିର ଉଚ୍ଚାଟଟି ଭାରି କ୍ଷୀଣ, ଭାରି ଝାପ୍‌ସା ଯାହା ସହଜରେ ବାରି ହୁଏନାହିଁ । ସେଇ ଭୂମିଟି ‘ନିବୃତ୍ତିର ଭୂମି’, ଇନ୍ଦ୍ରିୟାତୀତର ଭୂମି ଯିଏ ପ୍ରବୃତ୍ତିର ବୃତ୍ତି ଆଦରି ନେବାରେ ଏକଦମ୍‌ ଅମଙ୍ଗ ହୁଏ, ଆପତ୍ତି କରୁଥାଏ । ବିବେକାନନ୍ଦ କହିଛନ୍ତି, ପୃଥିବୀରେ ସବୁଧର୍ମ ଏଇ ଆପତ୍ତିକୁ ଭିତ୍ତି କରି ଆସିଛନ୍ତି । ସେଇ ବାରଣଟିକୁ, ଅମଙ୍ଗଟିକୁ ଆଶ୍ରା କରି ଆପଣାର ଶାଖା-ପ୍ରଶାଖା ବିସ୍ତାର କରିଛନ୍ତି । ଏହି କ୍ରମରେ ମଣିଷର ଧାରଣୀ ଭିତରକୁ ଈଶ୍ଵର ଆସିଛନ୍ତି । କ୍ରମବର୍ଦ୍ଧିଷ୍ଣୁ ଚେତନା ସହିତ ତାଳଦେଇ ଆମେ ଈଶ୍ୱରଙ୍କର ଚରିତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛୁ । ସମୟକ୍ରମେ ଆମର ଧାରଣା ଜନ୍ମିଛି ଯେ ଇନ୍ଦ୍ରିୟର ସମ୍ମୋହନ ଏକ ନିର୍ଦ୍ଦିଷ୍ଟ ଶେଷର ଅପେକ୍ଷା ରଖେନାହିଁ । ଅତଏବ ଇନ୍ଦ୍ରିୟଲବ୍‌ଧ ସନ୍ତୋଷ ଭାରି ଆପେକ୍ଷିକ, ଭାରି ଅସଂପୂର୍ଣ୍ଣ ।

 

ଇନ୍ଦ୍ରିୟର ବୃତ୍ତଟି ପରୋକ୍ଷରେ ମଧ୍ୟ ଏକ ନର୍କର ବୃତ୍ତ । ଏହି ବୃତ୍ତରୁ ମୁକ୍ତି ପାଇଁ ଆଉ ବୃତ୍ତଟିକୁ ଯିବା ପାଇଁ ପଡ଼ିବ, ଯେଉଁଟି ପରମ ଶାନ୍ତି ଆଣିଦେବ । ସଭ୍ୟତାର ଆରମ୍ଭରୁ, କାହିଁ କେଉଁ ଆଦିମ କାଳରୁ ଜଗତ ଉପରେ ଆମର ଏଇ ଜ୍ଞାନକୁ ନେଇ ଆମେ ଉଭୟ ସନ୍ତୁଷ୍ଟ ଏବଂ ଅସନ୍ତୁଷ୍ଟ ହୋଇରହିଛୁ । ‘ଜ୍ଞାନ-ଅଜ୍ଞାନ ମଧ୍ୟରେ ଉପସ୍ଥିତ ଏଇ ଗୋଧୂଳିକୁ, ସତ୍ୟ ଏବଂ ଅସତ୍ୟର ସେଇ ଦୂରନ୍ତ ମିଳନକୁ କେହି ପ୍ରକୃତରେ ପ୍ରତ୍ୟକ୍ଷ କରିନାହାନ୍ତି । ଏକ ସ୍ଵପ୍ନର ମଝିରେ ମଧ୍ୟ ଆମେ ଗତିଶୀଳ, ଅର୍ଦ୍ଧସୁପ୍ତ, ଅର୍ଦ୍ଧଜାଗ୍ରତ । ଏହ ହିଁ ସମସ୍ତ ଇନ୍ଦ୍ରିୟଜ୍ଞାନର ଅନ୍ତିମ ପରିଣତି । ଏହା ହିଁ ସକଳ ଦର୍ଶନର ଭାଗ୍ୟ । ବିଜ୍ଞାନର ଭାଗ୍ୟ । ଜ୍ଞାନର ଭାଗ୍ୟ । ଏବଂ ଏହା ହି ବ୍ରହ୍ମାଣ୍ଡ ।’

 

ବିବେକାନନ୍ଦ ପୁଣି କହିଛନ୍ତି, ମନ ବା ଆତ୍ମା ସେଇ ଗୋଟିଏ କଥା ଅଥଚ ଆମେ ସେମାନଙ୍କ ଉପସ୍ଥିତି ବା ଅନୁପସ୍ଥିତି ସମ୍ପର୍କରେ କିଛି କହିପାରିବା ନାହିଁ । ଶାଶ୍ୱତର ଏଇ ଛାଇ-ଆଲୁଅର ଖେଳ ନିରନ୍ତର ଚାଲିଛି ଯାହା ହୁଏତ ନିରୁଦ୍ଦିଷ୍ଟ ହୋଇରହିଛି । ଏକ ନିର୍ଦ୍ଦିଷ୍ଟ ସମୟରେ ସିଏ ସତ୍ୟ, ପୁଣି ସତ୍ୟ ନୁହେଁ;ସିଏ ଜାଗ୍ରତ ପୁଣି ସୁପ୍ତ । ଏହା ହିଁ ସାମ୍ପ୍ରତିକତାର ଏକ ବିବରଣୀ ଏବଂ ଏହା ହିଁ ମାୟା । ଆମେ ଏଇ ମାୟାରେ ଜନ୍ମ ମାୟାରେ ଆମର ଜୀବନ, ମାୟା ଆମର ମାନସିକତା, ଆମର ସ୍ୱପ୍ନରେ ବି ମାୟାର ମହଲ । ମାୟାରେ ଆମର ଦାର୍ଶନିକତା, ଆଧ୍ୟତ୍ମିକତା, ଆମେ ମାୟାର ଦେବତା ଏବଂ ମାୟାର ଅପଦେବତା । ଆମର ଚେତନା ଯେତେ ଯୋଜନ-ବିସ୍ତାରୀ ହେଲେ ମଧ୍ୟ, ଯେତେ ଅନନ୍ତ-ଅପାର ହେଲେ ମଧ୍ୟମାୟାରୁ ମୁକ୍ତ ନୁହେଁ । ମଣିଷର ସମସ୍ତଜ୍ଞାନ ପ୍ରକାରାନ୍ତରେ ସେଇ ମାୟାର ସାମାନ୍ୟକରଣ । ଅନ୍ୟ ଅର୍ଥରେ, ଯାହାସବୁ ସମୟ, କାଳ, କାର୍ଯ୍ୟ-କାରଣ ନିୟମରେ ବନ୍ଧା ସେହି ସମସ୍ତ ମାୟାର ଆବର୍ତ୍ତରେ ।

 

ମାୟାର ଅସଲ ଭୂମିଟି ତେବେ କେଉଁଠି ? ମାୟାର ଭୂମିଟି କ’ଣ ବାସ୍ତବିକତା ଭିତରେ ନାଁ ସେଇଟି କେବଳ ଏକ କାଳ୍ପନିକ ଭୂମି ?

 

ଆମ ସଂସ୍କୃତିରେ ମାୟା କେବେ କେମିତି ଅବଶ୍ୟ ନିଃସଙ୍ଗ ହୋଇପଡିଛି । ନକାରାତ୍ମକ ହୋଇ ମଧ୍ୟ ରହିଛି । ଅଜ୍ଞାନ, ଅବିଦ୍ୟା ହୋଇରହିଛି । ଜୀବନରେ ସତେ ଅବା ଭୂତଭୟ ହୋଇ ମଧ୍ୟ ରହିଛି । ଅଜ୍ଞାତ ହୋଇ ରହିଛି, ପ୍ରକୃତି ହୋଇରହିଛି, ମାୟା ସାକ୍ଷାତ୍ ବିଧାତା ହୋଇରହିଛି । କେଉଁ ପ୍ରାଚୀନ ସମୟରୁ ମାୟା କିନ୍ତୁ ଆମ ସଂସ୍କୃତିରେ କେତେ ଜୀବନ୍ତ ହୋଇ ନରହିଛି ! ସିଏ ଦ୍ଵୈତ ହେଉ ବା ଅଦ୍ୱୈତ ହେଉ, ସଂଲଗ୍ନ ହେଉ ବା ଅସଂଲଗ୍ନ ହେଉ, ସଂପୂର୍ଣ୍ଣ ହେଉ ବା ଭଗ୍ନାଂଶ ହେଉ, ଆଲୁଅ ହେଉ ବା ଅନ୍ଧାର ହେଉ, ପାପ ହେଉ ବା ପୁଣ୍ୟ ହେଉ, ମାୟା ଆମ ଚେତନାର ପରିଧିରେ ଚିର-ପଲ୍ଲବିତ, ଚିର-ଉତ୍ତରିତ ହୋଇରହିଛି । ମାୟା ଆମ ଅଜ୍ଞାତରେ ସତେ ଅବା ବାସ୍ତବିକତାର ମଟାଳ ମାଟିରେ ଭାରି ସରାଗରେ ପାଦ ଥାପିଦେଇଛି !

 

ହିନ୍ଦୁ ଧର୍ମରେ ଆମ ସଂସାରଟି ଏଇଥି ପାଇଁ ଅବାସ୍ତବ ନୁହେଁ ଯେ ଆମ ଜଗତଟିର କୌଣସି ସ୍ଥିତି ନାହିଁ ବରଂ ଆମ ଚାରିପାଖର ପୃଥିବୀଟି ଏଇଥିପାଇଁ ଅବାସ୍ତବ ଯେ ସେ ନିତ୍ୟ ପରିବର୍ତ୍ତନଶୀଳ, ନିତ୍ୟ ଅସ୍ଥିର । ସବୁ ମୁହୂର୍ତ୍ତରେ ଏଠି ଜୀବନମୃତ୍ୟୁର ଖେଳ ଚାଲିଛି । ପ୍ରତି ମୁହୂର୍ତ୍ତରେ ପୃଥିବୀର ବିବର୍ତ୍ତନ ହେଉଛି, ଅନ୍ତରୀକ୍ଷରେ ନକ୍ଷତ୍ର ସେମାନଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ପବନର ଗତିରେ, ସମୁଦ୍ର ବିଶାଳ ତରଙ୍ଗରେ ପରିବର୍ତ୍ତନ ହେଉଛି ! ଆମ ବ୍ରହ୍ମାଣ୍ଡ ବାହାରେ ଆହୁରି ଅନେକ ବ୍ରହ୍ମାଣ୍ଡ ବିଦ୍ୟମାନ । ମହାକାଶରେ ମଧ୍ୟ ପରିବର୍ତ୍ତନର ସ୍ଵର ସୁସ୍ପଷ୍ଟ । ପ୍ରକୃତିରେ ଏବଂ ପ୍ରକୃତିର ପ୍ରତିଟି ସୃଷ୍ଟିରେ ଜଡରେ ଏବଂ ଜୀବନରେ, ସ୍ପନ୍ଦନର ନିତ୍ୟ ପରିବର୍ତ୍ତନ ପ୍ରମାଣିତ । ପ୍ରତି ମୁହୂର୍ତ୍ତ ସ୍ପନ୍ଦନ ସ୍ଵତନ୍ତ୍ର । ବେଦରେ, ବେଦାନ୍ତରେ–ଏବଂ ଦର୍ଶନର ପ୍ରତିଟି ପୃଷ୍ଠାରେ ଏହା ହିଁ ସୃଷ୍ଟିର ଅନ୍ତଃସ୍ଵର । ଏହା ହିଁ ମାୟା । ମାୟା ମଧ୍ୟ ଅଜ୍ଞାନର ସେଇ ଅନିର୍ବାଣ ସଂଗୀତ ଯିଏ ଆରମ୍ଭରୁ ହିଁ ମଣିଷ ପାଇଁ ସବୁଠୁଁ ବଡ ପ୍ରେରଣା ହୋଇରହିଛି । ଏକ ଉଦାର, ଅନ୍ତରଙ୍ଗ ଅନ୍ନେଷଣର ପ୍ରେରଣା ହୋଇ ରହିଛି । ଅସଲ ଅନୁରାଗୀଟିକୁ ଆଲୁଅକୁ ବାଟ କଢ଼ାଇ ନେବା ପାଇଁ, ଅମୃତର ବୃତ୍ତକୁ ସଂଖୋଳି ନେବା ପାଇଁ ବନ୍ଧୁଟିଏ ହୋଇ ଆମ ପାଖେ ପାଖେ ରହିଛି । ମାୟାର ଭୂମିଟି ନିର୍ଣ୍ଣୟ ଆମରି ବାସ୍ତବିକତା ଭିତରେ ହିଁ କେଉଁଠି ରହିଛି ।

Image

 

ବଳି ପଡ଼ିବ ?

 

ଚର୍ଚ୍ଚିକାଙ୍କ ପାଖରେ ବଳି ଦିଆଯାଉଛି ବୋଲି ପଢିଲି । ପୋଲିସର ଚେଷ୍ଟା ସତ୍ତ୍ୱେ ସେଠାରେ ବଳି କୁଆଡ଼େ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଏଥିପାଇଁ ଆଇନର ହସ୍ତକ୍ଷେପ ଅପେକ୍ଷା ଜନ ସଚେତନତା ବୃଦ୍ଧି ଆବଶ୍ୟକ ବୋଲି ସ୍ଥାନୀୟ ପ୍ରଶାସନ ମନେକରନ୍ତି । କଥାଟି ଠିକ୍‌ ।

 

ଜଣକୁ ପଚାରିଲି କ'ଣ ପାଇଁ ଶକ୍ତି ପୀଠରେ ବଳି ଦିଆଯାଉଛି ? ଏଇଟି ତ ଭାରି ଘୃଣ୍ୟ କଥା, ହିଂସ୍ର ପରଂପରା । ଲୋକଜଣକ କହିଲେ, ସମସ୍ତଙ୍କର ବୁଝିବାରେ ଆମର ଭୁଲ୍‌ ରହିଯାଉଛି । ମା’ କ’ଣ କେବେ ସନ୍ତାନର ବଳି ଚାହିଁବେ ? ଏ ସଂସାରର ସବୁ ଜୀବଜନ୍ତୁ ତ ମା’ଙ୍କର ସନ୍ତାନ ! ମା କ’ଣ କେବେ ସନ୍ତାନର ରକ୍ତ ମାଗିବ ?

 

ତେବେ କାହାପାଇଁ ଏ ବଳି ? ମୁଁ ପୁଣି ପଚାରିଲି ନିଜକୁ ଏଥର ଯଥାସମ୍ଭବ ଜଣେ ଜ୍ଞାନୀ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରି ସେମିତି ମୁଦ୍ରାରେ ଲୋକଜଣକ ଉତ୍ତର ଦେଲେ : ‘ଆରେ... ମା’ଙ୍କର ଅନେକ ଚଣ୍ଡିଚାମୁଣ୍ଡା ଅଛନ୍ତି ଯେଉଁମାନେ ମା’ଙ୍କ ସାଂଗରେ ଥିଲେ ବି ମା’ଙ୍କ ବିପରୀତ । ସେମାନଙ୍କର ସବୁବେଳେ ରକ୍ତ ଦରକାର । କିନ୍ତୁ ମା’ ବରାବର ସେମାନଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । କେବଳ ଏହି ଦଶହରାରେ ଯାହା ସେମାନଙ୍କର ମନୋରଂଜନ କରିବା ପାଇଁ ମା ସେମାନଙ୍କ ପାଇଁ ଗୋଟାଏ-ଦୁଇଟା ବଳିର ବ୍ୟବସ୍ଥା ଯାହା କରିଥା'ନ୍ତି । ମାତ୍ର ମା’ଙ୍କର ଏଥିରେ ନିଜର ଭାଗ ଆଦୌ ନାହିଁ । ସେ ପବିତ୍ର । ବିଶ୍ଵଜନନୀ ।’

 

ମୁଁ ପୁଣି ପଚାରିଲି, ମା କ’ଣ ପାଇଁ ଏମିତି ଚଣ୍ଡୀ-ଚାମୁଣ୍ଡା ରଖିଛନ୍ତି ? ଏମାନେ କ’ଣ ତାଙ୍କ ପାଖରେ ରହିବା ନିହାତି ଦରକାର ?

 

ମହାଶୟ ଟିକେ ଉତ୍ତେଜିତ ହେବାପରି ମନେହେଲେ । ତଥାପି ନିଜକୁ ଯଥା ସମ୍ଭବ ସଂଜତ କରି କହିଲେ, ‘କ’ଣ ଆପଣ ଏକଥା ସତରେ ଜାଣନ୍ତି ନାହିଁ ! ଆରେ... ମା’ଙ୍କରତ ପୁଣି କିଛି ଖାସ୍‌ ଲୋକେ ରହିବେ, ନହେଲେ ତାଙ୍କର ପ୍ରଚାର କେମିତି ହେବ ? ତାଙ୍କର ପତିଆରା କେମିତି ବଢିବ ? ଯେମିତି ଏଠି ପ୍ରସିଦ୍ଧ ହେବାପାଇଁ ପ୍ରତିଯୋଗିତା ଲାଗିରହିଛି ସେମିତି ଉପରେ (ସ୍ୱର୍ଗରେ) ଦେବାଦେବୀଙ୍କର ମଧ୍ୟରେ ବି କିଛି କମ୍‌ ପ୍ରତିଯୋଗିତା ନାହିଁ । ସେମାନଙ୍କ ସଂଖ୍ୟାତ କମ୍‌ ନୁହେଁ ନା ! ତେଣୁ ଅନୁଗାମୀ ଅବଶ୍ୟ ରହିବେ । ସେମାନେ ମା'ଙ୍କର ପ୍ରଚାର କାମ ମଧ୍ୟକରିବେ । ସେଇମାନଙ୍କୁ ଆମେ ପୁରାଣରେ, ଶାସ୍ତ୍ରରେ ଚଣ୍ଡୀ-ଚାମୁଣ୍ଡା ବୋଲି କହୁଛେଁ । ଯେମିତି ଆମଦେଶରେ ସବୁନେତାଙ୍କର ପଂଝାଏ ଚେଲା ଅଛନ୍ତି-ଭଲ ଚେଲା, ଖରାପ ଚେଲା ! ଖରାପ ଚେଲାଗୁଡାକ ଭଲଚେଲାଙ୍କର । ଅପେକ୍ଷା ଅଧିକ ବିଶ୍ଵସ୍ତ । ସେମାନେ ବରାବର ନେତାଙ୍କ ପାଖେ ପାଖେ ଥାନ୍ତୁ, ତାଙ୍କ ଭଲମନ୍ଦ ବୁଝନ୍ତି, ସଭାସମିତିକୁ ଯା'ନ୍ତି, ନିଜ ବାହୁବଳରେ ନେତାଙ୍କ ପତିଆରା ବଢାନ୍ତି । ପ୍ରତିବଦଳରେ ନେତାମାନେ ସେମାନଙ୍କୁ ପୋଲିସ୍‌ କେସ୍‌ରୁ ମୁକୁଳେଇ ଆଣନ୍ତି, କାମଦାମ ଦିଅନ୍ତି । ଯେମିତି ମା’ ତା’ଙ୍କ ଚଣ୍ଡୀ-ଚାମୁଣ୍ଡାଙ୍କ ମନୋରଂଜନ ମଝିରେ ମଝିରେ କରିଥା’ନ୍ତି, ଠିକ୍‌ ସେମିତି ନେତାମାନେ ତାଙ୍କର ଖାସ୍‌ ଚେଲାମାନଙ୍କୁ ମଝିରେ ମଝିରେ ମଦ ପିଇବାପାଇଁ ଦିଅନ୍ତି । ଫୂର୍ତ୍ତି କରିବା ପାଇଁ, ବାହାରେ ଚରାବୁଲା କରି ଶିକାର କରିବାପାଇଁ ଛାଡ଼ିଦିଅନ୍ତି । ଏହା ଉଭୟ ମା’(ଈଶ୍ଵର) ଓ ନେତାମାନଙ୍କ କ୍ଷେତ୍ରରେ ଏକ ବୃତ୍ତିଗତ ଆବଶ୍ୟକତା ହୋଇ ରହିଛି । ସେଇମାନଙ୍କ ପାଇଁ ଏ ବଳି... ।’

 

ଭଦ୍ରବ୍ୟକ୍ତିଙ୍କ ଯୁକ୍ତିନିଷ୍ଠତାକୁ ତାରିଫ୍ ନକରି ରହିପାରିଲି ନାହିଁ । ଏଥର ଆଉ ଜଣକୁ ପଚାରିଲି, କ’ଣ ପାଇଁ ବଳି ? ସେଇବାବୁ ଜଣକ ତୁରନ୍ତ ଉତ୍ତର ଦେଲେ, ‘ଏସବୁ ବାଜେ କଥା ! ଶାସ୍ତ୍ରରେ ବଳି କଥା ଅବଶ୍ୟ ଅଛି, ମାତ୍ର ବଳି ଅର୍ଥ ନୁହେଁ ଓଟ, ମଇଁଷି, ବୋଦା, କୁକୁଡ଼ା ବଳି ପାଣିକଖାରୁଟାଏ ନହେଲେ କାକୁଡିଟାଏ ବଳି ପକାଇଦେଲେ ଚଳିଯିବ ! ମା’ତ ଶୁଦ୍ଧ ଶାକାହାରୀ !

 

ଆଉ ଜଣକୁ ପଚାରିଲି, ସେଇ ଏକାପ୍ରଶ୍ନ । ସେ ବାବୁ କହିଲେ, ‘ଆଧ୍ୟାତ୍ମିକତା କହେ ବଳି ଦିଅ । ଜରୁର୍‌ ଦିଅ । ମାତ୍ର ନିଜର ଶତ୍ରୁମାନଙ୍କୁ ବଳି ଦିଅ । ଶତ୍ରୁ ବୋଇଲେ ଆତ୍ମାର ଶତ୍ରୁ । ଅର୍ଥାତ୍‌ ବଳି ଦେବ ତ ଆପଣା ଅହଂକାରକୁ ବଳି ଦିଅ । ତାହାହିଁ ହେବ ସମର୍ପଣ । ଯଥାର୍ଥ ବଳି ।’

 

ବଳି କେବଳ ହିନ୍ଦୁ ସଂସ୍କୃତିରେ ନୁହେଁ, ଇସ୍‌ଲାମ୍‌ରେ ମଧ୍ୟଅଛି । ତେବେ ହିନ୍ଦୁ ଧର୍ମରେ ବଳି ପ୍ରଥାଟା ଭାରି ଚକ୍‌ ଚକ୍‌ ଦିଶୁଛି । ଏହାର ଏକ ସୁଦୀର୍ଘ ଇତିହାସ ମଧ୍ୟ ଅଛି । ସତୀଦାହ ପ୍ରଥାଟି ପ୍ରକାରାନ୍ତରେ ଏକ ନରବଳି ହିଁ ଥିଲା, ଯଦିଓ ଏହା ସିଧାସଳଖ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେଉନଥିଲା । କେହି କ'ଣ ସତରେ ଜାଣିଶୁଣି ତା'ର ସ୍ଵାମୀ ମରିଯିବାପରେ ସ୍ଵାମୀ ସରାଗରେ ଚିତାକୁ ଡେଇଁ ପଡ଼ୁଥିଲା ? ଆଦୌ ନୁହେଁ । ସ୍ଵାମୀ ମରିଯିବାପରେ ବିଚାରୀକୁ ଚିତା ଭିତରକୁ ଜବରଦସ୍ତ ଠେଲି ଦିଆଯାଉଥିଲା । ତା’ର ଆର୍ତ୍ତଚିତ୍କାର କେହି ଯେମିତି ଶୁଣିନପାରିବେ ସେଥିପାଇଁ ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ସବୁ ବାଜୁଥିଲା । ସେ ଯେମିତି ନିଆଁରୁ ଉଠି ନ ଯାଇପାରିବ ସେଥିପାଇଁ ତାକୁ ଦରକାର ପଡ଼ିଲେ ତା’ର ସ୍ୱାମୀର ଶବ ସହିତ ବାଂଧି ଦିଆଯାଉଥିଲା । ସ୍ଵାମୀର ମୃତ୍ୟୁରେ ସତୀର ଆଖ୍ୟା ଦେଇ ଜଣକୁ ରୀତିମତ ବଳି ଦିଆଯାଉଥିଲା । ଆମର ଦୁର୍ଭାଗ୍ୟ, ଏବେବି ଥରେ ଥରେ ରୂପ କନୱରମାନେ ଆସୁଛନ୍ତି । ଆମ ରାଜ୍ୟରେ ତନ୍ତ୍ର ସାଧନା ବା ଅନ୍ୟକୌଣସି କାରଣ ନିମନ୍ତେ ହେଉ ସ୍ୱାମୀ ସ୍ତ୍ରୀକୁ ବଳି ଦେଉଛି, ବାପା ପୁଅଝିଅକୁ ବଳି ପକାଉଛି-। ଏସବୁ ତ ନିୟମିତ ବ୍ୟବଧାନରେ ଘଟୁଛି । ଅନ୍ୟ ରାଜ୍ୟରେ ମଧ୍ୟ ଏମିତି ଘଟଣା ବିରଳ ନୁହେଁ । ଅର୍ଥାତ୍‌ ଯୋଉ ରାଜ୍ୟରେ ନରବଳି ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ସେଇଠି ଆମର ସୌଭାଗ୍ୟ ଯେ ଅନେକ ଶକ୍ତିପୀଠରେ, କାଁ-ଭାଁ ଘଟଣାକୁ ବାଦଦେଲେ, ପଶୁବଳି ପ୍ରାୟ ବନ୍ଦ ହୋଇଯାଇଛି ।

 

ଆମ ପ୍ରଥାଗୁଡାକ ଭାରି ପ୍ରତାପୀ, ବଳବନ୍ତ ଓ ଭାରି ଭୟଙ୍କର ହୋଇ ରହିଛନ୍ତି । ସେମାନେ ଆମକୁ ଭୟ କରିବା ଶିଖାଇଛନ୍ତି, ଭୟରୁ ଭକ୍ତି ଉତ୍ପନ୍ନ ହୁଏ ବୋଲି କହିଛନ୍ତି ଏବଂ ଆହୁରି ଅନେକ ସଂଘାତିକ କଥା ଶିଖାଇଛନ୍ତି ଯାହା ଏକ ସୃଜନାତ୍ମକ ଜୀବନର ପରିପନ୍ଥୀ । ଆମ ସଂସ୍କୃତି ଭିତରକୁ ବଳି ଅନେକ ଆଗରୁ ଚାଲିଆସିଛି । ସେ ବିଷୟରେ ଆଲୋଚନା କଲେ ଦୀର୍ଘ ହେବ । ଈଶ୍ଵରଙ୍କୁ ତୋଷାମଦ ଓ ସନ୍ତୁଷ୍ଟ କରିବାର ଏକ ମାଧ୍ୟମ ହୋଇ ବଳି ଆମ ସହିତ ରହିଛି । ଵଳି ନ ପାଇଲେ ଈଶ୍ଵର ରୁଷ୍ଟ ହୋଇପାରନ୍ତି ଓ ଆମକୁ ଅଭିଶାପ ଦେଇପାରନ୍ତି, ଏମିତି ଏକ ବିଶ୍ଵାସ ଆମର ଅଛି । ସେଇ ଦୃଷ୍ଟିରୁ ବଳିଟା ଏକ ଲାଞ୍ଚପରି ଜିନିଷ ।

 

ଆମ ରାଜ୍ୟରେ ଅନେକଦିନ ପର୍ଯ୍ୟନ୍ତ ପଶୁବଳି ପ୍ରଥା ଭାରି ସାଂଘାତିକ ହୋଇରହିଥିଲା । କ୍ରମଶଃ ବଳିପ୍ରଥା ବିରୁଦ୍ଧରେ ଜୋର୍‌ ସୋରରେ ଆନ୍ଦୋଳନ ହେଲା । ଏବେ ଆଗପରି ଶକ୍ତିପୀଠରେ ଆଉ ପଶୁବଳି ନିୟମିତ ଦିଆଯାଉଥିଲେ ହେଁ ଠାଏ ଠାଏ ଏହିପ୍ରଥା ପ୍ରଚଳିତ ଅଛି । ମୂଳ କଥା ହେଉଛି, ଆମର ମାନସିକତା ଏଯାଏଁ ବଳିମୁକ୍ତ ହୋଇନାହିଁ । ଆମ ସଂସ୍କୃତିରେ ଥିବା ତୀବ୍ର ବିରୋଧାଭାସ ଯୋଗୁଁ ଏହା ଘଟିଛି । ଶ୍ରୀକୃଷ୍ଣଙ୍କ ମନଲୋଭା ବାଳଗୋପାଳ ଛବି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦିବ୍ୟଛବି ଆମ ଧର୍ମଧାରଣାର ଏକ ଅଂଶ ହୋଇଥିବା ବେଳେ କାଳୀଙ୍କର ଉଲଗ୍ନ ସଂହାରକର୍ତ୍ରୀ, ମୁଣ୍ଡମାଳିନୀ ସ୍ଵରୂପ ମଧ୍ୟ ଆମ ସଂସ୍କୃତିର ଅଂଶ ହୋଇ ରହିଛି । ଈଶ୍ଵର ଆମ ପାଇଁ ଗୋଟିଏ ସତ୍ତା ନହୋଇ ବିଭକ୍ତ ହୋଇ ରହିଛନ୍ତି । ତାଙ୍କର ଗୋଟିଏ ସ୍ୱରୂପ ସଂପୂର୍ଣ୍ଣ ନିଷ୍କାମ, ନିର୍ଲିପ୍ତ ଓ ମଂଗଳମୟ ହୋଇଥିବା ବେଳେ ଆଉ ଗୋଟିଏ ସ୍ଵରୂପ ବରାବର ରକ୍ତ ନୈବେଦ୍ୟ ଖୋଜୁଛି । ଖଣ୍ଡା-ଖର୍ପର ଧରି, ଲହଲହ ଜିଭ କାଢି, ଭାରି ଭୟଙ୍କର ହୋଇ ଆମକୁ ଗୋଡାଉଛି, ଅର୍ଥାତ ଏତେଦିନ ପର୍ଯ୍ୟନ୍ତ ଆମ ଈଶ୍ଵରୀୟ ପରିକଳ୍ପନାର ଏକ ସଫଳ ଉତ୍ତରଣ ଆମ ଭିତରେ ସମ୍ଭବ ହୋଇପାରିନାହିଁ । ସେଇ ପର୍ଯ୍ୟନ୍ତ ଚଣ୍ଡୀଚାମୁଣ୍ଡାଙ୍କ ନାଁରେ ଏଇ ବଳିପ୍ରଥା ବଳବତ୍ତର ରହିଥିବ । ଈଶ୍ଵରଙ୍କ ନାଁରେ ଆମେ ଜହ୍ଲାଦ ହୋଇ ରହିଥିବା । ଲଢ଼େଇ କରୁଥିବା । ବଳି ପକାଉଥିବା । ଚେଲା ଚାମୁଣ୍ଡାଙ୍କୁ ବଳିଭୋଗ ଦେଉଥିବା । ଆମକୁ ବଳିର ଆବଶ୍ୟକତା ବରାବର ପଡ଼ୁଥିବ । ଆମ ଘରେ , ଆମ କାର୍ଯ୍ୟାଳୟମାନଙ୍କରେ,ଆମ କିଆରି ଗୁଡାକରେ ।

 

ଅର୍ଗଳିର ଆବଶ୍ୟକତା ଉଣା ହେବାପରି କାହିଁତ ମନେହେଉନାହିଁ ।

Image

 

ବିପ୍ଳବ ତଥାପି ବଂଚିଛି

 

ନିୟମିତ ସକାଳେ ଆମ କଲୋନୀକୁ ଘର କାମ କରିବା ପାଇଁ ଆସୁଥିବା ସ୍ତ୍ରୀ ଲୋକଟି, ଯାହାର ନାଁ ଶାନ୍ତି, କେବଳ ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଅଚାନକ ଥରେ ଥରେ ଅନୁପସ୍ଥିତ ରହିବା ଏବଂ ତା’ର ପୁନରାଗମନରେ ସମସ୍ତଙ୍କଠାରୁ ଦି-ପଦ ଗାଳି ଶୁଣି ତଥା କୌଣସି ମନ୍ତବ୍ୟ ନକରି ଦାନ୍ତ ଚିପି ଚିପି ହସିବା ଏବଂ ମଝିରେ ମଝିରେ ପୁଣି ଥରେ-ଦି’ଥର ଅନୁପସ୍ଥିତ ରହିବା ଭିତରେ ଯାହା ସହଜରେ ଜାଣି ହେଉନଥିଲା ସେଇଟି ଏମିତି ଏକ କାରଣ ଯାହା ଉପରକୁ ସ୍ଵାଭାବିକ ମନେହେଉଥିଲେ ହେଁ ପ୍ରକୃତରେ ସେତେ ହାଲୁକା ନୁହେଁ । କେତେଦିନ ଉତ୍ତାରୁ ଜଣାପଡ଼ିଥିଲା ଯେ ଆମ ଶାନ୍ତି ଜଣେ ର‍୍ୟାଲି ଫିକ୍ସର (Raliy fixer) ହାବୁଡ଼ରେ ପଡ଼ିଯାଇଛି । ଅର୍ଥାତ୍‌ ବିଧାନସଭା ନଚେତ୍‌ ସଚିବାଳୟ ଆଗରେ ପ୍ରାୟତଃ ବିଧାନସଭା ଅଧିବେଶନ ସମୟରେ ଧାରାବାହିକ ଭାବେ ଦୃଶ୍ୟମାନ ହେଉଥିବା ବିଭିନ୍ନ ଧାରଣା, ଧର୍ମଘଟ, ବିକ୍ଷୋଭ / ର‍୍ୟାଲି ନିମନ୍ତେ ର‍୍ୟାଲି ଫିକ୍ସର ଜଣକ ଚଟାପଟ ଲୋକ ଯୋଗାଡ଼ କରିଦିଅନ୍ତି । ଇନ୍‌ଷ୍କାଣ୍ଟ ର‍୍ୟାଲି ଅର୍ଥାତ୍‌ ସବୁଠାରୁ ସଂକ୍ଷିପ୍ତ ସୂଚନାରେ ଯୋଗାଡ଼ ହେବାପାଇଁ ଥିବା ର‍୍ୟାଲି ନିମନ୍ତେ ଏଇ ଭଦ୍ରବ୍ୟକ୍ତି ଜଣକ ଲୋକ ଯୋଗାଡ଼ କରିବାରେ ମଧ୍ୟ ଓସ୍ତାଦ୍‌ । ଉଲ୍ଲେଖଯୋଗ୍ୟ ଯେ ଏପରି ଏକ ତତ୍‌କାଳ ସମାବେଶ ନିମନ୍ତେ ଅନ୍ୟୁନ ଚବିଶ ଘଣ୍ଟାର ଅବଧି ଆବଶ୍ୟକ ହୋଇଥାଏ । ଏଇ ଜରୁରୀକାଳୀନ ପରିସ୍ଥିତିରେ ଫିକ୍ସର ଜଣକ ପାଂଚଶହ ଜଣ ଯୋଗାଡ଼ କରିପାରିବାର ସାମର୍ଥ୍ୟ ରଖନ୍ତି । ସଟ୍‌ ନୋଟିସ୍‌ ପାଇଁ ଉଦ୍ୟୋକ୍ତାମାନଙ୍କ ଠାରୁ ଯଦିଓ ସେ ଅଧିକ ଅର୍ଥ ପ୍ରାପ୍ତ ହୁଅନ୍ତି ସେଥିପାଇଁ ତାଙ୍କୁ କିନ୍ତୁ କୁଆଡ଼େ ଆନୁପାତିକ ଭାବେ ପରିଶ୍ରମ କରିବାପାଇଁ ପଡ଼େନାହିଁ । ଓଭରଟାଇମ୍‌ ପରି ସେ ଯାହା ର‍୍ୟାଲିରେ ଯୋଗ ଦେବାପାଇଁ ଯାଉଥିବା ଲୋକଙ୍କର ପାରିଶ୍ରମିକ ବଢ଼ାଇ ଦିଅନ୍ତି । ଏଇ ବ୍ୟବସାୟ ନିମନ୍ତେ (ଯାହା ଗ୍ରୀଟିଂ କାର୍ଡ଼ ଓ ରାକ୍ଷୀ ବିକ୍ରି ପରି ସିଜ୍‌ନାଲ୍‌) ଭଦ୍ରବ୍ୟକ୍ତି ଜଣକ ସୁନ୍ଦର ନେଟ୍‌ୱାର୍କଟଏ ତିଆରି କରିଛନ୍ତି । ନେଟ୍‌ୱାର୍କ ଭିତରେ ବିଭିନ୍ନ କିସମର ଲୋକ ଅଛନ୍ତି, ଅର୍ଥାତ୍‌ କଲେଜ ଛାତ୍ର ଅଛନ୍ତି, ଛଟେଇ ହୋଇଯାଇଥିବା ଶ୍ରମିକ / ଠିକା କର୍ମଚାରୀ / ଛୋଟବଡ଼ ପାଇଟି କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ଏବଂ ଆମ ଶାନ୍ତିପରି ବେଶ୍‌ କେତେଜଣ । ଶାନ୍ତି ପୁଣି କହୁଥିଲା ଯେ ଅସାଧାରଣ ର‍୍ୟାଲିସର୍ବସ୍ଵ ପ୍ରାଣୀ ଅଛନ୍ତି ଯେଉଁମାନଙ୍କୁ ବିକ୍ଷୋଭ ଆଗରେ ସ୍ଳୋଗାନ୍‌ ଦେବାପାଇଁ ରଖାଯାଏ ସେମାନେ ପରିସ୍ଥିତିକୁ ସରଗରମ ରଖିଛନ୍ତି, ଆବଶ୍ୟକ ହେଲେ ପୋଲିସ ଉପରକୁ ସେମାନେ ଢ଼େଲାମାଡ଼ କରନ୍ତି, ସରକାରୀ ସଂପତ୍ତି ଭଂଗାରୁଜା କରନ୍ତି ଏବଂ ଆବଶ୍ୟକ ହେଲେ ଲାଠିମାଡ଼ ଖାଆନ୍ତି । ସେମାନଙ୍କ ପାରିଶ୍ରମିକ ଅବଶ୍ୟ ଖାସ୍‌ । କାଯ୍ୟଦକ୍ଷତା ଅନୁସାରେ ର‍୍ୟାଲି ମ୍ୟାନେଜର୍‌ମାନେ ପ୍ରାୟତଃ ଫିକ୍ସର ମାଧ୍ୟମରେ ଏଥି ନିମନ୍ତେ ପଇସାପତ୍ର ନିଅନ୍ତି ଯାହା ନିଶ୍ଚିତ ଭାବରେ ସାଧାରଣ ମଜୁରୀଠାରୁ ଅଧିକ ହୋଇଥାଏ । ଆମ ଶାନ୍ତି ଏମିତି ଜଣେ କରିତ୍‌କର୍ମା ଫିକ୍ସର୍‌ଙ୍କ ସଂସ୍ପର୍ଶରେ ଆସି ମଝିରେ ମଝିରେ ଭଲ ଦି’ପଇସା ରୋଜଗାର କରୁଥିଲା । ଅତଏବ ସ୍ଵାଭାବିକ ଯେ ଶାନ୍ତି ବିନା ନୋଟିସ୍‌ରେ ଅଚାନକ ଗାଏବ ହୋଇଯାଉଥିଲା ।

 

ଯଦି ଆମେ ବିଗତ ପନ୍ଦର ବର୍ଷର ବିକ୍ଷୋଭ / ପ୍ରତିବାଦର ଇତିହାସକୁ ସମୀକ୍ଷା କରିବା ତେବେ ଏକଥା ସ୍ପଷ୍ଟ ହୋଇଯିବ ଯେ ବର୍ଷପରେ ବର୍ଷ ଆନୁପାତିକ ଭାବେ ପ୍ରତିବାଦର ଅନୁକ୍ରମିକ ମୃତ୍ୟୁ ଘଟୁଛି । ଆମ ଦେଶର ସମସ୍ତ ଟ୍ରେଡ୍‌ ୟୂନିୟନମାନଙ୍କ କ୍ଷେତ୍ରରେ ଉଣା ଅଧିକ ତାହାହିଁ ଘଟିଛି । ଅର୍ଥାତ, ଦିନକୁ ଦିନ କମ୍‌ରୁ କମ୍‌ ବିକ୍ଷୋଭ / ପ୍ରତିବାଦ ପରିଲକ୍ଷିତ ହେଉଛି । ଅସଲ ସତ୍ୟାଗ୍ରହର ମୃତ୍ୟୁ ତ ଆମ ଦେଶରେ ଢ଼େର୍‌ ବର୍ଷ ଆଗରୁ ହୋଇସାରିଛି, ତେବେ ସତ୍ୟାଗ୍ରହର ଭଗ୍ନାବଶେଷ ହୋଇ ଦାବୀ ପୂରଣ ପାଇଁ, ଅଧିକାର ପାଇଁ, ପ୍ରତିବାଦ କରିବାର ଏକ ଦୀର୍ଘ ପରଂପରା ଆମ ଦେଶରେ ବେଶ୍‌ ଥିଲା । ଯେତେବେଳେ ତଥାକଥିତ ମାନବିକ ଅଧିକାର / ମୂଲ୍ୟବୋଧର ସୁରକ୍ଷା କର୍ମୀମାନେ ଆମ ମାଟିରେ ପାଦ ଥାପି ନଥିଲେ ଏବଂ ସେଇସବୁ ସଂଗଠନ ସମୟକ୍ରମେ ରାଷ୍ଟ୍ରୀୟ ଆଇନ, ଅନୁଶାସନର ଅଂଗ ହୋଇ ରହିନଥିଲେ, ସେତେବେଳେ ମଧ୍ୟ ଟ୍ରେଡ୍‌ ୟୂନିୟନଠୁଁ ଆରମ୍ଭ କରି ରିକ୍ସାଚାଳକ ଓ କ୍ଷେତ ମଜଦୁର୍‌ ସଂଘର ମଜଦୁର୍‌ମାନେ ଧର୍ମଘଟ କରୁଥଲେ, ବିକ୍ଷୋଭ କରୁଥିଲେ ପ୍ରାଥମିକ ଶିକ୍ଷକମାନେ ସେତେବେଳେ ମଧ୍ୟ ଦାବୀ ଉପସ୍ଥାପନ କରୁଥିଲେ । ଅତଏବ ସାଂପ୍ରତିକ ପରିସ୍ଥିତିରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଛି ଯାହା ବୋଧହୁଏ ଗବେଷଣା ସାପେକ୍ଷ ହୋଇପଡ଼ିଛି ।

 

ବେଶ୍‌ କେତେବର୍ଷଧରି ପ୍ରତିବାଦର ମୃତ୍ୟୁ (ହ୍ରାସ ଅର୍ଥରେ) ଘଟିଛି ବୋଲି ଧରି ନେବାପାଇଁ ହେବ । ସମାଜତତ୍ତ୍ଵବିତ୍ୱମାନେ ବିକ୍ଷୋଭର ଏ ପ୍ରକାରର ମୃତ୍ୟୁ ମୁଖ୍ୟତଃ ଦୁଇଟି କାରଣରୁ ହୋଇଥାଏ ବୋଲି କହନ୍ତି । ପ୍ରଥମ କାରଣ, ଏକ ପ୍ରଗତିଶୀଳ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାରେ ଏକଦା ଅଧିକାଂଶ ବିକ୍ଷୋଭର ଭୂମି ହୋଇ ରହିଥିବା କାରଣମାନଙ୍କର ଅଭାବ ଦେଖାଦିଏ, ଅର୍ଥାତ୍‌ ଏକ ଉଦାର, ଜନମଂଗଳ ରାଷ୍ଟ୍ର ତାହାର ନାଗରିମାନଙ୍କର ସମସ୍ତ ଅଭାବ-ଅସୁବିଧା ପୂରଣ କରିବାରେ ସମର୍ଥ ହୁଏ । ଏହା ଉନ୍ନତିର ଚିହ୍ନ । ଯେହେତୁ ସମସ୍ତେ କୁଶଳରେ ରହନ୍ତି, ପରିପୂର୍ଣ୍ଣ ହୋଇ ରହିନ୍ତି ପ୍ରତିବାଦ ବା ବିରୋଧର ପ୍ରଶ୍ନ ଉଠେନାହିଁ । ଏଇ ପ୍ରଥମ କାରଣଟି ଆମ୍ଭ ଦେଶପ୍ରତି ଏଯାବତ୍‌ ପ୍ରଯୁଜ୍ୟ ହୋଇନାହିଁ । ଦ୍ୱିତୀୟ କାରଣଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ସେଇଟି ହେଉଛି ପ୍ରକାଶ୍ୟ ବା ଅପ୍ରକାଶ୍ୟ ଭାବରେ ହେଉ ରାଷ୍ଟ୍ର ତା’ର ଜନମଂଗଳ ଲେବୁଲ୍‌କୁ ଏକାବେଳକେ ଫୋପାଡ଼ି ଦେଇ ଏକ ସାମ୍ଭରିକ ଅନୁଶାସନ ସଂସ୍ଥାପରି ବ୍ୟବହାର କରିବା ଆରମ୍ଭ କରେ ଯାହା ଅତ୍ୟନ୍ତ ନିର୍ମମ ଭାବେ ବିକ୍ଷୋଭ ସତ୍ତାର ଗଳାଚିପି ହତ୍ୟା କରିବାକୁ ଆପଣାର ପରମ କର୍ତ୍ତବ୍ୟ ମଣେ । ପୃଥିବୀର ଅନେକ ବିକାଶପ୍ରାପ୍ତ ଏବଂ ବିକାଶଶୀଳ ରାଷ୍ଟ୍ରରେ ଏହି ଦ୍ୱିତୀୟ ନିୟମଟି କାମ କରୁଛି । ଆମ କ୍ଷେତ୍ରରେ ମଧ୍ୟ ଏହି ଦ୍ୱିତୀୟ ନିୟମ ପ୍ରଯୁଜ୍ୟ-

 

ଅନ୍ୟ ଅର୍ଥରେ, ଆମର ସକଳ ସାମାଜିକ ତଥା ଅର୍ଥନୈତିକ ଅଗ୍ରଗତି ଉହାଡ଼ରେ ରାଷ୍ଟ୍ରମାନସର ସାଂସ୍କୃତିର ଅବକ୍ଷୟ ସଂଘଟିତ ହୋଇସାରିଛି । ଶୃଙ୍ଖଳା, ଆଇନ, ଅନୁଶାସନ, ନିରାପତ୍ତା ତଥା ସଂହତି ନାରେ ସ୍ଵୟଂ ରାଷ୍ଟ୍ର ବ୍ୟକ୍ତି ସ୍ଵାଧୀନତା ନିମନ୍ତେ ସବୁଠୁ ବଡ଼ ସନ୍ତ୍ରାସ ହୋଇ ସେଇ ଏକା ଭୂମିରେ ବିଦ୍ୟମାନ ରହିଛି । ଏହି ପରିପ୍ରେକ୍ଷୀରେ ଅଧିକାଂଶ ପ୍ରତିବାଦକୁ, ବିକ୍ଷୋଭକୁ ଅତ୍ୟନ୍ତ ଚତୁରତାର ସହିତ ଅପ୍ରକାଶ୍ୟ ଭାବରେ ଦମନ କରାଯାଉଛି । ଜାଲିୱାନାବାଗ୍‌ରେ ବ୍ରିଟିଶ୍‌ ଶାସନର ଯେଉଁ ନୃଶଂସତା ବେଶ୍‌ କେତେ ଦଶକ ଧରି ଆମକୁ ଆଚ୍ଛନ୍ନ କରି ରଖିଥିଲା ଏବଂ ବ୍ରିଟିଶ୍‌ ଉପନିବେଶବାଦର ବୋଧହୁଏ ସବୁଠାରୁ ବଡ଼ କଳଙ୍କ ହୋଇ ରହିଥିଲା ସେଇ ଘଟଣାଠାରୁ ଯଥେଷ୍ଟ ଅଧିକ ଜଘନ୍ୟ ଘଟଣା ଆମ ସ୍ଵାଧୀନତା ପରେ ମଧ୍ୟ ଘଟିଛି ଯାହା ହୁଏତ ପ୍ରକାଶ୍ୟ ଭାବରେ ଘଟିନାହିଁ ଏବଂ ଯାହାକୁ ରାଷ୍ଟ୍ରୀୟ ସୁରକ୍ଷା / ନିରାପତ୍ତା ନାଁରେ ଆମେ ବରଦାସ୍ତ କରୁଛେ-। କେବଳ ସେତିକି ନୁହେଁ, ଆମ ବିକାଶ ସହିତ ତାଳ ଦେଇ ଆମର ବୁଦ୍ଧିଗୁଡ଼ାକ ଏତେ ତୀକ୍ଷ୍ଣ ହୋଇଯାଇଛନ୍ତି ଯେ ଆମେ ଅତ୍ୟନ୍ତ ଚତୁର ତଥା ନିର୍ଲଜ ଭାବରେ ଆମର ଅପରାଧଗୁଡ଼ାକ ଉପରେ ପରଦା ଢ଼ାଙ୍କି ଦେଉଛୁ । ଜାତୀୟତାବାଦର ନିରାପଦ ବଳୟ ନାଁରେ ଆମେ ସମ୍ବେଦନଶୀଳତା ମାନବୀୟ ମୂଲ୍ୟବୋଧକୁ ଅଗ୍ରାଧିକାର ନଦେଇ କୁସ୍ତିକୁ ଅଗ୍ରାଧିକୀର ଦେଉଛୁ-ହୁଏତ ଏକ ପ୍ରତିଯୋଗିତା ମୋଡ଼୍‌ରେ ଆମେ ସମସାମୟିକ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କଠାରୁ ଅପେକ୍ଷାକୃତ କମ୍‌ ନୃଶଂସ, ଅର୍ଥାତ୍‌ ଶାନ୍ତିପ୍ରିୟ ବୋଲି ମଧ୍ୟ ଦାବୀ କରୁଛୁ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମର ଆଇନଗୁଡାକୁ ବଡ଼ କାଇଦାରେ ଆମେ ଢ଼ାଲରେ ପରିଣତ କରିପକାଇ ପ୍ରକାରାନ୍ତରେ ଏକ ରାଷ୍ଟ୍ର ପ୍ରାୟୋଜିତ ସନ୍ତ୍ରାସର ପ୍ରବର୍ତ୍ତନ କରୁଛୁଁ । ଆମର କମିଶନ / ଅନୁସନ୍ଧାନକାରୀ ସଂସ୍ଥାମାନେ ପ୍ରକୃତରେ ମୁକ୍ତ ସତ୍ତା ନହୋଇ ଏକ ନିୟନ୍ତ୍ରିତ ବ୍ୟବସ୍ଥାର ଅବୟବ ହୋଇ ରହିଛନ୍ତି । ଏକଥା ସମସ୍ତେ ଜାଣନ୍ତି ଯେ ଏକ ସଭ୍ୟ ରାଷ୍ଟ୍ରରେ ଏଇସବୁ ବ୍ୟବସ୍ଥା ଅଧିକାଂଶକୁ ଅନେକଦିନ ଯାଏ ବୁଦ୍ଦୁ ବନାଇ ରଖିବାର ଯନ୍ତ୍ରପାତି ହୋଇ ରହିଥା’ନ୍ତି । ଏଇସବୁ ଅନୁଷ୍ଠାନଗୁଡ଼ିକ ଘଟଣାପ୍ରବାହକୁ ତତ୍‌କ୍ଷଣାତ୍‌ ବାଲିବସ୍ତା ପକାଇ, ଅନ୍ତତଃ ଅସ୍ଥାୟୀ ଭାବେ ବନ୍ଦ କରିପାରିବାର ସାମର୍ଥ୍ୟ ରଖିଥାନ୍ତି । ଏମାନେ ସମୟକୁ ସମୟ ଖଣ୍ଡରେ ଏବଂ ଏକ୍ସ ସାମଗ୍ରିକ ଉଜ୍ୱାସକୁ ଭଗ୍ନାଂଶରେ ପରିବର୍ତ୍ତିତ କରିପାରିବାର ସାମର୍ଥ୍ୟ ରଖିଥାନ୍ତି । ଅଧିକାଂଶ ଅନୁସଂଧାନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହୁଏ ନାହିଁ, କମିଶନର ଅବଧି କ୍ରମଶଃ ବିସ୍ତାରିତ ହୁଏ ଏବଂ ଯେତେବେଳେ, ଅନୁସଂଧାନର ଉପସଂହାର ହେଲା ବୋଲି ଘୋଷଣା କରାଯାଏ ସେତେବେଳେ ଦୁଇଟି କଥା ହୁଏ ।

 

ପ୍ରଥମ, ଗଣଚେତନାରୁ ଅନୁସଂଧାନର କାରଣଟି ଫିକା ପଡ଼ିଯାଇଥାଏ । କେହି ସେ ବିଷୟରେ ବିଶେଷ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ । ଦ୍ୱିତୀୟ, ଅଧିକାଂଶ ସମୟରେ କମିଶନ ବସାଇଥିବା ରାଷ୍ଟ୍ର ଶାସନ କମିଶନର ସୁପାରିଶକୁ ଗ୍ରହଣ କରନ୍ତିନାହିଁ, ସେମାନେ ଆଇନକାନୁନ ଓ ବିଜ୍ଞପ୍ତିକୁ ଉଦ୍ଧାର କରି କହନ୍ତି ଯେ ଆଇନ ଅନୁଯାୟୀ ଶାସନ କମିଶନର ସୁପାରିଶକୁ ଗ୍ରହଣ କରିବାପାଇଁ ବାଧ୍ୟ ନୁହେଁ । ସଚରାଚର ନିଜର ନାଗରିକମାନଙ୍କୁ ଭୁଆଁ ବୁଲାଇବାର (ରାଷ୍ଟ୍ରର) ଏଇ ଅଭିନନ୍ଦନୀୟ ଉପକ୍ରମ ଅତ୍ୟନ୍ତ ଦୟନୀୟ ଭାବେ ଆମ ଜୀବନଚର୍ୟ୍ୟାର ଏକ ଅଂଶ ହୋଇ ମଧ୍ୟ ରହିଛି । ଏସବୁ ଯେମିତି ରୁଟିନ୍‌ ଓ ଦେହସୁହା ହୋଇସାରିଛି । କଳିଙ୍ଗନଗର ଗୁଳିକାଣ୍ଡକୁ ଏକ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ । ଯଦି ସେମିତି କିଛି ଅସ୍ଵାଭାବିକ ନଘଟେ ତେବେ ଭବିଷ୍ୟତର ଘଟଣାପ୍ରବାହ ଏମିତି ହୁଏତ ହେବ-ତଦନ୍ତ ଘୋଷଣା / କ୍ଷତିପୂରଣ ଘୋଷଣା / ସଂପୃକ୍ତ କର୍ତ୍ତୁପକ୍ଷଙ୍କ ସ୍ଥାନାନ୍ତର / ଆମ ରାଜ୍ୟର ସମସ୍ତ ପୁନର୍ବାସ / ଥଇଥାନ କାର୍ୟ୍ୟକ୍ରମର ପୁନଃମୂଲ୍ୟାୟନ / ଶିଳ୍ପାଂଚଳରେ ପୋଲିସର ସଶକ୍ତିକରଣ(ଅଧିକ ଥାନା, ଅଧିକ ପୋଲିସ, ଅଧିକ ମୋକଦ୍ଦମା) ଆଦିବାସୀ / ନେତାମାନଙ୍କ ସହିତ ସରକାରୀ ପ୍ରତିନିଧିଦଳର ଧାରାବାହିକ ଆଲୋଚନା / ଆଲୋଚନାର ବିଜ୍ଞାପିତ ସଫଳତା ସତ୍ତ୍ୱେ କେତେଦିନ ପରେ ପୁଣି କାଁ-ଭାଁ ରାସ୍ତାରୋକୋ / ଆନ୍ଦୋଳନର ମୃତ୍ୟୁ । ଅବଶ୍ୟ ଏହି ସବୁ ଭିତରେ ଏକଥା ମଧ୍ୟ ବାରମ୍ବାର ହେବ ଯେ ପରିସ୍ଥିତିକୁ ଜଟିଳ କରି ପକାଇବାପାଇଁ (ଆଦିବାସୀମାନଙ୍କ ଦୁଃଖ ବୁଝିବାପାଇଁ ନୁହେଁ) ବିଭିନ୍ନ ରାଜନୈତିକ ଦଳର ଅନେକ ନେତା କଳିଙ୍ଗନଗର ଯିବେ ଏବଂ ସେଇ ଅବସରରେ ସେମାନେ ତାଙ୍କର ରାଜନୈତିକ ଫାଇଦା ମଧ୍ୟ ଉଠାଇବେ । ବୋଧହୁଏ ବହୁତ କମ୍‌ଲୋକ ପ୍ରକୃତରେ ଏକ ହୃଦୟ ନେଇ ଆଦିବାସୀମାନଙ୍କ ପାଖକୁ ଯିବେ ଓ ସେମାନଙ୍କ ଦୁଃଖରେ ଭାଗୀ ହେବେ ।

 

ଆମେ ବିକ୍ଷୋଭକୁ ବୁଝିବାପାଇଁ ପ୍ରୟାସ ନକରି, ପ୍ରତିବାଦର ବାରଣକୁ ଅନୁଧ୍ୟାନ ନକରି ଅଧିକାଂଶ ସମୟରେ ବିକ୍ଷୋଭକୁ ନଷ୍ଟ କରିଦେବାର ସମସ୍ତ ଚେଷ୍ଟା ଜାରି ରଖି । ବିକ୍ଷୋଭର ନେତୃତ୍ଵ ନେଉଥିବା କେତେଜଣକୁ ଆମେ କୌଣସି ପ୍ରକାରରେ ଆମ ଶିବିରକୁ ନେଇ ଆସିବାରେ ଧୁରନ୍ଧର ପାଲଟିଯାଇଛୁ ଏବଂ ସେଇ ଦୃଷ୍ଟିରୁ ଅଳ୍ପ କେତେବର୍ଷ ଭିତରେ ଆମର ସ୍ୱାଧୀନୋତ୍ତର ପାରିବାପଣିଆଟି ଏକଦା ଆମର ପ୍ରଭୁ ଥିବା ବ୍ରିଟିଶ ଉପନିବେଶବାଦର ଚାଲ୍‌ (ଡିଭାଇଡ଼ ଆଣ୍ଡ ରୁଲ୍‌)କୁ ଟପିଯାଇଛି । କଳିଙ୍ଗନଗର କ୍ଷେତ୍ରରେ ଏକଥା ମଧ୍ୟ ହୋଇପାରେ ଯେ ଆମେ କମ୍‌ ସମୟ ଭିତରେ ସେଇ ଅଂଚଳରେ ନେତା ସଂଖ୍ୟା ବଢ଼ାଇଦେବୁ ଏବଂ ସେମାନେ ମୂଳ ସମସ୍ୟାକୁ ଭିନ୍ନ ପ୍ରକାରେ ଉପସ୍ଥାପନ କରିବେ, ବିକଳ୍ପମାନଙ୍କର କଥା କରିବେ ଆପଣାର ମହତ୍ୱକାଂକ୍ଷାପାଇଁ, ଦଳମନସ୍କତାପାଇଁ ପ୍ରସିଦ୍ଧ ହୋଇ ରହିଥିବା ଆମର ରାଜନୈତିକ ଦଳମାନେ ବୋଧହୁଏ ଏବେ ସେଇସବୁ ଚିନ୍ତାରେ ମଗ୍ନ ଥାଇପାରନ୍ତି । ପରିସ୍ଥିତିକୁ ଏକଦମ୍‌ ଗୋଳମାଳିଆ କରିଦେବାପାଇଁ ଏମତି ସୁଯୋଗ ସେମାନଙ୍କପାଇଁ ସଂଯୋଗକୁ ଆସିଥାଏ । ଆମକୁ ବୁଝିବାପାଇଁ ହେବ ଯେ ପରିବର୍ତ୍ତିତ ପରିସ୍ଥିତିରେ ଆମର ଅବକ୍ଷୟିଷ୍ଣୁ ନେତୃତ୍ଵହିଁ ସାଧାରଣ ଜୀବନରେ, ଗଣଚେତନାରେ ପ୍ରତିବାଦର ଅସ୍ତିତ୍ତ୍ୱକୁ ହତ୍ୟା କରିଛନ୍ତି । ସେମାନେ ଆବଶ୍ୟକ କରୁଥିବା ଦଳମନସ୍କ ବିକ୍ଷୋଭ ନିମନ୍ତେ ଅସଲ ବିକ୍ଷୋଭକାରୀଙ୍କ ଆବଶ୍ୟକତା ନଥାଏ । ବିକ୍ଷୋଭକୁ ରାଜନୀତିର ଏକ ଉପ-ଅନୁଷ୍ଠାନ ଭାବରେ ଗ୍ରହଣ କରି ସେମାନେ ଯାହା ଅଧିକାଂଶ ସମୟରେ ଭଡ଼ାଟିଆ ସୈନ୍ୟବାହିନୀ (ମର୍ସିନାରି) ପରି ର‍୍ୟାଲି ଫିକ୍ସରଙ୍କ ନେଟୱାର୍କର କଲେଜ ଛାତ୍ର, ଶ୍ରମିକ ଓ ଶାକ୍ତିମାନଙ୍କୁ ସଂଗ୍ରହ କରିଥା’ନ୍ତି । ସେଇମାନଙ୍କପାଇଁ ଅବଶ୍ୟ ଆମର ମଫସଲମାନଙ୍କରୁ କିଛି ଅସ୍ଵଚ୍ଛଳ ଲୋକେ ରାଜଧାନୀରୁ ଟ୍ରକ୍‌ରେ ବୁହା ହୋଇ ଆସନ୍ତି ସେମାନେ ବିକ୍ଷୋଭରେ ଭାଗ ନେବା ସହିତ ପୁରୀ ମନ୍ଦିର ବୁଲି ଦେଖିବାର ପରମ ସୌଭାଗ୍ୟ ଅର୍ଜନ କରିଥାନ୍ତି ।

 

ଉପରୋକ୍ତ ଦୁଇଟି କାରଣ ବ୍ୟତୀତ ଆମ ସାମୂହିକ ଜୀବନରେ ପ୍ରତିବାଦର ମୃତ୍ୟୁ ଘଟିବାର ଆଉ ଏକ କାରଣ ଅଛି। ସେଇଟି ହେଉଛି ଏଇ ଉତ୍ତର ଆଧୁନିକ କାଳରେ ଆମ ଅଧିକାଂଶଙ୍କ ଭିତରେ ସ୍ପଷ୍ଟ ହୋଇ ଦୃଶ୍ୟମାନ ହେଉଥିବା ସ୍ଥିତିସ୍ଥାପକତା (stalusque) । ହଲିଲା ପାଣିକୁ ଗୋଡ଼ ନ ବଢ଼ାଇବାର ଏହି ମାରାତ୍ମକ ମାନସିକତା ପରବର୍ତ୍ତୀ ସମୟରେ ଅଧିକ ଉତ୍କଟ ହେବାପାଇଁ ଯାଉଛି । ସମାଜତ୍ତ୍ୱବିତ୍‌ମାନଙ୍କ ମତରେ ଦୀର୍ଘକାଳ ଧରି ରାଷ୍ଟ୍ର ବ୍ୟକ୍ତିର ସମସ୍ୟା ପ୍ରତି ବିମୁଖ ରହିଲେ, ଅନ୍ୟ ଅର୍ଥରେ ଦୀର୍ଘ ଅବଧି ଧରି ଜଣେ ଏକ ଆପାତଃ ଅଣସମ୍ବେଦନଶୀଳ ସମାଜରେ ତିଷ୍ଠି ରହିଲେ ଜଣେ ବାଧ୍ୟ ହୋଇ ପରିସ୍ଥିତି ସହିତ ସାଲିସ କରିନିଏ । ଏହି ସାଲିସ, ସମଝୋତା ସକଳ ପ୍ରତିବାଦର ଶତୁ ହୋଇ ରହିଥାଏ । ହୁଏତ ଆମ ଭିତରୁ କିଛି ଲୋକ ସକଳ ଅନିଚ୍ଛା ସତ୍ତ୍ୱେ ବ୍ୟବସ୍ଥାର କ୍ରୀତଦାସରେ ପରିଣତ ହୋଇଛନ୍ତି । ସେମାନେ ଅଧିକ ଆହତ ହେବାପାଇଁ ଆଉ ସାହସ କରିପାରୁନାହାନ୍ତି । ତେବେ ଏକଥା ସତ୍ୟ ଯେ ସେମାନେ ଜ୍ଞାତସାରରେ ହିଁ ଏଇ ଅଂଧାରରେ ରହିଛନ୍ତି । ସବୁଠୁଁ ଦୁଃଖଦ ହେଉଛି, ଆମ ସମସ୍ତଙ୍କୁ-। ଅଧିକାରର ସେଇ ବୃତ୍ତ ଭିତରକୁ ବାଟ କଢ଼ାଇନେବା ରାଷ୍ଟ୍ରର ଯେମିତି ଏକ ଉତ୍ତର ଦାୟିତ୍ଵ ହୋଇ ରହିଛି ! ଏହି ପରିପ୍ରେକ୍ଷୀରେ ନୋବେଲ୍‌ ବିଜେତା ହାରୋଲ୍ଡ଼୍ ପିଣ୍ଟରଙ୍କ ନୋବେଲ୍ ଅଭିଭାଷଣ ଆମ ପାଇଁ ପ୍ରାସଂଗିକ ହୋଇରହିବ । ସାମାଜିକ ନ୍ୟାୟ ଏବଂ । ବ୍ୟକ୍ତି ସ୍ଵାଧୀନତାରେ ବିଶ୍ଵାସୀ ପିଣ୍ଟର୍‌ କହିଛନ୍ତି ଯେ ‘ଆମେରକୀୟମାନଙ୍କ ବିକ୍ଷୋଭ ଏବଂ ପ୍ରତିବାଦର ସ୍ଵରକୁ ଅତି ଚତୁରତାର ସହିତ ଚାପି ଦିଆଯାଉଛି । ଚତୁର ଭାଷଣରେ ସେମାନଙ୍କୁ ନୀରବ ରହିବାପାଇଁ ଏକରକମ ବାଧ୍ୟ କରାଯାଉଛି ।’

 

ଆମ ଦେଶରେ କ’ଣ ଠିକ୍‌ ତାହାହିଁ ଘଟୁନାହିଁ ?

 

କଳିଙ୍ଗନଗରରେ ଆଦିବାସୀମାନଙ୍କ ବିକ୍ଷୋଭକୁ ଆମେ ତୁଚ୍ଛା ନରହତ୍ୟା କହିବା, ନିନ୍ଦା କରିବା ଭିନ୍ନ ପ୍ରସଂଗ । ଆଦିବାସୀମାନେ ଏବେ ବି ଆପଣାର ଅଧିକାରପାଇଁ, ଦାବୀ ପାଇଁ ଏକଜୁଟ ହେଉଛନ୍ତି, ଏହାହିଁ କ’ଣ ପ୍ରମାଣିତ କରୁନାହିଁ । ଯେ ଆମର ତଥାକଥିତ ସଂସ୍କାର, ଉଦାରୀକରଣ, ଜଗତୀକରଣ ବେଶ୍‌ କିଛି ଲୋକଙ୍କୁ ସଂକ୍ରମଣ କରିବା ଏବେ ମଧ୍ୟ ବାକି ଅଛି ? ବିପ୍ଳବ ଅଦ୍ୟାବଧି ଆମ ବଜାରଭିତ୍ତିକ । ଅର୍ଥନୀତିର ମ୍ୟୁଜିୟମ୍‌ରେ ବନ୍ଦୀହୋଇ ରହିଯାଇନାହିଁ । ଏହା କିଛି କମ୍‌ ସାନ୍ତ୍ୱନା ନୁହେଁ । ବିପ୍ଳବର ପାପୁଲିଗୁଡାକୁ ଅବଶ୍ୟ ଭାରି ନିଷ୍ଠୁର ଭାବରେ କାଟି ଦିଆଯାଇଛି । ବିପ୍ଳବର ଗଣଦାହ ଶେଷ ହୋଇଛି । ବିପ୍ଳବ କିନ୍ତୁ ତଥାପି ବଂଚିଛି । ଜୀବନ-ଜୀବିକା ସହିତ ଉଗ୍ର ଉନ୍ନୟନର ସଂଘାତରୁ ଉତ୍ପନ୍ନ ଆଦିବାସୀଙ୍କର ଏଇ ବିରୋଧ ଏକଥା ମଧ୍ୟ ପ୍ରମାଣିତ । କରୁଛି ଯେ ପରିବର୍ତ୍ତନ ସିଧାସଳଖ କାହା ଉପରେ ଲଦି ଦିଆଯାଇ ପାରିବନାହିଁ । କୌଣସି ପରିବର୍ତ୍ତନ ପାଇଁ ଉଭୟ ଭିତ୍ତିଭୂମି ଏବଂ ମନୋଭୂମିର ପରିବର୍ତ୍ତନ ମଧ୍ୟ ଜରୁରୀ ।

Image